Amiya Bej

Tragedy Abstract

2  

Amiya Bej

Tragedy Abstract

ମିଛ ବୋଇତ

ମିଛ ବୋଇତ

2 mins
1.6K


{୧}

ହୋଲିରେ ରଙ୍ଗ , ଦିଆଲିରେ ବାଣ , ରାକ୍ଷୀରେ ରାକ୍ଷୀ , ନୂଆବର୍ଷରେ କାର୍ଡ ଆଦି ସିଜିନାଲ୍ ବେପାର କରି ଯାହା ମିଳେ ସେଇତକରେ ଚଳଣି ! ବାକି ସମୟରେ କେଉ ଗୁମାସ୍ତାର ବୋଲହାକ କରି । ଏ ସଂସାର ଚଳେଇବା ଏତେ ବିଷମ ଜାଣିସୁଦ୍ଧା ମଣିଷ ତଥାପି କାଇଁ ପଡ଼େ ସେ ଅଠାକାଠିରେ କେଜାଣି ? ସୁମିର ପେଟରୋଗଟା ବଢିଗଲାଣି । ଡାକ୍ତର ଖର୍ଚ୍ଚକୁ ଶକ୍ତି ନାହିଁ । ଗରିବ ଦେହକଷ୍ଟ ସବୁ ଢୋକିଦିଏ । ସୁମି ଡାକ୍ତରଖାନା ଯିବାକୁ ମନ ବଳାଏନି ।

{୨}

କାଲି କାର୍ତ୍ତିକ ପୂନେଇ । ପରଦିନ ଛାଡ଼ଖାଇ । ଘାଟରେ ଭିଡ଼ ହେବ ଭାରି । ଡଙ୍ଗା ଭସାଇବାକୁ ଧନୀଏ ଠେଲାପେଲା ହେବେ । କାଗଜ ଡଙ୍ଗାର ଦିନିକିଆ ଭାଉ । ସାଙ୍ଗରେ ଦୀପ ଧୂପ ମେଞ୍ଚେ ରଖିଲେ ଭଲ ବେଉସା ହେବ । ସେଥିରୁ ଯାହା କମେଇ ହେବ କିଣିଆଣିବ ବଏଲର । ତାଙ୍କୁ ମାରି ବିକିବ ସେ । ଛାଡ଼ଖାଇରେ ହାଇଁ ପାଇଁ ହେବେ ମାଉଁସ ଖିଆ ମଣିଷେ। ଯାହା ବି ପଚାମଚା ମିଳିବ ଚରିଯିବେ । ଦି'ପଇସା ଲୋଭରେ ଧାଇଁଲା ଗୁମାସ୍ତା ପାଖକୁ ହାତ ଉଧାରି ଆଣି ଗୋଦାମରୁ ଉଠେଇଲା ସୋଲ ତିଆରି କାଗଜ ଡଙ୍ଗା ପୁଳାଏ । କିଣା ଗୋଟାକୁ ଦଶ ପଡିଲା । ପନ୍ଦରରେ ବିକିଲେ ପାଞ୍ଚ୍ ଲାଭ । ମୂଲାମୂଲି ବି ଅଛି । ଧନୀଲୋକମାନେ ଟଙ୍କେ ଦି ଟଙ୍କା କମେଇ ପାରିଲେ ଭାରି ସୁଖ ପାଆନ୍ତି !

{୩}

ବଣିଜ ବେପାରର ପର୍ବ ବୋଇତ ବନ୍ଦାଣ । ମିଛ ବୋଇତକୁ ପାଣିରେ ଭସାଇ ସୁମରନ୍ତି ଓଡ଼ିଆ । ମନେରଖିବାକୁ ଚେଷ୍ଟା କରିବା ହିଁ ମହାନ୍ ପରମ୍ପରା । ହେଉପଛେ ଅସଲରେ ଆମେ ଦାଦନ । ସେ ଖୋଲିଦେଲା ପସରା । ତା' ଆଗରୁ ବସିଛନ୍ତି ଆଉରି ଅନେକ । ଗରିବଙ୍କ ଅଭାବ କେଉଁ ଯେ ? ଗୋଟାକୁ ପନ୍ଦର, ଗୋଟାକୁ ପନ୍ଦର କହି ଗଳା ଫଟାଇ ଚିଲ୍ଲେଇବାରେ ଲାଗିଲା ସେ । ପାଖ ଦୁଃଖୀଟି ବିକୁଥିଲା ଦଅଶରେ ! କେଉଁଠୁ ଏତେ ଶସ୍ତାରେ ପାଇଲା କେ ଯାଣି ? ଘରେ ନିଜେ ତିଆରିଥିବ ବୋଧେ । ସମସ୍ତେ ଶସ୍ତା ମୁହାଁ । ମୁହଁବୁଲେଇ ନେଉଛନ୍ତି ତାଠୁଁ ସବୁ । ବାଟନାହିଁ । ମୂଳ ଦରରେ ନ ବିକିଲେ ସୁଝି ହେବନି ହାତ ଉଧାରି । ସେ ବି ଡାକିଲା ଏବେ ଗୋଟାକୁ ଦଶ , ଗୋଟାକୁ ଦଅଶ । ଆଠେ ନେବୁ ? କୋଡ଼ିଏରେ ତିନିଟା ଦେ' । ହଁ ମଁ କାଗଜଟା ତ , କେଉ ସୁନାରୁପା ଯେ ? ଏଇକଥା କହିକହି ଭିଡ଼ କଲେ କିଛି । ହାଁ' ଟାଏ ମାରି , ଦେଇ ପକେଇଲା ସେ ।

{୪}

ବଣିଜ ଦିନରେ ଗରିବର ଏଇମିତି ଲାଭ ! ଫରଚା ହେବାକୁ ବସିଲାଣି । ଅଧାବି ଯାଇନି । ଲୋକେ ପତଳା ହେଉଛନ୍ତି ଘାଟରେ । ଆଉ କେଇ ସମୟରେ ଖାଲି ପଡିଯିବ ଘାଟ । କାଗଜମୟ ପାଣି । ଭୂଲିଯିବେ ସବୁ । ପଚୁଥିବ ସବୁ ବୋଇତ! ବଳିଗଲା ଢେରସାରା କାଗଜ ଡଙ୍ଗା । ବଳିଯାଇଥିଲାବି ମେଞ୍ଚାଏ ଦୁଃଖ । କଣ ଆଉ କରନ୍ତା ସେ ? ଏ ମିଛ ବୋଇତ ଗୁଡାକ କଣ ଲାଭ ଦେବାକୁ , ଆଉରି ବର୍ଷଟିଏ ଚାହିଁ ରହିବେ ? ଏଥର ଉଠି ବସିଲା । ବଳକା ତକ ନେଇ , ଅନ୍ୟ ମାନଙ୍କ ସୁଖ ବୋଇତଙ୍କୁ ହାତରେ ଆଡେଇ ଘାଟ ପାଣିରେ ଏମାନଙ୍କୁ ଭସାଇଦେଲା । ପୁଣି ଆଉ କେଉଁ ଅଜଣା ଲାଭଦାୟକ ବେଉସାର ଆଶାରେ । ତା'ସହ ଭାସିଗଲା କିଛି ଦୀର୍ଘଶ୍ଵାସ !!

ଅମିୟ ବେଜ୍


Rate this content
Log in

Similar oriya story from Tragedy