ପ୍ରାରବ୍ଧର ପାପ ପୁଣ୍ୟ
ପ୍ରାରବ୍ଧର ପାପ ପୁଣ୍ୟ
ପ୍ରାରବ୍ଧର ପାପ ପୁଣ୍ୟ ଉପରେ ଆମର ଜନ୍ମ ନିର୍ଭର କରିଥାଏ।ସେଥିପାଇଁ କିଏ ରାଜାର ପୁଅ ହୋଇ ଜନ୍ମ ହେଉଥିବା ସମୟରେ ଆଉ ଜଣେ ଭିକାରୀ ଘରେ ଜନ୍ମ ନେଇଥାଏ। ଜଣେ ଧର୍ମଜ୍ଞ ରାଜା ଥିଲେ। ସେ ଜାଣିବାକୁ ଚାହିଁଲେ ପୂର୍ବ ଜନ୍ମରେ ଏପରି କି ପୁଣ୍ୟ ଅର୍ଜନ କରିଥିଲେ ଯେ ତାଙ୍କୁ ଏତେ ସୁଖ ଓ ଆନନ୍ଦ ମିଳୁଛି। ବହୁ ଜ୍ୟୋତିଷ, ମୁନି ଋଷି ଓ ସାଧୁ ସନ୍ଥ ମାନଙ୍କୁ ଡକାଇ ରାଜା ଘୋଷଣା କଲେ ଯିଏ ରାଜାଙ୍କର ପୂର୍ବ ଜନ୍ମ କଥା କହିପାରିବ ତାକୁ ରାଜା ଅନେକ ଧନ ଦ୍ରବ୍ଯ ଦେବେ।ହେଲେ କେହିବି କହିପାରିଲେ ନାହିଁ। କିନ୍ତୁ ରାଜାଙ୍କ ରାଜ୍ଯର ଜଣେ ଦରିଦ୍ର ବୃଦ୍ଧ ବ୍ରାହ୍ମଣ ରାଜାଙ୍କ ପାଖକୁ ଆସି କହିଲେ,"ମହାରାଜ! ମୁଁ ଆପଣଙ୍କର ପୂର୍ବ ଜନ୍ମ କଥା କହିପାରିବି ନାହିଁ। କିନ୍ତୁ ଏହା ଜାଣିବା ପାଇଁ ବାଟ ବତେଇ ଦେବି। ରାଜା କହିଲେ ହଉ ଆପଣ ବାଟ ବତାନ୍ତୁ। ବୃଦ୍ଧ ଜଣଙ୍କ କହିଲେ ଆପଣଙ୍କ ଗୁହାଳରେ ଜଣେ ଅନ୍ଧ ଗଉଡ ଅଛି। ସେହି ଗୁଉଡକୁ ପଚାରିଲେ ସେ ଆପଣଙ୍କୁ ଯଥାର୍ଥ ଉତ୍ତର ଦେଇ ପାରିବ। ଅନ୍ଧ ଗଉଡ ରାଜାଙ୍କ ସବୁ କଥା ଶୁଣିଲା ପରେ କହିଲେ ଆପଣଙ୍କ ରାଜ୍ଯସୀମା ବାହାରେ ଗୋଟେ ପିଶାଚିନୀ ଅଛି। ସେ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିବ। ପିଶାଚିନୀ ପାଖକୁ ଗଲା ରୁ ସେ କହିଲା ରାଜନ୍ ଆପଣଙ୍କ ମନ୍ତ୍ରୀ ଜଣେ ଧର୍ମାତ୍ମା ପୁରୁଷ। ତାଙ୍କର ସାତ ବର୍ଷର ଝିଅ ଟିଏ ଅଛି। ସେ ଆପଣଙ୍କୁ ଯଥାର୍ଥ ଉତ୍ତର ଦେଇ ପାରିବ। ରାଜା ଝିଅଟି ପାଖକୁ ଗଲେ। ଝିଅଟି ରାଜାଙ୍କୁ କହିଲା,"ମହାରାଜ ଆପଣ ପୂର୍ବ ଜନ୍ମରେ ଜଣେ ଶ୍ରେଷ୍ଠ ଅତିଥି ସେବାକାରୀ ଦରିଦ୍ର ବ୍ରାହ୍ମଣ ଥିଲେ। ଆପଣ ଭଗବତ୍ ପରାୟଣ ଥିଲେ। ଆପଣ ଭିକ୍ଷା କରି ଯାହା ଆଣୁଥିଲେ ସେଥିରେ ଆପଣଙ୍କ ପରିବାର ଚଳୁଥିଲା। ଥରେ ଲଗାତର ବର୍ଷା ହେବାରୁ ଆପଣ ଆଉ ଭିକ୍ଷା କରିବାକୁ ନଜାଇ ପାରି ତିନି ଚାରି ଦିନ ଉପବାସରେ ଦିନ କାଟିଲେ। ଯେଉଁଦିନ ଭିକ୍ଷା ଆଣି ଭୋଜନ ପ୍ରସ୍ତୁତ କରି, ସେହି ଭୋଜନକୁ ଚାରିଟି କଦଳୀ ପତ୍ରରେ ପରଷି ଖାଇବାକୁ ଯାଉଥିବା ସମୟରେ ଦୁଇଜଣ ବ୍ରାହ୍ମଣ ଅତିଥି ଆପଣଙ୍କ ଘରେ ପହଞ୍ଚି ଗଲେ। ଏହାକୁ ଦେଖି ଆପଣଙ୍କ ସ୍ତ୍ରୀ ଓ ପୁଅ ଦୁଇଟି ପତ୍ର କୁ ଲୁଚେଇ ଦେଲେ। ଆପଣ ଏସବୁ ଜାଣି ନପାରି ଯେଉଁ ଦୁଇଟି ପତ୍ର ଥିଲା ଆପଣ ତାକୁ ଭିକ୍ଷୁକଙ୍କୁ ବଢାଇ ଦେଲେ। ମାତ୍ର ଭିକ୍ଷୁକ ଦୁଇଜଣ ସେହି ଭୋଜନକୁ ଚାରିଭାଗ କରି ଦୁଇଭାଗ ଖାଇ ସନ୍ତୁଷ୍ଟ ହୋଇ ଚାଲିଗଲେ। ଆଉ ଦୁଇଭାଗକୁ ଆପଣ ଓ ଆପଣଙ୍କ ବୋହୂ ଖାଇଲେ। ଏହି ଭୋଜନ ଦାନ କରିଥିବାରୁ ପରମାତ୍ମା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥିଲେ। ଆପଣଙ୍କ ସାଧୁସେବା, ଦାନ ପୁଣ୍ୟ ଯୋଗୁଁ ପରମେଶ୍ଵରଙ୍କ ଆଶୀର୍ବାଦ ପାଇ ଏହି ଜନ୍ମ ରେ ଆପଣ ରାଜା ହୋଇ ଅମାପ ସୁଖ ଓ ସମୃଦ୍ଧି, ଯଶ ଓ ଖ୍ୟାତି ପାଉଛନ୍ତି। ରାଜା ପୁଣି ପଚାରିଲେ ମୋ ନିଷ୍ଠୁର ସ୍ତ୍ରୀ, ଧର୍ମାନ୍ଧ ପୁଅ ଓ ଧର୍ମପ୍ରାଣା ବୋହୂ କୁଆଡେ ଗଲେ? ଝିଅଟି ଉତ୍ତର ଦେଲା, ମହାରାଜ! ଆପଣଙ୍କ ଘରେ ଯେଉଁ ଅନ୍ଧ ଗଉଡ ଅଛି ସେ ଆପଣଙ୍କ ପୁଅ, ଯେଉଁ ପିଶାଚିନୀ ପାଖକୁ ଯାଇଥିଲେ ସେ ଆପଣଙ୍କ ସ୍ତ୍ରୀ ଓ ମୁଁ ଆପଣଙ୍କ ବୋହୂ। ରାଜା ସମସ୍ତ କଥା ଶୁଣି ଭୋଗବିଳାସ ଉପଭୋଗ ନକରି ଦାନ, ଧର୍ମ ଓ ଲୋକଙ୍କ ହିତରେ ସମସ୍ତ ଧନ ସମ୍ପତ୍ତି ଖର୍ଚ୍ଚ କରି ପୂଣ୍ଯ ଅର୍ଜ୍ଜନ କରିବା ପାଇଁ ସ୍ଥିର କଲେ। ସେହି ଦିନ ଠାରୁ ସତ୍ କର୍ମ ରେ ନିଜକୁ ସାମିଲ କରି ପରମାତ୍ମା ପ୍ରାପ୍ତି ରେ ନିଜ ଜୀବନକୁ ଉତ୍ସର୍ଗ କରିଦେଲେ। ଏଥିରୁ ଆମେ ଜାଣିଲେ ଗୋଟିଏ ପରିବାରରେ ଜନ୍ମ ହୋଇ ମଧ୍ଯ ନିଜ ନିଜର କର୍ମ ଅନୁସାରେ ଆମକୁ ଫଳ ଭୋଗ କରିବାକୁ ପଡିଥାଏ ।
