Amiya Bej

Tragedy Others

2  

Amiya Bej

Tragedy Others

ମାଂସ

ମାଂସ

2 mins
7.6K


{୧}

ଦିନେ ଧର୍ମର ମାସ ବି ସରିଯାଏ ! ମଣିଷ ଭାଗକରେ ନିଜକୁ । କିଛି ସମୟ ଠାକୁରଙ୍କର , କିଛି ନିଜର । ୟେ' ହେଉଛି ଧର୍ମର ସମୟସୀମା !

ଶୁଦ୍ଧ ପରିବାର ତାଙ୍କର । ମା' ହବିଷାଳି । ଓଷାବ୍ରତରେ ଢେର୍ ନିଷ୍ଠା । କାର୍ତ୍ତିକ ଯାକ ସାତ୍ତ୍ଵିକ ।

{୨}

ଛାଡ଼ଖାଇ ଆଜି । ମାସେ ହେଲାଣି ଘର ନୁଖୁରା । ଦେହମନକୁ ନିୟମରେ ବାନ୍ଧିବୁନ୍ଧି ବାଉଳା ଚାଉଳା ହୋଇଗଲାଣି ମଣିଷ ।

ଭୋରୁଁ କାଲୁମିଆଁର ଗୁମୁଟିରେ , ଧାଡ଼ି ନଲଗାଇଲେ , ବୁଢ଼ୀ ବି ନିଅଁଣ୍ଟିଆ ହୋଇଯିବ ପଛକୁ । ମାସକର ମାନ୍ଦା ବେପାରକୁ ଦିନକରେ ବରାବର କରିବାକୁ , ଜୋଷେଇ ଯାଇଥିବ କାଲୁମିଆଁ ଆଜି । ଅଣ୍ଡାଳି ଅଣ୍ଡାଳି ଖୋଜି ଆଣିଥିବ ପଶୁମାନଙ୍କୁ । କାଲୁ ଠକେନି । ଭରସା ଯୋଗ୍ୟ ପଠାଣ । ମିଲାବଟ କିଛି ନାହିଁ ।

ବରାଦ ଅନେକ । ବାପାଙ୍କ ଅଣ୍ଟାବଥା ପାଇଁ ଛେଳିଗୋଡ଼ ଜୁସ୍ । ରାନୁମାନୁଙ୍କର କଲିଜା । ସୌମ୍ୟାକୁ ମାଂସ ଚଢିଥିବା ହାଡ ଦିଖଣ୍ଡ । ନିଜପାଇଁ ଫଡିଆରୁ ଟିକେ । ମିଶାମିଶି କିଲୁଟେ ହେଲେ ସର୍ବସୁଖ । କାଲୁ ବୁଝେ ମନକଥା । ଏଥିଲାଗି ବିଶ୍ଵାସ ଲାଗେ ମୁସଲମାନ ମିଆଁ ।

{୩}

ପଲେ ଛେଳି ଗୋଠକରି ଘେରିଥିଲେ ଗୁମଟିକୁ । ପଲେ ମଣିଷ ବି । କାଲୁର ସାମ୍ୟର୍ଥ , ପଶୁ ମାରି ମଣିଷଙ୍କୁ ଖୁସି ଦେଇ ପାରିବାର । ପଶୁ କଣ କେବେ ନରବଳିରେ ଖୁସି ହେବ ??????

ଆଉ ଦି'ଟା କଟାଳି , ଦି'ଟା ଧାରକରା ଛୁରୀ ଯୋଗାଡିଥିଲା ଆଜି କାଲୁ । ଭିଡ ସମ୍ଭାଳିବାକୁ । ରକ୍ତ ସାଇତିବାକୁ ଜାଗା ନିଅଣ୍ଟ । ବୋହୁଥାଉ ନଦୀ ହୋଇ । ବାଲି ମାଡିଗଲେ ଲିଭିଯିବ ପାପ ।

କାଟିକାଟି ସାଥୀମାନେ ଝାଳନାଳ । ଦେହସାରା ମିଶିଯାଇଛି ରକ୍ତମାଂସର ଛିଟା । କଦାକାର ଦିଶୁଛି ମୁସଲମାନ । ତା' ଆଗେ ହାତ ପତାଇ ନେହୁରା ହେଉଛି ମଣିଷ !

ଦେ କଲିଜାରୁ ଟିକେ , ଦେ ହାଡ ଦିଖଣ୍ଡ .....

କାଲୁମିଆଁର ଦରବାର । ସେ ବିଚାରିବ କା'କୁ କଣ ଦେବ ନଦେବ । ତା'ପାଖେ ଆଜି ସମସ୍ତେ ଭିଖାରୀ ।

{୪}

ଦେଢଘଣ୍ଟା ଅପେକ୍ଷା , ପାଞ୍ଚୁଟା ଖାସୀର ମରଣ ସ୍ୱ ଚକ୍ଷୁରେ ଦେଖିସାରିଲା ପରେଯାଇ ପାଳି ପଡିଲା ତା'ର । କାଳୁମିଆଁ ବଢାଇଦେଲା ହାତକୁ ତାଜା ରକ୍ତ ମିଶା ମାଂସ ପଲିଥିନି । ଆଉଦିନ ପରି ହସିହସି ଦିପଦ ଭଲମନ୍ଦ କଥା , ଭାଇଚାରା ପାଇଁ ସମୟ ନଥିଲା ଆଜି ।

ଏ ମୋହ ବଡ ବିଷମ । ପାଟିସାରା ସବୁବେଳେ ଲାଳ ଭରୁଥାଏ । ପରିବାରର ଇଛା ଆକର୍ଷଣ ଦୁର୍ବାର । ମଣିଷ କଣ ନିଜପାଇଁ ସେତେ ବ୍ୟସ୍ତ ହୁଏ , ଯେତେ ନିଜ ପରିବାର ପାଇଁ ହେବାକୁ ପଡେ ? ସଂସାରୀର ବାରବାର ନିଦହଜେ ଆତ୍ମୀୟଙ୍କ ପାଇଁ ।

ଘନଘନ ଫୋନ୍ ଆସୁଥିଲା ଘରୁ । 

- ସକାଳୁ ଯାଇଛ ଯେ ଯାଇଛ । ମସଲା ବାଟି ଶୁଖିବାକୁ ବସିଲାଣି । କଣ ରହିବ ଆଉ ସୁଆଦ ?

ଏଇ ପହଞ୍ଚିଲି କହି ଗାଡି ମୋଡ଼ିଲା ସେ । ଆଉଟିକେ ଅଧିକ । ଆଉଟିକେ । ପହଞ୍ଚିବାକୁ ହେବ ଶିଘ୍ର । ଚାହିଁ ବସିଛନ୍ତି ସବୁ ତା' ଫେରିବାର ବାଟକୁ । ସେମାନଙ୍କ ମୁହଁରେ ଦେବାକୁ ହେବ ଏଇ ତାଜାମାଂସ !

{୫}

କିଏଜଣେ ଚିହ୍ନାଲୋକ ଖବର ଦେବାରୁ , ଛୁଟିଆସିଲେ ସବୁ ଘରଲୋକ । ରାସ୍ତା ଛାଡିଦେଲା ଭିଡ । ନଥିଲା କିଛି ଆଉ ଫେରି ପାଇବାର । ଚିହ୍ନି ହେଉନି କେଉଟା ମଣିଷର , କେଉଟା ପଶୁର । ସବୁ ମାଂସ ଏକାକାର । 

କଲିଜାବି , ହାଡବି , ପଞ୍ଜରାବି , ଗୋଡମୁଣ୍ଡବି ...

❀ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ❀


Rate this content
Log in

Similar oriya story from Tragedy