ପ୍ରହରାଜଙ୍କ ଟ୍ରେଜରୀ
ପ୍ରହରାଜଙ୍କ ଟ୍ରେଜରୀ
ଘର ଲିପା ପୋଛା ହେଲା l ସାଙ୍ଗ ହେଇ ଚିତା ପକେଇଲେ l ଜଣେ ଆଉ ଜଣଙ୍କର କେଶ ସଜାଡି ଦେଲା ବେଣୀ ପାରିଦେଲା l..
ଆଜି କରବା ଚଉଥ ସଞ୍ଜ ହେଲେ ଓଷେଇତୁଣୀ ଚାନ୍ଦ ଦେଖିବେ l ସ୍ୱାମୀଙ୍କ ମଙ୍ଗଳ କାମନା କିରିବେ ଉପାସ ଭାଙ୍ଗିବେ l ଦିନ ସାରା ନିର୍ଜଳ ଉପବାସ l ଜହ୍ନ ପୂଜା ହେବ ଆରିସାରେ ନା, କାକରାରେ l ବଡ଼ କହିଲା ଆରିସା,ସାନ କହିଲା କାକରା l ମତାନ୍ତର ରୁ ମନାନ୍ତର l ସଞ୍ଜ ଗଡିଲା କଳି ତୁଟିଲାନି l ଜହ୍ନ ଆସି ବୁଢ଼ା ହେଲାଣି l ଚାନ୍ଦ ପୂଜା ବେଳ ଗଡ଼ିଲାଣି l ଅନ୍ତିମ ନିଷ୍ପତ୍ତି କରିବେ ସ୍ୱାମୀ..ଆରିସା ହେବ ନା କାକରା ହେବ l ବଡ଼ ହାତରେ ପନିକି ସାନ ହାତରେ କାତି l କଥା ଏପାଖ ସେପାଖ ହେଲେ ସ୍ୱାମୀ ମରୁ ପଛେ ସଉତୁଣୀକୁ ରାଣ୍ଡ କରିବାକୁ ଦୁଇ ପତିବ୍ରତା ଖଣ୍ଡା ଖର୍ପର ହସ୍ତେ ବିଦ୍ୟମାନ l ସ୍ୱାମୀ ଜାଣିଲେ ତାଙ୍କ ଭାଗ୍ୟରେ ଆରିସା ନାହିଁ କି କାକରା ନାହିଁ ..ହାଣ ଖାଇବା ଥୟ,କଟୁରୀରେ ହେଉ ଅବା ପନିକିରେ l ବିଚରା ସ୍ୱାମୀ ଗାମୁଛାକୁ କଉପୁନି କରି, ଅଣ୍ଟାରେ ଗୁଡ଼େଇ ବାଡ଼ି କବାଟ ଖୋଲି ଛୁ ମାରିଲେ l
ଛାଡ଼ , ଦୁଇ ସଉତୁଣୀଙ୍କ କଳି କୋଉ ନୂଆ କଥା ଅବା l କଥା ନତୁଟିଲେ. ଘରେ ଘରେ ଭାଇ ଭାଇ ଅବା ବାପ ପୁଅ ଭିତରେ ଵି ଖଣ୍ଡା ତଲଵାର ଉଠେ l ହେଲେ ଆମ ପ୍ରହରାଜଙ୍କ ଘରକଥା ଅଲଗା,ସେମିତି ଗୋଟେ ଛୋଟ କଥାରୁ ଆରମ୍ଭ ହେଲେ ଵି ବହୁତ ମଜେଦାର, ଆଉ ସେଇ କଥା ସରିବାକୁ ଚାରିପିଢ଼ି ଵି ବିତିଗଲା l ଚାରି ପିଢ଼ି ପରେ ଟ୍ରେଜରୀ ଖୋଲିଲା l...
କଥା ର ଆରମ୍ଭ ହେଇଥିଲା ମନ୍ଦିରରୁ l ମନ୍ଦିର ତୋଳା ହେଲା ହେଲେ ମନ୍ଦିରରେ କେଉଁ ଦିଅଁ ବସିବେ ହରି ନା ହର କଥା ତୁଟିଲାନି l ବଡ଼ପୁଅ କହିଲା ଜଗନ୍ନାଥ ମୂର୍ତ୍ତି ବସିବେ ,ସାନପୁଅ ଶିବଭକ୍ତ ସେ କହିଲା ମନ୍ଦିରରେ ଭୋଳାଶଙ୍କର ପୂଜାପାଇବେ l ମଝିଦୁଇଭାଇ ଜଣେ ଏପାଖକୁ ,ଜଣେ ସେପାଖକୁ ଆଉଜିଲେ l ଗଣତାନ୍ତ୍ରିକ ସଂଖ୍ୟା ଗରିଷ୍ଠତା କୌଣସି ଦଳ ହାସଲ କରିପାରିଲାନି l କଥା ସମାଧାନ ହେଇପାରିଲାନି l ବୁଢା ଲିଙ୍ଗା ପହରାଜଙ୍କ ଅନ୍ତିମ ଇଚ୍ଛା ଅପୂର୍ଣ୍ଣ ରହିଗଲା l ବୃନ୍ଦାବନରୁ ଫେରିଲା ପରେ ମନରେ ଥିଲା ମନ୍ଦିରଟିଏ ତୋଳିବେ ନିଜ ଗାଁ ନନ୍ଦପୁରରେ l ମନ୍ଦିରରେ ରାଧାକୃଷ୍ଣଙ୍କ ବିଗ୍ରହ ସ୍ଥାପନା କରିବେ l କାଳ କାଳକୁ କୀର୍ତି ରହିଥାନ୍ତା l ହେଲେ ମାଙ୍କଡ଼ ଗୁଡାକ ହାତରେ ଶାଳଗ୍ରାମ ,ନଚେଇ ନଚେଇ ନେଲେ ପ୍ରାଣ l
ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି l ବୁଢା ପହରାଜେ ଚିନ୍ତାରେ କତରା ଧରିଲେଣି l ପିଲାଚାରିଟା ଅଯୋଗ୍ୟ ! ହେବେନି କାହିଁକି ? ଧନ, ଯୌବନ, ପ୍ରଭୁତ୍ତ୍ୱ ଅଵିଵେକୀତା ଚାରି ଅଵଗୁଣର ଗର୍ବରେ ପରିପୂର୍ଣ୍ଣ ପିଲାଗୁଡ଼ାକ l ବଡଟା ତ ଚାରି ପାଞ୍ଜିରୁ ଗଲାଣି l ପେଟେ ମଦ ପିଇ ରାସ୍ତାରେ ଅବା ଡ୍ରେନରେ ପଡିଥିବ l ଚାକର ବାକର ଯାଇ ଉଠେଇକି ଆଣିବେ l ମଝି ଦି'ଟା ଲୋକାଲ ଗୁଣ୍ଡା ,ଦାଦାଗିରି କରିବେ କାହାକୁ ମାର ପିଟ କରିବେ...ଯେତେସବୁ ବାହାର ଅଳିଆ ଆଣି ଘରେପୂରେଇବେ l ଲିଙ୍ଗା ପହରାଜଙ୍କ ସନ୍ଧ୍ୟା ପହର ବିତେ ନ୍ୟାୟ ନିଶାପକରି ଲୋକଙ୍କ ଗୋଡ଼ ହାତ ଧରି ପିଲାଙ୍କ ତରଫରୁ ଭୁଲ ମାଗିବାରେ l ସାନପୁଅ କଥାତ ନ କହିଲେ ଭଲ l ଶାନ୍ତ ଶିଷ୍ଟ ଭଦ୍ର ଲଢେଇ ଝଗଡାରେ ଆଦୌ ନଥାଏ ହେଲେ ତା ଲାଗି ଗାଁର ଝିଅ ବୋହୁ ସନ୍ଧ୍ୟା ପରେ ଘରୁ ବାହାରିବାକୁ ଡରନ୍ତି l ପଇସାଟିଏ ରୋଜଗାର ନାହିଁ ,ବସି ଖାଇଲେ ନଈ ବାଲି ସରେ l ପିଲାଗୁଡ଼ାକର ଭବିଷ୍ୟତ କଥା ଭାବିଲେ ତାଙ୍କ ମେରୁ ହାଡ଼ଭିତରୁ କାଲମାରିଯାଏ l ତାଙ୍କ ଅନ୍ତେ ତାଙ୍କର ଖାନ୍ଦାନୀ ପ୍ରହରାଜ ବଂଶର ନାମ ନିଶାନ ଲିଭିଯିବ ବଂଶର ବୁନିୟାଦୀ ମାଟିରେ ମିଶି ଯିବ l
କୋଉ ଆଭିଜାତ୍ୟ କଥା କହନ୍ତି କେଜାଣି ବୁଢା ପହରାଜେ ! ମନରେ ତାଙ୍କର ବହୁତ ଗର୍ବ ତାଙ୍କ ପୂର୍ବ ପିଢ଼ି କୁଆଡେ ରାଜା ଥିଲେ l ହେଲେ ଘରର କାନ୍ଥବାଡ଼ ଆଉ ଚାଳ ଦେଖିଲେ ତ ଲାଗେନି ସେମାନେ ରାଜାଥିଲେ ହଁ ରାଜାଙ୍କ ପ୍ରହରୀ ଥିବେ ଅବଶ୍ୟ l ଅପଭ୍ରଂଶ ହେଇ ରାଜପ୍ରହରୀ ପଦଵୀ ଟା ପ୍ରହରାଜ ସାଙ୍ଗିଆ ହେଇଯାଇଥିବ l ରାଜଗାଦି ନଥିଲେ ଵି ନାଁ ଟା ପଛରେ ସାଙ୍ଗିଆରେ ରାଜ ଶବ୍ଦଟା ଲାଖି ରହିଛି ..' ପ୍ରହରାଜ' ! କର୍ପୁର ଉଡିଯାଇଥିବା କନାଟାକୁ ଶୁଙ୍ଘି ମନଟାକୁ ଥଣ୍ଡା କରନ୍ତି,ଛାତି ଫୁଲେଇପକାନ୍ତି ବୁଢ଼ା ପହରାଜେ l ...ହେଲେ ଯେତେ ଚେଷ୍ଟା କଲେବି ପିଲାଗୁଡାକୁ ଏକାଠି ବାନ୍ଧି ପାରିଲେନି ସେ l ନିଜ ନିଜ ଭିତରେ ଲଢେଇ ଝଗଡା କରି ଯଦୁ ବଂଶ ପରି ଏଗୁଡ଼ାକ ନାଶ ଯିବେ l ଆଖି ବୁଝିବା ଆଗରୁ କିଛି କରିବାକୁ ହେବ l ପିଲାମାନଙ୍କୁ ପାଖକୁ ଡାକିଲେ ବୁଢ଼ା କହିଲେ,'' ମୋ ଶେଷ ସମୟ ଆସିଗଲା l ତମପାଇଁ ସ୍ତାବର ସମ୍ପତି ବାରବାଟି ଜମି ଛାଡି ଯାଉଛି ଜମି ଚାଷ କରିବ ମିଳି ମିଶି ରହିବ l '' ବଡ଼ ପୁଅ କହିଲା ,''ବାପା ସେ ଜମି ଆମ ଭିତରେ ଭାଗ କରି ରେଜିଷ୍ଟ୍ରି କରି ଦେଉନ l ବୁଢା ମନର ବିରକ୍ତିଭାବକୁ ନିୟନ୍ତ୍ରଣକରି କହିଲେ,''ସେ ସମ୍ପତି ମୋର ନୁହଁ ,ଆମ ପୂର୍ବ ପୁରୁଷଙ୍କର l ମୋ ବାପା ଜେଜେ ବାପା ଚଉଦ ପୁରୁଷ ତାକୁ ଭୋଗ କଲେଣି l କେହି ତାକୁ ବିକିବା ଭାଙ୍ଗିବା କଥା ଭାବି ନାହାଁନ୍ତି l କୋର୍ଟ କଚେରୀ ଯାଇନାହାନ୍ତି l ଏକାଠି ରହି ତମେ ସେ ସମ୍ପତି ଭୋଗ କରିବ କିନ୍ତୁ ବିକି ପାରିବନି l ମୋ ସମୟ ସରିଲା ମୁଁ ଏଥର ଚାଲିଲି l ହଁ ଶୁଣ ଏଇ ଟ୍ରେଜରୀ ଭିତରେ ମୋ ଜୀବନର ଆୟ ଅମଳ ,ଅସ୍ତାବର ସମ୍ପତି ଅଛି l ତମ ଚାରି ଭାଇଙ୍କୁ ଚାରୋଟି ଚାବି ଦେଉଛି l ସବୁ ଚାବି ଏକ ସାଙ୍ଗରେ ମିଶିଲେ ଟ୍ରେଜରୀ ଖୋଲିବ l ଏକ ମନ ହେଇ ମନ୍ଦିର କାମ ପୁର୍ଣ୍ଣ କରିବ l ମୂର୍ତ୍ତି ପ୍ରତିଷ୍ଠା କରିବ l'' ଆଉ କଣ କହିବାକୁ ଯାଉଥିଲେ l ପିଲାମାନେ ପଚାରିଲେ-- ଟ୍ରେଜରୀ ଭିତରେ କଣ ରଖିଛ ବାପା..ସୁନା ରୁପା ଟଙ୍କା ପଇସା ? ବୁଢା କିଛି କହି ପାରିଲେନି ..ପାଟି ଅଧା ଆଁକରି ରହିଗଲା ଆଖିବାଟେ ଜୀବନ ଚାଲିଗଲା l
କହିବସିଲେ ତ କଥା ସରିବନି,ପ୍ରହରାଜଙ୍କ ଘର କଥା ଚାରି ପିଢ଼ିର କଥା l ସଂକ୍ଷେପରେ...ଏ ପିଢ଼ିରେ ମନ୍ଦିର ସିନା ତୋଳାହେଲା ହେଲେ ମୂର୍ତ୍ତି ପ୍ରତିଷ୍ଠା ହେଇ ପାରିଲାନି l ପରବର୍ତ୍ତି ପିଢ଼ିର ସମୟ ବିତିଗଲା କୋର୍ଟ କଚେରୀରେ -- ଜମି ବାଡ଼ି ରେଜେଷ୍ଟ୍ରି କରିବା କାମରେ ଧାଁ ଧପଡରେ ; ହେଲେ ହେ-ଇ--ପା-ରି-ଲା-ନି l ବୁଢା ପହରାଜଙ୍କ ଭାଇଆଳି କକେଇ ପୁତୁରା ଝିଅ ଝିଆଣିଆ ଏମିତି ଶହେ ଦେଢଶ ହେବ ସମ୍ପତିର ଅଂଶୀଦାରୀ ବାହାରିଲେ l କୋର୍ଟ ରୁ ଚିଠି ପତ୍ର ଦିଆ ନିଆ ସମନ ଜାରି ,ଇତ୍ୟାଦି କାଗଜପତ୍ର କାମରେ ଏ ପିଢ଼ିର ଆୟୁଷ ସରିଗଲା l....
ଆସନ୍ତୁ ତା ପର ପିଢ଼ିକୁ l କାହାଣୀକୁ ଆଉ ଲମ୍ବେଇ ଲାଭ ନାହିଁ l ସଂକ୍ଷେପରେ କହିଲେ ପ୍ରତୀକ୍ଷା କରି କରି ଏ ପିଢ଼ିର ଆୟୁଷ ଵି ସରିଗଲା .. ଟ୍ରେଜରୀ ଖୋଲା ହେଲାନି l ପ୍ରତୀକ୍ଷା ! ହଁ , ପ୍ରତୀକ୍ଷା l ବଡ଼ ପ୍ରହରାଜଙ୍କର ଛୁଆପିଲା ନଥିଲେ ..ଆଜୀବନ ନିଃସନ୍ତାନ ଥିଲେ ସେ l ଛୁଆ ପିଲାଙ୍କ ପାଇଁ ପ୍ରତୀକ୍ଷା କଥା ପଡ଼ିନି l ଅନ୍ୟ ତିନି ଭାଇ ପ୍ରତୀକ୍ଷା କରିଥିଲେ ,ଭାବୁଥିଲେ ବଡ଼ଭାଇ ମଲାପରେ ଟ୍ରେଜରୀ ଖୋଲିବା .. ତିନି ଭାଗରେ ବାଣ୍ଟିନେବା ଟଙ୍କା ସୁନା ରୁପା ଯାହା ଥିବ l .. ହେଲେ ସେଦିନ ଚକୁଳିଆ ପଣ୍ଡାଟା ପ୍ରହରାଜଙ୍କ ଘର ଆଡକୁ ଚାହିଁ ଗାଉଥିଲା - ଆହା , ବାଛିନେବ କଞ୍ଚା ରଖିବ ପାଚିଲା ଦେବଟି ଦାରୁଣ ଦୁଃଖରେ କୁମର ,ଭଜୁକିନା ରାମ ନାମ..l ତଳ ଆଡୁ ବରଡ଼ା ଖସିଲାଣି ହେଲେ ଉପର ବରଡ଼ା ବଡ଼ ପହରାଜେ ଟାଣୁଆଁ ଅଛନ୍ତି l ଆକାଶକୁ ଉଣ୍ଡି ପାରୁନାହାନ୍ତି l ନଇଁ ନଇଁ ଭୂଇଁ ଦରାଣ୍ଡି ବାଟ ଚାଲୁଛନ୍ତି l ହେଲେ ଶ୍ୱାସ ଛାଡି ନାହାଁନ୍ତି,ବଞ୍ଚିବାର ଦମ୍ଭ ଛାଡି ନାହାଁନ୍ତି l ଜୀବନ କ୍ରିକେଟ ମୈଦାନରେ ଶତକ ବ୍ୟାଟିଂ କଲେଣି l ତଥାପି ନଟ ଆଉଟ l ସାଙ୍ଗରୁ ଆଉ ତାଙ୍କ ପିଢ଼ିର ସବୁ ଖେଳାଳି ଆଉଟ ହେଇ ଗଲେଣି l
କାହାଣୀର ଏଇଟା ଶେଷ ପିଢ଼ି l ମାନେ ଟ୍ରେଜରୀ ଏଇ ପିଢ଼ିରେ ଖୋଲା ହେଲା l ପିଲାମାନେ ତ ପ୍ରାୟ ସହରରେରେ ରହିଲେଣି l ଗାଁରେ ଜମିବାଡ଼ି ,ଚାଷବାସ ଜାଗାବାଡ଼ିରେ ଲୋଭ ନାହିଁ..ଲାଭ ଵି ନାହିଁ l ଆଜିକାଲିର ଯାହା ଅବସ୍ଥା ବାରବାଟି ଚାଷ ନିଇତି ଉପାସ l ତା ଛଡା ସେ ଗୁଡାକ ତ ବିକ୍ରି ବାକି ହୋଇ ପାରୁନି l ତା ପୋଥି ଖୋଲି ଲାଭ କଣ ! ହେଲେ ଟ୍ରେଜରୀ ତ ଖୋଲି ହେବ l ଟ୍ରେଜରୀ ରେ କଣ ଅଛି - ସେ ଉତ୍କଣ୍ଠା ସମସ୍ତଙ୍କ ମନରେ l ଗୋଟିଏ ଭାବନା.. ଏକତାର ସୁର .. ଚାଲ ଆଜି ଟ୍ରେଜରୀ ଖୋଲିବା l ଚାରି ମନ ମେଳ ହେଲା ଚାରି ଚାବି ମେଳ ହେଲା ଟ୍ରେଜରୀ ଖୋଲିଲା l ଆଖି ପତା ପଡୁନି l ଅପଲକ ନେତ୍ରରେ ସମସ୍ତେ ଚାହିଁଛନ୍ତି l କେଁ କାଁ ଆବାଜ କରି ଲୁହା ଆଲମିରାଟା ଖୋଲିଲା l ଭିତରେ ଟଙ୍କା ପଇସା ସୁନା ରୁପା..! ଚେନାଏ ଵି ନାହିଁ !! ମାଟି ଗଦାଏ ,ତା ଉପରେ ଛତୁ ଫୁଟି ସୁଖି ଯାଇଛି l ..ଆଉ କଣ କାଗଜ ନୋଟ ଗୁଡାକ ମାଟି ହେଇଗଲା ! ନା,ଲିଙ୍ଗା ବୁଢା ପହରାଜଙ୍କ ସମୟରେ କାଗଜ ନୋଟ ଚଳୁ ନଥିଲା ,ରୁପା ଟଙ୍କା ଚଳୁଥିଲା .. ତା ଵି ନାହିଁ , ସୁନା ନାହିଁ l ଆଉ କଣ ଲିଙ୍ଗା ବୁଢା ଟ୍ରେଜରୀ ଭିତରେ ମାଟି ଥୋଇ ଠକିଦେଇ ଚାଲିଗଲା ! ନା,ଆଉ କିଛି ରହସ୍ୟ ଅଛି .. କିଛି ସନ୍ଦେଶ ଛାଡି ଯାଇଛନ୍ତିକି ...ଏ'ମାଟି , ଘରଦ୍ୱାର ,ଜମିବାଡ଼ି ଆମେ କେହି ନେବାନି ,ଏ ସବୁ ଏଠି ପଡ଼ି ରହିବ ଆଉ ଆମେ ନଥିବା l ଏ ମାଟି କାହାର ନଥିଲା ଅବା କାହାର ହବନି l ଯେତେଦିନ ଅଛ ଭୋଗକର ତାପରେ ଛାଡି ଯିବାକୁ ହେବ l
ହଁ, ଟ୍ରେଜରୀ କଥା ତ ସରିଲା l ଲିଙ୍ଗା ପ୍ରହାରାଜଙ୍କ ଭଙ୍ଗାରୁଜା ଶୋଇବା ଘର କାନ୍ଥରେ ଅଳନ୍ଧୁ ମାଳ ଝୁଲୁଛି ତାଙ୍କ ଲାଇଫି ସାଇଜି ଫଟୋ ବେକରେ, ଆଉ ତା'ତଳେ ଟ୍ରେଜରୀ...ଏବେବି ଖୋଲା ପଡିଛି,ଆଉ ତାଲା ପଡୁନି l ଟ୍ରେଜରୀ ରୁ ସିନା କିଛି ମିଳିଲାନି ହେଲେ ଚାରି କଞ୍ଚି ମିଶିଲା ବୋଲି ସିନା ଟ୍ରେଜରୀ ଖୋଲିଲା l ଆଉ ଚାରି ମନ ମିଳିଲା ବୋଲି ସିନା ମନ୍ଦିରରେ ରାଧାକୃଷ୍ଣ ପୂଜା ପାଇଲେ l....
