ପ୍ରେମ ନା ପ୍ରତାରଣା
ପ୍ରେମ ନା ପ୍ରତାରଣା
କ'ଣ ସବୁ କାହାଣୀର ଶେଷ ଦୃଶ୍ୟ ରେ ସମସ୍ତଙ୍କ ଓଠରେ ଖୁସିର ଲହରୀ ଖେଳିବା ସମ୍ଭବ ? କ'ଣ ବାସ୍ତବ ଜୀବନରେ ଅଧୁରା କାହାଣୀ ନ ଥାଏ ? ତେବେ ଚଳଚ୍ଚିତ୍ର ଆଉ କାହାଣୀର ଶେଷ ଦୃଶ୍ୟ ସର୍ବଦା ହସଖୁସିରେ ଭରା ହୋଇଥାଏ କାହିଁକି ? ଏହା କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଥାଏ ,ହୁଏତ ଏହା ଏକ କାରଣ ହୋଇପାରେ । କିନ୍ତୁ ଆମ ବାସ୍ତବ ଜୀବନ ରଙ୍ଗମଞ୍ଚର ଯାତ୍ରାଠୁ ଯେ ସମ୍ପୂର୍ଣ୍ଣ ଭିନ୍ନ ଏହା ହୃଦୟଙ୍ଗମ କରିବାକୁ ଦିଶାକୁ ବହୁତ ସମୟ ଲାଗିଯାଇଥିଲା ।
ଦିଶା ଥିଲା ଫୁଲ ବଗିଚାର ଏକ ଚୁଲବୁଲି ପ୍ରଜାପତି । ଫୁଲରୁ ଫୁଲ ଉଡିବୁଲି ଫୁଲର ସୁଗନ୍ଧରେ ନିଜକୁ ହଜେଇବାରେ ଖୁସି ମିଳୁଥିଲା ତାକୁ । ତା ଜୀବନରେ ସେ ପର୍ଯ୍ୟନ୍ତ ଝଡ଼ର ଆଭାସ ନଥିଲା ଯେ ପର୍ଯ୍ୟନ୍ତ ତା ନିଜ ଜୀବନରେ ସେ ଖୁସି ଥିଲା ।
ନୂଆ ନୂଆ କଲେଜ ଜୀବନ ଆରମ୍ଭ ହେଲା । ଜୀବନରେ ବହୁତ କିଛି କରିବାର ସ୍ବପ୍ନ ଦେଖିଥିବା ଦିଶା କେବେ ତା ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇଯାଇଥିଲା ସେ ନିଜେ ମଧ୍ୟ ତା'ର ସୁରାକ ପାଇନଥିଲା । ତା ଜୀବନର ଗତିପଥ ସମ୍ପୂର୍ଣ୍ଣ ବଦଳି ଯାଇଥିଲା , ଯେବେ ତା ଜୀବନ ରାଜ୍ ନାମକ ଏକ ଅଜଣା ଅଚିହ୍ନା ଯୁବକ ସହ ଯୋଡି ହୋଇଯାଇଥିଲା । ଯାହାକୁ ଆଜିକାଲିର ଯୁବପିଢି ପ୍ରେମ ର ମାନ୍ୟତା ଦେଇଛନ୍ତି । ରାଜ୍ ଆଉ ଦିଶା ସମବୟସ୍କ ଥିଲେ ଏବଂ ଗୋଟେ କଲେଜରେ ମିଶିକି ପାଠ ପଢ଼ୁଥିଲେ । ଧୀରେ ଧୀରେ ବନ୍ଧୁତା ସୃଷ୍ଟି ହେଲା ଆଉ ତା ପରେ ପ୍ରେମ ।
ନୂଆ ନୂଆ ପ୍ରେମ ବର୍ଷାରେ ଭିଜି ନିଜକୁ ସମ୍ପୂର୍ଣ୍ଣ ଭୁଲିସାରିଥିଲା ଦିଶା । ରାଜ୍ ଆଉ ଦିଶା ମିଶି ପ୍ରେମର ଗୋଟେ ପରେ ଗୋଟେ ପାହାଚ ଚଢିଚାଲିଥିଲେ । କିଛି ଦିନ ସବୁକିଛି ଠିକ୍ ଚାଲିଲା। ସବୁ ସୁନ୍ଦର ଜିନିଷକୁ କାହାର ନା କାହାର ନଜର ଲାଗିଯିବା ଭଳି ତାଙ୍କ ସୁନ୍ଦର ସମ୍ପର୍କରେ ବି ଲାଗିସାରିଥିଲା କାହାର ନଜର । କଲେଜ ଜୀବନ ପରେ ସେମାନେ ପରସ୍ପରଠୁ ଦୂରକୁ ଚାଲିଗଲେ। ଆଉ ଏଇ ଦୂରତ୍ବ ହିଁ କେବେ ବିଚ୍ଛେଦ ଆଣିଦେବ ଏହା ଦିଶା କେବେ ଭାବିନଥିଲା । ସମୟର କାଳଚକ୍ରରେ ପେଶି ହୋଇ ନିଜ ନିଜ ଜୀବନରେ ବହୁତ ବ୍ୟସ୍ତ ରହୁଥିଲେ ବି ପରସ୍ପର ପାଇଁ କିଛି ସମୟ ଦେଉଥିଲେ । କିନ୍ତୁ ସବୁପରେ ବି ରାଜ୍ ର ଧୀରେ ଧୀରେ ବଦଳିଯିବାକୁ ହୃଦୟଙ୍ଗମ କଲେ ବି କିଛି ନ କହି ଚୁପ୍ ରହି ସବୁକିଛି ଠିକ୍ ହୋଇଯିବ ବୋଲି ବିଶ୍ୱାସ ରଖି ଆଗେଇ ଚାଲିଥିଲା ଦିଶା ।
ରାଜ୍ ର ଆନ୍ତରିକତା ଯେତେ କମୁଥିଲା ଦିଶାର ସନ୍ଦେହ ସେତେ ବଢିଚାଲିଥିଲା । ସନ୍ଦେହ କରିବାର ଯଥେଷ୍ଟ କାରଣ ବି ଥିଲା । ଯେଉଁ ରାଜ୍ ସାଥୀ ହୋଇ ଦୁଃଖ ବାଣ୍ଟିବାକୁ ସାହାରା ଦେଇ ଦିଶା ଜୀବନକୁ ଆସିଥିଲା ସେହି ରାଜ୍ ହିଁ କେବେ ତା ଆଖିରେ ଲୁହର କାରଣ ହେବ ଏହି କଥାକୁ ଦିଶା କିପରି ସହଜରେ ଗ୍ରହଣ କରିପାରିଥାନ୍ତା। ରାଜ୍ ର ସବୁ କଥାରେ ଆଖି ବନ୍ଦ୍ କରି ବିଶ୍ବାସ କରି ତା ପଞ୍ଜୁରୀରେ ବନ୍ଦୀ ଥିବା ଏକ ପକ୍ଷୀ ଭଳି ଜୀବନ କାଟୁଥିଲା ଦିଶା । ସମସ୍ତଙ୍କଠୁ ସେ ଏତେ ଦୂରକୁ ଯାଇସାରିଥିଲା ଯେ ସେଠୁ ଫେରିବା ସମ୍ଭବପର ନ ଥିଲା । ହୁଏତ ତା ପାଖରେ ସେତେ ସାହସ ବି ନ ଥିଲା ।କାରଣ ଯାହା ପାଇଁ ସମସ୍ତଙ୍କୁ ଦୂର କରିଦେଇଥିଲା ଯେବେ ସେ ହିଁ ତା'ର ହେଇପାରିଲାନି ଆଉ କେଉଁ ସାହସ ଆଉ ଭରସା ବାକିରହିବ । ସବୁ ପରେ ବି ଦିଶା ରାଜ୍ ଠୁ ଦୂରେଇ ଯିବାକୁ ଭାବିପାରୁ ନଥିଲା। ହୃଦୟର କେଉଁ ନା କେଉଁ କୋଣରେ ସେ ତା'ର ପ୍ରେମକୁ ଖୋଜି ଚାଲିଥିଲା । ତା ' ମନ ମାନୁନଥିଲା କି ଏହା ପ୍ରେମ ନୁହେଁ ପ୍ରତାରଣା ।
କିନ୍ତୁ ସତ କେବେ ଲୁଚି ରହେନା , ରାଜ୍ ଲୁଚେଇବାକୁ ଚାହୁଁଥିବା ଏକ ଘଟଣା ଦିଶା ସାମ୍ନା କୁ ଚାଲିଆସିଲା । ତା' ପରେ ସେ ସମ୍ପର୍କକୁ ପ୍ରେମର ନାମ ଦବାକୁ ଦିଶାର ହୃଦୟ ତାକୁ ବାଧା ଦେଲା । ଆଉ ସେ ଚାଲିଗଲା ରାଜ୍ ଠୁ ଦୂରକୁ । କିନ୍ତୁ ଏବେ ଦିଶା ସମ୍ପୂର୍ଣ୍ଣ ଏକା। ତା ଜୀବନରେ ଅନ୍ଧକାର ହିଁ ଅନ୍ଧକାର । ଜଣା ନାହିଁ କେବେ ପୁଣି ହସ ଖେଳିବ ତା' ଓଠରେ । କ'ଣ ଏହା ଥିଲା ତା' ପାଇଁ ସତ୍ ପ୍ରେମର ଉପହାର ? କ'ଣ ଏହା ଥିଲା ଅତ୍ୟଧିକ ବିଶ୍ବାସ ଓ ଭରଷାର ପରିଣାମ ? କ'ଣ ଥିଲା ତା'ର ଭୁଲ୍ ? ଏଭଳି ଅନେକ ପ୍ରଶ୍ନ ର ପ୍ରତିଧ୍ଵନିରେ କେବେ ରାତି ପାହି ସକାଳ ହୋଇଯାଉଥିଲା ତାହା ବି ଜାଣିପାରୁନଥିଲା ଦିଶା। ଜୀବନ୍ତ ଶବ ଭଳି ବଞ୍ଚିବାକୁ ଅଭ୍ୟାସ କରିନେଉଥିଲା ସେ ।
ଏହା ଥିଲା ଦିଶାର କାହାଣୀ । ଏ ଦୁନିଆରେ ଶହ ଶହ ଦିଶା ପ୍ରତି ମୂହୁର୍ତ୍ତରେ ବଳି ପଡ଼ୁଛନ୍ତି । କ'ଣ ଏହା ହେଉଛି ପ୍ରେମର ପରିଭାଷା ? ପ୍ରେମ ଶାଶ୍ଵତ, ଅନନ୍ତ । କିନ୍ତୁ ଆଜିକାଲିର ଯୁବପିଢି ଏହାକୁ ସମୟ କଟାଇବାର ଏକ ମାଧ୍ୟମ ଭାବେ ଦେଖୁଛନ୍ତି ।
