STORYMIRROR

upendranath paramaguru

Tragedy

4  

upendranath paramaguru

Tragedy

ଚଷମା

ଚଷମା

5 mins
246

ଗାଁ'ରୁ ବାବା ଆସିଛନ୍ତି ସକାଳୁ ସକାଳୁ ଗାଁ ଭିଲେଜର ଗାଡ଼ିରେକଲିଂବେଲ ଶୁଣି ପତ୍ନୀ ସୁନନ୍ଦା ଦେବୀ କବାଟ ଖୋଲିଲେସଂସ୍କୃତି ସମ୍ପନ୍ନ ମୁଣ୍ଡିଆଟିଏ ମାରି ଘରଭିତରକୁ ଆସିଲେ l ଚାପା କଣ୍ଠରେ କହିଲେ ତମ ବାପା ଆସିଛନ୍ତି l ଦୁହିତା ଦୁଇକୂଳକୁ ଯୋଡି ଏକ କରିଦିଅନ୍ତି ,ସ୍ତ୍ରୀ କିନ୍ତୁ ଆମର ସମ୍ପର୍କରେ ସ୍ୱତନ୍ତ୍ରତାକୁ ବଜାୟ ରଖିଛନ୍ତି l ଏଇଟା ଆମ ଘର ସେଇଟା ତମଘର ,ଏ ମୋ ବାପା ଆଉ ସେ ତମବାପା ;ଆମ ତମ ଭିତରେ ଗୋଟିଏ ସରୁଆ ବ୍ରିଜଟିଏ ହେଇ ସେ ଯୋଡୁଛନ୍ତି ଦୁଇ କୂଳକୁ ବାପ ଘର ଆଉ ଶାଶୁଘରକୁ; ଆଉ ତା'ତଳେ ବହୁଛି ଦୁଇ କୂଳକୁଛୁଇଁ ଆମ ସଂସାର ନଈ l

ଦେଖିଲ ଟଙ୍କା ନେବାକୁ ଆସି ପହଞ୍ଚି ଗଲେ l ପନ୍ଦର ଦିନତଳେ ତାଙ୍କ ଚିଠି ଆସିଥିଲା l ଆଠସ' ଟଙ୍କା ପଠେଇଲେ ଗୋଟେ ବଳଦ କିଣା ହେବ l ସଂଗୀରୁ ଗୋଟେ ବଳଦ ମରିଗଲାଣି l ଆଉଗୋଟିଏ ନକିଣିଲେ ଜମି ପଡିଆ ପଡିବ l ରେଡ଼ିଓ ଟିଭିରେ କହୁଛି ଆଗକୁ ବାତ୍ୟା ଅଛି ଠିକ୍ ସମୟ ରେ କ୍ଷେତ ଚାଷ ନକଲେ l ଟଙ୍କାକଥା ଶୁଣି ଅଦିନିଆ ଅମୁହାଁ ବାତ୍ୟାଟା ହଠାତ୍ ଘର ଭିତରକୁ ପଶିଆସିଲା l "ଟଙ୍କା କଣ ଗଛରେ ଫଳୁଚି ? ଗାଁ ଜମିରୁ ଆମକୁ କଣ ମିଳୁଛି ? ସେସବୁତ ବଡ଼ଭାଇ ଆଉ ତାଙ୍କ ଛୁଆପିଲା ଖାଉଛନ୍ତି l ଆମେ'ତ ସେଥିରୁ ଖୁଦକଣିକାଟିଏ ପାଉନେ ସେଭାଗରୁ ଆମ ଭାଗ ତ ବାପା ବିକିବାକୁ ଦେଉନାହାନ୍ତି ; ସେଜମି ଚାଷହେଉ କି ପଡିଆ ପଡୁ ଆମର କଣ ଯାଇଛି ? ପିଲାଙ୍କ ଭବିଷ୍ୟତ ପାଇଁ ପାଇ ପାଇ କରି ସଞ୍ଚୟ କରିବାକୁ ହେବ l ସେମାନେ ଡାକ୍ତର ହେବେ ଇଞ୍ଜିନିଅର ହେବେ l ନହେଲେ, ଗାଁ ରେ ବଡଭାଇଙ୍କ ପିଲାଙ୍କପରି ମାଟି ସାଙ୍ଗରେ ଲାଗି ମାଟି ହେବେ ଅବା ମଦ ଗଂଜେଇ ଖାଇବେ l" ଚୁପଚାପ ଠିଆହୋଇ ଘରଣୀଙ୍କର ନୀତିବାକ୍ୟ ଆଉ ଭବିଷ୍ୟତ ବାଣୀର ଚାବୁକ ପାହାର ସହିବାକୁ ପଡୁଥିଲା l ଭାଇଙ୍କ ପୁଅଟାକୁ ସହରରେ ରଖି ପାଠ ପଢ଼େଇ ମଣିଷ କରିବିବୋଲି ପ୍ରତିଶୃତି ଦେଇଥିଲି l ସେସବୁ ଅତୃପ୍ତ ଆଶାର ପ୍ରେତାତ୍ମା ବେଳେବେଳେ ବିସ୍ମୃତିର କବର ଭିତରୁ ଅଟ୍ଟହାସ୍ୟ କରୁଛି ମୋ ମିଥ୍ୟା ପ୍ରତିଶୃତିକୁ ଆଉ ମରଦ ପଣିଆଁକୁ l ଭାଇନାଙ୍କର ଶୁଖିଲା ପଡିଆ ବିଲ ଉପରେ ଘରଣୀଙ୍କର ସ୍ୱପ୍ନିଳ ଆକାଶରେ ପିଲାମାନଙ୍କର ଭବିଷ୍ୟତର ଇନ୍ଦ୍ରଧନୁ ସାତରଙ୍ଗ ବୋଳିହେଉଛି l

     ଆଖିଆଗରେ ଦିଶୁଛି ଗାଁର ବିବର୍ଣ୍ଣ କ୍ଷେତ ,ଚାଷ ପାଇଁ ଜୁଆଳିର ଗୋଟିଏ ପାଖେ ବଳଦଟିଏ ଆଉ ଆର ପାଖେ ବଡଭାଇନାଙ୍କୁ ବାପା ଜୋଚି ଦେଇଛନ୍ତି ଅବା l ପାଠ ପଢିଲେନି ,ତାଙ୍କ ସାଙ୍ଗରୁ ଦଦାଙ୍କ ପୁଅ ସପ୍ତମ ପାସକରି ଗାଁ ସ୍କୁଲରେ ମାଷ୍ଟର ହେଲା l ହେଲେ ଏ ବଳଦ ଗୋବର ଗଣେଶ ବହି ପାଠକୁ ଧରି ପାରିଲେନି l ବନ୍ଧ ତୋଟାରେ ଆମ୍ବଗଛ ଡାଳରେ ବହି ବସ୍ତାନି ଝୁଲେଇଦେଇ ସାଙ୍ଗ ସାଥିରେ ବିଡି ଟାଣି ସ୍କୁଲ ଛୁଟି ବେଳକୁ ଘରକୁ ଫେରନ୍ତି l ଲୋକ କହନ୍ତି ଦେଖ ସାନଭାଇ ପାଠ ପଢି ବଡମଣିଷ ହେଲା ,ସହରରେ ଚାକିରୀ କରି ରହିଲା ,ଆଉ ଏଇଟା ମାଟିସଙ୍ଗରେ ମାଟିହେଇଗଲା

ଦେହରୁ ମାଟି କାଦୁଅ ବୋଳା ଝାଳ ପୋଛୁ ପୋଛୁ ବଡ଼ ଭାଇନା କହନ୍ତି ହଉ ମୁଁ ନହେଲେ ନାହିଁ ମୋ ସାନଭାଇ ତ ବଡ଼ଲୋକ ହେଲା l ତା ଖାତିରି କଣ ମୋ ଖାତିରି ନୁହଁ ? ଲୋକେ ତା କଥା କହିଲାବେଳେ ମୋ କଥା ତ କହୁଛନ୍ତି l ଭଗବତର ସେଇ କେତେପଦ କଥାକୁ ଘର କାନ୍ଥରେ ଲେଖିଦେଇଛନ୍ତି ମନଖୋଲି ଗାଆନ୍ତି କର୍ମ ମୋହର ନିଜଗୁରୁ ଉଦ୍ଧବ କେତେ ତୁ ପଚାରୁ ? କର୍ମ କଷଣ ଦେହ ସହେ,ଅରଣ୍ୟେ ଅଜଗର ପ୍ରାୟେ ଅଜଗରପରି ସେ ସବୁ ସହି ଯା'ନ୍ତି ମଗୁଶିର ପୌଷର ଶୀତ କାକର ଆଉ ମାଘରେ ଅଭାବୀ ସଂସାରର ପବନ ଆହାର ସବୁକୁ ସ୍ୱୀକାର କରିଛନ୍ତି,କେବେ ଆପତ୍ତି କରିନାହାନ୍ତି l

      ବାପା ଟଙ୍କା ମାଗିବାକୁ ଆସିନଥିଲେ l ପଂଜାବୀ ପକେଟରୁ ଚଷମାଟିକୁ କାଢ଼ି କହିଲେ ଏଥିରେ ଆଉ ଭଲ ଦିଶୁନି l ବଜାରରୁ ଚଷମାଟିଏ ମୋତେ କିଣି ଦେ l କହିଲି, " ଏଇଲେତ ମୋ ଅଫିସିବେଳ ହେଇଗଲାଣି l ଅଫିସରୁ ଫେରିଲେ ଆଖି ଡାକ୍ତର ଦେଖାଇ ଚଷମା କରିବା "l ନାଁଇରେ ଡାକ୍ତରଙ୍କୁ କାହିଁକି ପଇସା ଦେବା l ସେଇ ପଇସାରେ ରାସ୍ତା କଡରେ ବସୁଥିବା ବୁଲାଚଷମା ବେପାରୀଙ୍କ ଠାରୁ ମୋ ଆଖିକୁ ଯୋଉଟା ଭଲ ଲାଗିବ ଦେଖି କିଣିବା l ଆଜି ମୁଁ ଗାଁକୁ ଫେରିଯିବି l"ସବୁଥର ଘରେ ପାଦ ଦେବାବେଳେ ଫେରିବା କଥା କହନ୍ତି l ଏଥର ବି ସେଇ କଥା l କିଏ ତାଙ୍କୁ ଯେପରି ତଡିଗୋଡୋଉଛି l ସବୁଥର କହନ୍ତି ଏଥର ଗଲେ ଦଶ ଦିନ ରହିବି ,ହେଲେ ଦି'ଦିନ ପରେ କେତେ ବାହାନା ଆରମ୍ଭ ହେଇଯାଏ l ଗତଥର ବୋଉକୁ ସାଙ୍ଗରେ ଧରି ଆସିଥିଲେ ସେଇ କଥା ସେଇ ବାହାନା l ''ଗାଁରେ ,ଗାଈଟାର ଛୁଆ ହେବ ଏକୁଟିଆ ସେ ବଡ଼ ବୋହୁଟା କଣ ସମ୍ଭାଳି ପାରିବ? ପିଲା ତିନିଟା ,ଘର ଦ୍ୱାର ,ବାଇରେ ଫସଲ l କହିଲି,'' ଆଉ ଦିନ ଦିନ ରହିଯା ଏଠି ଜିଲ୍ଲା ମହୋତ୍ସବ ହବ ଦେଖିକି ଯିବୁ l"

ଗାଁରେ ଦଣ୍ଡ ନାଚ ଦେଖିନିଯେ ଆଉ ରହିବି ଦେଖିବାକୁ ବୋଉ କହିଲା l ହଁ ନାଇଁ ଭିତରେ ଗାଁରୁ ସାରୁ କାକୁଡି ଚଣାଶାଗ ଭରି ଆଣିଥିବା ବ୍ୟାଗକୁ ଖାଲିକରି ହାତରେଧରି ବୋଉ ଠିଆ ହେଇଯାଏ ଦାଣ୍ଡଦୁଆରେ l ପିତୃମାତୃହରା ଅସହାୟ ପିଲା ପରି ପଛରୁ କେବଳ ଚାହିଁ ରହେ ,ରାସ୍ତା ବୁଲାଣିରେ ସେମାନେ ଲୁଚିଗଲା ପର୍ଯ୍ୟନ୍ତ l ଆଜି କିନ୍ତୁ ବାବା ଏକା ଆସିଛନ୍ତି ,ନାଁ ସେ ଏକା ହେଇଯାଇଛନ୍ତି l ତାଙ୍କସାଥି ତାଙ୍କୁ କେବେଠୁ ଛାଡି ଚାଲିଗଲେଣି l ବାବା ଏତେ ତରବର କାହଁକି ,ଏଣିକି ଆଉ କଣ ଜଞ୍ଜାଳ ଅଛି ? ଏଇଠି କିଛିଦିନ ରହିଯାଅ l ବାବାକିଛି କହିଲେନି ଉପରକୁ ଚାହିଁଲେ l ଦୀର୍ଘଶ୍ୱାସ ବାହାରିଗଲା ଛାତିରୁ ପତ୍ନୀ ସୁନନ୍ଦା କହିଲେ ,ଦେଖିଲ ,ଯେତେହେଲେ ଆମେ କ'ଣତାଙ୍କ ନିଜର ହେବା ? ଗାଁରେ ବଡ଼ ପୁଅବୋହୁ ନାତି ନାତୁଣୀ ତାଙ୍କ ନିଜର l ଆସିଲା ମାତ୍ରେ ଖାଲି ଛାଟି ପିଟି ହେଉଛନ୍ତି ଫେରିଯିବାକୁ l ଏଠାକୁ ଆସୁଛନ୍ତି ଦେଖୁନ ,ଆମ ପିଲାଙ୍କ ପାଇଁ କେତେବେଳେ ଡ୍ରେସ ଖଣ୍ଡେ ଆଣୁଛନ୍ତି ନାଁ ମିଠା ପୁଡିଆଟିଏ ଆଣୁଛନ୍ତି ?

      ସୁନନ୍ଦାଙ୍କର ସମ୍ବେଦନଶୀଳ ତାତ୍ତ୍ୱିକ ଯୁକ୍ତିଯୁକ୍ତ ଅନୁଶୀଳନ ବିରୁଦ୍ଧରେ ମୋର ମନସ୍ତାତ୍ତ୍ଵିକ ସଫେଇ ହାରିଯାଏ l ଡ୍ରେସ ଆଉ ମିଠେଇ ପୁଡିଆଭିତରେ ଭଲପାଇବାଟାକୁ କେମିତି ବାନ୍ଧିହେବ ; ଆମେ ପୁଅବୋହୁ ବନ୍ଧୁ ବାନ୍ଧବ ନୁହଁ ଏତେ ଫରମାଲିଟି ଖୋଜିବା କାହିଁକି ? ଗାଁରେ ବଡଭାଇଙ୍କ ପିଲାମାନେ ତାଙ୍କର ଅଧିକ ନିଜର ହେବା ସ୍ୱାଭାବିକ ଜେଜେ ବାପାଙ୍କ ସହିତ ଖେଳନ୍ତି ,କୋଳରେ କାନ୍ଧରେ ଲଟେଇହୁଅନ୍ତି ,ଝାଡା ମୂତ କରନ୍ତି ,ଅଳି ଅର୍ଦ୍ଦଳୀ କରନ୍ତି ,ସ୍ନେହର ଦାବି କରନ୍ତି l ଆମ ପିଲାମାନେତ ଜେଜେବାପା'ମାଙ୍କୁ ଦେଖିଲେ ତାଙ୍କୁ ଲାଗେ ଯେମିତି କେହି ବାହାରୁ ଅଜଣା ମଣିଷ ଘର ଭିତରକୁ ପଶିଆସିଛନ୍ତି l ସେମାନଙ୍କୁ ଆଣି ପରିଚିତ କରେଇବାକୁ ହେଇଥାଏ ଯେ ଏ ବୁଢାବୁଢ଼ି ତମର ଜେଜେବାପା ,ଜେଜେମା ! ନମସ୍କାର କର , ପାଦଛୁଅଁ l ପିଲାମାନେ ଡରିଡରି ଆସନ୍ତି ଲାଜେଇ ଲାଜେଇ ଦୂରରେ ଠିଆ ହୁଅନ୍ତି l ସମ୍ପର୍କରେ ବରଫର ସ୍ତର ସ୍ତର ଆସ୍ତରଣ l ବରଫ ତରଳିବ ନାଁ ସ୍ନେହର ଫଲ୍ଗୁ ବହିବ l ତା ଛଡା ତାଙ୍କୁ ଆମପାଖରେ ରହିବାକୁ ଭଲ ଲାଗିବ କାହିଁକି ? ତାଙ୍କ ସମାଜ କାହିଁ ,ପରିବେଶ କାହିଁ ?ଗାଁରେ ଜମିଦାରି ଥିଲା ,କର୍ପୁର ଉଡିଯାଇଛି ହେଲେ କନାତ ଅଛି l ସକାଳ ସଞ୍ଜରେ କେତେ ଲୋକଆସି ମୁଣ୍ଡିଆ ମାରନ୍ତି ,''ସାଆନ୍ତେ କେମିତି ଅଛ'' ପଚାରନ୍ତି l ବାଡ଼ିର ଶାଗ ଖରଡ଼ା ,ପୋଖରୀର ସଜ ମାଛ ବେସରକୁ ତାଙ୍କ ମନ ଝୁରେ l ଏଠାରେ ବରଗର ,ପିଜ୍ଜାରେ ତାଙ୍କ ମନ ବୁଝେନି l

    ଦି'ଟାବେଳେ ଅଫିସରୁ ଛୁଟି ନେଇ ଶୀଘ୍ର ଫେରିଆସିଲି ,ବାବାଙ୍କୁ ନେଇ ଆଖି ଡାକ୍ତରଙ୍କ ପାଖକୁ ଯିବାକୁ ହେବ l ଦାଣ୍ଡଘର ସୋଫାଉପରେ ତ ବାବା ଶୋଇଥାନ୍ତି l ସୋଫା ଉପରୁ କଭରଟା ନେଇ ସୁନନ୍ଦାଦେଵୀ ଡେଟଲରେ ସଫା କରି ତାକୁ ଛାତ ଉପରେ ଶୁଖେଇ ଦେଲେଣି l ନାକରେ ସେ ଅଦ୍ଭୁତ ଗନ୍ଧ ବାରିପାରନ୍ତି ଆମ ଘରର ଲୋକମାନଙ୍କ ଦେହରୁ ସେ କହନ୍ତି କେମିତି ଗୋଟେ ୱ୍ହ! ଗନ୍ଧ ବାହାରେ ଶୁଙ୍ଘିଲେ ଯେମିତି ତାଙ୍କୁ ବାନ୍ତି ଲାଗେ l ଟେବୁଲ ଉପରେ ପଡିଥିଲା ପ୍ରତିଲିପି ପ୍ରକାଶିତ ବହିଟେ l ରାତିରେ ଅଧା ପଢି ଥୋଇ ଦେଇଥିଲି l ବହି ଭିତରୁ ଗୋଟେ ଚିଠି ମିଳିଲା l

 ପୁଅ ଚନ୍ଦ୍ର !

    ଏଇଟା ବୋଧହୁଏ ମୋର ଶେଷ ଚିଠି l ମୁଁ ଆଉ ଆସିବିନି ଆଉ ତୋତେ ପଇସା ଲାଗି ହଇରାଣ କରିଵିନି l ଆଶୀର୍ବାଦ କରୁଛି ତୋ ପିଲାମାନେସବୁ ଭଲ ପଢି, ଭଲ ଚାକିରୀକରି ଖୁସିରେ ରହନ୍ତୁ l ସୂର୍ଯ୍ୟ ସୁଖେ ଦୁଃଖେ ତା ପିଲାମାନଙ୍କୁ ଧରି ଗାଁରେ ଅଛି l ତା କଥା ଚିନ୍ତା କରିବୁନି ସେ କହିଛି ତୋ ଜମିବାଡ଼ି ଯାହାଭାଗ ନେଇଆସିବୁ ମୋତେ ଖୋଜିବୁନି l ମୁଁ ପୁରୀ ଯାଉଛି l ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଶେଷ ଇଚ୍ଛା ଥିଲା l ମୋର ଆଉ ଚଷମାର ଆବଶ୍ୟକତା ନାହିଁ l

ଇତି

ଅଯୋଗ୍ୟ ଅଲୋଡ଼ା ବାପା

ଚିଠି ଉପରେ ଦୁଇଟୋପା ଲୁହବି ରଖିଯାଇଥିଲେ ବାବା, ଏବେ ଭାବୁଛି ବୋଧେ, ତାଙ୍କ ସ୍ମୃତି ତର୍ପଣ କରିବାପାଇଁ !

     ଦିନ ଦି'ଟାବେଳେ ପୁରୀରୁ ଫୋନ କଲ୍ ଆସିଲା l ତାଙ୍କ ପକେଟରୁ ଟିପାଖାତା କାଢ଼ି ସାନପୁଅବୋଲି ଲେଖାହେଇଥିବା ନମ୍ବର ଦେଖି କେହିଜଣେ ଫୋନକଲେ ,ହାଲୋ ଚନ୍ଦ୍ରମାଧବ ବାବୁ ହଁ ,ଆଜ୍ଞା ଚନ୍ଦ୍ରମାଧବ କହୁଛି,କୁହନ୍ତୁ l ଆପଣ କେଉଁଠୁ କହୁଛନ୍ତି ? ପୁରୀରୁ ସାଙ୍ଗେସାଙ୍ଗେ ପୁରୀ ବାହାରିଗଲି l ଆକ୍ସିଡେଣ୍ଟ କରିଥିବା କାର ଟିକୁ ପୋଲିସ ଜବତ କରି ରଖିଛି କାର ଡ୍ରାଇଭର କହିଲେ ମୋର ଜମା ଭୁଲ ନାହିଁ ,ତୁମ ବାବା କାର ଆଗକୁ ଧସେଇ ଆସିଲେ ,ତାଙ୍କୁ କଣ ବାଟ ଦିଶୁନାହିଁ ? ନା ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ! ବାବା ଆତ୍ମହତ୍ୟା କରିବେ ! ନା, ଅସମ୍ଭବ l ତାଙ୍କଭଳି ଶକ୍ତ ମଣିଷ କେବେ ଏତେ ଶୀଘ୍ର ହାରି ଯିବେନି l ପୋଷ୍ଟମୋର୍ଟମ ପରେ ପୋଲିସ ଶବ ସହିତ ବାବାଙ୍କ ଚଷମା ଦେଲା l ଚଷମାରେ ଅନେଇଲି କିଛି ଦିଶୁନି ଆଗକୁ l କାଚ ପୁରା ଘଷରା ହେଇଯାଇଛି l ଚଷମାର ଦୁଇ କାଚରେ ଧୂଁଧୁଲା ଦିଶୁଥିଲା ଦୁଇଟି ଭିନ୍ନ ପ୍ରତିଛବି ଗୋଟିକରେ ମୋ ବାବା ଅନ୍ୟଟିରେ ମୋ ସ୍ତ୍ରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy