STORYMIRROR

Aparajita Mohanty

Others

4  

Aparajita Mohanty

Others

ଉପହାର

ଉପହାର

6 mins
200

ଏଇ ଗଲା ଦଶ ତାରିଖରେ (ଜୁଲାଇ ୧୦) ତା'ର ଜନ୍ମ ଦିନ ଥିଲା। ମୁଁ କିନ୍ତୁ ବ୍ୟସ୍ତତା ଭିତରେ ତା ଜନ୍ମ ଦିନ କଥା ସମ୍ପୂର୍ଣ୍ଣ ଭୁଲି ଯାଇଥାଏ। ସକାଳୁ ନିତ୍ୟ କର୍ମ ସାରି ମୁଁ ଯେତେବେଳେ ଫେସବୁକ ଖୋଲିଲି ଆଖିରେ ପଡିଲା ବହୁତ ସାରା ଶୁଭେଚ୍ଛା, ଶୁଭକାମନା। ମନେ ମନେ ଟିକେ ହସିଲି। ସେତେବେଳେ କୁ ସେ ତା'ର କାମରେ ଯାଇ ସାରିଥାଏ। ମୁଁ ତାକୁ ଫୋନ୍ ଲଗେଇଲି। ସେ କହିଲା ହଁ କ'ଣ ହେଲା କହ ? ମୁଁ କହିଲି ଆଉ ଆମକୁ ଆଉ ଆମକୁ ଆଜି କୋଉ ହୋଟେଲକୁ ଖାଇବା ପାଇଁ ନେଉଛୁ ? ହସିଲା ସେ। କହିଲା - ତୁ ଯେଉଁଠି କୁ ଚାହିଁବୁ। ମୁଁ କହିଲି - ଓହୋଃ! ପୁଅ ତାହେଲେ ଜାଣିଛି ଆଜି ତା'ର ଜନ୍ମ ଦିନ। କହିଲା ହେଉ ଫୋନ୍ ରଖ୍......ରଖ୍.....ତୋ ସାଙ୍ଗେ ଗେଲ ଖେଳିବାକୁ ମୋ ପାଖରେ ସମୟ ନାହିଁ ମୁଁ ବ୍ୟସ୍ତ ଅଛି। ଏତିକି କହି ସେ ଫୋନ୍ କାଟିଦେଲା। ମୁଁ ମନେ ମନେ ଭାବିଲି ତାକୁ ବାହାରକୁ ଯିବାକୁ କହି ସିନା ତା ସହିତ ମଜା କରୁଥିଲି ହେଲେ ଏ କୋରୋନା ସମୟରେ ବାହାରକୁ ଯିବା ସମ୍ଭବ ନୁହେଁ। ଯାହା କରିବି ଘରେ ହିଁ କରିବି ତେଣୁ ସାଙ୍ଗେ ସାଙ୍ଗେ ତା ପସନ୍ଦର ରୋଷେଇ କରିବାରେ ଲାଗିଗଲି। ତା'ର ଖାଇବାରେ ସବୁବେଳେ ଭଲ ଭଲ ଆଇଟମ ଦରକାର। ତେଣୁ ତା ପସନ୍ଦର ନୂଆ ଆଇଟମ ସବୁ କରିବାକୁ ଚେଷ୍ଟା କଲି।

     ପ୍ରାୟ ଅଧାଘଣ୍ଟା ପରେ ତା'ର ଫୋନ୍ ଆସିଲା। କହିଲା - ଅପା,କହୁଥିଲୁ ପରା ବୁଲି ଯାଇଥାନ୍ତୁ ? ଆଉ ହୋଟେଲ କି ମନ୍ଦିର ସବୁ ତ ବନ୍ଦ।ଯିବୁ ଯଦି ବାହାରେ ଡ଼୍ୟାମ ଆଡ଼େ ଯିବା।(ଆମ ଘର ପାଖରେ ଏକ picnic spot.)ତା କଥା ଶୁଣି ମନେ ମନେ ବହୁତ ଖୁସି ହେଲି। ଯାହା ହେଉ ଏତେ ବ୍ୟସ୍ତ ଭିତରେ ବି ସେ ମୋ କଥାକୁ ଗୁରୁତ୍ବ ଦେଇଛି। ମୋ ନିରବତା ଦେଖି ସେ ପୁଣି ପଚାରିଲା କ'ଣ କହୁଚୁ ବାହାରିବୁ ? ମୁଁ କହିଲି ହେଉ ଦେଖିଵା।ତୁ ଆଗ ଘରକୁ ଆ। ଆଜି ସବୁ ଖାଇବା ତୋ ପସନ୍ଦର।ତୁ ଖାଇ ସାରିଲା ପରେ ଚିନ୍ତା କରିବା। ମୁଁ ଜାଣିଛି ସେ ବହୁତ ବ୍ୟସ୍ତ ରୁହେ। ମୁଁ ତାକୁ ଏମିତି ମଜା ରେ କହି ଦେଇଥିଲି। ସେ ଯାହା ବି ହେଉ ଏତିକି ତ ପଚାରିଲା। ତା ପାଇଁ ସିନା ଖାଇବା ବନେଇ ଦେଲି ହେଲେ ତାକୁ ତା ଜନ୍ମ ଦିନରେ କି ଉପହାର ଦେବି? ଭାବିଲି ଯାଉଛି ଏବେ ବଜାର ଯାଇ ତା ପାଇଁ ନୂଆ ସାର୍ଟ ଟେ କିଣି ଆଣିବି। ତାକୁ ଯେତେବେଳେ ଏକଥା ପଚାରିଲି ସେ ମନା କରିଦେଲା। କହିଲା ମୋର ବହୁତ କପଡା ହୋଇ ଗଲାଣି କିଛି ଦରକାର ନାହିଁ।ତୋ ପାଇଁ କ'ଣ ନେବି ଯଦି କହ। ମୁଁ କହିଲି - ତୋ ଜନ୍ମଦିନରେ ମୋତେ ଉପହାର ଦେବୁ,ଏ କି କଥା? ମୋତେ କହିଲା - ହେଉ ହେଉ ତୁ ଆଉ ଏତେ ଫର୍ମାଲିଟି ଦେଖାନି। ମୁଁ ଦେଖୁଛି ତୋ ପାଇଁ କ'ଣ ନେବି,କହି ସେ ଫୋନ୍ ରଖିଦେଲା। ମୁଁ କିନ୍ତୁ ଭାସିଗଲି ଅତୀତର ମେଞ୍ଚା ମେଞ୍ଚା ସ୍ମୃତି ର ଅତଳ ଗର୍ଭକୁ.....

       ମୋ'ର ଯେତେବେଳେ +୩ ଦ୍ୱିତୀୟ ବର୍ଷ, ସେତେବେଳେ ସେ ମାତ୍ର ଏଗାର ବର୍ଷ ର ହୋଇଥିଲା। ଏପ୍ରିଲ ୧ ସେଦିନ ମୋ'ର ଜନ୍ମ ଦିନ। ଯାହା ପ୍ରତିବର୍ଷ ଆସେ ଆଉ ଯାଏ।ମାଆ ଘରେ ପିଠାପଣା କରେ ସେଦିନ ବି ସେମିତି କରିଥାଏ। ଝିଅ ଜନ୍ମ ଦିନ ବୋଲି ଶାଇ ପଡିଶା ବାଣ୍ଟି ଆସିଲା। ସବୁଦିନ ଅପେକ୍ଷା ସେଦିନ ମୋତେ ସମସ୍ତଙ୍କ ଠାରୁ ବେଶୀ ଟିକେ ଭଲପାଇବା ମିଳେ। ସେଦିନ ବି ସେମିତି ମୁଁ ଦିପହରେ ଶୋଇଥାଏ।ଶୋଇକି ଉଠିଲା ପରେ ସେ ମୋତେ କହିଲା - ଅପା ଆଜି ଜନ୍ମ ଦିନ ନା? ମୁଁ କହିଲି - ହଁ,ତୁ ଜାଣିନୁ କି ? ସେ କହିଲା - ହଁ ଜାଣିଛି ଯେ କିନ୍ତୁ ସମସ୍ତେ ତୋତେ କିଛି ନା କିଛି ଦେଉଛନ୍ତି। ହେଲେ ମୁଁ କ'ଣ ଦେବି ବୋଲି ଚିନ୍ତା କରୁଛି। ମୁଁ ତାକୁ କୋଳେଇ ନେଇ କହିଲି ମୋ ଭାଇ ମୋତେ କ'ଣ ଦବ ଲୋ! ମୋ'ର କିଛି ଦରକାର ନାହିଁ। ସେ କ'ଣ ଭାବିଲା କେଜାଣି। କହିଲା - ତୋର ଯଦି କୈାଣସି ଜରୁରୀ ଜିନିଷ ଦରକାର ଅଛି କହ ମୁଁ ଆଣି ଦେବି। ମୁଁ ତା କଥା ଶୁଣି ଆଶ୍ଚର୍ଯ୍ୟ! ଏତେ ଛୋଟ ମୁଣ୍ଡରେ ସେ ଦରକାରୀ ଅଦରକାରୀ ଜିନିଷର ମୂଲ୍ୟ ବୁଝିଛି ମୁଁ ତା ମୁଣ୍ଡକୁ ଆଉଁସି ଦେଇ ତାକୁ ଟିକେ କାଖେଇ ପକେଇଲି ତାପରେ ତାକୁ କହିଲି ହେଉ ତୁ ଯେବେ ବଡ଼ ହୋଇଯିବୁ ତେବେ ଯାଇ ମୋ ଦରକାରୀ ଜିନିଷ ଟି ତୋତେ କହିବି। ସେ ସିନା ସେତେବେଳେ ମୋ କାଖରୁ ଓହ୍ଲାଇ ପଳାଇଥିଲା ହେଲେ ସନ୍ଧ୍ୟାରେ ମୋତେ ଏକ ପେନ୍ ସହିତ ଗୋଟିଏ ଖାତା ଆଉ ୨.୫୦ ଗ୍ରାମ ମିକଶ୍ଚର ଆଣି ମୋ ହାତରେ ଧରେଇ ଦେଇ ଥିଲା। ତା ହାତରୁ ଏତକ ଜିନିଷ ନେଲା ବେଳେ ମୁଁ ଆଖି ରୁ ଦୁଇ ବୁନ୍ଦା ଲୁହ ଝରି ଯାଇଥିଲା। ମୁଁ ତାକୁ ଗେହ୍ଲେଇ କି ପଚାରିଲି ତୁ ଏସବୁ ପାଇଁ ପଇସା କୋଉଠୁ ଆଣିଲୁ। କହିଲା - ହଁ ମୋ ପାଖରେ ଥିଲା। ମୁଁ ସଞ୍ଚୟ କରି ରଖୁଥିଲି। ମୁଁ ଜାଣିପାରିଲି ସେ ତା'ର ସ୍କୁଲ ଖର୍ଚ୍ଚ (ପକେଟ୍ ମନି)ରୁ କାଟି ରଖିଥିଲା। ସେ ଦେଇଥିବା ମିକଶ୍ଚର ମୁଁ ଖାଇଲି। ଆଉ ସେ ମୋତେ ଖାତା କଲମ ଦେବାର କାରଣ ଥିଲା ମୁଁ ସେତେବେଳେ ବହୁତ ଲେଖା ଲେଖି କରୁଥିଲି। ଶ୍ରେଣୀ ଉତ୍ତୀର୍ଣ୍ଣ ହେଲା ପରେ ପୂର୍ବ ବର୍ଷ ର ଯେଉଁ ପ୍ରଶ୍ନ ଉତ୍ତର ଖାତା ରୁ ଆଧା କାଗଜ ବଳିପଡେ ମୁଁ ତାକୁ ଅକାରଣେ ଫିଙ୍ଗି ନ ଦେଇ ସବୁ ଖାତାରୁ ବଳି ପଡ଼ିଥିବା ଅଲେଖା କାଗଜ ପୃଷ୍ଠା ଗୁଡ଼ିକୁ କାଟି ଏକା ସାଙ୍ଗରେ ଯୋଡ଼ି ଦିଏ ଓ ମାଆ ମୋଟା କରି ଏକ ଖାତା ବାନ୍ଧି ଦିଏ (ସିଲାଇ କରି)। ଆଉ ମୁଁ ସେଥିରେ ଲେଖା ଆରମ୍ଭ କରେ। ଆଉ ସେଥିରୁ ସେ ଏତିକି ଶିଖିଥିଲା ଯେ ଅପା ର ଲେଖିବା ପାଇଁ ନୂଆ ଖାତା ନାହିଁ ବୋଲି ସେ ଯୋଡ଼ା ଯୋଡ଼ି କରି ଲେଖୁଛି ତେଣୁ ଖାତା ଟେ ନିହାତି ଦରକାର। ସେଥିପାଇଁ ବୋଧେ ସେ ତା'ର ଛୋଟ ମୁଣ୍ଡରେ ମୋ ଜନ୍ମ ଦିନରେ ମୋର ସବୁଠାରୁ ପ୍ରିୟ ଆଉ ଦରକାରୀ ଜିନିଷ ଟି ଆଣି ମୋତେ ଉପହାର ଦେଇଥିଲା। ହେଲେ ଆଜି ବି ତା'ର ସେଇ ବଙ୍କା ଅକ୍ଷରରେ "ଲଭ୍ ୟୁ ଅପା"ଲେଖା ଥିବା ଖାତା ଟି ମୋ ପାଖରେ ଅତି ଯତ୍ନରେ ସାଇତା ହୋଇ ଅଛି।ଆଉ ମୁଁ ରଖିଥିବି ମଧ୍ୟ। ଆଜିକାଲି ସେ ମୋତେ ବହୁତ ଦାମୀ ଉପହାର ଦେଉଛି। ହେଲେ ସେଦିନ ସେ ଦେଇଥିବା ସେ ଦାମୀ ଉପହାର ଟିକୁ ମୁଁ ଭୁଲି ପାରିନାହିଁ। ସେ ଖାତାର ପ୍ରତିଟି ଫର୍ଦ୍ଦ ରେ ମୁଁ ଲେଖି ରଖିଛି ଅନେକ ଅକୁହା କଥା।ତା ସହିତ ଗପ କବିତା। ଯେବେ ତାକୁ ବାହାର କରି ଦେଖେ ତା'ର ସେ ହାତ ଲେଖା ଦେଖି ମୋ ଆଖି ଛଳଛଳ ହୋଇଯାଏ।ମିକଶ୍ଚର ମୋର ବହୁତ ପ୍ରିୟ। ଆଉ ମୁଁ ଯେତେବେଳେ ରୁଷି ଥାଏ ବା ମନ ଦୁଃଖ କରିଥାଏ ସେତେବେଳେ ସେ ମୋତେ ମନେଇବା ପାଇଁ ମୋ ଆଗରେ ଆଣି ମିକଶ୍ଚର ଜରି ଟା ଥୋଇ ଦିଏ। ଭାଇ ଭଉଣୀ ତ ସମସ୍ତେ ଥାଆନ୍ତି କିନ୍ତୁ ତା ସହିତ ମୋ ସମ୍ପର୍କ ନିଆରା। ମୁଁ ତାକୁ ବହୁତ ଭଲପାଏ। ଖାଲି ଭଲପାଏ କହିଲେ ହେବନି ସେ ମୋର ପ୍ରତି ମୂହୁର୍ତ୍ତ ର ସ୍ପନ୍ଦନ। ସେ କୁଆଡେ ଗଲେ ତା ପାଖରେ ମୋ ସା ଠାକିଥାଏ। ସେ ଯେତେବେଳେ ଭୁବନେଶ୍ଵର ରେ ତିନି ବର୍ଷ ରହି ପଢିଲା ଏମିତି କୋଉ ଦିନ ନ ଥିଲା ମୁଁ ତା ସହିତ କଥା ନ ହୋଇ ଖାଇଦିଏ। କେଉଁ ଦିନ ବା କେବେ ଯଦି ତା କଣ୍ଠରୁ ଭାରି କଥା ପଦେ ଶୁଣି ଦିଏ ମନଟା କାଇଁ କେଉଁଥିରେ ଲାଗେ ନାହିଁ। ସେ ଭଲ ଅଛି ତ! ଚିନ୍ତା ରେ ମନ ଭିତରେ ବିଚଳିତ ଲାଗେ। ଶୁଣିଥିଲି ଇଞ୍ଜିନିୟରିଂ କଲେଜରେ ରାଗିଂ ହୁଏ ମୋ ଭାଇ ସରଳିଆ ଟା କାହାକୁ କିଛି କୁହେ ନି। ତା'ର କିଛି ଅସୁବିଧା ହୋଇନି ତ! ଏଇସବୁ ଚିନ୍ତା ମୋତେ ଅସ୍ତ ବ୍ୟସ୍ତ କରିପକାଏ। ଯାହା ହେଉ ତା'ର ପଢା ସରିଲା ଯେମିତି ମୋ ମୁଣ୍ଡରୁ ଗୋଟେ ବୋଝ ଓହ୍ଲାଇ ଗଲା। ତା'ପରେ ସେ ମୋ ପାଖକୁ ପଳାଇ ଆସିଲା। ଆଉ ତା'ର ସଂଘର୍ଷ ଆରମ୍ଭ କରିଥିଲା।

      ତା'ର ମୋ ପାଖରେ ରହିବା ପ୍ରାୟ ଛଅ ରୁ ସାତ ବର୍ଷ ହୋଇଯିବ।ମାଆ ସବୁବେଳେ ସମସ୍ତଙ୍କ ଆଗରେ କୁହେ ମୁଁ ସିନା ତାକୁ ଜନ୍ମ ଦେଇଛି ହେଲେ ପାଳିଛି ତାକୁ ତା ଅପା। ସେ ମୋ ସହିତ ଏତେ ଆଟାଚ୍ ଯେ ତାକୁ ଆଉ କାହା ହାତ ରନ୍ଧା,ସଜାସଜି ପସନ୍ଦ ଆସେନାହିଁ। ସେ ମୋ ପାଖରେ ଥିଲା ଯାଏଁ ମୋ ସହିତ ଇଜିରି ଵିଜିରି ହୋଇ ଲାଗିଥିବ। ମୋ ପଛରେ ଆସ୍ତେ କରି କେତେବେଳେ ମୋତେ ହିଟଲର୍ ତ କେତେବେଳେ ମୋଟି ମୋଟି କହିଥିବ ମୁଁ ଜାଣିକରି ପଚାରି ଦିଏ କ'ଣ କ‌ହିଲୁ ମୋତେ ସେ ନ ଜାଣିଲା ପରିକା ମୁଁ ସିଆଡେ କହୁଥିଲି ନା... କହି କି ହସିଦିଏ। ପଇସା ଖର୍ଚ୍ଚ କରିବା ହେଉ ବା ମୋ ପାଇଁ କୋୖଣସି ଜିନିଷ କିଣିବାରେ ସେ କେବେ ପର ଭାବିନାହିଁ। ସବୁଠୁ ଭଲ ଆଉ ଦାମୀ ଜିନିଷ ସେ କିଣିଦିଏ। ଆଉ ଆଜି ବି କେବେ ଯଦି ମୁଁ ମନ ଖରାପ କରିଥିବି ସେ ମୋ ପସନ୍ଦର ଗୁପଚୁପ ଧରି ଆସିଥିବ। ପଛରେ କହୁଥିବ ମୋଟି ଏଇଟା ଖାଇଦେଲେ ତା ମୁଡ୍ ଏବେ ଠିକ୍ ହେଇଯିବ। ଆଜି ର ସମୟରେ ସେ ମୋ'ର ବହୁତ ବଡ଼ ସାହାସ।ଭଲ ରେ ମନ୍ଦ ରେ ମୁଁ ସବୁ କଥା ତା ଆଗରେ ସେୟାର କରିଦିଏ। ଜାଣିନି ସମୟ ସୁଅରେ ସେ କେବେ ବଦଳିବ ବା ମୁଁ ବଦଳି ଯିବି କିନ୍ତୁ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରେ ମୋର ତା ପାଖରୁ କିଛି ଲୋଡା ନାହିଁ ବାସ୍ ସେଇ ଅପା ଡାକରେ ସେ ମୋତେ ଏମିତି ସବୁଦିନ ତା ହୃଦୟ ରେ କରିଥାଉ। ଆଉ ମୁଁ ତ ତା ବିନା ନିଃଶ୍ୱାସ ନେବା ବି କଷ୍ଟ। ସବୁ ସେଇ ଇଶ୍ଵର ଙ୍କ ଇଛା ସେ ସବୁବେଳେ ଭଲରେ ଥାଉ।

    ମୁଁ ତ ରୋଷେଇ ଘରେ ରୋଷେଇ କରୁ କରୁ ଏକଦମ୍ ଭାବନାରେ ହଜି ଯାଇଥିଲି।‌ହେଲେ ଏତିକିବେଳେ ସେ ମୋ ହାତକୁ ଗୁଲାବ ଜାମୁନ ପୁଡ଼ିଆଟା ବଢାଇ ଦେଇ କହିଲା - ଲେ ମୋଟି ଜୀ ଭର କେ ଖା ଲେ...... ତା'ର ଏମିତି କହିବାର କାରଣ ହେଉଛି ଗୁଲାବ ଜାମୁନ ହେଉଛି ମୋ'ର ବହୁତ ପସନ୍ଦ। ତେଣୁ ଜନ୍ମ ଦିନରେ ସେ ମୋତେ ମୋ ପ୍ରିୟ ଖାଦ୍ୟ ର ଉପହାର ଦେଇଥିଲା।ଆଉ ମୁଁ ସେଇ ପୁଡ଼ିଆଟା କୁ ହାତରେ ଧରି ଭାବୁଥିଲି ଆମ ସମ୍ପର୍କ ମଧ୍ୟ ଏଇ ଭଳି ମିଠା ହୋଇ ରହିଥାଉ ଚିରଦିନ ।।


Rate this content
Log in