Parbati Panda

Inspirational Others

4.4  

Parbati Panda

Inspirational Others

ଶ୍ରୀକ୍ଷେତ୍ର ରୁ ଦେବକୁଣ୍ଡ

ଶ୍ରୀକ୍ଷେତ୍ର ରୁ ଦେବକୁଣ୍ଡ

12 mins
311


        ଶ୍ରୀକ୍ଷେତ୍ର    ରୁ    ଦେବକୁଣ୍ଡ

  

୨୦୧୨ ମସିହା ଡ଼ିସେମ୍ବର ମାସର ଘଟଣା । ୟୁନିଭରସିଟିରେ ଶୈକ୍ଷିକ ପରିଭ୍ରମଣ ପାଇଁ ଆଲୋଚନା କରାଗଲା । ସ୍ଥାନ ଚୟନ ବିଷୟରେ ସମସ୍ତେ ନିଜ ନିଜର ମତ ରଖିଲେ । ଶେଷରେ ସର୍ବସମ୍ମତି କ୍ରମେ ଯାଜପୁରର ମା ବିରଜା ଙ୍କ ପୀଠ , ଭଦ୍ରକ ର ଆରଡ଼ି , ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ପଞ୍ଚଲିଙ୍ଗେଶ୍ଵର , ରେମୁଣା ସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିର , ଘଟ ଗାଁ ର ମା ତାରିଣୀ ପୀଠ ଓ ସର୍ବ ଶେଷରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଓ ସେଠାରେ ଥିବା ଦେବକୁଣ୍ଡ ଶକ୍ତପୀଠ, ଜଳପ୍ରପାତ ଆଦି ସ୍ଥାନଗୁଡିକୁ ଚୟନ କରାଗଲା । ସମସ୍ତଙ୍କ ପାଇଁ ଅଙ୍ଗୁର କୋଳି ସ୍ବାଦିଷ୍ଟ ହୋଇଥିବା ବେଳେ ବିଲୁଆ ପାଇଁ ଖଟା ହୋଇଥିବା ପରି ମୋ ସାଙ୍ଗମାନେ ଯିବା ପାଇଁ ଉତ୍ସୁକ ଥିବାବେଳେ ମତେ ଗୋଟିଏ ପ୍ରକାର ଚିନ୍ତାଜ୍ଵର ମାଡିଆସିଲା । କାରଣ ୨୦ ବର୍ଷ ବୟସରେ ବି ମୋର ୫ ବର୍ଷିଆ ପିଲାର ଗୁଣ ଯାଇ ନ ଥିଲା । ବସ୍ ରେ ବସିବା ମାତ୍ରେ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଗଛ ଗୁଡ଼ିକ ଚାଲିବା ପରି ମତେ ଲାଗୁଥାଏ । କ'ଣ ହୁଏ କେଜାଣି ବାତଚକ୍ର ପରି ମୁଣ୍ଡ ଘୁରିଯାଏ । ତା ପରେ  ଖାଦ୍ୟ ଖାଇଥାଏ ବା ନଖାଇଥାଏ ଆରମ୍ଭ ହୋଇଯାଏ ବାନ୍ତି , କୌଣସିି ଔଷଧ ବି କାମ ଦିଏ ନାହିଁ । ଏଭଳି ସ୍ଥିତିରେ ଦୁଇ ଦିନିଆ ଯାତ୍ରା ରେ ବୁଲା ବୁଲି କରି ମୁଁ କ'ଣ ଯେ ଠାକୁର ଙ୍କୁ ଦେଖିବି କି ପ୍ରକୃତି ର ସୌନ୍ଦର୍ଯ୍ୟ ଉପଭୋଗ କରିବି ଠାକୁରଙ୍କୁ ଜଣା । ଏ ଶୈକ୍ଷିକ ପରିଭ୍ରମଣ ମତେ ଏକ ଅଯଥା ପ୍ରହସନ ପରି ମନେ ହେଉଥିଲା । ତଥାପି ନ ଯିବାର ଉପାୟ ନ ଥିଲା କାରଣ ପ୍ରଥମତଃ ଶୈକ୍ଷିକ ପରିଭ୍ରମଣ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଥିଲା । କାରଣ

      ଯେ ପକ୍ଷୀ ଉଡ଼େ ଯେତେ ଦୂର ।

      ସେ ଜାଣେ ତହିଁର ବେଭାର ।।

 ତେଣୁ ଗୋଟିଏ ବିଦ୍ୟାର୍ଥୀ ର ପୁସ୍ତକଗତ ଜ୍ଞାନ ସହ ବାସ୍ତବ ଜ୍ଞାନ ଓ ଅନୁଭବ ରହିବା ଆବଶ୍ୟକ ଯାହାକି କ୍ଷେତ୍ର ପରିଭ୍ରମଣ ଦ୍ଵାରା ସମ୍ଭବ ହୋଇଥାଏ । ଦ୍ବିତୀୟତଃ ମୋ ଠାରୁ ଶାରୀରିକ ଦୁର୍ବଳ ପିଲାମାନେ ଆଗଭର ହୋଇ ଯାଉଛନ୍ତି ତେଣୁ ସମସ୍ତଙ୍କ ଆଗରେ ଦୁର୍ବଳ ପ୍ରମାଣିତ ହୋଇଯିବା ଭୟରେ ମୁଁ ମଧ୍ୟ ବଡ଼ ଜୋରରେ ଯିବା ପାଇଁ ହଁ କରିଦେଲି । ଯାତ୍ରାରମ୍ଭର ଦିନ ନିକଟ ହୋଇ ଆସିବା ସହ ତାଳ ଦେଇ ପିଲାମାନଙ୍କର ଉତ୍ସାହ ବଢୁଥିବା ସ୍ଥଳେ ମୋର ଭୟ ବଢୁଥାଏ । 

     ନିର୍ଦ୍ଧାରିତ ଦିନ ରାତି ୧୦ ଟା ବେଳକୁ ପୁରୀ, ସଦାଶିବ ପରିସରରେ ଆମେ ସମସ୍ତେ ଏକତ୍ରିତ ହେଲୁ । କିନ୍ତୁ ସିଟ୍ ତାଲିକା ଦେଖି ସମସ୍ତ ଙ୍କ ମନ ଆମ୍ବିଳା ହୋଇଗଲା । ଯେଉଁମାନେ ଗୋଟିଏ ରୁମ୍ ରେ ରହୁଥିଲେ, ଅଧିକ ସାଙ୍ଗ ହେଉଥିଲେ ଓ ଯେଉଁମାନଙ୍କ ମଧ୍ୟରେ ଟିକେ ଟିକେ ପ୍ରେମର ଆରମ୍ଭ ହେଉଥିଲା ସେମାନଙ୍କୁ ଅଲଗା ଅଲଗା ବସ୍ ରେ ବସିବାର ବ୍ୟବସ୍ଥା କରାଯାଇଥିଲା । ଆମ ଅଧ୍ୟାପକ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କ ବିଷୟରେ କେତେ ଟିକନିଖ୍ ଖବର ରଖୁଛନ୍ତି ତାହାର ହିସାବ ଆମେ ପାଇ ସାରିଥିଲୁ । ୬ ମାସ ଧରି ଏକତ୍ର ପଢ଼ିବା ଭିତରେ ସମସ୍ତଙ୍କ ମଧ୍ୟରେ ଚିହ୍ନା ଜଣା ମଧୁର ସ୍ନେହ ସମ୍ପର୍କ ସୃଷ୍ଟି ହୋଇଥିଲେ ବି ନିଜ ବେଷ୍ଟ୍ ସାଙ୍ଗ ସହ ବସିଥିଲେ ଗପି ଗପି ଯିବାକୁ ବହୁତ୍ ଭଲ ହେଇଥାନ୍ତା । କିନ୍ତୁ ଅଧ୍ୟାପକ ମାନଙ୍କ ବିଚାରରେ ଟିକେ ଛାତ୍ର ଅସନ୍ତୋଷ ଦେଖାଗଲା । ଅଧଘଣ୍ଟାଏ ପରେ ବୃନ୍ଦାବନ ସାର୍ ଙ୍କ ଆଗମନ ଦେଖି ସମସ୍ତେ ଚୁପଚାପ୍ ସୁନାପିଲା ପରି ନିଜ ନିଜ ସିଟ୍ ରେ ବସିଗଲେ ।ଆମେ  B.ed ର ପ୍ରଶିକ୍ଷାର୍ଥୀ ଥିଲୁ । ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲା ର ଦୁଇ ରୁ ତିନି ଜଣ ଛାତ୍ର ଛାତ୍ରୀ ,୨୫ ରୁ ଉର୍ଦ୍ଧ୍ବ ବଙ୍ଗଳା ଛାତ୍ର ଛାତ୍ରୀ , ଝାଡ଼ଖଣ୍ଡ ର ଜଣେ ଛାତ୍ର ମିଶି ୧୨୮ ଜଣ , ୭ ଜଣ ଅଧ୍ୟାପକ ଜଣେ ଅଧ୍ୟାପିକା ନିର୍ମଳା ମାମ୍ ଏବଂ ବସ୍ ଡ୍ରାଇଭର ହେଲ୍ପର ରୋଷେଇ ଷ୍ଟାଫ ମିଶି ପ୍ରାୟତଃ ୧୫୦ ଜଣ ୩ ଟି ଟୁରିଷ୍ଟ ବସ୍ ରେ ଶ୍ରୀକ୍ଷେତ୍ର ରୁ ଆମର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କଲୁ ।

     ଆଗରେ ଥିଲା ବସ୍ କାହ୍ନା ମଝିରେ ବସ୍ ଦୀପମାଳା ଓ ଶେଷରେ ବସ୍ ଦୁଲ୍ହନ । କାହ୍ନା ଅର୍ଥାତ୍ ଶ୍ରୀକୃଷ୍ଣ ଭଗବାନ୍, ଯାତ୍ରା ସମୟରେ ସମସ୍ତ ବାଧା ବିଘ୍ନ ଖଣ୍ଡନ ଉଦ୍ଦେଶ୍ୟ ରେ ଆଗରେ ମାଡିଚାଲିଥାଏ । ଅଗ୍ରଭାଗରେ ଥିବା କାହ୍ନା ସ୍ୱରୂପ ଈଶ୍ୱରଙ୍କୁ ଆରାଧନା କରିବା ସହ ପଛରେ ଧିରେ ଧିରେ ଆସୁଥିବା ଦୂଲ୍ହନ୍ ଅର୍ଥାତ୍ ନବବଧୂ କୁ ବନ୍ଦାପନା କରିବା ଢ଼ଙ୍ଗରେ ଗଡୁଥାଏ ମଝିରେ ଥିବା ଦୀପ ର ମାଳା ବା ସମୂହ ଦୀପମାଳା ବସ୍ ଟି

   

         ମୋ ଜୀବନ ରେ ପ୍ରଥମ ଥର ପାଇଁ ମୁଁ ରାତ୍ରି ସମୟରେ ଏତେ ଦୀର୍ଘ ଯାତ୍ରାରେ ଯାଉଥାଏ । ମନର ଦୁର୍ବଳତା ଯୋଗୁଁ ବସ୍ ରେ ବସିବା ମାତ୍ରେ ବାନ୍ତି ଟାବଲେଟ୍ ଟିଏ ଢ଼ୋକି ଜବରଦସ୍ତ ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କଲି । ମନରେ ଅନେକ ଉନ୍ମାଦନା ଥିଲେ ବି ବିଳମ୍ବିତ ରାତ୍ରି ହୋଇଥିବାରୁ ସବୁ ଆବେଗ କୁ ମନ ମଧ୍ୟରେ ଚାପି ଶୋଇ ପଡିଥିଲେ ମାେର ସହପାଠୀ ସହଯାତ୍ରୀମାନେ । ଭୋର ଚାରିଟା ବେଳକୁ ଆମେ ଯାଜପୁର ରେ ପହଞ୍ଚି ସାରିଥିଲି । ପୂର୍ବରୁ ବୁକ୍ କରାଯାଇଥିବା ଧର୍ମଶାଳା ରେ ସ୍ନାନ ଶୌଚ କାର୍ଯ୍ୟ ସମାପନ କରି ନୂଆ ନୂଆ ଡ୍ରେସ୍ ପରିଧାନ କରି ମା ବିରଜା ଙ୍କ ଦର୍ଶନ ପାଇଁ ଶୃଙ୍ଖଳିତ ଭାବେ ଧାଡ଼ି ବାନ୍ଧି ବାହାରିଲୁ ।

           ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଗୁପ୍ତ ଯୁଗର ନିର୍ମାଣ ଶୈଳୀରେ ନିର୍ମିତ ହୋଇଥିବା ମନ୍ଦିର ମଧ୍ୟରେ ଦୁଇ ଭୁଜା ଦୂର୍ଗା ଭାବରେ ପୂଜା ପାଉଥିବା ମା ବିରଜା ଙ୍କ ଦର୍ଶନ ଲାଭ କରି ମନ ପ୍ରସନ୍ନ ହୋଇଗଲା । ମନ୍ଦିର ବିଷୟରେ ଅନେକ ଲୋକକଥା ଓ କିମ୍ବଦନ୍ତୀ ଶୁଣି ଓଡ଼ିଶା ର ଗୌରବମୟ ଐତିହ ଓ ଅସ୍ମିତା ର ପରିଚୟ ପାଇଲୁ । ଦକ୍ଷପୁତ୍ରୀ ଦେବୀ ସତୀ ଙ୍କ ଶରୀରକୁ ବିଷ୍ଣୁ ସୁଦର୍ଶନ ଚକ୍ରରେ ଖଣ୍ଡବିଖଣ୍ଡତ କରିଥିବା ସମୟରେ ମା ଙ୍କ ନାଭି ଉତ୍କଳ ପ୍ରଦେଶର ଯାଜପୁରଠାରେ ପଡିଥିଲା । ଯାହାକି ପରବର୍ତ୍ତୀ ସମୟରେ ଶିକ୍ତିପୀଠ ବିରଜା ମନ୍ଦିର ଭାବରେ ପ୍ରସିଦ୍ଧି ଲାଭ କରିଛି । ପୁଣି କେହି କେହି ଗାୟସୁର ର ନାଭି ଏଠାରେ ପଡ଼ିଥିବାରୁ ଏହାକୁ ନାଭିଗୟା ତୀର୍ଥ ବୋଲି କହିଥାନ୍ତି । ମନ୍ଦିର ଚତଃପାଶ୍ୱର୍ରେ ଇଶାନେଶ୍ୱର ଶିବ ମନ୍ଦିର ଆଦି ପାର୍ଶ୍ୱ ଦେବତା , ନଭିଗୟା କୁଣ୍ଡ ତଳେ ଗୁପ୍ତଗଙ୍ଗା ଆଦି ଅଲୌକିକ ବାତାବରଣ ମନକୁ ତୃପ୍ତି ପ୍ରଦାନ କଲା । ମା ଙ୍କ ଅପାର କରୁଣାରୁ ମୋ ମନର ଅବସାଦ ଭୟ ,ଭ୍ରାନ୍ତି ଦୂରୀଭୂତ ହୋଇଗଲା । ମନ ମଧ୍ୟରୁ ଉର୍ଜ୍ଜା ସୃଷ୍ଟି ହେବା ପରି ଅନୁଭବ ହେଲା । ଅଫୁରନ୍ତ ଆନନ୍ଦ ଉତ୍ସାହର ସହିତ ମାଆ ଙ୍କୁ ବାରମ୍ବାର ନମନ କରି ଆମେ ରାସ୍ତାର ଉଭୟ ପାର୍ଶ୍ବର ପ୍ରାକୃତିକ ସୌନ୍ଦର୍ଯ୍ୟ , ଗାଁ ଓ ସହର ର ଆକର୍ଷକ ଦୃଶ୍ୟ ନୂତନ ଚାଲି ଚଳନ ଆଦି ଉପଭୋଗ କରି ପରବର୍ତ୍ତୀ ଦର୍ଶନୀୟ ସ୍ଥାନ ଆରଡ଼ି ପୀଠ ଉଦ୍ଦେଶ୍ୟ ରେ ଆଗକୁ ଚାଲିଲୁ ।

           

              ପ୍ରକୃତରେ ଈଶ୍ୱର ଙ୍କ କରୁଣା କୁ ମୁଁ ଅସ୍ବୀକାର କରି ପାରିବି ନାହିଁ । ପାଖ ଜିନିଷ କୁ ତ ସମସ୍ତେ ଦେଖି ପାରନ୍ତି କିନ୍ତୁ ଦୂରଦୃଷ୍ଟି କେବଳ ଜ୍ଞାନୀ ଓ ଅନୁଭବୀମାନଙ୍କ ପାଖରେ ଥାଏ । ନିକଟ ଭବିଷ୍ୟରେ ଘଟିବାକୁ ଯାଉଥିବା ଘଟଣାର ପୂର୍ବାନୁମାନ କରି ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରୁଥିବା ବ୍ୟକ୍ତି ବିଶେଷ ହିଁ ଗୁରୁ ପଦବାଚ୍ୟ । ଧିରେ ଧିରେ ଆମେ ଗୁରୁମାନଙ୍କ ମହାନୁଭବତା ଓ ଦୂରଦୃଷ୍ଟିସମ୍ପନ୍ନ ବିଚାରକୁ ପାଖରୁ ଅନୁଭବ କଲୁ । ନିଜ ପାଖ ସିଟ୍ ରେ ବସିଥିବା ଅଳ୍ପ ପରିଚିତ ସାଥି ଟି ସହ ଅତି ଆତ୍ମୀୟତା ଭାବ ସୃଷ୍ଟି ହୋଇଗଲା । ପରସ୍ପର ସୁଖ ଦୁଃଖ ଭାବ ଆଦାନ ପ୍ରଦାନ ମଧ୍ୟରେ ମୋର ଆଉ ଜଣେ ନୂଆ ବେଷ୍ଟ ଫ୍ରେଣ୍ଡ ସୃଷ୍ଟି ହୋଇଗଲା । କହିବାକୁ ଗଲେ ବସ୍ ଭିତରେ ଛୋଟ ଓଡ଼ିଶା ଥିଲା ଅର୍ଥାତ୍ ସମଗ୍ର ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲା ର କିଛି କିଛି ପିଲା ଥିଲେ । ତେଣୁ ଆଳାପ ଆଲୋଚନା ମାଧ୍ୟମରେ ସବୁ ସ୍ଥାନର ରୀତି ନୀତି ପର୍ବପର୍ବାଣୀ ପ୍ରଥା ପରମ୍ପରା ଆଦି ବହୁତ ଭଲ ଭାବରେ ଜାଣିବାକୁ ମିଳିଲା , ଯାହାକି ପ୍ରଶିକ୍ଷଣ ଅବଧି ମଧ୍ୟରେ କେବେ ସମ୍ଭବ ହୋଇପାରି ନ ଥାଆନ୍ତା । କଲେଜ୍ ରେ କ୍ଲାସ ସରିବା ମାତ୍ରେ ସମସ୍ତେ ବିଶ୍ରାମ ନିମନ୍ତେ ନିଜ ରୁମ୍ କୁ ଚାଲି ଯାଉଥିଲେ । ଏତେ ବ୍ୟକ୍ତିଗତ ତଥ୍ୟ କଥୋପକଥନ ପାଇଁ କଲେଜ୍ ରେ ସମୟ ବା କେତେବେଳେ ? ତେଣୁ ଷ୍ଟଡି ଟୁର୍ ରେ ମିଳିଥିବା ଏହି ସୁବର୍ଣ୍ଣ ସୁଯୋଗ କୁ କିଏ ବା ହାତ ଛଡ଼ା କରିବାକୁ ଚାହିଁବ ? କ୍ଲାସ୍ ରେ ଗୁରୁ ଗମ୍ଭୀର୍ଯ୍ୟ ପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ ପୂର୍ବକ ଅଧ୍ୟାପନା କରୁଥିବା ଅଧ୍ୟାପକ ଗଣ ମିତ୍ର ତୁଲ୍ୟ ବ୍ୟବହାର କରୁଥିଲେ । ଶ୍ରେଣୀରେ ଚୁପ୍ ଚାପ୍ ମାନମାରି ବସୁଥିବା ନିରୀହ ପିଲାଟିଏ ମଧ୍ୟ ଯାତ୍ରା ସମୟରେ ନିଜର ବାକପଟୁତ୍ଵ ର ପ୍ରଦର୍ଶନ କରୁଥାଏ । ଏସବୁ ଦୃଶ୍ୟ ଦେଖି ମୋ ମନର ଦୁର୍ବଳତା କମ୍ ହେଉଥାଏ । ମୁଁ ମଧ୍ୟ ଆଖି ଖୋଲି ସେମାନଙ୍କ ସହ ହାସ୍ୟରୋଳରେ ଯୋଗଦେଲି । ଆମ ମାନଙ୍କ ମଧ୍ୟରେ ବୟସଗତ ତାରତମ୍ୟ ଅଧିକ ଥିଲେ ମଧ୍ୟ ବସ୍ ଭିତରେ ସମସ୍ତେ ସମବୟସ୍କ ସାଙ୍ଗ ଭଳି ପରିହାସ , ଉପହାସପୂର୍ଣ୍ଣ ବ୍ୟବହାର କରୁଥିଲେ । 

       ଏକ ଆନନ୍ଦମୟ ବାତାବରଣ  ମଧ୍ୟରେ ଆମେ ଭଦ୍ରକ ଜିଲ୍ଲା ର ଆରଡ଼ି ପୀଠ ରେ ପହଞ୍ଚି ସାରିଥାଉ। ମନ୍ଦିର ଠାରୁ ବହୁତ୍ ଦୂରରେ ବସ୍ ରହିଲା । ରୋଷେଇ ଷ୍ଟାଫ ରନ୍ଧନ କାର୍ଯ୍ୟରେ ଲାଗି ପଡିଲେ । ଆମେ ଧାଡ଼ି ବାନ୍ଧି ସରୁ କଂକ୍ରିଟ୍ ରାସ୍ତାରେ ଚାଲିଲୁ ପ୍ରଭୁଙ୍କ ଦର୍ଶନ ନିମନ୍ତେ । ସେତେବେଳକୁ ପ୍ରବଳ ଭୋକ ହେଉଥାଏ ପୁଣି ଟାଇଁ ଟଇଁ ଖରା ଦେହରେ ଗଳି ଯାଉଥାଏ । ପାଦଧୌତ ପୂର୍ବକ ମନ୍ଦିର ଭିତରେ ପ୍ରବେଶ ନିମନ୍ତେ ମନ୍ଦିରକୁ ଲାଗି ରହିଥିବା ପୁଷ୍କରିଣୀକୁ ସର୍ବପ୍ରଥମେ ଯିବାକୁ ଆମ୍ଭ ଭରତ ସାର ମତ ଦେଲେ । ପାଣି ନାଁ ଶୁଣିବ ମାତ୍ରେ ମନରେ ଆନନ୍ଦ ଖେଳିଗଲା । ଯାହେଉ ପାଣି ମନ୍ଦେ ଦେହ ମୁଁହରେ ଛାଟିଲେ ଟିକେ ଆଶ୍ୱସ୍ତି ମିଳିବ । କିନ୍ତୁ ପୋଖରୀରେ ନେଳି କିଟିକିଟି ଅପରିଷ୍କାର ପାଣି । ହାହାକାର ହେଉଥାଏ ତୃଷାର୍ତ୍ତ ପ୍ରାଣ । ପାଖରେ ଥିବା ନଳକୂଅ ବାଡେଇ ବାଡେଇ 5ମିନିଟ୍ ରେ ବାହାରୁଥାଏ ଧାରେ ପାଣି । ତେଣୁ ଅନିଚ୍ଛା ସତ୍ତ୍ଵେ ପାଦ ଦୁଇଟି ପୋଖରୀରେ ବୁଡାଇ ଭକ୍ତଙ୍କ ଗହଳି ଭିତରେ ଦର୍ଶନ ପାଇଁ ଧାଡ଼ି ବାନ୍ଧିଲୁ ଆମେ । ବହୁତ ଅଣନିଃଶ୍ବାସୀ ଲାଗୁଥାଏ । ମହାଦେବଙ୍କ ଉପରେ ଦୃଷ୍ଟି ପଡିବା ମାତ୍ରେ ମନରେ ଏକ ଅପୂର୍ବ ଶିହରଣ ଖେଳିଗଲା । ମନର ସମସ୍ତ କ୍ଳାନ୍ତି ଓ ବିରକ୍ତି ଭାବ ଦୂରୀଭୂତ ହେଲା । ମୁହୂର୍ତ୍ତକ ପାଇଁ ଚକ୍ଷୁ ସ୍ଥିର ହୋଇଗଲା ପ୍ରଭୁ ଆରଡ଼ିଶ୍ଵର ଆଖଣ୍ଡଳମଣିଙ୍କ ଉପରେ ....। ଆଉଥରେ ଚାହିଁବା ପୂର୍ବରୁ କଡ଼ରେ ଥିବା ଜଣେ ଭକ୍ତ ମତେ ଆଗକୁ ଠେଲିଦେଲେ । ମୋର ଆତ୍ମତୃପ୍ତି ହୋଇ ନ ଥାଏ । ପୁଣି ଥରେ ଆସି ପଛରେ ଧାଡ଼ିରେ ଠିଆ ହେଲି । ବହୁ ପ୍ରତୀକ୍ଷା ପରେ ଦର୍ଶନ ମିଳିଲା । ଏଥର ଆଖି ପୁରେଇ ମନଭରି ପ୍ରଭୁଙ୍କ ଦର୍ଶନର ସୁଯୋଗ ମିଳିଲା । ପ୍ରଭୁଙ୍କ ପଦୁକା କୁଣ୍ଡଠାରେ ଗହଳି ଲାଗିଥାଏ । ଆଖଣ୍ଡମଣିଙ୍କ ପାଦୁକାର ଅପାର ମହିମା କିଛି ଭକ୍ତ ବର୍ଣ୍ଣନା କରୁଥିଲେ । ଆମେ ମଧ୍ୟ ବିଶ୍ଵାସ ଓ ଆଗ୍ରହ ସହ ପାଦୁକା ପାଇ ନିଜ ଘର ପାଇଁ କିଛି କିଛି ଆଣି ଆସିଲୁ । କିଛି ଭକ୍ତ ନିଜର ମାନସିକ ପୂରଣ ପାଇଁ ପ୍ରାର୍ଥନାରତ ଥିବାବେଳେ ଆଉ କିଛି ଭକ୍ତ ନିଜ ମାନସିକ ପୂର୍ତ୍ତି ଖୁସିରେ ମନ୍ଦିରରେ ବାନା ବାନ୍ଧିବା ଆଦି କାର୍ଯ୍ୟ କରୁଥାନ୍ତି । ମନ୍ଦିରରେ ପ୍ରସ୍ତୁତ ହେଉଥିବା ସ୍ଵତନ୍ତ୍ର ପ୍ରକାର ପଣା ପାଇଁ ଆଗରୁ ବରାଦ ଦିଆ ଯାଇଥିଲା । ଆମକୁ ପଣା ବାଣ୍ଟୁଥିବା ସମୟରେ ଜଣେ ପୂଜାରୀ ଆମର ଅନୁରୋଧ କ୍ରମେ ମନ୍ଦିରର ସୃଷ୍ଟି ରହସ୍ୟ ଶୁଣାଇଲେ । ଜମିଦାର ନୀଳାଦ୍ରି ସମର ସିଂ ଙ୍କ ହଳିଆ ଅନନ୍ତ ଏକ ବିଲରେ ହଳ କରୁଥିବା ସମୟରେ ଲଙ୍ଗଳ ମୁନ କୌଣସି ଏକ ଶକ୍ତ ଜିନିଷକୁ ଆଘାତ ଦେଲା । ତତକ୍ଷଣାତ୍ ସେହି ସ୍ଥାନରୁ ଭୟଙ୍କର ଆଃ ... ରଡି ବା ଚିତ୍କାର ଶୁଣା ଗଲା । ଆକାଶକୁ ଢାଙ୍କିଦେଲା କଳାହାଣ୍ଡିଆ ମେଘର ବାଦଲ । ବିଜୁଳି, ଘଡ଼ଘଡି ଶବ୍ଦରେ ଚତୁର୍ଦ୍ଦିଗ ଥରି ଉଠିଲା । ଭୟଭୀତ ଅନନ୍ତ ହଳ ଛାଡି ଜମିଦାରଙ୍କ ନିକଟରେ ସମସ୍ତ ବୃତ୍ତାନ୍ତ କହିଲେ । ବହୁ ଲୋକ ମିଶି ସେ ସ୍ଥାନରେ ଯାଇ  ପହଞ୍ଚିଲେ । ଚାରି କଡ଼ରୁ ମାଟି ଖୋଳି ଦେବାରୁ ଏକ ବିଶାଳ ଶିବ ଲିଙ୍ଗ ଦୃଶ୍ୟମାନ ହେଲା ଯାହାର ଉପର ଭାଗରୁ ଝରୁଥିଲା ଧାର ଧାର ରକ୍ତ । ତାହାପରେ ଜମିଦାରଙ୍କ ତତ୍ତ୍ଵାବଧାନରେ ନିର୍ମାଣ କରାଯାଇଥିଲା ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଅଖଣ୍ଡଳମଣି ମନ୍ଦିର । ସ୍ବଳ୍ପ ସମୟ ମଧ୍ୟରେ ମନରେ ପୂର୍ଣ୍ଣତା ଲାଭ ସହ କିଛି ମାନସିକ ରଖି ଫେରି ଆସିଲୁ । ବସ୍ ନିକଟରେ ପ୍ରସ୍ତୁତ ହୋଇ ରହିଥିଲା ସୁଜି ଉପମା ସାଙ୍ଗକୁ ଡ଼ାଲମା । ବହୁତ୍ ପରିମାଣ ହୋଇଥିବା ହେତୁ ସୁଜି ଭାଜି ହୋଇ ନଥିଲା , ସବୁ କଞ୍ଚା କଞ୍ଚା । ସମସ୍ତଙ୍କୁ ଅସହ୍ୟ ଭୋକ । ତଥାପି ଆମ ସହ ଯାଇଥିବା ଆମର ବଙ୍ଗଳା ଭାଇ ଭଉଣୀ ମାନେ ଗୋଟିଏ ଥର ପାଟିରେ ଦେଇ ଫିଙ୍ଗି ଦେଇଥିଲେ ଖାଦ୍ୟ । ସେମାନଙ୍କ ମତରେ ଆମେ ଭୋକରେ ରହିଯିବୁ ପଛେ ଖାଦ୍ୟର ସ୍ଵାଦ ସହିତ କୌଣସି କମ୍ପରମାଇଜ୍ କରି ପାରିବୁ ନାହିଁ , ଉପମାକୁ ତ ବିଲକୁଲ୍ କୁ ବି ନୁହେଁ । କିନ୍ତୁ ଆମ ର ଓଡ଼ିଆ ପିଲା ମାନେ ରୋଷେଇଆ ଭାଇମାନଙ୍କ ମନଦୁଃଖ ନ କରିବା ପାଇଁ ଯିଏ ଯେମିତି ଅଧା ଅଧି ଖାଇ ଦେଇଥିଲେ ବି କୌଣସି ପାଟିତୁଣ୍ଡ କରିନଥିଲେ। ଗୋଟିଏ ପଟେ ବଙ୍ଗାଳୀ ଭାଇ ମାନଙ୍କ ଠାରୁ ସ୍ପଷ୍ଟବାଦିତା ଗୁଣ ଶିଖିବାକୁ ମିଳିଲା । ଅନ୍ୟପକ୍ଷରେ ପ୍ରତିକୂଳ ପରିସ୍ଥିତି ସହ ଖାପ ଖୁଆଇ ଚଳିବା ବା ଆଡଜେଷ୍ଟମେଣ୍ଟ ଗୁଣ ,ଯାହାକି ଆମ ଓଡ଼ିଆ ମାନଙ୍କ ଏକ ବିଶିଷ୍ଟ ଗୁଣ ତାହା ମଧ୍ୟ ଶିଖିବାକୁ ମିଳିଲା ।

          ଏହାପରେ ଆମେ ବାଲେଶ୍ଵର ଜିଲ୍ଲାର ପଞ୍ଚଲିଙ୍ଗେଶ୍ୱର ଦର୍ଶନ ପାଇଁ ନୂତନ ଉନ୍ମାଦନା ସହ ଅଗ୍ରସର ହେଲେ। ରାସ୍ତାର ଉଭୟ ପାର୍ଶ୍ବରେ ପାହାଡର ମନୋରମ ଦୃଶ୍ୟ । କୃଷକ ମାନେ ଧାନ କାଟିବାରେ ବ୍ୟସ୍ତ ଥାଆନ୍ତି । କିଛି ପିଲା ନିଜ ସିଟ୍ ଛାଡି ବସ୍ ମଝିରେ ଥିବା ଖାଲିସ୍ଥାନରେ ମ୍ୟୁଜିକର ତାଳେ ତାଳେ ନୃତ୍ୟ କରୁଥାନ୍ତି । ଛାତ୍ରଛାତ୍ରୀଙ୍କ ଆମୋଦ ପ୍ରମୋଦରେ ବ୍ୟାଘାତ ସୃଷ୍ଟି ନ କରିବା ପାଇଁ ଆଗରେ ବସିଥିବା ବରିଷ୍ଠ ଅଧ୍ୟାପକ ଜାଣତରେ ଆଖି ବନ୍ଦ କରି ଢୁଳୋଉ ଥାଆନ୍ତି । ଅନ୍ୟ ଅଧ୍ୟାପକମାନେ ଛାତ୍ରଙ୍କ ସହ ସାଙ୍ଗ ପରି ମିଶି ଯାଉଥିଲେ ।

    

           ଦେବଗିରି ପାହାଡର ପାଦଦେଶରେ ଅଟକି ଯାଇଥିଲା ବସ୍ । କୁହାଯାଏ - ଦୂର ପାହାଡ ସୁନ୍ଦର । କିନ୍ତୁ ପାଖରୁ ବି ଏ ପର୍ବତ ବେଶ୍ ଚିତ୍ତାକର୍ଷକ ଥିଲା । ପାହାଡର ଶୀର୍ଷ ଭାଗରେ ପ୍ରଭୁ ବିଦ୍ୟମାନ । ତଳୁ ଉପରକୁ ଆଖି ପାଉ ନ ଥାଏ । ପାବଚ୍ଛଶ୍ରେଣୀ ଲମ୍ବି ଯାଇଛି । ପାହାଚର ଦୁଇ ପାର୍ଶ୍ଵରେ ସିମେଣ୍ଟର ବ୍ୟାରିକେଡ଼ ନିରବଚ୍ଛିନ୍ନ ଭାବେ ଉପରକୁ ଲମ୍ବମାନ ଯାହାକି କାଠ ଖୁଣ୍ଟିର ଭ୍ରମ ସୃଷ୍ଟି କରୁଥାଏ । ମଝିରେ ମଝିରେ ବିଶ୍ରାମ ନିମନ୍ତେ ଗୋଟିଏ ଲେଖାଏଁ ସୁନ୍ଦର ବିଶ୍ରାମ ବେଞ୍ଚ ନିର୍ମାଣ କରାଯାଇଛି । ଉଭୟ ପାର୍ଶ୍ଵରେ ଥିବା ବିରାଟକାୟ ବୃକ୍ଷର ଶାଖା ଭକ୍ତମାନଙ୍କୁ ସୂର୍ଯ୍ୟ ଉତ୍ତାପରୁ ରକ୍ଷା କରିବା ନିମନ୍ତେ ଚାନ୍ଦୁଆ ଭଳି  ପାବଛ ମାର୍ଗକୁ  ଆଚ୍ଛାଦିତ କରି ରଖିଛି । ସାଙ୍ଗ ମେଳରେ ଅନେକ ପାହାଚ ଅତିକ୍ରମ କରିବା ପରେ ସମସ୍ତେ କ୍ଲାନ୍ତ ହୋଇଯାଇଥିଲେ ବି କେହି ଜଣେ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥିଲେ । ଧଇଁସଇଁ ହୋଇ କିଏ ଆଗେ ଶୀର୍ଷରେ ପହଞ୍ଚି ପାରୁଛି ସେଥିପାଇଁ ନିଜ ନିଜ ମନରେ ଚାଲିଥିଲା ଏକ ପ୍ରକାର ଶୀତଳ ପ୍ରତିଯୋଗୀତା । ଏଥିପାଇଁ ବୋଧହୁଏ ସାଙ୍ଗ ମେଳରେ ଯାତ୍ରା କରିବା ସବୁଠୁ ଅଧିକ ଉପଭୋଗ୍ୟ । ଚାଲିବା ଅଭ୍ୟାସ ନ ଥିବାବେଳେ ଏକାବେଳେ ଏତେ ପାହାଚ ଚଢା ଶରୀରକୁ ପ୍ରବଳ କଷ୍ଟ ଦେଉଥିଲା ହେଲେ ଲକ୍ଷସ୍ଥଳରେ ପହଞ୍ଚି ଚତୁଃପାର୍ଶ୍ଵର ସୌନ୍ଦର୍ଯ୍ୟ ଅବଲୋକନ କରନ୍ତେ ଶରୀରର ସମସ୍ତ କଷ୍ଟକୁ ମନ ଭୁଲେଇ ଦେଉଥିଲା । କିମ୍ବଦନ୍ତୀ ଅନୁସାରେ ବହୁ ପ୍ରାଚୀନ କାଳରେ ମହାପ୍ରତାପୀ ବାଣାସୁର ଏକା ରାତ୍ରିରେ ୫ ଗୋଟି ଶିବଲିଙ୍ଗ ସ୍ଥାପନା କରିଥିଲେ । ସମୟକ୍ରମେ ତାଙ୍କର ବାର୍ଦ୍ଧକ୍ୟ ଅବସ୍ଥା ଉପନୀତ ହେବାରୁ ସେ ପାଞ୍ଚୋଟି ସ୍ଥାନରେ ଥିବା ଶିବଲିଙ୍ଗର ଦେବନୀତି ସଠିକ୍ ଭାବରେ ସମ୍ପାଦନ କରିବାକୁ ଅସମର୍ଥ ହୋଇ ପଡିଲେ। ତେଣୁ ପାଞ୍ଚୋଟି ଲିଙ୍ଗକୁ ଏକତ୍ର ଦେବଗିରି ପାହାଡ ଚୁଡାରେ ସ୍ଥାପନା କରି ପୂଜାର୍ଚ୍ଚନା କଲେ । ସେ ପ୍ରଭୁଙ୍କ ସେବା ପୂଜା ପାଇଁ ଜଳର ଆବଶ୍ୟକତା ପୂରଣ ନିମନ୍ତେ ଭୋଳା ମହେଶ୍ୱରଙ୍କୁ ବିନତୀ କଲେ । ବାଣାସୁରଙ୍କ ପ୍ରାର୍ଥନାରେ ପ୍ରସନ୍ନ ଶଙ୍କର ମହାଦେବଙ୍କ ଆଶୀର୍ବାଦରୁ ଗିରିକନ୍ଦରରୁ ନିର୍ଗତ ହେଲା ଏକ ଚିରସ୍ରୋତା ଝରଣା । ସତେ ଯେମିତି ସଂସାରର ବିଷପାନ କରି ପ୍ରଭୁ ନୀଳକଣ୍ଠ ବିଷାକ୍ତ ଶରୀରକୁ ଶୀତଳତା ପ୍ରଦାନ ନିମନ୍ତେ ପ୍ରଭୁ ପଞ୍ଚଲିଙ୍ଗେଶ୍ଵର ରୂପରେ ଝରଣା ଜଳ ପ୍ରବାହ ମଧ୍ୟରେ ବୁଡ଼ି ରହିଛନ୍ତି । ଏକା ସାଙ୍ଗରେ ଠାକୁର ଦେଖା ସହ କଦଳୀ ବିକା ପରି ଆମର ପ୍ରକୃତିର ଶୋଭା ରାଜି ଉପଭୋଗ ସହ ଦେବଦର୍ଶନ ରୂପକ କାର୍ଯ୍ୟଟି ମଧ୍ୟ ସମାପନ ହେଲା । ସେ ସ୍ଥାନ ଛାଡି ଆସିବାକୁ ଟିକେ ବି ଇଚ୍ଛା ନ ଥିଲା କାହାର କିନ୍ତୁ କଳା ଚାଦର ଘୋଡି ହୋଇ ରାତ୍ରି ଦେବୀ ଧରଣୀ ପୃଷ୍ଠକୁ ଅନ୍ଧାର କରିବାକୁ ତତ୍ପରତା ଦେଖାଉ ଥିଲେ । କାଳବିଳମ୍ବ ନ କରି ସେଠାର ପ୍ରସିଦ୍ଧ ଧାନରେ ନିର୍ମିତ ଲକ୍ଷ୍ମୀମା ଙ୍କର ମୂର୍ତ୍ତିଟିଏ କିଣି ଫେରି ଆସିଲୁ ବାଲେଶ୍ଵର ର ଏକ ଧର୍ମଶାଳାକୁ ।

    

     ବଙ୍ଗାଳୀ ଭାଇ ଭଉଣୀଙ୍କ ଦାବୀ ମୁତାବକ ଭଲ ରନ୍ଧନ କାର୍ଯ୍ୟରେ ମନୋନିବେଶ କଲେ ରୋଷେଇଆ ଭାଇମାନେ । ଆମେ ପରିବାପତ୍ର କାଟିବା ଓ ପୁରି ପାଇଁ ପ୍ରସ୍ତୁତି ଶେଷ କରି ଟିକେ ବିଶ୍ରାମ କରିବା ସମୟରେ ରୋଷେଇ ଶେଷ ହେଲା । ୧୫୦ ଜଣ ଏକତ୍ର ବସି ଆନନ୍ଦରେ ଭୋଜନ କଲୁ ଯାହା ଏକ ନିଆରା ଅନୁଭୂତି ପ୍ରଦାନ କଲା । ଖାଦ୍ୟ ପ୍ରକୃତରେ ଏତେ ସ୍ୱାଦିଷ୍ଟ ଥିଲା ବା ସେ ପରିବେଶରେ ଏତେ ସ୍ବାଦିଷ୍ଟ ଲାଗିଥିଲା କେଜାଣି ? ସେଦିନ ଏକ ବଡ଼ ପରିବାରର ଜଣେ ଲଘୁ ସଦସ୍ୟ ଭାବରେ ମୁଁ ନିଜକୁ ଭାଗ୍ୟବତୀ ମନେକରିଥିଲି । ସେତେବେଳକୁ ଆଉ କେତେ ବା ରାତି ବାକିଥିଲା ? ଗଭୀର ନିଦ୍ରାର କବଳରୁ ଆଖି ଫିଟୁନଥାଏ । ନିର୍ମଳା ମ୍ୟାଡାମ ଓ କବିତା ନାନୀ ଙ୍କ ନିର୍ଦ୍ଦେଶରେ ଆମେ ଯଥାଶୀଘ୍ର ଗାଧୁଆ ପାଧୁଆ ସମାପନ କରି ପ୍ରସ୍ତୁତ ରହିଲୁ । କୌଣସି କାରଣବଶତଃ ଚାନ୍ଦିପୁର କ୍ଷପଣାସ୍ତ୍ର ଘାଟି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିବା  ସୂଚନା ମିଳିଲା । ରେମୁଣା ଦେଇ ଆମ ବସ୍ ଯାଇଥିଲେ ବି କ୍ଷୀରଚୋରା ଗୋପୀନାଥଙ୍କ ଦର୍ଶନ ନିମନ୍ତେ ଆମେ ଯାଇ ପାରିଲୁ ନାହିଁ । ଦୁଇଟି ସ୍ଥାନ ଦେଖିପାରି ନଥିବାରୁ ସମସ୍ତେ ଉଦାସ ଥାଆନ୍ତି । ପୂର୍ବରାତ୍ରିରୁ ପ୍ରସ୍ତୁତ ହୋଇ ରହିଥିବା ପୁରି , ବୁନ୍ଦି ଓ କଦଳୀ ଆମକୁ ଜଳଖିଆ ଭାବରେ ଦିଆଯାଇଥିଲା । ପ୍ରାୟ ଦିନ ୧୦. ୩୦ ବେଳକୁ ଆମେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡରେ ପହଞ୍ଚି ସରିଥାଉ । ବନ୍ୟପଶୁ ହାତୀ ଆଦିଙ୍କ ଭୟ ଥିବା ହେତୁ ବସ୍ ବହୁତ୍ ଦୂରରେ ରଖାଗଲା । ଜଙ୍ଗଲର ସୌନ୍ଦର୍ଯ୍ୟ ଉପଭୋଗ ପୂର୍ବକ ଆମେ ଅତ୍ୟନ୍ତ ହର୍ଷୋଲ୍ଲାସରେ ଯାଉଥିଲୁ । କେହି ଜଣେ ସାଙ୍ଗ ବାଟରୁ ଖବର କାଗଜ କିଣି ଆଣିଥିଲେ । ହଠାତ୍ କ'ଣ ମନକୁ ଆସିଲା କେଜାଣି ସେ ପଢ଼ିବା ଆରମ୍ଭ କଲେ । ସମସ୍ତଙ୍କ ମନରେ ଭୟର ଆତଙ୍କ ଖେଳିଗଲା । କାରଣ ସେଦିନ ଖବର କାଗଜର ପ୍ରଥମ ପୃଷ୍ଠାରେ ଥିଲା ଦିଲ୍ଲୀ ନିର୍ଭୟା ଗଣ ବଳାତ୍କାରର ପ୍ରଥମ ଖବର । ଜଙ୍ଗଲିଆ ଜାଗା ହୋଇଥିବା ହେତୁ ହିଂସ୍ରଜନ୍ତୁ ଭୟ ଅପେକ୍ଷା ହିଂସ୍ରମନୁଷ୍ୟ ର ଭୟ ଅଧିକ ଗ୍ରାସକଲା । ଆମ ଦଳରେ ଝିଅ ପିଲା ଅଧିକ ଥିଲେ ।ଅଳ୍ପ ପୁଅ ପିଲା ଥିଲେ ହେଁ ଦାୟିତ୍ଵସମ୍ପନ୍ନ ସ୍ନେହଶୀଳ ଭାଇ ଭଳି ଭଉଣୀ ମାନଙ୍କ ରକ୍ଷା ପାଇଁ ଅଣ୍ଟା ଭିଡିଥିଲେ ସେମାନେ ଅଧ୍ୟାପକ ମାନଙ୍କ ନିର୍ଦ୍ଦେଶରେ । ଚତୁଃପାର୍ଶ୍ଵରେ ଏକ ସୁରକ୍ଷା ବଳୟ ମଧ୍ୟରେ ଆମେ ଝିଅମାନେ ଦୀର୍ଘ ଚାରି କିଲୋମିଟର ଦୂର ଅତିକ୍ରମ କଲା ପରେ ଦେବକୁଣ୍ଡ ଜଳପ୍ରପାତ ଦେଖାଗଲା । ବହୁତ ଉଚ୍ଚ ପାହାଡରୁ ଝରଣା ର ଜଳ ଝରି ଆସୁଥାଏ । ସେ କୁଣ୍ଡ ପାଖରେ ଠିଆ ହେଲେ ପାହାଡ ଉପରେ ଥିବା ମନ୍ଦିର ଦୃଶ୍ୟମାନ ହେଉଥିଲା । ଆମେ ଉପରକୁ ଯାଇଥିବା ଅଣ ଓସାରିଆ ପାହାଚରେ ସତର୍କତା ଅବଲମ୍ବନ ପୂର୍ବକ ଉପରକୁ ଚଢ଼ିଲୁ । ପିଲାମାନେ ଝରଣା ଭିତରକୁ ପଶି ଯିବାକୁ ଆତୁର । କିନ୍ତୁ ବିପଦପୂର୍ଣ୍ଣ ସ୍ଥାନ ହୋଇଥିବା ହେତୁ ଆମ ସାର୍ ସାବଧାନତାର ସହ ଜଗି ଠିଆ ହୋଇଥାଆନ୍ତି । ବହୁତ୍ ଥଣ୍ଡା ଲାଗୁଥାଏ ସେ ସ୍ଥାନଟି । ସତୀଙ୍କର ଏକ ଅଙ୍ଗ ଏଠାରେ ପଡ଼ିଥିବା ହେତୁ ଏହା ମଧ୍ୟ ଏକ ଶକ୍ତପୀଠର ମାନ୍ୟତା ଲାଭ କରିଛି। ପ୍ରକୃତିରାଣୀ ର ନୈସର୍ଗିକ ସୌନ୍ଦର୍ଯ୍ୟରେ ବିମୋହିତ ହେଉଥିଲା ମନ । ଏତେ ଶୀତଳ ବାତାବରଣରେ ବିସ୍ତାରିତ ହୋଇଥିବା ପ୍ରସ୍ତର ଖଣ୍ଡ ଉପରେ ପ୍ରଶାନ୍ତିରେ ଅନନ୍ତ କାଳ ପର୍ଯ୍ୟନ୍ତ ଶୋଇଯିବାକୁ ଇଚ୍ଛା ଥିଲା । ଦଳଗତ ଆହ୍ବାନ ହେତୁ ବହୁ କମ୍ ସମୟରେ ଫେରିବାକୁ ପଡ଼ିଲା । ପୁଣି ସୁରକ୍ଷା ବଳୟ ଭିତରେ ଚାଲି ଚାଲି ଫେରିବାକୁ ପଡ଼ିଲା । ବସ୍ ପାଖରେ ପହଞ୍ଚିଲା ବେଳକୁ ସମୟ ଅପରାହ୍ନ ୩ ଟା ହୋଇଯାଇଥିଲା। ବସ୍ ରେ ବସି ରୋଷେଇ ହେଉଥିବା ସ୍ଥାନକୁ ଗଲୁ । ରୋଷେଇ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା । ଏକ ବିସ୍ତୀର୍ଣ୍ଣ ପଡିଆ ପାଖରେ ପ୍ରକାଣ୍ଡ ବରଗଛ ଛାଇରେ ପୁଅ ପିଲାମାନେ ବିଭିନ୍ନ ଆକୃତିର ପିରାମିଡ୍ ନିର୍ମାଣ କରିଥିଲେ। କିଛି ସମୟ ପରେ ସମବେତ ପଂକ୍ତି ଭୋଜନ ଆରମ୍ଭ ହେଲା ଘାସର ଗାଲିଚା ଉପରେ । ମୋ ଜୀବନରେ ଏହା ଥିଲା ପ୍ରଥମ ବଣଭୋଜି ଯାହା ପଞ୍ଚତାରକା ହଟେଲ ଠାରୁ ଶତ ଗୁଣରେ ଶ୍ରେଷ୍ଠ ଥିଲା । ଖାଇସାରିବା ପରେ ହାଣ୍ଡି ,ଡେକଚି ,ଟପ୍ ଆଦିକୁ ଗାଡ଼ିରେ ଲଦି ଆମର ପ୍ରସ୍ଥାନ କାର୍ଯ୍ୟରେ ମନ ଦେଲୁ । ସନ୍ଧ୍ୟା ହୋଇ ସାରିଥାଏ ଆମେ ସମସ୍ତେ କ୍ଲାନ୍ତ । ମୁଁ ବସିଥିବା ଦୀପମାଳା ବସ୍ ରେ ଅନ୍ତାକ୍ଷରୀ ଆରମ୍ଭ କରିବାକୁ ମୋ ପାଖ ସିଟ୍ ରେ ବସିଥିବା ସୁଷମା ନାନୀ ମତ ଦେଲେ । ସେ ନାନୀ ମୋ ଠାରୁ ବୟସରେ ୧୦ ବର୍ଷ ବଡ଼ ହେବେ , ଅଭିଜ୍ଞତାରେ ଅନେକ ବଡ଼ କିନ୍ତୁ ବ୍ୟବହାର କଥାବାର୍ତ୍ତାରେ ପିଲାଳିଆମି ଢ଼ଙ୍ଗ ସ୍ପଷ୍ଟ ଦେଖାଯାଉଥଲା । ମୋର ଗୋଟେ ପଦ ହେଲେ ଗୀତ ମନେନଥାଏ ତେଣୁ ମୁକ ପରି ଜୁଳୁଜୁଳୁ ହୋଇ ଆଗପଛ ଚାହିଁବା ବ୍ୟତୀତ ଅନ୍ୟ କାମ ନ ଥାଏ ମୋର । ବସ୍ ଯାକର ପିଲା ଗୋଟେ ଦଳ ଆଉ ସୁଷମା ନନୀ ଏକା ଗୋଟିଏ ଦଳରେ ରହି ସମସ୍ତଙ୍କୁ ପାଣି ପିଆଇ ଦେଉଥାନ୍ତି । ବିପରୀତ ଦଳ ପାଟିରୁ ଗୀତ ସରିବା ମାତ୍ରେ ଶେଷ ଅକ୍ଷରକୁ ମୂଳରେ ରଖି ଅବିକଳ ନକଲ କରିବା ଷ୍ଟାଈଲ୍ ରେ ଆରମ୍ଭ କରିଦେଇଥିଲେ କେତେ ନୂଆ ପୁରୁଣା ହିନ୍ଦୀ ଓଡ଼ିଆ ଓ ସଂସ୍କୃତର ଗୀତ । ଗୀତ ମନେ ରଖିବା ପାଇଁ ମୁଁ ସୁଷମା ନାନୀଙ୍କ ଠାରୁ ପ୍ରେରଣା ପାଇଲି । ପଦ୍ୟାନ୍ତ ଖେଳ ଭିତରେ ହିଁ ଆମେ ମୟୂରଭଞ୍ଜରୁ କଟକରେ ପହଞ୍ଚି ସାରିଥାଉ । ସମସ୍ତଙ୍କ ପାଟି ଘୋଳି ହେଲା ଅଥବା ସୁଷମା ନାନୀଙ୍କ ଠାରୁ ପରାଜିତ ହେବା ଭୟରେ କେଜାଣି ଅନ୍ତାକ୍ଷରୀ କୁ ସେଇଠି ବିରାମ ଦେଇ ନିଦ୍ରାଗଲେ ସମସ୍ତେ । ବାସ୍ ୪.୩୦ ରେ ଶ୍ରୀକ୍ଷେତ୍ରରେ ବସ୍ ହେଲ୍ପରଙ୍କ ଡାକରେ ଆଖି ମଳି ମଳି ଉଠି ନିଜ ବ୍ୟାଗ୍ ପତ୍ର ସଜାଡି   ମନରେ ଏକ ଅବିସ୍ମରଣୀୟ ସ୍ମୃତିକୁ ସାଇତି  ନିଜ ହଷ୍ଟେଲ ରୁମ୍ କୁ ଫେରିଲୁ  । ଏହି ଯାତ୍ରା ମୋ ପାଇଁ ଏକ ଐତିହାସିକ ବିଜୟ ଠାରୁ କିଛି କମ୍ ନଥିଲା । ବସ୍ ରେ ଦୂର ସ୍ଥାନକୁ ଯାତ୍ରା କରିବାର ଭୟ ମୋ ମନରୁ ସମ୍ପୂର୍ଣ ଦୂରୀଭୂତ ହୋଇ ଯାଇଥିଲା ତତ୍ ସହିତ ମୁଁ ପାଇଥିଲି ଅନେକ ସତ୍ ଶିକ୍ଷା , ଯାହାକି ମତେ ମୋର ପରବର୍ତ୍ତୀ ଜୀବନରେ ଅନେକ ସହାୟତା ପ୍ରଦାନ କରିଛି ଓ ଭବିଷ୍ୟତରେ କରୁଥିବ ମଧ୍ୟ । ମୋ ଜୀବନ ଯାତ୍ରା ର ଏହି ଦୁଇ ଦିନ ଆଜୀବନ ସ୍ମରଣୀୟ ହୋଇ ରହିବ ।

       


Rate this content
Log in

Similar oriya story from Inspirational