ABADHOOT PANDA

Inspirational Others

4  

ABADHOOT PANDA

Inspirational Others

ନୁଆଁ ଦୁନିଆଁର ନୁଆଁ ତରୁଣୀ

ନୁଆଁ ଦୁନିଆଁର ନୁଆଁ ତରୁଣୀ

6 mins
311


ରାତି ସାତଟା l "ବୋଉ ବୋଉ ମୁଁ କଲେଜରୁ ଆସିଗଲି ଟିକେ ଡେରି ହେଇଗଲା l ମୋର ସ୍କାଉଟ କ୍ୟାମ୍ପରେ ମିଟିଙ୍ଗ ଥିଲା l ତୁ କଣ କରୁଛୁ l ଜବାବ ଦଉନୁ ଯେ " କହି କହି ସୀମାନୀ ସ୍କୁଟିଟିକୁ ଗେଟ ବାହାରେ ରଖି ଘର ଭିତରକୁ ପଶି ଆସିଲା l ହେଲମେଟ, ଚଷମା ଓ ମୁଖା କାଢ଼ି ଡ୍ରଇଂ ରୁମ ସୋଫା ଉପରେ ପାଖ ରୁମ ଭିତରକୁ ଚାହିଁ ବୋଉ ସାରିକାଙ୍କୁ ଖୋଜି ଖୋଜି l ମାତ୍ର ସେ ଆଶ୍ଚର୍ଯ୍ୟ ହେଇଗଲା ଯେତେବେଳେ ସେ ଦେଖିଲା ଭଗବାନ କୃଷ୍ଣଙ୍କ ମୂର୍ତ୍ତି ସାମ୍ନାରେ ମୀରାବାଈଙ୍କ ପରି ଧ୍ୟାନରତ ତାର ବୋଉ ସାରିକା l ବୋଉଙ୍କୁ ଆଉ ନଡାକି ଯାଇ ଢୁକିଲା ସିଧା ୱାଶ ରୁମରେ l ଠିକ କୋଡ଼ିଏ ମିନିଟ ପରେ ବାହାରି ଆସିଲା ରିଫ୍ରେସ ହେଇ ନିଜର ଦୁଇ ହାତ ଲମ୍ବା କବରୀକୁ ତଉଲିଆରେ ଝାଡ଼ି ଝାଡ଼ି l ବୋଉ ଧ୍ୟାନଭଗ୍ନା l ପଚାରିଲା, " ତୋର ଆଜି ଏ କି ରୂପ l ମୁଁ ତ ପିଲାବେଳୁ କେବେ ଦେଖିନି ତୋର ଏପରି ଭାବ ଆଉ କୃଷ୍ଣ ଭକ୍ତି l କିଛି ଗୋଟାଏ ହେଇଛି ନିଶ୍ଚୟ l ମୋତେ ଟିକେ ଶୁଣା କଣ ହେଇଛି l "

ଝିଅର ଅଳିରେ ସ୍ତମ୍ଭିତ ହେଲେ ସାରିକା l ଆଉ କୃଷ୍ଣମୂର୍ତ୍ତି ପାଦକୁ ଛୁଇଁ ଝିଅ ମୁଣ୍ଡକୁ ଛୁଇଁଲେ l ତାଙ୍କ ଆଖିରୁ ଦୁଇ ଟୋପା ଲୁହ ଝରି ପଡ଼ିଲା ଗାଲ ଉପରେ l ସଜଳ ଆଖିରେ କହିଲେ, " ହଁ ମା ସୀମାନୀ l ଆଜି ଯାଏଁ ତତେ ଏ ବିଷୟରେ କିଛି କହିନି l କହୁଛି ଶୁଣ l ତୁ ବର୍ଷକର ହେଇଥିଲୁ ତୋ ବାପା ଆମକୁ ଛାଡ଼ି ଚାଲିଗଲେ ସେପାରିକୁ l ଘରେ ତୋର ଅନ୍ଧବିଶ୍ୱାସୀ ଦାଦା ଓ ଖୁଡ଼ି ମୋତେ ଦୂର ଦୂର ଛୁର ଛୁର କଲେ l କାରଣ ତାଙ୍କ ମୁଣ୍ଡରେ ଅଜ୍ଞାନ ଭୁତ ପଶିଥିଲା l ସେ ମୋତେ ସବୁବେଳେ ଗାଳି ଦେଇ " ରାଣ୍ଡ ପିଶାଚୀ ଅଲକ୍ଷିଣି ବୋଲି ଗାଳି ଦେଉଥିଲେ l କାରଣ ବିଭାଘର ଦୁଇ ବର୍ଷ ନହଉଣୁ ତୋ ଘଇତାକୁ ଖାଇଲୁ l ତୋ ମୁହଁ ଦେଖିଲେ ଆମକୁ ଖାଇବାକୁ ମିଳିବନି l ତୁ ତୋ ବାପ ଘରକୁ ପଳା ତୋ ଝିଅକୁ ସାଙ୍ଗରେ ନେଇ l ସେ ଝିଅ ଆମର ଦରକାର ନାହିଁ l ପୁଅଟା ହେଇଥିଲେ ଆମେ ରଖିଥାନ୍ତୁ l ଏମିତି ଯାହା ପାଟିକି ଆସିଲା ବକି ଗଲେ l ମୋର କେତେ ଆଶା ଥିଲା, ତୋର ବାପା ଗଲା ପରେ ମୁଁ ମୋର ଶଶୁର ଘରେ ଡ଼ାଇରୀ ଫାରମ ବା ମହୁ ଚାଷ ହଉ କିମ୍ବା ସିଲେଇ ମେସିନ ଖଣ୍ଡେ ପକେଇ କିଛି ରୋଜଗାର କରି ତୋତେ ପାଳିବି l ଆମ ପରିବାର କହିଲେ କେବଳ ତୁ ମୁଁ ତୋର ଦାଦା ଖୁଡ଼ି l ସୁଖୀ ପରିବାର l ଏକାଠି ମିଳିମିଶି ଚଳିଯିବା l କିଛି ଅଭାବ ରହିବନି l ହଉ ମୋ ମୁଣ୍ଡଟା ଟିକେ ବିନ୍ଧିଲାଣି l ଚା ଦୁଇ କପ କରି ଆଣ ତ ମା l ପିଇବା l " ବୋଉଙ୍କ ଆଜ୍ଞା ତତକ୍ଷଣାତ ପାଳନ କଲା ସୀମାନୀ l

ଦଶ ମିନିଟ ପରେ ଫଟା ଫଟ ଦୁଇ କପ ଚା ଧରି ପହଞ୍ଚିଲା ସୀମାନୀ l " ବୋଉ ନେ " କହି ଗୋଟାଏ କପ ବଢ଼ାଇ ଦେଲା ସୀମାନୀ ବୋଉ ହାତକୁ l ସାରିକା କପବୋଡ଼ ଉପର ଥାକରୁ ବ୍ରିଟାନିଆ ବିସ୍କୁଟ ଡବାରୁ ଛଟା ଆଣି ଚାରିଟା ଝିଅକୁ ଦେଇ ନିଜେ ଦୁଇଟା ଚାହାରେ ବୁଡ଼ାଇ ଖାଇଲେ l ସମ ତାଳରେ ବାକି ଜୀବନ କାହାଣୀ ଆରମ୍ଭ ହେଲା l " ତାପରେ ଘରେ ସେମାନେ ମତେ ରଖେଇ ଥୋଇ ଦେଲେନି l ଗାଳି ଗୁଲଜ ସାଙ୍ଗକୁ ସ୍ୱାମୀ ସ୍ତ୍ରୀ ମିଶି ମୋତେ ବିଧା ଚାପୁଡ଼ା ମାରି ଚାଲିଲେ l ଦିନକୁ ଦିନ ଅତ୍ୟାଚାର ବଢ଼ି ଚାଲିଲା l ମୁଁ ଗୋଟାଏ ଘରର ବଡ଼ ବୋହୁ l କୂଳ ମର୍ଯ୍ୟାଦା ରଖିବାକୁ ଯାଇ ମୁଁ କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ଚୁପ ରହେ l ମୋ ବାପା ବୋଉ ଭାଇଙ୍କୁ ବି ଖବର ଦେଲିନି l କାରଣ ସାଇ ପଡ଼ିଶା ହସିବେ l ଏମିତି ବର୍ଷେ ବିତିଗଲା l ଥରେ ଅଚାନକ ମୋ ବଡ଼ ଭାଇ ଆସି ପହଞ୍ଚିଲେ l ଭାଇଙ୍କ ସାମ୍ନାରେ ମୋତେ ଗାଳିଦେଇ ମାଡ଼ ମାରିଲେ ମୁଁ ଇଶାରାରେ ମନା କରିବା ସତ୍ତ୍ୱେ l ଏ ସବୁ ଅମାନୁଷ ବ୍ୟବହାର ଦେଖି ଭାଇ ରାଗିଗଲେ - ଚାଲ୍ ସାରିକା ମୋ ସାଙ୍ଗରେ l ଧିକ ତାଙ୍କର ଜମିଦାରୀ l ଏଗୁଡ଼ାକ ବିବେକ ହୀନ ପଶୁ l ଆମ ଘରେ ଶାନ୍ତିରେ ରହିବୁ l ଛାଡ଼ିଦେ ତୋର ଆଦର୍ଶ l ଆ ଚାଲିଆ ମୋ ସାଙ୍ଗରେ l "

ଭାଇନାଙ୍କ ଆଦେଶ ମୁଁ କାଟି ପାରିଲିନି l ତାଙ୍କ ସହିତ ଏଠିକି ପଳେଇ ଆସିଲି l ମୋର ଶିକ୍ଷା ଦୀକ୍ଷା ଏଠି କାମରେ ଲାଗିଲା l ଘର କାମ ଛଡ଼ା ସାହି ପଡ଼ିଶାଙ୍କ ଛୁଆ ପିଲାଙ୍କୁ ଟିଉସନ କରେ l ତୋ ମାମୁଁ ମୋ ପେଇଁ ଦୁଇଟି ମହୁ ବାକ୍ସ ଓ ଗୋଟିଏ ସିଲେଇ ମେସିନ ଆଣିଦେଲେ l ସେଇଥିରୁ ଯାହା ରୋଜଗାର ସେଥିରୁ ଘର ଖର୍ଚ୍ଚ ଯାଇ ବଳେ l ସେଇ ପଇସାକୁ ଆମ ଗାଁରେ ଥିବା ଗ୍ରାମ୍ୟ ବ୍ୟାଙ୍କରେ ରଖିଦିଏ l ତୁ ଆସ୍ତେ ଆସ୍ତେ ବଡ଼ ହେଲୁ l ଭଲ ପାଠ ପଢ଼ି ବୃତ୍ତି ପାଇଆସୁଛୁ ଆଜି ଯାଏଁ l ମୁଁ ସବୁ କିଛି ମୋର ଇଷ୍ଟ ନନ୍ଦ କିଶୋରଙ୍କୁ ସମର୍ପଣ କରିଦେଇଛି l ତାଙ୍କୁ ଧ୍ୟାନ କରିବା ଆଜିଠୁଁ ଆରମ୍ଭ କଲି l ତୋର ନିଜର ଭବିଷ୍ୟତ ବର୍ତ୍ତମାନ ତୋ ହାତରେ l ତୋର ଅଜା ଆଈ ଯଦି ବଞ୍ଚିଥାନ୍ତେ ତତେ ଦେଖି ତାଙ୍କ ଛାତି କୁଣ୍ଢେ ମୋଟ ହୁଅନ୍ତା l" ବୋଉଙ୍କ ଦୁଃଖ ଭରା କାହାଣୀ ସୀମାନୀ ହୃଦୟକୁ ଉଦବେଳିତ କଲା l ଛାଏଁ ଛାଏଁ ଆଖି ଛଳ ଛଳ ହେଇଗଲା l ସିଏ ସାରିକାଙ୍କୁ ମୁଣ୍ଡିଆ ମାରି କହିଲା, " ମୋ ମନ ହାଲୁକା ହେଲା ଆଜି ତୋର ସବୁକଥା ଶୁଣି ବୋଉ l ବଡ଼ ଆଶା ଅଛି ବିମାନ ବାହିନୀରେ ଯୋଗ ଦେଇ ଦେଶ ମାତୃକାର ସେବା କରିବା ପାଇଁ l ଫାଇଟର ପ୍ଲେନ ଉଡ଼େଇବା ପାଇଁ ମୋର ଭାରି ଇଚ୍ଛା l ସେଥିପାଇଁ ଏବର୍ଷ ବିଏସସି ପାସ କଲାପରେ ନାଶିକ ତାଲିମ କେନ୍ଦ୍ରରେ ନାଁ ଲେଖେଇ ଦେବି l ମୁଁ ଜଣେ ଇଣ୍ଡିଆନ ଏୟାର ଫୋର୍ସର ପାଇଲଟ ହେବାକୁ ଚାହେଁ l ମୁଁ ଚେଷ୍ଟା କରିବି ତେଣିକି ତୋର ଶୁଭାଶୀଷ ଆଉ ଭଗବାନ କୃଷ୍ଣଙ୍କ ଇଚ୍ଛା l " ହଁ ଠିକ ଅଛି ଝିଅ ତୋ ନିଜ ପାଇଁ ଯେଉଁଟା ଭଲ ସେଇଟା କର l ସମସ୍ତଙ୍କ ଆଶୀର୍ବାଦ ତୋ ଉପରେ ଅଛି l " ହଉ ବୋଉ ରାତି ଏଗାରଟା ବାଜିଲାଣି ଶୋଇ ପଡ଼ିବା ଚାଲ ହାଇ ଆସିଲାଣି ଆଉ ଗପି ହବନି l 

ପାହାନ୍ତାରୁ ଉଠି ନିତ୍ୟକର୍ମ ସାରି ଛାତ ଉପରେ ସୂର୍ଯ୍ୟ ନମସ୍କାର, ଅନ୍ୟାନ୍ୟ ବ୍ୟାୟାମ, ଯୋଗାସନ ଅଭ୍ୟାସ କରିବା ସହିତ ପ୍ରାତଃ ଭ୍ରମଣ କରିବା ନିୟମିତ କାର୍ଯ୍ୟ କ୍ରମ ସୀମାନୀର l ପେସ୍ତା ବାଦାମ ଆଉ ଗୋଟିଏ ସେଓ ଖାଇ ପଢ଼ା ପଢ଼ିରେ ଲାଗିଯାଏ l ତାପରେ ମୋବାଇଲ ଫୋନରେ ଅତି ଅନ୍ତରଙ୍ଗ ବନ୍ଧୁ ବାନ୍ଧବୀମାନଙ୍କ ସହିତ ଟିକେ ବାର୍ତ୍ତାଳାପ କରି ମନଟାକୁ ଖୁସି କରେ l ସକାଳ ଆଠଟା ବେଳେ ମା ହାତ ତିଆରି ରୁଟି ଚାରିଟି ଓ ଅଣ୍ଡା ଆମଲେଟ ଖାଇ ନିଜ ସ୍କୁଟି ଚଢ଼ି ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା କଲେଜ ଯାଏ l ଏମିତି ଦିନ ଗୁଡ଼ିକ କଟି ଚାଲିଲା l ବାର୍ଷିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ କଲା ସୀମାନୀ l ମାମୁଁ ମାଇଁ ପଡ଼ୋଶୀ ଓଗେର ସମସ୍ତେ ଖୁସି l ଇଣ୍ଡିଆନ ଏଆର ଫୋର୍ସରେ ଯୋଗ ଦେବାକୁ ସମସ୍ତଙ୍କ ପ୍ରୋତ୍ସାହନ ମିଳିଲା l ମାସେ ଘରେ ରହି ଆନୁସଙ୍ଗିକ ଯୋଗାଡ଼ ଯନ୍ତ୍ର କରି ଫ୍ଲାଇଟରେ ନାଶିକ ଚାଲିଗଲା l ଟ୍ରେନିଂ କ୍ଲାସ ଆରମ୍ଭ l ମନଧ୍ୟାନ ଦେଇ ଟ୍ରେନିଂ ନେଲା l ପ୍ରାଥମିକ ପାଠ୍ୟକ୍ରମ ପରେ ଆହୁରି ତିନି ବର୍ଷ ଫାଇଟର ପାଇଲଟ କୋର୍ସ ଶେଷ କଲା ସୀମାନୀ l ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଲଢୁଆ ବିମାନ ଉଡ଼ାଣ ବିଦ୍ୟାରେ ଦକ୍ଷତା ଅର୍ଜନ କରି ଭାରତୀୟ ବିମାନ ବାହିନୀ କାର୍ଯ୍ୟାଳୟରେ ଆବେଦନ ପତ୍ର ଦାଖଲ l ତାପରେ ଟେଷ୍ଟ ଓ ଇଣ୍ଟରଭିଉରେ ସଫଳତା ହାସଲ l ପରେ ପରେ ଲଦାଖରେ ପ୍ରଥମ ପୋଷ୍ଟିଙ୍ଗ ପାଇ ମିସ ସୀମାନୀ ସ୍ୱର୍ଗ ସୁଖ ପ୍ରାପ୍ତି କଲେ l ତାଙ୍କର ଦୁଃସାହାସିକ ବିମାନ ଚାଳନା ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀଗଣଙ୍କୁ କଳ୍ପନାତୀତ ବିସ୍ମିତ କରିପାରିଥଲା l ତାଙ୍କର ଦେଶପ୍ରେମ ଭିତ୍ତିକ ବୈମାନିକ ରଣ ନୀତି ପ୍ରତ୍ୟେକ ସୀମାନ୍ତରକ୍ଷୀ ଅଧିକାରୀ ବୃନ୍ଦଙ୍କୁ ଆଶାତୀତ ପ୍ରେରଣା ପ୍ରଦାନ କରି ପାରିଥିଲା l ଫଳତଃ ସ୍ଵର୍ଣ୍ଣ ପଦକ ଲାଭ ତଥା ଉତ୍କର୍ଷତା ପ୍ରମାଣ ପତ୍ର ଭାରତୀୟ ସେନାଧିକାରୀଙ୍କ ମନ ପ୍ରାଣରେ ଗଭୀର ଦେଶ ପ୍ରେମ ସଞ୍ଚାର ପୂର୍ବକ ଭାରତୀୟ ରାଷ୍ଟ୍ରପତି ମଧ୍ୟ ପ୍ରଭାବିତ l ରାଷ୍ଟ୍ରପତିଙ୍କ ପ୍ରଶଂସା ପତ୍ର ଓ ସ୍ବର୍ଣ୍ଣ ଫଳକ ମିସ ସୀମାନୀଙ୍କୁ ସର୍ବୋଚ୍ଚ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଅଭିଷିକ୍ତ କରି ନିଜ ପରିବାର ବର୍ଗଙ୍କ ଠାରୁ ଆରମ୍ଭ କରି ସମଗ୍ର ବିଶ୍ୱ ଜନତାଙ୍କୁ ଆକାଶ ଜାଲ ମାଧ୍ୟମରେ ଗୌରବାନ୍ବିତ କଲା l ତାଙ୍କର ଅବସର ସମୟ ଉପନୀତ ଦୀର୍ଘ ଦଶ ବର୍ଷ ମାତୃଭୂମିର ଜଣେ ସୁନାମ ଧନ୍ୟ ମାତୃଭୂମିର ସେବିକା ଭାବେ l ବର୍ତ୍ତମାନ ସେ ନିଜ ଜନ୍ମ ସ୍ଥାନ ବରୁଣେଇ ପାହାଡ଼ ତଳି ଗାଁରେ ରେ ବିରାଜମାନ l ଅବସର ପ୍ରାପ୍ତ ଜୀବନକୁ ଅତିବାହିତ କରିପାରୁଛନ୍ତି ଶାନ୍ତି ପୂର୍ଣ୍ଣ ଭାବରେ ସ୍ଵସ୍ଥାପିତ ଜନକଲ୍ୟାଣ କେନ୍ଦ୍ର ଓ ଏକ ବେସରକାରୀ ସାମରିକ ଶିକ୍ଷା କେନ୍ଦ୍ରରେ ନିଜକୁ ସର୍ବଦା ନିୟୋଜିତ ରଖି l ବିଶେଷ କରି ଏକ ବିଂଶ ଶତାବ୍ଦୀର ଅନୁନ୍ନତ ଅବହେଳିତ ଯୁବକ ଯୁବତୀମାନଙ୍କୁ ଯଥାସମ୍ଭବ ଥଇଥାନ କରିବା ତାଙ୍କ ଜୀବନର ମୁଖ୍ୟ ଉଦ୍ଦେଶ୍ୟ l ପରିବାରର ବୟୋଜ୍ୟେଷ୍ଠ ବୋଉ ମାମୁଁ ମାଇଁଙ୍କ ପ୍ରତି ତଥା ସମାଜର ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କ ମଙ୍ଗଳ ସାଧନ ମିସ ସୀମାନୀଙ୍କ ଜୀବନ ବ୍ରତ l ଜଣେ ଶିଖ ଆର୍ମି ଅଫିସରଙ୍କୁ ଗାନ୍ଧର୍ବ ନୀତିରେ ବିବାହ କରି ଦୁଇଟି ପୁତ୍ର ଓ ଦୁଇଟି କନ୍ୟା ସନ୍ତାନ ସମ୍ମିଳିତ ନିଜ ପରିବାର ଗଠନ,ତାଙ୍କୁ ପାରିବାରିକ ଆନନ୍ଦରେ ବଶୀଭୂତ କରିପାରିଛି l ପରିଶେଷରେ ତାଙ୍କର ବୃଦ୍ଧ ଦାଦା ଓ ଵୃଦ୍ଧା ଖୁଡ଼ି ଅତୀତର ଅମାନବୀୟ କର୍ମ ସକାଶେ ଅନୁତପ୍ତ l ଦୈଵୀମାନବୀୟ ଶାଶ୍ୱତ ଗୁଣଧାରିଣୀ ସୀମାନୀ କେବେ ଵି ନିଜର ଦୁରାଚାରୀ ରକ୍ତସମ୍ପର୍କକୁ ହୀନ ଦୃଷ୍ଟିରେ ଦେଖିନାହାନ୍ତି ଆଜି ସୁଦ୍ଧା l ବରଂ ଦାଦା ଖୁଡ଼ିଙ୍କ ପ୍ରତି ଯଥୋଚିତ କନ୍ୟା ତୁଲ୍ୟ କର୍ମ ସମ୍ପାଦନ ଓଡ଼ିଆ ସମାଜ ଦୃଷ୍ଟିରେ ଆହୁରି ଉନ୍ନତ ଉଚ୍ଚତର ସୋପାନକୁ ଉନ୍ନୀତ କରିପାରିଛି ଅବସରପ୍ରାପ୍ତ ଭାରତମାତାଙ୍କ ବରପୁତ୍ରୀ ଶ୍ରୀମତୀ ସୀମାନୀ ମହାଶୟାଙ୍କୁ ପ୍ରଭୂତ ଘାତ ପ୍ରତିଘାତ ଅତିକ୍ରମ କରାଇ l ପ୍ରକୃତ ପକ୍ଷରେ ନିଜକୁ ସଶସ୍ତ୍ରୀକରଣ କରିବା ସହିତ ଆଜି ସେ ଆଧୁନିକ ଓଡ଼ିଆ ନାରୀ ସମାଜକୁ ଏକ ଆଦର୍ଶର ପଥ ପ୍ରଦର୍ଶନ କରାଇବାରେ ପଶ୍ଚାଦପଦ ହୋଇ ନାହାନ୍ତି l ଏପରି ଆଧୁନିକ ନାରୀ ଆମର ଚିର ନମସ୍ୟ l

                             


Rate this content
Log in

Similar oriya story from Inspirational