ପାୱାର ବ୍ୟାଙ୍କ
ପାୱାର ବ୍ୟାଙ୍କ
ଜୀବନରେ ବେଳେବେଳେ ବ୍ୟାକଅପର ଘୋର ଅଭାବ ଅନୁଭୂତ ହୁଏ, ସେତିକିବେଳେ ଲାଗେ ପାୱାର ବ୍ୟାଙ୍କଟେ ପାଖରେ ଥାଆନ୍ତା କି..!!!
** ** ** ** ***
ରହି ରହି କାଶଟା ହେଉଛି I ମନେ ହେଉଛି ଯେମିତି ତୀବ୍ରତାଟା ଧୀରେଧୀରେ ବଢ଼ିଗଲାଣି I କୋଭିଡ ୱାର୍ଡକୁ ସିଫ୍ଟ ହେବା ପ୍ରାୟ ଦୁଇଦିନ ହେଇଗଲାଣି I ଭାଗ୍ୟ ଜୋରରୁ ତାକୁ ଗୋଟେ ହସ୍ପିଟାଲ ଟିଣ ବେଡ଼ ମିଳିଯାଇଥିଲା ଆଉ ତା ସାଙ୍ଗକୁ ଖଣ୍ଡେ ଗ୍ରୀନ ଚାଦର ଓ ତକିଆ, ସେତିକି ବହୁତ ଥିଲା I କେବଳ ସିମ୍ପଟମସ୍ ଯୋଗୁ ସେ ଆଡମିଟ ହୋଇଯାଇଥିଲା ହସ୍ପିଟାଲରେ I ପ୍ରବଳ ଥଣ୍ଡା, କାଶ, କଫ ସାଙ୍ଗକୁ ଜ୍ୱର I ଅଣନିଃଶ୍ଵାସୀର ଅବସ୍ଥା I ରାତିରେ ବାଥରୁମ ଯିବାକୁ ଉଠିଥିଲାବେଳେ ଲାଗିଲା ସତେ ଯେମିତି ତଣ୍ଟି ଆଉ ଛାତି ଚୋକ ହେଇଯିବ I ସବୁ କୋଭିଡର ଲକ୍ଷଣ ଥିଲା I ତେଣୁ ସାଙ୍ଗମାନେ ତାକୁ ଆଣି ହସ୍ପିଟାଲରେ ଛାଡିଦେଲେ I କିନ୍ତୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ତାକୁ କୋଭିଡ ୱାର୍ଡକୁ ସିଫ୍ଟ ଯେତେ କହିଲେ ବି କଲେନି କାରଣ ତା ପାଖରେ ଲକ୍ଷଣ ଥିଲେ ବି କୋଭିଡ ରିପୋର୍ଟ ନ ଥିଲା I ଅଥଚ ରିପୋର୍ଟ ପଜିଟିଭ ଆସିଲାପରେ ନିଦରୁ ଉଠେଇ ଭୋର 4ଟାରୁ ତାକୁ ସିଫ୍ଟ କରିଦେଲେ I ସେଦିନ ରାତି 8ଟା ପର୍ଯ୍ୟନ୍ତ ତାକୁ ଖାଇବାକୁ ମିଳିନଥିଲା I ସାଙ୍ଗରେ ଆଣିଥିବା କିଛି ଫଳ ବିସ୍କୁଟ ଓ ପାଣି ବୋତଲରେ କାମ ଚଳେଇଥିଲା I ରାତି 8ଟାରେ ଯାଇ ତାକୁ ଭାତ, ଲାଉ ଡାଲମା ଓ ଭେଣ୍ଡି ଭଜା ଟିକେ ମିଳିଥିଲା I ଭୋକ ହେଉଥିଲେ ବି ତଣ୍ଟିରେ କଷ୍ଟ ଯୋଗୁ ଠିକ ସେ ଖାଇ ପାରିନଥିଲା I ଲିକୁଇଡ ଖାଦ୍ୟର କୌଣସି ସୁବିଧା ବି ନଥିଲା କି ଚାହିଁଲେ ଗରମ ପାଣି ଟିକିଏ ବି ସମୟରେ ମିଳୁନଥିଲା I ସକାଳୁ ନର୍ସ ଜଣେ ଆସି ଟେମ୍ପରେଚର ଓ ଅକ୍ସିଜେନ ଲେବଲ ଚେକ କରିଦଇ କିଛି ମେଡ଼ିସିନ ବେଡ୍ ଉପରେ ପକେଇଦେଲା ପରେ ତା ଡିଉଟି ସରି ଯାଉଥିଲା I ତାପରେ ପୁଣି ଯାଇ ସନ୍ଧ୍ୟା କି ରାତିରେ ଦେଖା ମିଳୁଥିଲା I ଏମରଜେନ୍ସି ନ ପଡିଲେ କେହି ଆସୁ ନଥିଲେ ବି I
ଆଖି ବୁଲେଇଲା ୱାର୍ଡ ଆଡକୁ; ଦୁଇଦିନ ଭିତରେ ୱାର୍ଡର ରୂପ ବଦଳି ଯାଇଥିଲା I ବେଡ଼ ନଥିବାରୁ ଲୋକ ସାଲାଇନ ବୋତଲ ସହ ତଳେ ଗଡୁଥିଲେ, କିଛି ଲୋକ ଶୋଇବାରେ କଷ୍ଟ ଅନୁଭବ କରୁଥିବାରୁ ବସିକି ରହିଥିଲେ ଓ ଆଉ କିଛି ଅସ୍ତବ୍ୟସ୍ତ ହେଲା ପରି ମୁହଁରେ ଅକ୍ସିଜେନ ମାସ୍କ ଧରି ୱାର୍ଡ ଭିତରେ ଏକଡ ସେକଡ ହେଉଥିଲେ I ପାଖ ବେଡ଼ ଓ ସାମନା ବେଡର ପେସେଣ୍ଟ ଅକ୍ସିଜେନ ସାଚୁରେସନ କାରଣରୁ ତା ଆଖି ସାମନାରେ ଏଇ ଦୁଇଦିନ ଭିତରେ ଆଖି ବୁଜିଲେ I ଖୁବ ଦୁର୍ବିସହ ଥିଲା ଶବଗୁଡିକ ସହ 4/5 ଘଣ୍ଟା କାଳ କଟେଇବା I
ମୃତ୍ୟୁର ତାଣ୍ଡବ ଲୀଳା ସେଠି ଯେମିତି ଚାଲିଥିଲା I ମଣିଷ ଆଉ ମଣିଷ ଭିତରେ ଗଣା ନହେଇ ଯେମିତି ଏକ ବସ୍ତୁ ବା ପଦାର୍ଥ ପାଲଟି ଯାଉଥିଲା I ଭାବପ୍ରବଣତା ଓ ମାନବିକ ମୂଲ୍ୟବୋଧ ଯେମିତି ଆସ୍ତେ ଆସ୍ତେ ଅପସାରିତ ହେଇ ଯାଉଥିଲା I ତା ସମ୍ମୁଖରେ କେବଳ ଦୁଇଟି ଗୋଷ୍ଠୀ ଥିଲେ; ଗୋଟିଏ ଗୋଷ୍ଠୀ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅନିଶ୍ଚିତତାରେ କାଳ କାଟୁଥିଲେ ଓ ଅପରଟି ସମ୍ବେଦନା ରହିତ ହୋଇ ଓ ନିସ୍ପୃହ ଭାବେ ଯେତିକି ସମ୍ଭବ ନିଜର ଦାୟିତ୍ତ୍ୱ ତୁଲାଉଥିଲେ I ମିଣିଷ ଜୀବନର ମୂଲ୍ୟ ପଶୁଙ୍କର ଠାରୁ ବି ହୀନ ମନେ ହେଉଥିଲା I ମୃତ୍ୟୁଟା ଆସ୍ତେ ଆସ୍ତେ ସମ୍ବେଦନରହିତ ହେଇଯାଇଥିଲା I
ଧିରେଧିରେ ତାକୁ କାହିଁକି ଅଶ୍ଵସ୍ତିକର ଲାଗିବା ଆରମ୍ଭ କଲା I ଖୁବ ଅଣନିଃଶ୍ୱାସୀ ମନେକରୁଥିଲା I ଗୋଟେ ଭଲ ଗ୍ରାଫିକ ଡିଜାଇନର ହେବାକୁ ଦିଲ୍ଲୀ ଆସିଥିଲାବେଳେ ଏ ମହାମାରୀ କବଳରେ ପଡିଥିଲା I ଘରକୁ ସେମିତିକିଛି ଖବର ବି ଦେଇ ନଥିଲା; କାଳେ ସେମାନେ ବ୍ୟତିବ୍ୟସ୍ତ ହୋଇଯିବେ ବୋଲି I ଭାବିଥିଲା ସବୁ ଠିକ ହେଇଯିବ, ୟଙ୍ଗ ବ୍ଲଡ଼ ତେଣୁ ସବୁକୁ ସେ ଦେହରେ ପାରେଇ ଦେବ..କିନ୍ତୁ..!!!...ଅବସ୍ଥା ଦିନପ୍ରତିଦିନ ଖରାପ ଆଡକୁ ଯାଉଥିଲା I ଅତି କଷ୍ଟ ହେବାରୁ ଠାରିକି ସେ ପାଖ ବେଡ଼ର ପେସେଣ୍ଟକୁ ଡକ୍ଟରଙ୍କୁ ଟିକେ ଡାକି ଦେବାକୁ ଜଣେଇଲା I କିଛି ସମୟପରେ ଡକ୍ଟର ଆସିଲେ ଅକ୍ସିଜେନ ଚେକ କଲେ, ସଙ୍ଗେସଙ୍ଗେ ନର୍ସକୁ ଇଞ୍ଜେକ୍ସନ ଓ ମେଡ଼ିସିନ ଦେବାକୁ କହିଲେ I ନେବାର କିଛି ସମୟପରେ ତାକୁ ନିଦ ଆସିଗଲା I
ଭୋରୁ ଭୋରୁ ଆଖି ଖୋଲିଗଲା, ଚାରିଆଡ ଶୂନଶାନ ନିଃଶବ୍ଦ I ବାହାରକୁ ଚାହିଁଲା, ସିନ୍ଦୂରା ଫାଟିବା ବେଳ I ହସ୍ପିଟାଲ ପାଖ ଗଛ ଉପରେ କଳା ଧଳା ପକ୍ଷୀଙ୍କର କିଚିରିମିଚିରି ମେଳି I ଖାଦ୍ୟ ଅନ୍ୱେଷଣ ଯିବା ପୂର୍ବର ପ୍ରାକ ପ୍ରସ୍ତୁତି I ପାଖ ଦୋକାନରୁ ଧୂଆଁ ଉଠିଲାଣି, ବୋଧହୁଏ 'ଚା' ବସେଇବା ପାଇଁ ଚୁଲିରେ ଆଞ୍ଚ ଧରିଲାଣି I ମୃଦୁମୃଦୁ ହିଲ୍ଲୋଳରେ ସବୁଜ ସତେଜ ପତ୍ରସବୁ ଏପାଖ ସେପାଖ, ରଙ୍ଗ ବିରଙ୍ଗୀ ଫୁଲ ସବୁ ବିନା ଦ୍ଵିଧାରେ ଦୋଳି ଝୁଲୁଛନ୍ତି I ସତେ ଯେମିତି ତାଙ୍କର ରାଜୁତି I ତାକୁ ଲାଗିଲା ସତରେ ଏ ପୃଥିବୀଟା କେତେ ସୁନ୍ଦର;… ଆଉ କେତେ ମନଲୋଭା ଏ ପ୍ରକୃତି ଓ ପରିବେଶ I କାହିଁ ଆଗରୁ ସେ କେବେ ତା ଚତୁଃର୍ପାଶ୍ୱକୁ ଏତେ ନିରିଖେଇ ଦେଖିଲା ପରି ମନେ ପଡୁ ନଥିଲା ତ I
ବୋଧହୁଏ ଜଣେ ଠିକ କହିଥିଲେ, "ମୃତ୍ୟୁ ସନ୍ନିକଟେ ଜୀବନ ସୁନ୍ଦର" I ସତରେ ଯଦି ସେ ଆଉ ନ ବଞ୍ଚେ !! ତାହେଲେ ଏ ସୁନ୍ଦର ଦୃଶ୍ୟପଟରୁ ତାକୁ ବି ଚିର ବିଦାୟ ନେବାକୁ ପଡିବ I ଅନାଗତ ଆଶଙ୍କାରେ ଥରି ଉଠିଲା ସେ I ଘରେ ଥିଲେ, ଏତେବେଳକୁ 'ମା' ତା ହାତ, ପାଦ ଓ ମୁଣ୍ଡ ଘଷି ଆଉଁସି ଦେଉଥାନ୍ତା; ବାପା କୁଆଡୁ ଖୋଜିଲୋଡ଼ି ଡକ୍ଟର ଓ ମେଡ଼ିସିନ ନେଇ ଆସିଥାନ୍ତେ I କେତେ ଆଦର ଯତ୍ନରେ ଥାଆନ୍ତା I କଣ ଆଉ ତାହେଲେ କାହାକୁ ଦେଖିପାରିବନି !! ଏମିତି ଅଲୋଡା ଅଖୋଜା ଭାବେ ଚାଲିଯିବ I ତା ବାପା ମାଆଙ୍କର କଣ ହେବ ଓ କିଏ ଖବରଦେବ ?? ଗୋଟେ ଅବ୍ୟକ୍ତ ଶିହରଣରେ ତା ଦେହ ମନ ଶୀତେଇ ଗଲା I ଫୋନ ଅଣ୍ଡାଳିଲା, ଫୋନରେ ଚାର୍ଜ ନାହିଁ I ଏଠି ବି ଏତେ ଭିଡ ଭିତରେ ଚାର୍ଜ କରିବାର ବି ସେପରି କୌଣସି ସୁବିଧା ନାହିଁ I ମନେ ପଡିଗଲା, ପାଖ ବେଡ଼ରୁ ଗୋଟେ ପାୱାର ବ୍ୟାଙ୍କ ପାଇଥିଲା, ସେ ବେଡ଼ ଖାଲି ହେଲାପରେ I ଏମର୍ଜେନ୍ସି ଖବର ଦେବାପାଇଁ ଏଥର ଫୋନକୁ ସେଥିରେ ଚାର୍ଜ କଲା I
ଏଥର ତାର ଅଣନିଃଶ୍ୱାସୀ ପଣ ବଢିଗଲା, ଧଇଁସଇଁ ହେବା ଆରମ୍ଭ କଲା I ବହୁତ କଷ୍ଟରେ କାହା ହାତରେ ଖବର ଦେଲା ନର୍ସିଙ୍ଗ ସେକ୍ସନକୁ I ହଠାତ ତା ଫୋନଟା ବାଜି ଉଠିଲା I ସେ "ହାଲୋ" କହିଲାବେଳକୁ ସେପଟୁ ଗୋଟେ ମୁଲାୟମ କଣ୍ଠସ୍ୱର ଭାସି ଆସିଲା..."ହାଲୋ" ମୁଁ କେୟାର ସେଣ୍ଟରରୁ ରୂପାଲି ଘୋଷ କହୁଛି, ଆପଣଙ୍କ ସ୍ୱାସ୍ଥ୍ୟ କିପରି ଅଛି ? କିଛି ଅସୁବିଧା ନାହିଁ ତ !!
ବିକଳରେ ତା ପାଟିରୁ ବାହାରିଗଲା "ମରିଯିବି ମୁଁ,..ଟିକେ ଡକ୍ଟରଙ୍କୁ ଖବର ଦିଅ" I
ସେପଟୁ ପୁଣି କଅଁଳ ସ୍ୱରରେ ଉତ୍ତରଟିଏ ଆସିଲା" ଡକ୍ଟର ଏବେ ଆସିବେ, ଆପଣ ବ୍ୟସ୍ତ ହୁଅନ୍ତୁନି I ଅଧୈର୍ଯ୍ୟ ହେବା ବେଳ ଆଦୌ ଏବେ ନୁହେଁ I ମୋ କଥା ଆପଣଙ୍କୁ ସ୍ପଷ୍ଟ ଶୁଭୁଛି ନା !! ତୁରନ୍ତ ତକିଆ ଚାଦର ଯାହା ଅଛି ଖଟ ବାଡ଼ରେ ଦେଇ ତାକୁ ଦେଇ ଆଉଜିଲା ପରି ଅଧା ଶୁଆ ଅବସ୍ଥାରେ ବସନ୍ତୁ I ଗଭୀର ନିଃଶ୍ୱାସ ନାକ ବାଟେ ନିଅନ୍ତୁ ଓ ପାଟି ବାଟେ ଟିକେ କାଶିକରି ସେ ପ୍ରଶ୍ୱାସକୁ ଛାଡ଼ନ୍ତୁ I
“ନା;...ପାରୁନି”.. I ଏଥର ତାର ଅସ୍ପଷ୍ଟ ସ୍ୱର I
ସେପଟୁ ପୁଣି କୋମଳ ନିର୍ଦ୍ଦେଶ..ଆଚ୍ଛା..!! ଆଚ୍ଛା..!! ତାହେଲେ ଛୋଟଛୋଟ ନିଃଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ ଓ ପାଟିବାଟେ "ହାଃ" କରି ଛାଡ଼ନ୍ତୁ I ପ୍ଲିଜ; ଟିକେ ଚେଷ୍ଟା କରନ୍ତୁ ନା I ଆପଣ ନିଶ୍ଚୟ ପାରିବେ I
ଛାତିରେ ଅବରୁଦ୍ଧର ଯନ୍ତ୍ରଣା ଥିଲେ ମଧ୍ୟ କେଜାଣି କାହିଁକି ଝିଅଟିର କଥାରେ ସେ ପ୍ରୟାସ କରିବା ଆରମ୍ଭ କଲା, ପ୍ରଥମେ ତ ଅସମ୍ଭବ ମନେହେଲା I କିନ୍ତୁ ବାରମ୍ବାର କଲା ପରେ ଟିକେଟିକେ କରି ପାରିଲା I ଝିଅଟିର କଥା ସେପଟୁ ଶୁଭୁଥାଏ, ପ୍ଲିଜ ଚେଷ୍ଟା ଜାରି ରଖିଥାନ୍ତୁ I ଡକ୍ଟର ଏଇନେ ଆସିଯିବେ I
ସତରେ ଡକ୍ଟର ଓ ନର୍ସ ଆସି ପହଞ୍ଚିଗଲେ I ତାକୁ ସେ ପୋଜିସନରେ ଦେଖି ଖୁସି ହେଇଗଲେ I "ଓଃ..!!ଗୁଡ...ଭେରି ଗୁଡ..ୟଙ୍ଗ ମ୍ୟାନ" I ସଙ୍ଗେସଙ୍ଗେ ତାର ଅକ୍ସିଜେନ ଲେବଲ ଚେକ କରି ଅକ୍ସିଜେନ ମାସ୍କ ଲଗେଇବା ଓ ଅନ୍ୟାନ୍ୟ ମେଡ଼ିସିନ ପାଇଁ ସିଷ୍ଟରଙ୍କୁ ନିର୍ଦ୍ଦେଶ ଦେଇଗଲେ I କିନ୍ତୁ ଅକ୍ସିଜେନ ମାସ୍କ ହିଁ ଟାଇମରେ ମିଳୁନଥିଲା I ଏହା ଭିତରେ ଦୁଇଦିନ ହୋଇଯାଇଥିଲା I ପୁଣି ଥରେ ସେ ଅଶ୍ଵସ୍ତି ଅନୁଭବ କଲା I ମନେମନେ ଭାବିଲା ଯଦି ଆଇ.ସି.ୟୁ ଓ ଭେଣ୍ଟିଲେଟରକୁ ଚାଲିଯାଏ; ତାହେଲେ ତ ଆଉ ବୋଧହୁଏ ତାର ଲେଉଟାଣି ହେଇ ପାରିବନି I କାରଣ ସେ ଜାଣୁଥିଲା ବହୁତ ଲୋକ ଏମିତି ହିଁ ଚାଲି ଯାଉଛନ୍ତି Iଆଜି ଭଲ କାଲି ମନ୍ଦ I ସେ ଝିଅ କଥା କାହିଁକି କେଜାଣି ତାର ବେଶି ମନେପଡ଼ୁଥିଲା I ଯିବା ପୂର୍ବରୁ ଯଦି ସେ..କାଶ୍..!! ତାକୁ ଥରେ ଶୁଣିପାରନ୍ତା I
ହଠାତ୍..ପୁଣି ଫୋନଟା ସେଇ ସମୟରେ ବାଜି ଉଠିଲା I "ହାଲୋ..ମୁଁ ରୂପାଲି କହୁଛି I କେମିତି ଅଛନ୍ତି ଆପଣ I ଓଃ..ଅକ୍ସିଜେନ ମାସ୍କରେ ଅଛନ୍ତି; ତଥାପି ଧଇଁସଇଁ ଲାଗୁଛନ୍ତି I ଗୋଟେ କଥା କହିବି, ଆପଣ ମାସ୍କରେ ପଛେ ରୁହନ୍ତୁ ଗୋଟେ କଥା ନିଶ୍ଚୟ କରନ୍ତୁ I ଦୁଇ ହାତର ନିଜ କାଣୀ ଆଙ୍ଗୁଠିକୁ ସିଧା ରଖି ବାକି ତିନି ଆଙ୍ଗୁଠିକୁ ନିଜ ବୁଢା ଆଙ୍ଗୁଠି ସହ ସଂଯୁକ୍ତ କରନ୍ତୁ I କିଛି ସମୟ ସେମିତି ରଖନ୍ତୁ ପ୍ଲିଜ I ବାରମ୍ବାର ହାତକୁ ସେମିତି ରଖୁଥିବେ Iଏମିତିକି ଅକ୍ସିଜେନ ମାସ୍କ କାଢି ସରିଲା ପରେ ବି ଏହି ମୁଦ୍ରାକୁ ଜାରି ରଖିବେ I ହୁଏତ ସମୁଦ୍ରକୁ ଶଙ୍ଖେ ପଛେ ହେଉ, କିନ୍ତୁ ଆପଣଙ୍କ ଅବସ୍ଥାକୁ ସୁଧାରିବାରେ କିଛି ମାତ୍ରାରେ ତ ସାହାଯ୍ୟ କରିବ I ଆଦୌ ନିରାଶାବାଦୀ ହେବେନି " I କାହିଁକି କେଜାଣି ତା କଥା ଅଣଶୁଣା କରିବାକୁ ଇଚ୍ଛା ହେଲାନି I ଗହନ ନିରାଶା ଭିତରେ ଆଖି କୋଣରେ ଜୀବନର ଆଶା ବିନ୍ଦୁ ଟିକକ ଯେମିତି କେଉଁଠି ଚକଚକ କରି ଉଠିଲା I
ଦୁଇଦିନ ଅର୍ଦ୍ଧଚେତନ ଭାବେ ଭେଣ୍ଟିଲେଟରରେ ରହିଲା ପରେ ପୁଣି ଥରେ ୱାର୍ଡକୁ ଫେରିଲା I ନର୍ସ କହୁଥିଲା ସେ କୋଉଠି ସେମିତି ହାତକୁ ମୁଠେଇ ରଖିଥିଲା ଦୁଇଦିନ I ଖୁବ ଦୁର୍ବଳ ଥିଲା I ପୁଣି ଫୋନ ଆସିଲା, ବଳ ପାଉ ନଥିଲେ ବି ଧରିବାର ମୋହକୁ ଛାଡି ପାରିଲାନି I ବୋଧହୁଏ ଆଗର ଅନିଶ୍ଚିତ ଅନ୍ଧକାର ଭିତରେ ସେଇ ଗୋଟିଏ ଫୋନ କଲ ହିଁ ତା ପାଇଁ ଆଶାର ସୁନେଲି ବିନ୍ଦୁଟିଏ ଥିଲା I "ଆପଣ ଏବେ କେମିତି ଅଛନ୍ତି I ମୁଁ କହିଥିବା ମୁଦ୍ରା ପ୍ରାକ୍ଟିସ କରୁଛନ୍ତି ନା ..!! ଏତେ ହତାଶାବୋଧ ଓ ଦୁର୍ବଳତା କାହିଁକି ଆପଣଙ୍କର ସ୍ୱରରେ, ଯେତେବେଳେ କି ନିଜ ଜୀବନ ଯୁଦ୍ଧ ଆପଣ ନିଜେ ଏକା ହିଁ ଏ ପର୍ଯ୍ୟନ୍ତ ଲଢ଼ୁଛନ୍ତି I ଆଉ ନିଃଶ୍ୱାସ ଥାଉଥାଉ ବିଶ୍ୱାସ ହାରିଯିବା ଜୀବନ ନୁହେଁ ବନ୍ଧୁ, ହାରିବା ବାଜିକୁ ବିଶ୍ୱାସ ବଳରେ ଜିତିବାକୁ ହିଁ ଜୀଇଁବାର କଳା କୁହାଯାଏ I" ଲିଭି ଆସୁଥିବା ନିଷ୍ପ୍ରଭ ସ୍ପୁଲିଙ୍ଗ ପୁଣି ଯେମିତି ଜାଜ୍ଜୁଲ୍ୟମାନ ହୋଇ ଯାଇଥିଲା ତା ମନରେ I ବଞ୍ଚିବାର ଦୁର୍ବାର ମୋହଟେ ପୁଣି ଜାଗି ଉଠିଲା I ବହୁତ ଚେଷ୍ଟାକଲା ନିଜକୁ ସ୍ଥିର ଓ ଶାନ୍ତ ରଖିବାକୁ I "ସେ ପଟୁ ସେମିତି କଥା ଭାସି ଆସୁଥାଏ, ମତେ କାହିଁକି ଲାଗୁଛି ଆପଣ ବ୍ରିଦିଙ୍ଗ ଏକ୍ସରସାଇଜ କରୁ ନାହାନ୍ତି କି ମୁଦ୍ରା ପ୍ରାକ୍ଟିସ ଠିକ ସେ କରୁ ନାହାନ୍ତି I ଠିକ୍ ନା..!!”
"ବହୁତ କଷ୍ଟରେ ଧୀର ସ୍ଵରରେ ସେ କହିଲା, "ଆପଣ ମତେ ଟିକେ ଦେଖେଇ ଦିଅନ୍ତୁ ନା..!!"I
ଏଥର ଝିଅଟି କିଛି ସମୟ ପାଇଁ ଚୁପ ହୋଇଗଲା I ସେ ଭାବିଲା; ଝିଅଟି ଫୋନ ଏଥର କାଟିଦେବ ବୋଧହୁଏ ତାର ଏ ଧୃଷ୍ଟତା ପାଇଁ I କିନ୍ତୁ ଆଶ୍ଚର୍ଯ୍ୟ କରି ତା ପାଖକୁ ଭିଡିଓ କଲ ଆସିଲା I କହାରା ବାଳ, ଗଭୀର ଆଖି, ସ୍ମିତ ହସ ଓ ମାର୍ଜିତ ଚେହେରାର ଗହମରଙ୍ଗୀ ଝିଅଟେ ଆଖି ଆଗରେ ଉଭା ହେଲା I ବିନା କିଛି ଉପକ୍ରମଣିକାରେ କହି ଉଠିଲା ଦେଖନ୍ତୁ ମୁଁ ଯେମିତି ଦେଖଉଛି, ଆପଣ ସେମିତି ହିଁ କରିବାକୁ ଚେଷ୍ଟା କରିବେ I ଆପଣ ଖୁବ ନିରାଶାବାଦୀ I କିନ୍ତୁ..ମନେରଖନ୍ତୁ; ଜୀବନ ବହୁତ ମହାର୍ଘ, ବୋଧହୁଏ ବଞ୍ଚିଥିଲାବେଳେ ଲୋକେ ଏ କଥା ବୁଝିପାରନ୍ତିନି I ଯାଆନ୍ତୁ ଆପଣଙ୍କଠାରୁ ବି ଖରାପ ଅବସ୍ଥାରେ ଥିବା ଆପଣଙ୍କ ଆଖପାଖ ବେଡ଼ରେ ପଡିଥିବା ମୁମୂର୍ଷୁ ବ୍ୟକ୍ତିଙ୍କ ପାଖକୁ I ତାଙ୍କ ଆଖିରେ ଦେଖିପାରିବେ ଜୀବନ ଜୀଇଁ ନ ପାରିବାର ଅବଶୋଷକୁ I ସବୁ ପ୍ରତିକୂଳ ପରିସ୍ଥିତିରେ ନିଜ ମନୋବଳକୁ ଦୃଢ଼ କରି ଲଢ଼ିବା ହିଁ ସଫଳତାର ପ୍ରଥମ ସିଡି I ଲଢିବା ଆଗରୁ ଅସ୍ତ୍ର ଛାଡିଦେଲେ କି ଲଢେଇ ଲଢ଼ି ହେବ I ଜୀବନର ପ୍ରତ୍ୟକ ପାଦ ଆଗକୁ ବଢିବା ସହ ମୃତ୍ୟୁ ବି ଛାଇ ପରି ଗୋଡାଇଥାଏ, ତାବୋଲି କଣ କିଏ ବଞ୍ଚିବା ଛାଡିଦିଏ I ଆଉ ମନେରଖନ୍ତୁ; ଈଶ୍ୱରଙ୍କ ଅଶେଷ କୃପା ଆପଣଙ୍କ ଉପରେ I ଆପଣ ଦ୍ଵିତୀୟ ଜୀବନ ଲଭିଲେ I ତେଣୁ ଏହି ସମୟରେ ଯାହା ଅନୁଭୁତି, ତାଙ୍କୁ କାର୍ଯ୍ୟରେ ନିଶ୍ଚୟ ଲଗେଇବେ I ଆପଣଙ୍କ ପରି ଅନେକ ରୋଗର ପ୍ରଭାବରେ ଥାଇ ଅସହାୟ ଓ ହତାଶାବୋଧର ଶିକାର ହୋଇ ମରଣର ନିକଟତର ହେଉଛନ୍ତି I ସାହାଯ୍ୟ ସହଯୋଗ ଦେଇ ସେମାନଙ୍କ ମନରେ ଅନ୍ତତଃ ଜୀବନର ଉର୍ଜା ଭରିଦେବେ I ଦେଖିବେ କାହା ଲିଭି ଯାଇଥିବା ଓଠର ହସ ଟିକକ ଆପଣ ନିତି ସକାଳୁ ଦେଖୁଥିବା ଫୁଲଠାରୁ ବି ଅଧିକ ସୁନ୍ଦର ଓ ପ୍ରଶାନ୍ତିମୟ ମନେହେବ I ଆଉ ଗଲାବେଳେ ପାୱାର ବ୍ୟାଙ୍କଟା ଛାଡ଼ିଦେଇ ଯିବେ I ଆପଣଙ୍କ ପରି ଆଉ କାହାର ଦରକାରରେ ହୁଏତ ଆସିପାରେ I ବେଶିସମୟ କଥା ହେବାକୁ ଅନୁମତି ନାହିଁ I ରଖୁଛି I ଗେଟ ୱେଲ ସୁନ I କହି ସ୍ୱଳ୍ପ ହସି ଫୋନଟା କାଟିଦେଲା I
ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲା ରୂପାଲିର କଥା I କଷ୍ଟ ଯନ୍ତ୍ରଣା ନିଃସଙ୍ଗତା କୁଆଡେ ଭୁଲିଯାଇଥିଲା ଏ ଭିତରେ I ଜୀବନଟା ପୁଣି ଥରେ ମହୁମୋହ ପରି ଲାଗିବା ଆରମ୍ଭ କରିଥିଲା I କିନ୍ତୁ ଭୁଲିଯାଇଥିଲା, ତାର ଆଡ୍ରେସ, ଏଫ.ବି. ଓ ଇନଷ୍ଟା ଆକାଉଣ୍ଟର ନାଆଁ ଓ ନମ୍ବର ପଚାରିବାକୁ I ଖାଲି କୌତୂହଳ ଯୋଗୁ ରୂପାଲିର ସ୍କ୍ରିନସର୍ଟ ହିଁ ଯାହା ନେଇପାରିଥିଲା I ସ୍ଥିର କରିଥିଲା, ନେକ୍ସଟ ଥର ବେଳକୁ ସବୁ ବୁଝିବ ତାଠାରୁ I ଦିନପରେ ଦିନ ବିତିଗଲା; କିନ୍ତୁ ଆଉ ଫୋନ ଆସିଲାନି I ତାର ସ୍ୱାସ୍ଥ୍ୟ ଅବସ୍ଥା ବି ଧିରେଧିରେ ସୁଧୁରି ଆସିଲା I କିନ୍ତୁ ତା ମନରେ ସବୁବେଳେ ଗୋଟେ ପ୍ରଶ୍ନ ଉଙ୍କି ମାରୁଥିଲା ଯେ ସେ ପାୱାର ବ୍ୟାଙ୍କ କଥା କେମିତି ଜାଣିଲା ? କଣ ସିସିଟିଭିରେ ସେ ତାକୁ ଫଲୋ କରୁଥିଲା !! ତା ଦେହ ଅଜଣା ଆବେଗରେ ରୋମାଞ୍ଚିତ ହେଇଗଲା I
ଶେଷକୁ ଯିବା ପୂର୍ବରୁ ନିଶ୍ଚିତ କଲା, ରୂପାଲିକୁ..!! ତା ପ୍ରାଣଦାତ୍ରୀକୁ କେୟାର ସେଣ୍ଟରରେ ଯେମିତି ହେଲେ ଦେଖା କରିକି ଯିବ I ନ ଚିହ୍ନିଲେ, ପଛେ ଚିହ୍ନା ଦେଇକି ଯିବ I ସେ ୱାର୍ଡର ନର୍ସିଙ୍ଗ ସେକ୍ସନକୁ ଗଲା; କେୟାର ସେଣ୍ଟର କେଉଁଠାରେ ବୋଲି ଜାଣିବାକୁ I ସେମାନନଙ୍କ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହେଲା, ସେମାନେ କହିଲେ ଏପରି କିଛି ହେଲ୍ପ ଡେସ୍କ ନାହିଁ ଏଠି I ଅଫିସ ଆଡ଼ମିସନ ସେକ୍ସନକୁ ଗଲା ଆସିଲା, ସେଠି ବି ନିରାଶାର ଉତ୍ତର I ସେ ବିଶ୍ୱାସ କରି ପାରିଲାନି, ଏମିତି କେମିତି ସମ୍ଭବ I ତା ମୁଣ୍ଡ ଚକର କାଟିଲା I ଏମାନେ କଣ କିଛି ଲୁଚଉଛନ୍ତି..!! ରୂପାଲି କଣ ଆଉ କୋଉ କନଫିଡେନ୍ସିଆଲ ସେକ୍ସନରେ କାମ କରୁଛି I ବହୁତ ଖୋଜିଲା ପରେ ବି ଉତ୍ତରରେ ନିରାଶା ହିଁ ହାତରେ ଲାଗିଲା I
ଶେଷରେ ସେ କୋଭିଡ ୱାର୍ଡ ଛାଡିବା ପୂର୍ବରୁ ରୂପାଲି କଥା ଅନୁସାରେ ସେ “ପାୱାର ବ୍ୟାଙ୍କ”ଟା ନର୍ସିଙ୍ଗ ସେକ୍ସନରେ ଡିପୋଜିଟ କରିବାକୁ ଗଲା I ଜଣେ ପରିଚିତ ନର୍ସ ଆଶ୍ଚର୍ଯ୍ୟ ହୋଇ ତା ହାତରୁ ସେ ପାୱାର ବ୍ୟାଙ୍କ ନେଇ ତାକୁ ପଚାରିଲା " ଏ ପାୱାର ବ୍ୟାଙ୍କ ତ ତା ଜାଗାରେ ରହିବା କଥା; ଆପଣଙ୍କ ପାଖକୁ କେମିତି ଆସିଲା ?? ମାନେ...!! (ଏକ କ୍ଷୀଣ ଆର୍ତ୍ତନାଦ) I ଏଇଟା ତ ସେଇ ଝିଅର !! କଣ ଟି ତା ନାଁ I ତା ପାଟିରୁ ବାହାରି ପଡିଲା "ରୂପାଲି...ରୂପାଲି ଘୋଷ" I ହଁ...ହଁ...ଠିକ୍ I
ଦେଖନ୍ତୁ ନା ଏଇ ଝିଅ ନୁହେଁ ତ I ସ୍କ୍ରିନ ସଟ ଫଟୋଟା ଦେଖେଇଲା I ଆଶ୍ଚର୍ଯ୍ୟ; ଫଟୋ ଟା ଅନେକ ଝାପ୍ସା ହେଇ ଯାଇଥିଲା; ତେଣୁ ଠିକରେ ଚିହ୍ନି ହେଲାନି I ଶେଷକୁ ନର୍ସକୁ ବହୁତ କରି ଅନୁରୋଧ କରିବାରୁ ସେ ତାର ଫାଇଲ ଫଟୋ ଦେଖେଇଲା I ଆଶ୍ଚର୍ଯ୍ୟ ଓ ଖୁସିରେ ତା ଆଖି ବିସ୍ଫାରିତ ହେଇଗଲା I.. ହଁ..! ଏଇ ତ ତାର ରୂପାଲି; ଯାହାକୁ ସେ ଗଲା କିଛିଦିନ ଧରି ଭେଟୁଥିଲା ମୃତ୍ୟୁ ସଞ୍ଜିବନୀ ଭାବେ ତା ଚେତନ ଓ ଅର୍ଦ୍ଧ ଚେତନରେ I
ତା ଆଡ୍ରେସ ମାଗିଲା ତାକୁ ଭେଟିବା ପାଇଁ I ନର୍ସ ଏଥର ବଲବଲ ହୋଇ ଚାହିଁଲା ତା ମୁହଁକୁ I କହିଲା ଯିଏ ନାହିଁ; ତାକୁ ଭେଟିବେ କେମିତି I ମାନେ...ଏ..ଏ..!! " ମାନେ ସେ ଆଜିକୁ 4 ମାସ ତଳେ ସେଇ ପାଖ ବେଡ଼ରେ ନିଜ ଶେଷ ନିଃଶ୍ୱାସ ତ୍ୟାଗ କରିଛି ସେ I ଆୟୁଷ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ସେ ଏକ ସାମାଜିକ କର୍ମୀ I ଜଣେ କୋଭିଡ ଯୋଦ୍ଧା I ଏଇ ପାୱାର ବ୍ୟାଙ୍କଟା ତାର; ନିଜେ ଅସୁସ୍ଥ ଥାଇ କି ବି ବୁଲିବୁଲି ପାଖ ଲୋକଙ୍କୁ ସାହାଯ୍ୟ ସହଯୋଗ ଓ ମନୋବଳ ବଢଉଥିଲା I ଦୁର୍ଭାଗ୍ୟ ଯେ ସମସ୍ତଙ୍କୁ ବଳ ଦେଉଥିବା ସୁନ୍ଦର ଝିଅଟି କିନ୍ତୁ ନିଜ ଜୀବନ ଯୁଦ୍ଧ ହାରି ଯାଇଥିଲା I କିନ୍ତୁ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିଥିଲା I ତାକୁ ଆମେ କେବେ ଭୁଲିପାରିବୁନି I ସେ ହିଁ ଏଇ ପାୱାର ବ୍ୟାଙ୍କର ମାଲିକାଣି, ତାର ସେ ଖଟରେ ଛାଡି ଯାଇଥିଲା, କାଳେ କାହାର କାମରେ ଆସିବ ଭାବି I ଆଉ ସେହି ଦିନଠାରୁ ତାହା ସେ ଖଟ ପାଖରେ ହିଁ ରହୁଛି I
ସେ ନିର୍ବାକ୍ ଥିଲା; ପୁଣି ଥରେ ତା ମୋବାଇଲରୁ ସେ ଫଟୋଟିକୁ କାଢିଲା I ଫଟୋ ନ ଥିଲା ତ; ଥିଲା ଖାଲି କିଛି ଝାପ୍ସା ରଙ୍ଗର ସମାହାର I ତା ମନରେ ରହିରହି ପ୍ରତିଧ୍ଵନିତ ହେଉଥିଲା ସେଇ ଦୁଇ ପଦ କଥା " ଆଉ ଗଲାବେଳେ ପାୱାର ବ୍ୟାଙ୍କଟା ଛାଡ଼ିଦେଇ ଯିବେ I ଆପଣଙ୍କ ପରି ଆଉ କାହାର ଦରକାରରେ ହୁଏତ ଆସିପାରେ I ଯେତେ ସମ୍ଭବ ସାହାଯ୍ୟ ସହଯୋଗ ଦେଇ ସେମାନଙ୍କ ମନରେ ଅନ୍ତତଃ ଜୀବନର ଉର୍ଜା ଭରିଦେବେ I ଆପଣଙ୍କ ଅନୁଭୁତିକୁକୁ କାର୍ଯ୍ୟରେ ଲଗେଇବେ I ଦେଖିବେ କାହା ଲିଭି ଯାଇଥିବା ଓଠର ହସ ଟିକକ ଆପଣ ସକାଳୁ ଦେଖୁଥିବା ଫୁଲଠାରୁ ବି ଅଧିକ ସୁନ୍ଦର ଓ ପ୍ରଶାନ୍ତିମୟ ମନେହେବ I"
ଇସ୍..ପ୍ରତିଦିନ ସେ ଭୋରୁ ଝରକା ଫାଙ୍କରୁ ଦେଖୁଥବା ଗଛ ପତ୍ର ଫୁଲ !! ତାହେଲେ ରୂପାଲି କଣ ତା ପାଖେ,ତା ପାଖେ ଥିଲା !! ସବୁ ଜାଣୁଥିଲା, ସବୁ ଦେଖୁଥିଲା I
ବ୍ୟାଗଟା କାନ୍ଧରେ ପକେଇ ହସ୍ପିଟାଲ ବାହାରକୁ ବାହାରିଲା I ନୂଆ ଜୀବନଟେ ପାଇଥିଲା I ବହୁତ ଦିନପରେ ଦେହକୁ ଶିରିଶିରି ପବନଟା ଛୁଉଁଥିଲା I ଆକାଶକୁ ଚାହିଁଲା ରୂପା ଥାଳି ପରି ଜହ୍ନ ପଡିଥିଲା;...ନା ନା ତା ଉଆଁସୀ ରାତିରେ ରୂପାଲି ହିଁ ଜହ୍ନ ପାଲଟିଯାଇଥିଲା I ହସହସ ମୁହଁରେ ସତେ ଯେମିତି ପ୍ରତିଶ୍ରୁତି ଦେଉଥିଲା, ଏଣିକି ସବୁ ରାତି ତାର ଜହ୍ନ ରାତି ହେବ I
