STORYMIRROR

sonalika Dash

Tragedy Crime Others

4  

sonalika Dash

Tragedy Crime Others

ସେହି ସାତ ଜଣ

ସେହି ସାତ ଜଣ

4 mins
290


ଦେଶରେ ଅନ୍ତିମ ଯୁଦ୍ଧର ବିଗୁଲ ବାଜି ସାରିଥାଏ । ୧୯୪୨ ମସିହା ଅଗଷ୍ଟ ୮ ତାରିଖ ଅର୍ଦ୍ଧରାତ୍ରରେ ଭାରତର ସେନାଧ୍ୟକ୍ଷ ମହାତ୍ମା ଗାନ୍ଧୀ ଗିରଫ ହୋଇ ସାରିଥାନ୍ତି । କସ୍ତୁରବା ପତିଙ୍କର ଅଧୁରା କାମକୁ ପୁରା କରିବାକୁ ଯାଇ ଇଂରେଜ ଭାରତ ଛାଡର ଘୋଷଣା ବମ୍ବେର ଶିବାଜୀ ପାର୍କରେ ୯ ତାରିଖ ଦିନକରି ଗିରଫହୋଇ ପୁନାର ଆଗା ଖାଁ ଜେଲରେ ବନ୍ଦୀ ହୋଇଥାନ୍ତି। କଂଗ୍ରେସର ଏହି ଯୁଦ୍ଧ ଘୋଷଣାରେ କେବଳ ଦିଲ୍ଲୀର ଭାଇସରାୟ ଭବନ ନୁହେଁ, ଲଣ୍ଡନର ବଙ୍କିଙ୍ଗହାମ ପ୍ୟାଲେସ ସୁଦ୍ଧା ଥରହର ହେଉଥାଏ। ସୂର୍ଯ୍ୟ ଅସ୍ତ ହେଉନଥିବା ସାମ୍ରାଜ୍ୟକୁ ଚ୍ୟାଲେଞ୍ଜ କରିଛନ୍ତି ଭାରତର ଭୋକିଲା ନିରସ୍ତ୍ର ଲୋକେ ପୁଣି ଜଣେ ଲଙ୍ଗଳା ଫକୀରର ଆହ୍ଵାନରେ । ବ୍ରିଟିଶ ସରକାର ବି ନଛୋଡବନ୍ଧା । ଯଦି ଯୁଦ୍ଧରେ ହାରହୁଏ, ତେବେ ଦୁନିଆ ଆଗରେ ମୁହଁ ଦେଖାଇ ହେବ ତ ?ତେଣୁ ଭାରତରେ ଅବସ୍ଥାପିତ ସରକାରକୁ କଡା ନିର୍ଦେଶ ଥାଏ, ଯେପରି ହେଉ, ଏ ଯୁଦ୍ଧରେ ଇଂଲଣ୍ଡର ଜୀତାପଟ ଜରୁରୀ । 

 ଉଭୟ ପକ୍ଷ କେହି ବି ପଛଘୁଞ୍ଚା ଦେବାର ଅବକାଶ ନାହିଁ । ବ୍ରିଟିଶ ସରକାର ନିଜର ଜୀତାପଟକୁ ନିଶ୍ଚିତ କରିବା ଲକ୍ଷରେ ଆକୁମାରୀ ହିମାଚଳ ସ୍ଵାଧୀନତା ଆନ୍ଦୋଳନରେ ସମ୍ପୃକ୍ତ ପ୍ରତିଟି ବ୍ୟକ୍ତିକୁ ଗିରଫ କରିବାରେ ଲାଗିଥାଏ । ଅନେକେ ଯୁଦ୍ଧ ପରିଚାଳନା ପାଇଁ ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଥାନ୍ତି ।

 ଠିକ ଏତିକିବେଳେ ବିହାରର ରାଜଧାନୀ ପାଟନାଠାରେ ଏକ ବିଶେଷ ଘଟଣା ଘଟିଲା । ୯ ତାରିଖ ଦିନ ଜୟପ୍ରକାଶ ନାରାୟଣ, ରାଜେନ୍ଦ୍ର ପ୍ରସାଦ,ଅନୁଗ୍ରହ ନାରାୟଣ ସିଂହ, ମଥୁରା ବାବୁ, ଶ୍ରୀକୃଷ୍ଣ ସିଂହ, ଭଗବତୀ ଦେବୀ ଆଦି ନେତୃମଣ୍ଡଳୀ ଗିରଫ ହୋଇସାରିଥିବାରୁ ଭବିଷ୍ୟତ ଯୋଜନା ପ୍ରସ୍ତୁତ ପାଇଁ ବାନର ସେନା ବାହିନୀ ଏକ ଜରୁରୀ ବୈଠକ ଆୟୋଜିତ କରିଥାଏ । ବୈଠକରେ ନିଷ୍ପତ୍ତି ହେଲା, ଆଗାମୀ ୧୧ ତାରିଖରେ ପାଟନା ସଚିବାଳୟ ଉପରେ ଉଡୁଥିବା ଯୁନିଅନ ଜ୍ୟାକକୁ ଖୋଲିଦେଇ ବାନରସେନାର ପ୍ରତିନିଧିମାନେ ତିରଙ୍ଗା ଉଡାଇବେ ଓ ବିହାର ରାଜ୍ୟର ସ୍ଵାଧୀନତା ଘୋଷଣା କରିଦେବେ । ଏହି ନିଷ୍ପତ୍ତି ସରକାରଙ୍କୁ ଜଣାଇଦିଆଗଲା। ସଂଗ୍ରାମୀମାନଙ୍କୁ ଗିରଫ କରି ଆନ୍ଦୋଳନକୁ ଦବେଇଦେବା ପାଇଁ ରାତିଦିନ ଏକାଠି କରିଦେଇଥିବା ପାଟନାର ତତ୍କାଳୀନ ଜିଲ୍ଲାପାଳ ଡବ୍ଲ୍ୟୁ॰ ଜି॰ ଆର୍ଚର ଏ ଖବର ପାଇବାମାତ୍ରେ କ୍ରୋଧରେ ଅଗ୍ନୀଶର୍ମା ହୋଇଗଲେ । ଟୋକା ଓ ବୁଢାଙ୍କୁ ଗିରଫ କରି ସେ ନିଜର ଜୀତ ପକ୍କା କରିବାକୁ ବସିଥିବା ବେଳେ ଏ ମେଞ୍ଚଡ ଛୁଆ ସରକାରଙ୍କୁ ଚାଲେଞ୍ଜ କରିବେ ? ନିର୍ଣ୍ଣୟ ଶୁଣାଇଦେଲେ, ଯେ କେହି ଏପରି ଅପଚେଷ୍ଟା କରିବ,ତାକୁ ଗୁଳି କରି ଶେଷ କରିଦିଆଯିବ । ଜିଲ୍ଲାପାଳଙ୍କର ଏହି ଘୋଷଣାକୁ ପାଳନ କରିବାକୁ ବିହାର ପୋଲିସ ମନା କରିଦେଲା । ଆମ ନିଜ ପିଲାଙ୍କ ଉପରେ ଗୁଳି ଚଳାଇବାକୁ ଆମର ହାତ ଯିବ ନାହିଁ ବୋଲି ସ୍ପଷ୍ଟ ଜବାବ ଦେଲା ବିହାର ପୋଲିସ । ହେଲେ ଆର୍ଚର ସାହେବ କି ହାରିଯିବା ମଣିଷ ! ନିଷ୍ପତ୍ତି କଲେ, ପୋଲିସ କଥା ପରେ ବୁଝାଯିବ, ପ୍ରଥମେ ମାଙ୍କଡମାନଙ୍କୁ ସାବାଡ କରିବାକୁ ହେବ । ତେଣୁ ପିଲାଙ୍କ ଉପରେ ଗୁଳି ଚଳାଇବାକୁ କଲିଜା ରଖିଥିବା ଗୁର୍ଖା ପୋଲିସ ଓ ପଞ୍ଜାବ ପୋଲିସର ବଛା ବଛା ଶିକାରୀଙ୍କୁ ରାତାରାତି ପାଟନା ଅଣାଗଲା।

 ପୂର୍ବ ଘୋଷଣା ମୁତାବକ ଅଗଷ୍ଟ ୧୧ତାରିଖ ସକାଳ । ବାନର ସେନାବାହିନୀ ବିଭିନ୍ନ ଜିଲ୍ଲାରୁ ଆସି ପାଟନାରେ ଜମା ହେବାକୁ ଲାଗିଲେ । କିଏ ଘରୁ ବାପାମାଆଙ୍କୁ ଲୁଚିକରି ଆସିଛି ତ କିଏ ମଗଧର ଇତିହାସକୁ ରିନ୍ୟୁ କରିବାକୁ ପଣ କରିଛି । ଦେଖୁଦେଖୁ ଶହ ଶହ ବାନରସେନା ଠୁଳହେବାକୁ ଲାଗିଲେ । ତାଲିକା ମୁତାବକ ଯୋଦ୍ଧାମାନେ ଜଣକ ପରେ ଜଣେ ଧାଡିକରି ଛିଡା ହୋଇଥାନ୍ତି ।ବନ୍ଦେ ମାତରମ ଓ ମହାତ୍ମା ଗାନ୍ଧୀକି ଜୟ ଧ୍ଵନୀରେ ଗଗନପବନ ପ୍ରକମ୍ପିତ ହେଉଥାଏ । ସବା ଆଗରେ ହାତରେ ତିରଙ୍ଗା ଧରି ଛିଡା ହୋଇଛି ସାରଣ ଜିଲ୍ଲାର ନରେନ୍ଦ୍ର ପୁର ଗାଁର ଉମାକାନ୍ତ ପ୍ରସାଦ ସିହ୍ନା । ଆଉ ଅପରପଟରେ ଟ୍ରିଗାର ଉପରେ ହାତଦେଇ ପ୍ରସ୍ତୁତ ପୋଲିସ ବାହିନୀ । ଦେଖଣାହାରୀ ମହାଭାରତର ଚକ୍ରବ୍ୟୁହର ଅଭିମନ୍ୟୁକୁ ମନେପକାଉଥାନ୍ତି ।ଆଉ ଏତିକିବେଳେ ଦ୍ରୁତଗତିରେ ଆଗକୁ ବଢିଲା ଉମାକାନ୍ତ । ହାତରେ ଫରଫର ଉଡୁଛି ତ୍ରିରଙ୍ଗା । ହଠାତ ଗୁଳିର ଆୱାଜ । ଓଲଟିପଡିଲା ସେ । ତଳେ ପଡିଯିବାପୂର୍ବରୁ ଭାଗଲପୁର ଜିଲ୍ଲାର ଖଡହରା ଗାଁର ସତୀଶ କୁମାର ଝା ତିରଙ୍ଗାକୁ ତୋଳିଧରି ଆଗକୁ ବଢିଲା । ପୁଣି ସେହି ଶବ୍ଦ, କିଛିବାଟ ଆଗକୁ ଯାଇ ସେ ବି ଟଳିପଡିଲା । ଏଥର ପାଳି ଔରଙ୍ଗାବାଦ ଜିଲ୍ଲାର ଖରାଟୀ ଗାଁର କୁମାର ଜଗପତିଙ୍କର । ଏହି ନୁଆଯୁଗର ଅଭିମନ୍ୟୁମାନଙ୍କର ସାହସ ଦେଖି ପୋଲିସବାହିନୀ ବି ସ୍ତବ୍ଧ । ଜଗପତିଙ୍କର ଗତିକୁ ରୋକିବାପାଇଁ ଗୋଡକୁ ଚଳାଗଲା ଗୁଳି । ହେଲେ ସେ ତ ଜଗପତି । ବାପା ସୁଖରାଜ ବାହାଦୁର ନାଁକରା ଜମିଦାର, ବଡଭାଇ ବି ଜମିଦାରୀରେ ସିଦ୍ଧହସ୍ତ । ମଝିଆ ଭାଇ ଆସାମରେ ବିଶିଷ୍ଟ ଓକିଲ । ଆଉ ସେ ପାଟନା ବିଏନ କଲେଜର ବିଜ୍ଞାନ ଛାତ୍ର । ଗୋଡରେ ଗୁଳି ବାଜିବାରୁ ଅପମାନିତ ହେଲା ସେ । ପିନ୍ଧିଥିବା ସାର୍ଟଟି ଚିରିଦେଇ ଗର୍ଜି ଉଠିଲା ଗୋଡରେ ନୁହେଁ ଛାତିକୁ ଗୁଳି ମାର। ପୁଣି ଫୁଟିଲା ଗୁଳି, ଶହୀଦ ହୋଇଗଲା କିଶୋର ଜଗପତି ।ହେଲେ ପତାକାର ଅଗ୍ରଗତିକୁ କିଏ ବା ରୋକିବ?

ପାଟନାର ଶାହାଦତ ନଗରର ରାମାନନ୍ଦ ସିଂହ । ସଚିବାଳୟର ଛାତ ଉପରେ ସେ ବୀରଗତି ପ୍ରାପ୍ତ ହେଲା ।ତାଙ୍କପରେ ଜମାଲପୁର ଜିଲ୍ଲାର ସିଲହଟ ଗାଁର ଦେବୀପଦ ଚୌଧୁରୀ । ତାଙ୍କପରେ ପାଟନାର ଦଶରଥା ଗାଁର ରାମ ଗୋବିନ୍ଦ ସିଂହ ସଚିବାଳୟ ଛାତ ଉପରୁ ଯୁନିଅନ ଜ୍ୟାକ ଖୋଲି ଫିଙ୍ଗିଦେଲେ । ଶେଷରେ ସାରଣ ଜିଲ୍ଲାର ବନୱାରୀ ଚକ ଗାଁର ରାଜେନ୍ଦ୍ର ସିଂହ ତିରଙ୍ଗାକୁ ଉପରେ ଉଡାଉଥିବା ଅବସ୍ଥାରେ ଶେଷ ଗୁଳି ତାଙ୍କ ଛାତିବିଦ୍ଧ କଲା । ଶେଷ ଯୋଦ୍ଧା ବି ଟଳି ପଡିଲେ ଯୁଦ୍ଧଜୟ କରି । ମୁଖ୍ୟ ସେନାପତି ଗାନ୍ଧୀଜୀଙ୍କର “କର ବା ମର” ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ଯୁଗଯୁଗ ପାଇଁ ଆମର ହୋଇଗଲେ ଏହି ସାତଜଣ କିଶୋର ସିପାହୀ । 

 ଏହିଭଳି ଅଗଣିତ ଶହୀଦଙ୍କ ରକ୍ତପାତର ବିନିମୟରେ ଏହି ସ୍ଵାଧୀନତା । ଅନେକ ଭୁଲଠିକ ସତ୍ତ୍ୱେ ଆମରି ଡଙ୍ଗାରେ ଆମେ ନାଉରୀ ସାଜି ପଚସ୍ତରୀ ବର୍ଷର ଏହି ଯାତ୍ରା । ତେବେ ସ୍ଵାଧୀନ ଭାରତକୁ ଚୋର, ଖଣ୍ଟ,ତସ୍କର, ଦଙ୍ଗାକାରୀ, ନାରୀମାଂସ ଶିକାରୀଙ୍କ ହାତକୁ ଟେକିଦେବା ଅଥବା ଗାନ୍ଧୀଜୀଙ୍କର ସେହି ଶେଷ ମଣିଷକୁ ସମର୍ପିତ କରିବା, ସ୍ଵାଧୀନତାର ଏହି ଅମୃତ ମହୋତ୍ସବ ବର୍ଷରେ ନିର୍ଣ୍ଣୟ ଜରୁରୀ ।    



Rate this content
Log in

Similar oriya story from Tragedy