ବାପା ଓ ତାଙ୍କ ସାଇକେଲ ।
ବାପା ଓ ତାଙ୍କ ସାଇକେଲ ।
ଛୋଟ ବେଳୁ ଦେଖୁଥିଲି ବାପାଙ୍କ ସାଇକେଲକୁ। ଚବିଶ ଇଁଚିଆ ଡେଙ୍ଗା ସାଇକେଲ । ପୁରୁଣା କାଳିଆ ମଡେଲ ଯେହେତୁ ଭାରି ଦମ୍ଭିଲା। ବାପା ରେଭେନ୍ସାରେ ସ୍ନାତକ ପଢିଲା ବେଳେକୁଆଡେ ଜେଜେ ବାପା ଦେଇଥିବା ପକେଟ ମନିରୁ ସେ ଛଶହ ଟଙ୍କା ଦେଇ କିଣିଥିଲେ ସେତେବେଳେ ହଷ୍ଟେଲରୁ କଲେଜ ଯିବା ଆସିବା ପାଇଁ । ପଢ଼ା ସରିଲା ପରେ ବସ ରେ ବୁହା ହୋଇ ସେ କଟକରୁ ଗାଁକୁ ଆସିଲା । ଆଉ ତା ପରେ ତାଙ୍କ ଚାକିରୀ ଜୀବନ ର ସାଥି ହୋଇଗଲା। ଦୈନିକ ଯିବା ଆସିବା ହୋଇ ସାତ କିଲୋମିଟର ଗଡୁଥିଲା ସେ ଚବିଶି ଇଁଚିଆ ହିରୋ ସାଇକେଲ। ବାପା ବି ତାକୁ ପୋଛି ପାଛି ତେଲ ଦେଇ ପୁରା ଚକା ଚକ ରଖୁଥିଲେ।
ଟିକେ ବଡ଼ ହେଲା ପରେ ମୁଁ ବି ଜିଦି କଲି ସାଇକେଲ ଶିଖିବି ।ବାପା ତ କିଛି କହିଲେନି ହେଲେ ଜେଜେ ବାପା ଦାଣ୍ଡକୁ ସାଇକେଲ ଟା କାଢି ନେଇ କହିଲେ ସାହି ର ଏ ମୁଣ୍ଡରୁ ସେ ମୁଣ୍ଡକୁ ଧୀରେ ଧୀରେ ଗଡା। ସାଇକେଲ ଶିଖିବା ନିଶାରେ ମୁଁ ସିନା ସାଇକେଲକୁ ଧରି ପକାଇଲି ହେଲେ ତାକୁ ସମ୍ଭାଳି ପାରୁଛି କୋଉଠି। ଦି ପାହୁଣ୍ଡ ବାଟ ଯାଇଛିକି ନାଇଁ ତଳେ ମୁଁ , ଆଉ ମୋ ଉପରେ ବାପାଙ୍କ ର ସେଇ ସୁସ୍ଥ ସବଳ ଓଜନିଆ ସାଇକେଲ ଟା। "ଓହୋ ବାବରେ ସେଇ ସାଇକେଲ ଯୋଉ ଓଜନ।" ହୁଏତ ସେଇ ଦିନ ପ୍ରଥମ ଆଉ ଶେଷ ଥର ପାଇଁ ମୁଁ ବାପା ଙ୍କ ସାଇକେଲ ରେ ଲାଗିଥିଲି। ଜେଜେ ବାପା ଚୁପ ଚାପ ନେଇ ସାଇକେଲ ରଖିଦେଲେ ବାପା ଙ୍କ ଡର ରେ। ହାଣ୍ଡିଲ ଟା ଟିକେ ବଙ୍କା ହେଇଯାଇଥାଏ। ବାପା ତାଙ୍କ ସାଇକେଲ ଭାଙ୍ଗିବା ରାଗ କାହା ଉପରେ ବା ସୁଝେଇ ପାରୁନଥିଲେ, ନିଜ ପୁଅ ତ କରିଛି ବୋଲି ଚୁପ ରହୁଥିଲେ। ତା ପର ଦିନ ଯାଇ ମୋ ପାଇଁ ଗୋଟେ ଛୋଟ ସାଇକେଲ ଅଡର କରି ଆସିଲେ।
ବାପା ତାଙ୍କ ସାଇକେଲକୁ ବହୁତ ଆଦର ଓ ବହୁତ ଯତ୍ନ ରେ ରଖିଥିଲେ। ଏମିତି କି ବାଇକ କିଣିବା ପରେ ବି ବାପା ତାଙ୍କ ସାଇକେଲକୁ ହତାଦର କରି ନାହାଁନ୍ତି। ସପ୍ତାହକୁ ଗୋଟେ ଥର ହେଉନା କାହିଁକି ସେ କଲେଜ ଯାନ୍ତି ତାକୁ ନେଇ। ମନେ ଅଛି ଥରେ ଗାଁ ରାସ୍ତାରେ ଗଲାବେଳେ ପାଳ ମୁଣ୍ଡେଇ ଥିବା ଅବସ୍ଥାରେ ଜଣେ ବୟସ୍କ ଲୋକ ତାଙ୍କ ସାଇକେଲ ଆଗକୁ ପଶି ଆସିଲେ, ଗଡାନି ରାସ୍ତା ବାପା ସେ ଭଦ୍ର ବ୍ୟକ୍ତି ଙ୍କୁ ରକ୍ଷା କରିବାକୁ ଯାଇ ଓଲେହିଁ ପଡିଲେ । ଓଠଟା ମାଡ ହୋଇ ରକ୍ତ ବାହାରିଗଲା। ବାପା ଘରେ ଆସି ଖଣ୍ଡିଆ ରେ ଡେଟଲ ମାରୁ ମାରୁ କହୁଥିଲେ ସାଇକେଲ ଟା ବଞ୍ଚେଇଦେଲା ଅଳ୍ପକେ, ନଚେତ ସେ ଲୋକ ଟିର କଣ ଯେ ହୋଇଥାନ୍ତା।
ନିର୍ଜୀବ ବସ୍ତୁ ଟା ହୋଇବି ସବୁ ବୁଝିପାରୁଥିଲା ବୋଧହୁଏ ସେ। ବାପା ଙ୍କ ସହ ସେ ସବୁ ବେଳେ ଥିଲା..... ପଢିଲା ବେଳଠୁ ଚାକିରୀ ଜୀବନ ସବୁବେଳେ । ହେଲେ କଣ ପାଇଁ କେଜାଣି ସେଦିନ ସେ ନିଜ ଚକ ଦୁଇଟାରୁ ପମ୍ପ କମେଇ ଦେଇଥିଲା। ସେ କଣ ଆଗରୁ ଜାଣି ଦେଇଥିଲା ନା ତାକୁ କିଛି ଅନୁଭବ ହୋଇଥିଲା .......କି ତା ପ୍ରିୟ ମଣିଷ, ତାକୁ ଏତେ ଭଲପାଉଥିବା ମଣିଷ ର ସେଦିନ ଅନ୍ତିମ ଦିନ ଆଉ ସେ ନିଜ ଆଖିରେ ସେସବୁ ଦେଖିପାରିବନି ବୋଲି ଚୁପ ଚାପ ରହିଗଲା, ବାପା ତାକୁ ଛାଡି ବାଇକ ନେଇ ବାହାରି ଯାଇ ଥିଲେ ସେଦିନ। ଆଉ ଅକ୍ସିଡେଣ୍ଟ ହେଲା ଅଧା ରାସ୍ତାରେ। ହୁଏତ ଯଦି ବାପା ତାକୁ(ସାଇକେଲ) ସେ ଦିନ ନେଇ କଲେଜ ଯାଇଥାନ୍ତେ ତାଙ୍କ ସହ କିଛି ଅଘଟଣ ଘଟିନଥାନ୍ତା।
ଭଲପାଇବା ମଣିଷକୁ ହରେଇ ଆମ ପରିବାର ସହ ସେ ବି ଶ୍ରୀହୀନ ଦିଶୁଥିଲା। ତା ହାଣ୍ଡିଲ ମଝିରେ ବନ୍ଧା ହୋଇଥିବା ନାଲି ଛିଟ କନା ଟା ଆସ୍ତେ ଆସ୍ତେ କଲର ଫେଡ ହୋଇଯାଉଥିଲା। ଘର ର ଗୋଟିଏ କୋଣ ରେ ପଡି ରହି ଗୁମୁରି ଗୁମୁରି କାନ୍ଦୁଥିଲା ସେ । ତା ଭାବନାକୁ ବୁଝୁଥିବା ମଣିଷ ଟାକୁ ସେ ଏତେ ଜଲଦି ହରେଇ ଦେବ ସେ ବିଶ୍ୱାସ କରିପାରୁନଥିଲା। ନିଜକୁକୁ ସେ ଦୋଷୀ ଦୋଷୀ ମନେ କରୁଥିଲା । ପଶ୍ଚାତପ ର ନିଆଁ ରେ ସେକୁହୁଳୁ ଥିଲା ।
ସତରେ କଣ ସେଦିନ ସେ ବାପା ଙ୍କ ସହ ଥିଲେ କିଛି କରିପାରିଥାନ୍ତା ? ତାଙ୍କୁ ଏ ବିପତ୍ତିରୁ ରକ୍ଷା କରି କଣ ଆମ ପାଖରେ ପହଞ୍ଚାଈ ଦେଇଥାନ୍ତା ?
ତିନି ଚାରି ବର୍ଷ ଆମ ଘର ର ଗୋଟିଏ କୋଣ ରେ ପଡିଥିଲା.....ଯଦି ତା ପାଟି ଫିଟନ୍ତା ହୁଏତ ଆଶ୍ୱାସନା ଟିକିଏ ଦିଅନ୍ତା ବୋଧ ହୁଏ । କି ଅଳି କରିକୁହନ୍ତା, " କଣ ପାଇଁ ମତେ ପକେଇ ରଖିଛ ମୋ ପ୍ରିୟ ଲୋକ ତ ଦୁରେଇଗଲେ ତମେ ମନେ ବି ମତେ ଦୁରେଇ ଦିଅ । ଯେଉଁ ପରିବାର ର ସିମେଣ୍ଟ କାନ୍ଥକୁ ଆଉଜି ମୁଁ ଖୁସି ଦେଖୁଥିଲି ଆଜି ସେମାନଙ୍କ ଦୁଃଖ ଦେଖିବାର ଧର୍ଯ୍ୟ ଓ ସତ ସାହସ ମୋ ପାଖରେ ନାହିଁ। "
ଦିନେ ଭୁବନେଶ୍ୱରରୁ ଘରକୁ ଯାଇ ଦେଖିଲି ଘର ର ସେ କୋଣ ଟା ଖାଁ ଖାଁ ଲାଗୁଛି । କିଛି ଗୋଟେ ବ୍ୟତିକ୍ରମ ନିଶ୍ଚୟ।
ସାଇକେଲ ଟା ପଡି ପଡି ନଷ୍ଟ ହେଇଯିବ ବୋଲି ଜେଜେ ବାପା ତାକୁ ଆମ ଆଗଦୁଆରୀ ଟନା କକାକୁ ଦେଇ ଦେଇଛନ୍ତି। ଦଣ୍ଡକୁ ଦୌଡ଼ିକି ଗଲି ଦେଖିଲି ଆମ ଗୁହାଳ ଘର ମାଟି ପଚି ଇଟା କାନ୍ଥକୁ ଆଉଜା ହୋଇଚି ମୋ ବାପାଙ୍କ ସାଇକେଲ। ଆଗ ଅପେକ୍ଷା ଟିକେ ବୁଢା ହେଇଯାଇଛି ସତ । ହେଲେ ଟନା କକା ତାକୁ ଭାରି ଯତ୍ନ ରେ ରଖିଛି । ତା ସିଟ ଟା ନୂଆ କରି ଦେଇଛି । ଦି ଚକା ରେ ଦିଟା ନାଲି ହଳଦିଆ ପ୍ଲାଷ୍ଟିକ ଫୁଲ ଲଗେଇ ଦେଇଛି। ଭାରି ସୁନ୍ଦର ଦିଶୁଥିଲା ସେ ଦିନ। ହେଲେ ମନ ତାର ଖୁସି ନଥିଲା।
ଏଇ ଭିତରେ ପନ୍ଦର ବର୍ଷ ବିତିଗଲାଣି।ସାମ୍ନା କାନ୍ଥକୁ ଆଉଜି ବେକ ମୋଡ଼ି ଆମ ଘରକୁ ଚାହିଁଲା ପରି ଥାଏ ସବୁ ବେଳେ । ମୁଁ ଆମ ଘର ବାଲକୋନି ରେ ବସି ତାକୁ ଦେଖୁଥାଏ । ଆଉ ସେ ବି ମତେ ଦେଖେ। ଲୁହ ଛଳ ଛଳ ହୋଇ ପଚାରେ, "କଣ ରେ ଅଭିମାନ କରିଛୁ ମୋ ଉପରେ, ପିଲା ବେଳେ ତୋ ଉପରେ ଖସି ପଡିଥିଲିବୋଲି।" ମୁଁ ମନେ ମନେ ଠୋ ଠୋ ହୋଇ ହସେ । ଆଉ ତାକୁକୁହେ, ଜାଣିଛୁ ମୋର ଗୋଟେ ସ୍ୱପ୍ନ ଥିଲା ବାପା ତତେ ଚଲେଇଲା ବେଳେ ମୁଁ ଚକ ଗଡେଇ ଗଡେଇ ତତେ ତଡିବି । ବେଳେ ବେଳେ ତୁ ଆଗେଇ ଯିବୁ ଆଉ ବେଳେ ବେଳେ ମୋ ଚକ। ବାପା ଙ୍କ ଡରରେ ମୁଁ ଦାଣ୍ଡ ପଥର ପାହାଚରୁରୁ ତ ତଳକୁ ଓଲହେଇନି, ଆଉ ତତେ ଗୋଡେଇ ଥାନ୍ତି କେମିତି କହ ? ଲୁହ ଛଳ ଛଳ ଆଖି ରେ ସେ ବି ହସୁ ହସୁଥାଏ.........।
ଠିକ ସେତିକି ବେଳେ ଟନା କକା ଲୁଙ୍ଗି ଟାକୁ କଛା ମାରି ଦେଇ ତାକୁ କାନ୍ଥରୁ ଭିଡି ନେଇ ପେଡଲ ମାରିବା ଆରମ୍ଭ କରିଦିଏ ଆଉ ତା ପୁଅ ବଣ୍ଟି ତାକୁ ଗୋଡେଇଥାଏ ତା ଖଣ୍ଡିଆ ସାଇକେଲ ଚକାକୁ ଗଡେଇ ଗଡେଇ।
" ସାଇକେଲ " ସିରିଜ ର ଏ ହେଉଛି ମୋର ପ୍ରଥମ ଗଳ୍ପ "ବାପା ଓ ତାଙ୍କ ସାଇକେଲ"। ନିଶ୍ଚୟ ପଢି ମତାମତ ରଖିବେ ଅନୁରୋଧ ରହିଲା।