Gayatri Singh

Tragedy Inspirational Others

4.5  

Gayatri Singh

Tragedy Inspirational Others

ସମର୍ପଣ

ସମର୍ପଣ

3 mins
246


 

ସକାଳ ପହରୁ ତା ଘରକୁ ମିଡିଆବାଲାଙ୍କ ର ସୁଅ ଛୁଟିଛି । ଶହୀଦ ହୋଇଥିବା ତା ସ୍ୱାମୀ ପ୍ରଭାକର ପାଇକରାୟ କୁ ‘ଶୌର୍ଯ୍ୟଚକ୍ର’ ସମ୍ମାନ ରେ ସମ୍ମାନିତ କରାଯିବା ଘୋଷଣା ହେବା ପର ଠାରୁ ଉଭୟ ଇଲେକଟ୍ରୋନିକ୍ସ ମିଡିଆ ଓ ପ୍ରିଂଟ ମିଡିଆ ଙ୍କର ଲମ୍ବା ଲାଇନ ଲାଗିଛି ତା ଗେଟ ସାମ୍ନାରେ । ସାମ୍ବାଦିକ ଙ୍କର ପ୍ରଶ୍ନରେ ସେ ପ୍ରଭାକର ର ଅଧୁରା ସ୍ୱପ୍ନ କୁ ଖୁବ୍ ଶୀଘ୍ର ପୁରା କରିବାର ଉତ୍ତର ଦେଇଥିଲା । ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଜଏନ କରି ଦେଶ ପାଇଁ ସେ ନିଜକୁ ସମର୍ପିତ କରିଦେବ । ଫୋନ କୁ ବି ଫୁରସତ ନାହିଁ । ବନ୍ଧୁ ବାନ୍ଧବ ସାଙ୍ଗ ସାଥୀ ଙ୍କର ଶୁଭେଚ୍ଛା ର ସୁଅ ଛୁଟିଛି । ସକାଳ ପାହିଲେ ୭୫ ତମ ସ୍ୱାଧିନତା ଦିବସ । ଭୁବନେଶ୍ୱର ଯିବା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ତା ପାଇଁ କରାଯାଇଛି । ରାତି ବଢିବା ସହିତ ବିଗତ ଦିନର ସ୍ମୃତିର ଖିଅ ଲମ୍ବି ଯାଉଛି । ତାର ମନେ ପଡି ଯାଉଛି ଗୋଟି ଗୋଟି ସବୁ କଥା । ଆଖିରେ ଜମା ନିଦ ନାହିଁ । ପାଖରେ ଶୋଇଥିବା ଦେଢ ବର୍ଷର ପୁଅ କୁ କୋଳେଇ ସେ ବାରମ୍ବାର ଶୋଇବାକୁ ଚେଷ୍ଟା କରୁଥିଲା । ‘ନା’ ନିଦ ଆସୁନି । କାନ୍ଥ ଘଂଟା ର ଟିକ୍ ଟିକ୍ ଶବ୍ଦ ରାତି ବଢିବା ସହିତ ବଢି ଚାଲିଥିଲା । ବନ୍ଧେଇ ହୋଇ କାନ୍ଥ ରେ ଟଙ୍ଗା ଯାଇଥିବା ଫୋଟ ଗୁଡିକୁ ଅନାଇ ରହିଲା । ଶ୍ୱଶୁର ଙ୍କ ଫୋଟ ଖୁବ ଗର୍ବ ଓ ଆନନ୍ଦ ର ସହିତ ତାକୁ ଯେମିତି ଅନାଇଛନ୍ତି । ଆଉ କିଛି କହିବାର ପ୍ରୟାସ କରୁଛନ୍ତି । ଶ୍ୱଶୁର ଦେଶ ପାଇଁ ସହିଦ ହୋଇଥିଲେ । ଶ୍ୱଶୁର ଙ୍କ ଶବ କୁ ଯେତେବେଳେ ଗାର୍ଡ ଅଫ ଅନର କରାଯାଇ ଘରକୁ ଆଣିଥିଲେ ଶାଶୁ ଙ୍କ ର କୌଣସି ପ୍ରତିକ୍ରିୟା ନଥିଲା । ଯେପରି ସେ ବି ଦେଶ ପାଇଁ ସମର୍ପିତ । ଗର୍ବରେ ତାଙ୍କ ଛାତି ଫାଟି ପଡୁଥିଲା । ଏତେ ଲୋକ ଙ୍କ ସମ୍ମାନ ସ୍ନେହ ଭଲପାଇବା ଦେଖି ସେ ଲୁହ କୁ ନିଜ ଆୟତ ରେ କରି ନେଇଥିଲେ । ଲୁହ କୁ ରୋକିବାର ସମସ୍ତ ଶକ୍ତି ଯେମିତି ତାଙ୍କ ପାଖରେ ଗଚ୍ଛିତ ଥିଲା । ଲୁହ ବି ଅମାନିଆ ନଥିଲେ, ଯେମିତି ତାଙ୍କ ବୋଲ ମାନି ଯାଇଥିଲେ । ବୋଧହୁଏ ଶାଶୁ ଙ୍କ ଠାରୁ ଏ କଳା ସେ’ ବି ଶିଖିନେଇଛି । ବିଛଣାରେ ପୁଅର ପରିସ୍ରା କପଡା ବଦଳାଉ ବଦଳାଉ ପୁଅ ଉଠି ପଡିଲା । ତାକୁ ଥାପୁଡାଇ ଶୁଆଉ ଶୁଆଉ ତାର ନଜର ଶ୍ୱଶୁର ଙ୍କ ଫୋଟ ପାଖରେ ଟଙ୍ଗା ଯାଇଥିବା ତାର ଆଉ ପ୍ରଭାକର ର ବାହାଘର ବେଳର ଫୋଟ ଉପରେ ପଡିଗଲା । ମଥାରେ ସିନ୍ଥି ସହିତ ସିନ୍ଦୁର ଟୋପା ତା ମୁହଁକୁ ଭାରି ମାନୁଥିଲା । ଆଜି ତା ମଥା ଖାଲି । ଆଜି ସେ ବିଜୟିନୀ ର ଟୀକା ମଥାରେ ଲଗାଇଛି । ପ୍ରଭାକର ପାଇଁ ସେ ଗର୍ବିତ । ପ୍ରଭାକର ର ହସ ହସ ମୁହଁ ତାକୁ ଉତ୍ସାହ ପ୍ରେରଣା ଯୋଗାଉଛି । ତାର ଠିକ୍ ମନେଅଛି, ସେ ନଅ ମାସ ର ଗର୍ଭବତୀ ଥିଲା । ପ୍ରଭାକର ଛୁଟି ନେଇ ଆସିଥିଲେ ତାର ଯତ୍ନ ନେବା ପାଇଁ । ଡେଲିଭରି ପରେ ପୁଣି ଚାକିରୀ କୁ ଫେରି ଥାଆନ୍ତେ । ହେଲେ ହଠାତ୍ ଡାକରା ପାଇ ଚାଲିଗଲେ । ଅନେକ କଥା ଅନେକ ଯୋଜନା ଯେପରି ଅକୁହା ରହିଗଲା । ଶୀଘ୍ର ଫେରିବାର ପ୍ରତିଶ୍ରୁତି ବି ଦେଇଥିଲେ । ପ୍ରଭାକର ଯିବାର ଏଗାର ଦିନ ହୋଇଛି ତାର ଗର୍ଭ ବେଦନା ଆରମ୍ଭ ହୋଇ ଯାଇଥିଲା । ମେଡିକାଲ ବେଡ୍ ରେ ଯନ୍ତ୍ରଣା ପାଉଥିବା ବେଳେ ଉପସ୍ଥିତ ଥିବା ମେଡିକାଲ ର ନର୍ସ ଡକ୍ଟର ତଥା କର୍ମଚାରୀ ମାନେ କିଛି କୁହା କୁହି ହେଉଥିବାର ଶୁଣିବାକୁ ପାଇଲା । ହେଲେ ସ୍ପଷ୍ଟ ଭାବରେ ସେ କିଛିଶୁଣି ପାରୁନି । ସମସ୍ତଙ୍କର ବ୍ୟଗ୍ରତା ବଢିବା ସହିତ ସମସ୍ତେ ତା ଆଡକୁ ଚାହୁଁଥିଲେ । ହେଲେ ଗର୍ଭ ଜନିତ ଯନ୍ତ୍ରଣା ଯୋଗୁଁ ସେ ଅସହାୟ ହୋଇ ସମସ୍ତଙ୍କୁ ଚାହିଁଥିଲା । ନର୍ସ ଦୁଇଜଣ କଥା ରୁ ସେ ଏତିକି ଠଉରାଇ ପାରିଲା କେହି ଜଣେ ଦେଶ ପାଇଁ ସହିଦ ହେଇଗଲେ । ସେ ନର୍ସ କୁ ପାଖକୁ ଡାକି ପଚାରିବାରୁ ସେମାନେ କହିବାକୁ କୁଣ୍ଠା ପ୍ରକାଶ କଲେ । ଶାଶୁଙ୍କ ଆଡକୁ ଚାହିଁଲା, ଶାଶୁ ଲୁଗା କାନିରେ ଆଖି ପୋଛୁଥିବା ଦେଖି କଥାଟା ବୁଝିବାକୁ ଆଉ ବାକି ନଥିଲା । ରୁମ ବାହାରେ ଚଲାବୁଲା କରୁଥିବା ରୋଗୀ ମାନଙ୍କ ସମ୍ପର୍କିୟ ଙ୍କ ମୋବାଇଲ ରୁ ସେ ଶୁଣି ପାରୁଥିଲା ମାଓବାଦୀ ଙ୍କ ସହିତ ଗୁଳି ବିନିମୟ ରେ ପ୍ରଭାକର ପାଇକରାୟ ସହିଦ ହେବା ଖବର । ବେଡ୍ ର ରେଲିଂ କୁ ଜାବୁଡି ଧରି ସେ ଦୀର୍ଘ ନିଶ୍ୱାସ ଛାଡି ଚାଲିଥିଲା । କିଛି ସମୟ ପରେ କୁଆଁ କୁଆଁ ସ୍ୱର ରେ ରୁମ ଟି ପ୍ରକମ୍ପିତ ହୋଇପଡିଲା । ପ୍ରଭାକର ଙ୍କର ପୁନଃ ଜନ୍ମ ହୋଇଛି । ଆଉ ଜଣେ ବୀର ପ୍ରଭାକର କୁ ସେ ଜନ୍ମ ଦେଇଛି । ସେ ପ୍ରଭାକର ପାଇଁ ଦୁଃଖ ପ୍ରକାଶ କରିବ ନା ଆଉ ଜଣେ ପ୍ରଭାକର କୁ ଜନ୍ମ ଦେଇଥିବାରୁ ଖୁସି ହେବ । ସମସ୍ତେ କହୁଥିଲେ ପ୍ରଭାକର ପୁଣି ତୁମ କୋଳରେ ଜନ୍ମ ନେଇଛନ୍ତି । ପ୍ରଭାକର ଙ୍କ ହସି ହସି ହାତ ହଲାଇ ଦୂରକୁ ଦୂରକୁ ଯାଉଥିବାର ଦୃଶ୍ୟ ତା ଆଖି ଆଗରେ ନାଚିଗଲା । ସେହି ମେଡିକାଲ ବେଡ୍ ରେ ହିଁ ସେ ମନସ୍ଥ କରିନେଲା ପୁଅ କୁ ଦେଶ ପାଇଁ ସମର୍ପିତ କରିଦେବ । ପ୍ରଭାକର ର ଅଧୂରା ସ୍ୱପ୍ନ ଅଧୂରା କାମ କୁ ସେ ପୁରା କରିବ । କିଛି ବି ଅବଶୋଷ ରହିବାକୁ ଦେବନି । ପାହାନ୍ତିଆ ବେଳକୁ ଆଖି ତାର ଟିକେ ଲାଗି ଯାଇଛି ।ଚାଉଁ କି ନିଦ ଭାଙ୍ଗି ଗଲା । କାନ୍ଥ ଘଂଟା କୁ ଚାହିଁଲା ଚାରିଟା ଦଶ ବାଜିଛି । ରାସ୍ତାରେ ଶୁଭୁଛି ରାମଧୂନ । ରଘୁପତି ରାଘବ ରାଜାରାମ..........

୭୫ତମ ସ୍ୱାଧିନତା ଦିବସ ର ପ୍ରସ୍ତୁତି ।


Rate this content
Log in

Similar oriya story from Tragedy