କୁଟା ଖଣ୍ଡେ ଦିଅ
କୁଟା ଖଣ୍ଡେ ଦିଅ
ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ ,ଧନ ମାଗୁନାହିଁ ଜନ ମାଗୁନାହିଁ , ମାଗୁନି ଶରଧା ବାଲିରୁ ହାତେ ; କୁଟା ଖଣ୍ଡେ ଦିଅ ମୋତେ l
ହେ ମହାପ୍ରଭୁ ! ତୋ ଶରଧା ବାଲିରୁ ହାତେ ନେଇ ଆଉ କୋଉ ଘର କରିବି ? ଏଠିତ ମୋ ଘର ଖଣ୍ଡିକ ଭାସିଲାଣି l ଦବୁ ଯଦି ବାଲି ବସ୍ତାଟେ ଦେ l ବନ୍ଧ ଘାଇରେ ପକେଇବି l ତା 'ଛଡ଼ା ,ତୋ ଶରଧା ବାଲିରେ ଆଉ ବାଲି କାହିଁ ? ପଙ୍କ କାଦୁଅରେ ତୋ ବଡ଼ ଦାଣ୍ଡ ତ ପୋତି ହେଲାଣି l ବଡ଼ ଦାଣ୍ଡରେ ପାଣିଟାଲ ମାରୁଛି l ଆମ ସରକାର ମହାପ୍ରଭୁ ତୋ ବଡ଼ଦାଣ୍ଡରେ ପାଣି ଭଳିଆ ପଇସା ଖର୍ଚ୍ଚ କଲେ ,ହେଲେ କଣ ହେବ ! ତା' ଅବସ୍ଥା ସୁଧୁରିଲାନି l ସେଇ ପଇସାକୁ ବରଂ ବଡ଼ ଦାଣ୍ଡରେ ପାରି ଦେଇଥିଲେ ବଡ଼ଦାଣ୍ଡ ଟା ଫୁଟେ ଉଚ୍ଚ ହେଇଯାଇଥାନ୍ତା l ମାଳିକା ପରା କଣ କହିଛି ବାଇସି ପାହାଚରେ ମୀନ ଖେଳିବ l ଅଚ୍ୟୁତାନନ୍ଦ ଏବେ ବଞ୍ଚିଥିଲେ ମୀନ ନଲେଖିକି ତିମି ଖେଳିବେ ଵୋଲି ଲେଖିଥାନ୍ତେ l ଆଉ ତୋର ସେ ଢେଲା ଢ଼େଲା ଆଖିକୁ ମୀନ ଦେଖିବାକୁ ଦୂରଵୀକ୍ଷଣ ଯନ୍ତ୍ର ଖୋଜିବାକୁ ପଡ଼ିନଥାନ୍ତା l ହେଃ !..ନିଜ ରକ୍ଷଣ ଅସମ୍ଭବ ,ସେ କାହୁଁ ପରକୁ ରଖିବ? ହଉ ପ୍ରଭୁ ! ତୁମେ ତୁମକୁ ସମ୍ଭାଳ ଆମେ ଆମକୁ ସମ୍ଭାଳିକି ପଡିଚୁ l କୋଉ ନୂଆ କଥାକି ସବୁ ବର୍ଷ ବନ୍ୟା ପାଣିରେ ଭିଜି ଭିଜି ଦେହ କାଲୁଆ ହେଲାଣି; ଆଉ ବର୍ଷା ତୋଫାନ ବାଧୁନି ମ !
ବୁଝିଲେ ଜଗନ୍ନାଥ ମହାପ୍ରଭୁ ! ସେଦିନ ଯେତେବେଳେ ତଳମୂଣ୍ଡରେ ଆମ ଗାଁକୁ ପାଣି ପଶିବାକୁ ହେଲା , ଆମେ ସିଆଣିଆ ଦି'ଜଣ ଅଟୋ ରିକ୍ସା ନେଇ କଲେଟର ଅଫିସକୁଗଲୁl
ଦାଣ୍ଡରେ ବନ୍ୟାପାଣି ନପଶୁଣୁ ଆମ କଣା ଚାଳବାଟେ ବର୍ଷାରେ ଘର ଭାସିଲାଣି l
ଜରିପାଲ ଖଣ୍ଡିଏ ଦୟାହେଲେ ଚାଳଉପରେ ଢାଙ୍କିବୁ l ଜିଲ୍ଲାପାଳଙ୍କ ଅଫିସ ତ ଆମ ଘରକୁ ଲାଗିକି ଦୁଇଶ ମିଟର ଭିତରେ l ବହୁତ ଉଚ୍ଚରେ ତାଙ୍କ ଅଫିସ, ପାଚେରୀକୁ ଚଢ଼ି ତାଙ୍କ ବଗିଚାକୁ ପାଣି ଛୁଇଁବନି l କଲେଟ୍ର ପ୍ରଭୁଙ୍କ ,ମୁଣ୍ଡ ଉପରେ ଫ୍ୟାନ ଘାଇଁ ଘାଇଁ ହେଇକି ବୁଲୁଛି ; ହେଲେ ତାଙ୍କ ଦେହରୁ ଝାଳ ଝାଇଁ ଝାଇଁ ବୋହୁଛି l ଏକ ଲୟରେ ଚାହିଁଛନ୍ତି ଟିଭି ପରଦାକୁ ଭିଡିଓରେ ପ୍ରଭୁ ମୁଖ୍ୟମନ୍ତ୍ରୀ ପ୍ରବଚନ ଦେଉଛନ୍ତି l ସେ ଆମକୁ କାହିଁକି ନିଘା ଦେବେ l ଉଚ୍ଚ ଆସନରେ ଖମ୍ବଉପରେ ଗରୁଡ଼ ପରି ବସିଛନ୍ତି ପକ୍ଷୀ ଜାକି ଜୁକି ,ମୁଖ୍ୟମହାପ୍ରଭୁଙ୍କ ଆଜ୍ଞା ହେଲେ ଡେଣା ଖୋଲିବେ l ଆଉ ମୁଖ୍ୟ ମହାପ୍ରଭୁ ଯେତେବେଳେ ବିଜେହୁଅନ୍ତିନା ,
ଆଗରେ ତାଙ୍କ ଗାଡ଼ି , ପଛରେ ଚେଲା ଚାମୁଣ୍ଡାଙ୍କ ଗାଡ଼ି ପେଁ ପାଁ କରି ଚାଲି ଥିବ ଯେ ରାସ୍ତାରେ ଆଉ କେହି ଚାଲି ପାରିବେନି l ଆଉ ଖାକି ପୋଷାକ ପିନ୍ଧି ତାଙ୍କର ସେବକ ମାନେ ରାସ୍ତା ଦିକଡ଼ରେ ଜଗିଥିବେ l ତମ ରୋଗୀ ଅଟୋ ଭିତରେ କଷ୍ଟ ପାଇ ମରିଯାଉ ; ହେଲେ ମନ୍ତ୍ରୀ ମହାପ୍ରଭୁଙ୍କ ପ୍ରସେସନ ଆଗ ଯିବ ; ତାପରେ ତମ କଥା ବୁଝାଯିବ l
କଲେକ୍ଟର ପ୍ରଭୁଙ୍କ ଦ୍ୱାରପାଳ ସେଠୁ ଆମକୁ ଭଗେଇଦେଲା l ମୁହଁ ଫଁ ଫଁ କରି କହିଲା ''ଯାଅ ତହସିଲଦାରଙ୍କୁ କହ;ଏଠି ଗହଳି କରନି l ବନ୍ୟା ପରେ ଯାହା କ୍ଷୟ କ୍ଷତି ହିସାବ କରି ସହାଯ୍ୟ ମିଳିବ ,
ଏତେ ଅଧର୍ଯ୍ୟ କାହିଁକି ? ତହସିଲଦାର ତାଙ୍କ ପାର୍ଶ୍ଵଦେବତା ବିଡ଼ିଓଙ୍କ ପାଖକୁ ପଠେଇଲେ ; ସେ ପଠେଇଦେଲେ ଆର ଆଈଙ୍କ ପାହାକୁ l ସବୁ ଦିଅଁ ଦର୍ଶନ ସାରି କାନମୁଣ୍ଡା ଆଉଁସି ଟେଣ୍ଟ ହାଉସୁରୁ ଦିନକୁ ପଚାସ ଟଙ୍କା ଭଡାରେ ଦି'ଟା ପାଲ ନେଇ ଘରକୁ ଫେରିଲୁ l
ସତକୁ ସତ ନଈ ପାଣି ଭଳିଆ ସାହାଯ୍ୟ ବି ମାଡି ଆସିଲା l ପଲିଥିନ ବ୍ୟାଗ ଭିତରେ ବ୍ରେଡ ବିସ୍କୁଟ ପାଣି ବୋତଲ ; ଆଉ ବ୍ୟାଗ ଉପରେ ହାତ ଚିତ୍ର ଅଛି ,ଶଙ୍ଖବାଜୁଛି ନହେଲେ ପଦୁଅଁ ଫୁଟିଛି l ପ୍ରଭୁହେ !ଏଗୁଡ଼ାକ ଏଡ଼େ ଅଲାଜୁକ ଆମ ଦୁଃଖ ବେଳେ ସାହାଯ୍ୟ କରିବା ନାଁରେ ଭୋଟ ପ୍ରଚାର କରୁଛନ୍ତି l... ଆମ ମାଇକିନିଆଁ ମାନେତ ଭାରି ଖୁସି ,ସବୁଦିନ ଏମିତି ବନ୍ୟା ଆସନ୍ତାକି ଘରେ ଚୁଲି ଜଳେଇବାକୁ ପଡ଼ନ୍ତାନି l ପିଲାମାନେ ଖୁସିରେ ଗାଁ ଦାଣ୍ଡରେ ପଂହଁରୁଛନ୍ତି l
ଆକାଶରୁ ଭଁ ଭଁ ଅଵାଜ ଶୁଭିଲା ; ମୁଖ୍ୟ ମହାପ୍ରଭୁ ପୁଷ୍ପକ ଯାନରେ ବିଜେକରିଛନ୍ତି..
ଆମ ଦଶା ପରିଦର୍ଶନ କରିବାକୁ ,ପଚାରିବାକୁ ''କନ ଆପନ ମାନେ ଖୁସିତ !'' ଏଇ ଚାରିଟି ଶବ୍ଦ ଶିଖିଛନ୍ତି ଜ୍ୱାଇଁ ପୁଅପରି ,ଆଉ ଦେଖତ ! ଏତିକି କଥା କହି ଖୁସିରେ ପ୍ରଜା ପାଳୁଛନ୍ତି l ଜ୍ୱାଇଁ ପୁଅ କଥାଟା କଣକି ...ଥରେ ଜଣେ ଜ୍ୱାଇଁପୁଅ ଶଶୁର ଘରକୁ ଆସିଥିଲା ,ସାଙ୍ଗ ଶିଖେଇଥିଲା ବେଶୀ କହୁବୁନି ତୋ ଯୋଗ୍ୟତା ଧରାପଡ଼ିଯିବ ,
ଖାଲି କହିବୁ "ଏସ ,ନୋ ,ଭେରୀ..ଗୁଡ଼ !"
ଶାଶୁ ପଚାରିଲେ ,'' ଜୋଇଁ ପୁଅ ,ଆଜି ଗୁରୁବାର ଚିକେନ ଖାଇବ ?ଜୋଇଁ କହିଲା 'ଏସ' ,ତାପରଦିନ ଶାଶୁ କହିଲେ ,ଆଜି ଏକାଦଶୀ ଘରେ ରୋଷେଇ ହବନି ,ତମେ ଉପାସ କରିବ?'' ଜୋଇଁ କହିଲା, 'ନୋ' l -ତମ ପାଇଁ ହୋଟେଲରୁ ମଗେଇଦେବା ,ଶାଶୁ କହିଲେ l ଆଉ ଜୋଇଁ କହିଲେ "ଭେରୀ ଗୁଡ଼", ଜୋଇଁ ସେବାରେ ଶାଶୁଙ୍କ ମନ ମାନିଗଲାଣି ,ତଥାପି ଖୁସିରେ ଗାଁ ସାରା କହି ବୁଲିଲେ ମୋ ଜୋଇଁପୁଅ ବହୁତ ପାଠ ପଢ଼ିଛନ୍ତି, ଇଙ୍ଗିଲିସି କହୁଛନ୍ତି l ଆଉ ସେମିତି ଆମ ମୁଖ୍ୟ ମହାପ୍ରଭୁଙ୍କର ଦି'ପଦ କଥାରେ କେତେ ମିଠା ଅଛି,ଯାଦୁ ଅଛି ! ପାଞ୍ଚ ବରଷ ରେ ଥରେ ଆସି ଦେଖା ଦିଅନ୍ତି ,ଏଇକଥା କହନ୍ତି ,''କନ ଆପନ ମାନେ ଖୁସିତ'' ,ଆଉ ଏତିକି କଥାରେ ପରା ମନ କିଣି ନିଅନ୍ତି , ଭୋଟ କିଣି ନିଅନ୍ତି l ଆଉ ! ଏଡେବଡ଼ ଲୋକ ଆମ ସୁଖ ଦୁଃଖ କଥା ପଚାରୁଛନ୍ତି ଖୁସି ଲାଗିବନି !
ହେଲେ ହେଲିକେପଟର ରେ ଏତେ ଉପରୁ ମୁଖ୍ୟ ପ୍ରଭୁଙ୍କୁ କଣ ସବୁ ଦିଶୁଥିବ ?ମୋ ଘରର କଣା ଚାଳ ,ଭଙ୍ଗା କାନ୍ଥ ଆଉ ଆମ ଶୁଖିଲାମୁହଁ ...? କେଜାଣି ,ତାଙ୍କର ତ ଛଞ୍ଚାଣ ଆଖି ସବୁ ଦେଖନ୍ତି ..ଆଗତ ଭବିଷ୍ୟତ ବି l ସେ ଜାଣିଛନ୍ତି ସେ ଅବତାର ଧରିଥିବା ଯାଏଁ କେହି ତାଙ୍କୁ ଗାଦିରୁ ହଟେଇ ପାରିବେନି l ଆହେ ମୁଖ୍ୟ ପ୍ରଭୁ ! ତମ ଶାସନକୁ ତ ବାଇଶି ବର୍ଷ ଦେଖିଲୁଣି ,ଦେଶ ସ୍ୱାଧୀନ ହେଲାକୁ ପୂରିଲାଣି ପଞ୍ଚସ୍ତରି ବର୍ଷ l ବନ୍ୟାର କଣ କିଛି ସ୍ଥାୟୀ ପ୍ରତିକାର ନାହିଁ l ବନ୍ୟାକୁ ରୋକିବାକୁ ତ ବନ୍ଧଟିଏ ବାନ୍ଧିଲନି ,ଆନିକଟ କଲନି l ଖାଲି ୟା'କୁ ତାକୁ ଦୋଷ ଦେଲ , ଛତିଶଗଡ଼କୁ ଆଙ୍ଗୁଠି ଦେଖେଇଲ l ସେ'ତ ଉପର ମୁଣ୍ଡରେ ଘର କରିଛି,ଆମେ ଶୁଖିଲାରେ ମଲେ ଅବା ପାଣିରେ ଭାସିଗଲେ ତା ମୁଣ୍ଡ କାହିଁକି ବିନ୍ଧିବ? ସେ ମହା ଗାଲୁଆ ଆଉ ତମେ କଣ ତା'ଠାରୁ କମକି ! ଗୋଦରିଲୋ ନିଜ ଗୋଡ଼କୁ ଆଗ ଅନା l ଆଉ କେତେ ଅପେକ୍ଷା କରିବୁ ,କେତେ ଦେଖିବୁ ? ବେଙ୍ଗ ମୁତିଲେ ତ ଆମେ ବନ୍ୟାରେ ଭାସିଲୁ l ବନ୍ୟା ଆସିଲେ ସିନା ତମପାଇଁ ପୁଷମାସ ;ହେଲେ ଆମ ପାଇଁ ସର୍ବନାଶ l ବନ୍ୟା ସମୟରେ ରିଲିଫ ବାଣ୍ଟିବ ,କେନ୍ଦ୍ରରୁ ସାହାଯ୍ୟ ଆଣିବ ,ଦୀପ ଜାଳିଲେ ତମ ଅଫିସରଙ୍କ ହାତ ସିନା ଚିକଣ ,ହେଲେ ଆମ ମୁଣ୍ଡ ସବୁବେଳେ ନୁଖୁରା ପ୍ରଭୁ l କାଉ କୁକୁରଙ୍କୁ ମୁଠେ ଅଇଁଠା ଫିଙ୍ଗିଲା ପରି ରିଲିଫ ବାଣ୍ଟି ବଡ଼ ବାହାବାହା ନେଉଛ l ବନ୍ୟା ବାତ୍ୟା ପରିଚାଳନା ରେ ନମ୍ବର ୱାନ ନାଁ କରିଛ ,ହେଲେ ଆମ କ୍ଷୟ କ୍ଷତି ହିସାବ କରିବାକୁ ତମେ ଗଣିତ ପଢିଚ ? ଦୋଷ କାହାକୁଦେବୁ ? ଏତ ଆପଣାକଲା କର୍ମମାନ ଆମ ବୁଦ୍ଧି ତ କେଉଟ ଠାରୁ ହୀନ l କେଉଟ ଟିଏ ନଦୀରୁ ମାଛ ମାରି ସୁଖେ ଦୁଃଖେ ପେଟ ପୋଷୁଥିଲା l ଥରେ ଭୋଟ ସମୟ.. ନଦୀରେ ବନ୍ୟା ଆସିଲା,ଯୋଗକୁ ତା ଜାଲରେ କୁମ୍ଭୀର ପଶିଲା l କୁମ୍ଭୀର କହିଲା ମୁଁ ତୋ ମିତ ହେଲି l ମୋତେ ତୋ ଘରକୁ ନେ l କେଉଟ କହିଲା ମୁଁ ଅଭାବି ବହୁ କୁଟୁମ୍ବି lତୋତେ ନେଇ ପୁଣି ପୋଷିବି l କୁମ୍ଭୀର ତା ଦୁଃଖରେ ବହୁତୁ କାନ୍ଦିଲା l କେଉଟ କହିଲା ଆଉ ବେଶୀ କାନ୍ଦନା, ନଦୀରେତ ସହଜେ ବନ୍ୟା ଆସିଛି ତୋ ଲୁହରେ ମୋ ଘର ଭାସିଯିବ l କୁମ୍ଭୀର କହିଲା ମାଛ ବିକି ଦୁଇଶ ଚାରିଶ ପାଉଛୁ, ମୋ ଚମଡା ବିକିଲେ ଚାରି ହଜାର, ତୋ ଖାଳେଇରେ ଜାଗା ଧରିବନି l କେଉଟର ବାପା ଭାରି ଖୁସି ମୋ ପୁଅ ପଇସା ଛାଣିଚି ଏକା ଥରକେ ଚାରି ହଜାର ମୋ ଜୀବନରେ ଦେଖିନି l ତାପର ଦିନ ସକାଳୁ ତା ବାପା ଆଉ ଦେଖାଗଲାନି l କେଉଟ ଭାବିଲା ଖୁସିରେ ହାଲୁକା ହେଇ ବାପା ପାଣିରେ ଭାସିଗଲା l ତାପର ଦିନ ମା ନାହିଁ, ତାପରଦିନ କେଉଟୁଣୀ ପାଳି l କେଉଟ ମନରେ ସନ୍ଦେହ ହେଲା l କୁମ୍ଭୀର ପାଟି ଆଇଁଶିଆ ବାସୁଛି l କୁମ୍ଭୀର କହିଲା ତୋ ରାଣ ମୁଁ ପାଟି ଆଁ କରୁଛି ମୁଣ୍ଡ ପୂରେଇକି ଶୁଂଘୁନୁ l କେଉଟ ଠେଙ୍ଗା ଧରି ଆସିଲା କହିଲା ତୋତେ ଆଉ ବିଶ୍ୱାସ କରିବି ! ସତ କହ, ନହେଲେ ଠେଙ୍ଗାରେ ପିଟି ପିଟି ତୋ ପିଠି ଫଟେଇ ଦେବି l କୁମ୍ଭୀର ହସିଲା... ହସି ହସି ବି ତା ଆଖିରୁ ଲୁହ ବୋହି ଯାଉଥାଏ l କହିଲା ଏମିତି କେତେ ଠେଙ୍ଗା ପଥର, ଗାଳି ଗୁଲଜ ଆଣ୍ଡାମାଡ଼ ଖାଇ ମୋ ଚମଡା ବଧିରା ହେଇଛି, ମୋତେ ଠେଙ୍ଗା ଦେଖୋଉଚୁ l ଆସିଛି ମାନେ ପାଞ୍ଚ ବରଷ ତୋ ଘରେ ରହିବି l ତୋ ଶାଗ କିଆରି ଖୁଣ୍ଟି ଖୁଣ୍ଟି ଖାଇବି l ପୁଣି ଭୋଟ ବେଳକୁ ଧୋଇ ଧାଇ ହେଇ ଦେହରୁ ମଳି ଛଡେଇ ଆସବି l ସେତେବେଳେ ନଦୀରେ ପୁଣି ବନ୍ୟା ଆସିବ... ଟଙ୍କାର ବନ୍ୟା l ଆଉ ଲୋଭରେ ତୁ ମୋତେ ପୁଣି ଘରକୁ ଆଣିବୁ l କେଉଟ ବୁଝିଗଲା ଏ ଗୋଟେ ପରମାନେଣ୍ଟ କିଳା ଆ'କୁ ଭିତରକୁ ପେଲିହବ ନା ବାହାରକୁ କାଢ଼ିହବ l
ମହାପ୍ରଭୁ ଆମେ ସବୁ ଏତେ ଅଲାଜୁକିଆ ଦେହ ସୁହା ହେଲୁଣି l ସେଦିନ ଟିଭି ରିପୋଟର ଆସିଥିଲେ ,ପଚାରିଲେ କୁହ ତମର କଣ ଅସୁବିଧା ଆମେ ସରକାରଙ୍କୁ ଜଣେଇବୁ l କିଏ କହିଲା ଆମକୁ ରିଲିଫ ମିଳୁନି, କିଏ କହିଲା ରନ୍ଧାଖାଦ୍ୟ ଡାଲିରେ ଲୁଣ ପଡ଼ିନଥିଲା, ଆଉ କିଏ କାନ୍ଦି କାନ୍ଦି ହେଙ୍କା ଟେକିଲା ମୋ ଫସଲ ବୁଡ଼ିଲା ସରକାର ମୋତେ ସାହାଯ୍ୟ ଦିଅନ୍ତୁ.. କେହି ଦି'ଜଣ ବି ମେଳି ହେଇକି କହିଲେନି ଆମ ମୁଖ୍ୟମନ୍ତ୍ରୀ ପ୍ରଭୁଙ୍କୁ କହିବ ଆମର ଟଙ୍କିକିଆ ଚାଉଳ ଦରକାର ନାହିଁ ଆମର ଶୁଖିଲା ବ୍ରେଡ ବିସୁକୁଟୁ ରିଲିଫ,ଅଦିନିଆ ଭାତଡାଲି ଦରକାର ନାହିଁ, ଆମପାଇଁ କିଛି ସ୍ଥାୟୀ ବ୍ୟବସ୍ଥା କରନ୍ତୁ, ଆମେ ଛୁଆ ପିଲାଙ୍କୁ ଧରି ନଈ ପହଁରି ପହଁରି ହାଲିଆ ହେଲୁଣି ,ଆଉ ପାରୁନୁ l
. ମହାପ୍ରଭୁ, ଗୋପବନ୍ଧୁ ଦାସ ଥିଲେ,ସେ ଆମପାଇଁ କାନ୍ଦୁଥିଲେ, ଅନ୍ତରରୁ ଲୁହ ଝରୁଥିଲା, ହେଲେ ଏଗୁଡ଼ାକ ଖାଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି l ଏଗୁଡ଼ାକ ସବୁ ଲଙ୍କାରୁ ଜାତ, ରାବଣ ବିହନରୁ ତିଆରି...ରାମରାଇଜ ସପନରେବି କେବେ ଆସିବନି ଏ ରାଇଜକୁ l ଗାଁରେ କେତେ ଲୋକଙ୍କର ଛାତ ଘର ହେଲା, ହେଲେ ମୋ ଚାଳିଆ ଖଣ୍ଡିକ ହଟିଲାନି l ଦେଇଥିଲେ ପାଇ, ମୁଁ'ତ ଦେଲିନି..ପାଇବି କେଉଁଠୁ? ଜଗନ୍ନାଥ ମହାପ୍ରଭୁ ତମର ଏତେବଡ଼ ପେଟ ଖୁଦ କଣିକାରେ ସନ୍ତୁଷ୍ଟ , ହେଲେ ଏଇ ଭିକାରୀଙ୍କ ପେଟ ଚାଖଣ୍ଡକୁ ପରା ସାରା ବ୍ରହ୍ମାଣ୍ଡ ନିଅଣ୍ଟ l କିଛି ହବନି ମହାପ୍ରଭୁ, ମୁଁ ମନକୁ ବୁଝେଇଦେଲିଣି l ମୋ 'ପିଲାନାତି ଙ୍କୁ ବୁଝେଇ ଦେଇଛି, ସେମାନେ ତାଙ୍କ ପିଲା ନାତିଙ୍କୁ ବୁଝେଇଦେବେ ଆମେ ନଈ
ତଳମାଳିଆ ଲୋକ ସବୁ ବରଷ ଏମିତି ପାଣିରେ ଭାସିବୁ l ଜୀବନ ରହିଲେ ବ9ଡ଼
କଥା l ଭାସିଗଲା ଲୋକକୁ କୁଟା ଖଣ୍ଡେ
ସାହା l ସେଇ କୁଟାଖଣ୍ଡିଏ ହେଇ ଆମକୁ ସାହା ହେଇଥାଅ ହେ ଜଗନ୍ନାଥ ମହାପ୍ରଭୁ !
ତଳୁ ପୁଅ ଡାକ ଛାଡିଲାଣି --ବାପା ଘରେ ନାଗ ସାପ ପଶିଲାଣି !
--ନାଇଁରେ ସେଇଟା ଧଣ୍ଡ ହେଇଥିବ l
--ତା'ର ଫଣା ଅଚ୍ଛି ପରା l
--ବନ୍ୟା ସମୟରେ ସରକାରୀ କର୍ମଚାରୀଙ୍କ ପରି ଧଣ୍ଡସାପର ବି ଫଣା ବାହାରେ , ଫଂଫାଂ କରେ l ବ୍ୟସ୍ତ ହ'ନି ,ଥୟ ଧ l
