STORYMIRROR

PURUSOTTAM NAYAK

Tragedy Inspirational

3  

PURUSOTTAM NAYAK

Tragedy Inspirational

ସିନ୍ଦୂର ମୋ ନିଶାରେ

ସିନ୍ଦୂର ମୋ ନିଶାରେ

2 mins
381

ସାତ କଳସ ଆଠ ଦୀପକୁ ସାକ୍ଷୀକରି ବାହା ହୋଇଥିଲା କେତି।ବାପା ନିଜର ଗୋଟେ ବୋଲି ଅଲିଅଳି ଝିଅକୁ ବାହାଦେବାକୁ ନିଜ ପିତୃପୁରୁଷର ଖଣ୍ଡେ ଡିହକୁ ବିକି ଦେଇଥିଲେ। କେତି ଖୁବ୍ ସଂସ୍କାରି ଝିଅ।ବଡ ମାନଙ୍କୁ ସମ୍ମାନ ଦେବା, ରୋଷେଇ ବାସ,ଠାକୁର ପୂଜା ଠାରୁ ଆରମ୍ଭ କରି ଅନେକ ଘର କରଣା ଜିନିଷ ନିଜେ ତା ରୋଗୀଣା ମାଆଠୁ ଶିଖି ନେଇଥିଲା ସେ।ସାହିରେ ପୂଜା ପର୍ବ ହେଲେ କେତିକୁ ଖୋଜା ପଡେ।ସେ ଖୁବ୍ ନିଷ୍ଠାରେ ପୂଜାରେ ସାହାଯ୍ୟ କରେ।ବେଳେବେଳେ ଗାଁ ଲୋକେ କୁହନ୍ତି ମଣି ସାହୁ ଝିଅ ପରି ପାଞ୍ଚ ଖଣ୍ଡି ମଉଜାରେ ଏମିତି ଝିଅଟେ ନାହିଁ।ଠାକୁରେ ଭଲା ଏମିତି ଆମ ଘରେ ଝିଅଟିଏ ଦେଇଥାନ୍ତେ? ସେ ଲକ୍ଷ୍ମୀ ପୁରାଣ ହେଉ କି ରାମାୟଣ ,ଭାଗବତର ପ୍ରତ୍ୟେକ ଅଧ୍ୟାୟ ସତେ ଯେମିତି ତା ମୁହଁରେ..।

ସତରେ ସେ ପରୀଟିଏ। ଭିକାରୀ ହେଉ କି, ହଳୁଆ ଯେ କେହି ଗଲେ ବାଡି ଲେମ୍ବୁ ସରବତ ଦେଇ ମନଶାନ୍ତି କରାଏ କେତି।ଅନେକ ଆଶୀର୍ବାଦ ବି କରନ୍ତି ତା'କୁ..ମାଲୋ ତୁ ନିଶ୍ଚେ ଭଲ ବର ଆଉ ଭଲ ଘର ପାଇବୁ।

"ଯିଏ ଆତ୍ମାକୁ ଚିହ୍ନିଚି ପରମାତ୍ମା ତାକୁ ଭଲରେ ରଖନ୍ତି."


ବାଡି ପଛେ ବସି ଗାଲରେ ହାତ ଦେଇ ଗୁମୁରି ଗୁମୁରି କାନ୍ଦୁଥାଏ କେତି। ମନେ ପକାଉ ଥାଏ ସାତ ବର୍ଷ ପୂର୍ବର ଅଭିଆଡି ଦିନ ଗୁଡାକୁ।କେତେ ଅସରନ୍ତି ଆଶା ଆଉ ହଜାରେ ସପନ।ସେ ସବୁ ଏବେ ଦିନ ଦ୍ବିପହରରେ ହରିଣୀ ନାଚିଲା ପରି ମନେ ହେଉଥାଏ ।ସାତ ବର୍ଷର ବିବାହ ଭିତରେ ସ୍ଵାମୀ ଭଲପାଇବାକୁ ସେ କେବେ ପାଇନି। ସ୍ଵାମୀ ତା'ର ଭଲ ଦି ଅକ୍ଷର ପାଠ ପଢିଛି।ହେଲେ ମୂର୍ଖଙ୍କ ଠାରୁ ବି ହୀନ।ସବୁବେଳେ ଖାଲି ନିଶା ଆଉ ନିଶା।ମଦ ଯେମିତି ତା ପାଇଁ ନିର୍ମାଲ୍ୟ।ଖୋଳପା ଭିତର ମଣିଷକୁ ବାପା ଚିହ୍ନି ପାରିଲେନି କେମିତି?

ସବୁଦିନ ମାଡ଼ ଆଉ ଗାଳି।ସ୍ଵାମୀର ଅକଥନୀୟ ଅତ୍ୟାଚାରକୁ ତା ବୁଢ଼ା ବାପାକୁ ସେ ଜଣେଇ ପାରେନି।ମାଆ ତ ଚାଲିଗଲାଣି, ପୁଣି ଏବେ ପର ହାତରେ ବୁଢ଼ା ବାପର ଜୀବନ।ଏମିତି ଯନ୍ତ୍ରଣାର ଜହର ସେ ନିଇତି ପିଉଛି।ସ୍ଵାମୀର ମଙ୍ଗଳ ପାଇଁ ଲୁଚି ଲୁଚି କେତେ ଯେ ଦିଅଁ ଦେବତାକୁ ପୁଜିଛି ହିସାବ ନାହିଁ। ଅଭିମାନ ବି କରିଛି ହେଲେ ଫରକ ପଡିନି। ବରଂ ତା ବଦଳରେ ମିଳିଛି ମେଞ୍ଚାଏ ଲାଞ୍ଛନା।ରାତି ରାତି ଭୋକକୁ ନିଜ ଲୁହ ପିଇ ଜୀଇଁ ନେଇଛି ସେ। ନିଶାଡି ସ୍ଵାମୀର ମାଡ଼ରେ ଫାଟି ଯାଇଥିବା କପାଳ ଉପରେ ଏବେ କଳା ଚମଡା।ଆଠ ଦିନ ଜ୍ଵରରୁ ବହୁ କଷ୍ଟରେ ଉଠିଛି ସେ। ଭଙ୍ଗା କାନ୍ଥରେ ଟଙ୍ଗା ହୋଇଥିବା ଆଇନାରେ ମୁଁହ ଦେଖୁ ଦେଖୁ ସେ ନିଜ କୋହ ସମ୍ଭାଳି ପାରିଲାନି।ବେଶି ତାକୁ ଇତସ୍ତତଃ କରି ପକାଉଥିଲା ପଡିଶା ଘର ରେଡ଼ିଓରୁ ଭାସି ଆସୁଥିବା ଗୀତ_

"ତୁମେ ହିଁ ସ୍ଵର୍ଗ ‌ମୋର

 ତୁମେ ଦେବତା ମୋର"

ତୁମରି ପାଇଁ ........???


ସତରେ ଏଇ କ'ଣ ମୋ ପାଇଁ ସ୍ଵର୍ଗ?

କପାଳେ ମୋ କଳାଦାଗ !

ତା ଉପରେ ସିନ୍ଦୂର ଟୋପା ମୁଁ ନାଇବି ?

ନା ନା ଆଉ ନୁହେଁ!

ତା ଭିତରର ମଣିଷ ତାକୁ ବାରମ୍ବାର ପ୍ରଶ୍ନ କରୁଥାଏ।ଅମଣିଷ ପାଇଁ ସିନ୍ଦୂର ନାଇବା କ'ଣ ନିହାତି ଦରକାର?

ଯେଉଁଠି ନାରୀର ସମ୍ମାନ ନାହିଁ । ବର୍ଷ ବର୍ଷ ସମର୍ପଣର ଆବେଗକୁ ଯିଏ ବୁଝେ ନାହିଁ।ସେଠି ସିନ୍ଦୂରର ମୂଲ୍ୟ କିଛି ନାହିଁ। ନିଶାର ଅକ୍ଟୋପସରେ ତାର ସିନ୍ଦୂର‌।


କ'ଣ କରିବ ସେ ? ଏତିକି ବେଳେ ମଦ ବିରୋଧୀ ମହିଳା ଶୋଭାଯାତ୍ରା ଯାଉଥାଏ। କେତି ତାର ପ୍ରତିବିମ୍ଵ ଦେଖୁଥିଲା ସେମାନଙ୍କ ଭିତରେ। ସିନ୍ଦୂର ଫରୁଆକୁ ପିଣ୍ଡା ଉପରେ ରଖି , ମିଶିଗଲା ସେଇ ବିପ୍ଳବର ବହ୍ନିରେ। କହୁଥାଏ ସେ ଛଳଛଳ ଆଖିରେ,

  ହେ ଛାମୁ , ତୁମେ ଅନୁଭବ କର ମୋ ଭଳି କେତି ମାନଙ୍କ ଦୁଃଖକୁ ଆଉ ଆଜି ହିଁ ନ୍ୟାୟ ଦିଅ। କାହିଁକି, ନା..


"ସିନ୍ଦୂର ମୋ, ନିଶାରେ"....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy