Arun Kumar Mohanty

Tragedy

4.8  

Arun Kumar Mohanty

Tragedy

ଶେଷ ଚିଠି

ଶେଷ ଚିଠି

3 mins
468


ଏ ମନ ବହୁତ ଅବୁଝା.. ଏଇ ମନରେ କେତେ ଆଶା କେତେ ଉଦ୍ଦୀପନା। କିଛି ପାଇବାର ଆଶା ପୁଣି କିଛି ଭୁଲିଯିବାର କଥା । ମୁଁ ଜାଣିନି ମୁଁ କେମିତିକା ପିଲା ? ଭଲ ନା ଖରାପ ? କିନ୍ତୁ ଏତିକି ଜାଣିଛି ମୁଁ ତୁମକୁ ବହୁତ ଭଲ ପାଏ । ଆମେ ଆମର ସମ୍ପର୍କ ଏତେ ମଜବୁତ୍ କରିଥିଲେ ଯେ ତୁମର ସେ ରାଗ ରୁଷା, ମାନ ଅଭିମାନ ରେ କି ମୋର ଛୋଟ ଛୋଟ ଝଗଡ଼ା ରେ କେବେ ଭାଙ୍ଗି ନ ଥିଲା କାରଣ ଆମେ ଆମର ସମ୍ପର୍କକୁ ନିଜର ମୂଲ୍ୟବାନ ସମୟ ଦେଇଥିଲେ, ଦେଇଥିଲେ ରାତିର ନିଦ, ନିବିଡ ଭଲପାଇବା, ଗୋଟେ ଛୋଟ ଶିଶୁ ପରି ତାହାର ଯତ୍ନ ନେଇଥିଲେ ଅସୀମ ସ୍ନେହ ଆଉ ପ୍ରେମର ପରଷରେ, ବିଶ୍ୱାସର ଶକ୍ତ ରଶିରେ ବାନ୍ଧି ରଖିଥିଲେ ।

ମାନୁଛି ଗୋଟେ ଦୁର୍ବଳ ମୃହୁତରେ ମୁଁ ତୁମକୁ ସନ୍ଦେହ କରିଥିଲି କିନ୍ତୁ ପର ମୃହୂତରେ ଘୋର ଅନୁତାପ ବି କରିଥିଲି । ପୁଣି ଏତେ ଘନିଷ୍ଠତା ଭିତରେ ଅବିଶ୍ବାସର ଆଶଙ୍କା ନ ଥିଲା ମୋ ମନରେ।

ସକାଳର ପହିଲି କିରଣରେ ଯେବେ ମୋ ଆଖି ଖୋଲେ ସେତେବେଳେ ତୁମେ ମୋ ମାନସ ପଟରେ ଉଦଭାସିତ ହୁଅ ପ୍ରାଚୀ ପ୍ରାନ୍ତରୁ ରକ୍ତକର୍ଣ୍ଣର ପାଟ ପିତମ୍ବରିଧାରୀ ଅରୁଣ ପରି । ଆଉ ରାତିରେ ଶୋଇଲା ବେଳେ ମୁଁ ସାଉଁଟି ନିଏ ତୁମ ସହ ମୋର ସେହି ଅଭୁଲା ସ୍ମୃତିର ଭାବନା ପୁସ୍ତକକୁ ଆଉ ପଢିଚାଲେ ତାର ଗୋଟେ ଗୋଟେ ଫର୍ଦ...।

କର୍ମବହୁଳ ଜୀବନରେ ଯେବେ ଟିକିଏ ଫୁର୍ଷତ୍ ମିଳେ ଚାଲିଯାଏ ଘର ପାଖ ରାଧା ମାଧବ ମନ୍ଦିରକୁ ଆଉ ଅଳି କରି ମାଗି ବସେ ତୁମକୁ ଛୋଟ ପିଲାଟିଏ ପରି । 

ହେ ଜାଣିଛ , ମୋର ସମସ୍ତ ଦୁଃଖ, ଯନ୍ତ୍ରଣା ଆଉ ମୋର ଏ ବିଚଳିତ ଅବୁଝା ମନ ଗୋଟେ ମୃହୁତରେ ଉଭେଇ ଯାଏ ତୁମର ସେ ମଧୁଝରା  ପଦିଏ କଥାରେ । ମୁଁ ଆଜି ବି ବୁଝିପାରେନି ୟା ଠାରୁ ଜଣେ ଜଣକୁ ଆଉ କେତେ ଅଧିକା ଭଲ ପାଇ ପାରେ? ଆଉ ଏତେ ସବୁ କରିଲା ପରେ ବି ସେ ଇଶ୍ୱର ମୋ ଉପରେ ତାଙ୍କର ଟିକେ ବି ଦୟା ଆସିଲାନି । ଆଉ ଦୂରେଇ ଦେଲେ ତୁମକୁ ମୋ ଠାରୁ ଦୂରକୁ ବହୁ ଦୂରକୁ ହୋଇପାରେ ମୋ ପାପ ମୋ ପ୍ରେମ ଠାରୁ ବହୁତ ଅଧିକ.... ଯାହାପାଇଁ ସେ ମୋତେ ଏମିତି ସଜା ଦେଲେ । ସ୍ୱପ୍ନରେ ବି କେବେ ଭାବି ନ ଥିଲି ତୁମ ଠାରୁ ଅଲଗା ହେବାକୁ ପଡ଼ିବ । ତୁମକୁ ନାୟିକା ଭାବି ଯେଉଁ ସ୍ଵପ୍ନର ତାଜମହଲ ଗଢିଥିଲି ତାହା ଏକ ଅକାଳ ଚଡ଼କ ରେ ହଠାତ୍ ଭାଙ୍ଗି ପଡ଼ିବ କେବେ କଳ୍ପନାରେ ସ୍ଥାନ ଦେଇ ନ ଥିଲି । ସମୟ ତ ବହି ଚାଲିଛି କେତେ ବେଳେ ଏ ସମୟ ମୋଡ଼ ବଦଳେଇ ଦେବ ଆଉ ମୋର ଶେଷ ସମୟ ଆସିଯିବ ଜାଣିନି । ତା ପୂର୍ବରୁ ମୁଁ ତୁମକୁ କିଛି କହିବାକୁ ଚାହୁଁଛି । ଯାହା ମୁଁ ତୁମକୁ ବହୁତ ପୂର୍ବରୁ କହିବାକୁ ଚାହୁଥିଲି ।

ଆମେ ସମାଜ ସହ ଲଢ଼ି ପାରିବା, ଜାତି ଆଉ ପରମ୍ପରା ସହ ବି ଲଢ଼ି ପାରିବା, ହେଲେ ଈଶ୍ୱର ସହ ଲଢ଼ିବା ପାଇଁ ଆମର ଶକ୍ତି ନାହିଁ । କାରଣ ଆମେ ମଣିଷ । କିନ୍ତୁ ଆମ ପ୍ରେମ ସେ ଈଶ୍ୱର ସହ ନିଶ୍ଚୟ ଲଢିବ କାରଣ ତାକୁ ବଞ୍ଚିବାକୁ ହେବ । ସେଥିପାଇଁ ଆମେ ଏକାଠି ହୋଇ ପାରିଲେନି । ତୁମେ ମନ ଦୁଃଖ କରିବନି । ଯେତେ ବେଳେ ତୁମେ ମୋତେ ପଢିବ... ମୋ କବିତାରେ ମୋତେ ନିଶ୍ଚୟ ପାଇବ । ଆଉ ମୋ କାହାଣୀରେ ତୁମେ ସବୁବେଳେ ନାୟିକା ହୋଇ ରହିଥିବ । ଆମେ ନିଜକୁ ଏ ପ୍ରେମରେ ହଜେଇ ଦେବା । ଶୁଣିଛି ପ୍ରେମ କୁଆଡେ ଅଦୃଶ୍ୟ ପବନ ପରି । ଯେତେଦିନ ତୁମ ନିଶ୍ବାସ ଚାଲିଥିବ ତୁମେ ମୋତେ ଅନୁଭବ କରି ପାରିବ । ତୁମେ ନିଜକୁ ମଜଭୁତ କରିବ କେବେ ଭାଙ୍ଗି ପଡ଼ିବନି । ଯଦି ମୁଁ ଆଉ ନ ଫେରେ...ମୋ ଅସ୍ତିତ୍ବ ହଜିଯାଏ ତଥାପି ତୁମେ କାନ୍ଦିବନି, କେବେ ଡରିବନି ଆଗକୁ ବଢ଼ି ଚାଲିବ । ମୁଁ ତୁମର ଦୁର୍ବଳତା ନୁହେଁ ସାହସିକତା ଦେଖିବାକୁ ଚାହେଁ । କାରଣ ମୁଁ ଜାଣିଛି ତୁମେ ଦୁର୍ବଳ ନୁହଁ । ମୋର ଶେଷ ଇଚ୍ଛା ପୂରଣ କରିବ ସୀମା । କରିବ ନା...???

                            ଇତି....

                               (ରାହୁଲ୍) 

ଆଜି ରାହୁଲ୍ ନାହିଁ କିନ୍ତୁ ତାର ସେ ପ୍ରେମ ଭଲପାଇବା, ସୀମା ଗୋଟି ଗୋଟି କରି ସାଇତି ରଖିଛି ତା ହୃଦୟ ସଂଗ୍ରହାଳୟ ରେ....

ରାହୁଲ୍ ର ଶେଷ ଚିଠି ପଢି...ବର୍ଷେ ପରେ ପ୍ରଥମ ଥର ସୀମା ଆଖିରୁ ଦୁଇ ଟୋପା ଲୁହ ଝରି ଆସିଲା.... କାରଣ ଆଜି ଥିଲା

                      ରାହୁଲ୍ ର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ..


Rate this content
Log in

Similar oriya story from Tragedy