Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Dr Arati Pattajoshi

Inspirational

5.0  

Dr Arati Pattajoshi

Inspirational

ରଫ୍ ଖାତା

ରଫ୍ ଖାତା

4 mins
371


ବୃତ୍ତି ରୁ ଅବସର ନେବା ପରେ ଆଉ ଭୁବନେଶ୍ୱର ରେ କାହିଁକି କେଜାଣି ମନ ଲାଗୁନି। ଲାଗୁଛି ଏ ସହର ଟା ଯେମିତି ତା ପାଇଁ କୁଣିଆ ଘର । ଖାଲି ଗାଁ ହାତ ଠାରି ଡାକୁଛି। ଏ ପିଲାମାନେ ତ କେହି ଗାଁ କୁ ଯିବାକୁ ମନ କରୁ ନାହାନ୍ତି। କକେଇ ପୁଅ ଭାଇ ମୋହନ ଯଦିଓ ସବୁ ବୁଝା ବୁଝି କରୁଛି , ତଥାପି ମଝିରେ ମଝିରେ ଘରୁ ବୁଲି ନ ଆସିଲେ , ପୈତୃକ ଘର ଖଣ୍ଡକ ଭାଙ୍ଗି ଯିବନି ? ଭାବୁଛି କାଲି ଯାଇକି ଟିକେ ବୁଲା ବୁଲି କରି ୨/୪ ଦିନ ରହି ଚାଲିଆସିବି। Retired ପରେ ଏମିତି ଵି କିଛି ଆଉ କାମ ନାହିଁ। ତେଣୁ ତାପରଦିନ ଯିବାକୁ ସ୍ଥିର କରି ଶୋଇଗଲି। ଯିବାର ଉତ୍କଣ୍ଠା ରେ ରାତି ସାରା ମୋତେ ନିଦ ହେଉ ନଥାଏ। ରହି ରହି ଖାଲି ଗାଁ କଥା, ବାପା, ବୋଉ, ନାନୀ ,ସାନ ଭାଇ ସମସ୍ତେ ମନେ ପଡୁଥାଆନ୍ତି। ବାପା ବୋଉ ତ କେବେଠୁ ଚାଲି ଗଲେଣି। ନାନୀ ଵି ବୁଢ଼ୀ ହେଲାଣି। ଦେଖିବା ଗାଆଁକୁ ଗଲା ପରେ ଯଦି ହବ ନାନୀକୁ ଟିକେ ନେଇ଼ଆସିବା । ବିଚାରୀ ବାପାବୋଉ ଯିବାଠୁ ଆଉ ବାପ ଘର ଦୁଆର ମାଡ଼ି ପାରିନି। ସାନ ଭାଇ ତ ଦୁରରେ ସେ ଆସିବା ସମ୍ଭବ ନୁହେଁ। ଆମେ ଭାଇ ଭଉଣୀ ଅନ୍ତତଃ ଜୀବନର କିଛି ଅମୁଲ୍ୟ ମୁହୂର୍ତ୍ତ ସବୁକୁ ଆଉଥରେ ଆଂଜୁଳିରେ ତୋଳିନବୁ ,ଆଉ ଗୋଟି ଗୋଟି କରି ସ୍ମୃତି ର ଫରୁଆ ରେ ସାଇତି ଦବୁ। ବୟସର ଅପରାହ୍ନ ରେ କିଏ ଜାଣେ କାହାର ସୁର୍ଯାସ୍ତ ଆଗ ହୋଇଯିବ। ଏମିତି ସବୁ ଭାବୁ ଭାବୁ ରାତି ପାହିଗଲା। ନିତ୍ୟକର୍ମ ସାରି ଗାଁ ଵସ୍ ଧରିଲି। ମନରେ ଅନେକ ଉତ୍କଣ୍ଠା। ଏତେ ଦିନ ପରେ ଗାଁ ଲୋକ ମାନେ ମତେ ଦେଖିଲେ ନିଶ୍ଚୟ ଖୁସି ହେବେ। ଗାଁ ମୁଣ୍ଡର ସେ ସାହାଡ଼ା ଗଛ ଟା ଥିବ ନା? ପିଳାବେଳେ ବୋଉ ମନା କରେ ସଂଧ୍ୟା ହେଲେ ସେ ଜାଗାକୁ ନଯିବାକୁ। ସେଠି କାଳେ ପିଲା ଖାଇ ଡାହାଣୀ ରୁହେ । ସତରେ ମ ସେପଟେ ଆସିଲେ କେମିତି ମାଡ଼ି ମାଡ଼ି ପଡେ। ସତରେ କଣ ସେ ଗଛରେ ପିଲା ଖାଇ ଥିଲା? କେଜାଣି ? ଏ ବୁଢା ବୟସରେ ଏ ପିଲାଳିଆ ପ୍ରଶ୍ନରେ ମନକୁ ମନ ହସିଦେଲି । ଗାଁ ରେ ବସ ପହଞ୍ଚିଲା ପରେ ଏକ ପ୍ରକାର ଧାଇଁ ଧାଇଁ ମୁଁ ଘରେ ପହଁଚିଲି। ଚାବି ଦିଆ ଘର କେହି ଅପେକ୍ଷା କରି ଠିଆ ହୋଇ ନଥିଲେ। ମନେପଡ଼ିଗଲା Hostel ରୁ ଆସିଲା ବେଳେ ସାଇକେଲ ଧରି ବାପା Busstand ରେ ଠିଆ ହୋଇଥାଆନ୍ତି। କେତେ ଖୁସି ହୁଅନ୍ତି ମୁଁ ଘରେ ଥିବା ତକ। ମୁଁ ଯେତିକି ଦିନ ରୁହେ ଘରେ ଯେମିତି ଉତ୍ସଵ ଚାଲେ । ବାପା କେତେ କଣ ଖାଇବା ଜିନିଷ , ଯାହା ଯାହା ମୋର ପସନ୍ଦ ସବୁ ଆଣି ଘରେ ଗଦେଇ ଦିଅନ୍ତି । ନିଜେ କିନ୍ତୁ ଟିକେ ଵି ଖାଆନ୍ତି ନାହିଁ। ଯଦି ବୋଉ ବାଧ୍ୟ କରେ , କୁହନ୍ତି , ଆରେ ମୋର Gas ହଉଛି ରଖିଦିଅ , ପରେ ଟୁଟୁ ଖାଇବ। ମୁଁ ଯେତେବେଳେ ଵି ବାପାଙ୍କ ମୁହଁ ଙ୍କୁ ଚାହେଁ ତାଙ୍କ ଆଖିରେ ମୋ ପାଇଁ ଆଖିଏ ସ୍ବପ୍ନ । ସବୁ ବେଳେ ଘରୁ ଆସିଲାବେଳେ ସେଇ ଗୋଟିଏ କଥା, ମନ ଦେଇ ପଢିବୁ, ଖାଇବାରେ ହେଳା କରିବୁନି। ପଇସା କଥା ଚିନ୍ତାକରିବୁନି। ସବୁ ମାସରେ ପଇସା ସରିବା ପୁର୍ବରୁ ବାପା ପଇସା ପଠେଇ ଦିଅନ୍ତି। ଆଉ ସେଇ ଦିନଟା ମୋ ପାଇଁ ଭାରି ଖୁସିର ଦିନ । ମୁଁ ସେଇଦିନ ଟା ସାରା ନିଜକୁ ଗୋଟେ ଛୋଟ କାଟିଆ କୋଟିପତି ମନେ କରେ। ବେଳେ ବେଳେ କିନ୍ତୁ କୋଉ ମାସରେ ଟିକେ ଅଧିକା ଖର୍ଚ୍ଚ ହୋଇଯାଏ। ଯେମିତିକି କେଵେ କାହାର ଜନ୍ମଦିନ ,କେଵେ କିଛି ଚାନ୍ଦା ଭେଦା ,କେଵେ ପୁଣି ମେସ୍ ଖାଇବା ରୁଚେନି ତ ବାହାରେ ଖାଇବାକୁ ପଡେ, ଏମିତି ସବୁ extra ଖର୍ଚ୍ଚ ରେ ପଇସା ସରି ଯାଏ। ମୋର ମନେ ଅଛି ପୁଣି ବାପାଙ୍କୁ ମାଗିବାକୁ କେମିତି ମାଡ଼ି ମାଡ଼ି ପଡେ। କେମିତି କହିବି? ମୁଁ ଜାଣେ ମୋ ବାପା ଜଣେ ସାଧାରଣ କର୍ମଚାରୀ। ଭାରି ଖରାପ ଲାଗେ। ତଥାପି କୁହେ । ବାପା କୁହନ୍ତି ହଉ ପଠେଇ ଦେବି। କିନ୍ତୁ ବାପା ପଣରେ ଥରେ ପଚାରନ୍ତି , ଏତେ ପଇସା କଣ କଲୁ ? ସେଇ ପ୍ରଶ୍ନରେ ମୁଁ କେମିତି ଗୋଟେ ସଂକୋଚ ରେ ଛୋଟ ହୋଇଯାଏ। ତଥାପି ଦମ୍ଭରେ କୁହେ ବାପା ମୁଁ ସବୁ ଲେଖିଛି, କଣ କଣ ଖର୍ଚ୍ଚ ହୋଇଛି। ସତରେ ଵି ମୁଁ ଲେଖିଥାଏ। ସବୁ ନୁହେଁ କିଛି କିଛି , ତା ପୁଣି ମୋ ରଫ ଖାତା ରେ। ସବୁଥର ଘରକୁ ଗଲାବେଳେ ଭାବେ ରଫ୍ ଖାତା ଟି ନେବି । କିନ୍ତୁ ସବୁ ଥର ସବୁ ନିଏ ସେଇ ରଫ୍ ଖାତା ଟି ହିଁ ଭୁଲି ଯାଏ। ଘରେ ପହଂଚି ଭାବେ ବାପା ଯଦି ହିସାବ ମାଗିବେ କଣ କହିବି। ବାପା ମୋତେ ମିଛୁଆ ଭାବିବେନି ତ ? କିନ୍ତୁ ସେମିତି କିଛି ଵି ହୁଏନି। ବାପା କେବେବି ମୋତେ ପଚାରନ୍ତି ନାହିଁ। ଆଉ ସେମିତି ମାସକୁ ମାସ ପଇସା ଆସେ ହିସାବ ମୋ ରଫ୍ ଖାତାରେ ଲେଖା ହୁଏ । ଆଉ ସେମିତି ରହିଯାଏ। କିଛି କାମରେ ଆସେନି। ମୁଁ ଭଲ ଚାକିରି କଲି। ବାପାଙ୍କ ଠୁ ଅଧିକା Income କଲି । କିନ୍ତୁ କେବେବି ବାପାଙ୍କ ପଇସା ର ଖୁସି ପାଇନି। ମାସ ସାରା କେତେ ହିସାବ କରିଛି , କେତେ ଖର୍ଚ୍ଚ ହେଲା କେତେ ରହିଲା । କିନ୍ତୁ ସେ ରଫ୍ ଖାତା ର ହିସାବ ପରି ନା ଡର ଲାଗିଛି ନା ସଂକୋଚ। ଦୀର୍ଘ ନିଶ୍ୱାସ ବାହାରିଗଲା । ତାଲା ଖୋଲି ଘରେ ପଶିଲି। ଘର ଟା କିଛି ମାତ୍ରା ରେ ପରିଷ୍କାର ଥିଲା। ମୋହନା ସଫା ସଫି କରିଥିଲା ବୋଧେ।ଦାଣ୍ଡ ଘର କାନ୍ଥକୁ ଆଉଜି ଥୁଆ ହୋଇଥିଲା ବାପାଙ୍କ ସାଇକେଲ। ବାପାଙ୍କ ପରି ମଜବୁତ ଓ ସାହାସୀ। ବାପାଙ୍କ ସାଇକେଲ କୁ ଟିକେ ଛୁଇଁଲି। ଭିତରୁ କୋହ ଉଠିଆସିଲା। ଆଉ ଥରେ ସେଦିନ ସବୁ ଫେରି ଆସନ୍ତାନି? ନିଜେ ବାପା ହେଲା ପରେ ଜାଣିଲି ବାପା କଣ? ବାପା ଜୀବନର ବତୀ ଖୁଣ୍ଟ , ଯିଏ ଖରା ବର୍ଷା ଶୀତ କାକର ସହି ,ପ୍ରତି ପଦେ ଆମକୁ ଆଲୋକ ଦେଖାଉ ଥାଆନ୍ତି।ଉପରେ କଠୋରତାର ଅଭିନୟ କଲେବି ଆମପ୍ରତି କେତେ ନରମ ହୃଦୟ ଟେ ରଖିଥାନ୍ତି। ଶୋଇବା ଘରକୁ ଗଲି ନଜର ରେ ପଡ଼ିଲା ବାପାଙ୍କ କାଠ ଅଲମିରା । ଏଇଟା କାଳେ ବାପା ତାଙ୍କ ପ୍ରଥମ ଦରମାରେ କିଣିଥିଲେ। ଇସ୍ କେତେ ଅଳନ୍ଧୁ। କନା ଖଣ୍ଡେ ଧରି ଝାଡି ଦେଲି। ନଜର ରେ ପଡ଼ିଲା ଆଲମିରା ଉପରେ ଗୋଟେ ଗଣ୍ଠିଲି। ତଳକୁ କାଢି ଖୋଲିଲି ଆମ ଭାଇ ଭଉଣୀ ମାନଙ୍କର କିଛି ପୁରୁଣା ବହି , ପୁଣି ବାନ୍ଧି ଥୋଇ ଦେଲି । ଆଲମିରା ଟା ଖୋଲିଲି ,ସେଥିରେ ବାପାଙ୍କ ପୋଷାକ , ଘର କାଗଜପତ୍ର , କମଳ , ଗୋଟେ କାଁଟିଆ ଚାଦର ଏବଂ ସବା ତଳ ଥାକରେ ମୋର Engineering ର କିଛି ବହି ସହ ,3/4 ଟା ରଫ୍ ଖାତା ,ଖୋଲି ଦେଖିଲି ସେଥିରେ ହିନ୍ଦୀ ,ଓଡ଼ିଆ, ଇଂଲିଶ , ସବୁ ଅକ୍ଷର ରେ ଲେଖା, କିଛି ଆବୁରଜାବୁର୍ ପାଠ । କୋଉଠି କେମିତି ହିନ୍ଦୀ ଓଡ଼ିଆ ଗୀତର ଗୋଟେ ଯୋଡ଼େ ଲାଇନ୍ , କେତେବେଳେ ବାପା କି ବୋଉ ଙ୍କ ଉପରେ ଅଭିମାନ ର ଦୁଇ ଧାଡି, ଆଉ ଶେଷରେ ବାପାଙ୍କୁ ହିସାବ ଦେଖେଇବି ଭାବି ଲେଖିଥିବା କିଛି ରାଗ ତମତମ ଅଧା ଅଧୁରା ମାସିକିଆ ହିସାବ। ଯାହା ବାପା କେବେବି ଦେଖିବାକୁ ଚାହିଁ ନାହାନ୍ତି, ସେଇ ହିସାବ ସବୁ ଦେଖି ଆଖିରେ ଲୁହ ଆସିଗଲା ।ମୋ ହିସାବ କିଛି ସତ କିଛି ମିଛ, ବାପାଙ୍କ ଫଟୋ କୁ ଚାହିଁଲି। ଆଜି ରଫ୍ ଖାତା ମୋ ହାତରେ ଅଛି, କିନ୍ତୁ ହିସାବ ନେବାକୁ ବାପା ନାହାନ୍ତି। ରୁମାଲ ରେ ବାପାଙ୍କ ଫଟୋ ଟିକୁ ପୋଛି ଦେଲି। ମୁଁ କାନ୍ଦୁଥିଲି ବାପା ହସୁଥିଲେ ଯେମିତି କହୁଥିଲେ , ବ୍ୟସ୍ତ ହଅନା ମୁଁ ଦେଖିଛି ତୋ ହିସାବ ଆଉ ତୋ ରଫ୍ ଖାତା। 


Rate this content
Log in