ଓଡ଼ିଆ ଗଳ୍ପ ଓ କବିତା - ୨

Children

5.0  

ଓଡ଼ିଆ ଗଳ୍ପ ଓ କବିତା - ୨

Children

ପାଣି କଳି ତୁଟିଲା

ପାଣି କଳି ତୁଟିଲା

2 mins
7.5K



ପ୍ରଶାନ୍ତ କୁମାର ମଙ୍ଗରାଜ

ମଧବୁନ ଜଙ୍ଗଲ । ଜଙ୍ଗଲ ଦେଇ ବହିଯାଇଛି ଫୁଲରୀ ନଈ। ଫୁଲରୀ ନଈ ଜଙ୍ଗଲ ଜୀବଙ୍କର ଜୀବନ । ତାର ପାଣିକୁ ସଭିଙ୍କର ଭରସା । ଫୁଲରୀ ନଈ ଶୁଖିଗଲେ ଜଙ୍ଗଲକୁ ଭାରି ବାଧା । ଜୀବନ ଥାଇ ବି ନ ଥିଲା ପରି ଲାଗେ ।

ବାଘ ଜଙ୍ଗଲର ରାଜା । ତାକୁ ଏ କଥା ବେଶ୍ ଜଣା । ସେଥିପାଇଁ ଫୁଲରୀ ନଈ ଉପରେ ତାଙ୍କର ଆଖି । ବାଘ ରାଜାର ବାପା ଯେତେବେଳେ ରାଜା ଥିଲେ ; ସେତେବେଳେ ନଈରେ ବନ୍ଧଟିଏ ବାନ୍ଧିଦେଇଥିଲେ । ପାଣି ଅଟକି ରହୁଥିଲା । ଯେତିକି ପାଣି ଦରକାର ରଖୁଥିଲେ । ବଳକା ପାଣି ନଈରେ ଛାଡ଼ି ଦେଉଥିଲେ ।

ବାଘ ବି ବାପାଙ୍କ ନଈବନ୍ଧକୁ ଭରସା କରି ଚାଲିଛି । ସାରା ଜଙ୍ଗଲର ପଶୁପକ୍ଷୀ ଫୁଲରୀ ନଈର ପାଣି ପିଇ ଆରାମରେ ଅଛନ୍ତି । ମଧବୁନର ଉପର ମୁଣ୍ଡକୁ ଲାଗିଛି ଉଚ୍ଚଖଣ୍ଡ । ସେଇଠୁ ଫୁଲରୀ ନଈର ଜନ୍ମ । ବର୍ଷା ହେଲେ ଫୁଲରୀ ନଈ ଫୁଲିଉଠେ । ହେଲେ ସବୁ ପାଣି ବହି ଆସେ ମଧୁବନକୁ । ମଧୁବନରେ ଯାହା ଅଟକେ ବଳକା ପାଣି ଯାଏ ସମୁଦ୍ରକୁ ।

ଆଗରୁ ଉଚ୍ଚଖଣ୍ଡରେ କେହି ରାଜା ନ ଥିଲେ । ଭାଲୁ ନୂତନ ଭାବେ ରାଜା ହେଲା । ରାଜା ହେବା ପରେ ରାଜ୍ୟର ବିକାଶ ପାଇଁ ଅଣ୍ଟା ଭିଡ଼ିଲା । ଦେଖିଲା ତା’ ରାଜ୍ୟର ପଶପୁକ୍ଷୀମାନେ ପାଣି ପାଇଁ ପ୍ରାଣ ହରାଉଛନ୍ତି । ରାଜା ହୋଇ ପ୍ରଜାଙ୍କର ମଙ୍ଗଳ କରିବା କଥା । ଯଦି ପ୍ରଜାଙ୍କର ମଙ୍ଗଳ କରି ନ ପାରିଲା ; ତେବେ ରାଜା ହୋଇ ଲାଭ କ’ଣ ? ଏଇ କଥା ଭାବିଭାବି ତାଙ୍କର ନିଦ ହଜିଗଲା ।

ହଠାତ୍ ଦିନେ ଭାଲୁ ମୁଣ୍ଡରେ ଉପାୟ ଜୁଟିଲା । ବାଘ ଫୁଲରୀ ନଈରେ ବନ୍ଧବାନ୍ଧି ପାଣି ପିଉଛି । ତେବେ ସେମାନେ କାହିଁକି ପାରିବେ ନାହିଁ ?

ଏମିତି ଭାବି ଭାଲୁ ଫୁଲରୀ ନଈରେ ଦୁଇ ଶହଟି ଛୋଟ ବଡ଼ ବଡ଼ବନ୍ଧ ପକାଇ ଦେଲା । ଆଉ ପାଣି ଯାଏ କୁଆଡ଼େ ? ସବୁ ରହିଲା ଉଚ୍ଚଖଣ୍ଡରେ । ମଧୁବନକୁ ପାଣି ଆସିଲା ନାହିଁ । ମଧୁବନରେ ଫୁଲରୀ ନଈ ଶୁଖିଲା ପଡ଼ିଲା । ବାଘ ଭୀଷଣ ରାଗିଗଲା । ‘ଭାଲୁର ପୁଣି ଏତେ ସାହସ ! ମୋ ପାଣିକୁ ଅଟକାଇ ରଖିଛି । ’

ଭାଲୁ କିଆଁ ଶୁଣିବ ବାଘର ଗର୍ଜନ । ଉଚ୍ଚଖଣ୍ଡ ଅଞ୍ଚଳର ପାଣି ଉଚ୍ଚଖଣ୍ଡରେ ଅଛି । ଓଲଟି ଭାଲୁ ବାଘକୁ କହିଲା, ‘ତୁମେ ତ କେବେ ନଈରେ ବନ୍ଧ ପକାଉ ନାହଁ । ପାଣି କେମିତି ରହିବ । ତୁମ ବାପାଙ୍କ ସମୟରୁ ବନ୍ଧଟିଏ ପଡ଼ିଥିଲା । ସେହି ବନ୍ଧକୁ ଭରସା କରି ବସିଛ । ’

ଦୁହେଁ କଥା କଟାକଟି ମଧ୍ୟରେ ଯୁଦ୍ଧ ପାଇଁ ତିଆର ହେଲେ । କିଏ ଯୁଦ୍ଧ ଚାହେଁ । ବାଘ ଓ ଭାଲୁଙ୍କ ଭୟରେ ଯୁଦ୍ଧରେ ସାମିଲ ହେଲେ ।

ହାତୀକୁ କଥାଟା ଭଲ ଲାଗିଲା ନାହିଁ । ତା’ କଥା ସମସ୍ତେ ଜାଣନ୍ତି । ତା’ର ଦେଖେଇ ହେଲା ଦାନ୍ତ ଦୁଇଟା ଅଲଗା । ଖାଇବା ଦାନ୍ତ ଦୁଇଟା ଅଲଗା। ସେ ମଧୁବନରେ ଖାଏ ; ଉଚ୍ଚଖଣ୍ଡରେ ଶୁଏ । ଏଣୁ ଦୁଇଟାଯାକ ରାଜ୍ୟ ତା’ର । ସେ ବାଘ ଓ ଭାଲୁକୁ ପାଖକୁ ଡାକିଲା । ବୁଝାଇଲା- ପାଣିର ଧର୍ମ ତଳକୁ ବହିଯିବା । ଯିଏ ବନ୍ଧ ବାନ୍ଧିବ ସେ ଅଟକାଇ ପାରିବ । ଆଗେ ବାଘର ବାପା ଅଟକାଇଥିଲେ । ଭାଲୁ ଏବେ ନୂଆନୂଆ ବନ୍ଧ ପକାଇ ଅଟକାଉଛି । ହେଲେ ବାଘ ଚୁପଚାପ ଶୋଇ ରହିଛି । ବନ୍ଧ ନ ପକାଇବାରୁ ପାଣି ସିନା ସମୁଦ୍ରକୁ ଚାଲିଯାଉଛି । ଏଣୁ ଏଥର ବାଘ ନଈରେ ବନ୍ଧ ପକାଇବ । ଭାଲୁ ମଧ୍ୟ ଦରକାର ବେଳେ ମଧୁବନକୁ ପାଣି ସହାୟତା ଦେବ । ହାତୀର ବିଚାର ବାଘ ଓ ଭାଲୁଙ୍କ ମନକୁ ପାଇଲା । ଦୁଇ ରାଜ୍ୟ ମଧ୍ୟରେ ଥିବା ପାଣି କଳି ତୁଟିଲା । ବାଘ ରାଜା ଓ ଭାଲୁ ରାଜା ଦୁହେଁ ଖୁସି ମନାଇ ଯେ ଯାହା ରାଜ୍ୟକୁ ଫେରିଲେ।


Rate this content
Log in

Similar oriya story from Children