STORYMIRROR

Amruta Mohanty

Tragedy

4  

Amruta Mohanty

Tragedy

ସେ ବଞ୍ଚିଛି

ସେ ବଞ୍ଚିଛି

2 mins
314


ଆଜି ଦିନଟା ଭାରି ନିଆରା! କେଇ ବର୍ଷ ହେଲାଣି, ଏଇ ଦିନଟିରେ ତାକୁ ପ୍ରମାଣ ମଗାଯାଏ! ବଞ୍ଚିଥିବାର!!!! ତାର ବର୍ତ୍ତମାନର!! ଆଉ ସେ ବି ବୋଲ ମାନେ ଚାବି ଦିଆ କଣ୍ଢେଇ ପରି! ବର୍ଷକର ମଇଳା ଦେହକୁ ସଫା ସୁତରା କରି bank ରେ ନିଜର ଜୀବନ ଖାତାରେ ଉପସ୍ଥାନ ପକାଇ ଆସେ!! ନିର୍ଲଜଙ୍କ ପରି!  ପ୍ରକୃତରେ ସେ ବଞ୍ଚିଛି? କେଜାଣି! ଭୁଲି ଗଲାଣି ସେ, କେମିତି ବଞ୍ଚନ୍ତି! କାହାକୁ ବା ପଚାରିବ! ଯଦି ଦୁଇ ବଖତ ଖାଇ, ଦୁଇ ମୁନ୍ଦା ପିଇ ପଡି ରହିବାଟା ବଞ୍ଚିବା, ତା ହେଲେ ହଁ! କୋଣାର୍କର ଭଗ୍ନ ମୁଖଶାଳା ପରି ସବୁ ଘଟଣା, ଦୁର୍ଘଟଣା, ଅନ୍ୟାୟ, ଶୋଷଣ ଓ ଚକ୍ରାନ୍ତର ମୁକ ସାକ୍ଷୀ ହେବା ଯଦି ବଞ୍ଚିବା, ତାହା ହେଲେ ହଁ! ଭିତରେ ହଜାରେ କୋହର ଜୁଆରକୁ ଚାପି ରଖି, ଲୋକ ଲଜ୍ଜା ପାଇଁ ମୁହଁ ରେ ହସର ମୋତି ସଜାଇବା ଯଦି ବଞ୍ଚିବା, ତାହା ହେଲେ ହଁ! ନିଜର ଶୁଖିଲା ହସ ତଳେ ଓଦା ଓଦା ମନକୁ ଲୁଚାଇ ରଖିବା ଯଦି ବଞ୍ଚିବା, ତାହା ହେଲେ ବୋଧେ ହଁ.... 

 ଆଲଣାରେ ପଡିଥିବା ଧଳା ଶାଢୀର ସରୁ ସୁନେଲି ଧଡିକୁ ଅନେଇ ଅନେଇ ମନେ ମନେ ଅନେକ ଅଭିଯୋଗ କରି ଚାଲିଥିଲା ସେ, ମନର ମଣିଷ ପାଖରେ! ଅଧ ବାଟରେ ହାତ ଛାଡି ଚାଲି ଗଲା ବୋଲି ଅସରା ଅସରା ଅଭିମାନ ଢାଳି ଚାଲିଥିଲା! ଖାଲି ମୁଠାଏ କାଗଜରେ କଣ ବାକି ବାଟ ଚାଲି ହେବ! " ବାପାଙ୍କ କାମରେ ହେଇଥିବା ଲୁଗା ପିନ୍ଧିକି ଯାଅ! ନ ହେଲେ ଲୋକ କହିବେ ବୁଢୀଟାକୁ ହତାଦର କରୁଚୁ! ଆମର ବି ଗୋଟେ ମାନ ସମ୍ମାନ ଅଛି ନା!" ଭିତରୁ ବୋହୁର ମାଲିକାନା ଭରା ସ୍ବର ଶୁଭିଗଲା!!! ହମମ୍... ବୋଧେ ହଁ..... ବଞ୍ଚିଛି...  ଭାବନାରେ ପୁଣ୍ଣଛେଦ ଟାଣି ଆଲଣା ରୁ ଲୁଗାଟାକୁ ଆଣି ଗୁଡାଇ ହେଇଗଲା! ଆଶ୍ବାସନା ଭରା ଆଲିଙ୍ଗନ ସତେ!! ଏଇଟିରେ ସେ ସେଇ ଆପଣାର ସ୍ପର୍ଶ ପାଏ; ହେଲେ ଏଇଟା ବି ବର୍ଷକରେ ଥରେ ଅଧେ ଭାଗରେ ପଡେ! 

ଚାରି ଚକିଆ ରଥ ପ୍ରସ୍ତୁତ ହେଲାଣି!! ସାମନା ଦୁଆର ଖୋଲି ବସିବାକୁ ଯାଉଥିବା ବେଳେ ପୁଣି ଶୁଭିଲା " ପଛରେ ବସ! ସେଠି ଟମି ବସିବ!!! ତାକୁ ପଛ ସିଟ୍ ଭଲ ଲାଗେନି!"  ଟମି ବୀରଦର୍ପରେ ଡେଇଁପଡିଲା ଆଗ ସିଟ୍ କୁ!! ଆଉ ସଗର୍ବେ ପଛକୁ ବୁଲି ଖତେଇ ହେଲା!! ଦୁଇ ଚାରି ଥର ଭୁକି ତାକୁ ତାର ସ୍ଥାନ ଦେଖେଇ ଦେଲା! ରଥ ଗଡିଲା ! ତା ସହ ତାଳ ଦେଇ ଦୁଇ ଧାର ଲୁହ ଗଡି ଆସିଲା !! ଆଉ ସେ ଉଷୁମ ପରଶ ତାକୁ ଚେତାଇ ଦେଲା! ସେ ବଞ୍ଚିଛି!!! 

ହଁ!!!  

ସେ ବଞ୍ଚିଛି!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy