ଜ୍ଞାନ ର ଜ୍ଞାନ
ଜ୍ଞାନ ର ଜ୍ଞାନ


ବୈଶାଖ ମାସର ଟାଣ ଖରା। ଝାଙ୍ଜି ପବନର ଏକ ତରଫା ରାଜ୍। କୁକୁର ପାଟିର ଥପ୍ ଥପ୍ ବହୁଥିବା ଲାଳ ରୁ ବାରି ହୋଇଯାଏ ରୈ।ଦ୍ରତାପର ଉପସ୍ଥିତି।
ଗାଁ ମୁଣ୍ଡ ବରଗଛ ମୂଳେ ଗାଈମାନେ ଶୋଇ ପାକୁଳି କରୁଥାନ୍ତି।ସତେ ଯେମିତି ସେମାନେ ଗଛତଳ ଛାଇରେ ଦେଖୁଛନ୍ତି ସେଇ ପ୍ରଚଣ୍ଡ ଖରାର ଲୁଚକାଳି ଖେଳ। ସତରେ ବୃକ୍ଷ ହିଁ ଜୀବନ।
ଜ୍ଞାନ ଫେରୁଥାଏ ଘରକୁ, ତ୍ରିନାଥ ଛକର ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖି ସେ ଯାଇଥିଲା ଚାକିରି ପାଇଁ ଇଣ୍ଟରଭିଉ ଦେବାକୁ। ପାଖାପାଖି ଦଶ କି ବାର ଥର ହେବ ସେ ସାକ୍ଷାତକାର ଦେଲାଣି ।ହେଲେ ସଫଳତା ମିଳିନି ତାକୁ। ଉତ୍କଳ ବିଶ୍ୱବିଦ୍ୟାଳୟର ସାଇକୋଲୋଜୀ ସ୍ନାତକ ଡିଗ୍ରୀ ବି ତା ପାଖରେ।ତା ଠାରୁ କମ୍ ମାର୍କ ରଖିଥିବା ପଛ ଧାଡ଼ିର ପିଲାମାନେ ଆଜି ଭଲ ଭଲ ସ୍ଥାନରେ ନିଜକୁ ନିୟୋଜିତ କରିଛନ୍ତି।ନିଜ ଆଶା ମୁତାବକ ତାକୁ ଚାକିରି ଖଣ୍ଡେ ମିଳିନି।
ଆଜିକାଲି ର ଚାକିରି ସମସ୍ୟା କଥା ପ୍ରାୟ ସଭିଙ୍କୁ ଜଣା।ତେଲିଆ ମୁଣ୍ଡରେ ତେଲ। ନିଜର କେହି ଚିହ୍ନାଜଣା ନଥିଲେ, ତୁମର ଜ୍ଞାନ କୁ ପଚାରେ ବା କିଏ? ଏମିତି ଅନୁଶୀଳନ କୁ ପାଥେୟ କରି ମାଆ-ବାପା କେତେଥର ବୁଝାଇ ସାରିଲେଣି,_ବାବୁରେ(ଜ୍ଞାନ) ମନପସନ୍ଦ ଚାକିରି ଖୋଜି ଖୋଜି ଆଜି ତୋତେ ଚଉତିରିଶି ବର୍ଷ ହେଲାଣି। ଛୋଟ ହେଉ କି ବଡ଼।ଆଗେ ଯେ କୌଣସି ଥିରେ ରହିଯା।ତା ପରେ ସବୁ ଠିକ୍ ହୋଇଯିବ। କିନ୍ତୁ ଜ୍ଞାନ ଟିକେ ତାର ମନସ୍ତତ୍ତ୍ୱର ଜ୍ଞାନ କୁ, ମାଆକୁ ଶୁଣାଏ।
ଜ୍ଞାନ ପଚାରେ_ମାଆ ତୁ କହିଲୁ, ଗୋଟେ ମଣିଷକୁ ଖୁସି କେତେବେଳେ ମିଳେ?
ଆଉ ତୋର
ପାଠ ପଢିଥିବା ଏ ପୁଅ ଉପରେ ବିଶ୍ଵାସ ନାହିଁ କ'ଣ ପାଇଁ?
ଏମିତି ଅଜବ ପ୍ରଶ୍ନର ଉତ୍ତର ମାଆ ପାଖରେ ନଥିବ ଭାବି,ମନେ ମନେ ଭାରି ଖୁସି ହୁଏ ଜ୍ଞାନ। ପୁଅକୁ କିଛି କଡା ଉତ୍ତର ଦିଅନ୍ତନି ତାର ମାଆ।କାଳେ ସେ ଭାଙ୍ଗି ପଡ଼ିବ।
ହେଲେ ମାଆ ନିଜର ପୁଅ ପାଇଁ,
କଲେଜରେ ପାଠପଢ଼ା ବେଳେ ନିଜ ବୁଢି ମାଆ ଦେଇଥିବା ହାରକୁ ନିଜେ ବିକ୍ରି କରି ଦେଇଛନ୍ତି ସେ।ଘରେ ବଢିଲା ଝିଅ।ସେପଟେ ଆଗଭଳି ତାର ବାପା ଚାଷ କରି ପାରୁନାହାନ୍ତି।ଚାଳ ଛପର ଘରଟା, ଦିନରେ ଖରା ଆଉ ରାତିରେ ତାରା,ଠିକ୍ ଦେଖାଯାଉଥିବା ଏକ ବାଇନାକୁଲାର ପରି।
ନିଜ ପୁଅର "ମଣିଷର ଖୁସି ଆଉ ତା ଉପରେ ବିଶ୍ଵାସ ରଖିବାର ପ୍ରଶ୍ନ" ବଦଳରେ ଏମିତି ଅନେକ ଉତ୍ତର ଉଙ୍କି ମାରେ ତାଙ୍କ ମନରେ,ହେଲେ ବଢିଲା ପୁଅକୁ ମାଆର ଉତ୍ତର ନଥାଏ।ମାଆ ତାଙ୍କ ନିଜ ମନକୁ ବୁଝେଇ ଦିଅନ୍ତି।ବଡ଼ ହେଲେ ବଳେ ବୁଝିଯିବନି।
ସେ ଦିନ ଛକରୁ ନିଜ ସାଇକେଲ ଧରି ଫେରୁଥାଏ ଜ୍ଞାନ। ଆଜି ବି ତାର ଇଣ୍ଟରଭିଉ ଭଲ ହୋଇନି।ମାଆ ଗଲେ ପଚାରିବ।ବାବୁରେ ଆଜି କ'ଣ ହେଲା। ଜ୍ଞାନ ଭାବୁଥାଏ ହଁ ମ,ମାଆ ପଚାରୁ, ମୁଁ ଘରେ ପହଞ୍ଚିଲେ ବଳେ ବୁଝେଇ ଦେବିନି। ଆଉ ବାପାଙ୍କର ଖାଲି ଗୋଟେ ଡାଇଲଗ୍ ପୁଅରେ "କାନି ଥିଲେ ସିନା ଶାଢ଼ୀ ବୁଲେଇ ପିନ୍ଧାଯାଏ, ହେଲେ କାନି ନଥିଲେ"?
ବାପାଙ୍କର ଏଇ ପଦିକ କଥା ମୋ ମୁଣ୍ଡରେ ଆଜିଯାଏଁ ପଶିନି।ଛାଡ ସେ କଥା। ଏମିତି ଭାବି ଭାବି ସେ ସାଇକେଲ ର ପେଡାଲକୁ ଗୋଟିଏ ପରେ ଗୋଟିଏ ମାଡ଼ି ଚାଲିଥାଏ। ନିର୍ଦ୍ଧୁମ ଖରା ତଣ୍ଟି ଶୁଖିଯାଉଥାଏ। ଦୁର୍ଯୋଗକୁ ତାର ସାଇକେଲ ଟା ମୁନିଆ ଗୋଡିଟାରେ ପଡି ପମ୍ପଚର ହୋଇଗଲା।ଅଧା ମାଇଲ୍ ଚାଲି ଚାଲି ଆସି ପହଁଚିଗଲା ଗାଁ ମୁଣ୍ଡ ସେଇ ବରଗଛ ପାଖରେ।ଆରେ ଏ କ'ଣ ଲୋକଟା ପୋଖରୀ ପାଣି ଟାକୁ ଆଞ୍ଜୁଳାରେ ଆଣି ଚଳଚଳ କରି ପିଇ ଯାଉଛି।ବରଗଛ ମୁଳେ ବସି ଥକାମାରି ବସି ଜ୍ଞାନ ଚାହିଁ ରହିଥାଏ ସେ ଲୋକଟି କୁ।ତାକୁ ବି ପ୍ରବଳ ଶୋଷ ହେଉଥାଏ ହେଲେ ମନେମନେ କହୁଥାଏ ଛି, ଛି ,। ମୁଁ ପୁଣି ଏ ପୋଖରୀ ର ପାଣି ପିଇବି,ନା ନା।
ଜ୍ଞାନକୁ ଦେଖି ଲୋକଟି ଆସି ପଚାରିଲା । କୁଆଡେ ଯାଇଥିଲ କି ବାବୁ? ଗାଁ ପାଖାପାଖି ଲୋକଙ୍କ ଭିତରେ ଏମିତି ବେଳେ ବେଳେ ଭାବର ଆଦାନପ୍ରଦାନ ହୁଏ।
ଜ୍ଞାନ ତା ଆଖି ସାମ୍ନାରେ ଧୋତି ପିନ୍ଧା ,କଳା ମୁଚ ଖାଲି ଦେହ,ଆଉ ମୁଣ୍ଡରେ ଧୂସର ଗାମୁଛା ପଗଡ଼ି ବନ୍ଧା ଲୋକଟାର ପ୍ରଶ୍ନ ରେ ନିଜର ପାରିବା ପଣିଆକୁ ଜାହିର କରିବାକୁ ଯାଇ ଇଂରାଜୀ ରେ ନିଜ ଉତ୍ତର ରଖିଲା_
My self gyan,i had gone to attend an interview.and i am a psychology student.
ସେହି ବୟସ୍କ ଲୋକଟି ଗୋଟେ ଚାଷୀ ଟେ ଥିଲା। ଜ୍ଞାନ ର କଥା ଶୁଣି ଟିକେ ସ୍ମିତହାସ୍ୟ ଦେଲା।ଆଉ କହିଲା_I am a farmer,and i am coming to check my field.i learned English from my son.and i am sure you are rejected in your today interview.
ଏହିଭଳି ପ୍ରତି ଉତ୍ତର ପାଇବା ତାର କଳ୍ପନାର ବାହାରେ ଥିଲା।
ଲୋକଟି କୁ ଇଂରାଜୀରେ ଆଗ ଉତ୍ତର ଦେଇଥିବାରୁ ,ସେ ନିଜକୁ ଲଜ୍ଜିତ ଅନୁଭବ କରୁଥିଲା।ସେ ଖାଲି ଭାବୁଥିଲା ମୁଁ ଇଣ୍ଟରଭିଉରେ ଫେଲ୍ ହୋଇଛି ଲୋକଟି ଜାଣିଲା କେମିତି? ମୁଁ ତ ମୋ ର ନିଜ ମାଆକୁ କେତେ କଥା କହିଦିଏ ।ମାଆ ଉତ୍ତର ରଖିପାରେନି, ହେଲେ ଅବିଶ୍ଵସନିୟ ଉତ୍ତର ରଖିପାରିଲା ଏଇ ଅଜଣା ଲୋକ।
ସତରେ ତା ଭିତରର ମନସ୍ତତ୍ତ୍ୱର ଜ୍ଞାନ ଟା ବୋଧେ ସଠିକ୍ ପରିସ୍ଥିତି କୁ ଆକଳନ କରିବାରେ ଫେଲ୍ ମାରିଛି। ତୁମେ ଯେତେ ପାଠପଢ ନା କାହିଁକି ପ୍ରଥମେ ବାସ୍ତବତାକୁ ଅନୁଭବ କରିବାକୁ ହେବ। ସମୟ ସହିତ ତାଳ ଦେଇ ଚାଲି ନପାରିଲେ ସବୁ କିଛି ବୃଥା।ଖିଆଲି ମନଟାକୁ ତାର ଶକ୍ତ ଧକ୍କା ଲାଗିଛି ଆଜି। ଜୀବନର ଚଲାପଥରେ ଅନେକ ଲୋକ ବିନା ସ୍ଵାର୍ଥରେ ଅନେକ କିଛି ଶିଖାଇଥାନ୍ତି। ଜ୍ଞାନର ଜ୍ଞାନ ସିନ୍ଧୁକ ଉପରେ ବୋଧହୁଏ ଅଳନ୍ଧୁ ଲାଗିଯାଇଥିଲା।ମନଟା ତାର ପ୍ରଗଳ୍ଭା ହୋଇଉଠିଲା । ଜିଜ୍ଞାସାର ସୁପ୍ତ ଦୀପ ଶିଖାଟି ଯେମିତି ଜଳିବାକୁ ଲାଗିଲା। ଲୋକଟିକୁ ଆବେଗ ଭରା ମନ ନେଇ ପଚାରିଲା _ଜ୍ଞାନ।
ଆଜ୍ଞା ଆପଣ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ପାରିବେ?
ଚାଷୀଟି କହିଲା ତୁମେ ପଚାର , ଯଥାସାଧ୍ୟ ଚେଷ୍ଟା କରିବି ଉତ୍ତର ଦେବାପାଇଁ।
ଜ୍ଞାନ କହିଲା_ କର୍ତ୍ତବ୍ୟ ଆଉ ଦାୟିତ୍ଵର ମାନେ କ'ଣ? ଲୋକଟି କହିଲା ଏଇ ପୋଖରୀରେ ବସିଥିବା ବଗ ବଗୁଲି କୁ ଲକ୍ଷକର ବାବୁ, ନିର୍ଦ୍ଧୁମ ଖରାରେ ନିଜ ଶାବକ ପାଇଁ କେମିତି ଆଧାର ସଂଗ୍ରହ କରୁଛନ୍ତି।ଆଉ ଏଇଗଛ ଡାଳରେ ବସା ବାନ୍ଧିଥିବା ବାଇ ଚଢେଇକୁ ଲକ୍ଷକର, ତମାମ୍ ଜୀବନ କେମିତି ନିଜର ଛୁଆ ପ୍ରତି ଦାୟିତ୍ଵ ଆଉ କର୍ତ୍ତବ୍ୟ ରହିଛି ତାର, ଛୁଆ ପାଇଁ ଘର, ଖାଦ୍ୟ, ଡେଣା ଝାଡ଼ି ଉଡ଼ି ଶିଖାଇବା ଇତ୍ୟାଦି। ୟାକୁ ତ କୁହନ୍ତି ବଞ୍ଚିବାର କଳା। ବାବୁରେ ଠିକ୍ ସେ ଦେଖ, ସବୁ ଉତ୍ତର ପାଇଯିବ।ଆଉ ହଁ ମୋର ମାଆର ଔଷଧ ଖାଇବା ସମୟ ହୋଇଗଲାଣି କହି,ଖରାର ଛାତି ଚିରି ଲୋକଟି ଚାଲିଗଲା ନିଜ ରାସ୍ତାରେ।
ଜ୍ଞାନ ବସି ଭାବୁଥାଏ ଗୋଟେ ଦୀର୍ଘ ନିଃଶ୍ବାସ ନେଇ,କେବେ ତାର ଇଂରାଜୀ ଉତ୍ତର ତ,। କେବେ ଦାୟିତ୍ଵ, କର୍ତ୍ତବ୍ୟ ଉତ୍ତରରେ ସେହି ବଗ-ବଗୁଲିକୁ ଆଉ ବାଇଚଢେଇ ବସାକୁ ଚାହିଁବାକୁ। ବାଃ ବାଃ ରେ କି ଚମତ୍କାର ଆଉ ବିଚକ୍ଷଣ ଜ୍ଞାନ! ସତରେ ସେ ଆଜି ବହୁତ ଖୁସି।ଏଇ କିଛି ସମୟ ଭିତରେ ବର୍ଷ ବର୍ଷ ପାଠ ପଢାରୁ ଅଧିକ କିଛି ସେ ଜାଣିବାକୁ ପାଇଲା। ଜୀବନର ମାନସାଙ୍କ କୁ ଯେତିକି ସହଜ ବୋଲି ସେ ଭାବି ନେଇଥିଲା। ତାହା ଭୁଲ୍ ଥିଲା।
ଆଜି ସେ ତା ବାପା_ମାଆ ମନକୁ ନିଶ୍ଚେ ହାଲୁକା କରିବ। ଜୀବନ ପରୀକ୍ଷାରେ ଆଜି ସେ ଉତ୍ତୀର୍ଣ୍ଣ।ଜ୍ଞାନ କୁ ମିଳିଛି ଜ୍ଞାନ।
ଠିକ୍ ଏତିକିବେଳେ ପୁରୁଣା କଳାଧଳା ନୋକିଆ ଫୋନ୍ ଟି ରିଙ୍ଗ୍ ହେଲା।ଆଉ ସେ କଥା ହେଲା। ଆସନ୍ତା କାଲି ଠାରୁ ସେ ଚାକିରିରେ ଯୋଗ ଦେବ। ଆଜି ତା ବୋଉ ବହୁତ ଖୁସି ହେବ।ସେ ମାଆକୁ କେତେ ଅଡ଼ୁଆ ପ୍ରଶ୍ନ କରି ବ୍ୟତିବ୍ୟସ୍ତ କରି ଥିଲା? ସେଥିପାଇଁ ସେ ଭୁଲ୍ ମାଗିବ। ଚାକିରି ପାଇଯିବା ଖବର ଶୁଣିଲେ ବୋଉର ପାଦ ତଳେ ଲାଗିବନି।
ଘର ଆଗରେ ଏତେ ଲୋକ ଜମା ହୋଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା।ଝିଅ ବିଭାଘର ପାଇଁ ଡାଉରୀ ବାବଦକୁ ପାଞ୍ଚ ଲକ୍ଷ ଟଙ୍କା ଆଜି ସକାଳୁ କଥା ଛିଡିଛି। ଏ କଥା କୁ ଭାବି ଭାବି ଉଚ୍ଚ ରକ୍ତଚାପ ରେ ମାଆ ତାର ଚିର ନିଦ୍ରାରେ ଶୋଇ ଯାଇଛି।
ହତାଶ ମଣିଷକୁ ବେଳେବେଳେ ମୃତ୍ୟୁ ତା ଆଡକୁ ଟାଣିନିଏ।ଯାହା ଆଜି ତାର ମା ସାଥିରେ ଘଟିଲା।ମାଆ ଲୋ ଏ ମାଆ ଥରୁଟିଏ ଖାଲି ଉଠ୍ । ଆଖିରୁ ବହି ଚାଲିଥିଲା ଲୁହ। ବିସ୍ମୃତିର କଳା ବାଦଲ ତାକୁ ଯାହା କରି ଚାଲିଥିଲା ଅଟହାସ୍ୟ।ସୁପ୍ତ ଭାବନାରେ ଦୂର ଦିଗବଳୟକୁ ଚାହିଁ ରହିଥାଏ ଜ୍ଞାନ।