ପ୍ରିୟର ଚିଠି
ପ୍ରିୟର ଚିଠି
ଚିଠି ଆସିଛି ଚିଠି... ଦାଣ୍ଡରେ ଡାକବାଲାର ସ୍ୱର ଶୁଣି ଘର ଭିତରୁ ଦଉଡ଼ି ଆସିଲା ପ୍ରିୟା। ଚିଠି ଆଣିବାକୁ ଶଶୁରଙ୍କୁ ବାହାରକୁ ଯାଉଥିବାର ଦେଖି ଲାଜରେ ପୁଣି ଘର ଭିତରକୁ ପଶି ଗଲା ସେ।ମନ ଭିତରେ ଅନେକ ଉତ୍କଣ୍ଠା ।ସତରେ କ'ଣ ଇଏ ମୋ ପାଖକୁ ଚିଠି ଦେଇଥିବେ?ଏଇ କିଛି ଦିନ ତଳେ ଏ ଘରକୁ ବୋହୂ ହୋଇ ଆସିଛି ପ୍ରିୟା। ସଂସାର ଗଢିବା ଆଶାରେ ଆଖିରେ ଆଖିଏ ସ୍ୱପ୍ନ ନେଇ ମାତ୍ର ଦିନ କେଇଟା ହେବ ଏ ଘରକୁ ପାଦ ଦେଇଥିଲା ସେ। ହେଲେ ଯାହାକୁ ନେଇ ସେ ତା'ର ସ୍ୱପ୍ନ ସଜେଇ ଥିଲା ଭାବନାରେ ବିଭୋର ହେଉଥିଲା ସେ ଆଜି ତା ପାଖରେ ନାହାଁନ୍ତି।ନା ସେ ତାଙ୍କୁ ଠିକ ସେ ଟିକେ ଦେଖିଛି ନା ତାଙ୍କ ସହ ମନ ଖୋଲି ଟିକେ ଗପି ପାରିଛି... କିନ୍ତୁ ହଁ ନିଜ ଛାତି ପରେ ପଥର ରଖି, ମଥାରେ ତାଙ୍କର ତିଳକ ଭରି ଏକ ସୈନିକ ବେଶରେ ତାଙ୍କୁ ଲଦାଘ ସୀମାକୁ ପଠାଇ ଦେଉଛି। ଦେଶମାତୃକାର ସୁରକ୍ଷା ପାଇଁ। ବେଳେ ବେଳେ ତ ସେ ଗର୍ବ କରେ ଜଣେ ବୀର ସୈନିକର ସ୍ତ୍ରୀ ହୋଇଥିବାରୁ। ଆଉ ବେଳେ ବେଳେ ନିଜ ପ୍ରାଣ ପ୍ରିୟ ହୃଦୟଟା ବାହୁନି ବାହୁନି କାନ୍ଦେ। ତାଙ୍କ ଚିଠିକୁ ଅପେକ୍ଷା କରି କେତେ ଯେ ନିଦ ହୀନ ରାତି ତା'ର ସରିଛି ତା'ର ହିସାବ ନାହିଁ।ଆଉ ଆଜି ଡାକବାଲାର ଡାକରେ ମନରେ ତା'ର ପ୍ରିତୀର ଉଜାଣୀ ବହିବାକୁ ଲାଗିଛି। ଏତିକିବେଳେ ପିହୁ ଭାଉଜ... ଭାଉଜ ଡ଼ାକ ଛାଡି ପ୍ରିୟାକୁ ଭିଡ଼ି ଧରି ହସି ହସି ଗଡ଼ିଗଲା। ହାତକୁ ମୁଠେଇ ଏଇ ଦେଖ ଭାଉଜ ତୁମର ଗୋଟେ ଜିନିଷ ମୋ ହାତରେ ଅଛି ।ଏକଥା ଶୁଣୁ ଶୁଣୁ ପ୍ରିୟା ମନ ଭିତରେ ସିଦ୍ଧାର୍ଥ ସିଦ୍ଧାର୍ଥ ବାସ୍ନା ଭରିଗଲା। ପ୍ଲିଜ୍, ପିହୁ ସେ ଜିନିଷଟା ଦେଇ ଦିଅ ମୋତେ... ଏମିତି ଖାଲି ଟାରେ ଦେଇ ପାରିବିନି କୁହ ମୁଁ ଯାହା ପଚାରିବି ସତ କହିବ! ଖିଲି ଖିଲି ହସି ହସି କହିଲା ପିହୁ। ହଁ, ମୋ ମାଆ, ତମେ ଯାହା ପଚାରିବ ମୁଁ କହିବି କିନ୍ତୁ ସେ ଜିନିଷଟା ମୋ ହାତକୁ ଦିଅ।ଆକୁଳ ହୋଇ କହୁଥିଲା ପ୍ରିୟା। ପ୍ରିୟା କାନ ପାଖରେ ମୁହଁ ଗୁଞ୍ଜି ପିହୁ କହିଲା - ଭାଉଜ ସତ କୁହନା ତୁମେ ସିଦ୍ଧାର୍ଥ ଭାଇକୁ କେତେ ଭଲପାଅ? ତୋଫା ଗୋରା ମୁହଁଟା ପ୍ରିୟାର ରକ୍ତିମ ବର୍ଣ୍ଣ ଧାରଣ କରୁଥିଲା। ସେ ଲାଜ ଜଡସଡ ହୋଇ କହିଲା - ଏକଥା ତୁମ ଭାଇ ଆସିଲେ ପଚାରିନେବ।ପିହୁ ହସି ହସି କହିଲା - ମୁଁ ସବୁ ବୁଝିଗଲି ଭାଉଜ।ନିଅ ତୁମ ଜିନିଷ ତୁମେ ସମ୍ଭାଳ ମୁଁ ଚାଲିଲି ମୋ ସାଙ୍ଗ ପାଖକୁ। ନାଚି ନାଚି ଚାଲିଗଲା ପିହୁ। ପ୍ରିୟା ହୃଦୟରେ ମହଣ ମହଣ ପ୍ରେମ ମହକି ଉଠୁଥିଲା। ସେ ଏପଟ ସେପଟ ଚାହିଁ ଧୀରେ କରି ତା ଘର କବାଟ ଆଉଜେଇ ଦେଇ ଚିଠି ଟାକୁ ଧରି ବସି ପଡିଲା। ସିଦ୍ଧାର୍ଥଙ୍କ ମହ ମହ ପ୍ରେମ ଗନ୍ଧରେ ମନଟା ତା'ର କୁରୁଳି ଉଠୁଥିଲା। ସେ ଆସ୍ତେ କରି ଚିଠିଟା ଖୋଲିଲା।
ସ୍ନେହର ପ୍ରିୟା,
ମୋ'ର ହୃଦୟଭରା ଭଲପାଇବା ନେବ। ବାପା, ମାଆଙ୍କୁ ମୋ'ର ପ୍ରଣାମ ଜଣାଇ ଦେବ।ପିଙ୍କୁ ଓ ପିହୁକୁ ମୋ'ର ସ୍ନେହ ଜଣାଇ ଦେବ।ତୁମ ସହିତ ମୋ'ର ମାତ୍ର ସାତ ଦିନର ପରିଚୟ। ସେହି ସାତ ଦିନ ମୋତେ ସାତ ଜନ୍ମର ପିରିଚିତ ସାଥୀ ଭଳି ଲାଗୁଛ ତୁମେ। ପ୍ରତି ମୁହୂର୍ତ୍ତରେ ତୁମ କଥା ମନେ ପଡୁଛି। ମନେ ମନେ ତୁମେ ମୋ ଉପରେ ବହୁତ ରାଗିଥିବ। ଆମେ ସାଙ୍ଗ ହେଇ ତୁମ ବାପଘରକୁ ବୁଲି ଯିବାର ସ୍ଥିର ହୋଇଥିଲା। ମୁଁ ତୁମ ସହିତ ଯିବା କଥା ଶୁଣି ତୁମେ ବହୁତ ଖୁସି ଲାଗୁଥିଲ କିନ୍ତୁ ଭାଗ୍ୟର ବିଡମ୍ବନା ମୋତେ ସେହି ଦିନ ଆସିବାକୁ ପଡ଼ିଲା। ମୁଁ ସିନା ଗୋଟିଏ ମାଆ ଠାରୁ ଜନ୍ମ ନେଇଛି ହେଲେ ଆଉ ଗୋଟିଏ ମାଆର ସୁରକ୍ଷା ପାଇଁ ଶପଥ ନେଇଛି।ଜାଣିଛି ମୁଁ ଆସିଲା ବେଳେ ତୁମ ମୁହଁ ଶୁଖି ଯାଇଥିଲା। ଆଖି ତୁମର ଛଳ ଛଳ ହୋଇ ଯାଉଥିଲା। ତଥାପି ତୁମେ ମୋ ମଥାରେ ସିନ୍ଦୂର ଚନ୍ଦନର ଟିପା ପିନ୍ଧାଇ ହସି ହସି ମୋତେ ବିଦାୟ ଦେଲ।ଆଉ ତୁମେ ଜାଣି ଖୁସି ହେବ ତୁମର ସେ ତିଳକ ଲଗାଇ ଯେତେବେଳେ ଶତ୍ରୁ ସହିତ ଯୁଦ୍ଧ କରୁଥିଲି ସେତେବେଳେ ତୁମ ଭକ୍ତି ଓ ପ୍ରେମ ମୋତେ ସାହସ ଯୋଗାଉ ଥିଲା। ଆଉ ଶେଷରେ ଆମ ସେନାବାହିନୀ ଶତ୍ରୁ ପକ୍ଷକୁ ପରାସ୍ତ କରି ବିଜୟ ଲାଭ କରିଥିଲେ।ତୁମର ସେ ବିଦାୟ ବେଳାର କଥା ମନେ ପକେଇ ମୁଁ ଗର୍ବ ମନେ କରୁଥିଲି।
ତୁମେ ସତରେ କେତେ ଧୈର୍ଯ୍ୟବାନ ଝିଅ ଥିଲ। ମାତ୍ର ସାତଦିନରେ ନିଜ ସ୍ୱାମୀକୁ ଶତ୍ରୁ ମୁଖକୁ ପଠାଇ ଦେଇ ସାମାନ୍ୟ ବିଚଳିତ ହୋଇ ନ ଥିଲା। ଏଠାକାର ପରିସ୍ଥିତିରେ ସୁଧାର ଆସିଲେ ମୁଁ ବହୁତ ଜଲଦି ତୁମ ପାଖକୁ ଆସିବି।ମାଆଟା ଭାରି ଡରକୁଳୀ ତାକୁ ମୋ ଚିଠି ଦେବାରେ ଟିକେ ବିଳମ୍ବ ହେଲେ ସେ ପାଗଳୀ ପ୍ରାୟ ହୋଇ ଯାଏ। ତାକୁ ତୁମେ ସାହସ ଦେବ। ଆଉ ବାପା ତ ବହୁତ ସାଧାସିଧା ସରଳ, ସହଜରେ ସମସ୍ତଙ୍କୁ ବିଶ୍ୱାସ କରନ୍ତି ତାଙ୍କର ଯତ୍ନ ନେବ। ଆଉ ପିଙ୍କୁ ଓ ପିହୁ ମୋ ଭାଇ ଭଉଣୀ କମ୍ ତୁମ ଭାଇ ଭଉଣୀ ବେଶୀ ହୋଇଯାଇଛନ୍ତି। ତୁମେ ଆସିବା ଦିନୁ ତୁମ ପାଖ ଛାଡନ୍ତି ନାହିଁ। ସବୁ ପରେ ସତ କହିବି ତୁମେ ବହୁତ ଭଲ ତୁମ ପ୍ରେମ ଜାଦୁରେ ମୋ ସମେତ ମୋ ପରିବାରକୁ ବାନ୍ଧି ରଖିଛ। ମୋ'ର ବିଶ୍ୱାସ ମୋ ଅନୁପସ୍ଥିତିରେ ମଧ୍ୟ ତୁମେ ମୋ ପରିବାରକୁ ଏମିତି ବାନ୍ଧି ରଖିଥିବ। ନିଜର ଯତ୍ନ ନେବ। ମୁଁ ଜଲଦି ଆସିବି। ଆଉ ଗୋଟେ କଥା ସତ କହିବ ପ୍ରିୟା, ମୋ କଥା କ'ଣ ତୁମର ମନେପଡେ ? ହେଲେ ଜାଣିଛ ପ୍ରିୟା, ତୁମର ସେ କଥା କୁହା ଆଖି ଯୋଡ଼ିକ ମୋ'ର ଭାରି ମନେପଡେ। ଆଖି ଆଗରେ ନାଚି ଉଠେ ତୁମର ସେ ଲାଜ ଲାଜ ମୁହଁ। ଇଛା ହୁଏ ଏଇକ୍ଷଣି ଧାଇଁ ଯାଇ ତୁମକୁ ମୋ ବାହୁ ବନ୍ଧନରେ ଜଡାଇ ଧରିବାକୁ ହେଲେ ସବୁ ଖାଲି ମନର ପ୍ରଳାପ ଯାହା କେବଳ ଭାବନାରେ ହିଁ ନିଃଶେଷ ହୋଇଯାଏ। ଅନେକ ଥର ତୁମେ ଅନ୍ଧାର ରାତିର ବକ୍ଷ ଚିରି ଆସିଛ ତୁମ କୋଳରେ ମୁଣ୍ଡ ରଖି ଅନେକ ପ୍ରେମ ଗୀତି ମୁଁ ତୁମ କାନରେ ଗାଇଛି। ଆଉ ତୁମେ ମଧ୍ୟ ଝୁମି ଝୁମି ମୋ ସ୍ୱରରେ ମତୁଆଲା ହୋଇଛ। ଆମେ ଆମର ସ୍ୱପ୍ନ ଓ କାହାଣୀର ଅନେକ ଇମାରତ ଗଢିଛେ ହେଲେ ମୁଁ ଆଖି ଖୋଲିଲା ମାତ୍ରକେ ତୁମେ ପୁଣି ଲୁଚି ଯାଉଛ। ପୁଣି ମୁଁ ଯେଉଁ ଏକାକୁ ସେଇ ହୋଇ ଯାଉଛି। ସତରେ ପ୍ରିୟା ମୁଁ ଜୀବନରେ କେବେ କାହାକୁ ପ୍ରେମ କରି ନ ଥିଲି। କିନ୍ତୁ ତୁମକୁ ଦେଖିବା ଦିନୁ ମୁଁ ପାଗଳ ପ୍ରେମୀ ପାଲଟି ଯାଇଛି। ସବୁଆଡେ ତୁମ ଚେହେରା ମୋତେ ଆନମନା କରୁଛି। ମୁଁ ସିନା ମୋ ମାଆ ପାଇଁ ଦିନ ରାତି ଏକ କରି ଲଢ଼ୁଛି ହେଲେ ତୁମର ସେ ଦୁଷ୍ଟାମୀ ଆଖି ଦୁଇଟା ମୋତେ ତୁମ ପାଖକୁ ଟାଣି ନେଉଛି। ଏଠିକାର କମାଣ୍ଡର ସାର୍ ଆମର ବହୁତ ଭଲ। ଆଖି ଦେଖି ସେ ମନ ପଢି ନିଅନ୍ତି। ଆଉ ସେ ତାଙ୍କ ନିଜ ଆଡୁ ମୋତେ ଏଇଥର ଅଧିକ ଛୁଟି ଅନୁମତି ଦେବେ ବୋଲି କହି ସାରିଛନ୍ତି। ତୁମେ ଯମା ମନ ଖରାପ କରନି ମୁଁ ତୁମ ପାଖକୁ ଜଲଦି ଆସିବି। ଆଉ ମୁଁ ଆସିଲେ ଆମ ସାଙ୍ଗ ହୋଇ ତୁମ ଘରକୁ ବୁଲି ଯିବା। ଆଉ ଏଇଥର ତୁମେ ଯେତେଦିନ ଚାହିଁବ ସେତେଦିନ ତୁମ ଘରେ ରହି ପାରିବ। ମୁଁ କିଛି ବି କହିବି ନାହିଁ।ତୁମ ମନରେ ଯେତେ କଥା ଅଛି ସବୁ ତୁମେ ମୋତେ କହିଦେବ। ଆଉ ତୁମର ସମସ୍ତ କଥା ମୁଁ ମୋ ହୃଦୟରେ ତାଲା ପକାଇ ରଖିନେବି ସବୁଦିନ ପାଇଁ।କିଏ ଜାଣେ ଆଉ କେବେ ତୁମ କଥା ଶୁଣିପାରିବି କି ନାହିଁ! ରହୁଛି ପ୍ରିୟା... ମୋ ହୃଦୟର ବିସ୍ତୃତ ବେଳାରୁ ଅସରନ୍ତି ଭଲପାଇବା ତୁମ ପାଇଁ... ମୋତେ ଅପେକ୍ଷା କରିବ ମୁଁ ଜଲଦି ତୁମ ପାଖକୁ ଫେରୁଛି... ଆଖିରୁ ପ୍ରିୟାର ଲୁହ ଥମୁ ନଥିଲା। କାନ୍ଦୁ କାନ୍ଦୁ ପ୍ରିୟା କହି ଉଠିଲା ଯାଃ...! ମୁଁ ତୁମ ସହ କଟି ଜାଣିଲ... ବଡ଼ ଅମଙ୍ଗୁଳିଆ ଲୋକ ତୁମେ। ଏତେ ଦୂରରେ ଥାଇ ଏପରି ଅଶୁଭ କଥା କେହି କ'ଣ କୁହେ।ହେଉ ତୁମେ ଏଇଥର ଆସିଲେ ଦେଖିବ ମୁଁ ତୁମ ସହିତ ଯମା ବି କଥା ହେବି ନାହିଁ। ଗୋଟିଏ ହାତରେ ସିଦ୍ଧାର୍ଥଙ୍କ ଫଟୋ ଉପରେ ଲୁହ କୋହ ଝାରି ପକେଇ ପ୍ରିୟା କହୁଥିଲା ସତରେ ମୋତେ ତୁମେ ଏତେ ଭଲପାଅ...! ମୁଁ କେବେ ବିଶ୍ୱାସ ସୁଦ୍ଧା କରିପାରୁ ନାହିଁ। ଯୁଦ୍ଧ ସାରିଦେଇ ତୁମେ ଜଲଦି ଆସିଯାଅ...
ଏତିକିବେଳେ ବାହାରୁ ପିହୁ ଭାଇ... ଭାଇ କହି କାନ୍ଦି କାନ୍ଦି ଆସି ତଳେ କଚାଡି ହୋଇ ପଡ଼ିଗଲା।ପିକୁ ତା ସାଙ୍ଗ ଗାଡିରୁ ଓହ୍ଲାଇ ପଡ଼ି ପିହୁ ଉପରେ ଲୋଟିଗଲା ବୋଉ ଲୋ ବୋଉ ଭାଇ ଆଉ ନାହିଁ ଲୋ ବୋଉ। ବୋଉ ରୋଷେଇ ଘରୁ ଆସୁ ଆସୁ କାନ୍ଥରେ ବାଡେଇ ହେଇ ବେହୋସ୍ ହୋଇ ପଡ଼ିଥିଲେ। ବାପା ମୁଣ୍ଡ ପିଟି ପିଟି ସିଦ୍ଧୁ ସିଦ୍ଧୁ ହେଉଥିଲେ ଆଉ ପ୍ରିୟା ହାତରେ ସିଦ୍ଧାର୍ଥର ଚିଠିଟି ଧରି ସ୍ଥାଣୁ ପାଲଟି ଯାଇଥିଲା। ଆଉ ଦୂରରୁ ଶୁଭୁଥିଲା - ଆମର ବୀର ସହିଦ ସିଦ୍ଧାର୍ଥ ମିଶ୍ର ଅମର ରହୈ...ଭାରତ୍ ମାତା କି ଜୟ...ଜୟ ହିନ୍ଦ୍...
