Sagareeka Panigrahi

Inspirational

4  

Sagareeka Panigrahi

Inspirational

ଓଏସିସ୍

ଓଏସିସ୍

5 mins
218


ଏଇତ ପତ୍ରଝଡା ଋତୁର ସମୟ ।ଗଛଗୁଡିକ ଥୁଣ୍ଟା ଥୁଣ୍ଟା ,

ପତ୍ରଗୁଡିକ ଝଡିଗଲାଣି ।ଚତୁର୍ଦ୍ଦିଗରେ ଖାଁ ଖାଁ ଲାଗୁଛି ,

ନା ମତେ ଏମିତି ଲାଗୁଛି କେଜାଣି ?ପ୍ରକୃତରେ ବଡ

ଅସହାୟ ଲାଗେ ଏଇ ପତ୍ରଝଡା ଋତୁର ସମୟଟା ।

ମୋ ଭିତରେ ତ କେବେଠୁ ଏ ଶୂନ୍ୟତା ,ଅପୂର୍ଣ୍ଣତା,

ଗୋଟିଏ ଏକାକୀତ୍ବବୋଧରେ ଆଛନ୍ନ ମୋର ସମଗ୍ର 

ସତ୍ତା ।ବିବାହର ଛଅମାସ ପରେ ମଧ୍ୟ ଏ ଅସହାୟତା

ଏ ଏକାକୀତ୍ବବୋଧ ରହିଯାଇଛି ମୋର ।ଏ ପୃଥିବୀରେ 

ଏତେ କୋଳାହଳ ଏତେ ମଣିଷଙ୍କ ଭିଡ ତଥାପି ମୁଁ 

ଘାରିହୁଏ ଏକ ଅବ୍ୟକ୍ତ ବେଦନାରେ ଏକ ଏକେଲା-

ପଣରେ ଭିଜୁଥାଏ ମୋର ମନ ।ଶାନ୍ତନୁ ଫେରିନାହାନ୍ତି 

ବସି ବସି ଭାବିଚାଲିଥାଏ ଆକାଂକ୍ଷା ।ତାହେଲେ କ'ଣ 

ସେଇ ଆଦିମ ସତ୍ୟ ଯାହାକୁ କୁହାଯାଏ ତାହା ସତ ?

ନାରୀ ଓ ପୁରୁଷର ଏକାନ୍ତ ମିଳନ ନ ହେବାଯାଏଁ କ'ଣ 

ସେମାନେ ପରିପୂର୍ଣ୍ଣ ନୁହନ୍ତି ?ଶାନ୍ତନୁଙ୍କ ଧର୍ଯ୍ୟ ନିକଟରେ 

ମଥା ନଇଁଯାଏ।କିନ୍ତୁ ମୁଁ ବା କ'ଣ କରିବି ଯେ ?ଠିକ୍ 

ସେଇ ଅନ୍ତରଙ୍ଗ ହୋଇ ଆସୁଥିବା ମୁହୂର୍ତ୍ତଟିକୁ ହିଁ ମୁଁ 

ସହ୍ୟ କରି ପାରେନାହିଁ ।ଅତୀତର ଗୋଟିଏ ଅସତର୍କ 

ମୁହୂର୍ତ୍ତର ଘଟଣା ହିଁ ମୋ ଜୀବନକୁ ନିଜ ଆକ୍ତିଆରକୁ 

ନେଇଯାଏ ।ଠିକ୍ ଯେମିତି ଛୋଟ କ୍ଷତକୁ ଅବହେଳା 

କରୁକରୁ ତାହା କ୍ୟାନସର ହୋଇଯାଏ ।କ୍ୟାନସର 

ଆକ୍ରାନ୍ତ ଶରୀରର ଅଙ୍ଗକୁ ସିନା କାଟି କାଟିଦେଇହେବ 

ହେଲେ କ୍ୟାନସର ଆକ୍ରାନ୍ତ ମନକୁ କେଉଁଠିକୁ ଫିଙ୍ଗିବି

ମୁଁ ।


ମୁଁ ତ ନିଜକୁ ଠିକ୍ ଭାବରେ ବୁଝି ପାରି ନ ଥିଲି ।ଅଜାଗା 

ଘା ଦେଖି ହୁଏ ନାହିଁ କି ଦେଖେଇ ହୁଏନାହିଁ ଭଳି ମୋ

ଅବସ୍ଥା ।ମୋ ହୃଦୟ ଭରିଯାଉଥିଲା ମରୁଭୂମିର ତପ୍ତ 

ବାଲିରେ ଆଉ ତାର ତାତିରେ ଡହକ ବିକଳ ହୋଇ ମୁଁ 

ଖୋଜାଚାଲିଥିଲି ଏକ ଓଏସିସ୍ ।

ବାହାଘର ଠିକ୍ ହେଲାପରେ ବି କ'ଣ ମୁଁ ପ୍ରତିବାଦ କରି

ପାରିଥିଲି ? ନାଁ,ପ୍ରତିବାଦର ସ୍ବର ତ ମୋର କେବେ ନ

ଥିଲା ।ମୋ ଭିତରେ ଥିଲା କେବଳ ଏକ ଭୟର ବିଭି-

ଷିକା ।ସେ ସବୁ ରାତିରେ ମତେ ଆଁ କରି ଗିଳି ପକାଏ ।

କୈଶୋରରୁ ଯୌବନକୁ ପହଞ୍ଚାଇବା ପୂର୍ବରୁ ମୁଁ ପାଲଟି 

ଯାଇଥିଲି ନାରୀର ସତ୍ତାଟିଏ ମାତ୍ର ।ଆଜିବି ମନେ 

ପଡୁଛି ମୋର ସେ ଘଟଣାଟି ଯାହାକୁ ମୁଁ ସାଇତି ରଖିଛି 

ସଂଗୁପ୍ତ ଭାବରେ ମୋ ମନ ଫରୁଆର ନିଷିଦ୍ଧ ଅଞ୍ଚଳରେ ।


ଆମ ଘର ପାଖରେ ଥିଲା ମୋ ବଉଳର ଘର ।ଅବାଧ 

ପ୍ରବେଶ ଥିଲା ମୋର ତାଙ୍କ ଅଗଣାରେ ଓ ସେ ଆମ 

ଅଗଣାରେ ।ସେଦିନ ସଞ୍ଜ ନଇଁ ରାତି ହୋଇ ଆସୁ--

ଥାଏ,ମୁଁ ଚାଲିଲି ବଉଳ ଘରକୁ ସାଙ୍ଗହୋଇ ପାଠ 

ପଢିବା ପାଇଁ ।ବଉଳ ବଉଳ ଡାକି ମୁଁ ପଶିଗଲି ତାଙ୍କ 

ଘରେ ।ଘରେ ଥିଲେ କେବଳ ବାପା ପରି ତାଙ୍କ ବାପା ।

ବାପା ପରି ଲାଗୁଥିବା ସଭିଏଁ ଯେ ବାପା ହୋଇ ନଥାନ୍ତି 

ସେତକ ବୁଝିବା ବୟସ ମୋର ହୋଇ ନ ଥିଲା ।ବାହାରି 

ଆସିଲେ ସେ କହିଲେ ସେମାନେ ତ ମନ୍ଦିର ଯାଇଛନ୍ତି ।

ମୁଁ ପାଠ ବୁଝେଇ ଦେବି? ମୁଁ କହିଲି ନା ମୁଁ ପରେ ଆସିବି 

କହି ବୁଲିପଡି ବାହାରିଲି ମୁଁ ।ହଠାତ୍ ଏକ ବଳିଷ୍ଠ ପଞ୍ଝା 

ରେ ଛଟପଟ ହୋଇଉଠୁଥିଲି ମୁଁ ।କିଛି ବୁଝିବା ପୂର୍ବରୁ 

ମୋ ପାଟି ବନ୍ଦ ହୋଇଗଲା କାହାର ଶକ୍ତ ହାତମୁଠାରେ ।

ଓଲଟି ଦେଖିବାର ଜୁ ନାହିଁ ।ମୁଁ ଅନୁଭବ କଲି ମୁଁ ପଡି 

ଯାଇଛି ନାଗଫାସର ବନ୍ଧନରେ ।ମୋ ସାରା ଶରୀରରେ 

କାହାର ଓଠର ସ୍ପର୍ଶ,ଘୃଣାରେ ଚିରଚିରେଇ ଉଠିଲା ମୋ 

ଦେହ ।କିଛି ମାନିଟ ମଧ୍ୟରେ ମୋ ଦେହ ଓ ମୁହଁସାରା

ଭର୍ତ୍ତି ହୋଇଗଲା ଅସଂଖ୍ୟ ଘୃଣାର ବିକୃତିର ସ୍ପର୍ଶ ।ଆଉ 

ସେ ଫିସ୍ ଫିସ୍ କଣ୍ଠରେ କହିଲେ --କାହାକୁ କହିଲେ ତୋ 

କ୍ଷତି ହିଁ ହେବ,ସମସ୍ତେ ପାଗଳୀ କହିବେ,ପରିଚିତ କଣ୍ଠ-

ସ୍ବର ମୋର ।ମୁଁ ସେଠାରୁ କିପରି ଘରକୁ ଆସିଲି ମୋର 

ମନେ ନ ଥିଲା ।

ସେଇ ଦିନଠୁ ଆରମ୍ଭ ହେଲା ମୋର ମାନସିକ ବିପର୍ଯ୍ୟୟ

ଦିନେ ଦିନେ ରାତିରେ ମୁଁ ଉଠିପଡେ ।ଭୟରେ ଜଡସଡ 

ହୋଇଯାଏଁ ।ମନେହୁଏ ପୁଣି ସେଇ ବନ୍ଧନ ମତେ ବାନ୍ଧି

ନେଉଛି,ହେଲେ ଆଖି ଖୋଲିଲେ ଦିଶେ ରାତ୍ରିର ନିସବ୍ଧତା 

ଅନେକ ଚେଷ୍ଟା କରିଛି ବୋଉକୁ କହିବାକୁ ହେଲେ 

ପାଗଳୀର ଆଖ୍ୟା ପାଇବା ଭୟରେ କହିନି ।ପଢାବହିକୁ 

ଦେଖିଲେ ବଉଳକୁ ଦେଖିଲେ ଘୃଣା ଉଠେ ମୋ ଭିତରେ।

ଅହରହ ମତେ ଦଂଶନ କରେ ସେ ଖର ନିଃଶ୍ବାସର ଜ୍ବାଳା 

ମୋ ଆତ୍ମା ଚିତ୍କାର କରେ ମତେ ମୁକ୍ତି ଦିଅ,ହେଲେ ପାଠ 

ପଢାଠାରୁ ବଉଳଠାରୁ ମୋର ମୁକ୍ତି କାହିଁ?

ଧିରେ ଧିରେ ମୁଁ ନିଜ ବାପା ଓ ଭାଇଙ୍କ ପାଖରେ ବି 

ଅସହଜ ମନେକରୁଥିଲି ।ମତେ ସୁରକ୍ଷା ଦେଇପାରୁଥିଲା 

କେବଳ ବୋଉର ସାନଧ୍ୟ ଅଥବା ମୋ ବନ୍ଦ କୋଠରୀର 

ନିସ୍ତବ୍ଧ ତରଙ୍ଗ । ମୁଁ ଜିଦ୍ କଲି ମୁଁ ଗାଁ ସ୍କୁଲରେ ପଢିବିନି ।

ମୋ ଅସହଜ ପଣକୁ ବିଶେଷ ଗୁରୁତ୍ୱ ନ ଦେଇ ଝିଅର 

ମୋହର ପାଇଁ ମୁଁ ପାଠ ପଢିଲି ବାଳିକା ବିଦ୍ୟାଳୟ ଓ 

ମହିଳା ମହାବିଦ୍ୟାଳୟରେ ।ପାଠ ପଢାପ୍ରତି ମୋର 

ଥିଲା ଘୋର ଉଦାସୀନତା ।ତେଣୁ ଅନ୍ୟାନ୍ୟ ଦିଗରେ 

ଥିଲା ମୋର ଦକ୍ଷତା ।ଏଇ ଯେମିତି ସୁଗୃହିଣୀ ହେବା 

ପାଇଁ ଆଜିର ଯୁଗରେ ବି ଗୃହକଳା ଓ ରନ୍ଧନକଳାରେ 

ନିପୁଣ ଥିବା ଝିଅଟିଏ ହିଁ ଦରକାର ହୁଏ ,ଠିକ୍ ସେମିତି ।

ବାହାଘର ଠିକ୍ କଲାବେଳେ ବାପା ସଗର୍ବରେ 

କହନ୍ତି--ମୋ ଝିଅ ଏଯାଏଁ ତା ଭାଇ ସହ ବି ଖୋଲା

ଖୋଲି କଥା ହୁଏନି,ଆଉ କ'ଣ ବା କହିବି ତା ବିଷୟରେ 

ଏଇମିତି ଏକ ଚରିତ୍ରବାନ ଝିଅଟିକୁ ବୋହୂ କରିନେଲେ 

ଶାନ୍ତନୁଙ୍କ ବାପା ।ବାହାଘର ପରେ ଏକ ନିବିଡ଼ ମୁହୁର୍ତ୍ତ

ଟିଏ ଯେ ଆସିବ ମୁଁ ଜାଣିଥିଲି ।ନିଜକୁ ଦୋଷୀ ପରି 

ଲାଗୁଥିଲା ।ଗୋଟିଏ ଅନୁଢା କିଶୋରୀର ମନତଳେ 

ସଂଗୁପ୍ତ ଥିବା ପ୍ରଣୟର ଚାବିକାଠି ଖୋଲିଯିବା ପରି

ଲଜ୍ଜା ଶୀଳା ମନଟିଏ ମୋର ନ ଥିଲା ।ବରଂ ସେଇ 

ମୁହୂର୍ତ୍ତର କଥା ମନେପକେଇ ମ୍ରିୟମାଣ ହୋଇପଡୁଥିଲି।

ମୁଁ ଯାହା ଭୟ କରୁଥିଲି ଠିକ୍ ତାହାହିଁ ହେଲା ।

ଶାନ୍ତନୁ ଆସି କବାଟ ବନ୍ଦକଲେ ।ମୁଁ ଲାଜରେ 

ଝାଉଁଳିଯାଉନଥିଲି ,ବରଂ ସେ ଭୟଟି ମୋ ଭିତରେ 

ପକ୍ଷ ମେଲୁଥିଲା ଓ ମୁଁ ଆତଙ୍କିତ ହୋଇଉଠୁଥିଲି ।

ସେ ତାଙ୍କର ହବି,କ୍ୟାରିୟର କଥା ଗପୁ ଗପୁ ମୋ 

ଓଢଣାଟି ଖୋଲି ମତେ ନିବିଡ଼ ଭାବରେ ଆଲିଙ୍ଗନ 

କରିବା ପର୍ଯ୍ୟନ୍ତ ମୁଁ ମୋ ଆତଙ୍କକୁ ନିଜ ନିୟନ୍ତ୍ରଣରେ 

ରଖିଥିଲି ।କିନ୍ତୁ ସେ ଯେତେବେଳେ ତାଙ୍କ ଓଠକୁ ମୋ

ମଥାରେ ସ୍ପର୍ଶକଲେ ମୁଁ ଅନୁଭବ କଲି ସେ ଜ୍ବାଳା ସେ

ବନ୍ଧନ ଓ ଭୟରେ ଥରିଥରି ତାଙ୍କୁ ଟିକିଏ ଠେଲିଦେଇ 

ଅସ୍ପଷ୍ଟ ଭାବରେ କହିଲି--ନାଁ ।ସେ କିଛି ବୁଝିପାରୁ ନ

ଥିଲେ ଓ ମତେ ଦେଖୁଥିଲେ ଆଶ୍ଚର୍ଯ୍ୟାନ୍ବିତ ହୋଇ ।

ତାଙ୍କ ଆଖିରେ ଅବିଶ୍ବାସର ଚାହାଁଣି ଥିଲା ସ୍ବାଭାବିକ ।

ମୁଁ କ'ଣ ବା କହିଥାନ୍ତି ଯେ କେବଳ କହିଲି ନା ତା 

ନୁହେଁ ।ମତେ କିଛି ସମୟ ଦରକାର ।

ସେଦିନ ବି ବୁଝିପାରି ନ ଥିଲି ଶାନ୍ତନୁଙ୍କ ଆତ୍ମିକ 

ଦହନ,ସବୁ ପ୍ରାପ୍ତିରେ ବି ଅପ୍ରାପ୍ତିର ଜ୍ବାଳା ।କିଛି ଦିନ 

ପରେ ମୁଁ ତାଙ୍କ ସହ ଚାଲି ଆସିଲି ଏ ଛୋଟ ସହରକୁ।

ମୁଁ ତାଙ୍କୁ ଭଲପାଏଁ କି ନା ବୁଝିପାରି ନ ଥିଲି କିନ୍ତୁ ସେ 

ମୋର ଛୋଟ ଛୋଟ କଥାକୁ ଗୁରୁତ୍ବ ଦିଅନ୍ତି ।

ଶାନ୍ତନୁଙ୍କ ମତରେ ଏ ମୋର ମାନସିକ ଭ୍ରାନ୍ତି ।ଦିନେ 

ସେ ମତେ ନେଇଗଲେ ତାଙ୍କ ବନ୍ଧୁ ଓ ବନ୍ଧୁପତ୍ନୀଙ୍କ

ଘରକୁ ।ତାଙ୍କ ବନ୍ଧୁପତ୍ନୀ ଜଣେ ମନୋଚିକିତ୍ସିକା ।

ଏତେଦିନପରେ ମୁଁ ଖୋଲିଦେଇଥିଲି ମୋ ସଂଗୁପ୍ତ 

ବେଦନାକୁ ଏକ ଆକୁଳତାରେ,ଶାନ୍ତନୁଙ୍କ ଅନ୍ତରାଳରେ।

କାଳେ ସେ ମତେ ସାହାଯ୍ୟ କରିପାରିବେ ଓ ଅନୁରୋଧ 

କରିଥିଲି ସବୁକିଛି ଗୋପନ ରଖାଯିବ ଶାନ୍ତନୁଙ୍କ ଠାରୁ ।

ସେ ଶାନ୍ତନୁଙ୍କୁ ଆଶ୍ବାସନା ଦେଇ କହିଲେ ଆପଣ ତାଙ୍କ 

ମନରେ ଭଲପାଇବାର ଏକ ଦୃଢ ପ୍ରତ୍ୟୟ ସୃଷ୍ଟି କରନ୍ତୁ।

ଏକ ଦୃଢ ବିଶ୍ଵାସ ସୃଷ୍ଟି କରନ୍ତୁ ,ଟିକିଏ ଧର୍ଯ୍ୟ ରଖନ୍ତୁ 

ସବୁ ଠିକ୍ ହୋଇଯିବ ।

ଆଉ ସେଦିନଠାରୁ ଆଜିଯାଏ ସେ ଧର୍ଯ୍ୟ ହିଁ ତ 

ଧରି ରହିଛନ୍ତି ।ସେଇଥିପାଇଁ ନିଜକୁ ବୁଡେଇରଖନ୍ତି 

ବିଭିନ୍ନ କାମରେ ।ନା ଆମ ଭିତରେ ହୁଏ ବିଶେଷ 

କଥାବାର୍ତ୍ତା ନା ଆଲୋଚନା,ବାସ୍ କିଛି ଔପଚାରିକତା।

ଏହା ଭିତରେ ମୁଁ ହିଁ ଅଣନିଃଶ୍ବାସୀ ହୋଇପଡିଲିଣି ।

ଆରେ ସନ୍ଧ୍ୟା ଯାଇ ରାତି ହୋଇ ଆସୁଛି ଯେ ।ସେ ତ

କେବେ ଏମିତି ଡେରି କରନ୍ତିନି ଆଜି କେମିତି ଏତେ 

ଡେରି? ମୋ ମନକୁ ପାପ ଛୁଇଁଲା ।ଆଜିକାଲି ଟି.ଭି 

ଖବରକାଗଜ ଯେଉଁଠି ଦେଖିଲେ ଦୁର୍ଘଟଣା,ଲୁଟ 

ତରାଜ,ହତ୍ୟା ।ମୁଁ ଚାଲିଲି ତାଙ୍କ ରୁମ୍ କୁ ।ଖୋଜିବାକୁ 

ଲାଗିଲି ଡାଏରୀ କାଳେ କିଛି ମିଟିଂ ବା ଆଉକିଛି ଲେଖି 

ଥାଇ ପାରନ୍ତି ।

ପୃଷ୍ଠା ଓଲଟାଇଲି ଆରେ ଏ କ'ଣ ସେ ମୋ ବିଷୟରେ 

ଲେଖିଛନ୍ତି ।ମୁଁ ମୋ ବନ୍ଧୁପତ୍ନୀଙ୍କ ଠାରୁ ସବୁ ଜାଣିସାରିଛି ।

ସେ ଥିଲା ଏକ ଦୁର୍ଘଟଣା ।ମଣିଷର ସବୁକିଛି ଦେହସର୍ବସ୍ବ 

ନୁହେଁ ।ଧୋକା ଖାଇଛି ତୁମ ଶରୀର ଆତ୍ମା ଯେ ଚିରନିର୍ମଳ 

ଆଉ ଗୋଟିଏ ପୃଷ୍ଠାରେ ଲେଖିଛନ୍ତି ସେ-ଆତ୍ମବିଶ୍ବାସର 

ପ୍ରତ୍ୟୟ ଟା ବାନ୍ଧି ନ ପାରିଲେ ଭୁଷୁଡିଯାଏ ମନଟା ।କ'ଣ 

ନାରୀ ଖାଲି ଅଗ୍ନି ପରୀକ୍ଷା ଦିଏ ?ମୁଁ ପ୍ରତି ରାତିରେ ତୁମ 

ପାଖରେ ଥାଇ ଦେଇଚାଲିଛି ଅଗ୍ନି ପରୀକ୍ଷା ।ମୁଁ ଜଳୁଛି 

ଆତ୍ମିକ ଦହନରେ ।ଅନ୍ତରଙ୍ଗ ମୁହୁର୍ତ୍ତଟିଏ ପାଇଁ ମୁଁ 

ଲାଳାୟିତ ହେଲାବେଳେ ମୋର ମନେପଡ ତୁମର

ସେ ଭୀତତ୍ରସ୍ତ ଚାହାଁଣି ।ମତେ ଲାଗେ ତୁମେ ଏକ 

ନୀରିହ ଶିଶୁ ଆଉ ମୁଁ ଏକ ବଳାତ୍କାରୀ ପୁରୁଷ ।ବାସ୍ 

ମୁଁ ନିଜ ପାଇଁ ଟାଣିନିଏଁ ଏକ ଲକ୍ଷଣ ଗାର ।ମୋ ନିଜ 

ଦହନରେ ମୁଁ ତରଳିଯାଏଁ ମହମପରି ।

ତୁମେ କେତେଦିନ ଆଉ ସେ ପ୍ରବଞ୍ଚନାର ଅନ୍ଧମୋହ

ରେ ନିଜକୁ ବୁଡେଇରଖିବ ।ଥରେ ଦୃଷ୍ଟିଫେରାଅ ଓଏସିସ୍ 

ଟିଏ ତୁମକୁ ଚାହିଁ ରହିଛି ବାହୁ ମେଲାଇ ରହିଛି ତୁମକୁ 

ଆଦରି ନେବାକୁ ।କେବେ ହୁଏତ ମୁଁ ବିକ୍ଷିପ୍ତ ହୋଇଯିବି 

ଉଲ୍କାପିଣ୍ଡଟିଏ ପରି ।

ଏ କ'ଣ ଶାନ୍ତନୁ ମତେ ଏତେ ଭଲ ପାଆନ୍ତି ।ମୋ 

ହୃଦୟରେ ଆଶଙ୍କା କୌଣସି ଦୁର୍ଘଟଣାର ।ମୋ ଆଖିରେ 

ନାଚିଉଠୁଥିଲା ଦୁର୍ଘଟଣାଗ୍ରସ୍ତ ତାଙ୍କ ରକ୍ତ ଜୁଡୁବୁଡୁ 

ଶରୀର ।ନାଁ ମୁଁ ତୁମକୁ ବିକ୍ଷିପ୍ତ ହେବାକୁ ଦେବିନି ।

ମୁଁ ଜୟ କରିବି ମୋ ଅନ୍ଧାରି ମୁଲକକୁ ତୁମ ଭଲ 

ପାଇବାର ଆଲୋକରେ,ମୁଁ ମୁକ୍ତ କରିଦେବି ନିଜକୁ 

ବନ୍ଧନରୁ ତୁମ ଦହନର ଲେଲିହାନ ଶିଖାରେ ଝାସ 

ଦେଇ ।ହେଲେ ସେ ଆସିବେ ତ ।ମନେ ମନେ ଭାବୁ

ଥାଏ ମୁଁ ।

ହଠାତ୍ ସେ ପହଞ୍ଚିଲେ ।ମୋ ଦୃଢନିଶ୍ଚିତ ମନଟା 

ବିଜୟର ଆନନ୍ଦରେ ଉଲ୍ଲସିତା ।ନିଜ ପାଖରେ ମୁଁ 

ପାଇଗଲି ତାଙ୍କୁ ।ସାଉଁଟିନେବାରେ ଲାଗିଲି ଶାନ୍ତନୁଙ୍କୁ 

ସେ ବିକ୍ଷିପ୍ତ ହେବା ଆଗରୁ ।ଆଉ ମୋ ଶରୀରରେ 

ଭରିଯାଉଥିଲା ଉନ୍ମାଦନା ବସନ୍ତର ।ସତରେ ହରାଇ

ଦେବାର ଭୟ ଆଉ ନ ଥିଲା ନିଜକୁ କି ତାଙ୍କୁ ।


Rate this content
Log in

Similar oriya story from Inspirational