ମୋ ଦେଇ
ମୋ ଦେଇ
ଦେଇ ଆଉ ମୁଁ ମାତ୍ରେ ବର୍ଷେ ବଡ ସାନ । ଦେଇ ପିଲାବେଳୁ ପୋଲିଓରେ ପୀଡିତ । କିନ୍ତୁ ବହୁତ ସୁନ୍ଦର ହୃଦୟ ମୋ ଦେଇର । ମୋ ପାଇଁ ମୋ ଦେଇ ମୋର ସବୁଠୁ ଭଲ ସାଂଗ କିନ୍ତୁ ମୋ ଦେଇ ପାଇଁ ତ ମୁଁ ତା ଦୁନିଆ ଥିଲି ।
ବଡ ବିଡମ୍ବନାର କଥା ଯେ ଏ କଥାର ହୃଦୟଙ୍ଗମ ମତେ ହେଲା କିନ୍ତୁ ବହୁତ ବିଳମ୍ବରେ । ଏ ଭୁଲ ପାଇଁ ମୁଁ ସାରା ଜୀବନ ନିଜକୁ କ୍ଷମା କରି ପାରିବିନି ।
ଦେଇ ବାହାରକୁ ଯାଏନି । ଲଡବଡେଇ ଚାଲେ ବୋଲି ପିଲାଏ ତାକୁ ଚିଡେଇ ଦିଅନ୍ତି । ଘର ଆଗକୁ ବାରଣ୍ଡା, ତା ଆଗକୁ କିଛି ହାତ ଜାଗା ଥିଲା, ସେ ପାଖରେ ଆମ ବୃନ୍ଦାବତୀ ମାଆଙ୍କର ଘର । ଉପରେ ଗମଲାରେ ତୁଳସୀ ଆଉ ତା ତଳେ ଆମେ ଦୁଇ ଭଉଣୀଙ୍କ ଛୋଟିଆ ସାଂସାରିକ ଘର ଖଣ୍ଡେ । ନିଇତି ସ୍କୁଲରୁ ଫେରିବା ମାତ୍ରେ ଆମେ ଦୁହେଁ ଆମର ସେହି ଘରେ ଖେଳିବାରେ ମାତି ଯାଉ । ଲୀନା ଆମ ସହ ଖେଳିବାକୁ କେତେ ଥର ପଚାରିଛି ବୋଧେ ଦେଇକୁ ଭଲ ଲାଗିବନି ଆଉ କେହି ଖେଳିଲେ ବୋଲି ମୁଁ ତାକୁ ମନା କରିଦିଏ ।
ଠାକୁର ଗୋଟେ ହାତରେ ନେଲେ ଗୋଟେ ହାତରେ ଫେରେଇ ଦିଅନ୍ତି, ଦେଇର ଗୋଡଟା ଅକର୍ମଣ୍ୟ କିନ୍ତୁ ହାତଟା ଚମତ୍କାର । ମାର୍ଗଶିର ଗୁରୁବାରରେ ଘରଟା ସାରା ଦେଇ ହାତର ଚିତ୍ର ମୋର ଏବେ ବି ମନେ ପଡିଯାଉଛି । ନିର୍ଜୀବରେ ବି ଜୀବନ ଦେଇ ଦେଇ ପାରେ । ଖାଲି କାଗଜରେ ଗାରଟିଏ ଟାଣି ଦେଲେ ବି ସୁନ୍ଦର ଚିତ୍ରଟେ ଆଙ୍କି ହେଇଯାଏ । ନଇ କୂଳରେ ବସିଥିବା ଏଇ ଯୋଉ ଦୁଇ ଝିଅଙ୍କ ଚିତ୍ରଟି ଡ୍ରଇଁ ରୁମରେ ଲାଗିଛି ମୋ ଦେଇ ଆଙ୍କି ଥିଲା ।
ସେଦିନ ମୁଁ ଦେଇକୁ ମୁଁ ଜିଦ କରି ନେଇ ଜାଇଥିଲି ପାଖ ନଇ କୂଳକୁ, କଞ୍ଚା ମାଟିରେ ଗୋଡ ଖସିଗଲା ତାର, କିଛି ପିଲା ତାକୁ ଚିଡ଼େଇବାରୁ ମୋର ଭାରି ଝଗଡ଼ା ହୋଇଥିଲା, ବହୁତ୍ ସମୟ ମତେ ବୁଝାଉଥିଲା, ଦେଇ ମତେ ବୁଝାଇ କହିଥିଲା, ମୁଁ ତା ସହ ଅଛି ମାନେ ତାକୁ କାହା କଥା କିଛି ଖରାପ ଲାଗେନି । ଆମେ ସେଠି କିଛି ସମୟ ବସିଯାଇ ଥିଲୁ, ସେଦିନ ରାତିରେ ଦେଇ ସେ ଚିତ୍ରଟି ଆଙ୍କି ଥିଲା, ମତେ ବହୁତ୍ ଭଲ ଲାଗେ ସେ ଚିତ୍ରଟି ମୋ ଦେଇର ପ୍ରଥମ ଚିତ୍ର ସେ ।
ସବୁଦିନ ସକାଳୁ ଉଠି, ସାଙ୍ଗ ହୋଇ ସ୍କୁଲ ଯାଉ ଓ ପୁଣି ରାତି ଶୋଇଲା ଯାଏ ଆମେ ଦୁହେଁ ସାଥୀ ହୋଇ ରହୁ । ଦିନ ଆରମ୍ଭରୁ ଶେଷ ଯାଏ ଆମେ ଦୁହେଁ ସାଥୀ ହୋଇ ଥାଉ । କିନ୍ତୁ ଅଷ୍ଟମ ଶ୍ରେଣୀ ପରେ ଦେଇ ଆଉ ଏକ ସ୍କୁଲକୁ ଗଲା । ବାପା ତାକୁ ଅଣା ନିଆ କରନ୍ତି । ଭାରି ଉଦାସ ମନରେ ଆମେ ସ୍କୁଲ ଯାଉ । ପଢ଼ା ପଢି ଚାଲିଲା, କିନ୍ତୁ ସ୍କୁଲରେ ଏକା ଏକା ଭାରି ବୋର ଲାଗେ ତା ବିନା ।
ତାପରେ ଲୀନା ଆସିଲା, ତାପରେ ରାକେଶ, କୁନାଲ୍ ଆଉ ମହ୍ଲାର ବି ଆଉ ମାନସୀ ବି ଆସିଲେ ଆମ ଘରକୁ । ମୁଁ ସ୍କୁଲରୁ ଜଲଦି ଆସେ । ଦେଇ କିନ୍ତୁ ତା ସ୍କୁଲ ପରେ ଟିଉସନ କରେ ଆଉ ଘରକୁ ଆସିଲା ପରେ ପଢାରେ ଲାଗିଯାଏ । ଆଗ ଆମେ ସବୁ ମିଶି ପାଠ ପଢୁଥିଲୁ ଏବେ କିନ୍ତୁ ମୋ ସାଙ୍ଗ ମାନେ ମୋ ସହ ପଢୁଥିଲେ ।
ପଢାରେ ଟିକେ ଦୁର୍ବଳ ଥିଲା ଦେଇ ତେଣୁ ବହୁତ୍ ପରିଶ୍ରମ କରେ ସେ । ତାପରେ ଧୀରେ ଧୀରେ ସେ ନଥିଲା ବେଳେ ମୁଁ ମୋ ସାଙ୍ଗମାନଙ୍କ ସହ ଚଉରା ତଳ ଘରେ ଖେଳୁ । ସେଦିନ ଦେଇ ଆଖିରେ ପଡିଗଲା କିନ୍ତୁ ସେ କିଛି କହିଲାନି । ମୁଁ ଭାବିଲି ତାର କିଛି ଅସୁବିଧା ନାହିଁ ।
ସମୟ ସହ ଧିରେ ଧିରେ ସବୁ ବଦଳିବାକୁ ଲାଗିଲା । ମୁଁ ଦେଇକୁ ସମୟ ଦେଇ ପାରୁ ନଥିଲି କିନ୍ତୁ ଯେତେବେଳ ମିଶୁ ଆମେ ବହୁତ୍ କଥା ହେଉ ମୋର ମାଟ୍ରିକ ବହୁତ୍ ଭଲ
ହୋଇଥିଲା । ମୋର ବହୁତ ସାଂଗ ଡିପ୍ଲୋମା ପାଇଁ ବାହାରକୁ ଗଲେ । ବାପା ମତେ ବି ହଷ୍ଟେଲରେ ଛାଡିଦେଲେ । ଡିପ୍ଲୋମା ସରିଲା, ଡିଗ୍ରୀ ବି । ମୁଁ ଘରକୁ ମଝିରେ ମଝିରେ ଯାଏ । ଦେଇ ଆଉ ମୁଁ ବହୁତ୍ ଗପୁ, ଦେଇ ଏବେ ବି ସେମତି ହିଁ ଥିଲା । ସେ ଆଉ ତାର ରଙ୍ଗର ଦୁନିଆ । ସେ ସ୍ଥାନୀୟ କଲେଜରୁ ସ୍ନାତକ ସରିଲା ଆଉ ପଢିବାକୁ ଚାହିଁଲାନି । ଘର ସାରା ତା ହାତର ଯାଦୁ ବିଛୁରି ରଖିଥିଲା । ଦୁନିଆ ଯାଇ ଚାନ୍ଦରେ ପହଞ୍ଚି ଗଲାଣି କିନ୍ତୁ ଦେଇ ମୋର ଅତି ନିରୀହଟିଏ ହୋଇ ରହି ଯାଇଥିଲା ।
ବି ଟେକ ପରେ ମତେ ବାଙ୍ଗାଲୋରରେ ଚାକିରି ମିଳିଲା, ମୁଁ ସେଠିକୁ ଚାଲିଗଲି । ସେ ଥର ଛୁଟିରେ ଆସିଥିଲି ତ ଘରର ମାହୋଲ ଟିକେ ଅଲଗା ଥିଲା । ମାଆ ଟିକେ ଦୁଃଖୀ ଥିଲେ ମତେ କହିଲେ ଦେଇକୁ କେହି ଦେଖି ଆସିଥିଲେ କିନ୍ତୁ ମନା କରିଦେଲେ । ଆଗରୁ ଏମିତି ହୋଇଛି, କିଛି ଦିନରେ ସବୁ ଠିକ୍ ହୋଇଯିବ ବୋଲି ମୁଁ ବି ମାନି ନେଲି । ବେଶୀ ବଡ କଥା ନୁହଁ ଓ ତାଠୁ ଅଧିକ ମୁଁ ମୋ ଦୁନିଆରେ ବ୍ୟସ୍ତ ଥିଲି ।
ଦେଇ ଶ୍ରୀକୃଷ୍ଣ ଭଗବାନକୁ ବହୁତ୍ ଭଲ ପାଏ । ତା’ର ସବୁ ଚିତ୍ରରେ କୃଷ୍ଣଙ୍କ ଟିକେ ଝଲକ ଛାଡେ । ଏବେ ଯୋଉ କୃଷ୍ଣ ଛବିଟି ସେ ବନେଇଥିଲା ମନ ମୋହି ନେଉଥିଲା । ମୁଁ ସବୁ ଚିତ୍ର ଗୁଡିକର ଫଟୋ ଉଠେଇ ନେଇଥାଏ ମୋ ଫୋନରେ ସାଙ୍ଗ ମାନଙ୍କ ଆଗରେ ଟିକେ ଦେଖେଇ ହେବା ପାଇଁ ।
କିଛି ଦିନ ପରେ ବାପା ରିଟାର୍ଡ ହେଲେ । କହୁଥିଲେ ନାନିକୁ କୋଉ ଭଲ ଡକ୍ଟରକୁ ଦେଖେଇବେ । ଆଜି କାଲି ବିଜ୍ଞାନ ବହୁତ୍ ପ୍ରଗତି କଲାଣି । ତେଣୁ ଗାଁର ଘର ବାଡ଼ି ସବୁ ବିକି ବାଙ୍ଗାଲୋରରେ ଫ୍ଲାଟ୍ ଖଣ୍ଡେ କିଣିଲୁ ।
ମୋ ପରିବାର ବାଙ୍ଗାଲୋର ଆସିଲା ପରେ ମୋ ସାଙ୍ଗମାନେ ଏଥର ମୋ ଘରକୁ ଯିବା ଆସିବା କରୁଥିଲେ ।
ସେମାନେ ମୋ ପାଖରୁ ଦେଇର ଚିତ୍ର ସବୁ ଦେଖିଥିଲେ । ସେଠି ସେମାନେ ସମସ୍ତେ ମୋ ଦେଇର ବହୁତ୍ ବଡ ପ୍ରଶଂସକ ବନି ଯାଇଥିଲେ । ମୁଁ ଭାବିଲି ଯାହା ହେଉ ଏଥର ଦେଇ ଘରୁ ବାହାରି ଆଜାଦରେ ଜୀବନ ଜୀଇଁବ ।
ରୋହିଣୀ ଆଉ ମୟୂରୀ ସବୁଦିନ ମୋ ଘରକୁ ଆସନ୍ତି । ଆଉ ଏଥର ମୋଠୁ ବେଶି ଦେଇ ସହ ବିତାନ୍ତି । ରୋହିଣି ଦେଇକୁ ଫୋନରେ ଫୋଟୋ ସବୁ ଛାଡିବା ଶିଖେଇ ଦେଇଛି । ଏବେ ଫେସବୁକ ପେଜରେ ଦେଇର ଚିତ୍ର ସବୁ ବେଶ୍ ପ୍ରସିଦ୍ଧ । ମୋର ସବୁ ସାଙ୍ଗ ସାଥି ଏବେ ଦେଇର ପ୍ରଶଂସକ । କୋଉଠି ଦେଇ ମୋର ଘର କୋଣେ ବସି ରଙ୍ଗ ସହ ଘାଣ୍ଟି ହେଉଥିଲା ଆଜି ମୋ ଠୁ ଅଧିକ ତାର ସାଂଗ ସାଥି ଓ ପ୍ରଶଂସକ । ବହୁତ ଫୋନ ଆସେ, କେତେ ତ ତାର ଚିତ୍ର ସବୁ କିଣିବାକୁ କୁହନ୍ତି । କେତେ ଅର୍ଡ଼ର ଦିଅନ୍ତି ବନେଇବା ପାଇଁ । ମୟୂରୀ ତା’ର ଚିହ୍ନା ଲଗେଇ ଏବେ କାଳେ ଦେଇର ସବୁ ଚିତ୍ର ପ୍ରଦର୍ଶନୀ କରାଇବା ପ୍ରସ୍ତାବ ଦେଇଛି । ସେଦିନ ମୟୂରୀ କହୁଥିବାର ମୁଁ ଶୁଣିଲି,' ଦେଇ ସହରରେ ଏ ଚିତ୍ର ସବୁ ଲୋକେ ଲକ୍ଷ ଲକ୍ଷରେ କିଣନ୍ତି, ତୁମେ ବିନା ଶିକ୍ଷା ଗ୍ରହଣ କରି ଏତେ ସୁନ୍ଦର୍ ଚିତ୍ର କରି ପାର ବିଶ୍ୱାସ କର ତୁମ ବହୁତ୍ ନାଆଁ କରିବ, ମୁଁ ତୁମକୁ ସାହାଯ୍ୟ କରିବି । 'ମୁଁ ସେହି ପଟେ ଚାଲିଗଲି ଦେଇ ପଛରୁ ଡାକୁ ଥିଲା ମୁଁ ତାକୁ ଅଣଦେଖା କରି ଚାଲିଗଲି, ରାଗ, ରୁଷା, ଅଭିମାନ, ଗ୍ଲାନି ଏହାକୁ କି ନାମ ଦେବି ଜାଣିନି କିନ୍ତୁ ଏଥର ମୁଁ ଆଉ ଦେଇ ସହ କଥା ବି ହେଉ ନଥିଲି । କେତେ ଡାକୁଥିଲା ମତେ ସେ, ହେଲେ ମୁଁ ସବୁବେଳେ କିଛି ନା କିଛି ବାହାନା କରି ତାକୁ ଟାଳି ଦିଏ ।
ମୋର ପଦୋନ୍ନତି ହୋଇଥିଲା । ମୁଁ ସେଦିନ ଅଫିସରେ ଖୁସିରେ ପାର୍ଟି ଦେଇଥିଲି । କିନ୍ତୁ ସେଦିନ ଦେଇର ପ୍ରଥମ ଚିତ୍ର ପ୍ରଦର୍ଶନୀ ଥିଲା, ମୁଁ ମୋର ସବୁ ସାଙ୍ଗମାନଙ୍କୁ ଡାକିଥିଲି । କିନ୍ତୁ ଅଧାରୁ ଅଧିକ ତ ଦେଇର ପ୍ରଦର୍ଶନୀ ଦେଖିବାକୁ ଯାଇଥିଲେ, ବାପା ବୋଉ ବି ସେଠି ହିଁ ଥିଲେ । ଖାଇବା ଟେବୁଲରେ ବୋଉ ଦେଇର କଥା ଖାଲି କହୁଥିଲା, ମତେ ଦେଖି ଦେଇ ବି ଆରମ୍ଭ ହୋଇଗଲା, ଏୟା ହେଲା ସେୟା ହେଲା, ହେଲେ ମୀନୁ ତୁ କାହିଁକି ଆସିଲୁନି । ମୁଁ ସତରେ ତତେ ବହୁତ୍ ଖୋଜୁଥିଲି । ବାରମ୍ବାର ସେଇ କଥା ଶୁଣି ଶୁଣି ମୁଁ ଚିଡି ଯାଇଥିଲି । ସେଦିନ ତାକୁ କଣ କଣ ନ ଶୁଣେଇଛି । ରାଗରେ କହିଦେଲି ତାକୁ ବାଙ୍ଗାଲୋର ଆଣିବାଟା ମୋର ସବୁଠୁ ବଡ ଭୁଲ । ସେ ଏଠି ନଥିଲା ମୁଁ ବହୁତ ଖୁସିରେ ଥିଲି । ପରଦିନ ଅନ୍ୟମାନେ ଉଠିବା ଆଗରୁ ମୁଁ ଅଫିସ୍ ଚାଲିଗଲି । ଏବେ ବି ମୋ ମନ ଖୁସି ନଥିଲା କିନ୍ତୁ ମୁଁ ଜାଣି ପାରୁନଥିଲି କାରଣ କଣ? ଘରୁ ବହୁତ୍ ଫୋନ ଆସୁଥିଲା ମୁଁ କଥା ହେବାକୁ ଚାହୁଁ ନଥିଲି, ତାପରେ ରୋହିଣି ଦୌଡି ଆସି କହିଲା ମିନୁ ଦେଇକୁ ମେଡିକାଲ୍ ନିଆ ଯାଇଛି ତତେ ଡାକୁଛନ୍ତି । ଜଲଦି ଯା’ । ମୁଁ ମନରେ ଭାବିଲି ହଁ କଣଟେ ହେବ ଗୋଡଟା ଦେଖେଇବାକୁ ଜାଇଥିବେ ଆଉ କଣ? ଆଉ ଏବେ ତ ଦେଇ ବହୁ ଚର୍ଚ୍ଚିତ ଲୋକ ମୋରବା ତାକୁ କି ଆବଶ୍ୟକତା । ତାତ୍ସଲ୍ୟରେ ମୁଁ କହିଲି ତୁ ଯିବୁନି କି? ରୋହିଣି କହିଲା ମୁଁ ଏବେ ସାଂଗେ ସାଂଗ କାମ ସାରି ଯାଉଛି । କହି ଚାଲିଗଲା । ମୁଁ ଆଉ ସେ ଆଡକୁ ଧ୍ୟାନ ନଦେଇ ମୋ କାମ କଲି । କାମ ସରିଲା ପରେ ମୁଁ ସିଧା ଘରକୁ ଗଲି ।
ଏବେ ବି ମନ ବଡ ଅସମଞ୍ଜସରେ ଥିଲା କଣ ଚାଲିଥିଲା ମୁଁ ବୁଝି ପାରୁନଥିଲି । ଆଉ ଏମିତି ହିଁ ମୋର ପାଦ ଆପଣା ଛାଏଁ ଦେଇର ରୁମ୍ ଆଡକୁ ଚାଲିଗଲା । ଏତେ ସମୟ ଧରି ଗୋଟିଏ ଘରେ ଥାଇ ବି ମୁଁ କେବେ ଦେଇର ରୁମକୁ ଆସି ନଥିଲି ।
ଦେଇର ରୁମରେ ଦୁଆର ମୁହଁରୁ ଆଉ ପୁରା ରୁମରେ ଆମ ଦୁହିଁଙ୍କର ପିଲା ଦିନରୁ ଆଜି ଯାକର ସବୁ ସ୍ମୃତିରେ ସଜାଇ ହୋଇ ରହିଛି । ଚାରିପଟେ ଆମ ଦୁହିଁଙ୍କର ବହୁତ୍ ସାରା ଫୋଟ ଲାଗିଛି । ଥରେ ଦେଇର ଗୋଟେ ଚିତ୍ର ମୋ ହାତରେ ଖରାପ ହୋଇଯାଇଥିଲା ସେଇଟା ବି ଅଛି । ତାକୁ ହାତରେ ନେଲା ବେଳେ ମୋ ଆଖିରୁ ଝରି ଯାଉଥିଲା ମୋର ସମ୍ପୂର୍ଣ୍ଣ ପିଲାଦିନ । ହଠାତ୍ ନଜର ପଡିଲା ତକିଆ ତଳର ଏକ ଡାଏରି ଉପରେ । କିନ୍ତୁ ଦେଇ କେବେ ଡାଏରି ଲେଖିବା ଆରମ୍ଭ କଲା? ଆହୁରି ରାଗ ଲାଗିଲା ମୋ ବିଷୟରେ ସବୁ କଥା ଦେଇ ଜାଣେ ଅଥଚ ଦେଇର ଏମିତି କେତେ କଥା ଅଛି ଜାହା ମୁଁ ଜାଣିନି ।
ମନ କହିଲା ତୁ କେବେ ଜାଣିବାକୁ ଚାହିଁଚୁ? ସତେତ ମୁଁ ସବୁବେଳେ ମୋ କଥା ତାକୁ କହେ କେବେ ତା କଥା ଶୁଣେନି ।
ପୃଷ୍ଠା ପରେ ପୃଷ୍ଠା ଉଲଟାଇବା ଆରମ୍ଭ କଲି ତ ବୁଝିଲି ଯେ, ମୁଁ କେବେ ଜାଣି ହିଁ ପାରିଲିନି ଯେ ମୋ ଜୀବନରେ ଏତେ ଲୋକ ଆସିଲେ କିନ୍ତୁ ତା ଜୀବନରେ କେବଳ ମୁଁ ହିଁ ଆସିଥିଲି । ଆଉ କାହାକୁ ସେ ଆଣି ବାକୁ ଦେଇନି । ମୋ ଦେଇ କେତେ ଏକା ଥିଲା ତା’ ଜୀବନରେ । ଯେଉଁ ପୃଷ୍ଠାଟି ଗତ ରାତିରେ ଲେଖିଥିଲା ସେଥିରେ ଲେଖା ଥିଲା, 'ଡାଏରୀ ମୁଁ ଜାଣିନି ମୁଁ ଆଉ କେତେ ଦିନ ବଞ୍ଚିବି, ମୋ ହୃଦୟର ଛିଦ୍ରଟି ବୋଧେ ଆହୁରି ଗଭୀର ହୋଇଗଲାଣି । ମୋ ମିନୁ ଜାଣିଲେ କେତେ ମନ ଦୁଃଖ କରିବ ତାକୁ ଆଜି ଯାଏଁ ଏ କଥା ଲୁଚାଇ ରଖିଛି କିନ୍ତୁ ଏ ଦେହ ଆଇ ସାଥ ଦେଉନି ମୁଁ କଣ କରିବି ଡାଏରୀ,...'
ମୋ ପାଦ ତଳୁ ମାଟି ଖସି ଗଲା ସତେକି!, ଏତେ ବଡ଼ କଥା ମୁଁ ଜାଣିନି, ଆଖିରୁ ଝରିଗଲା ସବୁ ରାଗ, ଅଭିମାନ, ଇର୍ଷା । ଇତଃସ୍ତତଃରେ ଡାଏରୀର ଶେଷ ପୃଷ୍ଠାଟି ବାହାରି ଆସିଲା । ଶେଷ ଫର୍ଦ୍ଦଟିରେ ଦେଇ ଆଙ୍କି ଥିଲା ଏକ୍ ସୁନ୍ଦର କ୍ଷତାକ୍ତ ହୃଦୟ, ଆଉ ତା ଭିତରେ ମୋର ମୁହଁ । କୋହ ସମ୍ଭାଳି ହେଲାନି ମୋର ସେ ଚିତ୍ର ଦେଖି, କେତେ କଷ୍ଟରେ ଅଛି ମୋ ଦେଇ ।
ଆପଣ ମାନେ ଭାବୁଥିବେ ମୁଁ ସତରେ କେତେ ସ୍ଵାର୍ଥପର । ହଁ ମୁଁ ବି ନିଜପାଇଁ ଆଜି ସେୟା ହିଁ ଭାବୁଛି । ସାରା ଜୀବନ୍ ମୋ ନାନି କେବଳ ଦେଇ ଚାଲିଛି । ପିଲା ବେଳେ ଆମେ ଶପଥ ନେଇଥିଲୁ
ଚିନୁ ମିନୁ ଦୁଇ ଭଉଣୀ
ଦୁଇ ଦେହ ଗୋଟେ ପ୍ରାଣ
କଥା ଦେଲି ମତେ ଲୋଡା ନାହିଁ ସାଂଗ
ତୋ ବିନା ଏ ଜୀବନ
ତୋ ବିନା ଏ ଜୀବନ ।
କିନ୍ତୁ ଆଜି ଯାଏଁ କେବଳ ସେ ହିଁ ପାଳି ଆସିଛି ବନ୍ଧୁତ୍ଵକୁ ଭଗବାନ ମତେ ଆଜି ମୋ ବନ୍ଧୁତ୍ୱ ପାଳିବାର ସୁଯୋଗଟିଏ ଦେଇଛନ୍ତି ଜାଣିଛି ସମୟ ଓ ପରିସ୍ଥିତି ବିପରୀତ ଅଛି, କିନ୍ତୁ ମୋ ଦେଇର କ୍ଷତାକ୍ତ ହୃଦୟ ଚିତ୍ରଟିକୁ ମୁଁ ସଜାଡି ଦେବି ନିଶ୍ଚୟ ।
