STORYMIRROR

Amruta Mohanty

Abstract

3  

Amruta Mohanty

Abstract

ସେ ବନ୍ଚିଛି!

ସେ ବନ୍ଚିଛି!

2 mins
26.8K


ଆଜି ଦିନଟା ଭାରି ନିଆରା! କେଇ ବର୍ଷ ହେଲାଣି, ଏଇ ଦିନଟିରେ ତାକୁ ପ୍ରମାଣ ମଗାଯାଏ! ବନ୍ଚିଥିବାର!!!! ତାର ବର୍ତ୍ତମାନର!! ଆଉ ସେ ବି ବୋଲ ମାନେ ଚାବି ଦିଆ କଣ୍ଢେଇ ପରି! ବର୍ଷକର ମଇଳା ଦେହକୁ ସଫା ସୁତରା କରି bank ରେ ନିଜର ଜୀବନ ଖାତାରେ ଉପସ୍ଥାନ ପକାଇ ଆସେ!! ନିର୍ଲଜଂକ ପରି! ପ୍ରକୃତରେ ସେ ବନ୍ଚିଛି? କେଜାଣି! ଭୁଲି ଗଲାଣି ସେ, କେମିତି ବନ୍ଚନ୍ତି! କାହାକୁ ବା ପଚାରିବ! ଯଦି ଦୁଇ ବଖତ ଖାଇ, ଦୁଇ ମୁନ୍ଦା ପିଇ ପଡି ରହିବାଟା ବଂଚିବା, ତା ହେଲେ ହଁ! କୋଣାର୍କର ଭଗ୍ନ ମୁଖଶାଳା ପରି ସବୁ ଘଟଣା, ଦୁର୍ଘଟଣା, ଅନ୍ୟାୟ, ଶୋଷଣ ଓ ଚକ୍ରାନ୍ତର ମୁକ ସାକ୍ଷୀ ହେବା ଯଦି ବଂଚିବା, ତାହା ହେଲେ ହଁ! ଭିତରେ ହଜାରେ କୋହର ଜୁଆରକୁ ଚାପି ରଖି, ଲୋକ ଲଜ୍ଜା ପାଇଁ ମୁହଁ ରେ ହସର ମୋତି ସଜାଇବା ଯଦି ବଂଚିବା, ତାହା ହେଲେ ହଁ! ନିଜର ଶୁଖିଲା ହସ ତଳେ ଓଦା ଓଦା ମନକୁ ଲୁଚାଇ ରଖିବା ଯଦି ବଂଚିବା, ତାହା ହେଲେ ବୋଧେ ହଁ!.... ଆଲଣା ରେ ପଡିଥିବା ଧଳା ଶାଢୀର ସରୁ ସୁନେଲି ଧଡିକୁ ଅନେଇ ଅନେଇ ମନେ ମନେ ଅନେକ ଅଭିଯୋଗ କରି ଚାଲିଥିଲା ସେ, ମନର ମଣିଷ ପାଖରେ! ଅଧ ବାଟରେ ହାତ ଛାଡି ଚାଲି ଗଲା ବୋଲି ଅସରା ଅସରା ଅଭିମାନ ଢାଳି ଚାଲିଥିଲା! ଖାଲି ମୁଠାଏ କାଗଜରେ କଣ ବାକି ବାଟ ଚାଲି ହେବ! " ବାପାଂକ କାମରେ ହେଇଥିବା ଲୁଗା ପିନ୍ଧିକି ଯାଅ! ନ ହେଲେ ଲୋକ କହିବେ ବୁଢୀ ଟାକୁ ହତାଦର କରୁଚୁ! ଆମର ବି ଗୋଟେ ମାନ ସମ୍ମାନ ଅଛି ନା!" ଭିତରୁ ବୋହୁର ମାଲିକାନା ଭରା ସ୍ବର ଶୁଭିଗଲ!!! ହମମ୍... ବୋଧେ ହଁ..... ବନ୍ଚିଛି... ଭାବନାରେ ପୁଣ୍ଣଛେଦ ଟାଣି ଆଲଣା ରୁ ଲୁଗାଟାକୁ ଆଣି ଗୁଡାଇ ହେଇଗଲା! ଆଶ୍ବାସନା ଭରା ଆଲିଂଗନ ସତେ!! ଏଇଟିରେ ସେ ସେଇ ଆପଣାର ସ୍ପର୍ଶ ପାଏ; ହେଲେ ଏଇଟା ବି ବର୍ଷକରେ ଥରେ ଅଧେ ଭାଗରେ ପଡେ. ଚାରି ଚକିଆ ରଥ ପ୍ରସ୍ତୁତ ହେଲାଣି!! ସାମନା ଦୁଆର ଖୋଲି ବସିବାକୁ ଯାଉଥିବା ବେଳେ ପୁଣି ଶୁଭିଲା " ପଛରେ ବସ! ସେଠି ଟମି ବସିବ!!! ତାକୁ ପଛ ସିଟ୍ ଭଲ ଲାଗେନି!" ଟମି ସଗର୍ବେ ପଛକୁ ବୁଲି ଖତେଇ ହେଲା!! ଦୁଇ ଚାରି ଥର ଭୁକି ତାକୁ ତାର ସ୍ଥାନ ଦେଖେଇ ଦେଲା! ରଥ ଗଡିଲା ! ତା ସହ ତାଳ ଦେଇ ଦୁଇ ଧାର ଲୁହ ଗଡି ଆସିଲା !! ଆଉ ସେ ଉଷୁମ ପରଶ ତାକୁ ଚେତାଇ ଦେଲା ! ସେ ବନ୍ଚିଛି!!! ହଁ!!! ସେ ବନ୍ଚିଛି!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract