STORYMIRROR

Purnimarani Sahoo

Tragedy

3  

Purnimarani Sahoo

Tragedy

ସେ ଲୁହ ମୋର ନଥିଲା

ସେ ଲୁହ ମୋର ନଥିଲା

2 mins
530

ସେ ନିସ୍ତଦ୍ଧ ରାତିର ଘନ ଅନ୍ଧକାରରେ ବିନା ପ୍ରଶ୍ନରେ ହୁଏତ ସେମାନେ ସେମିତି ନୀରବରେ ବହି ବହି ମରି ଯାଇଥାନ୍ତେ, ଯଦି ମୁଁ ତାଙ୍କୁ ପ୍ରଶ୍ନ କରିନଥାନ୍ତି, ତାଙ୍କର ଏପରି ଅବିରତ ଗତିର କାରଣ ଖୋଜି ନଥାନ୍ତି, ତେବେ ହୁଏତ ଆଜିର ସମୟ କିଛି ଅଲଗା ହୋଇ ଥାଆନ୍ତା ଆଉ ମୋର ସେଦିନର ଭୁଲ୍ ପାଇଁ ଆଜି ତୁମକୁ ଦଣ୍ଡ ଭୋଗିବାକୁ ପଡି ନଥାନ୍ତା।


ହେଲେ ମୁଁ କଣ ଜାଣିଥିଲି, ମୋର କେଇଟା ପ୍ରଶ୍ନର ପରିଣାମ ଦିନେ ଏତେ ଭୟଙ୍କର ରୂପ ନେବ ? ପ୍ରଶ୍ନ କରିବା ତ ସ୍ୱଭାବିକ ଥିଲା, କେମିତି କରିନଥନ୍ତି କୁହ ? ଜଣେ ଅଚିହ୍ନା ଅଜଣା ଅପରିଚିତ ଲୋକର ଗୋଟେ ଛୋଟ କାମଟେ ପାଇଁ ସେ ମନର ଏତେ ବ୍ୟାକୁଳତା ସେ ଆଖିର ଏତେ ଅନ୍ତରରଙ୍ଗତା କୋଉଠୁ ଆସିଲା, କେମିତି ଆସିଲା ଯେ ସେ ଆଖି ମୋ କଥା ନଶୁଣି ଲୁହ ଢାଳି ଚାଲିଥିଲା। କୋଳାହଳ ମୟ ଅମାବାସ୍ୟାରେ ବି ସେ ନିଜକୁ ଲୁଚେଇ ଚାଲିଥିଲା, ବୁଝେଇବାକୁ କେତେ ଚେଷ୍ଟା ନ କରିଛି ମୁଁ , କେତେ ପ୍ରଶ୍ନ ନ କରିଛି ମୁଁ... କିଏ ସିଏ ? ତୋ ଭାଇ, ବନ୍ଧୁ , କୁଟୁମ୍ବ ନା ତୋର କେହି ଅନ୍ତରଙ୍ଗ ନା ତୁ ତାକୁ ଜାଣିଛୁ ନା ଚିହ୍ନିଛୁ....ତଥାପି କୋଉ ଅଧିକାର ନେଇ ତୁ ଅଭିମାନର ଅଶ୍ରୁ ବୁହାଉଛୁ ? ହେଲେ ସେ କଣ ଶୁଣୁଥିଲା ନା ଟିକେ ଅଟକୁ ଥିଲା। ସେ ବୋଧହୁଏ ତୁମ ଚଞ୍ଚଳା ପ୍ରେମିକା ବୋଲି ନିଜକୁ ଭାବି ସାରିଥିଲା। 


ପ୍ରଥମ ଥର ପାଇଁ ଆଖି ପରଦାର ଶିକୁଳିରୁ ମୁକ୍ତ ହେଇଥିଲା ତ ସେଥିପାଇଁ ବୋଧେ ମୋ କଥା ଥରୁଟିଏ ଶୁଣିବାକୁ ବି ଅଟକୁ ନଥିଲା। ଆଉ ଯେତେବେଳେ ଟିକିଏ ଥୟ ହେଲା ମୋ ପ୍ରଶ୍ନର ଉତ୍ତର ଖୋଜିବାକୁ ଲାଗିଲା ସେତେବେଳେ ବହୁତ ଡେରି ହେଇ ସାରିଥିଲା। ବୋଧହୁଏ ଲୁହକୁ ପ୍ରଶ୍ନ କରିବା ମୋର ଭୁଲ୍ ଥିଲା। ଯାହାବି ହେଉ ପ୍ରଶ୍ନ ମୋର ଥିଲା , ଭୁଲ୍ ମୋର ଥିଲା ଆଉ ଉତ୍ତର ବି ମୋର ହିଁ ଥିଲା ହେଲେ ଅବଶୋଷ ଏସବୁର ଦଣ୍ଡ ତୁମକୁ ଭୋଗିବାକୁ ପଡିଲା। ପ୍ରେମରେ ବିରହର ଅଦୃଶ୍ୟ ଅଶ୍ରୁ ଏତେ କଷ୍ଟ ଦିଏ ଜାଣି ଥିଲେ ହୁଏତ ମୁଁ ତାକୁ ବହିବା ଆଗରୁ ମାରି ଦେଇଥନ୍ତି। ବାସ୍ ସେଇ ଦୁଇ ଦିନର କେଇବୁନ୍ଦା ଲୁହ ପାଇଁ ଆଜି ତୁମକୁ ଅନବରତ ଅଦୃଶ୍ୟ ଲହୁରେ ବୁଡିବାକୁ ଦେଇ ନଥାନ୍ତି।


ଆଜି ମୋ ଅନ୍ତରାତ୍ମା ମତେ ଦୋଷ ଦେଉଛି ମୋ ଉପରକୁ ଆଙ୍ଗୁଳି ଉଠାଉଛି କାଳେ ମୋ ପାଇଁ ତୁମକୁ ଏତେ କଷ୍ଟ ସହିବାକୁ ପଡୁଛି, ମୋ ଭୁଲ୍ ର ଦଣ୍ଡ ତୁମକୁ ମିଳୁଛି, ମୋ ପ୍ରଶ୍ନର ଉତ୍ତର ତୁମକୁ ଜାଳୁଛି, ମୋର ସେଦିନର ନୀରବତାର ଲୁହ ଆଜି ତୁମକୁ ଭସାଇ ନେଉଛି, ତୁମେ କୁହ କଣ ମୋ ଅନ୍ତରାତ୍ମା ସତ କହୁଛି ?


 ତୁମେ ତ ମତେ ମୋ ଠାରୁ ବି ଅଧିକ ଜାଣିଛ ନା ... ତେବେ କହିଦଉନା କାହିଁକି ସେ ଲୁହ ମୋର ନଥିଲା। ଅବଶ୍ୟ ବହିଯିବା ପାଇଁ ମୋ ଆଖିର ଆଶ୍ରୟ ନେଇଥିଲା, ହେଲେ ସେ ଲୁହ ମୋର ନଥିଲା.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy