Deepa Panda

Inspirational

4  

Deepa Panda

Inspirational

ଜୀବନର କିଛି ସତ୍ୟ

ଜୀବନର କିଛି ସତ୍ୟ

2 mins
55


ସ୍ମୃତି କ'ଣ ରହିଥାଏ କେବଳ ଦୁଃଖ ଦେବା ପାଇଁ ? ସମୟ ତା' ବାଟରେ ଚାଲିଯାଏ କିନ୍ତୁ ଛାଡିଯାଏ ଆମ ଜୀବନରେ ସ୍ମୃତି ର ଛିଟା । ଚାଲିସାରିଥିବା ରାସ୍ତାରେ ଯେପରି କେବଳ ବଳିପଡିଥାଏ କେତୋଟି ପାଦର ଚିହ୍ନ , ଜୀବନରେ ଅତୀତକୁ ଫେରି ଚାହିଁଲେ କେବଳ ରହିଥାଏ ସ୍ମୃତିର ଛାପ । କିଛି ସ୍ମୃତି ଖୁସି ଦେଇଥାଏ କିନ୍ତୁ ପୁଣି କଷ୍ଟ ଲାଗେ ଏବଂ ଭାବିବାକୁ ପଡେ କି ସେ ସମୟ ଆଉ ନାହିଁ କିମ୍ବା ଫେରିବ ନାହିଁ । ସ୍ମୃତିର ବାଲିଘରକୁ ଧରି ରଖି ପାହାଡ ତୋଳିବାକୁ ଚେଷ୍ଟା କଲାବେଳେ ଆମେ ଭୁଲିଯାଇଥାଉ କି ସାମାନ୍ୟ ଦଲକାଏ ପବନ ମଧ୍ୟ ସେ ବାଲିଘରକୁ ଭାଙ୍ଗିବାକୁ ସମର୍ଥ । କେଉଁ ଆଶା ନେଇ ମୁଁ ଆଗକୁ ବଢ଼ିବାକୁ ସାହସ କରିବି ? କେଉଁ ଆଶାକୁ ନେଇ ମୁଁ ସ୍ୱପ୍ନ ଦେଖିବି ? କ'ଣ ସେ ଆଶା ମୂଲ୍ୟହୀନ ? କ'ଣ ସେ ସ୍ୱପ୍ନ କେବଳ ଏକ ମରୀଚିକା ? ଏପରି ଅନେକ ପ୍ରଶ୍ନର ସମାହାର ଏକତ୍ର ହୋଇ ମୋ ହୃଦୟ ଦରଜାରେ ପ୍ରହାର ପରେ ପ୍ରହାର କରି ଚାଲିଥିଲେ । କିନ୍ତୁ ମୋ ପାଖରେ ନଥିଲା ଉତ୍ତର । ପ୍ରଶ୍ନବାଣରେ ଜର୍ଜରିତ ହୋଇ ମୁଁ ହୋଇଯାଇଥିଲି ନିଃସହାୟ ଓ ନିରୁପାୟ ।


            ଉଦୟର ଅସ୍ତ ଥାଏ ,ଆଲୋକର ଉପସ୍ଥିତି ଅନ୍ଧାରକୁ ମନେ ପକାଇଦିଏ ସେହିପରି ସୁଖ ପରେ ଦୁଃଖ ମଧ୍ୟ ଆସେ , ଏହାହିଁ ଏ ଦୁନିଆର ବାସ୍ତବିକତା । ସମସ୍ତେ ଏ ଚିର ସତ୍ୟ ଜାଣି ମଧ୍ୟ କାହିଁକି ବିଚଳିତ ହୋଇପଡନ୍ତି । କ'ଣ ସେମାନେ ବାସ୍ତବରେ ପ୍ରସ୍ତୁତ ନଥାନ୍ତି ସେହି କଠୋର ସତ୍ୟକୁ ସାମ୍ନା କରିବା ପାଇଁ ? ନାଁ ତାହା ନୁହେଁ କେବଳ ଅଭାବ ରହିଥାଏ ସାହସ , ଦୃଢ ମନୋବଳ ଏବଂ ଆତ୍ମବିଶ୍ବାସର । ଯେଉଁ ବିଶ୍ୱାସ ଦ୍ୱାପରରେ ଥିଲା ଯାଜ୍ଞସେନୀଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ବସ୍ତ୍ରହରଣ ସମୟରେ , ଯେଉଁ ବିଶ୍ୱାସ ତ୍ରେତୟା ଯୁଗରେ ମାତା ସୀତାଙ୍କର ଥିଲା ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ର ଙ୍କ ଉପରେ ତାଙ୍କୁ ରାବଣ ହରଣ କରି ନେବା ସମୟରେ । ଏହା କେବଳ ଆମ ପାଇଁ ପୁରାଣ ହୋଇ ରହିଯିବା ଉଚିତ୍ ନୁହେଁ । ଏଥିରୁ ଆମକୁ ନୀତିଶିକ୍ଷା ମିଳେ ଯେ ଆଜି ବି ସେହି ବିଶ୍ୱାସର ଆବଶ୍ୟକତା ରହିଛି ଅନ୍ୟ ଉପରେ ନୁହେଁ କେବଳ ନିଜ ଉପରେ । ଦୁନିଆରେ ସ୍ୱାର୍ଥପର ଲୋକଙ୍କର ଅଭାବ ନାହିଁ। ନିଜ ଉପରେ ବିଶ୍ବାସ ରଖି ଆଗକୁ ବଢ଼ିବାର ସାମର୍ଥ୍ୟ ରଖିବାର ଆବଶ୍ୟକତା ରହିଛି ।


      ଅନ୍ଧାରକୁ କାଟି ସୂର୍ଯ୍ୟ ସବୁଦିନ ଉଦୟ ହେଉଛନ୍ତି , ବାଦଲ ତାଙ୍କୁ ଢାଙ୍କିବାକୁ ଚେଷ୍ଟା କଲେ ମଧ୍ୟ ତାଙ୍କ କର୍ତ୍ତବ୍ୟ ସମ୍ପାଦନରେ ସେ କେବେ ପଛଘୁଞ୍ଚା ଦେଇନାହାନ୍ତି । ଭାବିଦେଖ ସେ ଯଦି ତାଙ୍କ କାର୍ଯ୍ୟରେ ଅବହେଳା କରିଥାନ୍ତେ କ'ଣ ହୋଇଥାନ୍ତା ପରିଣାମ । ଆମ କର୍ତ୍ତବ୍ୟରେ ଅବହେଳା ପାଇଁ ମଧ୍ୟ ରହିଛି କିଛି ପରିଣାମ । ଆକାରରେ ଛୋଟ ହୋଇପାରେ କିନ୍ତୁ କର୍ମର ଫଳ ମିଳିବା ତ ସୁନିଶ୍ଚିତ । ସୁଖ ସମୟରେ ତୁମ ସହ ଖୁସି ମନେଇବାକୁ ମିଳିଯିବେ ଅଗଣିତ ସାଥୀ କିନ୍ତୁ ଦୁଃଖର ଅଶ୍ରୁ ପୋଛିବାକୁ ଗୋଟିଏ ହାତର ପ୍ରତୀକ୍ଷା ବି ତୁମକୁ ନିରାଶ କରିଦେବ । ଜୀବନରେ ନିଜ ଦୁଃଖର ସାଥୀ କେବଳ ନିଜେ ହୋଇ ବଞ୍ଚିବାକୁ ହେବ । ନିଜକୁ ସେତିକି ଶକ୍ତ କରି ଗଢି ତୋଳିବାକୁ ହେବ ଯେ କୌଣସି ବି ଛୋଟ ଘଟଣା ତୁମକୁ ଭାଙ୍ଗିପାରିବ ନାହିଁ , ତୁମ ମନୋବଳକୁ ଦୁର୍ବଳ କରିପାରିବ ନାହିଁ , ତୁମ ଶକ୍ତ ଭାବନାକୁ ପରିବର୍ତ୍ତନ କରିପାରିବ ନାହିଁ । ତୁମେ ନିଜକୁ ସେତିକି ଖୁସି ରଖିବାର ଆବଶ୍ୟକତା ଅଛି ଯେଉଁ ଖୁସି ଦେଖିଲେ ତୁମକୁ ଦୁର୍ବଳ କରିବାକୁ ଚାହୁଁଥିବା ବ୍ୟକ୍ତିର ମନୋଭାବ ଭାଙ୍ଗିଯିବ । ନିଜକୁ କୋୖଣସି ବି ପରିସ୍ଥିତିରେ ଦୁଃଖୀ ହବାରୁ ରୋକିପାରିବାର ସାମର୍ଥ୍ୟ ନିଜ ମଧ୍ୟରେ ରହିବା ଆବଶ୍ୟକ । ଭଗବାନଙ୍କ ସୃଷ୍ଟିରେ ପାତର ଅନ୍ତରର ପ୍ରଶ୍ନ ଉଠେନି । ସମସ୍ତଙ୍କ ମଧ୍ୟରେ ସେହି ଶକ୍ତି ଲୁଚିରହିଛି , ଆମକୁ ତାହାକୁ ନିଜେ ଖୋଜିବାର ଆବଶ୍ୟକତା ରହିଛି । 


Rate this content
Log in

Similar oriya story from Inspirational