ଫୁଲ ଫୁଟି ଝରିଗଲା
ଫୁଲ ଫୁଟି ଝରିଗଲା
ବୋଉ ତୁ ମୋ ପାଇଁ କାଲି ସ୍କୁଲରୁ ସେଉ ବୁନ୍ଦିଆ ଆଣିବୁ ନା? କହୁଥିଲା ମାଆ କାନେ କାନେ ଫୁଲ. ମାଆ କାମିନୀ ଝିଅକୁ କୋଳକୁ ଭିଡ଼ିନେଇ କହିଲା ହଁ ମାଆ ନିଶ୍ଚୟ ଆଣିବି. ମୋ ସୁନା ଝିଅ ପାଇଁ ଆଣିବିନି ଆଉ କାହା ପାଇଁ ମୁଁ ସ୍କୁଲରେ ପାଚିକା ଚାକିରୀ ପାଇଛି କି!ମୋ ଧନ ଫୁଲ ପାଇଁ ତ ସବୁ. ଫୁଲର ମନ ମଧ୍ୟ ଫୁଲ ପରି. ତୁ ମିଛ କହୁଛୁ ମାଆ. ତୁ ଯଦି ମତେ ଭଲ ପାଉଥାଆନ୍ତୁ ତେବେ କାଲି ଗୋଟେ ଦିନ ମତେ ସ୍କୁଲକୁ ନେବାକୁ ମନା କରନ୍ତୁ ନାହିଁ.କାମିନୀ କହିଲା ଅଗଷ୍ଟ ପନ୍ଦର ପରେ ପରେ ଜାନୁଆରି ଛବିଶ ବେଳକୁ ତତେ ନିଶ୍ଚୟ ନେବି ଝିଅ. କାଲି ତୁ ଯଦି ବାବୁଘର ଗାଈ ଛେଳି ସବୁକୁ ଚରେଇ ନନେବୁ ସେମାନେ କଣ ଭାବିବେ କହିଲୁ ଧନ. କହିବେ କାମିନୀକୁ ଚାକିରୀ କରେଇଦେବାରୁ ସେ ତା ଝିଅକୁ ଆଉ ଗୋରୁ ଚରେଇବାକୁ ଛାଡ଼ୁନି. ଏମିତି ଭାବି ଯଦି ଚାକିରୀ କାଢି ନେବେ ତେବେ ଆମେ ଖାଇବା କଣ ରହିବା କୋଉଠି. ବନ୍ୟାରେ ଘର ଖଣ୍ଡକ ଧୋଇ ଗଲା ପରେ ସେହି ସରପଞ୍ଚ ବାବୁଙ୍କ କଥାରେ ସ୍କୁଲରେ ଗୋଟେ ବଖରା ମିଳିଯାଇଛି ବୋଲି ସିନା, ନହେଲେ ଆମେ କେତେ ହଇରାଣ ହେବା କହିଲୁ ଧନ. କଣ ବୁଝିଲା ଫୁଲ ହସିଦେଇ ମୁହଁ ବୁଲେଇ ଶୋଇଲା.
କାମିନୀ ଭାବି ଚାଲିଥିଲା କେତେ ସ୍ବପ୍ନ ସେ ଦେଖିଥିଲା କାଳିଆକୁ ବାହା ହେଲା ପରେ. ତାର ପୁଅ ହେବ ଝିଅ ହେବ, ସ୍ୱାମୀ ସଂସାର ନେଇ ସେ ସୁଖରେ ରହିବ. ତାର ଧନ ଲୋଡ଼ା ନଥିଲା. ଲୋଡ଼ା ଥିଲା ଶାନ୍ତି. ସ୍ୱାମୀର ପ୍ରୀତି ସହିତ ଶାନ୍ତି ଥିଲେ ତା କୋଳକୁ ଆସିବା ସନ୍ତାନ ମୁହଁକୁ ଚାହିଁ ସେ ଢାଳିବ ମୈତ୍ରୀ. ହେଲେ କାଳିଆ ବଦଳିଗଲା. ସେଇ ମଦ ପାଣିକୁ ଆଶ୍ରା କରି ତାକୁ ଦୂରେଇ ଦେଇ ଯୋଉଦିନ ସାବିକୁ ନେଇ ରେଙ୍ଗୁନ ଚାଲିଗଲା ସେଦିନ ଏକମାତ୍ର ସମ୍ବଳ ନାକଫୁଲ ଛଡା ତା ପାଖରେ କିଛି ନଥିଲା. ଯା ହେଉ ଆଶା ଦିଦିଙ୍କ ସହାୟତାରେ ଫୁଲ ପରି ଝିଅ ଜନ୍ମ କରି ନାମ ରଖିଲା ଫୁଲ ହେଲେ କରମ ବାମ ତ ଫୁଲ ପରି ତୋଫା ଗୋରା ଝିଅର ମାଆ କାମିନୀ ଭାବେ ହଉ ଦୁଃଖେ ସୁଖେ ବଡ଼ ହୋଇଯାଉ ଝିଅଟା ତାର, ଦେଖିଚାହିଁ ଭଲ ଘର ବର ଦେଖି ବାହା କରିଦେବ ସେ. ଝିଅଟାର ପାଠରେ ଭାରି ମନ. ଗାଈଜଗିଲା ବେଳେ ଅକ୍ଷର ଶିଖି ଲେଖି ପଢି ମାଆ କାମିନୀ ଆଗରେ ପଢେ ଅରଣା ମଇଁଷି ରହିଛି ଅନେଇ... ମଇଁଷିର ପାଶେ ନଯିବୁ ଦନେଇ. ପୁଣି ବୋଲୁଥାଏ ହାତୀ ପିଠିରେ ବାଘ ବସିଛି ବାଘ ପିଠିରେ ଛେଳି... କୁକୁର ଚଲାଏ ସାଇକେଲଟି ଭାଲୁ ଖେଳଇ ଦୋଳି. ଡରିଯାଏ କାମିନୀ. ଝଡ଼ ବର୍ଷା ତୋଫାନରୁ ମୋ ଝିଅ ଫୁଲକୁ ରକ୍ଷାକର ମାଆ ମଙ୍ଗଳା. ମୋ ଝିଅ ପରା ତୁମକୁ ଆଶ୍ରା କରି ଖୁଦୁରୁକୁଣୀ ଉପାସ କରୁଛି ମାଆ. ତାକୁ ମୋ ଆୟୁଷ ଦିଅ ମାଆ, ଆଶିଷ ଦେଇ ନିରୋଗ ରଖ. ଭାବୁ ଭାବୁ ନିଦ ଆସିଯାଇଥିଲା ଆଖିକୁ. ସକାଳୁ ସକାଳୁ ଉଠି ଚାଲିଗଲା ସ୍କୁଲକୁ. ଏ ବର୍ଷ ସ୍ବାଧୀନତା ଦିବସରେ କି ବର୍ଷା ଝଡି ତୋଫାନ ଲୋ ମାଆ ମୋ ଫୁଲକୁ ରକ୍ଷା କର. ଏ ସନ ପଖିଆ ନେଇ ମୋ ଝିଅ ଯାଉଛି ଏ ମାସ ଦରମା ପାଇଲେ ଛତା କିଣିଦେଵି. ଗୁରୁମା କହିଛନ୍ତି ଫୁଲ ମୋର ପାଠ ପଢିପାରିବ. ଯା ହେଉ ଏତେଦିନେ ମାଆ ମଙ୍ଗଳା ତା ଡାକ ଶୁଣିଛନ୍ତି. ବର୍ଷା ଢୁ ଢୁ ଭିତରେ ସ୍କୁଲରେ ଅଢେଇଶ ପିଲାଙ୍କ କଥା ବୁଝୁ ବୁଝୁ ଭୁଲିଗଲା କାମିନୀ ଝିଅକୁ. ପିଲାଏ ପତାକା ଉଡାଇ ଜୟ ହିନ୍ଦ, ବନ୍ଦେ ମାତରଂ କହିଲା ବେଳେ କାମିନୀ ତାଳି ମାରୁଥିଲା ଆଉ ଭାବୁଥିଲା ତା ଝିଅ ଆରବର୍ଷ ସ୍କୁଲ ଆସି ଏମିତି କହିବ ତ ସେ ଖୁସିରେ କାନ୍ଦି ପକେଇବ. ଫୁଲ ଯେବେ ପଚାରିବ କାହିଁ କାନ୍ଦୁଛୁ ବୋଉ, ସେ ଫୁଲକୁ ମିଛରେ କହିଦେବ ଆଖିରେ କଣ ଗୋଟେ ପଡିଗଲା. ଫୁଲ କଣ ଛାଡିବ କହିବ ଦେଖା ଦେଖା କାଢିଦିଏ.ସେଉ ବୁନ୍ଦିଆ ଧରି ପିଲାଏ ଫେରିଲା ପରେ ଘରକୁ ଫେରିଲା କାମିନୀ. ଆଜି ସ୍କୁଲରେ ଖାଦ୍ୟ ବନ୍ଦ ତ ରୋଷେଇ କରି ଛାଇ ଲେଉଟାଣି ମାଆ ଝିଅ ଏକାଠି ଖାଇବେ ବୋଲି ରଖୁ ରଖୁ ଖାଲି ଘଡଘଡି ଛାଡ଼ଚଡ଼ି. କାମିନୀ ଭାବୁଥିଲା ଗୁରୁମା କହୁଥିଲେ ତାଳ ଗଛ ଘଡଘଡି ଚଡ଼ଚଡିରୁ ରକ୍ଷା କରିବ. ତା ଫୁଲ ମୁଣ୍ଡରେ ପଖିଆ ଥିବ ତାଳପତ୍ରର ତ ଡର କାହାକୁ ଭୟ କାହାକୁ!ସହଜେ ରାତି ପାହିଲେ ଖୁଦୁରୁକୁଣୀ ଓଷା. ମଙ୍ଗଳା ମାଆଙ୍କୁ ପୂଜା କରୁଛି ଝିଅ ମୋର ଫୁଲ. ତାକୁ ମାଆ ମଙ୍ଗଳା ସାହା ହେବେ ନିଶ୍ଚୟ.
ଛାଇଲେଉଟଣି ଗଡି ସଞ୍ଜ ହେଲା. ଫୁଲ ଫେରିଲାନି. ବାବୁଙ୍କ ଘରକୁ ଧାଇଁଲା କାମିନୀ. ବାବୁ ବିରକ୍ତ ହୋଇ କହିଲେ ଗଈ ଗୋରୁ ଛାଡି କୁଆଡେ ଗଲା ତୋ ଝିଅ. ନିଜେ ଯାଇ ଖୋଜି ଖୋଜି ଆଣି ଗୁହାଳେ ରଖିଲି. ଫୁଲ ଫେରିନି ବାବୁ କହି ଦୌଡ଼ିଲା ପାଖ ଜଙ୍ଗଲକୁ କାମିନୀ. ଡାକିଲା ମୋ ଝିଅ ଫୁଲ.. କୁଆଡେ ଗଲୁ ମାଆ!ଭରା ନଈ ଉଛୁଳୁଥିଲା, ଗଛ ସବୁ ସାଇଁ ସାଇଁ ଦୋହଲୁଥିଲେ ହେଲେ ଫୁଲ ନଥିଲା ଶେଷକୁ ତାଳପତ୍ର ପଖିଆ ଝୁଣ୍ଟି ବାବୁ ଟର୍ଚ୍ଚ ମାରି ଯାହା ଦେଖିଲେ ତାଙ୍କ ଆଖି ଖୋସି ହୋଇଗଲା ଯେତେବେଳେ କାମିନୀ ସହନ୍ତା କେମିତି. ସେହିଦିନୁ ସେ ବାୟାଣୀ ହୋଇଗଲା. ସ୍କୁଲ ଦୁଆରେ ବସି କହୁଥିଲା ଅରଣା ମଇଁଷି ରହିଛି ଅନେଇ.. ମଇଁଷିର ପାଶେ ନଯାଅ ଦନେଇ. ସମସ୍ତଙ୍କ ଆଖିରୁ ଲୁହ ଗାଡିଆସୁଥିଲା ସତ କିନ୍ତୁ କାମିନୀ ଆଖିରେ ଲୁହ ନୁହେଁ ରକ୍ତ ଝରୁଥିଲା କି କଣ ଗୁରୁମା ତାକୁ ଘରକୁ ନେବାକୁ ଯେତେ ଚେଷ୍ଟା କରୁଥିଲେ ବି ପାରୁନଥିଲେ ।
