Sagareeka Panigrahi

Inspirational

4.3  

Sagareeka Panigrahi

Inspirational

ବୋଉ କୁ ଚିଠିଟିଏ

ବୋଉ କୁ ଚିଠିଟିଏ

4 mins
813


ଚିଠି ହଜିଗଲାଣି କାହିଁ କେତେ କାଳରୁ, ତାର ଅସ୍ତିତ୍ୱ ପ୍ରାୟତଃ ଲୁପ୍ତ । କହି ଚାଲିଥିଲା ସମାପିକା ରାୟ ଓରଫ ମିନୁ ମିସେସ୍ ସାମନ୍ତରାୟଙ୍କୁ । ପ୍ରସୂତୀ କକ୍ଷ ଭିତରକୁ ଯିବା ପୂର୍ବରୁ, ସେ କହୁଥିଲା ମନର ଗୋପନ କଥାଟି କ'ଣ ଏଇ ମୋବାଇଲ ମେସେଜରେ ଲେଖି ହୁଏ ? ମେସେଜରେ କ'ଣ ମନର ସଂଗୁପ୍ତ ଚାବିକାଠିଟିକୁ ଲୁଚେଇ ରଖିହୁଏ ? ତେଣୁ ମୁଁ ଚିଠି ଲେଖିବାକୁ ବାଧ୍ୟ ହେଲି ମିସେସ୍ ସାମନ୍ତରାୟ । ଆଉ ମୁଁ ଲେବର ରୁମକୁ ଗଲା ପରେ ତାକୁ ଥରେ ପଢିନେବେ, ତରତର ହୋଇ ଲେଖିଛି, କାଳେ ଭୁଲ୍ ଥିବ । ତାପରେ ତାର ଲେବର ପେନ୍ ଅସହ୍ୟ ହୋଇଉଠୁଥିଲା । ତାକୁ ଭିତରକୁ ନେଇ ଯାଇଥିଲେ । ମିସେସ୍ ସାମନ୍ତରାୟ ପଢି ଚାଲିଲେ ଚିଠିଟିକୁ । 

  ସ୍ନେହର ବୋଉ ,

   ତୁମରି ଚରଣ ସ୍ପର୍ଶର ଅଧିକାର ତୁମେ ମତେ ଦେବକି ନା ଜାଣେନା । ତଥାପି ଚରଣ ସ୍ପର୍ଶ କରୁଛି । ମୁଁ ଆଜି ମାଆ ହେବାକୁ ଯାଉଛି । ତୁମେ ଚମକି ପଡୁଛ ନିଶ୍ଚୟ । ମୁଁ କେବେ ବାହା ହେଲି ତୁମକୁ ଖବର ଦେଲି ନାହିଁ ଭାବୁଛ । କିନ୍ତୁ ନାଁ... ମୁଁ ବାହା ହୋଇନାହିଁ । ମତେ ଘୃଣା କରୁଛ କି ? କିନ୍ତୁ ଚିଠିଟିକୁ ସମ୍ପୂର୍ଣ୍ଣ ଶେଷ କଲା ପରେ ତୁମେ ମତେ ଘୃଣା କରିବନି ବରଂ ମୋ ପାଇଁ ଗର୍ବିତ ହେବ । ଭାବୁଛ କି ମୁଁ କାହା ସହ ଅନୈତିକ ସମ୍ପର୍କରେ ଲିପ୍ତ ହୋଇଛି ? ନା ମାଆ ତୁମର ଧାରଣା ସମ୍ପୂର୍ଣ୍ଣ ଭୁଲ୍ । ମୁଁ ବାହା ହୋଇନାହିଁ କି କାହା ସହ ଅନୈତିକ ସମ୍ପର୍କ ସ୍ଥାପନ କରି ନାହିଁ । କିନ୍ତୁ ମୁଁ ମାଆ ହେବି କିପରି, ଏୟା ଭାବୁଛ ତ । ସେ ସବୁ ଜାଣିବା ପାଇଁ ତୁମକୁ ଚିଠିଟିକୁ ଶେଷ ଯାଏ ପଢିବାକୁ ପଡିବ । ଏ ଅବସ୍ଥାରେ ବସି ଚିଠିଟିକୁ ଲେଖିବା ଟିକିଏ କଷ୍ଟକର ମନେହେଉଛି । କିନ୍ତୁ ମୁଁ ତୁମର ଭଲ ପାଇବାକୁ ହରେଇବାକୁ ଚାହୁନି କି ମୋ ଜୀବନର ମହତ୍ତର ଉଦ୍ଦେଶ୍ୟକୁ ମଧ୍ୟ ତ୍ୟାଗ କରିବାକୁ ଚାହୁଁନି । ତେଣୁ କରି ତମକୁ ଏ କଷ୍ଟ ସହିବାକୁ ପଡିବ ।  

ମାଆ ମୁଁ ସୈନ୍ୟବାହିନୀର କର୍ଣ୍ଣେଲ୍ ଅଭିମନ୍ୟୁ ସାମନ୍ତରାୟଙ୍କ ସନ୍ତାନକୁ ଗର୍ଭରେ ଧାରଣ କରିଛି । ତୁମେ ତ ଜାଣ ମୁଁ ଆର୍ମି ସ୍କୁଲର ଶିକ୍ଷୟିତ୍ରୀ । ତେଣୁ ତାଙ୍କ ସହ ମୋର ପରିଚୟ ଏଇଠି ହୋଇଛି । ମୁଁ ତୁମକୁ କେତେଥର ଫୋନରେ ତାଙ୍କ କଥା କହିଛି । ତାଙ୍କ ପରିବାର ସହ ମୋର ଆନ୍ତରିକତା କଥା ତୁମକୁ ଅଛପା ନୁହେଁ । ସେ ବିବାହିତ । ତଥାପି ତାଙ୍କ ସହ ମୋର ଆନ୍ତରିକତାକୁ କେହି କେହି ନାକ ଟେକନ୍ତି । କିନ୍ତୁ ସବୁ ଆନ୍ତରିକତା କ'ଣ ପ୍ରେମ ? ବନ୍ଧୁତ୍ୱ ହୋଇପାରେନା ?

ଆଜିର ଏ ଇଣ୍ଟରନେଟ ଯୁଗରେ ତାଙ୍କ ସହ ଯୋଡିହୋଇ ରହିବାପାଇଁ ମତେ ବେଶୀ କଷ୍ଟ କରିବାକୁ ପଡି ନଥିଲା । ତାଙ୍କ ଓ ମୋ ମଧ୍ୟରେ ବୟସର ପାର୍ଥକ୍ୟ ବେଶୀ ନଥିଲା । ତାଙ୍କ ଗାମ୍ଭୀର୍ଯ୍ୟ ଓ ଭଦ୍ରୋଚିତ ବ୍ୟବହାର ଥିଲା ମୋର ଆକର୍ଷଣର କେନ୍ଦ୍ରବିନ୍ଦୁ । ମୁଁ ତାଙ୍କ ପତ୍ନୀଙ୍କ ସହ ମଧ୍ୟ ଘଣ୍ଟା ଘଣ୍ଟା କଥା ହେଉଥିଲି । 

ଦିନେ ମୁଁ ସାମନ୍ତରାୟ ଦମ୍ପତିଙ୍କ ଆତିଥ୍ୟ ଗ୍ରହଣ କରିବାକୁ ବାଧ୍ୟ ହେଲି । ଯାଇ ଦେଖିଲି ତାଙ୍କର ଶୂନ୍ୟ ମନ୍ଦିର, ଘର ଅଗଣା ସବୁ ଶୁନ୍ ଶାନ୍ । ସେଦିନ ମିସେସ୍ ସାମନ୍ତରାୟଙ୍କ ଶୂନ୍ୟ ହୃଦୟର ହାହାକାର ମତେ ଛୁଇଁ ଗଲା । ସେ ଅତି କରୁଣ ସ୍ୱରରେ କହିଥିଲେ, ମୀନୁ ! ଆମ ପାଇଁ ଗୋଟିଏ ସରୋଗେଟ ମଦର ଠିକ୍ କରିଦେଇ ପାରିବ । ମୋର ଶୂନ୍ୟ କୋଳ ପୂର୍ଣ୍ଣ କରିବାକୁ ମୁଁ ସମ୍ପୂର୍ଣ୍ଣ ଅସମର୍ଥ ବୋଲି ଡାକ୍ତର କହିଛନ୍ତି । ସେତେବେଳେ ମିଷ୍ଟର ସାମନ୍ତରାୟ କହିଲେ ଆରେ ତୁମେ ତାଙ୍କୁ କ'ଣ କହୁଛ ? ସେ ପରା ଆମର ଅତିଥି । ଅତିଥିଙ୍କୁ ଆପ୍ୟାୟିତ କରିବା ଆମର କର୍ତ୍ତବ୍ୟ । ତୁମେ ତାଙ୍କୁ ଏତେ ବଡ ଭିକ୍ଷା ମାଗୁଛ । ଅତିଥିଙ୍କୁ ମାଗିବା ଆମର ପରମ୍ପରା ନୁହେଁ । ମୁଁ ହସିଦେଇ କହିଲି__ ନା ସାର୍ ମୁଁ ଅତିଥି ନୁହେଁ । ମୁଁ ତ କେବେଠୁ ଆପଣଙ୍କ ଘର ମଣିଷ ହୋଇଯାଇଛି । 

ବୋଉ, ସେଦିନ ମୁଁ ଚାଲିଆସିଲି କିନ୍ତୁ ମିସେସ୍ ସାମନ୍ତରାୟଙ୍କ ସେହି ଶୂନ୍ୟତା ମୋ ଭିତରେ ସଞ୍ଚରି ଯାଉଥିଲା । ମତେ ବ୍ୟତିବ୍ୟସ୍ତ କରୁଥିଲା ସେ କରୁଣ କଣ୍ଠସ୍ୱର ଓ ମାତୃତ୍ୱ ଭିକ୍ଷା । ମୁଁ ଇଣ୍ଟରନେଟରେ ବହୁତ ଖୋଜିଲି କିନ୍ତୁ କୌଣସି ସରୋଗେଟ ମଦର କର୍ଣ୍ଣେଲଙ୍କ ବ୍ୟକ୍ତିତ୍ୱକୁ ଖାପ୍ ଖୁଆଇ ତାଙ୍କ ଶୁକ୍ରାଣୁକୁ ଗର୍ଭାଶୟରେ ଧାରଣ କଲାଭଳି ମତେ ଲାଗୁ ନଥିଲେ । ଶେଷରେ ମୁଁ ନିଷ୍ପତ୍ତି ନେଲି ତାଙ୍କ ପରି ଜଣେ ମହାନ୍ ଦେଶଭକ୍ତଙ୍କ ସନ୍ତାନକୁ ମୁଁ ନିଜେ ଜନ୍ମ ଦେବି ,ମୁଁ ହେବି ସରୋଗେଟ ମଦର ।  

ମୋର ଏହି ନିଷ୍ପତ୍ତିରେ କିନ୍ତୁ କର୍ଣ୍ଣେଲ ଦମ୍ପତ୍ତି ରାଜି ନଥିଲେ । ସେମାନେ ନିଜକୁ ଦୋଷୀ ମନେ କରୁଥିଲେ । ମୁଁ ତାକୁ ବୁଝେଇ ଥିଲି । କହିଥିଲି _ ସାର୍ ଆପଣ ଭାରତବାସୀଙ୍କ ସୁରକ୍ଷାର ଦାୟିତ୍ୱ ନେଇଛନ୍ତି । ମୁଁ କ'ଣ ଆପଣଙ୍କ ଭବିଷ୍ୟତ ଦାୟାଦର ସୁରକ୍ଷାର ଭାର ନେଇ ପାରିବିନି ? ଭାରତର ଜଣେ ନାଗରିକ ଭାବରେ ଆପଣ ମତେ କରିବାର ସୁଯୋଗ ଦିଅନ୍ତୁ । ଶେଷରେ ମୋ ଯୁକ୍ତି ନିକଟରେ ସେମାନେ ହାର୍ ମାନିଲେ । 

ତୁ ଆଶ୍ଚର୍ଯ୍ୟ ହେଉଛୁ କି ବୋଉ ବିନା ଶାରିରୀକ ସମ୍ପର୍କରେ ଏସବୁ କିପରି ସମ୍ଭବ ?ଆଜିର ଏ ବିଜ୍ଞାନ ଯୁଗରେ ସବୁକିଛି ସମ୍ଭବ ବୋଉ । ପୁରୁଷର ଶୁକ୍ରାଣୁକୁ କାଢି କେବଳ ନାରୀ ଜରାୟୁରେ ପ୍ରତିରୋପଣ କରାଯାଏ । ସତ କହିଲୁ ବୋଉ ମୁଁ କ'ଣ ମହତ୍ କାର୍ଯ୍ୟ କରିନାହିଁ । 

କିନ୍ତୁ ନିୟତିର ଗତି ବିଚିତ୍ର । ନିକଟ ଅତୀତରେ ପାକିସ୍ଥାନର ଅନୁପ୍ରବେଶକୁ ରୋକିବାକୁ ଯାଇ କର୍ଣ୍ଣେଲ ଶତୃ ସୈନ୍ୟବାହିନୀର ଗୁଳିରେ ମୃତ୍ୟୁବରଣ କରିଛନ୍ତି । ଏବେ ତାଙ୍କର ସ୍ତ୍ରୀ କେବଳ ଏଇ ଶିଶୁଟି ପାଇଁ ଧୈର୍ଯ୍ୟର ସହ ବଞ୍ଚିଛନ୍ତି । ଶେଷରେ ମୋ ନିଷ୍ପତ୍ତି ବି ପଢିନେବ ମାଆ । 

ଏ ଶିଶୁଟି ଭୂମଷ୍ଠ ହେବାପରେ ଆମେ ତାକୁ ନେଇ ଚାଲିଯିବୁ କର୍ଣ୍ଣେଲଙ୍କ ବିରାଟ ବଙ୍ଗଳାକୁ । ତାକୁ ଦୁଇ ଭାଗରେ ବିଭକ୍ତ କରିବୁ । ଗୋଟିଏ ହେବ ଦେବକୀ ନିଳୟ ଓ ଅନ୍ୟଟି ହେବ ଅକ୍ଷୟ ନିଳୟ । ଦେବକୀ ନିଳୟରେ ରହିବେ ମଦର୍ ସରୋଗେସି ପାଇଁ ରାଜି ଥିବା ମହିଳା ଓ ଅକ୍ଷୟ ନିଳୟରେ ରହିବେ ଅନାଥ ଶିଶୁ । ତେଣୁ ସରୋଗେଟ ମଦର ହେବାପରେ ନିଜର ଶୂନ୍ୟ ମାତୃତ୍ୱ ପାଇଁ ବିଳାପ ନ କରି ସେମାନେ ଅନାଥ ଶିଶୁଙ୍କୁ ପାଳନ କରିବେ । ଏଥିପାଇଁ ମିସେସ୍ ସାମନ୍ତରାୟଙ୍କୁ ମୁଁ ରାଜି କରି ସାରିଛି । 

ଶେଷରେ ମୁଁ ବାହା ନ ହେବାକୁ ନିଷ୍ପତ୍ତି ନେଇଛି । ମୁଁ ମୋ ଜୀବନକୁ ଏହି ମହତ୍ କାର୍ଯ୍ୟ ପାଇଁ ଉତ୍ସର୍ଗ କରିଛି । ମଦର ସରୋଗେସିକୁ ଅନେକେ ଘୃଣା କରନ୍ତି । କିନ୍ତୁ ତା ଦ୍ୱାରା ଯେ ଜଣେ ଅନ୍ୟ ହୃଦୟରେ ଭରିଦେଉଛି ମାତୃତ୍ୱର ଆନନ୍ଦ ତାହା ସେମାନେ ବୁଝିପାରନ୍ତି ନାହିଁ । ଭାବୁଛ କି ମୁଁ ଏହା ପଇସାର ମୋହରେ କରୁଛି । ନା ବୋଉ, କର୍ଣ୍ଣେଲ ଯେତେ ସମ୍ପତ୍ତି ଛାଡିଯାଇଛନ୍ତି ତାହା ଆମ ପାଇଁ ଯଥେଷ୍ଟ । ଅନେକେ ଜମିଦାନ କରନ୍ତି, ସ୍ୱର୍ଣ୍ଣ ଦାନ କରନ୍ତି କିନ୍ତୁ ମୁଁ ନିଜର ଗର୍ଭ ଦାନ କରୁଛି । ମୁଁ ଚିର ଦେବକୀ ହୋଇ ରହିବି, ଯଶୋଦା ମୁଖରେ ହସ ଫୁଟେଇବା ପାଇଁ । ଏବେବି କହିବୁ କି ତୋ ଝିଅ ଭୁଲ କରିଛି ? ଇତି 

   ତୋର ଅଝଟିଆ ଝିଅ ମୀନୁ 

ଚିଠିର ପ୍ରତିଟି ଅକ୍ଷରକୁ ପଢୁଥିଲେ କର୍ଣ୍ଣେଲଙ୍କ ପତ୍ନୀ । ମୀନୁର ମହନୀୟତା ଆଗରେ ସେ ଚିର ଋଣୀ ହୋଇଯାଇଥିଲେ । ସେ ଏକ ନୂତନ ସକାଳର ଅୟଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଥିଲେ । ସେ ଶିଘ୍ର ଚିଠିଟିକୁ ନିକଟସ୍ଥ ଡାକଘରରେ ପକେଇବା ପାଇଁ ବାହାରିଲେ । ତାଙ୍କୁ ପୁଣି ଶିଘ୍ର ଫେରିଆସିବାକୁ ହେବ ଏଇ ଡାକ୍ତରଖାନାକୁ, ଅନେକ କାମ ଓ ଏକ ସୁନେଲି ସ୍ୱପ୍ନର ରୂପ ଦେବାକୁ । 



Rate this content
Log in

Similar oriya story from Inspirational