ସ୍ୱର୍ଗ ରୁ ଜେଜେ ଙ୍କ ଚିଠି ।
ସ୍ୱର୍ଗ ରୁ ଜେଜେ ଙ୍କ ଚିଠି ।
ସେହ୍ନର ଧନ,
ମୁଁ ଏଠି (ସ୍ୱର୍ଗ) ଆସି ଭଲରେ ପହଞ୍ଚିଲି, ତୁମମାନଙ୍କୁ ଛାଡି ଆସିଛି ମନଟା ଭଲ ଲାଗୁନି । ତୋ କଥା, ତୋ ଡାଡି କଥା, ତୋ ମମି କଥା ଭାରି ମାନେପଡୁଛି । ଆଶା କରେ ତମେ ସବୁ ଭଲରେ ଥିବ ।
ତତେ ବହୁତ ଥର କିଛି କହିବାପାଇଁ ଭାବିଛି ହେଲେ କହିପାରିନି । ସବୁ ବେଳେ ତୋ ମମି ଇନଫେକ୍ସନ ହେବ ବୋଲି ମୋ ଠୁ ତତେ ଦୂରେଇକି ରଖୁଥିଲା। ଆଜି ଏ ଚିଠି ଖଣ୍ଡିକ ଏଠୁ ଥାଇ ଲେଖୁଛି । ତୁ ଇଂଲିଶ ମିଡିଅମରେ ପଢ଼ୁଛୁ । ଓଡ଼ିଆ ପଢିପାରିବୁକି ନାହିଁ ଜାଣେନା । ଆଶା କରେ ସମୟ ବାହାର କରି ଟିକେ ପଢ଼ିବୁ । ମୁଁ ଚାହେଁନି ମୋ ସହ ଯାହା ହୋଇଛି ସେ ସବୁ ମୋ ପୁଅ ବୋହୁଙ୍କ ସହ ହେଉ । ଯେତେହେଲେ ମୋର ବାପାର ହୃଦୟ ନା ।
ଧନରେ, ମୋ କଥାକୁ ମନ ଦେଇ ଶୁଣୁ ....... ମୋ ସ୍ୱଳ୍ପ ଦରମାରେ ପେଟରୁ କାଟି ଯଥା ସାଧ୍ୟ ତୋ ଡାଡିକୁ ପାଠ ପଢେଇ ଗୋଟେ ମାଜିଷ୍ଟ୍ରେଟ କରେଇଥିଲି । ଚାକିରୀ କଲା ପରେ ପ୍ରେମ ବିବାହ କରିବାକୁ ଚାହିଁଲା । ମୋ ଅଫିସ ବଡ ବାବୁଙ୍କ ଝିଅ ସହ ମୁଁ ତାର ବିବାହ ପାଇଁ କଥା ଦେଇଥିଲି ହେଲେ ନିଜ କଥାକୁ ନ ରଖି ପାରି ଲଜ୍ଜିତ ହେଲି ହେଲେ କେବେ ନିଜ ଇଚ୍ଛାକୁ ତାର ଭବିଷ୍ୟତ ସହ ଚାପି ଦେଇନି । ତା ପରେ ତୋର ଜନ୍ମ ଏଇ ଭୁବନେଶ୍ୱର ମାୟାନଗରୀରେ ।
ମୁଁ ଆଉ ତୋ ଜେଜେ ମାଆ ଗାଁରେ ରହୁଥିଲୁ । ମଣିଷ ମାତ୍ର କେ ସ୍ନେହ ପ୍ରେମର ମୋହ ଆମେ ବା କେମିତି ବାଦ ପଡ଼ିବୁ କହ । ଆମର ବି ଇଛା ହେଉଥିଲା ପୁଅ ବୋହୂ ନାତି ସହ ପୁରିଲା ସଂସାରରେ ରହି ଆଉ ବାକି ଜୀବନ କଟିଦେବା ପାଇଁ। ହେଲେ ଆମେ କୁଆଡେ ଗାଉଁଲି ମଫୁ ତୋ ଡାଡି ମମିଙ୍କ ସୋସିଆଲ ରେସ୍ପେକ୍ଟ କ୍ଷୁର୍ଣ୍ଣ ହେବ । ଆମେ ବି ସେ ସହରୀ ଜଳ ବାୟୁରେ କୋଉ ଚାଲିପାରିବୁ !!! ତୋ ମମିର କଥାକୁ ତୋ ଡାଡି ମାଧ୍ୟମରେ ଫୋନ ଯୋଗେ ଆମକୁ ରୋକଠୋକ ଜଣେଇ ଦିଆଗଲା । ତଥାପି ମୁଁ ଭାଙ୍ଗି ପଡିନି । ମାସକୁ ମାସ ପଇସା ପଠେଇବେ ଆମେ ଗାଁ ଘର ଜଗି ସେଠି ରହିବୁ ।
ଏସବୁ କଥା ତୋ ଡାଡି ମୁହଁରୁ ଫୋନ ଯୋଗେ ଶୁଣିସାରିଲା ପରେ ତୋ ଜେଜେ ମାଆ ତା ମାଆ ପଣିଆକୁ ଶତ ଧିକ କଲା । ତା ପରଠୁ ତା ମନଟା ଦୁର୍ବଳ ହେଇ ଆସିଲା । ଆସ୍ତେ ଆସ୍ତେ ଚୁପଚାପ ହେଇଗଲା । ଆଉ ହଠାତ ଦିନେ ସକାଳୁ ଉଠିଲା ବେଳକୁ ତୋ ଜେଜେ ମାଆ ଆଉ ନାହିଁ, ମତେ ଏକା କରି ଚାଲିଯାଇଛି । କ୍ରିୟା କର୍ମ କରିବା ପାଇଁ ତୋ ଡାଡି ଆସିଥିଲା ଗାଁକୁ । ଦଶ ବାର ଦିନ ରହିବା ପାଇଁ ପଡିବ...... ତୋ ମମି କୁଆଡେ ବିନା ଏସିରେ ଘଡ଼ିଏ ରହିପରେନି । ସେଥିପାଇଁ ତମ ଦୁହିଁଙ୍କୁ ସାଙ୍ଗରେ ଆଣିନଥିଲା ।
ଯୋଉ ଦିନ ଗାଁରୁ ବାହାରିଲା ଭୁବନେଶ୍ୱର ଆସିବା ପାଇଁ .... ଗାଁର ଭଦ୍ରଲୋକ ମନେ କହିଲେ ଏକା କୁଆଡେ ଯାଉଛୁ ତୋ ବୁଢା ବାପାଙ୍କୁ ସାଙ୍ଗରେ ନେଇକି ଯା । ଭାରି କଷ୍ଟରେ ସେମାନଙ୍କ କଥାକୁ ନ କାଟି ପାରି ମତେ ସାଙ୍ଗରେ ଆଣିଲା। ମୋର ବି ଇଚ୍ଛା ନଥିଲା ତୋ ଡାଡିର ମୁହଁକୁ ଦେଖି ଆସିବା ପାଇଁ ତମ ସୋସାଇଟିକୁ କିନ୍ତୁ ମୋ ସହ ବାର୍ଦ୍ଧକ୍ୟ ଦାଉ ସାଧୁଥିଲା ଆଉ ମତେ ବାଧ୍ୟ କରୁଥିଲା ନିର୍ଭରଶୀଳ ହେବା ପାଇଁ ।
ମୁଁ ଏଠି ପହଞ୍ଚିଲା ପରେ ମତେ ଦେଖି ତୁ ଭାରି ଖୁସି ଥିଲୁ । ମୋ ପାଖକୁ ଆସିବାକୁ ଚାହିଁଲୁ ହେଲେ ତୋ ମମି ଡେଣା ଧରି ଜବରଦସ୍ତ ତତେ ତୋ ପଢା ଘରେ ଛାଡ଼ି ଦେଲା ଏବଂ ବାହାରୁ ଲକ କରି ଦେଲା । ମୁଁ ଅପେକ୍ଷା କରିଥିଲି ତମ ଡ୍ରଇଂ ରୁମରେ .... ମୋତେ ଗାଁରୁ ଏଠାକୁ ନେଇ ଆସିବ ବିଷୟକୁ ନେଇ ତୋ ମମି ପାପାଙ୍କ ଭିତରେ ଲାଗିଥିଲା ପ୍ରବଳ ଯୁକ୍ତିତର୍କ ତାଙ୍କ ବେଡ଼ ରୁମରେ । ମୋ କାନରେ ଅବଶ୍ୟ ବାଜୁଥିଲା କିଛି କିଛି ହେଲେ ମୁଁ ନିରୂପାୟ ଥିଲି ।
ବାକି ଜୀବନର ଯେତିକି ଦିନ ସେଠି ରହିଲି ଭାରି କଷ୍ଟଦାୟକ ନିଃସଙ୍ଗ ଜୀବନ ଜୀଇଁଲି । ତୋ ଡାଡି ମମିଙ୍କର ସମୟ ନଥିଲା କେବେ ମୋ ଭଲ ମନ
୍ଦ ବୁଝିବା ପାଇଁ ସେମାନେ ନିଜ ନିଜ କାମରେ ବ୍ୟସ୍ତ ରହୁଥିଲେ । ବାସ ଖାଲି ତମ କାମବାଲୀ ଯାହା ଦିନରେ ଆଉ ରାତିରେ ଖାଇବା ମୁଠାଏ ଆଣି ମୋ ରୁମରେ ଥୋଇ ଦେଇ ଯାଉଥିଲା । ତୁ ତୋ ପାଠ ପଢା ଓ ଖେଳରେ ବ୍ୟସ୍ତ ରହୁଥିଲୁ । ମୁଁ ତତେ ଦୂରରୁ ଦେଖି ତୋ କୁନି ପାଟିର କଥା ଶୁଣି ଖୁସି ହେଉଥିଲି। ଯା ହୋଉ ଶେଷରେ ନିସ୍ତାର ପାଇଲି ସେ ବନ୍ଦୀ ଦୁଃଖ ଦାୟକ ଜୀବନରୁ । ଭଗବାନ କରନ୍ତୁ କାହା ଜୀବନରେ ସେମିତି ଦିନ ନ ଆସୁ ।
ବାବୁରେ ମୋ ଚିଠିର ଗୁରୁତ୍ୱପୂର୍ଣ୍ଣ କଥାଟି ଏବେ ଲେଖୁଛି । ମୋ କଥା ରଖିବୁ ବୋଲି ମୋର ବିଶ୍ୱାସ ।
କାଲି ଯେତେବେଳେ ତୋ ଡାଡି ମମି ତାଙ୍କ ଜୀବନର ଶେଷ ପାହାଚ ଆଡକୁ ଯାଉଥିବେ ମୋର ବିଶ୍ୱାସ ସେତେବେଳେ ତାଙ୍କୁ ବୁଝିବାର ଧୈର୍ଯ୍ୟ ତୁ କେବେ ହରେଇବୁ ନାହିଁ କି ତାଙ୍କ ମନରେ କେବେ ଦୁଃଖ ଦେବୁନାହିଁ।
ତାଙ୍କ ଥରୁଥିବା ହାତରୁ ଯଦି କିଛି ଖସି ପଡେ କେବେ ରାଗିବୁନି, ପିଲା ବେଳେ କେତେ ଖେଳନା ଭାଙ୍ଗିଛି ତୋ ହାତରୁ ପଡି ......
ଯଦି ସେ କାହାକୁ ଚିହ୍ନି ପାରିବେ ନାହିଁ କି କିଛି ମନେ ପକେଇ ପାରିବେନାହିଁ ଭାବିବୁ ଦେଖିବା ଶକ୍ତି ଓ ମନେରଖିବା ଶକ୍ତି ସେମାନଙ୍କର କମି ଆସିଲାଣି ..... ସେତେବେଳେ ସେମାନଙ୍କ ଉପରେ ବିରକ୍ତ ହେବୁନି । ତୁ ବୁଝିନେବୁ ବୟସ୍କ ମନେ ବେଶ ଭାବପ୍ରବଣ ଓ ଅଭିମାନି । ତୁ ଯଦି ବିରକ୍ତି ହେବୁ ସେମାନେ ବହୁତ କଷ୍ଟ ପାଇବେ । କାରଣ ମୁଁ ବି ବହୁତ କଷ୍ଟ ପାଉଥିଲି।
ଯଦି ସେମାନେ ତୋ କଥା ଠିକ ଭାବରେ ଶୁଣି ପାରିବେନି ତେବେ ତାଙ୍କୁ ବଧିର କହି ତାତ୍ସଲ୍ୟ କରିବୁନି ବରଂ ଶୁଣିଲା ପରି ଆଉଥରେ ବଡ ପାଟିରେ କହିବୁ । ସେତେବେଳେ ସେମାନେ ଏଥିଲାଗି ଖୁବ ଦୁଃଖିତ ଥିବେ ଆଉ ନିରୁପାୟ ମଧ୍ୟ।
ବୟସାଧିକ୍ୟ ଓ ଅସୁସ୍ଥତା ଯୋଗୁଁ ସେମାନେ ଯଦି ଚାଳିବାରେ କିଛି ଅସୁବିଧା ଅନୁଭବ କରନ୍ତି ତେବେ ତାଙ୍କ ହାତ ଧରି ତାଙ୍କୁ ଚାଲିବାରେ ସାହାଯ୍ୟ କରିବୁ, ଯେମିତି ଛୋଟ ବେଳେ ସେମାନେ ତୋ ହାତ ଧରି ଚାଲିବାରେ ସାହାଯ୍ୟ କରୁଥିଲେ।
ଯଦି ସେମାନେ ଛୋଟ ମୋଟ କିଛି ଭୁଲ କରି ଦିଅନ୍ତି ତୁ ସେକଥାକୁ ଗୁରୁତ୍ୱ ଦେଇ ଜମା ତାଙ୍କୁ ରାଗିବୁନି । ଯେମିତି ପିଲା ବେଳେ ତୋର କେତେ ଭୁଲକୁ ସେମାନେ କ୍ଷମା କରିଥିଲେ।
ତୁ ଟିକେ ସମୟ ବାହାର କରି ତୋ ବ୍ୟସ୍ତ ବହୁଳ ଜୀବନରୁ ତାଙ୍କ ସହ କଥା ହେବୁ, ତାଙ୍କ ଭଲ ମନ୍ଦ ବୁଝିବୁ। ସମୟ ନାହିଁ .... ବାହାନା କରି ତାଙ୍କୁ ହତାଦର କରିବୁନାହିଁ। ସେ ସମୟରେ ଭାରି ଏକା ଏକା ଲାଗେରେ ....ମୁଁ ଅଙ୍ଗେ ନିଭେଇଛି।
ମୁଁ ଜାଣେ ତୁ ସେତେବେଳେ ତୋ କାମରେ ବହୁତ ବ୍ୟସ୍ତ ଥିବୁ ହେଲେ ତାଙ୍କ କଥା ଶୁଣିବା ପାଇଁ ଟିକେ ଧର୍ଯ୍ୟ ରଖିବୁ। ସେମାନେ ଯେତେବେଳେ ବେଶୀ ଅସୁସ୍ଥ ହୋଇଯିବେ ତାଙ୍କ ସେବା ପାଇଁ ଟିକେ ସମୟ ଦେବୁ। ସେମାନେ ସଂସାର ଛାଡିବା ଆଗରୁ ତୁ ତାଙ୍କ ପାଖେ ପାଖେ ଥିବୁ ଯେମିତି ସେମାନେ ନିର୍ବିଘନରେ ମୃତ୍ୟୁକୁ ସାମ୍ନା କରିବେ.... ତାଙ୍କୁ ଶକ୍ତି ମିଳିବ। ମୋ ମୃତ୍ୟୁ ବେଳେ କେତେ ଖୋଜିଛି, ତମ ସମସ୍ତଙ୍କୁ ଦେଖିବା ପାଇଁ ହେଲେ ମୁଁ କତରାରେ ପଡି ଛଟ ପଟ ହେଲା ବେଳେ ମୋ ଆବାଜ ତୋ ଡାଡି ମମିଙ୍କ ଏସି ରୁମ ଭିତରକୁ ପହଞ୍ଚି ପାରୁନଥିଲା ।
ମୋ ଗେଲୁ ......ମୋ ଧନ ........ ମୋର ବିଶ୍ୱାସ ତୁ ମୋର ସବୁ କଥା ଗୋଟି ଗୋଟି କରି ରଖିବୁ । ମୁଁ ଯେଉଁ କଷ୍ଟକୁ ଅତି ପାଖରୁ ଦେଖିଛି ଆଉ ସେ ଯନ୍ତ୍ରଣାକୁ ଅନୁଭବ କରିଛି ମୋ ପିଲା ମାନେ ସେମିତି କେବେ କଷ୍ଟ ନପାନ୍ତୁ ତାଙ୍କ ପରିଣତ ବୟସରେ ସେଥିପାଇଁ ତୁ ଟିକେ ଯତ୍ନବାନ ହେବୁ । ମୋ ହୃଦୟରୁ ଆଶୀର୍ବାଦ ସବୁ ବେଳେ ତୋ ସହ ରହିଛି ଏବଂ ରହିବ ।
ଇତି
ତୋର ଜେଜେ ବାପା ।