Bindu Nibedita

Tragedy

3.4  

Bindu Nibedita

Tragedy

ଝଡର ନାଁ - COVID -19

ଝଡର ନାଁ - COVID -19

11 mins
171


ଜାନୁଆରି ର ଏକ ଶୀତୁଆ ସକାଳ; ମାର୍କୋ ଆଣ୍ଟନିଓ ଓ ଷ୍ଟେଲା ବର୍ଣ୍ଣି ସାମନା ସାମନି ବସିଥିଲେ I ମାର୍କ ତାକୁ ବୋଧ ଦେଉଥିଲା "ଡୋଣ୍ଟ ୱରି ଷ୍ଟେଲା..ଏଭ୍ରିଥିଙ୍ଗ ୱିଲ ବି ଅଲରାଇଟ" I ମିଲାନର ସାନ୍ ରାଫେଲସ୍; ସବୁପ୍ରକାର ଚିକିତ୍ସା ସୁବିଧା ଥାଇ ନାମଜାଦା ହସ୍ପିଟାଲ I ଏକର ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ସୁଦୃଶ୍ୟ କୋଠା ସବୁ I ବିରାଟ ହତା, ବିରାଟ ଲନ ଓ ମର୍ଡନ କାରିଗରି ଓ ସବୁ ପ୍ରକାର ସୁଖ ସୁବିଧାରେ ଭରା ଆରାମ ଦାୟକ ଲବି I ସେମିତି ଏକ ଲବିରେ ବସି ମାର୍କୋ...ଷ୍ଟେଲାକୁ ବୁଝାଉଥିଲା I ଖୁବ ଲମ୍ବା ଡେଟିଙ୍ଗ ପରେ ଦୁଇଜଣ ଏବେଏବେ ବାହା ହେଇଥିଲେ; ଜଷ୍ଟ ନିୟୁଲି ମ୍ୟାରେଡ କପଲ ତେଣୁ ଜୀବନକୁ ଖୁବ ଉପଭୋଗ କରୁଥିଲେ I ତେଣୁ ଯାହା ହେବାକଥା ହେଇଥିଲା ଷ୍ଟେଲା ପ୍ରେଗନାଣ୍ଟ ଥିଲା ଓ ଏହି ଅନୱାଣ୍ଟେଡ ପ୍ରେଗନାନ୍ସିରୁ ମୁକ୍ତି ପାଇବାକୁ ସେମାନେ ହସ୍ପିଟାଲ ଆସିଥିଲେ I ଷ୍ଟେଲା ଜଣେ ପ୍ରତିଷ୍ଠିତ ଇଭେଣ୍ଟ ମ୍ୟାନେଜର ଥିଲାବେଳେ ମାର୍କୋ ଆଣ୍ଟନିଓ ଥିଲା ମିଲାନର ଏକ ବିରାଟ ପଞ୍ଚତାରକା ହୋଟେଲ ଲା-ମେରିଦିଆନ ର ପି.ଆର. ମ୍ୟାନେଜର ଓ ଏହାସହ ଉଭୟ ଥିଲେ ସୋସିଆଲ ଆକ୍ଟିଭିଷ୍ଟ I ନିଜ ନିଜ କ୍ୟାରିଅର,ପାର୍ଟି..ମିଟିଙ୍ଗସ ଓ ଅବସର ବିନୋଦନରେ ସେମାନଙ୍କ ସମୟ କଟିଯାଉଥିଲା I ତେଣୁ ଏଥିରୁ ଜଲଦି ଫିଟିଲେ ଯେ ଯାହା କାମକୁ ଫେରିବେ I ଯାହାହେଉ ଡକ୍ଟର ପିଟ ଜୋ ଙ୍କ ବୁଝାଶୁଝା ପରେ ସବୁକିଛି ସୁରୁଖୁରୁ ରେ ହୋଇଗଲା ।


ବିରାଟ କନଭେନ୍ସନ, "ଇଟାଲୀ ୱେଲକମ ଇଣ୍ଟରନାସନାଲ କଲ୍ଚରାଲ ଆଣ୍ଡ ଟୁରିଜିମ ଫେଷ୍ଟ" I ମାର୍କୋ ଓ ଷ୍ଟେଲା ଉଭୟ ଖୁବ ବ୍ୟସ୍ତ ଉତ୍ସବର ସଫଳ ସମ୍ପାଦନା ପାଇଁ I ହୋଟେଲ ରୁମ ସବୁ ଖଚାଖଚ ଭର୍ତ୍ତି I ବହୁ ବିଦେଶୀ ପ୍ରତିନିଧିଙ୍କ ସହ କିଛି ଚାଇନିଜ ପ୍ରତିନିଧି ମଧ୍ୟ ଉପସ୍ଥିତ Iଏହି ମୌକାରେ ସେମାନେ ସବୁ କଥାରେ ଛିଙ୍କୁଥିବା ସେହି ସୋ କଲଡ ଦକ୍ଷିଣପନ୍ଥୀଙ୍କୁ ଦେଖାଇଦେବାକୁ ଚାହୁଁଥିଲେ ଯେ ଛୁଇଁଦେଲେ ରୋଗ ବ୍ୟାପେନି, ଛୁଇଁଦେଲେ ପ୍ରେମ ବ୍ୟାପେ I କାରଣ ନର୍ଦନ ଇଟାଲୀରେ ପ୍ରାରମ୍ଭ ହୋଇଥିବା "ହଗ୍-ଏ-ଚାଇନିଜ" କ୍ୟାମ୍ପେନର ସେମାନେ ଥିଲେ ବଡ଼ ସମର୍ଥକ I ସୁଯୋଗକୁ ହାତଛଡା ନ କରି ସେମାନଙ୍କ ସହ ବିଭିନ୍ନ ଆଡଭରଟାଇଜମେଣ୍ଟ ପୋର୍ଟଫୋଲିଓ ସୁଟ ଆରମ୍ଭ କଲେ ଓ ସୋସିଆଲ ମେଡିଆରେ ଛାଡିଲେ ଓ ବହୁତ ବାଃ..ବାଃ..ବି ସାଉଣ୍ଟିଲେ I


ଗାଡ଼ିରେ ଫେରିଲାବେଳେ ଷ୍ଟେଲା ପଚାରୁଥିଲା ମାର୍କୋକୁ "ଆମ ପୋଷ୍ଟ ଦେଖି କିଛିଙ୍କ ମଧ୍ୟରେ ନିଶ୍ଚୟ ଭାବାନ୍ତର ସୃଷ୍ଟି ହେଇଥିବ, ନୁହେଁ ମାର୍କୋ"…!! ହ୍ୱାଏ ନଟ ଷ୍ଟେଲା, ମାର୍କୋ ଉତ୍ତରଦେଲା I ଲୁକ ମାର୍କୋ..!! ଜଣେ କଣ ଲେଖିଛି : ନିଆଁକୁ ଅଣ୍ଟିରେ ପୁରେଇ ଯଦି ନିଜକୁ ସୁରକ୍ଷିତ ଭାବୁଥାଅ, ତାହେଲେ ସବୁଠୁ ବଡ଼ ବୋକାମି ତୁମର I ନିଜ ସହ ସମସ୍ତଙ୍କୁ ବି ବିପଦକୁ ଟାଣିବ I ହ୍ୱାଟ ଏ ରବିଶ, ବ୍ଲଡି ପେସିମିଷ୍ଟ…ଜେଲସ୍..!! ଷ୍ଟେଲା ଗୁଣୁଗୁଣେଇଲା ନିଜ ଭିତରେ I

ଏତେ ଡେରି କରିଦେଲ ତୁମେମାନେ,…ମା ଆଞ୍ଜେଲିଆ କବାଟ ଖୋଲୁ ଖୋଲୁ ବିବ୍ରତ ହୋଇ ପଚାରିଲେ I ହଁ ମମ; ଗୋଟେ ମିଟିଙ୍ଗ ଥିଲା ଓ ତା ସହିତ ପୁଣି କିଛି ଚାଇନିଜ ଡେଲିଗେଟସ ସଙ୍ଗେ ଫଟୋସୁଟ; ତେଣୁ ଟିକେ ଡେରି ହେଇଗଲା I ଚାଇନିଜ ଲୋକଙ୍କ ସହ ଫଟୋସୁଟ…!! ସେ ଟିକେ ବିବ୍ରତ ଦେଖାଗଲେ I କଣ ହେଲା ମମ, କଣ କରୋନା ଭାଇରସ ଆକ୍ରାନ୍ତ ହେଇଯିବ ବୋଲି ଭାବୁଛ କି !! ମାର୍କୋ ଉତ୍ତରଦେଲା I ଷ୍ଟେଲା ହସିକି କହିଲା, ଲୁକ ମମ..!! କିଛିଦିନ ତଳେ ତୁମକୁ ଯେଉଁ ଜର-ଥଣ୍ଡା ହେଇଥିଲା, କଣ କରୋନା ଭାଇରସ ଯୋଗୁ ହେଇଥିଲା !! ନୁହେଁ ନା..!! ସବୁ କୋଲଡ, ଫ୍ଲୁ କି ଇନଫ୍ଲୁଏଞ୍ଜା ତ କରୋନା ଭାଇରସ ଆକ୍ରାନ୍ତ ନୁହେଁ ନା, ଯେତେସବୁ ଅଯଥା ଡର I ହଗ…କଲେ ବନ୍ଧୁତା ବଢେ ଭାଇରସ ନୁହେଁ; ସୋ ବି କୁଲ ମମ; ଚିନ୍ତା ନ କରିକି ଯାଅ ଶାନ୍ତିରେ ଶୋଇବ I


ଡାର୍ଲିଙ୍ଗ ଆଜି ଆମର ସେଲିବ୍ରେସନ ଡେ I ଷ୍ଟେଲାକୁ ପାଖକୁ ଭିଡ଼ି ଆଣିକି ନାକରେ ନାକ ଘଷି ମାର୍କୋ କହିଲା I ନାଇଁ ମାର୍କୋ ଆଜି ନୁହେଁ ; ଆଜି ବହୁତ ଟାୟାର୍ଡ଼ ଫିଲ ହେଉଛି I ଆଗ ଟିକେ ରେଷ୍ଟ ନେଇଯିବା I ଏମିତିରେ ବି ମୁଁ କଣ କୁଆଡେ ପଳେଇଯାଉଛି, ନୁହେଁ ନା..!! ଆଖିକି ନଚେଇ ଷ୍ଟେଲା କହିଲା I

ସେଦିନ ଥାଏ ସଣ୍ଡେ ଆଫଟରନୁନ, ଗୋଧୂଳି ବେଳା I ବାଲ୍କୋନିରେ ଷ୍ଟେଲା ତାର ଅଳସ ଦେହକୁ ରେକଲାଇନରରେ ଲୋଟେଇ ଦେଇଥାଏ I ଡ଼ିଅର ଏ କପ...କ୍ୟାପୁସିନୋ ପ୍ଲିଜ I ଇଟସ ରେଡି ଡାଁର୍ଲିଙ୍ଗ, ଜଷ୍ଟ କମିଙ୍ଗ I ମାର୍କୋ ହାତରେ ଦୁଇ କପ କ୍ୟାପୁସିନୋ ଧରି ଷ୍ଟେଲାକୁ ଗୋଟେ କପ ବଢ଼େଇଦେଇ କହିଲା ପିଇଦେଲେ ଆଗପରି ଚୁସ୍ତିଫୁର୍ତ୍ତି ଲାଗିବ I ନାଇଁ...ନାଇଁ...ଆଉ 4/5 ଘଣ୍ଟା ବାଥ ଟବରେ ବୁଡ଼ିଥିଲେ ଦେହ ଟା ପୁରା ଠିକ ହୋଇଯାଇଥାନ୍ତା, ନୁହେଁ..!!ଷ୍ଟେଲା ଓଠ ଚାପିକି ମାର୍କୋ କୁ କହିଲା I ଉଭୟ ଉଭୟଙ୍କୁ ଦେଖିକି ଫକ କରି ହସିଦେଲେ I


ମମ କାହିଁ ଷ୍ଟେଲା..!! ମାର୍କୋ ପଚାରିଲା I ଚର୍ଚ୍ଚ ଯାଇଛନ୍ତି I କିନ୍ତୁ ଏମିତି ଫ୍ଲୁ ଓ ଫିଭରରେ କଣ ଚର୍ଚ୍ଚ ଯିବା ଜରୁରୀ ଥିଲା I ସେ ଟିକେ ବ୍ୟସ୍ତ ଜଣା ପଡିଲା I ସେ ମେଡ଼ିସିନ ଖାଇଛନ୍ତି; ସୋ ଡୋଣ୍ଟ ୱରି I ଷ୍ଟେଲା ଉତ୍ତର ଦେଲା I ହଠାତ ଷ୍ଟେଲା ଚିତ୍କାର କରିଉଠିଲା "ଲୁକ..ଲୁକ ମାର୍କୋ; ହ୍ୱାଟ..ସି ଇଜ ଡୁଇଁଙ୍ଗ...ହାଓ ସି କୁଡ ବିହେଭ ଲାଇକ ଦିସ..!! ଓଃ ମାଇ ଗଡ଼; ସି ଇଜ ଜଷ୍ଟ ସ୍ପ୍ଳିଟିଙ୍ଗ ଅନ ଦ ଫ୍ରୁଟ ବାସ୍କେଟ I ଇସାରାରେ ଟିଭି ଆଡକୁ ଦେଖେଇଦେଲା I ମାର୍କୋ ବୁଲିକି ଚାହିଁଲା ଟେଲିଭିଜନ ପର୍ଦ୍ଦାକୁ; ସପିଙ୍ଗ ମଲରେ ଗୋଟେ ସ୍ତ୍ରୀ ଲୋକକୁ ପୋଲିସ ଧରିଛି; ପଛରେ ଦୃଶ୍ୟମାନ ହେଉଥିଲା ଯେ ସ୍ତ୍ରୀ ଲୋକଟି କେହି ନଥିବାର ସୁଯୋଗ ନେଇ ମୁହଁରୁ ମାସ୍କ ଖୋଲି ଫ୍ରୁଟ ବାସ୍କେଟ ଉପରେ ଥୁକୁଛି I ସେ ଆଶ୍ଚର୍ଯ୍ୟ ହେଇଗଲା ଇଏ ତ ସେଇ ଝିଅ ଯାହାକୁ ସେଦିନ ସେ ହୋଟେଲ ରେ ଦେଖିଥିଲା I ତଦନ୍ତରୁ ଜଣା ପଡିଲା ସେ ଜଣେ ଚାଇନିଜ ନ୍ୟାସନାଲ I ମନରେ ଏଥର ଏକ ଅଜଣା ଆଶଙ୍କା ଉଙ୍କି ମାରିଲା, କିନ୍ତୁ କାଳେ ଷ୍ଟେଲା ଭୟ ପାଇଯିବ ଭାବି କିଛି କହିଲାନି I ଦୁହିଁଙ୍କ ମନରେ ଶଙ୍କା କିନ୍ତୁ ଶିମିଳି ତୁଳା ପରି ଏ ମନକୁ ସେ ମନ ଉଡି ବୁଲୁଥିଲା I


କାଇଁ ମେଡ଼ିସିନରେ ଟେମ୍ପରେଚର କମୁନି ତ ମାର୍କୋ I ଚେଷ୍ଟ କଞ୍ଜେସନ ଯୋଗୁ ତାଙ୍କୁ କଷ୍ଟ ହେଉଛି; ହସ୍ପିଟାଲ ନେଇଯିବା I ଆଞ୍ଜେଲିଆଙ୍କୁ ଧରି ତୁରନ୍ତ ସାନ୍ ରାଫେଲସ୍ ହସ୍ପିଟାଲ ପହଞ୍ଚିଗଲେ I ଡକ୍ଟର ତାଙ୍କର କେସ ହିଷ୍ଟ୍ରି ଜାଣିଲାପରେ ତାଙ୍କୁ ସଙ୍ଗେ ସଙ୍ଗେ ଆଇ.ସି.ୟୁ ରେ ଆଡମିଟ କଲେ I ଏହାଭିତରେ ଏହା ପ୍ରମାଣିତ ହେଇ ସାରିଥାଏ ଯେ କରୋନା ଭାଇରସ ମଣିଷରୁ ମଣିଷକୁ ସଂକ୍ରମିତ ହୁଏ ଓ ଜଣେ ଚାହିଁଲେ ହଜାର ହଜାର ଲୋକଙ୍କୁ ବି ଅକ୍ଳେଶରେ ସଂକ୍ରମିତ କରିପାରିବ I ଇଟାଲୀର ନିଦ ଏବେ ଏବେ ଭାଙ୍ଗିଥିଲା, ତେଣୁ ବାରମ୍ବାର ଆନାଉଁସମେଣ୍ଟ ହେଉଥାଏ ସୋସିଆଲ ଡିଷ୍ଟାନସିଙ୍ଗ ବା ସାମାଜିକ ଦୂରତ୍ୱ ବଜେଇ ରଖିବା ପାଇଁ I ଆଞ୍ଜେଲିଆଙ୍କର COVID-19 ଟେଷ୍ଟ କରାଗଲା I ମାର୍କୋର ଦୃଢ଼ ବିଶ୍ୱାସ ଥାଏ ଯେ ରିପୋର୍ଟ ନିଶ୍ଚୟ ନେଗେଟିଭ ଆସିବ I କାରଣ ସେ କାହା ସହିତ ମିଶି ନ ଥିଲେ I ତା ପରଦିନ ରିପୋର୍ଟ ଆସି ବି ଗଲା, କିନ୍ତୁ ସବୁ ଆଶ୍ୱାସନା ଓ ଆଶାକୁ ଧୁଳିସାତ କରି ରିପୋର୍ଟ ପଜେଟିଭ ବାହାରିଲା I ଏ ଦୁହିଁଙ୍କୁ ହୋମ କ୍ଵାରେଣ୍ଟାଇନ ରେ ରହିବା ପାଇଁ କୁହାଗଲା I ଦୁହେଁ ଦୁହିଁକୁ ଠିକ୍ ସେ ଚାହିଁ ପାରୁ ନ ଥିଲେ; ଫେରିଲାବେଳେ ଗୁମସୁମ୍ ହୃଦୟରେ ମେଘଭର୍ତ୍ତି ଆକାଶକୁ ମନରେ ସାଇତି ଫେରିଲେ I


ମାର୍କୋ..!!..ଉଁ..!! ମମ ଠିକ ହେଇଯିବେ ତ !! ଆରେ ହଁ...ଡୋଣ୍ଟ ୱରି I ଷ୍ଟେଲାକୁ ଛାତି ପାଖରେ ଭିଡିଧରି ଏକ ଦୀର୍ଘନିଃଶ୍ୱାସ ଛାଡି କହିଲା ମାର୍କୋ I ଯଦି ମୋର କିଛି ହେଇଯାଏ ତାହେଲେ ମତେ ଛାଡିକି ଯିବନି ମାର୍କୋ; ମୋ ପାଖରେ ଥିବ I ହେଃ..ସେ ବକବାସ କଥା ବନ୍ଦ କର; କିଛି ହେବନି, ହେଲା I ଷ୍ଟେଲା କପାଳରେ ଏକ ଗାଢ଼ ଚୁମ୍ବନ ଆଙ୍କି ମାର୍କୋ କହିଲା I କିନ୍ତୁ ଉଭୟଙ୍କ ମନରେ "ହଗ୍-ଏ-ଚାଇନିଜ" କ୍ୟାମ୍ପେନ ଠାରୁ ଆରମ୍ଭ କରି ଚାଇନିଜ ଡେଲିଗେଟଙ୍କ ସହ ଫଟୋସୁଟ ବେଳର ଗୋଟି ଗୋଟି କଥା ଫ୍ଲାସ୍ ବ୍ୟାକ୍ ଚାଲୁଥିଲା I ମର୍ମେ ମର୍ମେ ଅନୁଭବ କରି ପାରୁଥିଲେ ଯେ ନିଜର ଖାମ ଖିଆଲି ନୀତି ଯୋଗୁ ଆଜି ସେମାନେ ଭୟଙ୍କର ବିପଦର ସାମନାରେ I ଏହା ଭିତରେ ତାଙ୍କର ଅଫିସ ଓ ହୋଟେଲ ସିଲ ହେଇ ସାରିଥିଲା ଓ ଷ୍ଟାଫଙ୍କୁ ହୋମ କ୍ଵାରେଣ୍ଟାଇନରେ ରଖା ଯାଇଥିଲା I ଇଟାଲୀ ଗଭରମେଣ୍ଟର ନିଦ ହଜେଇ ନିତି ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିଲା I ଯେହେତୁ ଏହାର ସଠିକ ମେଡିସନ ଉପଲବ୍ଧ ନ ଥିଲା, ତେଣୁ ଧୀରେ ଧୀରେ ସେ ଦେଶ ଭୟାବହ ମୃତ୍ୟୁକୁ ସାମନା କରିବାକୁ ଯାଉଥିଲା I


ଆଞ୍ଜେଲିଆଙ୍କ ଅସ୍ଥିର ଅବସ୍ଥା ଚିନ୍ତାଜନକ ଥିଲା I କିନ୍ତୁ କେବେ ଫେରିବେ, ଏ ବିଷୟରେ କିଛି ସଠିକ ତଥ୍ୟ ନଥିଲା I ବହୁତ କଷ୍ଟରେ ଡକ୍ଟର ପିଟ ଜୋଙ୍କ ସାହାଯ୍ୟରେ ମମକୁ ଟିକେ ଦେଖିବାର ସୁଯୋଗ ପାଇଲେ କିନ୍ତୁ ବାହାରୁ ଗ୍ଲାସ ଡୋର ଏପାଖରୁ I ଭେଣ୍ଟିଲେଟର ସାହାଯ୍ୟରେ ଆଞ୍ଜେଲିଆ ଥାନ୍ତି; କେହି ଜଣେ ନର୍ସ ତାଙ୍କ କାନପାଖରେ କିଛି କହି ତାଙ୍କୁ ଟିକେ ଉଠେଇ ବସେଇଦେଲା I ଦେଖୁଥିଲା ମାର୍କୋ; ଧୀରେଧୀରେ ଆଖି ଖୋଲିଲେ ସେ I ଏମାନେ ହାତ ହଲେଇ ଏମାନଙ୍କର ଉପସ୍ଥିତି ତାଙ୍କୁ ଜଣେଇଲେ I କାଚ ବାଟେ ଏମାନଙ୍କୁ ଦେଖିକି ଇଷତ ହସଧାରେ ତାଙ୍କ ଓଠରେ ଖେଳିଗଲା; ସେ ବି ହାତ ହଲେଇ ନିଜର ଖୁସି ବ୍ୟକ୍ତ କଲେ I ଖୁବ ଶାନ୍ତ ବାତାବରଣ ଲାଗୁଥିବା ସାନ୍ ରାଫେଲସ୍ ହସ୍ପିଟାଲ କିନ୍ତୁ ଭାରି ଗହଳଚହଳ ଏବେ ଲାଗୁଥିଲା ସନ୍ଦିଗ୍ଧ କରୋନା ପେସେଣ୍ଟଙ୍କ ଉପସ୍ଥିତିରେ I ତରତର ହେଇ ଫେରିଆସିଲେ ଘରକୁ I ଏପଟେ ମୃତ୍ୟୁ ତାହାର କାୟା ବିସ୍ତାର ଆରମ୍ଭ କରିଦେଇଥାଏ I ଏକ ଆଶଙ୍କିତ ପୃଥିବୀ ଉପରେ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡୁଥିଲା I ଶେଷରେ ସେଇଆ ହେଲା; 827 ମୃତକଙ୍କ ଭିତରେ ଆଞ୍ଜେଲିଆ ବି ଥିଲେ I ଏମାନେ ଚାହିଁଲେ ଶବର ଅନ୍ତିମ ସତ୍କାର କରିବାକୁ, କିନ୍ତୁ ସେ କରୋନା ପେସେଣ୍ଟ ହୋଇଥିବାରୁ ତାଙ୍କୁ ହସ୍ତାନ୍ତର କରାଗଲା ନାହିଁ I ମାର୍କୋ ନିଜକୁ ସମ୍ଭାଳି ପାରୁ ନଥାଏ ନିଜର ଆତ୍ମଗ୍ଲାନି ବୋଧ ଯୋଗୁ, ବାରମ୍ଵାର ଚିତ୍କାର କରି କହୁଥାଏ; ଆଇ କିଲଡ ମାଇ ମମ I


ମାର୍କୋ ଆଉ ଷ୍ଟେଲା ବାଲକୋନୀରେ ଠିଆ ହେଇ ଦେଖୁଥିଲେ ବାହାରକୁ I ଗହଳି ଚହଳି, ଗାଡି ମଟର ଶବ୍ଦରେ ଫାଟିପଡୁଥିବା ମିଲାନରେ ରାଜୁତି କରୁଥିଲା ଅଖଣ୍ଡ ନୀରବତା I ଆସନ୍ନ ବିପଦର ଆଶଙ୍କା ସବୁଠି I ଲକଡାଉନ ଯୋଗୁ ଜନଶୂନ୍ୟ ରାସ୍ତା, ଦୋକାନ,ବଜାର, ସପିଙ୍ଗ କମ୍ପ୍ଲେକ୍ସ, କ୍ୟାସିନୋ ଓ ପବ୍ ସବୁ ବନ୍ଦ; କେଉଁ ଅଦୃଶ୍ୟ ଆତତାୟୀର ଆକ୍ରମଣରେରେ ତ୍ରସ୍ତ ଜନଜୀବନ I ଆଜିକାଲି ମାର୍କୋ ଓ ଷ୍ଟେଲା ଖୁବ ଚୁପଚାପ, ପ୍ରତି ମୁହୂର୍ତ୍ତରେ "ହଗ୍-ଏ-ଚାଇନିଜ କ୍ୟାମ୍ପେନ" କୁ ମନେ ପକେଇ ଅନୁତାପ କରୁଥିଲେ; କେମିତି ଏତେବଡ଼ ଷଡଯନ୍ତ୍ରର ନିଜ ଅଜାଣତରେ ଶିକାର ପାଲଟିଗଲେ I ଆଜି ତାଙ୍କ ଦ୍ୱରା ଅନୁପ୍ରାଣିତ ହୋଇ କେତକେତେ ଲୋକଙ୍କ ଜୀବନ ବିପନ୍ନ I ଏହା ମଧ୍ୟରେ ଦିନକୁ ଦିନ ଇଟାଲୀରେ ଅବସ୍ଥା ଖରାପ ଆଡକୁ ଗତି କରୁଥିଲା I କରୋନା ପିଡୀତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ଘଟୁଥିଲା ଓ ସେହି ଅନୁପାତରେ ମୄତ୍ୟୁ ସଂଖ୍ୟା ବି I ଘରୁ ଘରୁ କରୋନା ପଜେଟିଭ ବାହାରୁଥିଲେ I ଲାଗୁଥିଲା ସତେ ଯେପରି ଅତ୍ୟାଧୁନିକ ଇଟାଲୀ ମୄତ୍ୟୁ ଦେବତା ଆଗରେ ନିଜକୁ ପୂର୍ଣ୍ଣ ସମର୍ପଣ କରିବାକୁ ଯାଉଥିଲା I ଖୁବ ଅସହାୟ ଥିଲା ବିଜ୍ଞାନ ଗୋଟେ ସାମାନ୍ୟ ପରି ଲାଗୁଥିବା ଭୂତାଣୁ ସମ୍ମୁଖରେ I


ଧୀରେଧୀରେ ଷ୍ଟେଲା ବି ଅସୁସ୍ଥ ଅନୁଭବ କରିବାକୁ ଲାଗିଲା,ଏଥର ଭୟର କଳା ବାଦଲ ଉଭୟଙ୍କୁ ଘାରିବାକୁ ଲାଗିଲା I ଯଦିଓ ସେମାନେ ଜାଣିଥିଲେ ଯେ ଏହା ବୟସ୍କ ଲୋକଙ୍କ ପାଇଁ ଘାତକ I ଷ୍ଟେଲା ମାର୍କୋ କୁ ପାଖରୁ ଛାଡିବାକୁ ଚାହୁଁ ନଥିଲା I କିନ୍ତୁ ଘରୋଇ ଚିକିତ୍ସା ବି ସମ୍ଭଵ ନ ଥିଲା I କାଳେ ଡେରି ହେଇଗଲେ ନିୟନ୍ତ୍ରଣ ବାହାରକୁ ଚାଲିଯିବ, ଆଗତ୍ୟା ମାର୍କୋ ଷ୍ଟେଲାର ଅନିଚ୍ଛା ସତ୍ୱେ ହସ୍ପିଟାଲ ନେଲା I ସେଠାରେ ଆଉ ପାଦ ପକେଇବାକୁ ବି ସ୍ଥାନ ନଥିଲା I ସମସ୍ତେ ନିଜକୁ ଓ ନିଜ ପରିବାରକୁ ନେଇ ଚିନ୍ତିତ ଓ ଅସୁରକ୍ଷିତ ଥିଲେ I ମେଡିକାଲ ଚେକ ଅପ ପରେ ଷ୍ଟେଲାକୁ ତ ସଙ୍ଗେ ସଙ୍ଗେ ଆଡମିଟ କରାଗଲା କିନ୍ତୁ ଆଖିଦୃଷ୍ଟିଆ ଲକ୍ଷଣ ନଥିବା ସତ୍ୱେ ମାର୍କୋକୁ ବି ଆଡମିଟ ହେବାକୁ ପଡିଲା କିନ୍ତୁ ଭିନ୍ନଭିନ୍ନ ସ୍ଥାନରେ I ଷ୍ଟେଲା ଖୁବ ଅସହାୟ ଓ ଲୁହଭରା ଆଖିରେ ମାର୍କୋକୁ ଚାହିଁ ରହିଥିଲା, ତାର ବ୍ୟାକୁଳପଣ ମାର୍କୋ ହୃଦୟକୁ ବିନ୍ଧି ପକାଉଥାଏ, କିନ୍ତୁ ଶୁଣିବ କିଏ ? ମାର୍କୋ ଆଡମିଟ ହେବା ସମୟରେ ଡକ୍ଟର ପିଟ ଜୋ ଙ୍କ ସହ ସାକ୍ଷାତ ହେଲା; ଦୁର୍ଭାଗ୍ୟବଶତଃ ସେ ଥିଲେ ହୁଇଲ ଚେୟାରରେ I ବୁଝୁ ବୁଝୁ ସେ ବି କରୋନା ଆକ୍ରାନ୍ତ ଥିଲେ, ଏ ସବୁ ଦେଖିଲା ପରେ ଆଉକିଛି ତା ମୁଣ୍ଡରେ ପଶୁ ନଥିଲା I


ଷ୍ଟେଲାର ଅବସ୍ଥା ଚିନ୍ତାଜନକ; ଫୁସଫୁସ ସଂକ୍ରମଣ ବଢିଯାଇ ନିଶ୍ୱାସ ପ୍ରଶ୍ୱାସ ନେବାରେ ପ୍ରବଳ କଷ୍ଟ ଅନୁଭବ କରୁଥିଲା I ଡକ୍ଟରଙ୍କ ଚିନ୍ତା ବି ବଢିଯାଇଥିଲା I ମାର୍କୋ କିନ୍ତୁ ମନେମନେ ଭାରି ରାଗୁଥିଲା ଯେ ତାକୁ ଅଯଥାରେ ଭର୍ତ୍ତି କରାଯାଇଛି I ଦୁଇଦିନ ଭଲରେ କଟିଗଲା; ତୃତୀୟ ଦିନ ମାର୍କୋ ସକାଳୁ ଆଉ ଉଠି ପାରିଲା ନାହିଁ ଦେହ ମୁଣ୍ଡ ପ୍ରବଳ ଘୋଳାବିନ୍ଧା ଓ ତଣ୍ଟି ଦରଜ I ଦିନକୁ ଦିନ ତାର ସ୍ୱାସ୍ଥ୍ୟବସ୍ଥା ବି ବିଗିଡ଼ିବାରେ ଲାଗିଥିଲା I ଛାତିର ଯନ୍ତ୍ରଣା ଅନେକ ବଢିଯାଇଥିଲା, ସଂଜ୍ଞାହୀନ ପାଖାପାଖି ଅବସ୍ଥା I


ଷ୍ଟେଲା ଶୋଇଥିଲା ବକଲ୍ୟାଣ୍ଡ ବିଚ୍ ରେ, ନିଜର ଅଧା ମୁକୁଳା ଅଳସ ଦେହକୁ ଲୋଟଇ ଦେଇଥିଲା ସୂର୍ଯ୍ୟଙ୍କୁ ପିଠିକରି I ତା ଗୋରା ଦେହକୁ ସନ ଟ୍ୟାନ କରି ବାଦାମୀ ରଙ୍ଗ କରିବାର ପ୍ରଚେଷ୍ଟାରେ ଥିଲା I ମାର୍କୋ ତା ପିଠିରେ କ୍ରିମ ଘଷୁଥିଲା ଓ ମଝିରେ ମଝିରେ ତା ଗରମ ଓଠର ନରମ ଛୁଆଁ ଦେଉଥିଲା I ଷ୍ଟେଲା ସେ ରୋମାଣ୍ଟିକ ମୁହୂର୍ତ୍ତକୁ ମନଭରି ଖୁବ ଉପଭୋଗ କରୁଥିଲା I ମଝିରେ ମଝିରେ କୃତ୍ରିମ ରାଗ ଦେଖାଇ ବିଚ ଭିତରକୁ ଦୌଡ଼ି ପଳଉଥିଲା ଆଉ ମାର୍କୋ ତା ପଛେ ପଛେ ଯାଇ ତାକୁ ଲହଡିର ଆଞ୍ଜୁଳା ଆଞ୍ଜୁଳା ପାଣି ଛାଟୁଥିଲା I ଏଥର ସେ ଆହୁରି ଭିତରକୁ ଚାଲିଗଲା; ଏ କଣ ମାର୍କୋ ଧୀରେଧୀରେ ଦୁରେଇ ଯାଉଛି, ଦୁରେଇ ଯାଉଛି ବିଚ, ଗହଳି, ସହର !! ଆଶ୍ଚର୍ଯ୍ୟ !! ସେ ବୁଡୁ ନଥିଲା ନା ବି ଲହଡି ତାକୁ ବୁଡଉଥିଲା, ସତେ ଯେପରି ଅଶାନ୍ତ ସାଗର ତା ଶାମୁକାକୁ ପାଇ ତା ପ୍ରତୀକ୍ଷାର ଅନ୍ତ ଘଟାଇଥିଲା ଓ ସେ ନିଜେ ଥିଲା ସେଇ ଶାମୁକା I ସ୍ଥିର ସେଇ ନୀଳ ଜଳ ରାଶିର ଜଳପରୀଟିଏ I ଡାକ ପକଉଥିଲା ଦେଖିବ ଆସ ମାର୍କୋ, ଏ ଅଝଟ ସାଗରର ପରିବର୍ତ୍ତିତ ରୁପକୁ; କେତେ କମନୀୟ ଲାଗୁଛି…ତମେ ଖାଲି ଯାହା ଅଯଥାରେ ଭୟ କର,…ମାର୍କୋ...ମାର୍କୋ...!!


ଭେଣ୍ଟିଲେଟର ଏଥର କାଢିଦିଅ ସିଷ୍ଟର; ସି ଇଜ ନୋ ମୋର !! ନେକ୍ସଟ କ୍ରିଟିକାଲ ପେସେଣ୍ଟକୁ ସେହି ବେଡ଼ରେ ଆଡ଼ମିସନ କର I କମନ ବି ଫାଷ୍ଟ !! ଉଇ ହାଭ ନୋ ଟାଇମ ଆଟ ଅଲ I ତା ଦେହକୁ କପଡ଼ାରେ ଗୁଡେଇଦେଇ ଅନେକ ଦେହ ସହିତ ମର୍ଗରେ ପକେଇ ଦେଇ ଆସିଲେ ହସ୍ପିଟାଲ କର୍ତ୍ତୃପକ୍ଷ I ମୂହୁର୍ତ୍ତକ ମଧ୍ୟରେ ସେ ସତରୁ ସ୍ମୃତିରେ, ଜୀବରୁ ବସ୍ତୁରେ, ଶିବରୁ ଶବରେ ରୂପାନ୍ତରିତ ହେଇ ସାରିଥିଲା ଓ ତା ସହ ଅସ୍ପୃଶ୍ୟ ବି I I ପରିଚୟ ଥିଲା ବଡ଼ି ନ. 19..ମାର୍କୋ ଏଥର ଆଖି ଖୋଲିଲା I ହାଓ ଆର ୟୁ ଫିଲିଙ୍ଗ ୟଙ୍ଗ ମ୍ୟାନ I ସେ କଣ କହିବାକୁ ପାଟି ଖୋଲୁଥିଲା କିନ୍ତୁ ତା ଉଚ୍ଚାରଣ ପାଟି ଭିତରେ ହିଁ ମିଳେଇଯାଉଥିଲା I ତାପରେ ସେ ଜାଣିବାକୁ ପାଇଲା ଯେ ସେ ସଂଜ୍ଞାହୀନ ଥିଲା I ଧୀରେଧୀରେ ସୁସ୍ଥ ହେଉଥିଲା ମାର୍କୋ, କିନ୍ତୁ ପରିବର୍ତ୍ତିତ ପରିସ୍ଥିତି ଦେଖି ତା ମୁଣ୍ଡ ଚକର କାଟୁଥିଲା I ଲୋକ ସାଲାଇନ ବଟଲ ଓ ନେବୁଲାଇଜର ସହିତ ତଳେ ଗଡୁଥିଲେ; ପାଦ ପକେଇବାକୁ ବି ଟିକେ ଜାଗା ନ ଥିଲା I ତା ମନ ଭାରି ବ୍ୟସ୍ତ ଥିଲା କାରଣ ସେ ଶୁଣିବାକୁ ପାଇଲା ଯେ ଡକ୍ଟର ପିଟ ଜୋ ଆଉ ନାହାନ୍ତି ଓ ଷ୍ଟେଲା ଆଇ.ସି. ୟୁ ରେ ଆଡମିଟ ହେଇଛି I ଗୋଟେ ଗୋଟେ ଦିନ ତା ପାଇଁ ଯନ୍ତ୍ରଣାଦାୟକ ଥିଲା I ଶେଷକୁ ସେ ଇପ୍ସିତ ଦିନ ଆସିଗଲା ମାର୍କୋ ସୁସ୍ଥ ହୋଇ ହସପିଟାଲରୁ ଡ଼ିସଚାର୍ଜ ହେଲା I ଦୌଡିଲା ହସପିଟାଲ ଅଫିସକୁ, କିନ୍ତୁ ଏ କଣ !! କାହାପାଖେ ସମୟ ଟିକେ ନାହିଁ ଦୁଇପଦ ଶୁଣିବାକୁ I ବହୁତ କଷ୍ଟରେ ଷ୍ଟେଲାର ଆଇଡେଣ୍ଟିଟି କାର୍ଡ ଦେଖେଇ ଜାଣିବାକୁ ଚେଷ୍ଟା କଲା ତାର ଅବସ୍ଥା I


ଓଃ..!! ୟୁ ଆର ଟେଲିଙ୍ଗ ଆବାଉଟ ଦ ପେସେଣ୍ଟ ନ. 4785 & ବଡ଼ି ନ.19..।..ହ୍ୱାଟ..!!...ୟେସ....ସି ଇଜ ନୋ ମୋର I ଗତକାଲି ଠାରୁ ତାଙ୍କର ମୃତ୍ୟୁ ହୋଇଯାଇଛି I ଜଲଦି ଯାଆନ୍ତୁ; ଗାଡି ଲାଗିଲାଣି ଅନେକ ବଡି ଜମା ବି ହେଇଗଲାଣି ଯେତେ ଜଲଦି ହେବ ସେସବୁକୁ ଡିସପୋଜ କରାଯିବ I ଅଣନିଃଶ୍ୱାସୀ ମାର୍କୋ ଦୌଡିଲା ମର୍ଗ ସାଇଟକୁ, ଯାହା ଦେଖିଲା ତା ପାଇଁ ଅବିଶ୍ୱାସନୀୟ ଥିଲା I ତାପରି ଅନେକ ଲୋକ ସେଠି ଥିଲେ କିଛି ଚିହ୍ନା କିଛି ଅଚିହ୍ନା; କିଛି ଡକ୍ଟର ଓ ନର୍ସ ମଧ୍ୟ ନିଜର ସାଥି ସହକର୍ମୀଙ୍କୁ ବିଦାୟ ଦେବାକୁ ଜମା ହୋଇଥିଲେ I କାହାକୁ ବି ପାଖକୁ ଛଡା ଯାଉନଥିଲା; ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିଲେ I ଆଖିରୁ ଅନବରତ ଲୁହଧାର ଗଡି ଚାଲିଥିଲା; ହେଲେ ନା କୋହ ସମ୍ଭାଳିବାକୁ କାନ୍ଧଟିଏ ମିଳୁଥିଲା ଓ ନା ଲୁହ ପୋଛିବାକୁ ହାତଟିଏ I ଖୁବ ଦୟନୀୟ ପରିସ୍ଥିତି ଭିତରେ ନିର୍ବାକ ଓ ଅସହାୟ ମଣିଷମାନେ ଠିଆ ହେଇଥିଲେ I ଗହଳି ଭିତରେ ଥାଇ ବି କେତେ ନିଃସଙ୍ଗ ଥିଲେ ସେମାନେ !! ଶବ ବୁହା ଆରମ୍ଭ ହେଉଥିଲା ଓ ଗୋଟାକ ଉପରେ ଗୋଟେ ଲଦା ହେଉଥିଲା I ବହୁତ ଅନୁନୟ ବିନୟ ପରେ ଜଣେ କର୍ମଚାରୀ ଠାରିଦେଲେ, ଦେଖିଲା ସେ ବଡି ନ.-19, ତା ଷ୍ଟେଲା ଥିଲା ଜଷ୍ଟ ଗୋଟେ ପ୍ୟାକଡ଼ ଅବଜେକ୍ଟ ; ବିନା ସଂସ୍କାରିତ ଅସ୍ପୃଶ୍ୟ ବର୍ଜ୍ୟ ବସ୍ତୁ I ଶେଷଯାତ୍ରା ଏତେ କରୁଣ ଓ ରୁକ୍ଷ ହୋଇପାରେ..!! ମାର୍କୋ କିଛି ଆଉ ଭାବି ପାରୁନଥିଲା I


ଗ୍ରେଭୟାର୍ଡ଼ ରେ କଫିନଟିଏ ଥୋଇବା ପାଇଁ ନା ଜାଗା ଥିଲା ନା କଫିନଟିଏ ବି ମିଳୁଥିଲା I ତଥାପି ସେ 4 ହାତ ଲେଖାଏଁ ଦୁଇଟି ଗାତ ଖୋଳିଥିଲା ଓ ପ୍ରେୟାର କରି ଯତ୍ନର ସହ ଦୁଇଟି ଛୋଟ କଫିନ ଥୋଇଲା I ତା ହାତରେ ଥିଲା ଗୋଟେ ରେଡ ସ୍କାର୍ଫ, ମମ ଆଞ୍ଜେଲିଆଙ୍କ ଫେଂଭରାଇଟ ଓ ଷ୍ଟେଲାର ପ୍ରିୟ ପିଙ୍କ ଗାଉନ, ତା ଆନିଭର୍ସରିର ଗିଫ୍ଟ ଆଉ କଫି ମଗ I ମନକୁ ମନ ଗୁଣୁଗୁଣଉଥିଲା, କେତେ ହତଭାଗ୍ୟ ସେ..!! ନା ତା ପ୍ରିୟଜନଙ୍କ ଶେଷ ସଂସ୍କାର କରି ପାରିଲା ନା ତାଙ୍କୁ ମର୍ଯାଦାରେ ଶେଷ ବିଦାୟ ବି ଦେଇପାରିଲା I ଯେଉଁ ଷ୍ଟେଲା, ସର୍ବଦା ପାଖରେ ରହିବାର ପ୍ରତିଶ୍ରୁତି ମାର୍କୋଠାରୁ ଚାହୁଁଥିଲା; ସେ ଆଜି ଅପହଞ୍ଚ ସ୍ୱପ୍ନଟିଏରେ ପରିଣତ ହୋଇଯାଇଥିଲା I ଧୀରେ ଧୀରେ ଆଉଁସି ସ୍କାର୍ଫଟିକୁ ଗୋଟେ କଫିନ୍ ରେ ଥୋଇଲା ମାର୍କୋ, ମନେ ପଡୁଥିଲା ମମର ହସହସ ମୁହଁ ଓ ସବୁବେଳେର ସେଇ ପଦେ କଥା " ଗଡ଼ ବ୍ଲେସ ୟୁ ମାଇ ସନ" I ଷ୍ଟେଲାର ସେ ଗାଉନ ସହିତ ଅନେକ ଖଟା ମିଠା ସ୍ମୃତି ମଧୁର ମୂହୁର୍ତ୍ତ ସବୁ ଛୁଇଁ ଯାଉଥିଲା ତାକୁ I କଫି ମଗ ଓ ଫୁଲତୋଡ଼ାଟିକୁ ଥୋଇଲାବେଳେ ଶୁଭି ଯାଉଥିଲା "ଡ଼ିଅର,ଏ କପ...କ୍ୟାପୁସିନୋ ପ୍ଲିଜ", ଆସ୍ତେକରି ତା ପକେଟରୁ ଟିକେଟଟିଏ କାଢିଲା, ବକଲ୍ୟାଣ୍ଡର ଆଡ଼ଭାନ୍ସ ଟିକେଟ; ଷ୍ଟେଲାର ଇପ୍ସିତ ସ୍ଥାନ ଓ ଯାହାପାଇଁ ସେମାନେ ଅନେକ ପ୍ଳାନିଙ୍ଗ କରିଥିଲେ I ଅତି ଆବେଗର ସହ କିସ୍ ଟିଏ ଦେଇ ସେ ଗାଉନ ଉପରେ ଥୋଇଲା I ନିଜ ସ୍ୱପ୍ନ ଓ ସଂସାରକୁ ସମାଧି ଦେଇସାରିଲା ପରେ ଠିଆ ହେଲା ମାର୍କୋ I


ଫେରୁଥିଲା ନିସଙ୍ଗ ପଦାତିକ, ଫେରନ୍ତା ରାସ୍ତାରେ ଦେଖୁଥିଲା;ଏଇ କିଛିଦିନ ଭିତରେ ପ୍ରାଣ ପ୍ରାଚୁର୍ଯ୍ୟ ଭରା ସହର ମଶାଣିର ଭ୍ରମ ସୃଷ୍ଟି କରୁଥିବା ମିଲାନ, ନର୍ଦନ ଇଟାଲୀକୁ I ନିର୍ବାକ୍, ନଶୁନ୍ ଜନଶୂନ୍ୟ ସହର I ବୋଧ ଦେବାକୁ କାହା ପାଖରେ କାହା ପାଇଁ ଭାଷା ନଥିଲା; ଭଗ୍ନ ହୃଦୟ, ଭଗ୍ନ ମନ ଓ ଭଗ୍ନ ପରିବାରର ଭଗ୍ନାଂଶରେ ଛିଡା ଥିଲେ ସମସ୍ତେ I ଅନୁଭବୁଥିଲେ ପ୍ରକୃତିର ତାତ୍ସଲ୍ୟକୁ; ସାମାନ୍ୟ ସୂକ୍ଷ୍ମ ଭୂତାଣୁ ଆଗରେ ହାର ମାନିଯାଇଥିଲା ଅତ୍ୟାଧୁନିକ ବିଜ୍ଞାନ ଓ ଉନ୍ନତ ସଭ୍ୟତା I


ସେଇ ପଦେ କଥା ତାର ବାରମ୍ବାର ମନେ ପଡୁଥିଲା "ନିଆଁକୁ ଅଣ୍ଟିରେ ପୁରେଇ ଯଦି ନିଜକୁ ସୁରକ୍ଷିତ ଭାବୁଥାଅ, ତାହେଲେ ସବୁଠୁ ବଡ଼ ବୋକା ତୁମେ" I


*******************




Rate this content
Log in

Similar oriya story from Tragedy