ପ୍ରତିଫଳନ
ପ୍ରତିଫଳନ
ହଇଲୋ ହେଇ ବଂଉଶ ଖାଇ; ତୋତେ ମରଣ କେଉଁଠି ହେଉନାହିଁ ! ତୋ' ବୋପାଘରୁ କ'ଣ ସାଉଁଟି ଆଣିଥିଲୁ ଲୋ; ଚାଉଳ ପୋଷେ ପୋଷେ ଏଇ ଅଲକ୍ଷଣା କର୍ମକୋଢିଆ ଭିକାରୀ ଗୁଡାଙ୍କୁ ନିଇତି ବାଣ୍ଟୁଛୁ। ମାଇପି ଛୁଆ ଯୋଡିଏ ଜନମ ଦେଇଛୁ ଆଗକୁ ମୋ' ଗେଲବସର ପୁଅଟା କେଡ଼େ ଦହଗଞ୍ଜ ହେବ। ମରିବାଯାଏ କ'ଣ ସବୁ ବୁଝାଉଥିବିରେ ବଂଉଶ ଖାଇ, ସାଇତିବା ଲାଗେ କିଛି ରଖିବୁ ବା' ନାହିଁ ! ଯା' ....ଯା' ସେ ଚାଉଳ ତକ ନେଇ ଭିତରେ ରଖ।
ଏ ଦେଖ... କେମିତି ମନେମନେ ଗରଗର ହେଇ ଯାଉଛି? ମରଦଟା ଯଦି ବହେ ଆଣି ଏ ଘରେ ଓଜାଡି ଦେଉଥାଆନ୍ତା ମୁହଁ ଉଠାଇ ଜବାବ ଦିଅନ୍ତାଣି? ମୋ' କପାଳ ଫଟା, କେଉଁ ଅଲକ୍ଷଣା ମୁହୂର୍ତ୍ତରେ ଏଇଟାକୁ ଏ ଘରକୁ ବୋହୂ କରିଆଣିଥିଲି କେଜାଣି। ଏ ହତଭାଗା ବୁଢ଼ାବୁଢୀଙ୍କ ମୁହଁରେ କିଏ ନାଆଁ ଦେବ ? ଜଗନ୍ନାଥ ମହାପୁରୁ.... !
ଆଉ ତୁ ଏମିତି କଟମଟ ହୋଇ କବାଟ ପାଖରେ ଚାହିଁଛୁ କଣ କିରେ ମରମଜଳା, ଯା' ଏଠାରୁ। ଆଉ ଦିନେ ଏ ଦୁଆର ବନ୍ଧରେ ଦେଖିବି ଯଦି ଟାଙ୍କେ ଛେଚିବି। ଅଳପେଇସା କେଉଁଠିକାର...!
ଏମିତିକା ଝାଞ୍ଜିପିଟା ଗାଳିରେ ଯମ ବି ପଳାୟନ କରିବ, ବିଚରା ବୃଦ୍ଧ ଭିକାରୀଟା ଆଗ ଘରକୁ ଯିବ ବା' କ'ଣ ? ସେଠାରୁ ଗୋଟିଏ ନିଶ୍ୱାସରେ ପଡିଉଠି ଛୁ । ସେତେବେଳକୁ ଘରର ମୁଖ୍ୟ କବାଟ ଖଣ୍ଡିକ କୀଳା ସରିଥିଲା।
ଭିତରପଟରୁ ଶୁଭିଲା, ଥାଉ ସେତିକି ସେ' ସକେଇ ହେବା ! ଯା' ଆଗ ରୋଷେଇ କର, ସେପଟରୁ ତୋ' ଶ୍ୱଶୁର ଲେଉଟିବା ଆଗରୁ ସବୁ ଯୋଗାଡ଼ ଯେପରି ସରିଥିବ। ଆତ୍ମଜା ସେ' ଘରକୁ ବୋହୂ ହୋଇ ଆସିବା ଦିନଠାରୁ ନିଇତି କିଛି ନା' କିଛି ଗଞ୍ଜଣା ସହେ। ନଣଦ ଟା ବାହା ହୋଇ ଗଲାଦିନଠାରୁ ଏହା ଆହୁରି ଆହୁରି ବଢିଛି। ଆହୁରି ଗୋଟେ ଛୁଆ ଜନ୍ମକର, ଖର୍ଚ୍ଚ ଉଠାଇବ ଭଲା କିଏ? ବହୁ କଷ୍ଟେମଷ୍ଟେ ଚଳାଉଛି। ସେ' ଚୁପ ରହେ।
ଭଲ ରୋଜଗାରିଆ ପୁଅ କହି ବାହାଟା ସିନା କରି ଏ ଘରକୁ ତାକୁ ନେଇଆସିଥିଲେ, ପଛରେ ଠକିଛନ୍ତି ବୋଲି ଜଣାପଡିଲା ।ବାପା ଆଜି ନିରୁପାୟ। ଶ୍ୱଶୁରଙ୍କ ରୋଜଗାରଟା ଜାଣ ଏ ଘରକୁ ସମ୍ଭାଳିଛି।ଗୁଡାଏ ପାଠ ପଢିଥିଲେ କ'ଣ ହେବ; ତା' ସ୍ୱାମୀ ବାହା ହୋଇ ଆସିବା ଦିନଠାରୁ ପାଞ୍ଚ ସରିକି ଚାକିରୀ ବଦଳାଇ ସାରିଲେଣି। ବେସରକାରୀ ବ୍ୟବସ୍ଥା ହିଁ ଖରାପ। ସ୍ୱାମୀର ନିରାଶ ମୁହଁଟିକୁ ଦେଖି ଆତ୍ମଜା ନିରବ।
ଆତ୍ମଜା ଉଚ୍ଚଶିକ୍ଷିତ, ଶିକ୍ଷିତା ହେବାର ସୁଖକୁ ପାଇପାରିଲା ନାହିଁ,ଅବଶ୍ୟ ଉତ୍ତୀର୍ଣ୍ଣ ପରେ ବୃତ୍ତିଟି ଲାଗି ଚେଷ୍ଟା କରିଥିଲା।ଭାଗ୍ଯ ଚାହିଁଲା ନାହିଁ । ଅସୁମାରୀ ତା' ସ୍ୱପ୍ନକୁ ତା' ନିୟତା ଛଡାଇ ନେଇଛି। ସେ ବୁଝେ ତା' ପରିସୀମା ଆଜି ସୀମିତ। ଏ ଘରର ମର୍ଯ୍ୟାଦାରେ ତିଳେ ହେଁ ଦାଗ ଲଗାଇବ ନାହିଁ, ସେଇ ପ୍ରତିଶ୍ରୁତିର ରଜ୍ଜୁରେ ବନ୍ଧା କର୍ତ୍ତବ୍ୟ ତୁଲାଇବ । ହାତ ଧରିଥିବା ମରଦଟା ପରିବାରର ମର୍ଯ୍ୟାଦାକୁ ଚାହିଁ ସାମାନ୍ୟତମ ସ୍ୱର ଉଠାଇବାକୁ ଚାହିଁନି । ଆଜି ସିନା ସେ ଦୁସ୍ଥିତିରେ ଗତି କରୁଅଛି, ଆସନ୍ତା ସମୟ ହୁଏତ ବଦଳିବ ବୋଲି ବିଶ୍ୱାସ !
ନିଜକୁ ବାରମ୍ବାର ବୁଝାଏ। ସୂର୍ଯ୍ଯାସ୍ତ ଓ ଉଦୟର ସୀମାବଦ୍ଧ ସମୟକୁ ଥିରିଥିରି ପଚାରି ବସେ ! ଆଗତ ଭବିଷ୍ୟତ ସମ୍ପର୍କରେ ଜାଣିବାକୁ ଚାହେଁ ! ତେବେ ଏହାର ଉତ୍ତର ଦେବ କିଏ ? ସମୟ ନା ସେ ନିଜେ ?
ଅଭିଆଡୀ ସମୟର ସେ ଅଫୁରନ୍ତ ସ୍ୱପ୍ନ ସବୁ ମଳିନ ! ତା' ଆକାଶରେ ନାହିଁ ମେଘର ମେଖଳା ନା ଆତ୍ମ ପ୍ରଶମନର ବିଛୁରିତ ଇନ୍ଦ୍ରଧନୁ। ଘର ଝଞ୍ଝଟରୁ ସାମାନ୍ୟ ପୂର୍ତ୍ତି ପାଇ ତା ଖିଆଲୀ ମନ ତାକୁ ଡାକି ନିଏ ଦୁଇମହଲାର ଛାତ ଉପରକୁ। କୁଣ୍ଡର ଗଛସବୁକୁ ପାଣି ଦିଏ, ଫୁଲମାନଙ୍କ
ସଙ୍ଗେ ନିସଙ୍ଗତାର ସମୟକୁ ପ୍ରତିଦିନ ବାଣ୍ଟେ। ଘର ଚତୁପାର୍ଶ୍ୱ ସବୁଜିମା ଭରା ବାହାରର ଖିଚିରି ମିଚିରି ଶବ୍ଦ ସବୁକୁ ନିରେଖି ଦେଖେ। ଦୂର ଗଛ ଉହାଡେ ଥିବା ପକ୍ଷୀଙ୍କ ବସାକୁ ପ୍ରଫୁଲ୍ଲତା ଭରା ଚାହାଣୀ ପାରେ। ଏ ସବୁ ତାକୁ ଭଲଲାଗେ। ପକ୍ଷୀ ଗୁଡିକ ସତରେ କେଡ଼େ ସୁନ୍ଦର, ସ୍ୱାଧୀନ ! ମିଳିମିଶି ସଜାଡ଼ନ୍ତି ନିଜ ନୀଡ଼ । ଖେଳି ବୁଲନ୍ତି ଏ ଡାଳରୁ ସେ ଡାଳ ।ଜୀବନକୁ ଜୀବନ୍ତ ଭାତି ଜିଇଥାନ୍ତି। ଜୀବନଟା ଯେ ଏପରି ହେବ କଳ୍ପନାତୀତ ଥିଲା। ଆଜିକାଲି ଆଉ ସେଇ ଖିଆଲୀ ସ୍ୱପ୍ନ ଗୁଡାକୁ ଆହ୍ବାନ କରୁନାହିଁ, ସ୍ୱପ୍ନ ବି ଆସିଲେ ସେ ଚିହିଁକି ଉଠିପଡିଥାଏ। ଏଗୁଡାକ ତା' ଲାଗେ ଅମୂଳକ।
ସେ ବିବାହବେଦିର ପ୍ରତିଶ୍ରୁତି ଗୁଡାକ ଏକ ପରମ୍ପରା ଯାହା। ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣର ଏକ ବିଧିପର୍ବ। ଅସଲ ଜୀବନ ପ୍ରବେଶର ରୂପରେଖ ଭିନ୍ନ, ଯେଉଁଠି ଅସ°ଖ୍ଯ ଅନସ୍ୱୀକାର୍ଯ୍ଯକୁ କୋଳାଗ୍ରତ କରି ରଖିବାକୁ ହୁଏ ।ରୋମାଞ୍ଚହୀନ। ମଣିଷଟାର ହାତଧରି ବୁଲିବାକୁ ତାକୁ ଅଦ୍ୟାବଧି ସୁଯୋଗ ଜୁଟିଲା ନାହିଁ। ବଧୂ ସାଜି ଆସିବା ଦିନଠାରୁ ଚୌକାଠ ଡେଇଁନି । ସେ ଥକିହାରି ଆସନ୍ତି, ନିରବରେ ତା ଆଖିରେ ଆଖି ମିଶାନ୍ତି , ସମସ୍ତ ଅବ୍ୟକ୍ତକୁ ବୁଝିପାରି ତାକୁ ତାଙ୍କ ବାହୁବନ୍ଧନୀରେ ଜାବୋଡି ଧରି ସାନ୍ତ୍ବନା ଭରନ୍ତି। ତାଙ୍କ ଆଖି ଛଳଛଳର ବିବଶତାକୁ ସେ ଠିକ ବୁଝିପାରେ। ସତେ କି ପ୍ରତିବାଦ କରିବାରୁ ବାରଣ ନିମନ୍ତେ ତାଙ୍କ ହୃଦୟରୁ ଜଣାଇଥାନ୍ତି । ବନ୍ଧାଛନ୍ଦା ଏ ଜୀବନର ସେଇ ମଧୁର ମୁହୂର୍ତ୍ତ ଗୁଡିକକୁ ଏବେ ସେ ଗୁନ୍ଥିବା ଶିଖିଯାଇଛି। ତାହା ସବୁ ଏଇ ସୁଗନ୍ଧିତ ଫୁଲଠାରୁ କିଛି କମ ନଥିଲା।
ତଳଘରୁ ଶାଶୁଙ୍କ ଚିତ୍କାର ଶୁଭିଲା, ସବୁତକ ଖିଆଲକୁ ଭାଙ୍ଗି ଆତ୍ମଜା ଯଥାଶୀଘ୍ର ତାଙ୍କ ପାଖରେ ପହଞ୍ଚିଯାଇଛି। ହାତରେ ମୋବାଇଲ ଫୋନଧରି ସୋଫା ଉପରେ କଇ କଇ କାନ୍ଦୁଥିଲେ! କ'ଣ ହୋଇଛି ବୋଉ ? ତାଙ୍କ ହାତରୁ ମୋବାଇଲଟିକୁ ସେ ନେଇ କାନରେ ଡେରି -ହାଲୋ କହିଲା। ଅପରପାର୍ଶ୍ୱରୁ ନଣନ୍ଦଙ୍କ ଯନ୍ତ୍ରଣାଭରା କଣ୍ଠସ୍ୱର ! ଭାଉଜ ମୁଁ......, ବଡ଼ମେଡିକାଲରେ ଶୀଘ୍ର ଆସ। ମୁଁ ଆଉ ବଞ୍ଚିବି ନାହିଁ। ଆତ୍ମଜା ବିବ୍ରତ ହେବା ସତ୍ତ୍ୱେ ନଣନ୍ଦଙ୍କୁ ଧର୍ଯ୍ୟ ଧରିବାକୁ କହି ଯଥାଶୀଘ୍ର ପହଞ୍ଚିବାର ଆଶ୍ୱାସନା ଦେଲେ। ବୋଉ ହାତରେ କିଛି ଟଙ୍କା ଧରି ଯଥାଶୀଘ୍ର ମୋ' ସଙ୍ଗେ ମେଡିକାଲ ଚାଲ। କିଛି ନା ଅସୁବିଧା ହୋଇଛି, ତାଙ୍କୁ ଫୋନ କରିଦେଉଛି, ସେ ସେଠାରେ ପହଞ୍ଚିଯିବେ। ବାପାଙ୍କୁ ଆଗ ଜଣାଏ। ଅତିଶୀଘ୍ର ଏତିକ କାମ ଶେଷକରି ଆତ୍ମଜା ଶାଶୁଙ୍କୁ ନେଇ ମେଡିକାଲରେ ପହଞ୍ଚିଗଲେ। ଜବରଦସ୍ତ ଗର୍ଭନଷ୍ଟ କରାଯାଇଥିଲା। ଏହା ଲୁକ୍କାୟିତ ଭାବେ ତୃତୀୟ ଥର। ପାର୍ଶ୍ଵ ପ୍ରତିକ୍ରିୟାରୁ ଗର୍ଭାଶୟ ନଷ୍ଟ। ତୁରନ୍ତ ଅସ୍ତ୍ରୋପଚାର ଦରକାର।
କାଳବିଳମ୍ବ ନ କରି ଆତ୍ମଜା' କାଗଜପତ୍ରରେ ଦସ୍ତଖତ କରିଛି। ନିଜ ରକ୍ତ ପ୍ରତିବଦଳରେ ରକ୍ତ ଭଣ୍ଡାରରୁ ରକ୍ତ ଆଣି ଯୋଗାଇଛି। ଆତ୍ମଜା ସାମର୍ଥ୍ୟ ମୁତାବକ ସବୁ ସେଠାରେ ଯୋଗାଡ଼ ଦେଇ ପାରିଛି। ସେତେବେଳ ଯାଏ ଘରର ଅନ୍ୟ ସଦସ୍ୟ ପହଞ୍ଚି ନ ଥିଲେ, ଅପରେସନ ଘରକୁ ଯିବାପରେ ପହଞ୍ଚିଲେ। ଡାକ୍ତର ଜଣାଇଲା; ବିଳମ୍ବ କରିଥିଲେ ଆମେ ପୀଡ଼ିତକୁ ବଞ୍ଚାଇପାରି ନଥାନ୍ତୁ। ଅନୁମତିର ଆବଶ୍ୟକତା ରହିଥିଲା। ଗୋଟିଏ ଦିନପରେ ଛାଡ଼ କରି ନେଇଯିବେ। ଏ ବାବଦେ ପୋଲିସ କେସ ମଧ୍ୟ କରିପାର। ଗଲାବେଳେ ରିପୋର୍ଟ ଖଣ୍ଡିକ ନେଇଯିବେ। କାର୍ଯ୍ୟରେ ଆସିବ। ନଣନ୍ଦଙ୍କ ଶ୍ୱଶୁର ଘରୁ କେହି ଆସିଲେ ନାହିଁ। ସେ ସ୍ପଷ୍ଟ ଦେଖିପାରୁଥିଲା ; ଶାଶୁ ଶ୍ୱଶୁରଙ୍କ ଆଖିରେ ଅନୁଶୋଚନାର ପୁଞ୍ଜା ପୁଞ୍ଜା ନିରବାଶ୍ରୁ।