ଏ ଜୀବନେ ଫୁଲଟିଏ...
ଏ ଜୀବନେ ଫୁଲଟିଏ...
ଏ ଜୀବନେ ଫୁଲଟିଏ...
ଅନିରୁଦ୍ଧ ସାମନ୍ତରା
କିଏ ବା ତୋତେ ଅସ୍ୱୀକାର କରିବ ? ହେଲେ ନିଜର ବି କରିବ ପୁଣି କେତେ ଦିନ ପାଇଁ ? କାହାର ବା ତୁ ଶାଶ୍ୱତ ସମ୍ପତ୍ତି ? କାହିଁ ତୋ ସ୍ଥାୟିତ୍ୱ ଏ ସୃଷ୍ଟିରେ ? ଏଭଳି ତୋ ସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଏ ଜୀବନରେ l ସକାଳ ପହରୁ ଆରମ୍ଭ ହେଉଥିବା ତୋ ବାଳୁତ ଜୀବନ ସନ୍ଧ୍ୟାରେ ବାର୍ଦ୍ଧକ୍ୟରେ ଉପନୀତ ହୋଇ ଝରିପଡ଼େ | ତଥାପି ଜୀବନର ବିଭିନ୍ନ ପାଦରେ ତୋ ଅବଦାନ ଆଜି ବି ଅଜବ ଲାଗେ l ତୋ ରୂପ, ରଙ୍ଗ, ବାସ୍ନାରେ ସାରା ଜଗତ ମୋହିତ | ତୁ ସଭିଁଙ୍କର, ପୁଣି କାହାର ନୁହଁ l ଜୀବନରେ ଅନେକ ସ୍ଥିତି ତୋର l
କେବେ ତୁ ଦେବଦେବୀଙ୍କ ମଥାରେ ଝଲସୁଥିବା ପବିତ୍ର ପୁଷ୍ପଟିଏ ତ, କେବେ ଗଳାରେ ଝୁଲୁଥିବା ରଙ୍ଗବେରଙ୍ଗର ସତୀ ପୁଷ୍ପରତ୍ନ ହାର | କେବେ ଯୌବନର ପ୍ରଥମ ପ୍ରେମ ପ୍ରସ୍ତାବରେ ପ୍ରେମିକ ହାତରେ ପବିତ୍ର ପ୍ରତୀକଟେ ତ, ପୁଣି ପ୍ରତାରିତ ପ୍ରେମିକର ଡାଏରୀରେ, ପିରାମିଡ଼ ଭିତରେ ଲୁଚିରହିଥିବା ମମି ସଦୃଶ ଅତୃପ୍ତ ସ୍ମୃତିଟିଏ | ବିବାହବେଦୀରେ ଅଗ୍ନି ସମ୍ମୁଖେ ପ୍ରମାଣ ଖାଇ ନୂତନ ସଂସାରକୁ ଆହ୍ୱାନ କରୁଥିବା ଲାଜେଇ କଅଁଳା କନ୍ୟାର ଗଭା ଗଜରାରେ ଖୋସିହାଇଥିବା ହାରଟିଏ, ପୁଣି ଚଉଠି ରାତିର ନିଃଶବ୍ଦ ଘନ ଅନ୍ଧକାରରେ ପୁରୁଷତ୍ୱର ପ୍ରମାଣ ପାଇ ଶେଯରେ ଝାଉଁଳିପଡିଥିବା ପଙ୍ଗୁ ଅବତାରୀଟିଏ | ପୁଣି କେବେ ନାରୀଜାତିର ବେଣୀରେ ଲାଜେଇ ବାସଭରା ପୁଷ୍ପ ଅଳଂକାରଟି ତୁ, ତ କେବେ ବେଶିଆ ନାରୀର କେଶଗୁଚ୍ଛରେ ନଗ୍ନ ଦେହେ ରହି ପରପୁରୁଷର ତୃଷ୍ଣା ମେଣ୍ଟାଉଥିବା ଅଲାଜୁକୀଟିଏ l କେବେ ନୂତନ ଅତିଥି ହସ୍ତେ ସ୍ୱାଗତ ସମ୍ବର୍ଧନା ଜଣାଉଥିବା ପୁଷ୍ପଗୁଚ୍ଛଟିଏ ତ, କେବେ ଅକାଳରେ ମାତୃଗର୍ଭରୁ ଝଡି ମାଟିରେ ମିଶିଯାଉଥିବା ଭ୍ରୂଣଟିଏ l
ଏମିତି ଆହୁରି ଅନେକ ସ୍ଥିତି ତୋର l ତୁ ସ୍ୱଚ୍ଛ, ନିଷ୍କଳଙ୍କ, ପବିତ୍ର ଆଉ ପୂଜ୍ୟ ହେଲେ ବି କ୍ଷଣସ୍ଥାୟୀ, ମାତ୍ର କିଛି ମୁହୂର୍ତ୍ତ ପାଇଁ ତୋ ଜୀବନ l
ହେଲେ ଆଜି କାହିଁ ଏ ଶେଷଯାତ୍ରାରେ ତୋ ନୀରବତାର କାରଣ ବୁଝିପାରୁନି l ହେଲେ ଜାଣିଛି ତୁ ଆଜି ତୋ ପ୍ରତିଶାଧ ନେଉଚୁ l ସେଦିନ ରାତିରେ ମୁଁ ତୋ ସଜ ଶରୀରରେ ଶୋଇ ଦଳିଚକଟି ପଙ୍ଗୁ କରିଦେଇଥିଲି ବୋଲି ଆଜି ମୋ ଜୀବନର ଶେଷଯାତ୍ରାରେ ନୀରବ ନିଶ୍ଚଳ ମୋ ଶ୍ଵେତାକ୍ତ ଚଦର ଆଚ୍ଛାଦିତ ବାସି ମଢ଼ଶରୀରରେ ବିଛାଇହୋଇ ଖିଲିଖିଲି ହସୁଛୁ ଆଉ କହୁଛୁ, "ରେ ମଣିଷ ! ଯେବେ ମୋ ସଜ ଶରୀରରେ ଶୋଇ ରାତି ବିତାଇଥିଲୁ ତାହା ତୋ ପ୍ରଥମ ରାତ୍ର ହୋଇପାରେ, ହେଲେ ଦେଖ, ଆଜି ମୁଁ ତୋ ଶରୀର ଉପରେ ଆଉ ଆଜି ତ ଶେଷରାତ୍ର l ପୁଣି ବହୁତ ପ୍ରଶ୍ନ କରୁଥିଲୁନା ମୋ ସ୍ଥିତିକୁ ନେଇ, ଏବେ ଦେଖ ତୋ ଅବସ୍ଥା, ତୋ ସ୍ଥିତି ?
ଆଜି ମୁଁ ଜୀବିତ, ଆଉ ତୁ ମୃତ | ଆଜି ମୁଁ ଅଛି, ଆଉ ତୁ ନାହୁଁ | ଆଜି ମୁଁ ସଜ, ଆଉ ତୁ ବାସି l ତୁ ଅପବିତ୍ର, ଆଉ ମୁଁ ପବିତ୍ର, ପୂଜ୍ୟ, ଶlଶ୍ୱତ l"
ଗାଦିଆଖଳା, ଗୁଣପୁର, ଜିଲ୍ଲା-ରାୟଗଡା
mob:- 9438685865