ପରିପକ୍ୱ ପରିମଳ
ପରିପକ୍ୱ ପରିମଳ
ଆଷାଢିଆ ବର୍ଷାର ଝିର୍ ଝିର୍ ଶବ୍ଦରେ ନିଦଟା ଚାଉକିନା ଭାଙ୍ଗିଗଲା । ନିଦ ପୁରା ଛାଡି ନଥାଏ। ତଥାପି ନିଦ ହେଲା ନାହିଁ। ପରିପକ୍ଵ ପରିମଳ ଘଣ୍ଟାକୁ ଅନାଇଲେ। ସମୟ ଭୋର ଚାରିଟା ହେଇଥିଲା । ଆଉ ଶୋଇବା ପାଇଁ ଇଚ୍ଛା ହେଲା ନାହିଁ। ଭୋର ପାଞ୍ଚଟାରେ ନିତ୍ୟ କର୍ମ ଆରମ୍ଭ କରନ୍ତି। ଅଜି ଆଉ ଟିକେ ଆଗରୁ ହେଇଯିବ। ସମୟତ ବୃଥା ଯିବ ନାହିଁ। ଏତିକି ଭାବି ପରିମଳ ଉଠିବା ଆରମ୍ଭ କଲେ।
ବାହାରୁ ବର୍ଷାର ଶବ୍ଦ ନିସ୍ତବ୍ଦ ଅନ୍ଧାର ଭିତରେ ଗମ୍ଭୀର ଜଣା ପଡୁଥିଲା।
ମନ ଭିତରେ ପ୍ରଭୁଙ୍କୁ ଡାକିବା ପାଇଁ ଯେମିତି ପ୍ରବଳ ଇଚ୍ଛା ଶକ୍ତି କିଏ ଭରି ଦେଉଥିଲା।
ସେ ଆଉ ସହଧର୍ମିଣୀ ସ୍ଵେତାଙ୍କୁ ଉଠାଇବା ପାଇଁ ଇଚ୍ଛା କଲେ ନାହିଁ। ବର୍ଷା ଯେମିତି କାହାର ଇଛା ଅନିଛାକୁ ନେଇ ଆସେ ନାହିଁ ମଣିଷ ଅନ୍ତରରେ ଉଦ୍ଗିରଣ ହେଉଥିବା ଇଛା ସେମିତି କାହାର ଇପସିତ ଆକାଂକ୍ଷାକୁ ଅପେକ୍ଷା କରେ ନାହିଁ - ସ୍ଵତଃ ଚାଲି ଆସେ।
ପରିମଳ ନିତ୍ୟ କର୍ମ ସାରିଲେ। ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲେ ଓ ସବୁଦିନ ପରି ଗୀତା ବହିଟି ଧରି ବସି ପଡିଲେ। ହଠାତ୍ କାହିଁକି ବିଗତ ଭାବନାରେ ଛନ୍ଦି ହୋଇ ଆଖିରୁ ଦୁଇ ଧାର ଲୁହ ବୋହି ଆସିଲା।
ବାହାରର ବର୍ଷା ଥମି ଆସିଲାଣି କିନ୍ତୁ ଅନ୍ତାର୍ଘାତ ଯେତେବେଳେ ବର୍ଷା କରେ ତାକୁ ଥମାଇବା କିଏ।
ଏଇମିତି ଏକ ବର୍ଷା ଦିନରେ ପୁଅ ବୋହୁ ଘର ଛାଡ଼ି ପଳାଇଥିଲେ - କହିଥିଲେ ଆମେ ଅଲଗା ହୋଇ ରହିଲେ ଶାନ୍ତିରେ ରହିବା।
ବର୍ଷା ଅନ୍ଧାରରେ ଘଡଘଡିର କାରଣ ଖୋଜିଲା ପରି ପରିମଳ ଅଶାନ୍ତିର କାରଣ ଖୋଜୁଥିଲେ। ଯେତେ ଖୋଜୁଥିଲେ ତାଙ୍କୁ ସେତେ ଅନ୍ଧାର ଦିଶୁଥିଲା।
ଭାବନାକୁ ପୂର୍ଣଛେଦ ଦେଇ ରୋଷେଇ ଘର ଆଡେ ଅନାଇଲା। ନା ଥାଉ । ଚାହା କରିବା ପାଇଁ ଆସୁଥିବା ଇଛାକୁ ମାରିଦେଲେ ଓ ଗୀତା ବହିର ପୃଷ୍ଠା ଓଲଟାଇଲେ।
ପ୍ରଥମ ଅଧ୍ୟାୟ ଆଜି ପୁନଃ ଆରମ୍ଭ ହେବ। ପ୍ରଥମ ଶ୍ଳୋକ ବୋଲିବା ଆରମ୍ଭ କଲେ - ଧର୍ମ କ୍ଷେତ୍ରେ କୁରୁ କ୍ଷେତ୍ରେ ସମବେତା ଯୁଯୁତ୍ସବହ - ମାମକା ପାଣ୍ଡବାଶ୍ଚୈବ କିମକୁର୍ବତ ସଞୟ।
ପୁଣି କଣ୍ଠ ରୋଧ ହୋଇଗଲା। ଧୃତରାଷ୍ଟ୍ର ସିନା ସଞୟଙ୍କୁ ଦିବ୍ୟ ଚକ୍ଷୁ ପାଇଁ ପଚାରି ପାରିଲେ - ସେ କାହାକୁ ପଚାରିବେ ନିଜ ପୁଅ କଣ କରୁଛି ଜାଣିବା ପାଇଁ। ଏ ସଂସାର ଯୁଦ୍ଧରେ ସେ ପାରିବତ?
ଆଖିରେ ଅନେକ ଦୃଶ୍ୟ ଭାସି ଆସେ। ମନରେ ଅନେକ ପ୍ରଶ୍ନ ଉଙ୍କିମାରେ। ପିତା ସିନା ଖୋଜୁଥାଏ ପିତୃତ୍ୱର ସନ୍ଧାନ ସେ କିନ୍ତୁ ଖୋଜୁଛନ୍ତି ବାସ୍ତବତାର ବନ୍ଧନ ।
ବାସ୍ତବତାର ବର୍ଷା ଧାରଠାରୁ ଆଖିର ଅଶ୍ରୁ ଧାରା ଯେମିତି ଆସ୍ତେ ଆସ୍ତେ ତୀବ୍ର ହେଉଥିଲା। ସେ ଆଉ ପଢି ପାରିଲେ ନାହଁ। ଆଖି ପୋଛିବାକୁ ହାତ ଉପରକୁ ଉଠାଇଲେ - ଶ୍ଵେତା ପାଖକୁ ଆସି ଚାହାଟା ବଢାଇ ଦେଇ କହିଲେ -ପୁଅ ବୋହୁ ଆସିଛନ୍ତି।
ଶୁଣିବା କ୍ଷଣି ଲୁହ ଆଉ ପୋଛିବେ କଣ ଲାଗୁଥିଲା ଯେମିତି ଆଷାଢିଆ ବର୍ଷା ଅଶ୍ରୁର ଅବିରତ ଧାରାରେ ହାର ମାନିଯିବ।
ପ୍ରଶାନ୍ତ କୁମାର ହୋତା