ମୋ ମାର୍ଗ ଦର୍ଶକ
ମୋ ମାର୍ଗ ଦର୍ଶକ
ଶିଶୁ ଟିଏ ଜନ୍ମ ହେବା ପରେ ପ୍ରତି ମୁହୂର୍ତ୍ତରେ ତାର ପିତା ମାତା ବନ୍ଧୁ ପରିଜନ ତଥା ଅଡୋଶୀ ପଡୋଶୀ ମାର୍ଗ ଦର୍ଶକର ଭୂମିକା ଲିଭାଇ ଥାଆନ୍ତି । ମାତ୍ର ସେହି ପିଲା ଯେତେ ବେଳେ ବଡ଼ ହୋଇଥାଏ ତା ଜୀବନ ଚଲା ପଥରେ ଏମିତି କିଛି ଘଟଣା ମାନ ଘଟିଥାଏ ଯାହା ଦ୍ଵାରା ଅନେକ ପଥ ହରା ହୋଇ ପଡନ୍ତି । ଅନେକ ସମୟରେ ଦେଖିବାକୁ ମିଳେ କିଛି ସୁଘଟଣାରୁ ପିଲା ନିଜର ଭବିଷ୍ୟତ ପନ୍ଥା ବାଛି ନେଇ ଥାଏ । ତାର ଜାଣିବାରେ କାହାର କର୍ମ ,କଥା ,ଉପଦେଶ ,ତଥା ଶିକ୍ଷା ତାକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦିଏ ।
ମାତ୍ର ବିପଥଗାମୀ ପିଲାଙ୍କ ଜୀବନରେ ମଧ୍ୟ ଅନେକ ସମୟରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳେ । ଯେତେ ବେଳେ ସେମିତି କିଛି ଅଲୌକିକ ଘଟଣା ତାର ଦୃଷ୍ଟି ପଥକୁ ଆସେ କିବା କାହାର ଭଲ କାମ ତା ଜୀବନ ଉପରେ ଏକ ଭଲ ପ୍ରଭାବ ପକାଇ ଥାଏ । ଆଉ କେତେବେଳେ ଆମେ ଅନ୍ୟକୁ ଅନୁଶରଣ କରି ଆଗକୁ ଚାଲି ଥାଉ । ସହି ହିଁ ଆମ ଜୀବନର ମାର୍ଗ ଦର୍ଶକ ଭାବେ ଉଭା ହୋଇ ଥାଆନ୍ତି ।ଆମର ଅଜାଣତରେ ମଧ୍ୟ ଏପରି ଘଟଣା ଘଟି ଯାଇ ଥାଏ ।ମାତ୍ର ଆମେ ତାଙ୍କୁ ଆମ ଜୀବନର ମାର୍ଗ ଦର୍ଶକ ଭାବେ ଚିହ୍ନି ପାରି ନଥାଉ ।
ଏମିତି ଏକ ନିଚ୍ଛକ ସତ୍ୟ ଘଟଣା....
ମୁଁ ପିଲା ବେଳେ ଭାରି ଦୁଷ୍ଟ ଥିଲି । ପାଠ ମଧ୍ୟ ମୋର ସେତେ ଭଲ ହେଉ ନଥିଲା । ସେତେବେଳେ ମାଟ୍ରିକ ପାସ୍ କରିବା ବଡ଼ କଷ୍ଟକର ବ୍ୟାପାର। ଯେଉଁ କେତେ ଜଣ ମାଟ୍ରିକ ପାସ କରୁ ଥିଲେ ସେତେବେଳେ ସେମାନେ ଶିକ୍ଷିତ ଭାବେ ଗଣା ହେଉଥିଲେ ।ମୋର ମାଟ୍ରିକ ପାସ୍ କରିବାର ପ୍ରବଳ ଇଛା ଥିଲେ ବି ପାସ୍ କଲା ଭଳି କ୍ଷମତା ନଥାଏ ।
ମୁଁ ସେତେବେଳେ ଭଲ ଖେଳୁଥାଏ । ଉଚ୍ଚତା କମ୍ ଥିଲେବି ମୁଁ ଭାରି ସାହସୀ ଥାଏ । ଯେତେବେଳେ ଯେଉଁ ଖେଳ ହେବ ମୁଁ ସମସ୍ତଙ୍କ ଆଗରେ ଥିବା । ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ମୁଁ ମଧ୍ୟ ଭାଗ ନେଇ ସଫଳ ହେବା ପରେ ମୋ ଜୀବନରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଲାଗିଲା । ମୋର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଚୈତନ୍ୟ ବେହେରା ମତେ ଦିନେ ପାଖକୁ ଡାକି କହିଲେ ରମାକାନ୍ତ ତୁମେ ସୁନ୍ଦର ଖେଳୁଛ।ଆଉ ଟିକିଏ ଚେଷ୍ଟା କଲେ ଆସନ୍ତା ଜିଲ୍ଲା ବିଦ୍ୟାଳୟ ସ୍ତରୀୟ କ୍ରୀଡା ରେ ମନୋନୀତ ହୋଇ ପାରନ୍ତ !
ସେ ସବୁ ପରେ ଯଦି ମାଟ୍ରିକ ପାସ ନ କରିବ ତାହେଲେ ଏ ସବୁର ମୂଲ୍ୟ କିଛି ରହିବ ନାହିଁ।
ତୁମେ ଯଦି ପରିଶ୍ରମ କରି ମାଟ୍ରିକ ପାସ କରି ଯିବ ତେବେ କିଛି ନ ହେଲେ ମଧ୍ୟ ଗୋଟିଏ କ୍ରୀଡା ଶିକ୍ଷକ ହୋଇ ପାରିବ ।
ସାର୍ ଙ୍କ ଏଇ ଛୋଟିଆ କଥାଟା ସତେ ଯେମିତି ମୋ ହୃଦୟ କୁ ସେଦିନ ଛୁଇଁ ଯାଇ ଥିଲା । ମୋ ଭିତରେ ସେହି ଦିନ ଠାରୁ ଗୋଟିଏ ଜିଦ୍ ଭାବ ଆସି ଯାଇଥିଲା । ସେଇ ବର୍ଷ ମଧ୍ୟ ମୁଁ କଟକ ଜିଲ୍ଲା ବିଦ୍ୟାଳୟ ସମୁହ ତରଫରୁ ଖୋ-ଖୋ ଖେଳରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ମନୋନୀତ ହେଲି ।ହେଲେ ସେଥିରେ ଯେତିକି ଖୁସି ନ ହେଲି ବେଶି ଚିନ୍ତାରେ ରହିଲି କେମିତି ମାଟ୍ରିକ ପାସ କରିବି।
ପର ବର୍ଷ ମୋର ମାଟ୍ରିକ ପରୀକ୍ଷା । ସେଣ୍ଟର ଆମର ସୁନ୍ଦର ଗ୍ରାମ ସରକାରୀ ସ୍କୁଲ୍ ।ଭାରି କଟକଣା । ହଲଚଲ ହେବାର ସୁଯୋଗ ନାହିଁ।ମନରେ ଭୟ ଥିଲେ ବି ସାହସ ବାନ୍ଧି ପରୀକ୍ଷା ଦେବାକୁ ଗଲି । ମନରେ ଗୋଟିଏ ଚିନ୍ତା ମାଟ୍ରିକ ପାସ କରିବି । କ୍ରୀଡା ଶିକ୍ଷକ ହେବି । ସେ ଯାହା ହେଉ ମୋର ଚୈତନ୍ୟ ସାର୍ ଙ୍କ କଥା ଯେମିତି ମୋ ଭିତରେ ଆଲୋଡନ ସୃଷ୍ଟି କରିଥିଲା। ମନରେ ଦମ୍ଭ ରଖି ପରୀକ୍ଷା ଦେଲି । ଭଗବାନ୍ ଙ୍କ କୃପା ହେଉ କିମ୍ବା ମନର ଦୃଢ଼ତା ହେଉ ମୁଁ ମାଟ୍ରିକ ପାସ କଲି । ମାତ୍ର ସାଙ୍ଗମାନଙ୍କ କଲେଜ୍ ପଢ଼ିବା ଦେଖି ମୁଁ ମଧ୍ୟ କଲେଜ୍ ରେ ନାମ ଲେଖିଲି।
ଦଇବ ଦଉଡ଼ି ମଣିଷ ଗାଈ। କଥାଟା ମୋ କ୍ଷେତ୍ରରେ ଯଥାର୍ଥ । କାରଣ ସେତେବେଳେ ଆମ ପରିବାରର ଆର୍ଥିକ ପରିସ୍ଥିତି ବହୁ ଜଟିଳ ।ଆଉ ଆଗକୁ ପଢ଼ିବାର ଆଶା ମଉଳି ଗଲା । ଦ୍ଵିତୀୟ ବର୍ଷ କଳା ଛାତ୍ର ଭାବେ ପାଠ ପଢାରୁ ଅବ୍ୟାହତି ନେଲି । କଣ୍ କରିବି ଏମିତି ଚିନ୍ତାରେ ବିପଥ ଗାମୀ ହେବାକୁ ଲାଗିଲା । କେଉଁଠି ଡ୍ରାମା ହେବ କି ନାଚ ହେବ ଇତ୍ୟାଦିରେ ମୁଁ ଯେମିତି ଫସି ଯାଉ ଥିଲି ।
ଠିକ୍ ଏତିକି ବେଳେ ମୋ ଜୀବନରେ ଆଉ ଜଣେ ଆସିଲେ । ଅଧିର କୁମାର ସ୍ଵାଇଁ।ମୋର ଗୋଟିଏ ଉପର କ୍ଲାସ ରେ ପଢୁ ଥିଲେ ମଧ୍ୟ ଆମେ ସାଙ୍ଗ ଭଳି ଚଳୁ ଥିଲୁ ।ହଠାତ୍ ପାଖକୁ ଡାକି କହିଲେ ତୁ ତ ପାଠ ପଢା ଛାଡ଼ି ଦେଲୁ ।ଏବେ ଖନ୍ଦୋଳ ରେ ଗୋଟିଏ ହାଇସ୍କୁଲ ଖୋଲୁଛି । ତୋର ତ ଖେଳରେ ଭଲ ଦକ୍ଷତା ଅଛି । ସେଠାକୁ ଯାଇ ଖେଳ ଶିକ୍ଷକ ଭାବେ ରହି ଯାଆ । ନୂଆ ସ୍କୁଲ,କିଛି ଦିନ ରହିଲା ପରେ ପ୍ରଶିକ୍ଷଣ ନେଇଯିବୁ । ଏଇ କେଇ ପଦ କଥା ମୋର ମରି ଯାଇଥିବା ମନ ତଳର ସେଇ ପୁରୁଣା ସ୍ଵପ୍ନକୁ ଚିଆଇଁ ଦେଲା । ମନେ ପଡିଗଲା ସେଦିନ ମୋର କ୍ରୀଡା ଶିକ୍ଷକ ମତେ କହିଥିଲେ ମାଟ୍ରିକ ପାସ କଲେ ଅତି କମ୍ ରେ ମୋ ଭଳି ଜଣେ କ୍ରୀଡା ଶିକ୍ଷକ ହୋଇ ପାରିବୁ ।
କଥାଟା ମୋ ମନକୁ ପାଇଲା । ତା ପର ଦିନ ସବୁ ନିତ୍ୟ କର୍ମ ସାରି ବାହାରି ପଡ଼ିଲି । ଖନ୍ଦୋଳ,କଟକ ସଦର ,କଟକ । ଘର ଠାରୁ ମାତ୍ର ଚାରି ପାଞ୍ଚ କିଲୋମିଟର ଦୂର । ସେଠାରେ ପହଞ୍ଚି ଯୋଗାଯୋଗ କଲି । ମାତ୍ର ବିନା ମୂଲ୍ୟରେ କାମକରିବାକୁ ପଡ଼ିବ । କାରଣ ନୂଆ ସ୍କୁଲ।ତଥାପି ମୁଁ ରାଜି ହୋଇ କର୍ମରେ ଯୋଗ ଦେଲି । ତିନି ବର୍ଷ ପରେ ଚାକିରୀ କାଳୀନ ପ୍ରଶିକ୍ଷଣ ନିମିତ୍ତ ଅନୁମତି ମିଳିଲା । ପ୍ରଶିକ୍ଷଣ ପରେ ଅନେକ ଦିନ ବିତିଗଲା । ପରେ ଜଣେ ସରକାରୀ କ୍ରୀଡା ଶିକ୍ଷକ ଭାବେ ମାନ୍ୟତା ମିଳିଲା । ଏହା କେବଳ ସେଇ ଦୁଇ ଜଣ ମାର୍ଗ ଦର୍ଶକ ଯିଏ କି ମୋର ଜୀବନର ଗତି ବଦଳାଇ ଦେଇ ଥିଲେ । ଆଜି ସମାଜରେ ମୁଁ ଯଦି ଜଣେ କ୍ରୀଡା ଶିକ୍ଷକ ଭାବେ ସମ୍ମାନ ପାଇଁ ଥାଏ ,ତେବେ ସେଇ ଦୁଇ ଜଣ ମାର୍ଗ ଦର୍ଶକଙ୍କ ପାଇଁ।
ମୁଁ ଆଜି ମୁକ୍ତ କଣ୍ଠରେ ସ୍ୱୀକାର କରୁଛି ମୋର ଜୀବନର ଶ୍ରେଷ୍ଠ ମାର୍ଗ ଦର୍ଶକ,ମୋର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଚୈତନ୍ୟ ବେହେରା, ଏବଂ ମୋର ପ୍ରିୟ ଅଧିର କୁମାର ସ୍ଵାଇଁ।ସେମାନଙ୍କ ନିକଟରେ ମୁଁ ଚିର କୃତଜ୍ଞ ..... ।
