PURUSOTTAM NAYAK

Tragedy

4.3  

PURUSOTTAM NAYAK

Tragedy

ସାବତ ପୁଅର ଚିଠି

ସାବତ ପୁଅର ଚିଠି

2 mins
542


ବୋଉ ତୁମକୁ ମୋର ପ୍ରଣାମ,

ଆଶା କରୁଛି ଘରେ ସମସ୍ତେ ଭଲରେ ଥିବେ । ବାପାଙ୍କୁ ଆଉ ଠିକ୍ ସେ ଦେଖା ଯାଉନି ବୋଲି ତୁମକୁ ଚିଠି ଲେଖି ଜଣାଉଛି । ମୁଁ(ମଣି) ହତଭାଗା ଏକା ସିନା ଜନ୍ମରୁ ନିଜ ମା,କୁ ହରେଇଛି । ହେଲେ ତୁମକୁ ସବୁବେଳେ ମୋ ମାଆ ଭଳି ଦେଖି ଆସିଛି । ସାନୁ,ରାନୁ ବି ମୋ ଭାଇ ଭଉଣୀ । ପିଲାଦିନୁ ପ୍ରତ୍ୟେକ ଦିନ ତୋ ଠାରୁ ମାଡ଼ ଗାଳି ଖାଇଛି । କେବେ ଖାଇବାକୁ ମାଗିଥିବାରୁ ତ, କେବେ ସ୍କୁଲକୁ ବହି ଖାତା ମାଗିଥିବାରୁ । ବେଳେବେଳେ ମୋ ଗେହ୍ଲା ଭାଇଭଉଣୀ ଦି,ଜଣ ମିଛ ସତ କହି ତୋ ପାଖରୁ ମାଡ ଖୁଆନ୍ତି । ମୁଁ ମାଡ଼ ଖାଇଲେ ସେମାନେ ଖୁସି ହୁଅନ୍ତି ବୋଲି ମୁଁ କିଛି କହି ପାରେନା । ବାପା ବି ନାଚାର । ଶୀତ ଦିନେ ଥରେ ସାନୁର ଦୁଇଟା ସୁଇଟରରୁ ମୁଁ ଗୋଟେ ପିନ୍ଧି ଦେଇଥିଲି ବୋଲି ତୁମେ ମୋ ମୁଣ୍ଡ ଉପରେ ବାଲ୍ଟିଏ ପାଣି ରାତିରେ ଢ଼ାଳି ଦେଇଥିଲ । କହିଥିଲ ମନେରଖ ତୁ,ଟା ସାବତ ପୁଅ, ବୁଝିଲୁ ତା ପରଦିନ ମୋତେ ଜ୍ଵର ହୋଇଗଲା, ମାତ୍ର ସେଇ ଜ୍ଵର ଦେହରେ ବିଲକୁ ହଳ କରିବାକୁ କହିଥିଲ । ସେ ସବୁକୁ ମୁଁ ହସିହସି କରିଥିଲି । ସମୟର ଉଜାଣି ସୁଅରେ ମୋ ପାଠପଢ଼ା ମୋ ଶୈଶବ ଚପଳାମି ସବୁ କେଉଁ ଏକ ଅପହଞ୍ଚକୁ ଚାଲିଗଲା ।


ବୋଉଲୋ ମୋ ଜୀବନର ଦୁଃଖ ବୋଲି କିଛି ନଥିଲା । ତୋର ପ୍ରତ୍ୟେକ ଗାଳି ମାଡ଼କୁ ମୁଁ ଆଟଲାସର ପୃଥିବୀ ମୁଣ୍ଡେଇଲା ପରି ସହି ଯାଉଥିଲି । ଅନେକ ଥର ଭାବିଛି ବାପାଙ୍କୁ ଜଣେଇବି ବୋଲି , ହେଲେ କହି ପାରେନା । ମୋ ବିବେକ ବାଧା ଦିଏ , କାହିଁକି ନା ତୁମେ ପରା ମୋବୋଉ । ପରିବାର ପରିସ୍ଥିତି ଦେଖି ମୁଁ ତୁମ ମାନଙ୍କୁ ନ ଜଣାଇ ଘରୁ ପଳେଇ ଆସିଥିବାରୁ ମୋତେ କ୍ଷମା କରିଦେବ ।


ଏଇ ଦେଢ଼ ବର୍ଷରେ ଅନେକ କିଛି ଘଟି ଯାଇଛି । ମେଡିକାଲ ରେ ତୁମ ଦେହ ଖରାପ ଖବର ଶୁଣି ଯାଇଥିଲି । ଡାକ୍ତର କହିଲେ ତୁମ କିଡନୀ ଖରାପ ହୋଇଯାଇଛି । ଏ କଥା ଶୁଣି ମୁଁ ଡାକ୍ତରଙ୍କୁ ନେହୁରା କରି କହି ମୋର ଗୋଟିଏ କିଡନୀ ତୁମ ଦେହରେ ଲଗେଇଛି । ଗଲା ସନ ନୂଆ ବର୍ଷରେ ମଦ ପିଇ ଦୁର୍ଘଟଣାରେ ଆମ ସାନୁ ଯୋଉ ଡାହାଣ ଆଖି ନଷ୍ଟ ହୋଇଯାଇଥିଲା । ମୁଁ ଡାକ୍ତରଖାନାରେ ତା ଆଖି ବଦଳରେ ମୋ ଆଖି ବି ଲଗେଇଦେଇଥିଲି । ଘରଠାରୁ ଦୂରରେ ରହି ଏ ଅଭାଗା ମଣି ଟା କ'ଣ ଯେ କରି ପାରିଥାଆନ୍ତା । ତୋ କଥା ଆଜି ବହୁତ ମନେ ପଡୁଛି ।


ହେଲେ ମୁଁ ଆଜି ବେଲାଣସେନର କଟା ମୁଣ୍ଡ ପାଲଟି ଯାଇଛି । ବୋଉ ଲୋ ମୋ ଦେହ ଭଲନାହିଁ ,ଡାକ୍ତର ବାବୁ କହିଛନ୍ତି ଅତି ବେଶୀରେ ଆଠ ଦିନ ଆଉ ବଞ୍ଚିବି । ବୋଉଲୋ ଯଦି ମୁଁ ମରିଯାଏ । ମୋ ଶବ ପାଖରେ ବସି ତୁମେ ନ କାନ୍ଦିପାର ହେଲେ, ଥରୁଟିଏ ଖାଲି କହିବ_ମଣି_ ମୋ ପୁଅ!

ଆଉ ଭାତ ହାଣ୍ଡିରୁ ଦୁଇଟି ଭାତ ଆଣି ମୋ ପାଟିରେ ଖୁଆଇ ଦେବ । ବଞ୍ଚିଥିଲା ବେଳେ ନ ହେଲା ନାହିଁ, ମଲାପରେ ତ ମୋ ବୋଉ ହାତରୁ ଖାଇବି ।

        ଇତି

      ସାବତ ପୁଅ

ସେତେବେଳକୁ ଚିଠିଟି ବତୁରୀ ଯାଇଥିଲା । ଆଉ କିଛି ସମୟ ପରେ ଗାଁ ଭିତରକୁ ଗାଡ଼ି ଟେ ଆସିଲା । । । ଆଉ ତା ପରେ ରାମ ନାମ ସତ୍ୟ ହେ,ହରି ନାମ ସତ୍ୟ ହେ!



Rate this content
Log in

Similar oriya story from Tragedy