ମ୍ୟାଜିକ୍ ପେନ୍
ମ୍ୟାଜିକ୍ ପେନ୍
ବାପା,ବୋଉ ଏବଂ ବୁଢ଼ୀ ମାଆଙ୍କୁ ନେଇ ଛୋଟ ପରିବାର । ପୁଅ ବୋହୂଙ୍କର କିଛି ଦିନ ଧରି ବିବାହ ହୋଇଥିଲେ ମଧ୍ୟ କୌଣସି ସନ୍ତାନ ସନ୍ତତି ନଥିବାରୁ ବୁଢ଼ୀ ମାଆର ମନ ଦୁଃଖ । କାରଣ ସମୟ ବିତାଇବାକୁ ଘରେ କେହି ନାହାନ୍ତି ଛୋଟ ଛୁଆ |ଘରେ ସମସ୍ତେ ଶିରିଡି ସାଇଙ୍କ ଭକ୍ତ । ସକାଳ ସଞ୍ଜରେ ସାଇବାବାଙ୍କୁ ପ୍ରାର୍ଥନା କରନ୍ତି ପିଲାଟିଏ ପାଇଁ । ଯାହା ହେଉ କିଛିଦିନ ପରେ ବାବା ସାଇଙ୍କ କୃପାରୁ ଦମ୍ପତିଙ୍କର ପିଲାଟିଏ ଜନ୍ମ ହେଲା । ନିଜ ଅର୍ଥକୁ ଚାହିଁ ପିଲାର ଏକୋଇଶିଆ ପୂଜା କଲେ ଓ ବାବା ସାଇଙ୍କ କୃପାରୁ ପିଲାଟିଏ ହୋଇଥିବାରୁ ପୁଅର ନାମ ଦେଲେ ସାଇ ।
ଗୋଟିଏ ବୋଲି ପୁଅ । ଅତି ଗେହ୍ଲା କରନ୍ତି ବାପା,ବୋଉ ଏବଂ ବୁଢ଼ୀ ମାଆ । ବାପା ହେଉଛନ୍ତି ଜଣେ ଦିନ ମଜୁରିଆ । ସକାଳେ ଯାଆନ୍ତି ଏବଂ ଫେରନ୍ତି ସଞ୍ଜବେଳକୁ । ତେଣୁ ସାଇକୁ ଆକଟ କରିପାରନ୍ତି ନାହିଁ । ଗୋଟେ ବୋଲି ପୁଅ ବୋଲି ବୋଉ ଏବଂ ବୁଢ଼ୀ ମାଆ କିଛି ତାକୁ କହନ୍ତିନି । ଗାଁକୁ ଦହିବରା ବିକାଳୀ ବା ଆଇସ୍କ୍ରିମ୍ ବିକାଳୀ ଆସିଲେ ବୋଉ ପାଖରେ ଅଳି କଲେ ବୋଉ ପାଖରେ ନଥିଲେ ବୁଢ଼ୀ ମାଆ ପାଖରେ ଥିଲେ ବୁଢ଼ୀ ମାଆ ଶ୍ରଦ୍ଧାରେ ନାତି ହାତକୁ ବଢ଼େଇ ଦିଏ ଟଙ୍କା । ସମସ୍ତଙ୍କ ଗେହ୍ଲା ପାଇଁ ସେ ଭାରି ଚଗଲା । ସ୍କୁଲ୍ ଏବଂ ଟିଉସନ୍ ନିୟମିତ ଯାଏନି ।ଦିନରେ କାହା ଘରେ ଟିଭି ଦେଖେ ତ ରାତିରେ ଗାଁରେ ପାଲା ବା ଯାତ୍ରା ହେଲେ ଅନ୍ୟ ପିଲାଙ୍କ ସହ ସେଠି ବୁଲେ । ବାପାବୋଉ ବାବା ସାଇଙ୍କୁ ଡାକନ୍ତି ଆମ ପୁଅ ସାଇକୁ ଭଲ ବୁଦ୍ଧି ଦିଅ ।
ସାଇ କ୍ରମେ ବଡ଼ ହେଲା । ସେ ବର୍ତ୍ତମାନ ଅଷ୍ଟମ ଶ୍ରେଣୀରେ ପଢ଼ୁଛି । ତା'ର ଗୁଡ଼ି ଉଡ଼ାରେ ଭାରି ଆଗ୍ରହ । ରଜ ଆସିବାର ମାସକ ଆଗରୁ ରଙ୍ଗୀନ୍ କାଗଜ, ଗୁଆଳି କୋଳି ଅଠା, ବାଉଁଶ ପାତ ଓ ଗୁଲି ସୂତା ଆଦି ସଂଗ୍ରହ କରି ସୁନ୍ଦର ସୁନ୍ଦର ଗୁଡ଼ି ପ୍ରସ୍ତୁତ କରେ ତଥା ଧାନ ବିଲ ବା ପଡ଼ିଆରେ ଉଡ଼ାଏ । ସାହି ପଡ଼ିଶା ପିଲାଙ୍କର ମଧ୍ୟ ଗୁଡ଼ି ତିଆରି କରିଦିଏ । ସୁନ୍ଦର ଗୁଡ଼ି ତିଆରି କରିବା ଓ ଭଲ ଗୁଡ଼ି ଉଡ଼ାଇବାରେ ସାଇ ଥିଲା ଦକ୍ଷ ।
ଚାହୁଁ ଚାହୁଁ ରଜ ଆସିଗଲା । ପ୍ରଥମ ଓ ଦ୍ୱିତୀୟ ଦିନ ଗଲା ପରେ ଶେଷ ରଜ ଦିନ ଗାଁରେ ଶିଶୁମାନଙ୍କୁ ନେଇ ଏକ ଗୁଡ଼ି ଉଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଲା । ଏହାର କିଛିଦିନ ପୂର୍ବରୁ ପ୍ରଚାର ଗାଡ଼ି ଗାଁର ପ୍ରତି ସାହି ବୁଲି ପ୍ରତିଯୋଗିତାର ଦିନ,ସମୟ ଓ ସ୍ଥାନ ଜଣେଇ ଦେଇ ସାରିଥାଏ । ଗାଁ ନଈ ସେପାରି ପଡ଼ିଆରେ ଶିଶୁ ପ୍ରତିଯୋଗୀମାନେ ଗୁଡ଼ି, ସୂତା ଓ ନଟେଇ ଧରି ଉପସ୍ଥିତ ହେଲେ, ତାହା ମଧ୍ୟରେ ସାଇ ଉପସ୍ଥିତ ଥିଲା । ପ୍ରତିଯୋଗିତା ଚାଲିଲା ହେଲେ ଅନ୍ୟ ପ୍ରତିଯୋଗୀ ପିଲାମାନଙ୍କର ବାପା ବା ବଡ଼ ଭାଇମାନେ ଗୁଡ଼ି ଉଡ଼ାରେ ସାହାଯ୍ୟ କରିଥିବାରୁ ଫଳାଫଳରେ ଅନ୍ୟମାନେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଳଙ୍କୃତ କରିଥିବାବେଳେ ସାଇ ଭଳି ଅନ୍ୟ କେତେକ ପିଲାଙ୍କୁ ସନ୍ତ୍ଵନାମୂଳକ ପୁରସ୍କାର ଦେବାପାଇଁ ଅନୁଷ୍ଠାନ ସ୍ଥିର କଲା ।
ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେଲା । କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଉପହାର ଦିଆଗଲା । ଜଣେ ସ୍ଥାନୀୟ ବଡ଼ ଅଫିସରଙ୍କୁ ମାନପତ୍ର ପ୍ରଦାନ ପାଇଁ ଅତିଥିଭାବେ ଡ଼କା ହୋଇଥିଲା ।ମାତ୍ର ଯେତେବେଳେ ସାଇକୁ ଉପହାର ଦେବା ପାଇଁ ଡ଼କାଗଲା ସାଇ ପାଇଁ ଥିଲା କେବଳ ମାନପତ୍ର କାରଣ ଉପହାର ସରିଯାଇଥିଲା । ମାନପତ୍ର ପ୍ରଦାନ କରୁଥିବା ଅଫିସର ଜଣକ ସାଇର ମନ ଦୁଃଖ ନହେବା ପାଇଁ ମାନପତ୍ର ସହ ନିଜ ପ୍ୟାକେଟ୍ ରେ ଥିବା ପେନ୍ ଟିକୁ ଉପହାର ଦେଇଥିଲେ ।
ଘରେ ସାଇ ରାତିରେ ବାପାଙ୍କୁ ମାନପତ୍ର ଓ ପେନ୍ଟିକୁ
ଦେଖାଇଲା ଓ ପ୍ରତିଯୋଗିତାରେ ଅନ୍ୟ ପିଲାଙ୍କ ପରି ଯଦି ତା'ର ବାପା ସାହାଯ୍ୟ କରିଥା'ନ୍ତେ ତାହେଲେ ସେ ପ୍ରଥମ ହୋଇ ପାରିଥା'ନ୍ତା ବୋଲି ବାପାଙ୍କୁ କହିଲା । ବାପା କହିଲେ- "ବୁଝିଲୁ ସାଇ ଜୀବନରେ ଅନେକ ପ୍ରତିଯୋଗିତା ଆସିବ । ବାପା ବୋଉ ସବୁଦିନେ ନ ଥିବେ , ନିଜେ ପ୍ରତିଯୋଗିତା ଯୁଦ୍ଧରେ ଲଢ଼ିବାକୁ ଚେଷ୍ଟା କର । ବିଫଳତା ହିଁ ସଫଳତାର ଚାବିକାଠି । ଯେଉଁ ଅଫିସର ଜଣଙ୍କ ନିଜ ପ୍ୟାକେଟ୍ ରୁ ପେନ୍ଟି ତତେ ଦେଲେ ତୁ ବଡ଼ ହୋଇ ତାଙ୍କ ପରି ହେବାକୁ ଚେଷ୍ଟାକର । ଏହା ସାଧାରଣ ପେନ୍ ନୁହେଁ ଏହା ତୋପ୍ରତି ଆଶୀର୍ବାଦ ।"
ଏହାପରେ ସାଇ ଆଉ ପଛକୁ ଚାହିଁନି । ବାପାଙ୍କ କଥାରେ ସାଇ ପାଠପଢ଼ାରେ ଦେଲା ମନ । ଗୁରୁଜନଙ୍କ କଥା ମାନିଲା । ସ୍କୁଲ୍ ଏବଂ ଟିଉସନ୍ ନିୟମିତ ଗଲା । ପାଠ ବୁଝି ନ ପାରିଲେ ଗୁରୁଜୀଙ୍କୁ ପଚାରେ ।ସେ ପାଇଥିବା ପେନ୍ ଟିକୁ ଅତି ଯତ୍ନରେ ରଖେ ଓ ପ୍ରତି ପରୀକ୍ଷାରେ ସେହି ପେନ୍ ରେ ହିଁ ଲେଖେ ତଥା ଭଲ ନମ୍ବର ରଖେ । ବଡ଼ ହୋଇ ସେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଲା ଓ ସେଥିରେ କୃତକାର୍ଯ୍ୟ ହେଲା ।
ସାଇସ୍ୱରୂପ (ସାଇ)ଙ୍କ ଫଟୋ ଟିଭି ଓ ଖବରକାଗଜରେ ବାହାରିଲା । ତାଙ୍କ ସାକ୍ଷାତ୍ କାର ନେବାପାଇଁ ସାମ୍ବାଦିକ ମାନେ ଆସିଲେ । ସାମ୍ବାଦିକମାନେ ତାଙ୍କୁ ପଚାରିଲେ- ଆଜି ଆପଣଙ୍କର ଏହି ବଡ଼ ସଫଳତା ପଛର କାରଣ କ'ଣ ? ସାଇ ସ୍ୱରୂପ ଉତ୍ତରରେ କହିଲେ - "ପ୍ରତି ସଫଳତା ପଛରେ ପରିଶ୍ରମ, ଧର୍ଯ୍ୟ ସହ ନିରନ୍ତର ଚେଷ୍ଟା ତ ଜରୁରୀ । ଏଥିପାଇଁ ଯେଉଁ ପ୍ରେରଣା ପାଇଛି ଓ ମୋ ମନରେ ଯଦି ବିରାଟ ପରିବର୍ତ୍ତନ ହୋଇଥାଏ କେବଳ ମୋ ପ୍ୟାକେଟ୍ ରେ ଥିବା ଏହି ପେନ୍ ପାଇଁ ।ଏହା ସାଧାରଣ ପେନ୍ ନୁହେଁ ଏହା ମୋ ପାଇଁ ମ୍ୟାଜିକ୍ ପେନ୍ ।
