ରାଜଧାନୀର ରାତି
ରାଜଧାନୀର ରାତି
ସକାଳୁ ସକାଳୁ ପହଞ୍ଚିଲା ଦୀପକ । ଚାରିଆଡେ ଚାହିଁଲା ପୁଣି ଅଟୋଟିଏ ପାଇଲା । ଦରଦାମ କରି ଚାଲିଲା, କଳ୍ପନା ଅଭିମୁଖେ । ଅଟୋବାଲା ହିଁ ତାକୁ ନେଇଗଲା ଭଲ ଜାଗାକୁ । ଶିଘ୍ର ଗାଧୁଆ ସରିବାପରେ ବାହାରି ଗଲା । ସତରେ ସିଏ କ'ଣ ରୋଗ ଦେଖେଇବାକୁ ଆସିଛି । ନା ବୋଧହୁଏ ରାଜଧାନୀର ସୁନ୍ଦରତା ତାକୁ ବାରମ୍ବାର ରୋଗ ବାହାନାରେ ଟାଣି ଆଣୁଛି । ଠିକ୍ ସମୟରେ ପହଞ୍ଚି ଡାକ୍ତରଙ୍କ ପରାମର୍ଶ ନେଲା, ଯଥାବିଧି ପରୀକ୍ଷା ନିରୀକ୍ଷା କରି ଚାଲିଲା ଦହିବରା ଆଳୁଦମ୍ ଠେଲା ଅଭିମୁଖେ । ମନ ଭରି ଖାଇ ପକେଇଲା । ଓଃ କି ଶାନ୍ତି ଏଠିକାର ଜଳଖିଆ । ମନେ ମନେ ଭାବିଲା କଳାହାଣ୍ଡି ଗୁଲୁଗୁଲା ଚଣା ଯେମିତି ସୁଆଦିଆ ଏଠିକାର ଦହିବରା । ରୋଗର ନିଦାନ ନ ଜଣା ପଡ଼ିବା ଯାଏ ଔଷଧ ଡାକ୍ତର ଲେଖିବେ ନାହିଁ । ତେଣୁ ସେ ଚିନ୍ତା କଲା କାହିଁକି ମାଉସୀ ମାଆ ମନ୍ଦିର ବେଢ଼ାରେ ନ ବସିବ । ଭିତରକୁ ଗଲା ଦିଅଁ ଦର୍ଶନ ପରେ ପାଖ ପାର୍କରେ ନିଜ ତଉଲିଆ ବିଛେଇ ବସିଲା । ସେଠାରେ ସମୟର ମୂଲ୍ୟ ଅଛି କି ନାହିଁ ଜାଣିବା କଷ୍ଟକର । ବସିବା ଭିତରେ ଏତେ ସବୁ ଦୃଶ୍ୟ ତାକୁ ଚକିତ କରି ପକାଇଲା । ଆରେ ଆମ ଗାଆଁରୁ ତ ଅନେକ ଆସନ୍ତି ଏଠାକୁ ପାଠ ପଢିବା ପାଇଁ । ବାପା ମାଆ ବି ବହୁତ ଖର୍ଚ୍ଚ କରନ୍ତି ପିଲାଙ୍କ ପାଇଁ । ହେଲେ ଏମାନେ କ'ଣ ଏଇଠି କଲେଜ କ୍ଲାସ ଛାଡି ଏମିତି ମଜ୍ଲିସ୍ କରୁଛନ୍ତି ।
ମନେ ମନେ ଖୁସି ବି ହେଲା ସେ ଝିଆରୀ ପୁତୁରାକୁ ଗାଆଁରେ ହିଁ ପଢଉଛି । ଦଳ ଦଳ ହୋଇ ସବୁ ବସି କି ମଉଜ ମଜଲିସ କରୁଛନ୍ତି ।
ହଠାତ୍ ମନ୍ଦିର ଅଗଣାରେ ସ୍ତ୍ରୀ ଲୋକଟିକୁ ଦେଖି ଦୀପକ ବ୍ୟସ୍ତ ହୋଇ ପଡ଼ିଲା । ଅତି ପୁରୁଣା ଚିହ୍ନା ମୁହଁ । ଯାହା ଠିକଣା ସେ ସତର ବର୍ଷ ହେଲା ହଜେଇ ଦେଇଛି। ପୁଣି ଦ୍ୱନ୍ଦ୍ୱରେ ପଡ଼ିଲା ନା ହୁଏତ ମୋ ମନର ଭ୍ରମ ହେଇପାରେ । ତଥାପି ଚେଷ୍ଟା କଲା ପାଖକୁ ଯାଇ ତନଖିବା ଉଦ୍ଦେଶ୍ୟରେ । ଆଖିରେ ଆଖି ମିଶେଇ ଦେଖିବା ପରେ ସନ୍ଦେହ ଦୂର ହେଲା । ସିଏ ଆଉ କିଏ ନୁହେଁ ମାନସୀ। ମାନସୀ ନଜର ଯେମିତି ଦୀପକ ମିଶ୍ରଙ୍କ ଉପରେ ପଡ଼ିଛି ଅଳ୍ପ ସମୟ ପାଇଁ ଇତଃସ୍ତତଃ ହୋଇ ମନ୍ଦିର ଭିତରକୁ ପଶିଗଲା । ଦୀପକ ଆଶ୍ଚର୍ଯ୍ୟ ହୋଇ ନିର୍ନିମେଷ ନୟନରେ ଚାହିଁ ରହିଲା ଠାକୁରଙ୍କ ଏଭଳି ସଂଯୋଗ ଲାଗି। ଅପେକ୍ଷାରେ ରହିଲା ମାନସୀର ପ୍ରତ୍ୟାଗମନ ପାଇଁ । ମାନସୀ ବୋଧହୁଏ ଭୋଗ ଆଣିବା ଲାଗି ଯାଇଥିଲା । ହାତରେ ଟିଫିନ୍ କ୍ୟାରିୟର ।
ହଠାତ୍ ଆସି ପଳେଇ ଯିବାକୁ ଚେଷ୍ଟା କରୁଥିଲା ମାନସୀ,ଦୀପକ ଧୀର କଣ୍ଠରେ ଡାକିଲା ମାନୀ । ଏଡାଇ ଯାଇ ପାରିନଥିଲା ମାନସୀ । ରହିଯାଇଥିଲା ତା'ର ପାଦ ଦୁଇଟି। ହଠାତ୍ ଦେଖିବା ପରି ନମସ୍କାର କଲା । ଭୁବନେଶ୍ଵର ଆସିବାର ଅଭିପ୍ରାୟ ଜାଣିବାକୁ ଚେଷ୍ଟା କଲା।ଦୀପକ ନିଜ କଥା କହିବା ପରେ ମାନସୀ ବିଷୟରେ ଜାଣିବାକୁ ଚେଷ୍ଟା କଲେ। ବିଶେଷ ବର୍ଣ୍ଣନା କରି ମାନସୀ ଜଣେଇ ଦେଲା ।ଆଜି ଯେ ଶାଶୁଙ୍କର ଦ୍ଵାଦଶୀ ତେଣୁ ମନ୍ଦିରରୁ ଭୋଗ ନେବାକୁ ଆସିଥିଲା । ମନ୍ଦିର ପଛପଟରେ ତାଙ୍କ ଘର ଓ ତା ସ୍ୱାମୀ ଏ ଅଞ୍ଚଳର ଜଣାଶୁଣା ଡାକ୍ତର । ମଧୁମେହ ରୋଗୀଙ୍କ ପାଇଁ ସେ ଯେମିତି ଜଣେ ଠାକୁର ।ତେଣୁ ଘର ପାଇଁ କମ୍ ସମୟ ଦିଅନ୍ତି।ଯାବତୀୟ ଦାୟିତ୍ୱ ମାନସୀ ଉପରେ। ଏତକ କହି ମାନସୀ ଯିବାକୁ ଚାହିଁଲା କାରଣ ଭୋଗ କ୍ୟାରିୟର ଜଣେଇ ଦେଉଥିଲା ଖାଇବା ସମୟ ଗଡି ଯାଉଥିବା କଥା । ଠିକ୍ ଏତିକି ବେଳେ ମନ୍ଦିର ପୂଜାରୀ ଆସି ଦୀପକକୁ କହିଲେ ଆସ ବାବା ଭୋଗ ପାଇ ନିଅ ,ଭାଗ୍ୟରେ ଥିଲେ ମିଳେ। ଦୀପକ ଆଗ୍ରହ ସହ ଭୋଗ ଖାଇଛି, ଆତ୍ମସନ୍ତୋଷରେ ପୂଜକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଭୋଗ ମୂଲ୍ୟ
ଦେବାକୁ ହାତ ବଢ଼ାଇଛି।ପୂଜକ ଟଙ୍କା ମନା କଲେ କାରଣ ଆଗରୁ ମାନସୀ ମ୍ୟାଡମ୍ ଟଙ୍କା ଦେଇ କହି ଯାଇଛନ୍ତି ଆପଣଙ୍କ ଭୋଜନ କଥା ବୁଝିବା ପାଇଁ।
ଦୀପକ ପୁଣି ଥରେ ପାର୍କ ଭିତରକୁ ଯାଇ ବିଶ୍ରାମ ନେବାକୁ ଚେଷ୍ଟା କରିଛି,କାରଣ ତା ରିପୋର୍ଟ ମିଳିବାକୁ ଆହୁରି ଦୁଇ ଘଣ୍ଟା ବାକି ଅଛି। ସ୍ଵୟଂ ଅର୍ଣପୂର୍ଣ୍ଣାଙ୍କ ପ୍ରସାଦ ପାଇଛି ସେ ଭାଗ୍ୟବାନ । ଆଖି ବୁଜି ଦେଇ ଅତୀତକୁ ଓଲୋଟେଇ ଦେଖିବାକୁ ଚେଷ୍ଟା କଲା ନା ସେ ମୋ ମାନୀ ଆଉ ଇଏ ମାଡମ ମାନସୀ । ସ୍ୱାମୀ ତାଙ୍କର ଜଣେ ଡାକ୍ତର । ସହସ୍ର ରୋଗୀଙ୍କ ଜୀବନ ଦାତା ।
ଏ ଭିତରେ ସମୟ ଯଥେଷ୍ଟ ହେଇ ସାରିଥିଲା,ତରବରିଆ ଭାବେ ରିପୋର୍ଟ ଆଣିବାକୁ ଚାଲିଲା ଦୀପକ । ଟିକିଏ ବିଳମ୍ବ ହୋଇଥିଲା ତେଣୁ ଡାକ୍ତର ଘରକୁ ଯାଇ ସାରିଥିଲେ । ଓଃ ଭଲ ହେଲା କହି ଦୀପକ ମଧ୍ୟ ଚାଲିଲା । ରାଜଧାନୀର ରାତି ତାକୁ ମହଙ୍ଗା ଲାଗୁଥିଲା। ଟିକେଟ ନେଇ ସିଧା ବସରେ ବସିପଡ଼ିଲା । ଧୂଆଁ ଅନ୍ଧାରରେ ଏକାମ୍ର ନଗରୀ ଅଦୃଶ୍ୟ ହେବାକୁ ଲାଗିଲା । ଦିନଯାକର ଥକା ଓ ଚିନ୍ତା ଗ୍ରସ୍ତ ମନ ନେଇ ଅତୀତର ସ୍ମୃତିରେ ଭାସିବାକୁ ଲାଗିଲା ଦୀପକ ବସ୍ ଭିତରେ ।