STORYMIRROR

upendranath paramaguru

Others

4  

upendranath paramaguru

Others

ଚତୁର କାଉ

ଚତୁର କାଉ

7 mins
368

 ବାପ ମଲାବେଳେ କିଛି ସମ୍ପତ୍ତି ଛାଡି ଯାଇଥିଲା ପହଲି ପାଇଁ l ଚାଳଛପର ଘରଟିଏ,ଘରବାହାରେ ଶାଗ କିଆରି ,ବାସନମଜା କୁଣ୍ଡ ,ଗୋଟେ ଅମୃତଭଣ୍ଡା ଗଛ ଆଉ ଦିଟା କଦଳୀ ଗଛ ;ଆଉ ଘରଭିତରେ ଲୁଣ ଆମ୍ବୁଲ l ପହଲି ଚାରିମାଣ ଜମି କିଣିଛି ରକତକୁ ଝାଳ କରି ଆଉ ଝାଳକୁ ବିକି l ସେଥରୁ ସରକାର ନେଇ ଯିବେ ଦୁଇ ମାଣ ..ତା ଉପରେ କେନାଲ ଯିବ l ଦି'ଦିନ ଭାତ ରୁଚିଲାନି ତାକୁ l ତାପରେ ମନକୁ ବୁଝେଇଲା l ସମସ୍ତଙ୍କ ସୁବିଧାପାଇଁ ସରକାର କରୁଛନ୍ତି l ଖାଲି ନିଜକଥା ଭାବିଲେ ତ ହବନି l ତାଛଡା ଜମିବାବଦକୁ ସରକାର କିଛି ଟଙ୍କା ଦେଇଛନ୍ତି ,ସେଇଟଙ୍କାରେ ସେ ବଳଦ ହଳେ କିଣିଛି l କେନାଲ ଖୋଳା ହେଉଛି l ହୀରାକୁଦରୁ ପାଣି ଆସିବ l କେତେଦୂରରୁ ,ଆକାଶଠାରୁବି ଦୂରରୁ l ଶୁଖିଲା ଆଖି ତାର ସପନରେ ଓଦା ହେଇଯାଏ l ଚାରିମାଣଜମି ପଡିଆ ପଡୁଥିଲା ,ଏବେ ସୁନା ଫଳିବ l 

କେନାଲଖୋଳାବେଳେ ସେ ଦେହକୁ ଲଗେଇ କାମ କରିଛି,ସାଥିରେ ଦୁଇପୁଅଙ୍କୁ ଲଗେଇଛି l ଭଗବାନ ତା ଦି'ହାତକୁ ଆଉ ଚାରିହାତ ଯୋଡିଛନ୍ତି ବାହୁବାଡ଼େଇ ରୋଜଗାର କରୁଛନ୍ତି ତାଙ୍କ ବଳରେ ତ ଚାରିମାଣ ଜମି କିଣି ପାରିଥିଲା l ବୁଢାବାପଟା ଆଉ କାମକୁ ନୁହଁ ,କତରା ଧରିଲାଣି l 

ନାତି ଛବିବହିରୁ ପଢେ ହୀରାକୁଦ ରୁ ଆସେ ବିଜୁଳି ,ଘରେଘରେ ବତୀ ଉଠଇ ଜଳି l ହୀରାକୁଦରୁ ବିଜୁଳି ଆସୁଛି ସନ୍ଧ୍ୟାରେ ଆଲୁଅ ଜଳୁଛି ,ଡ଼ବିରେ ଆଉ କିରୋସିନି ଭରିବା ,ଦିଆସିଲି ଖୋଜିବା ହରକତ ନାହିଁ l ସୁଇଚି ଚିପିଦେଲେ ବତୀ ଜଳୁଛି ସେମିତି ହୀରାକୁଦରୁ ପାଣି ଆସିବ ,ଜମିରେ ସୁନା ଫଳିବ l    

    ମୁଣ୍ଡନଇଁଯାଏ ସରକାରଙ୍କ ପାଖରେ l ପୁରାଣରୁ ଶୁଣିଛି ରାଜା ପ୍ରଜାଙ୍କୁ ପୁଅ ପରି ପାଳନ୍ତି l ରାମରାଇଜରେ ପରଜା ଖୁସିରେ ଥା'ନ୍ତି l ତାଙ୍କ ସୁଖ ଦୁଃଖ ରାଜା ଅନ୍ଧାରି ବିଜେ କରି ବୁଝନ୍ତି l ଏବେତ ଆଉ ରାଜରାଜୁଡା ନାହିଁ l ତାଙ୍କ ଜାଗାରେ ମନ୍ତ୍ରୀ ଶାସନ କରୁଛନ୍ତି l ଗରିବଙ୍କ ମା'ବାପ, ଭଗବାନଙ୍କ ଅବତାର ସେମାନେ l ଦୁତୀୟ ଶ୍ରେଣୀରେ ତା ନାତି 'ମୋ ପାଠବହି' ଖୋଲି ପଢ଼େ ,ଆମେ ଚଳୋଉଛୁ ଦେଶ ଆମରି ,ଆମରି ଡ଼ଙ୍ଗାର ଆମେ ନାଉରି l ଅଗଷ୍ଟ ପନ୍ଦରକୁ ପିଲାଙ୍କ ହାତରେ ପତାକା ଦେଖିଲେ ତା ମନ ଘରେ ରହେନି l ମନହୁଏ ତାଙ୍କ ସାଙ୍ଗରେ ପତାକା ଧରି ଗାଁ ବୁଲି ଆସନ୍ତା l ପିଲାଙ୍କ ସାଙ୍ଗରେ ମିଶି ବଡ଼ପାଟିରେ କହେ, "ମହାତ୍ମା ଗାନ୍ଧୀକି ଜୟ ,ଭାରତ ମାତାକି ଜୟ" l ସରକାର ଆମ ମା'ବାପା l ଧନ୍ୟକହିବ କେତେବଡ ଦେଶ ଚଳୋଉଛନ୍ତି l ସେ'ତ ତା'ଛୋଟ ଘରଟାକୁ ସମ୍ଭାଳି ପାରିଲାନି l ବଡ଼ପୁଅଟା ସୁରାଟ ପଳାଇଗଲାଯେ ଆଉ ଆସିଲାନି l ଘର ଜମିବାଡ଼ି ଛାଡି ଗୋତି ଖଟୁଚି ପରଦୁଆରେ ...ସୂତାକଳରେ l ହଉ ଯାହା ହେଉ, କରୋନା ସମୟରେ ସୁତାକଳ ବନ୍ଦ ହେଲା ,ଚଉଦ ପନ୍ଦର ବର୍ଷ ପରେ ଏବେ ଗାଁ କୁ ଫେରିଛି l ସରକାର କହିଛନ୍ତି ଏଠାରେ ସମସ୍ତଙ୍କୁ କାମ ମିଳିବ l ଆଉ ସେମାନଙ୍କୁ ଆମ ରାଇଜ ଛାଡି ବାହାରକୁ ଯିବାକୁ ପଡ଼ିବନି l ଟଙ୍କିକିଆ ଚାଉଳ ଦେଉଛନ୍ତି ,ପୋଖରୀ ଖୋଳା ହେଉଛି l ରାସ୍ତାକାମ ,ମାଟି କାମ...ପେଟ ଆପୋଷା ରହବନି l ଭଗବାନ ବାହା ଦେଇଛନ୍ତି ,ସରକାର କାମ ଦେଉଛନ୍ତି ,ଆଉଆସୁବିଧା କଣ l କାମର ଅଭାବନାହିଁ,ପଇସାର ଅଭାବହେବ କାହିଁକି ?

ସହରରେ ଡ୍ରେନ ସଫେଇ କାମ ସବୁ ବର୍ଷ ହେବ l ଲୋକମାନେ କଣ ବୁଝୁଛନ୍ତି ,ଡ୍ରେନଭିତରେ ପଲିଥିନ ,ପ୍ଲାଷ୍ଟିକ ଡବା ବୋତଲ ସବୁ ଫିଙ୍ଗୁଛନ୍ତି l ସବୁ ବର୍ଷ ବର୍ଷାଦିନେ ଡ୍ରେନ ସଫାକାମ ,ସେଦିନ ଡ୍ରେନ ସଫା କଲାବେଳେ ଗାଡ଼ିଏ ହେବ ପ୍ଲାଷ୍ଟିକ ଡ଼ବା,ବୋତଲ ବାହାରିଲା ,ତାକୁନେଇ କବାଡିଆ ଗୋଦାମରେ ବିକିଲା l ମଜୁରି    ସାଙ୍ଗକୁ ଉପୁରି ପଚାଶଟଙ୍କା ମିଳିଗଲା l ଖରାଦିନେ.. ପୋଖରୀ ଖୋଳା କାମ l ମାଟିଖୋଳା ହେବ, ହିଡରେ ପଡିବ l ବର୍ଷାହେଲେ ପୁଣି ଭିତରକୁ ବୋହିଯିବ l ଖରାଦିନେ ପୁଣି ପୋଖରୀ ଖୋଳା ହେବ l କାମ ଏମିତି ଚାଲିଥିବ l ସରକାରି କାମପରା,କେବେ କଣ ସରିବ?ସରକାରଙ୍କର କଣ ଟଙ୍କା ଅଭାବ ଅଛି l ଟଙ୍କା ଛାପିବାକୁ ଗୋଟେ କଳ ଅଛି ପରା !

    ସହରରେ ଡ୍ରେନ ସଫାକରି ସେଦିନଫେରିଲାବେଳେ ପହଲି ଦେଖିଲା ଗଛରେ ପ୍ଲାଷ୍ଟିକ ଡବା ଗୁଡିଏ ଝୁଲା ହୋଇଛି l କରୋନା ସମୟ ରୋଜଗାର ନାହିଁ ,ଏଗୁଡ଼ାକୁ ନେଇ କବାଡିଆ ପାଖରେ ଦେଲେ ଟଙ୍କା ଦଶ କୋଡିଏ ତ ମିଳିଯିବ l ସେହିବାଟ ଦେଇ ସ୍କୁଲ ପିଲା ଯାଉଥିଲେ ,କହିଲେ ସେଗୁଡାକ ନିଅନି l ସେଗୁଡାକ ପରା ଚଢେଇ ପାଣିପିଇବାକୁ ଗଛରେ ଲଗାଯାଇଚି l ପଢ଼ୁନ ତା'ତଳେ ଲେଖା ହେଇଚି ,ପଶୁ ପକ୍ଷୀଙ୍କପାଇଁ ଜଳପାତ୍ର.. ସୁରକ୍ଷିତ ରଖନ୍ତୁ l ଛିଃ ,କେତେବଡ ଖରାପ କାମ କରିଥାନ୍ତା ,ଭଗବାନ ବଞ୍ଚେଇଦେଲେ l ପାଠ ଦି'ଅକ୍ଷର ପଢିଥିଲେ ଏ ଖରାପକାମ କରିବାକୁ କଣ ହାତ ଯାଇଥାନ୍ତା? ସରକାର ସମସ୍ତଙ୍କ ଖିଆଲ ରଖିଛନ୍ତି l ଖାଲି ମଣିଷ ନୁହଁ ,ଖରାରୁ ପଶୁ ପକ୍ଷୀଙ୍କୁ ବଂଚେଇବାକୁ ଗଛରେ ପାଣି ବ୍ୟବସ୍ଥା କରିଛନ୍ତି l ହେଲେ, ସେ ଦେଖିଲା କେଉଁ ଡବାରେ ପାଣିଟୋପାଏ ବି ନାହିଁ l ସରକାର କହିଛନ୍ତି ପାଣି ପାତ୍ର ସୁରକ୍ଷିତ ରଖିବାକୁ l ଘରୁ ବାଲଟି ମଗ୍ ନେଇଆସିଲା ,ଗଛରେ ଚଢି ସବୁ ଡବାରେ ପାଣି ଭରିଲା l ହେଲେ ପାଣି ତ ରହୁନି l ଅଧିକାଂଶ ଡବା କଣା l ଆଉ ଯେଉଁ ଡବାରେ ପାଣି ରହିଲା ,ସେଥିରୁ ପାଣି ପିଇବାକୁ କାଉ ,କୋଇଲି, ଚଢେଇ.. କେହି ଆସିଲେନି l ସେଗୁଡାକ କଣ ପାଠ ପଢ଼ିଛନ୍ତିକି ବୁଝିପାରିବେ ,ଏଠାରେ ତାଙ୍କପାଇଁ ପାଣି ରଖା ଯାଇଛି l କାହିଁକି ପାଣି ପିଉନାହାନ୍ତି ; କାରଣ ଖୋଜି ଖୋଜି ତା ମୁଣ୍ଡ ଗରମ ହେଲାଣି l ନାତି କହୁଥିଲା ଚତୁର କାଉ କଥା l କାଉଟିଏ ଶୋଷରେ ବୁଲିବୁଲି ବଗିଚାରେ ମାଠିଆରେ ପାଣି ଦେଖିଲା l ତାପରେ ଥଣ୍ଟରେ ଗୋଡି ଆଣି ମାଠିଆ ଭିତରକୁ ପକାଇଲା l ପାଣି ଉପରକୁ ଉଠିଲା ,କାଉଟି ପାଣିପିଇ ଖୁସିରେ ଉଡ଼ିଗଲା ...ଏ କଣ ସତକଥା ; ନା ମନ ଭୁଲା କାହାଣୀ l କାଉର ଏତେ ବୁଦ୍ଧି କୋଉଦିନଠୁ ହେଲାଣିଯେ ସେ ଗୋଡି ପକେଇବ ପାଣି ଉପରକୁ ଉଠିବ l ଏତ ମଣିଷର ପାଠପଢ଼ା ବୁଦ୍ଧି l ନିଜ ଚାଲାକିକୁ କାଉର ନାଁ ଦେଇଛି l ହେଲେ ଏଠିତ ଡବାରେ ପାଣି ନାହିଁ ,କାଉ ବସିବାପାଇଁ ମାଠିଆପରି ଡବାର ମଙ୍ଗ ନାହିଁ l ଏତେ ସବୁ ଡବା ବୋତଲ ଗଛରେ ଟାଙ୍ଗି , ହଜାରେ ପୋଷ୍ଟର ବାଡେଇ ପଇସା ଖର୍ଚ୍ଚ କରିବା କଣ ଦରକାର?କାଉଠାରୁ ତ ମଣିଷ ଆହୁରି ଚତୁର ଧୂର୍ତ୍ତ l ଜୀବଜନ୍ତୁଙ୍କ ନାଁ'ରେ ତା'ହେଲେ କେତେ ପଇସା ଖାଇଗଲା ! ସରକାର ସତୁରି ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି l କରୋନା ସମୟରେ ଜୀବଜନ୍ତୁଙ୍କୁ ଆଧାର ଦେବାକୁ l ସତରେ କଣ ବୁଲାକୁକୁର ,ଗାଈ ,ଷଣ୍ଢଗୁଡାକ ଖାଇବାକୁ ପାଇଛନ୍ତି ,ନାଁ ଚଢେଇଙ୍କ ଭଳି କଣା ଡବାରୁ ପାଣି ପିଇଛନ୍ତି l 

    ଦେଖିବାକୁଗଲେ,ସରକାରଙ୍କର ତ କିଛି ଗୋଟିଏ ହେଲେ ଯୋଜନା କାମରେ ଲାଗୁନି l ସରକାରଙ୍କୁ ଭଲ କହି କେତେ ଦିନ ଆଉ ନିଜକୁ ଠକିବ? ବେଙ୍ଗ ମୁତିଲେ ତ ଗାଁ ରାସ୍ତା କାଦୁଅ ହେଉଛି ଏବେବି ବର୍ଷାଦିନେ ସାଇକଲ କାନ୍ଧରେ ଟେକି ଲୋକ ନଈ ପାର ହେଉଛନ୍ତି l ସ୍ୱାଧୀନ ଭାରତ ପତାକା ଧରି ବୁଢା ହେଲାଣି, ଭଲଦିନ ଦେଖିବା ସପନରେ ମୋତିଆବିନ୍ଦୁ ଚଢିଲାଣି ଆଖିରେ l

ତା'ର ଦିମାଣ ଜମି କେନାଲରେ ଗଲା l ଦଶବର୍ଷ ହେଲା କେନାଲ ଖୋଳାହେଲା l ଖରାଦିନେତ ପାଣି ଟୋପାଏ ରହିଲାନି ତିଳକ କରିବାକୁ l ବର୍ଷାଦିନେ ପାଣିଆସେ l ବିଲରେ ଯାହା ଫସଲ ଥାଏ ତାକୁ କେନାଲରେ ପାଣି ଆସି ଉଜାଡ଼ି ଦିଏ l ବିନାମେଘରେ ବଜ୍ରପାତ l ପହଲି ବୁଝିପାରେନି ଆକାଶତ ସୁଖିଲା ,ବର୍ଷା ନାହିଁ ,ବନ୍ୟା ହେଉଛି  କାହିଁକି ? ହୀରାକୁଦ ବନ୍ଧ ଅସମ୍ଭାଳ ,କବାଟ ଖୋଲିଦେଇଛି l ଅକାତକାତ ପାଣି ମାଡିଆସୁଛି ,ଆଉ ଫସଲ ରହିବ କଣ ! ବର୍ଷାଦିନ ଗଲେ ନଇ ଶୁଖିଲା l ସରକାର କହୁଛନ୍ତି ଉପର ମୁଣ୍ଡରେ ବନ୍ଧବାନ୍ଧି ଆମପାଣିକୁ ଅଟକାଇ ଦେଉ ଛନ୍ତି ଅନ୍ୟ ରାଜ୍ୟ ସରକାର l ଅନ୍ୟକୁ ଆମେ ଦୋଷ ଦେଉଛେ ,ହେଲେ ଆମ ପାଣି ବୋହିଯାଉଛି ସମୁଦ୍ରକୁ ତାକୁତ ଜଗୁନେ l ଆମେ ଖାଲି ସେମାନଙ୍କ ବନ୍ଧରେ କଣା କରିବାକୁ ଧାଇଁଛେ l ଅଡୁଆସୂତାରେ ମୁଣ୍ଡଛନ୍ଦିହେଇଯାଏ l ସରକାର ଏତେ ଯୋଜନା କରୁଛନ୍ତି ହେଲେ କାମହେଉନି କାହିଁକି ? ଏଥିପାଇଁ ଦାୟୀ କିଏ ?

   ପଞ୍ଚାୟତକୁ କାମ ଆସିଥିଲା ଗାଁ ପୋଖରୀ ଖୋଳା ହେବାକୁ l ଦି'ପୁଅ ଆଉ ତାକୁ ମିଶେଇ ତିନିଟା ଜବ କାର୍ଡ ମିଳିଥିଲା l ମନରେଗା ଯୋଜନା ,ସରକାର କହୁଥିଲେ ଅତିକମରେ ଦିନକୁ ଦୁଇଶହ ଟଙ୍କା ମଜୁରୀ ମିଳିବ ଆଉ ବର୍ଷକୁ ଶହେଦିନ କାମ ମିଳିବ l ବାପ ପୁଅ ତିନିଜଣଯାକ କାମକୁ ବାହାରିପଡିଲେ ଦିନକୁ ଛ'ଶହ ଟଙ୍କା ଘରକୁ ଆସିଥାନ୍ତା lହେଲେ,କଣ୍ଟ୍ରାକ୍ଟର ଜେ.ସି.ବି ଲଗେଇ ପୋଖରୀ ଖୋଳି ଦେଲା l ପହଲି ଜବ କାର୍ଡକରି ତା'ଠାରୁ ମାତ୍ର ଦୁଇଶ ଟଙ୍କାପାଇଲା,କାମ ପାଇଲାନି l ପହଲି ପ୍ରତିବାଦ କରିବାରୁ କଣ୍ଟ୍ରାକ୍ଟର ଲମ୍ବା ହିସାବତାଲିକା ଦେଖେଇ ବୁଝେଇଦେଲା l ପି.ସି ବିଡିଓଙ୍କର,ଜେଇଙ୍କର,ବଡ଼ବାବୁଙ୍କଆଉ ଚୁପ୍ କରି କହିଲା ,''ଭିତରେ ଭିତରେ ମନ୍ତ୍ରୀଙ୍କଭାଗ ଆଉ ପାର୍ଟି ଚାନ୍ଦା ଅଛି "l ସମସ୍ତଙ୍କର ଚଣ୍ଡ କାଢି ସାରିଲା ପରେ ଆଉ କଣ ରହିଲାଯେ ତମକୁ କାମଦେବି ,ମଜୁରିଦେବି l ସରକାର ଡାହାଣ ହାତରେ ଦେଇ ,ବାଁ'ହାତରେ ନେଉଛନ୍ତି l  

 ବଡ଼ପୁଅ ଛୁଆପିଲା ଧରି ପୁଣି ସୁରାଟ ବାହାରିଗଲା l

ସରକାର ତାହେଲେ ଏଇମିତି ଦେଶ ଚଳୋଉଛନ୍ତି l ଇଲେକ୍ସନ ପ୍ରଚାରବେଳେ ସେ ଆଗରେ ପତକା ଧରିଚାଲୁଥିଲା  ,ଶଙ୍ଖଫୁଙ୍କୁଥିଲା l ସାଇକଲରେ ପତାକାମାରି ବୁଲୁଥିଲା l ଆମରି ନେତା ,ଆମରି ଭାଇ ସ୍ଲୋଗାନଦେଉଥିଲା l  ସରକାର ହେଲାପରେ ଚାଳରେ ତାଙ୍କଦଳ ପତାକା ଉଡେଇଥିଲା l ସରକାର ତା'ବିଶ୍ୱାସରେ ବିଷ ଦେଇଦେଲେ l ନରସିଂହା ଗାଁ ଗାଁବୁଲି ପାଟ୍ଟଫୁଲି ସୁତା ବିକୁଥିଲା ତା'ପୁଅ ଆଜି ମନ୍ତ୍ରୀହେଇଛି ,ପାଞ୍ଚଟା ଟ୍ରକ ଖଣିରେ ଲାଗିଛି,ଭୁବନେଶ୍ୱରରେ କୋଠାବାଡି ,ପଞ୍ଚମହଲା ହୋଟେଲ ତା'ଭିତରେ ହଗିବା ମୁତିବାଠାରୁ , ଗାଧେଇବା ପହଁରିବା ପାଇଁ ମଧ୍ୟ ପୋଖରୀ ଅଛି l ବ୍ଲକରେ ବଡ଼ ବାବୁଟା ପନ୍ଦର ହଜାର ଦରମା ପାଉଚି ,ସହରରେ ଚାରିମହଲା କୋଠା ବାଡ଼େଇଛି l ଟିଭିରେ ଦେଖୁଥିଲା ,ବିଶ୍ୱାସ କରୁନଥିଲା, ସତକଥା l ଗୋଟେ ମାମୁଲି କିରାଣୀ ନାଁ ଟା କଣ କୋଉ ବିରଞ୍ଚି ସାହୁ , ତା' ଘରୁ ଚାରିକୋଟି ଟଙ୍କା, ଆଉ ଦେଢ଼କିଲେ ସୁନା ବାହାରିଲା l ସାଥିରେ ଶଳାକୁଯୋଡି, ସ୍ତ୍ରୀକୁ ଏଜେଣ୍ଟ କରି ନ'ଶହ ଲୋକଙ୍କ ଜୀବନବୀମା କରିଛି , ପିଲାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚନେଇଛି ଚାକିରୀ କରିଦେବବୋଲି l ଏଡେବଡ଼ ନିଆଁ ଗିଳା ସାହସ କଣ ସେ ଏକାକରିଛି ! ଅଫିସର ମନ୍ତ୍ରୀ ସମସ୍ତଙ୍କର ମିଳିଭଗତ ବାଡ଼ ଫସଲ ଖାଇଲେ ଗୁହାରି କରିବା କାହାକୁ ? ଲଙ୍କାରୁ ଯେତକ ଜାତ ,ସମସ୍ତେ ଅସୁର ଦଇତ l ଦେଶ ସେବା ନାଁରେ ରାଜନୀତି କରୁଛନ୍ତି l ଖାଇ ଖାଇ ପେଟପୁରିଲାନି ଯେ ଏବେ ମନ୍ତ୍ରି ଗୁଡାକ ପେନସନ ମାଗି ଖାଉଛନ୍ତି .. ଭିକମଗା ଗୁଡାକ ! ଗୋପବନ୍ଧୁ ଆଉ ଶାସ୍ତ୍ରୀଙ୍କପରି ନେତା କାହାନ୍ତି ?ଏଗୁଡ଼ାକ ସବୁ ସଂବାଳୁଆ, ଗଛରୁ ସବୁ ପତ୍ର ଖାଇଗଲେ ଆଉ ଆମରି ପଇସାରେ ଧୋବ ଧାଉଳିଆ ବେଶ ଧରି ପ୍ରଜାପତି ହେଇ ଉଡ଼ିବୁଲୁଛନ୍ତି l ଆଉ ଆମେ ଶଳା ମେଣ୍ଢା ,ଆମରି ଦେହରୁ ଲୋମ କାଟିନେଇ ସେମାନେ ଆମକୁ କମ୍ବଳ ବାଣ୍ଟୁଛନ୍ତି ,ଆମେ ଅଲାଜୁକ ତାକୁ ଘୋଡ଼େଇହେଇ କହୁଛେ କେଡେ ଉଷୁମ ବାହାରୁଛି ମ ! ଟଙ୍କିକିଆ ଚାଉଳ ଉପରେ ତାର ସନ୍ଦେହ ହେଲାଣି l ଗାଁ ଜନ୍ତାଳରେ ବଳିପଡିବାକୁ ଆଣିଥିବା ବୋଦାକୁ ଜାନି ତା ପିଠିଆଉଁସି ମୋ'ବୋପାଲୋ ଧନଲୋ କହି ପୂଜାଚାରା ଖୁଆଇଦିଏ ଆଉ ତା ପଛ ଗୋଡ଼କୁ ଟେକି ଟାଙ୍ଗିଆରେ ବେକକୁ ଛେଦିଦିଏ l ଆମେସବୁ ସେଇ ଚାରା ଖାଉଛେରେ ବେସରମ ଅଲାଜୁକେ ! ଆମେ ଦି'ପଇସାରେ ଆମ ଇଜ୍ଜତ ନିଲାମ କରୁଛେ l 

  ଭୋଟସମୟରେ ଆସି କହନ୍ତି କଣନା,''ଭାଇଭଉଣୀମାନେ ଆମକୁ ଭୋଟଦିଅ, ଆମେ ତମସେବା କରିବୁ l ସେବା'ନା ପାଟିରୁ ବାହାରୁଥିବା ଖରାପ ଭାଷାକୁ ଜଗି କହିଲା ଛେନାଗୁଡ଼ l ଭାଇ ଭଉଣୀ ! ଆମ ମା'ପେଟରୁ ଜନ୍ମ ହେଇଛନ୍ତି ! ନମସ୍କାର କଲାବେଳେ ଏମିତି ନଇଁ ପଡୁଛନ୍ତି ଯେମିତି ତଳ ଚାଟିଦେବେ ! କହୁଛ କଣନା ଆମଗାଁ ,ଆମଘର,ଆମବସ୍ ,ଆମହାଟ ,ଆମ ସରକାର ,କିଛି ଆମରନୁହଁ ସବୁତମର ,ସବୁ ତମର ଶଃ ,ଅତି ଚାଲାକ ହେଲେ କଣହେବ ଜାଣିନ ! କାଉ ଅତି ଚାଲାଖ ହେଲେ ଗୁହ ଖାଏ ମାଠିଆରେ ଗୋଡିପକେଇ ପାଣି ପିଏନି ,ମଇଳାଗଦା ଉଖାରି କଞ୍ଚା ଗୁହ ଖାଏ l ତମେସବୁ ଗୁହଖିଆ ଗୁହମୁହାଁ ଗୁଡାକ ,ସର୍ବଗିଳା ଗୁଡାକ ରାଜସ୍ୱ, ଦେବସ୍ଵ ,ବ୍ରହ୍ମସ୍ୱ ସବୁ ଖାଇଗଲ l ଖାଇଯା ଖାଇଯା ସବୁ ଖାଇଯା ,ରାସ୍ତାରୁ ପିଚୁ ଖାଇଯା ,ପାଇଖାନାରୁ ଗୁ..ଖାଇଯା, ଗରୀବ ଚାଷୀ ,ଜୀବଜନ୍ତୁଙ୍କ ନାଁରେ ଯେତେ ଖାଇବାର ଅଛି ଖାଇଯା l ଖାଇ ଖାଇ ତମ ପେଟ ବଡହେଉ ,ତମ ଗୋଡ଼ ଗୋଦରା ହେଉ ,ହାତ ଲମ୍ବା ହେଉ l ତମର ସବୁ ବଡହେଉ ଘର ବଡହେଉ ,ବାଡ଼ି ବଡହେଉ ,ଗାଡି ବଡହେଉ ବଡ଼ ବଡ଼ ବଡ଼ ବଡ଼ ବଡ଼ ତମର ସବୁ ବଡହେଉ ; ଆଉ ତମ ରୋଗବି ବଡ଼ ହେଉ ,ଡାକ୍ତର ବଇଦ ଚିନ୍ହି ନପାରନ୍ତୁ ଯେତିକି ବଢିବ ସେତିକି ଛିଡ଼ିପଡିବ l ଭଲହେଲା ସେ ପାଠପଢିନି, ପାଠ ପଢିଥିଲେ ଚତୁର ହେଇଥାନ୍ତା କୁଆଭଳି ୟା'ତା ହାଣ୍ଡିରେ ଥଣ୍ଟ ମାରୁଥାନ୍ତା l ସେ ମୁରୁଖ ଛୋଟଲୋକ, ଛୋଟ ହେଇଥାଉ, ଭାଗବତରୁ ଯାହା ଦି' ପଦ ଶୁଣିଛି ମାନିଛି ,ଭଲରେ ଅଛି l ଭଗବାନ କରନ୍ତୁ ଆହୁରି ଛୋଟହେଉ l ଚାଳ ଉପରେ ଚଢିଲା ସେ, ରାଜନୀତିଆ ପତାକାକୁ କାଢ଼ି ଛିଣ୍ଡେଇ ଫିଙ୍ଗିଦେଲା l ପିଲାମାନଙ୍କ ହାତରୁ ଛୋଟ ତିରଙ୍ଗା ପତାକାଟେ ନେଇ ଚାଳଉପରେ ବାନ୍ଧିଲା ,ସାଲୁଟ୍ ମାରିଲା ଦି'ହାତଯୋଡି ପ୍ରଣାମକଲା ସେଇମାନଙ୍କୁ ଯେଉଁମାନେ ଆଜି ଏଇ ଅଗଷ୍ଟ ପନ୍ଦରରେ ଏଇ ତିରଙ୍ଗା ଉଡେଇବାକୁ ନିଜ ପ୍ରାଣବାୟୁ ଉଡେଇଦେଇଥିଲେ l ସେମାନେ ଦେଶକୁ ସ୍ୱାଧୀନତାର ଅମୃତଫଳ ଦେଲେ ,ଆଉ ଏମାନେ ପୋକ ମାଛି ଗୁଡାକ ମୁହଁମାରି ତାକୁ ପୋଚରା କରୁଛନ୍ତି l ପ୍ରତିବାଦରେ ଆଖିରୁ ତତଲା ଲୁହ ଝରୁଥିଲା ,ଆକାଶରୁ ଢ଼ୋ ଢ଼ୋ ବର୍ଷାପାଣିରେ ଲୁହ ଧୋଇ ଯାଉଥିଲା ; ହଉ କେହି ନ ଚାହିଁଲେ ନାହିଁ ,ଆମର ଇନ୍ଦ୍ର ରାଜା ଅଛି ,ଆମେ ତା'ର ପ୍ରଜା l ତା ହାତକୁ ଅନେଇଛୁ, ତମ କେନାଲ ପାଣି କୁ ଚାହିଁନୁ l  ଗାମୁଛା ଚିପୁଡି ଲୁହ ପୋଛିଲା ରାଗ ଥଣ୍ଡା ହେଲାଣି ;ଦେହ ଶୀତଳ ଲାଗୁଛି ଏତେ କଥା ଉଗାଳି ଦେବାରୁ ମନଟା ବି ଶାନ୍ତି ଲାଗୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍