ମାତା କଲ୍ୟାଣ ମୟୀ
ମାତା କଲ୍ୟାଣ ମୟୀ
ଶରତ ଋତୁର ଶୁଭ୍ର ଜ୍ୟୋତ୍ସ୍ନା ଵିଧୌତ ରାତି । ଅଫିସରୁ ଫେରୁ ଫେରୁ ରାତି ଏଗାରଟା । ଦାମ ବାବୁ ଘର ମୁହାଁ । ହାତରେ ମିଠା ହାଣ୍ଡି ଧରି କଲିଂ ବେଲ ଟିପିଲେ । କବାଟ ଖୋଲିଲା । " ଏଇ ଧର ମିଠା ବେଗଟା " ସ୍ତ୍ରୀଙ୍କ ହାତରେ ବେଗଟି ଧରେଇ ଦାମ ବାବୁ ୱାଶ ରୁମ ରେ ଗୋଡ଼ ହାତ ମୁହଁ ହାତ ସାବୁନରେ ସଫା କରି ନିଜର ମାସ୍କ ମୁହଁରୁ ଓ ଡ୍ରେସ ଦେହରୁ କାଢି ୱାଶିଙ୍ଗ ମେସିନ ଭିତରେ ପକାଇ ଦେଲେ । ନାଇଟ ଡ୍ରେଶ ପିନ୍ଧି ଡ୍ରଇଂ ରୁମର ସୋଫା ଉପରେ ବସିଲେ । ସ୍ତ୍ରୀ ରମା ମିଠା ହାଣ୍ଡିଟି ବ୍ୟାଗରୁ ବାହାର କରି ଫ୍ରିଜ଼ ଭିତରେ ରଖିଦେଇ କହିଲେ, " ମୁଁ କହିଥିଲି କିଛି ପରିବା ଆଣିବା ପାଇଁ ଆଣିଲନି ତ? ମୁଁ ପାର୍ବଣ ପାଳୁଛି ଆଉ ଦୁର୍ଗା ଷ୍ଟମୀ ଉପାସ ଆଗକୁ ଅଛି " । ରମାଙ୍କ ବାଣୀ ଶୁଣି ଦାମ ବାବୁଙ୍କ ମୁହଁଟି ଟିକେ ମଳିନ ଦେଖା ଗଲା । ନିଜର କ୍ରୋଧୀ ଭାବକୁ ଚପାଇ କହିଲେ, " ହଁ କାଲି ଆଣିବି । କିନ୍ତୁ ତୁମ ସ୍ୱାସ୍ଥ୍ୟ ପାଇଁ ମୁଁ ଚିନ୍ତିତ । ତୁମେ ଜଣେ ହାଇ ବ୍ଲଡ ପ୍ରେସର ରୋଗୀ ତା ସାଙ୍ଗକୁ ଅଜୀର୍ଣ ରୋଗ । ବାର ମାସର ତେର ପର୍ବ ପାଳି ଲାଭ କଣ । ଓପାସ ରହି ନିଜ ଦେହକୁ କାହିଁକି ଜାଣି ଶୁଣି ଖରାପ କରୁଛ । ତୁମର ମାଟ୍ରିକରେ ସ୍ଵାସ୍ଥ୍ୟ ବିଜ୍ଞାନ ଅପସନାଲ ଥିଲା । କଣ ସବୁ ଭୁଲିଗଲ ।"
ସ୍ୱାମୀଙ୍କର ଏପରି ପ୍ରବଚନ ଶୁଣି ରମା ମାଡାମ ଖୁବ ରାଗି ଗଲେ । ଆଉ କହିଲେ, " ତୁମେ କଣ ବେଧର୍ମୀ । ଜଗତର ମାତାଙ୍କ ଉପରେ ତୁମର କଣ ବିଶ୍ୱାସ ନାହିଁ? ମାଙ୍କ ପାଇଁ ଟିକେ ପାଳିଲେ ଖରାପ କଣ? ତୁମେ ମୋତେ ଆଉ ଦିନେ ମୋର ଧର୍ମ ଭାବ ଉପରେ କିଛି କହିବନି "। " ହଉ ଠିକ ଅଛି ଆଜି ଠୁଁ ଆଉ କହିବିନି କିନ୍ତୁ ଗୋଟାଏ ସର୍ତ୍ତ । ଏବର୍ଷ ପାର୍ବଣ ଗଲା ପରେ ଉପାସ ଫୁପାସ ସବୁ ଛାଡ଼ି ଦବ । ପ୍ରମିଶ କର " । ରମା ମାଡାମଙ୍କ ମୁଣ୍ଡକୁ ପୋକ ଚଢ଼ି ଗଲା ଓ ଦାମ ବାବୁଙ୍କୁ ଭୀଷଣ ଗାଳି ଦେଲେ । କିନ୍ତୁ ଦାମ ବାବୁ ଜଣେ କର୍ମ ଯୋଗୀ ଏବଂ ବିଚାରବନ୍ତ ସ୍ୱାମୀ । ସ୍ତ୍ରୀ ଙ୍କ ଗାଳୀକୁ ମୁଣ୍ଡ ପାତି ସହିନେଲେ । କାରଣ ସେ ଜାଣନ୍ତି ଜଣେ ରକ୍ତ ଚାପ ରୋଗୀଙ୍କୁ ରଗେଇ ଦେଲେ ଅବସ୍ଥା ଶୋଚନୀୟ ହୋଇ ପଡ଼ିବ । ତାପରେ ରମା ମାଡାମ ରୋଟି ତିଆରି କଲେ । ସ୍ୱାମୀ ସ୍ତ୍ରୀ ଦୁଇଜଣ ରସଗୋଲା ଓ ସିରା ଲଗେଇ ରୋଟି ଖାଇ ବେଡ ରୁମରେ ପ୍ରବେଶ କଲେ । ବିଭାଘର ଦୀର୍ଘ ଆଠ ବର୍ଷ ପୁରିଗଲେ ଵି ଏ ପର୍ଯ୍ୟନ୍ତ କୋଳ ଶୂନ୍ୟ । ଦମ୍ପତିଙ୍କ ମନରେ ବିଷାଦର ଛାୟା । ଦାମ ବାକୁ କିଛି କାଂଶରେ ନାସ୍ତିକ ହେଲେ ମଧ୍ୟ ସ୍ତ୍ରୀଙ୍କ ଉପରେ ତାଙ୍କର ଆସ୍ଥା ଅଛି । ନିଜ ସ୍ତ୍ରୀଙ୍କ ଦେବୀ ଦୁର୍ଗା ମାଙ୍କ ପ୍ରତି ନିଷ୍ଠା ଆଉ ଦୃଢ଼ଭକ୍ତି ତାଙ୍କୁ ସନ୍ତାନ ମୁଖ ଦର୍ଶନର ସୁଖ ବୋଧେ ଦେଇ ପାରିବ ।
ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର । ରମା ମାଡାମଙ୍କ ଗଭୀର ଭକ୍ତି ଓ ଶକ୍ତି ସାଧନା ଅତୁଳନୀୟ । ପର ଦିନ ସକାଳୁ ନିତ୍ୟ କର୍ମ ସାରି ଖାଇ ପିଇ ନିଜ ଗାଡ଼ି ଧରି ଦାମ ବାବୁ ଅଫିସ ବାହାରିଗଲେ । ପାଖ ଦେବୀ ପୀଠରୁ ଘଣ୍ଟ ଧ୍ଵନି ଶୁଭୁଥିଲା । ପାର୍ବଣ ସପ୍ତା । ପ୍ରାୟ ଦୁଇ ଘଣ୍ଟା ପରେ ଫୋନ ଆସିଲା । ସେ ଘର ଲାଣ୍ଡ ଫୋନ ର ରିସିଭର ଉଠାଇଲେ, " ହେଲୋ ହେଲୋ କିଏ କହୁଛନ୍ତି । " ଉତ୍ତର ମିଳିଲା, " ଆଜ୍ଞା ମୁଁ ବଡ଼ ଡାକ୍ତରଖାନାରୁ କହୁଛି, " ଆପଣ ଦାମ ବାବୁଙ୍କ କଣ ହୁଅନ୍ତି? " ମୁଁ ତାଙ୍କର ମିସେସ କହୁଛି କଣ ହେଲା? " ମୁଁ ଡାକ୍ତର କହୁଛି । ଆପଣଙ୍କ ସ୍ୱାମୀଙ୍କ ଅବସ୍ଥା ଖରାପ । ଶୀଘ୍ର ମେଡିକାଲ ଆସନ୍ତୁ " ରମା ମାଡାମ ଅନୁଭବ କଲେ ସତେ ଯେପରି ଅକାଳେ ବଜ୍ର ପାତ । ମା ଦୁର୍ଗାଙ୍କ ଉପରେ ଅଗାଧ ବିଶ୍ୱାସ ତାଙ୍କ ମନରେ ଅପାର ଶକ୍ତି ଦେଲା । ମନକୁ ମଜବୁତ କରି ନିଜ ସ୍କୁଟି ଚଢ଼ି ଡାକ୍ତରଖାନାକୁ ଆଗେଇ ଚାଲିଲେ । ପଚାରି ପଚାରି ମେଡ଼ିସିନ ୱାର୍ଡ ଭିତରେ ପଶିଗଲେ । ଦାମ ବାବୁ ଖଟିଆ ଉପରେ ନିଶ୍ଚଳ ଭାବେ ପଡ଼ି ରହି ଥିବାର ଦେଖିଲେ । ତାଙ୍କ ମୁହଁରେ ସାଲାଇନ ଲାଗିଛି । ଡାହାଣ ହାତ ଆଉ ଗୋଡ଼ରେ ବାଣ୍ଡେଜ ଗୁଡ଼ା ହୋଇଛି । ଦାମ ବାବୁ ବେହୋସ ।ଆକ୍ସିଡେଣ୍ଟ କେଶ । ବାଟରେ ଗଲାବେଳେ ଗୋଟାଏ ଟ୍ରକ ଧକ୍କାରେ ଦାମ ବାବୁଙ୍କ ଅବସ୍ଥା ଏମିତି ହୋଇଛି ବୋଲି ଜାଣିବାକୁ ପାଇଲେ । ମନେ ମନେ ମା ଦୁର୍ଗାଙ୍କୁ ଚିନ୍ତା କରି ଡାକ୍ତରଙ୍କୁ ପଚାରିଲେ, " କେତେ ଦିନ ଲାଗିବ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପାଇଁ କୁହନ୍ତୁ । " ଡାକ୍ତର ଉତ୍ତର ଦେଲେ," ଆଜ୍ଞା ଏ ପର୍ଯ୍ୟନ୍ତ ହୋସ ଆସିନି । ସମୟ ସାପେକ୍ଷ । ମୁଁ ପ୍ରେସକ୍ରିପସନ ଲେଖିଦେଉଛି । ଆପଣ ଦୟାକରି ଇଞ୍ଜେକ୍ସନ ଆଉ ମେଡ଼ିସିନ କିଣି ଆଣନ୍ତୁ । ଆମେ ଚେଷ୍ଟା କରିବା ।"
କିଛିସମୟ ପରେ ରମା ମାଡାମ ମେଡ଼ିସିନ ଆଉ ଇଞ୍ଜେକ୍ସନ ଧରି ୱାର୍ଡ କୁ ଯାଇ ଡାକ୍ତରଙ୍କୁ ଦେଲେ । ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ୱାର୍ଡ ବାହାରେ ଅପେକ୍ଷା କଲେ । ବାହାରେ ପଡ଼ିଥିବା ଚେୟାର ଉପରେ ଆଖି ବୁଜି ଧ୍ୟାନ ମଗ୍ନ ହେଲେ । ଜଗନ୍ମାତା ଦୁର୍ଗତି ନାଶିନୀ ଦୁର୍ଗାଙ୍କୁ ସ୍ୱାମୀଙ୍କ ଆଶୁ ଆରୋଗ୍ୟ କାମନା କରି କାନ୍ଦିବାକୁ ଲାଗିଲେ । ପ୍ରାୟ ଏକ ଘଣ୍ଟା ବିତିଗଲା ପରେ ଡାକ୍ତର ହଠାତ ୱାର୍ଡ ରୁମ ବାହାରକୁ ଆସି ହସ ହସ ମୁହଁରେ ରମା ମାଡାମଙ୍କୁ କହି ପକାଇଲେ, " ମାଡାମ କନଗ୍ରାଚୁଲେସନ । ସବୁକିଛି ଓକେ । ସ୍ୱାମୀ ଆପଣଙ୍କୁ ଖୋଜୁ ଛନ୍ତି । ଯାଆନ୍ତୁ ଦେଖିବେ । ସତକୁ ସତ ଦେଖିଲା ବେକକୁ ଦାମ ବାବୁ ଖଟ ଉପରେ ଉଠି ବସିଛନ୍ତି । ସାଲାଇନ ଓ ଅକ୍ସିଜେନ କଢ଼ା ହେଇ ଯାଇଛି । ତାଙ୍କ ମୁହଁରେ ମୁରୁକି ହସ । କେବଳ ଗୋଡ଼ରେ ପଟି ଲାଗିଛି । ଦାମ ବାବୁ ଠିଆ ହୋଇ ପଡ଼ି କହିଲେ, " ଚାଲ ଘରକୁ ଯିବା ।" ଏକଥା ଶୁଣି ଅନ୍ୟାନ୍ୟ ନର୍ସ ଓ ଡାକ୍ତରମାନେ ଆଶ୍ଚର୍ଯ୍ୟ ହେଇ କହିଲେ, " ଆଜ୍ଞା ହସ୍ପିଟାଲ ଆଣିଲା ବେଳେ ଆପଣଙ୍କ ସ୍ୱାମୀଙ୍କ ଅବସ୍ଥା ଦେଖି ଆମେ ଭାବିଥିଲୁ ଯେ ତାଙ୍କର ଆୟୁଷ ଭଗବାନଙ୍କ ହାତରେ । ଭଗବାନ ଆପଣଙ୍କ ଡାକ ଶୁଣିଲେ । ଆମେ ଆଜି ଯାଏଁ ଏପରି କେଶ ଦେଖି ନଥିଲୁ । ବଡ଼ ଚମତ୍କାର ଆଜ୍ଞା । ଏବେ ସ୍ୱାମୀଙ୍କୁ ଘରକୁ ନେଇଯାଆନ୍ତୁ । ଆମେ ଇଞ୍ଜେକ୍ସନ ଦେଇଦେଇଛୁ କେବଳ ଆପଣ ମେଡ଼ିସିନ ଠିକ ସମୟରେ ଖୁଆଇବେ । " ରମା ମାଡାମଙ୍କ ମନରେ ଆଶାର ଓ ଆନନ୍ଦର ଆଲୋକ ଭରି ଉଠିଲା ସେ କହି ପକାଇଲେ, " ଆପଣଙ୍କୁ ଅଶେଷ ଧନ୍ୟବାଦ । ସବୁ ସେହି ଆଦି ମାତାଙ୍କ କରୁଣା । ତାଙ୍କରି ଶୁଭ ଦୃଷ୍ଟିରୁ ଆଜି ମୋର ସ୍ୱାମୀଙ୍କୁ ଫେରି ପାଇଛି । "
ତାପରେ ନିଜ ସ୍କୁଟିରେ ବସେଇ ଦାମ ବାବୁଙ୍କୁ ଘରକୁ ଆଣିଲେ । ସେଦିନ ଦୁର୍ଗା ସପ୍ତମୀ । ପାଖ ଦେବୀ ମନ୍ଦିରର ହୁଳହୁଳି ଜୟ ମା ଓ ଘଣ୍ଟା ଧ୍ୱନି କାନରେ ବାଜି ରମା ଦେବୀଙ୍କ ମନରେ ଦିବ୍ୟ ଚେତନାର ଉଦବୁଦ୍ଧ ହେଉଥିଲା । ପର ଦିନ ଦୁର୍ଗାଷ୍ଟମୀ ଉପବାସ କଲେ ଓ ଦେବୀ ମନ୍ଦିରରେ ଭୋଗ ଲଗାଇଲେ । ନିୟମିତ ପଥି ଓ ଔଷଧ ସେବନ ପରେ ଦାମ ବାବୁଙ୍କୁ ପ୍ରାୟ ଏକ ସପ୍ତାହ ଲାଗିଗଲା ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ପାଇଁ । ତାପରେ ସେ ନିଜର କର୍ମ କ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କରି ନାସ୍ତିକ ମନରେ ଅସ୍ତିକତା ସଞ୍ଚାର ପୂର୍ବକ ନିଜର ସହକର୍ମୀମାନଙ୍କୁ କଲ୍ୟାଣ ମୟୀ ମାତାଙ୍କ ଗୁଣ କୀର୍ତ୍ତନ କରିବାକୁ ଆରମ୍ଭ କଲେ । ମାତା ଦୁର୍ଗାଙ୍କ ଡାକ୍ତରଖାନାରେ ଚମତ୍କାର ପ୍ରଭାବ ଓ ତାଙ୍କର ମରଣ ମୁହଁରୁ ବଞ୍ଚିବା କଥା ବଖାଣି ଚାଲିଲେ । ସେହି ଦିନଠାରୁ ଦାମ ବାବୁଙ୍କ ମୁହଁରୁ " ଜୟ ମା ଭବାନୀ ଜୟ ମା ଭବାନୀ " ଉଚ୍ଚାରଣ ଶବ୍ଦ ଶୁଣି ସମସ୍ତେ ହତବାକ ହୋଇପଡ଼ିଲେ । ବିଶେଷ କରି ସ୍ୱାମୀଙ୍କ ମୁହଁରୁ ମାତାଙ୍କ ଜୟ ଧ୍ୱନି ଶୁଣି ରମା ଦେବୀ ସ୍ୱର୍ଗ ସୁଖ ଲାଭ କରିପାରିଲେ ।....... ଏମିତି ଏମିତି ତିନି ମାସ ବିତିଗଲା । ସ୍ୱାମୀ ସ୍ତ୍ରୀ ଦୁଇ ଜଣ ହସ୍ପିଟାଲ ଗଲେ । ଦାମ ବାବୁ ରମା ମାଡାମଙ୍କ ଗ୍ରାଭିଣ୍ଡେକ୍ସ ଟେଷ୍ଟ କରାଇଲେ । ଟେଷ୍ଟ ପଜିଟିଭ ବାହାରିଲା । ଦମ୍ପତିଙ୍କ ଜୀବନରେ ପ୍ରଥମ ଥର ନିମିତ୍ତ ସମାଜରେ ମାତା ପିତାରୂପେ ପରିଚୟ ଲାଭ କରିବାର ସୌଭାଗ୍ୟ ଉଦୟ ହୋଇ ପାରିଥିଲା । ଜଗତର ଜନନୀ ଦୁର୍ଗାଙ୍କ ଅପାର କରୁଣାର ମହକରେ ସେମାନଙ୍କ ତନୁ ମନରେ ଭକ୍ତି ଭାବର ଶିହରଣ ଖେଳିବାକୁ ଆରମ୍ଭ କଲା ।
