ସମ୍ପର୍କର ମୂଲ୍ୟବୋଧ
ସମ୍ପର୍କର ମୂଲ୍ୟବୋଧ
ଆଜି ବାସୁଦେବପୁର ଗ୍ରାମର ମହାଦେବ ମଣ୍ଡପରେ ପଞ୍ଚାୟତର ଅନେକ ଲୋକ ରୁଣ୍ଡ ହୋଇଛନ୍ତି । ପ୍ରକୃତ ଘଟଣା ହେଉଛି । ସେହି ଗ୍ରାମର ଅଜୁ ଓ ବିଜୁ ଦୁଇ ଭାଇଙ୍କର ସମ୍ପତ୍ତି ବିବାଦର ସମାଧାନ ପାଇଁ ପଞ୍ଚାୟତ ଡକା ହୋଇଛି । ସରପଞ୍ଚଙ୍କ ସହିତ ସେହି ଗ୍ରାମର ଅନେକ ବରିଷ୍ଟ ବୁଦ୍ଧିଜୀବିମାନେ ଉପସ୍ଥିତ ଅଛନ୍ତି । ସଭା କାର୍ଯ୍ୟ ଆରମ୍ଭ କରାଗଲା । ଉଭୟ ଦୁଇ ଭାଇଙ୍କୁ ତାଙ୍କର ପକ୍ଷ ରଖିବାକୁ ସରପଞ୍ଚ ଆଦେଶ ଦେଲେ । ବଡ ଭାଇ ଅଜୁ ପ୍ରଥମେ କହିବା ଆରମ୍ଭ କଲା । ମହାଶୟ ବାପା ଗଲାପରେ ଆମେ ଦୁଇଭାଇ ଅଲଗା(ଭିନ୍ନେ) ରହିବାର ନିଷ୍ପତ୍ତି ନେଲୁ । ସେଥିପାଇଁ ଆମର ପୈତୃକ ସମ୍ପତ୍ତିକୁ ସମାନ ଭାଗରେ ବାଣ୍ଟ କରି ନେଉଛୁ । କିନ୍ତୁ ବିଜୁ ପ୍ରତ୍ୟେକ ଦିନ ତା ଗାଡିଟିକୁ ଆଣି ମୋ ଗେଟ ସାମ୍ନା ପାଖରେ ରଖୁଛି । ମୋତେ ଅସୁବିଧା ହେଉଛି ତାକୁ କହିଲାରୁ ସେ ସେ ମୋ ସହିତ ଝଗଡା କରୁଛି ।
ସରପଞ୍ଚ ସବୁ ଶୁଣିଲା ପରେ ବିଜୁକୁ ପଚାରିଲେ କଣ ବିଜୁ ତୋ ବଡ଼ ଭାଇ ଯାହା କହୁଛନ୍ତି ସତ?ବିଜୁ କହିଲା ହଁ ଆଜ୍ଞା । ମୋ ଗେଟ ପାଖରେ ଖରା ରହୁଥିବାରୁ ମୁଁ ତାଙ୍କ ଗେଟ ପାଖରେ ମୋ ଗାଡିଟିକୁ ରଖୁଛି । ମୁଁ ସେଇଠି ରଖିବି ହେଲା ସେଇଟା ମୋ ସୀମା ସେ ଗେଟ ସେପଟକୁ କଲେନି । ଅଜୁ ଉତକ୍ଷିପ୍ତ ହୋଇ କହିଲା ସେଇଟା ତୋ ସୀମା ସେଇଟା ମୋ ସୀମା ଏହିଭଳି ଦୁଇ ଭାଇ ଝଗଡା କରିବାକୁ ଲାଗିଲେ । ସରପଞ୍ଚ କହିଲେ ଦୁହେଁ ଚୁପ ରୁହ ପଞ୍ଚାୟତ ଆର ଗୋଟେ ଆପୋଷ ବିଚାର କରିବା । କିନ୍ତୁ ହଠାତ ସେ ସଭାରେ ବସିଥିବା ଗୌରାଙ୍ଗ ସାର କହିଲେ । ସରପଞ୍ଚ ମହାଶୟ ପ୍ରଥମେ ମୋର ଗୋଟେ ସମସ୍ୟାର ସମାଧାନ କରିବାକୁ ପଡିବ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ସାରଙ୍କୁ ଅନେଇ ରହିଲେ ।
ସରପଞ୍ଚ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ ଆପଣଙ୍କର କଣ ସମସ୍ୟା?ଏ ଦୁଇ ଭାଇଙ୍କ ସମସ୍ୟାର ସମାଧାନ ସରୁ । ସାର କହିଲେ ନା ନା ସେ ଦୁଇ ଭାଇ ହିଁ ମୋ ସମସ୍ୟା ପାଇଁ ଦାୟୀ । ମୋର ଆଗଦାନ୍ତ ଭାଙ୍ଗି ଯାଇଛି ସେ ଦାନ୍ତ ଲଗେଇବାର ବେବସ୍ଥା କରନ୍ତୁ । ତାପରେ ଆଙ୍କର ସମ୍ପତ୍ତି ସମସ୍ୟାର ସମାଧାନ କରିବେ । ସମସ୍ତେ ଆଶ୍ଚର୍ଯ୍ୟ ସାରଙ୍କ ମୁଣ୍ଡ ଖରାପ ହେଇଯାଇଛିନା କଣ । ଏମିତି କଣ ସବୁ କହୁଛନ୍ତି । ସରପଞ୍ଚ କହିଲେ ସାର ଆପଣ ଜଣେ ଶିକ୍ଷିତ ଲୋକ ସମସ୍ୟାର ସମାଧାନ ବାଟ ବାହାର ନକରି ଏମିତି କଣ କହୁଛନ୍ତି ଆପଣଙ୍କ ଦାନ୍ତ ଭାଙ୍ଗିବା ସହିତ ଅଜୁ ବିଜୁଙ୍କର ସମ୍ପର୍କ କଣ?ଆପଣ ଅଯଥା ସମୟ ନଷ୍ଟ କରୁଛନ୍ତି ।
ସାର ନମ୍ର ଓ ଗମ୍ଭୀର ସ୍ୱରରେ କହିବାକୁ ଲାଗିଲେ । ହଁ ମୁଁ ସମୟ ନଷ୍ଟ କରୁନି ସେହି ସମୟ ଚକ୍ରରେ ଆଜି ଆମେ ନିଜକୁ ନଷ୍ଟ କରିଚାଲିଛନ୍ତି । ୧୫ ବର୍ଷ ତଳେ ଏ ଦାନ୍ତଟି ଭାଙ୍ଗି ଯାଇଥିଲା । ଆଉ ସେ ଦାନ୍ତଟିକୁ ବିଜୁ ଭାଙ୍ଗି ଥିଲା । ସେତେବେଳେ ଅଜୁ ୧୪ ବର୍ଷ ଓ ବିଜୁ ୧୨ ବର୍ଷ ବୟସ ପାଖାପାଖି ହୋଇଥିଲେ । ବିଦ୍ୟାଳୟର ଏକ ଭୋଜିରେ ବିଜୁ ବସିବା ପାଇଁ ଅଜୁ ଗୋଡ଼ ଲମ୍ବଇ ଜାଗା ରଖିଥିଲା । କିନ୍ତୁ ମନୁଆ ସେଠି ବସିବାକୁ ଚେଷ୍ଟା କରିବାରୁ ଅଜୁ ତା ସହିତ ପାଟିତୁଣ୍ଡ କଲା । କହିଲା ନା ଏଠି ମୋ ଭାଇ ବସିବ । ପାଟିତୁଣ୍ଡ ହାତାହାତିରେ ପରିଣତ ହେଲା । ଖବର ପାଇ ମୁଁ ଅଫିସରୁ ଧାଇଁ ଆସି ପିଲାମାନଙ୍କ ପାଖରେ ପହଞ୍ଚିଲି । ଠିକ ଏଇ ସମୟରେ ବିଜୁ ଏକ ପଥର ମନୁଆକୁ ଲକ୍ଷ୍ୟ କରି ଫିଙ୍ଗିଲା କିନ୍ତୁ ସେ ପଥର ଆସି ମୋ ମୁହଁରେ ବାଜିଲା ଆଉ ମୋ ଦାନ୍ତ ଭାଙ୍ଗିଗଲା । ଅଜୁ ଓ ବିଜୁ ଦିହେଁ ଭୟରେ ତା ପରଦିନଠାରୁ ବିଦ୍ୟାଳୟ ଆସିଲେ ନାହିଁ ।
ମୁଁ ତାଙ୍କ ଘରକୁ ଗଲି ଦୁହେଁ ବହୁତ ଭୟଭୀତ ଥିଲେ ମୁଁ ତାଙ୍କୁ ପାଖକୁ ଡାକିଲି । ବିଜୁ ଆସି ମୋ ଗୋଡ଼ ଧରି କାନ୍ଦିବାକୁ ଲାଗିଲା ଓ କହିବାକୁ ଲାଗିଲା ମୋ ଭାଇକି ସେ ମନୁଆ ମାରୁଥିଲା ମୁଁ ତାକୁ ପଥର ପକାଉଥିଲି । ଆପଣଙ୍କ ଦେହରେ ବାଜିଗଲା ମତେ କ୍ଷମା କରିଦିଅନ୍ତୁ । ମୁଁ ତାଙ୍କୁ ସେ ଦିନ ବୁଝେଇଥିଲି ହିଂସା ଆମର କ୍ଷତି କରିଥାଏ । ହିଂସାକୁ ଅପଣେଇବା ଭୁଲ, କିନ୍ତୁ ତୁମ ଦୁଇଭାଇଙ୍କର ପରସ୍ପର ପ୍ରତି ଥିବା ଭଲପାଇବା ଓ ଅନାବିଳ ପ୍ରେମକୁ ଦେଖି ମୁଁ ତୁମକୁ କ୍ଷମା କରିଦେଉଛି ।
କିନ୍ତୁ ଆଜି ସେଇ ଅଜୁ ଓ ବିଜୁ ପରସ୍ପର ବିରୋଧୀ । ଜାଗା ପାଇଁ ଆଜି ପଞ୍ଚାୟତର ଆଶ୍ରୟ ନେଇଛନ୍ତି । କାହିଁକିନା ଆଜି ସେମାନେ ବଡ଼ ହୋଇଯାଇଛନ୍ତି ସେମାନେ ସ୍ଵବଲମ୍ବୀ, ଆତ୍ମନିର୍ଭରଶୀଳ ଓ ଦୁହେଁ ଧନବାନ ମଧ୍ୟ । ସମ୍ପର୍କର ମୂଲ୍ୟ ବୁଝିବାକୁ ତାଙ୍କ ପାଖରେ ସମୟ ନାହିଁ । "ସତରେ ସମ୍ପତ୍ତି ପାଖରେ କଣ ସମ୍ପର୍କର ମୂଲ୍ୟ କିଛି ନାହିଁ" । ସେ ଦିନ ମୁଁ ତାଙ୍କୁ ଦଣ୍ଡ ନଦେଇ ଭୁଲ କରିଥିଲି । ଆଜି ମୁଁ ତାଙ୍କୁ ଦଣ୍ଡ ଦେଉଛି ମୋର ଭାଙ୍ଗି ଯାଇଥିବା ଦାନ୍ତକୁ ସେ ଫେରେଇଦିଅନ୍ତୁ । ଏତିକି କହିଲା ପରେ ଗୌରାଙ୍ଗ ସାର ତାଙ୍କ ଚାଷମାଟିକୁ କାଢି ତାଙ୍କ ଆଖିରୁ ବୋହିଯାଉଥିବା ଲୁହକୁ ନିଜ ରୁମାଲରେ ପୋଛି ନେଲେ ।
ସଭାରେ ଉପସ୍ଥିତ ସମସ୍ତେ ସାରଙ୍କ ଆଡକୁ ନିରବରେ ଚାହିଁ ରହିଥାନ୍ତି । ଅଜୁ ଓ ବିଜୁ ଦୁହେଁ ସାରଙ୍କ ପାଖକୁ ଆସି ତାଙ୍କୁ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ । ଆଉ ଏକ ସ୍ୱରରେ କହିବାକୁ ଲାଗିଲେ ସତରେ ଆପଣ ଆମ ଆଖି ଖୋଲିଦେଲେ । ସମ୍ପର୍କରେ ଥିବା ମୂଲ୍ୟବୋଧକୁ ଆଜି ଆପଣ ଆମର ଗୁରୁ ହିସାବରେ ସରଳ ଭାବେ ବୁଝେଇଦେଇଛନ୍ତି । ଆମେ ଆମ ଭୁଲ ବୁଝିପାରିଲୁ । ଦୁଇ ଭାଇ ପରସ୍ପରକୁ ଆଲିଙ୍ଗନ କରି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ କ୍ଷମା ପାର୍ଥନା କଲେ ।
