Aniruddha Samantara

Tragedy

2  

Aniruddha Samantara

Tragedy

ରଜ ଦଉଡ଼ି

ରଜ ଦଉଡ଼ି

3 mins
7.5K


ରାତି ପାହିଲେ ରଜ। ଗାଁ ପରିବେଶ ରଜ ପାଇଁ ସଜବାଜ ଚାଲିଥାଏ। କୁଆଁରୀ କନ୍ୟାଠୁ ଆରମ୍ଭ କରି ଛୋଟ ବଡ ସବୁ ଚଞ୍ଚଳ। ସକାଳକୁ ଅପେକ୍ଷା ସମସ୍ତଙ୍କର। ଦୋଳି ଝୁଲିବେ, ନୂଆ ଡ୍ରେସ୍ ପିନ୍ଧିବେ ରଜପାନ,ପୋଡପିଠା ଖାଇବେ ରଜଗୀତ ଗାଇବେ। ପ୍ରତିଦିନ ଭଳି ଆଜି ବି ତ୍ରିନାଥ ବାବୁଙ୍କ ପିଣ୍ଡାରେ ଗାଁର ଭେଣ୍ଡା ବୁଢାଙ୍କ ଖଟି ଚାଲିଥାଏ। କାନ୍ତ ବୁଢାର କଥାଠୁ ଆରମ୍ଭ କରି ଖଳାମୁଣ୍ଡ ପର୍ଯ୍ୟନ୍ତ। ସବୁ ର୍ଚଚ୍ଚା ହୁଏ ସେଠି।

ତ୍ରିନାଥ ବାବୁଙ୍କ ଘର ସାମନାରେ କିଛି ପିଲା ଖେଳୁଥାନ୍ତି। କୁଆଡେ ଥିଲା କେଜାଣି ହଠାତ୍ ଖୁସି ମନରେ ଦୌଡି ଦୌଡି ଆସିଲା କଳ୍ପନା। ତା ବାପା, ତାପାଇଁ ରଜ ସକାଶେ ଦୋଳି ବାନ୍ଧିବା କଥା ସେ ଖୁସିମନରେ ତା ସାଙ୍ଗସାଥିଙ୍କୁ କହୁଥାଏ। କଳ୍ପନାର ଏ କଥା ଖଟିରେ ବସିଥିବା ଲୋକଙ୍କ କାନରେ ପଡେ। ବାସ୍ଃ ଖଟିରେ ଆରମ୍ଭ ହୋଇଯାଏ ରୁନାର ପରିବାର ର୍ଚଚ୍ଚା।

ରୁନା ଓ କଲ୍ୟାଣୀର ଏକମାତ୍ର ଝିଅ କଳ୍ପନା। ବୟସ ୫ବର୍ଷ। ତାଙ୍କ ସହ ରହୁଥିଲେ ରୁନାର ମାଆ।ଟିକେ ପୁରୁଣାକାଳିଆ ଲୋକ। ବିବାହର ପ୍ରଥମେ ପ୍ରଥମେ କଲ୍ୟାଣୀକୁ ବହୁତ ଭଲ ପାଉଥିଲା ରୁନା। ହେଲେ କଳ୍ପନାର ଜନ୍ମ ପରେପରେ ବଦଳିଯାଇଥିଲା ତାର ସ୍ବଭାବ , ସୁନାର ସଂସାର ଧିରେଧିରେ ଚୂନା ହେବାକୁ ବସିଲା। ତା ପରିବାରରେ ଝିଅ ଜନ୍ମ ହେବା କଥାକୁ ସହଜରେ ଗ୍ରହଣ କରିପାରିଲାନି ରୁନାର ମାଆ। ରୁନା ସାହୁବଂଶର ଏକମାତ୍ର ପୁତ୍ର ସନ୍ତାନ ଥିଲା ,ତାପରେ ବଂଶ ରକ୍ଷା ପାଇଁ ପୁତ୍ର ସନ୍ତାନର ମୋହରେ ଥିଲେ। ପାଠୁଆ ହୋଇ ବି ଝିଅକୁ ବୋଝ ମନେକଲା । ସେଥିପାଇଁ ସବୁଦୋଷ କଲ୍ୟାଣୀ ଉପରେ ଲଦୁଥିଲା। କଲ୍ୟାଣୀକୁ ଶାଶୁ ଗଞ୍ଜଣା ସହିବାକୁ ପଡିଲା , ଏଣେ ରୁନା ବି ପ୍ରତିଦିନ ମଦପିଇ ଆସି ଅକାରଣେ କଲ୍ୟାଣୀକୁ ପିଟେ। ବେଳେବେଳେ ଆତ୍ମହତ୍ୟା କରିବାକୁ ମନ ବଳାଏ କଲ୍ୟାଣୀ ହେଲେ ସେ ଜାଣିଛି ଆତ୍ମହତ୍ୟା ମହାପାପ। ତା ସଂସାରରେ ଯେତେ ଝଡ ଆସୁ ପଛେ ଏଭଳି ଭୁଲ ପଦକ୍ଷେପ ନେବନି। ନିଜ ଭାଗ୍ୟକୁ ଆଦରି ତା ଅଲିଅଳ ଝିଅ କଳ୍ପନା ପାଇଁ ନୀରବରେ ସବୁ ଦୁଃଖ ସହିନିଏ।

ରଜ ବେଳ। ଗାଁ ଚାରିଆଡର ଉତ୍ସବମୁଖର ପରିବେଶ ଦେଖି କଳ୍ପନା ଘରେ ତାପାଇଁ ଦୋଳିଟଏ ବାନ୍ଧିବାକୁ ବାପା ପାଖରେ ଓଳି କରେ।ବଜାରରୁ ଫେରିବା ବାଟରେ ଝିଅ ପାଇଁ ନୂଆ ଡ୍ରେସ୍ ତା ସାଙ୍ଗକୁ ରଜ ଦଉଡି ନେଇ ଫେରେ ରୁନା। ହେଲେ ଅଭ୍ୟାସ ବଶତଃ ଗାଢ ନିଶାରେ ଆସିଥାଏ। ଘରେ ପଶୁପଶୁ ପୁଣି ଆରମ୍ଭ ହୋଇଯାଏ ପତ୍ନୀ ବିରୋଧ ଶବ୍ଦବାଣ ସବୁ, ଦୀର୍ଘ ଦିନଧରି ସହି ଆସିଥିବା ଏ କଥା ସବୁ ଆଜି ଅସହ୍ୟ ପାଲଟିପଡେ। ପ୍ରତିଦିନ ଭଳି ଆଜି ବି ହାତ ଉଠାଏ କଲ୍ୟାଣୀ ଉପରେ। ସବୁ ଦିନ ଭଳି ଚୁପ ନ ରହି କଲ୍ୟାଣୀ ଆଜି ପ୍ରତିବାଦ କରେ।ରଜ ସମୟରେ କୋଉ ପୁରୁଷ କଣ' କେବେ ତା' ସ୍ତ୍ରୀ ଉପରେ ହାତ ଉଠାଏ?? କଲ୍ୟାଣୀର ପ୍ରତିବାଦରେ ଅସମ୍ଭାଳ ପାଲଟିଯାଏ ରୁନା, ନିଶାରେ ନିଜ ହିତାହିତ ଜ୍ଞାନକୁ ହରାଇ ଏକ ଜୋର୍ ଧକ୍କା ଦିଏ। ଗୁହାଳର ଶକ୍ତ ଖୁଣ୍ଟକୁ ମୁଣ୍ଡ ବାଜି ଟଳିଯାଏ କଲ୍ୟାଣୀ। ନିସ୍ତବ୍ଧ ପାଲଟିଯାଏ ପରିବେଶ। ସନ୍ଦେହରେ ନିଜ ବିଶି ଆଙ୍ଗୁଳି ନେଇ କଲ୍ୟାଣୀର ନାକ ପାଖରେ ରଖେ।କିଛି ବି ଆଭାସ ମିଳେନି ପ୍ରାଣର। ଭାଙ୍ଗିଯାଏ ତା ନିଶା। ଭୟରେ ବ୍ୟତିବ୍ୟସ୍ତ ହୋଇପଡେ। ଦଣ୍ଡ ଭୟରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରେ। ରଜଦୋଳି ବାନ୍ଧିବା ପାଇଁ ଆଣିଥିବା ଦଉଡିକୁ ଘର ସାମ୍ନାର ପାଟିଆରେ ଦଉଡିକୁ ଫାଶ କରି ଝୁଲାଏ। ସବୁ ଘଟଣା ଦେଖୁଥାଏ କଳ୍ପନା, ଛୋଟ ହେଲେ ବି ଏ ସବୁ ତା ପାଇଁ ନୂଆ ନୁହଁ। ପ୍ରତିଦିନ ତା ବାବା ମାମାଙ୍କୁ ପିଟନ୍ତି ଆଉ ମାମା ଏମିତି କାନ୍ଦିକାନ୍ଦି ଶୁଏ।

ଆଜି ତା ଆଖି ଆଗରେ ଯାହାସବୁ ଘଟିଗଲା ତାହା ସେ ଦେଖିଛି ହେଲେ କିଛିବି ବୁଝିପାରିନି। ବରଂ ବାପାକୁ ଶୀଘ୍ର ଦୋଳିବାନ୍ଧିବାକୁ କହେ। ଖେଳିବାକୁ ଯିବାକୁ କହି ବାପା ବାହାରକୁ ପଠାଇଦେଲେ କଳ୍ପନାକୁ। କଳ୍ପନା ଦୌଡିଦୌଡି ଆସେ ଆଉ ନିଜ ସାଙ୍ଗସାଥିଙ୍କୁ ତା ବାପା ତା ପାଇଁ ଦୋଳି ବାନ୍ଧିବା କଥାବାଣ୍ଟେ। ତେଣେ ରୁନା ଦଉଡିର ଫାଶରେ କଲ୍ୟାଣୀର ଦେହକୁ ଝୁଲାଇ ବାହାରକୁ ଆସି କୁମ୍ଭୀରକାନ୍ଦଣା କାନ୍ଦିବାକୁ ଲାଗେ। ହଠାତ୍ ଆଖପାଖରେ ଥିବା ଗାଁ ଲୋକସବୁ ଦୌଡି ଆସନ୍ତି। ଧିରେ ଧିରେ ଭିଡ ଜମେ। ଥାନାକୁ ଖବର ଦିଆଯାଏ । ପୋଲିସ୍ ଆସି ତନାଘନା ଆରମ୍ଭ କରନ୍ତି ।

ସମସ୍ତଙ୍କ ମନରେ ଏ ସଂପୂଣ୍ଣ ଘଟଣା ହତ୍ୟା ନା ଆତ୍ମହତ୍ୟାର ସନ୍ଦେହ ସୃଷ୍ଟି ହେବା ପୂର୍ବରୁ ଭିଡ ଭିତର ଦେଇ ପଶି ଆସିଲା କଳ୍ପନା। ଦଉଡିରେ ଝୁଲୁଥିବା ମାଆର ଦେହକୁ ହଲାଇ ହଲାଇ କହିଲା

- "ମାମା ଉଠ, ମାମା ଉଠ। ଏଇ ଦୋଳି ମୋର। ବାବା ମୋ ପାଇଁ ବାନ୍ଧିଛନ୍ତି। ମୁଁ ଝୁଲିବି ତୁ ଓହ୍ଲା।"

ହଠାତ୍ ଦୌଡିଆସି ଝିଅର ମୁହଁ କୁ ବନ୍ଦ କରିବା ଆଗରୁ ସମସ୍ତଙ୍କ ସନ୍ଦେହକୁ ଦୂର କରିସାରିଥିଲା ନିଜ ହାତରେ। ଏଣେ ଏକା ଗଣ୍ଠିରେ ଝୁଲୁଥିବା ଫାଶୀ ଦଉଡିକୁ ରଜଦୋଳି ମନେକରି ଝୁଲେ ନିରୀହ କଳ୍ପନା।

ଅନିରୁଦ୍ଧ ସାମନ୍ତରା

କଲ୍ୟାଣ ସିଂହପୁର


Rate this content
Log in

Similar oriya story from Tragedy