କଥା ହେଇନି କିଛି କଥା
କଥା ହେଇନି କିଛି କଥା
ମୋ ବାପାଙ୍କର ପାଞ୍ଚ ଭାଇ । ଦ୍ୱିତୀୟ ନମ୍ବର ଭାଇ ହେଉଛନ୍ତି ମୋ ବାପା । ମୋ ବାପାଙ୍କ ସବା ସାନ ଭାଇର ନାମ ଟିକି । ପ୍ରାୟ ସବୁ ପୁତୁରା ଓ ଝିଆରୀ ମାନେ ତାଙ୍କୁ ଟିକି ବାପା ବୋଲି ଡାକୁ । ସମସ୍ତଙ୍କର ପ୍ରିୟ ସିଏ। ଟିକି ବାପା ପ୍ରାୟ ସବୁ ପୁତୁରା ଓ ଝିଆରିଙ୍କ ସହ ମିଶିଯାଏ । ଟିକି ବାପା କିଛିଦିନ ବାପାଙ୍କ ତଳ ଭାଇଙ୍କ ସହ ଟେଲର ଦୋକାନରେ ଟେଲରିଂ କାମ କରେ । ଦୀର୍ଘ କିଛିଦିନ ଗଲା ପରେ ସେ ଓମଫେଡ୍ ଡିଲର ସିପ୍ ନେଇ ଓମଫେଡ୍ ବ୍ୟବସାୟ କରନ୍ତି ଚଣ୍ଡିଖୋଲ ଛକ ଭାଇର ଟେଲର ଦୋକନ ସମ୍ମୁଖରେ । ରାତିରେ ଓମଫେଡ୍ ଗାଡି ଲାଗେ ଦୋକାନରେ ଓ ଟିକି ବାପା ଓମ୍ ଫେଡ୍ ରଖି ଡେରିରେ ଶୁଅନ୍ତି ଓ ଉଠନ୍ତି ବଡ଼ି ଭୋରୁ ,ଲୋକଙ୍କୁ ତଥା ଖୁଚୁରା ଦୋକାନୀଙ୍କୁ ଓମ୍ ଫେ ଡ୍ ଦେବାକୁ ।
ବେପାର ସରିଲେ ହାତରେ ଦୁଇ ପ୍ୟାକେଟ୍ ଓମ୍ ଫେଡ୍ ଧରି ଫେରନ୍ତି ଘରକୁ । ବେପାରରୁ ଫେରିବା ବାଟରେ ପୁତୁରା ଝିଆରି ଭେଟ ହେଲେ ସେ ପ୍ୟାକେଟ୍ ରୁ କାଢ଼ି ଖୁସିରେ ଦିଅନ୍ତି କିଛି ଖର୍ଚ୍ଚ । ଏପରିକି ଆମେ ମଧ୍ୟ ଅନେଇ ଥାଉ ପୂଜା ପର୍ବରେ ଟିକି ବାପା ଠାରୁ କିଛି ଖର୍ଚ୍ଚ ନେବାକୁ।ଖର୍ଚ୍ଚ ପାଇଲେ ଆମେ ଖୁସିରେ ଧାଇଁ ଯାଉ ଦୋକାନକୁ କିଛି କିଣିବାକୁ ।ତା'ପରେ ଟିକି ବାପା ଗାଧୋଇ ଖାଇସାରି ଶୋଇପଡ଼ନ୍ତି କୁମ୍ଭକର୍ଣ୍ଣ ନିଦରେ । ବୁଢୀ ମାଆ ଟିକି ବାପା ଶୁପ୍ତ ଅବସ୍ଥାରେ ମୋଡିଦିଏ ଟିକି ବାପା ର ଗୋଡ଼ ହାତ ଟିକେ । ଟିକି ବାପା ନିଦରୁ ଉଠି ମଧ୍ୟାହ୍ନ ଭୋଜନ ଖାଇ
୫ଟା ବେଳକୁ ଯାଆନ୍ତି ଦୋକାନକୁ । ରାତ୍ରୀ ବେପାର କରି ହୋଟେଲ୍ରେ ଖାଇ ରାତିରେ ଶୋଇପଡ଼ନ୍ତି ଦୋକାନରେ ।
ତା'ପରେ ଟିକି ବାପାଙ୍କର ବାହାଘର ହୁଏ । ବାହାଘରରେ ଚଣ୍ଡିଖୋଲ ଛକ ଓ ଗାଁର ବହୁଲୋକ ଆସିଥିଲେ ଭୋଜିକୁ । ଗାଁରେ ରହିବାକୁ ଘର ସର୍ଟ ଥିବାରୁ ଟିକି ବାପା ସାନବୋଉକୁ ନେଇ ଭଡ଼ା ଘରେ ରହେ ଗାନ୍ଧୀ ଛକରେ । ବୁଢ଼ୀ ମାଆ ରହେ ଟିକି ବାପା ପାଖରେ ଭଡ଼ା ଘରେ । ଟିକି ବାପା ରାତ୍ରୀ ଅନିଦ୍ରା ହୋଇ ବେପାର କରିବାରୁ ଧିରେ ଧିରେ ଶରୀର ଖରାପ ହୁଏ ତାଙ୍କର । ସେଥିପାଇଁ ବେପାର କରିବାକୁ ଦୋକାନରେ ଦୁଇଟି ପିଲା ରଖିଲେ । ଟିକି ବାପାଙ୍କ ବାହାଘରର ୧୦ ମାସ ପରେ ଚାଲିଗଲା ବୁଢୀ ମାଆ ଆରପାରିକୁ ।
ବିପଦ ଯେତେବେଳେ ଆସେ ପଛକୁ ପଛ ଡାକିକି ଆସେ । ଏଣେ ବାହାଘର କରଜ,ଏଣେ ରହୁଥିବା ଘରଭଡ଼ା,କରଜ କରି ନୂଆ କେବିନ୍ଟେ କରିଛି,ଫ୍ରିଜ ଏବଂ ଫ୍ରିଜର୍ ବିଲ୍, ଦୋକାନ ଜାଗା ଭଡ଼ା, ଏଣେ ଦେହ ପାଇଁ ଔଷଧ କିଣା, କରଜର ମାସିକ ସୁଧ ଦେବା ତଥା ଖରା ଦିନେ ଓମ୍ ଫେଡ୍ ଛିଡ଼ିବା ଏସବୁ ବୋଝ ଉପରେ ନଳିତା ବିଡ଼ା ପରି । ଏଣେ ବିକାଳୀ ଦୁଇଟା ପିଲା ପୁଅ ଭଳି ଘରେ ଖାଇବେ, ତେଣେ ଦୋକାନରୁ ଯାହା ଭିଡ଼ିବେ ।
ଏହି ସମୟରେ ଦୋକାନରେ ଥିବା ଦୁଇଟା ପିଲା ଅନ୍ୟ ଦୋକାନୀ ଅଧିକ ଅର୍ଥ ଦେବା ଲୋଭରେ ଓମ୍ ଫେଡ୍ ଦୋକାନ ଛାଡ଼ି ଅନ୍ୟ ଦୋକାନରେ ଚାକିରୀ କଲେ । ଏଣେ ଟିକି ବାପା ଦେହ ଅସୁସ୍ଥ ଥାଇ ନିଜେ ରାତି ଅନିଦ୍ରା ହୋଇ କ୍ଷୀର ଗାଡି ରଖିବା, ବିକିବା ଆଦି କାର୍ଯ୍ୟ କରିବା ହେତୁ ଦେହକ୍ରମଶଃ ଅସୁସ୍ଥ ହେଲା ।
ମୁଁ ମଧ୍ୟ କେତେ ଥର ତାଙ୍କୁ ସାଇକେଲ୍ରେ ଭୋରୁ ନେଇ ଦୋକାନରେ ପହଞ୍ଚେଇଛି ।ଏହି ସମୟରେ ମଧୁମେହ ରୋଗ ତାଙ୍କର ବଢ଼ିଯିବାରୁ ତାଙ୍କ ଗୋଡ଼ ଫୁଲିଲା । ସେ ମଧ୍ୟ ୧ନଂ ଦାଦାଙ୍କ ସହ ଡାକ୍ତରଙ୍କ ପରାମର୍ଶ ପାଇଁ କଟକ ନର୍ସିଂ ହୋମ୍ ଯାଇଥିଲେ । କିନ୍ତୁ ଔଷଧ ଖାଇଲେ ମଧ୍ୟ ଗୋଡ଼ ଫୁଲା କମିଲା ନାହିଁ । ବାପା ଟିକି ବାପାଙ୍କୁ ରାତିରେ ଭେଟ କଲେ । କହିଲେ ବଡ଼ ଡ଼ାକ୍ତରଖାନାରେ ଆଡିମିସନ୍ ହେବା ପାଇଁ । ଟିକି ବାପା କହିଲେ ମୋ ପାଖରେ ଜମା ପଇସା ନାହିଁ । ବାପା ଔଷଧ ଖାଇବା ପାଇଁ ୫୦୦ ଏବଂ ୫୦୦କରି ୧୦୦୦ ଟଙ୍କା ଦୁଇଥର ଦେଇଥିଲେ । କିନ୍ତୁ ସେ ଔଷଧ ଖାଇବେ କ'ଣ ନିଜ କରଜ ସୁଝିଥିଲେ । ମୁଁ ସେତେବଳେ ନୂଆ କରି ଶିକ୍ଷକ ଚାକିରି କରିଥିବାରୁ ମୁଁ ଟିକି ବାପାଙ୍କୁ କୌଣସି ସାହାଯ୍ୟ କରିପାରିନଥିଲି ।
ଟିକି ବାପା ରେଲେୱେରେ ଜମିଯାଇଥିବାରୁ ସେ ବାବଦକୁ କିଛି ଟଙ୍କା ବଡ଼ବାପାଙ୍କ ପାଖରେ ଥିବାରୁ ବାପା ବଡ଼ବାପାଙ୍କୁ ଯାଇ କହିଲେ ତା'ର ଟଙ୍କା ତାକୁ ଫେରାଇ ଦେବାକୁ କାରଣ ତା'ର ଦେହ ଅସୁସ୍ଥ ଓ ସେ ମେଡିକାଲ୍ ଯିବ । ବଡ଼ବାପା ପାଞ୍ଚଭାଇ ଙ୍କ ସମ୍ମୁଖରେ ଟିକି ବାପାଙ୍କୁ ୨୦,୦୦୦ ଟଙ୍କା ଦେଲେ । ଟିକି ବାପା ସେହି ଟଙ୍କା ନେଇ ଡାକ୍ତରଖାନା ଗଲେ । ଟିକି ବାପା ପ୍ରାୟ ଡାକ୍ତରଖାନାରେ ଏକ ମାସରୁ ଉର୍ଦ୍ଧ୍ଵ ଦିନ ଚିକିତ୍ସିତ ହେଲେ । ମୁଁ ବି.ଏ ପରୀକ୍ଷା ଡିଷ୍ଟାନ୍ସ ଏଜୁକେସନରେ ଦେବାକୁ ଯିବା ପୂର୍ବରୁ ମେଡିକାଲ୍ରେ ଟିକିବାପାଙ୍କୁ ଭେଟିଥିଲେ । ସେ ମୋତେ ବସାଇ କହିଲେ ମୋ ଦେହଟିକେ ବାଗକୁ ଆସିଲାଣି । ମୁଁ ଆଉ ଅଳ୍ପ ଦିନ ମେଡିକାଲ୍ରେ ରହି ଚାଲିଯିବି । ପଇସା ସରି ଆସିଲାଣି, ଏଣେ ବେପାର ପାଇଁ କରଜଦେଇଥିବା ଲୋକ ଏତିକିବେଳେ ତାଙ୍କ ଟଙ୍କା ମାରୁଛନ୍ତି। ମୁଁ କହିଲି ବର୍ତ୍ତମାନ କାହା କଥା ଶୁଣ ନାହିଁ। ଭଲ ହୋଇ ଘରକୁ ଗଲେ ତାଙ୍କ କଥା ବୁଝିବା । ସେ ଗୋଡ଼ ଡ୍ରେସିଙ୍ଗି ପାଇଁ ତାଙ୍କ ଶଳାଙ୍କ ସହ ରିକ୍ସାରେ ବସିଗଲେ । ମୋତେ କହିଲେ ବାପାଙ୍କୁ କହିବୁ କିଛି ଟଙ୍କା ପଠେଇବେ , ଟଙ୍କା ସରିଆସିଲାଣି ।ମୁଁ ଫେରିଆସି ପରୀକ୍ଷା ଦେବାକୁ ୧୦ ଦିନ ପଦାକୁ ଚାଲି ଗଲି ।ବାପା ପିଇସାଙ୍କ ସହ ଥରେ ଡାକ୍ତରଖାନା ଯାଇଥିଲେ ଓ ଟିକି ବାପା ହାତରେ ୫୦୦ ଟଙ୍କା ଦେଇ କହିଥିଲେ ପୁଅ ପରୀକ୍ଷାରୁ ଆସୁ ଦେଖିବା ପଇସା କଥା କ'ଣ କରିବା । ବାପା ଓ ପିଇସା ଫେରିଆସିଲେ । ତାଙ୍କ ପାଖରେ ସାନବୋଉ ଓ ତାଙ୍କ ଶଳା ମେଡିକାଲ୍ ରେ ଥାଆନ୍ତି । ଦୋକାନ ତାଙ୍କ ଶଶୁର ବୁଝୁଥାନ୍ତି । ମୁଁ ପରୀକ୍ଷା ପାଇଁ ଦୂରରେ ଥାଏ। ସେଦିନ ପରୀକ୍ଷା ନ ଥାଏ । ହଠାତ୍ ଫୋନ୍ ଗଲା ଟିକି ବାପା ଆଉ ଦୁନିଆରେ ନାହାନ୍ତି । ମୋ ଆଖିରୁ ଲୁହ ଥପ୍ ଥପ୍ ଝରିଗଲା ।
ମୋ ଟିକି ବାପା ସହିତ ଆଉ କିଛି କଥା ହେବାରେ ଥିଲା । କଥା ହେଇନି କିଛି କଥା । ବାସ୍ତବରେ କିଛି କଥା ଅକୁହା ରହିଗଲା । ଶୁଣିଲି ମେଡିକାଲରେ ଶୋଇଥିବା ସମୟରେ ହୃଦଘାତ୍ ରେ ଟିକି ବାପା ଚାଲି ଗଲେ । ଆଜି ବି ମନେପଡ଼େ ତାଙ୍କ ଶେଷ କଥା- ମୁଁ ଭଲ ହୋଇ ଗଲିଣି, ମୁଁ ଆଉ ଅଳ୍ପ ଦିନ ମେଡିକାଲ୍ ରେ ରହି ଚାଲିଯିବି । ସତରେ ସେ ଆରପାରିକୁ ଚାଲିଗଲେ । ତାଙ୍କ କଥା ସତ ହେଇଗଲା ।
