ଚନ୍ଦନ ନାୟକ

Tragedy

4  

ଚନ୍ଦନ ନାୟକ

Tragedy

ଶେଷ ପରିଣତି

ଶେଷ ପରିଣତି

6 mins
424


        ଦର୍ପଣ ଗଡ଼କୁ ଲାଗି ଛୋଟିଆ ଛୋଟିଆ ପାହାଡ଼ ତିନୋଟି ଛିଡ଼ା ହୋଇଛି କେଉଁ ଅନାଦି କାଳରୁ । ସେହି ତିନିମୁଣ୍ଡିଆ ପାହାଡ଼ର ଗୋଟିଏ ପାର୍ଶ୍ୱରେ ଛୋଟ ଗାଁ ଦୁଇଟି । ଗ୍ରାମର ତିନି ପଟେ ଲାଗିରହିଛି ଚାଷ ଜମି । ଚଷା ହୁଅନ୍ତୁ ଅବା ନ ହୁଅନ୍ତୁ ଗ୍ରାମର ଅର୍ଦ୍ଧାଧିକ ଚାଷୀ । ସମୟ ବୈଶାଖର ଉଦୁଉଦିଆ ଖରାବେଳେ । ଆକାଶଟା ସୂର୍ଯ୍ୟଙ୍କର ପ୍ରଚଣ୍ଡ ରଶ୍ମିରେ ଯେମିତି ତରଳି ପଡୁଛି । ଆଉ ଖରା ଯେମିତି ପଶୁ ପକ୍ଷୀଙ୍କର ପ୍ରାଣ ଛଡ଼ାଇ ନେବାକୁ ଉଦ୍ୟମ କରୁଛି । ବଡ଼ ଅସହ୍ୟ ତାତି, ଗାଁ ମଝିରେ ଝଙ୍କାଳିଆ ବରଗଛଟି ତା ମୂଳରେ ଥିବା ଚାନ୍ଦିନୀ ଉପରେ ପାଲି ଚାଲିଥାଏ । ଲକ୍ଷ୍ମୀଧର ବାବୁ କଥା ପଡୁ-ପଡୁ କହି ଦେଲେ ଯେ "ଆରେ ଜାଣିଛୁ କୁଶା ଭାଇ ସେ ବୁଲା ଭାଇ ପୁଅ ସାଗରଟା କଣ ପାଗଳ ହେଇ ଗଲାଣି ନା କ'ଣ ? କେତେବେଳେ ଦେଖ ରାସ୍ତା ରେ ଭୋ-ଭୋ ହୋଇ କାନ୍ଦୁଛି ତ କେତେବେଳେ ମାତାଲଙ୍କ ପରି ରାସ୍ତାରେ ଗଡୁଛି । ପିଲାବେଳରୁ ତ ମା ଛେଉଣ୍ଡ , ବାପାଟା ତ ଗଲା ଆଉ.. ।" ମାତ୍ର ଏ ସବୁ ଶୁଣି କାହା ମୁହଁରେ କେତେ କଥା । କିଏ କହେ ଏ ସବୁ ପାଶ୍ଚାତ୍ୟ ସଭ୍ୟତାର ଦୋଷ ଅବା କିଏ ଦୋଷ ଦିଏ ଆଧୁନିକ ସମାଜକୁ, କିନ୍ତୁ ଏସବୁ ଯେ ପାଶ୍ଚାତ୍ୟ ସଭ୍ୟତା କି ଆଧୁନିକ ସମାଜର ଦୋଷ ନହୋଇ କେବଳ ଯେ ପ୍ରେମ କରିବାର ପରିଣତି ସେସବୁ କେବଳ ଲେଖକଙ୍କୁ ହିଁ ଜଣା । କେବଳ ଯେ ସେହି ଗାଁ ର ସେହି ଚାନ୍ଦିନୀ ନୁହେଁ ଆଖ ପାଖ ପାଞ୍ଚ ଖଣ୍ଡ ଗାଁ'ର ବାର ଓଳି ଶୁଣ୍ଢି ପିଣ୍ଡା ରେ ବ୍ୟାପି ଗଲାଣି । ସମସ୍ତଙ୍କ ମୁହଁରେ ଏଇ କଥା ପଡେ ! ହେଲେ କିଏ ସେ ସାଗର କିଏ ତା ପ୍ରେମିକା ?

      ତିନି ମୁଣ୍ଡିଆ ପାହାଡ଼ ତଳର କୋଲସାହି ଗାଁ'ର ବୁଲା ସାହୁଙ୍କ ପୁଅ ସାଗର । ଗାଁ ର ଦୁଇଟି ଘର ପରେ ତୃତୀୟ ଘରଟି ତାର । ସାଗର ଦିନେ ଭାବିଥିଲା ସେ ତା ଅରି ସାଙ୍ଗରେ ସଂସାର ଗଢ଼ିବ । ମଙ୍ଗୁଳା ହୋଇ ଅପେକ୍ଷା କରି ବସିଥିବ ଅରି, ଆଉ ସେ ରୋଷଣି କରି ଏବଂ ବରଯାତ୍ରୀ ଘେନି ବାଣ ଫୁଟାଇ ବେଦୀରେ ବସି ତା ହାତରେ ହାତ ରଖି ତା ମଥାରେ ସିନ୍ଦୁର ଦେଇ ତାକୁ ଚିରଦିନ ପାଇଁ ନିଜର କରିବ । ପୁଣି ବେଦୀର ହୋମ ନିଆଁ ଚାରିପାଖରେ ବୁଲି ତା'ର ଦଶ ଦୋଷ କ୍ଷମା କରିବାକୁ ପ୍ରତିଶ୍ରୁତି ଦେଇ ତାକୁ ସାତ ଜନ୍ମ ପାଇଁ ତାର ସେଇ ଛୋଟ କୁଡ଼ିଆରେ ରାଣୀ କରି ରଖିବ । କିନ୍ତୁ ସବୁ ସ୍ଵପ୍ନ ତାର ଭାଙ୍ଗି ଚୁରମାର ହୋଇ ଯାଇଛି । ଆଜି ତା ଆଖିରୁ ଝରୁଛି ଅବାରିତ ଅଶ୍ରୁ ଧାରା । 

      ଆକାଶର ଧୂମମ୍ଲାନ ଶୀତଳ ଚନ୍ଦ୍ରାଲୋକବି ତାକୁ ବିଚଳିତ କରି ପକାଉଛି । ତା'ର ସେଇ ଛୋଟ କୁଡ଼ିଆ ଭିତରେ ସେଜ ଉପରେ ପଡ଼ିଛି ମଇଳା ପୋଷାକ ଦୁଇ ଚାରି ଖଣ୍ଡ, ତା'ଉପରେ ଶ୍ରମ ଲାଘବ ନିମନ୍ତେ ପଡ଼ିରହି ୨୨ ବର୍ଷର ଭେଣ୍ଡିଆ ଟୋକାଟା ମନ ମଧ୍ଯରେ କେତେଯେ କ'ଣ ଚିନ୍ତା କରୁଛି । କେହି ଦେଖିଲେ ଅବା ଭାବି ପାରେ ତା'ର ବାପା ଆରପାରି ଚାଲିଗଲା ପରେ ସେ ଚାଷ ଜମି ରେ ଖଟି ଖଟି ମୁଣ୍ଡ ଝାଳ ତୁଣ୍ଡରେ ପାନ କରି କ୍ଲାନ୍ତ ହୋଇ ବିଛଣାରେ ପଡ଼ି ରହିଛି । କିନ୍ତୁ ତା'ର ଯେ ଏହି କ୍ଳାନ୍ତି ଶାରୀରିକ ନୁହେଁ ମାନସିକ ତାହା କିଏ ବୁଝିବ ? ଏହି ମାନସିକ କ୍ଲାନ୍ତି ତାକୁ ବିକାର କରିଛି ଆଉ ଏତେ ମାତ୍ରାରେ କରିଛି ଯେ ଅନ୍ୟ କେହି ହେଲେ ତା'ର ହୃଦୟ ଫାଟି ପଡ଼ିବ । ସାଗର ଆଖି ବୁଜିଛି ସତ କିନ୍ତୁ ଆଖିରେ ତା'ର ନିଦ ନାହିଁ । ତାର ସେଇ ଛୋଟିଆ ଛୋଟିଆ ଆଖି ଦୁଇଟି ଭିତରେ ଗୋଟେ ବିରାଟ ସଂସାର, କିନ୍ତୁ ସେଇ ସଂସାର ଟା ମରୁଭୂମି ପଲାଟି ଯାଇଛି । ସେଦିନରୁ ହିରୋସୀମାର ଯେଉଁ ଅବସ୍ଥା ହୋଇଯାଇଛି ଏଇ ସଂସାରଟିର ବି ସେଇ ଅବସ୍ଥାଠାରୁ ଆହୁରି ଅଧିକ । ସେ ଶୁଖିଲା ମରୁ ବାଲିରେ ଜଳ ପଡି ହାସ୍ୟ-ଲହରୀ ତ ଖେଳିବା ଦୂରରେ ସୁଖ-ଶାନ୍ତି ଭଳି କୁଶଟିଏ ମଧ୍ୟ କଅଁଳିବାର ଦୃଶ୍ୟମାନ ହେଉନାହିଁ ।

      ତା'ର ସେଇ କୁଡିଆଟିକୁ ଅର୍ଥ ଅଭାବରୁ ଛାଉଣୀ ପାରିନାହିଁ । ଘରର ଗୋଟେ କୋଣରେ ସେଇ ଶୀତଳ ରାତିର ଚନ୍ଦ୍ରାଲୋକ ଆସି ତା ଶରୀରରେ ପଡୁଛି । ଲାଗୁଛି ଯେମିତି ଚନ୍ଦ୍ରାଲୋକ ରେ ତା ଶରୀରଟା ଦୁଇ ଖଣ୍ଡ ହେଇ ଯାଇଛି । ସେ ଭାବିଛି, ତା ଆଖିରେ ଖେଳି ଯାଉଛି ତା ପିଲା ବେଳ ଦୃଶ୍ୟ । ତା'ର ବାପା ତାକୁ ଖୋଇ ଦେଇଛନ୍ତି, କି ଅପୂର୍ବ ଆନନ୍ଦ ! ବିଲରୁ ଖଟି ଖଟି ଆସି ଯେତେବେଳେ ସେ ତାଙ୍କ ପୁଅକୁ ଦେଖୁଛନ୍ତି ସେତେବେଳେ ସେ ସବୁ ଭୁଲି ତା ପାଖରେ ସବୁତକ ସ୍ନେହ ଢ଼ାଳି ଦେଉଥାନ୍ତି । ମା'ଙ୍କୁ ସେ ଦେଖିନାହିଁ କିନ୍ତୁ ବାପାଙ୍କ ମଧ୍ୟରେ ସେ ପାଇଛି ମା ସ୍ନେହ ଓ ବାପାଙ୍କ ଭଲପାଇବା ।

      ଆଖି ଖୋଲି ଯାଇଛି , ସେ ଖୋଜି ବୁଲିଛି ତାର ମା'କୁ । ନପାଇ ବାଧ୍ୟହୋଇ ପୁଣି ଆଖି ବୁଜିଛି । ଆଖିରେ ପୁଣି ତା'ର ଆଉ ଏକ ଦୃଶ୍ୟ ଯେଉଁଥିରେ ସେ ଚାଷ କାର୍ଯ୍ୟରେ ବାପାଙ୍କ କାନ୍ଧ ସହ କାନ୍ଧ ମିଶାଇ ବାପାଙ୍କୁ ସାହାଯ୍ୟ କରୁଛି । କଥାରେ ଅଛି 'ପୁଅକୁ ଷୋଳ ବର୍ଷ ହେଲେ ସେ ବାପାଙ୍କ କାନ୍ଧରେ କାନ୍ଧ ଦେଇଥାଏ' । ଟଙ୍କା ଅଭାବରୁ ତ ସେ ପଢ଼ିଲା ନାହିଁ ମାତ୍ର ବାପାଙ୍କୁ ସାହାଯ୍ୟ କରିବାରେ ଦୁଃଖ କରେ ନାହିଁ । ଆଖିରୁ ଲୁହ ପୋଛି ଦେଇଛି । ପୁଣି ଦେଖିଛି, ଏଥର କିନ୍ତୁ ଦେଖିଛି ଆଉ ଏକ ମୁହଁ । ଆର ଗାଁ ମଧୁ ମହାନ୍ତିଙ୍କ ଏକମାତ୍ର ଅଲିଅଳି କନ୍ୟା । ମଧୁ ମହାନ୍ତି, ଗ୍ରାମର ମହାଜନ । ବ୍ୟବସାୟ ତାଙ୍କର ସୁଦ୍ଧ ଦେଣ ନେଣ । ଅରି ରୂପରେ ଲାବଣ୍ୟା । ପିଲାଦିନେ ଯେଉଁ ସ୍କୁଲରେ ସାଗର ପଢୁଥିଲା ଅରି ମଧ୍ୟ ସେହି ସ୍କୁଲରେ ପଢୁଥିଲା । ତଫାତ୍ ଏତିକି ମାଟ୍ରିକ୍ ପରେ ଅରି କଟକ ସହରର ଏକ ନାମି ମହାବିଦ୍ୟାଳୟରେ ପରବର୍ତ୍ତୀ ଅଧ୍ୟୟନ କରିଲା କିନ୍ତୁ ସାଗର ଅର୍ଥ ଅଭାବରୁ ଆଉ ପଢିଲା ନାହିଁ । ଦ୍ବାଦଶ ପରେ ଅରି ସ୍ନାତକ ଅଧ୍ୟୟନ କଲା । ଅରି ଏବେ ଆଧୁନିକା ଓ ଉଚ୍ଚ ଶିକ୍ଷିତା, କିନ୍ତୁ ସେ ଏବେ ଦିନ ମଜୁରିଆ ।

      ତଥାପି ଏବେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା । ପ୍ରତି ମାସରେ ଅରି ସାଗର ନିକଟକୁ ପତ୍ର ଲେଖେ ସାଗର ମଧ୍ୟ ସବୁବେଳେ ପ୍ରତି ବଦଳରେ ପତ୍ର ଟିଏ ଲେଖି ପଠାଏ ତା ନିକଟକୁ । ଯଦି କୋଉ ମାସରେ ଚିଠି ଆସିବାରେ ବିଳମ୍ବ ହୁଏ ତେବେ ବିଚଳିତ ହୋଇ ସାଗର ଚାଲିଯାଏ ଦେଖା କରିବା ନିମିତ୍ତ । କିଛି ଦିନ ହେବ ଚିଠି ଆସିନାହିଁ, କାମ ବ୍ୟସ୍ତତା ମଧ୍ୟରେ ସେ ମଧ୍ୟ ଆଉ ଯାଇପାରି ନାହିଁ । ହଠାତ୍ ଗୋଟିଏ ଚିଠି ଆଣି ହରି ମାଷ୍ଟ୍ରେ ସାଗରକୁ ଦେଇଗଲେ । ଚିଠି ପାଇ ସାଗର ବହୁତ୍ ଖୁସି, ଅନେକ ଦିନ ପରେ ଅରିର ଚିଠି । ଲେଖାଥିଲା- "ପ୍ରିୟର ବନ୍ଧୁ ସାଗର, ମୁଁ ଅରି ତୁମର ସେଇ ଚିର ଦିନର ବନ୍ଧୁ । ପ୍ରିୟବନ୍ଧୁ ତୁମ ସହିତ ମୋର ଅନେକ ଜରୁରୀ କଥା ଅଛି । ତୁମ ସହ କ'ଣ ଦେଖା ହୋଇ ପାରିବ ? ତୁମେ କ'ଣ ଆସି ପାରିବ ? ମୁଁ ଜାଣେ ତୁମେ ଆସିବ । ଇତି ତୁମ ଅପେକ୍ଷାରେ, ଅର୍ଚନା..."

      ଚିଠି ପଢିବା ମାତ୍ରକେ ତା ପରଦିନ ସକାଳୁ ସାଗର ତା'ର ସଞ୍ଚିତ କୁମ୍ପାଟିକୁ ଭାଙ୍ଗି ସବୁତକ ଟଙ୍କା ଧରି ଯାତ୍ରା ନିମନ୍ତେ ବାହାରି ପଡିଲା । ଆଗରୁ ମଧ୍ୟ ସେ ଯାଇଛି କିନ୍ତୁ ଏ ଯିବାଟା ଟିକେ ଭିନ୍ନ ଥିଲା । ଗାଁ ମୁଣ୍ଡ ବସ୍ ଷ୍ଟାଣ୍ଡରୁ ବସ୍ ଧରି ସେ ବାହାରି ଯାଇଛି । ତାର ସେଇ ଚିର ଦିନର ନାୟିକାକୁ ଦେଖା କରିବା ନିମନ୍ତେ ସେ ଆଜି ବ୍ୟାକୁଳ । ବାଟ ସାରା ଭାବୁଥାଏ 'ଯାହା ହେଉ ଆଜି ମୁଁ ନିଶ୍ଚେ ଅରିକୁ ମୋ ମନ କଥା କହିବି । ଆଉ ଜଣେଇ ଦେବି, ମୁଁ ତାକୁ କେତେ ଭଲପାଏ । ଦେଖେଇ ଦେବି ଏଇ ଦୁନିଆକୁ ସାଗର କେବଳ ଅରିର । ନିଶ୍ଚିତ, ମୁଁ ନିଶ୍ଚିତ କହିବି ତାକୁ । ପହଞ୍ଚିଛି ଯାଇ ଅରି କଲେଜ ସାମ୍ନାରେ । ରାସ୍ତା ଆର ପାଖରେ ଦେଖିଛି ଅରିକୁ , ମନଟା ତାର ପୁରି ଉଠିଛି । ମନ ବ୍ୟାକୁଳ ହୋଇ ଉଠିଲା ତାକୁ କୋଳାଗ୍ରତ କରିବା ପାଇଁ ।

      ଦୂରରୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛି, ଏ ଯୁବକ ! ଏ କିଏ ? ଏ କ'ଣ ଅରି ସାଙ୍ଗରେ ? ପ୍ରଶ୍ନ ପଚାରିଛି ନିଜ ମନକୁ, ପୁଣି ମନକୁ ଆଶ୍ୱସନା ଦେଇ ଭାବିଛି; ହଁ ସାଙ୍ଗ ହୋଇଥିବ ନିଶ୍ଚୟ । ଅରି ହାତ ଠାରି ଡାକେ ସାଗରକୁ । ମନରେ ବଡ଼ ସନ୍ଦେହ । ତଥାପି ପାଖକୁ ଯାଇଛି । ଅରି କୋଳାଗ୍ରତ କରିଛି ଆଉ ପାଖରେ ଥିବା ଯୁବକ ଜଣଙ୍କୁ କହିଛି "ଏ ସାଗର ମୋ ପିଲା ବେଳର ବନ୍ଧୁ । ଆଉ ସାଗର ଇଏ ସମର୍ଥ , ମୁଁ ୟାଙ୍କୁ ଭଲ ପାଉଛି । ତମେ ଯଦି..." କହିଚାଲିଛି କେତେ କ'ଣ। ଚମକି ପଡ଼ିଲା ସାଗର ନାଥୁକି ବସିପଡ଼ିଲା ମୁଣ୍ଡରେ ହାତ ଦେଇ, କିନ୍ତୁ ତାର ଶରୀର ଛିଡା ହୋଇଥାଏ । ହୃଦୟ ଆନ୍ଦୋଳିତ ହୋଇଗଲା । ଲଗିଲା ଯେମିତି କିଏ ଛାତି ଉପରେ ବସି ହାତୁଡ଼ିରେ ଗୋଟେ କଣ୍ଟାକୁ ପିଟୁଛି ଆଉ କଣ୍ଟାଟା ତା ଛାତି ଭିତରକୁ ଗଳି ଯାଉଛି । କିଛି କହି ପାରିଲା ନାହିଁ ସେ । ମନର କଥା ଓଠ ଯାଏ ଆସି ମଧ୍ୟ ଅଧା ଗଢ଼ା ହୋଇ ତାହା ଲୁଚି ଗଲା କେଉଁ ଗଭୀରତା ଭିତରେ । ଅରିଠୁ ବିଦାୟ ନେଲା । ସେଠାରୁ ସେ ଏକା ନିଶ୍ବାସକେ ଫେରିଆସିଲା ନିଜ ଛୋଟ କୁଡିଆକୁ ?

      ଆଜି ନିଜ ବିଲରେ ଥିବା ବେଳେ ହରି ମାଷ୍ଟ୍ରେ ଆଉ ଗୋଟେ ଚିଠି ଦେଇଯାଇଛନ୍ତି । ଚିଠି ଟି ଖୋଲିଛି । ଚିଠି ସହିତ ଗୋଟେ ଲାଲ ରଙ୍ଗର ମୋଟା କାଗଜ ଖଣ୍ଡ । ଚିଠିରେ ଲେଖାଥିଲା " ତୁମକୁ ମୁଁ ଅପେକ୍ଷା କରିଥିବି ବନ୍ଧୁ । ମୁଁ ଜାଣେ ତୁମେ ନିଶ୍ଚିତ ଆସିବ " ଆଖିରୁ ତାର ଅସରନ୍ତି ଲୁହର ଧାର ଆଉ ସେ ଜୀର୍ଣ୍ଣ ମସିଣାଟା ସମ୍ପୂର୍ଣ୍ଣ ଓଦା ।


Rate this content
Log in

Similar oriya story from Tragedy