ମାନବିକତାର ପରିଚୟ
ମାନବିକତାର ପରିଚୟ
କାର୍ଯ୍ୟ ଯେତେ କଷ୍ଟ ସାଧ୍ୟ ହେଲେ ମଧ୍ୟ ପ୍ରଚେଷ୍ଟା ଦ୍ୱାରା ତାହାକୁ ହାସଲ କରାଯାଇ ପାରେ ଆଉ ଏଥିରୁ ମିଳୁଥିବା ସଫଳତା ନିଜକୁ ବେଶ୍ ଖୁସି ଦେଇଥାଏ । ମୋ ଜୀବନର ଆସିଥିବା ପରିସ୍ଥିତିକୁ ମୁଁ ଧୈର୍ଯ୍ୟର ସହିତ ସାମ୍ନା କରିଥିଲି ଆଉ ତାହାର ପରିଣତି କଣ ହେଲା ତାକୁ ନେଇ ମୋର ଏ ଅନୁଭୂତି।
ପ୍ରାୟ ପୂର୍ବ ବର୍ଷ ଡିସେମ୍ବର ମାସର ଘଟଣା । ମୋର ସେମିଷ୍ଟାର ପରୀକ୍ଷା ସରିଯାଇଥିବାରୁ ମୁଁ ଗାଆଁକୁ ଆସିଥାଏ ପରୀକ୍ଷାର ପରବର୍ତ୍ତୀ ସମୟ କଟାଇବାକୁ । ସେତେବେଳେ ଧାନକଟା ସମୟ ଆମର ସ୍ୱଳ୍ପାଧିକ ଜମି ଥିବାରୁ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବାପା ମୟୂରଭଞ୍ଜ (ବାରିପଦା)ର ଶ୍ରମିକମାନଙ୍କୁ ଆସିବାକୁ କହିଲେ । ବାପାଙ୍କ କଥାରେ ସେ ରାଜି ହେଲେ ଏବଂ ଅଗ୍ରୀମ ଟଙ୍କା କିଛି ପଠାଇବାକୁ ଅନୁରୋଧ କଲେ । ସେମାନଙ୍କ ଗ୍ରାମର ଜାଣିଥିବା ବ୍ୟକ୍ତିର ଆକାଉଣ୍ଟ ନମ୍ବର ଆଣି ବାପାଙ୍କୁ ଫୋନରେ ଦେଲେ । ସେହି ଆକାଉଣ୍ଟ ନମ୍ବରରେ ପଇସା ପଠାଇଲେ ସେମାନେ ପାଇଯିବେ ବୋଲି କହିଲେ । ସେମାନଙ୍କ କଥା ଅନୁଯାୟୀ ବାପା ପଇସା ପଠାଇ ଦେବେ ବୋଲି କହିଲେ।
ତହିଁ ପରଦିନ ବାପାଙ୍କର କିଛି ବ୍ୟକ୍ତିଗତ ଜରୁରୀ କାମ ଥିବାରୁ ବ୍ୟାଙ୍କ ଯିବାକୁ ସମୟ ହେଲାନାହିଁ । ତେଣୁ ମତେ ସେହି ଲୋକର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଆଇ.ଏଫ୍.ଏସ୍.ସି କୋଡ୍ ଦେଇ ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ୨୫୦୦ ଟଙ୍କା ପଠାଇବାକୁ କହିଲେ । ମୁଁ ସେହି ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଆଇଏଫ୍ଏସ୍ ସି କୋଡ୍ ଆଣି ପଇସା ପଠାଇେଲ କିନ୍ତୁ ଭୁଲ ବଶତଃ (ସେ ବାପାଙ୍କର ଡାକିବାରେ ଭୁଲ ହେଉ କି ମୋର ଲେଖିବାର ଭୁଲ ହେଉ) ବ୍ୟାଙ୍କ ଆକାଉଣ୍ଟ ନମ୍ବରର ଶେଷ ସଂଖ୍ୟାଟି ପରିବର୍ତ୍ତନ ହୋଇଯାଇଥିଲା ପଇସା ପଠାଇବା ସମୟରେ । କିନ୍ତୁ ମୋତେ ଜଣାପଡିଲା ପଇସା ପଠାଇବାର ପ୍ରାୟ ୨-୩ ଘଣ୍ଟା ପରେ ସେ ଲୋକର ଏକାଉଣ୍ଟରେ ପଇସା ନ ପଡିବା କାରଣରୁ, ସେ ଫୋନ କରୁଥାଏ ବାପା ବ୍ୟସ୍ତ ହୋଇ ମତେ ଫୋନ କରୁଥାନ୍ତି । କିନ୍ତୁ ମୁଁ କହୁଥାଏ ପଇସା ମୁଁ ସେ ଆକାଉଣ୍ଟରେ ପକାଇ ଦେଇଛି । କିନ୍ତୁ ଶେଷ ନମ୍ବର ପରିବର୍ତ୍ତନ ହୋଇଯାଇଥିବା ହେତୁ ପଇସା ଅନ୍ୟ କାହା ଏକାଉଣ୍ଟକୁ ପଳାଇ ଯାଇଛି ।
ମୋତେ ଜଣାପଡିଲା ପରେ ମୁଁ ମୋ ନିକଟସ୍ଥ ବ୍ୟାଙ୍କ ଶାଖାକୁ ତତକ୍ଷଣାତ୍ ଗଲି । ସେଠାରେ ମୋତେ ପଠାଯାଇଥିବା ବ୍ୟାଙ୍କର ଶାଖା ସହିତ ଯୋଗାଯୋଗ କରିବାକୁ କହିଲେ । ଏବଂ ସେମାନେ ହୁଏତ ପଠାଯାଇଥିବା ବ୍ୟାଙ୍କର ଆକାଉଣ୍ଟଧାରୀଙ୍କ ସବିଶେଷ ବିବରଣୀ ସହ ମୋବାଇଲ ନମ୍ବର ଦେଇପାରିବେ । ତାଙ୍କର କଥା ଅନୁଯାୟୀ ନିକଟସ୍ଥ ପଠାଯାଇଥିବା ଶାଖାର ବ୍ୟାଙ୍କ ମ୍ୟାନେଜର ସହ ଯୋଗାଯୋଗ କଲି । ସେ ଏଥିରେ କୌଣସି ରୂପେ ହସ୍ତକ୍ଷେପ କରିବାକୁ ମନା କରିଦେଲେ । ତାଙ୍କୁ ବହୁ ଅନୁରୋଧ କଲି ଭୁଲରେ ଯେଉଁ ଆକାଉଣ୍ଟକୁ ପଇସା ଯାଇଛି ସେ ବ୍ୟକ୍ତିଙ୍କର ମୋବାଇଲ ନମ୍ବରଟି ଦେବାକୁ । ସେ କୌଣସି ମତେ ରାଜି ହୋଇନଥିଲେ ବରଂ ମୋତେ ଖରାପ ବ୍ୟବହାର ଦେଖାଇଥିଲେ ।
ସବୁଠାରୁ ନିରାଶ ହେବାପରେ ମଧ୍ୟ ମୁଁ ମୋର ପ୍ରଚେଷ୍ଟା ଜାରି ରଖି ଥାଏ । ଏପଟେ ଥାଏ ବାପାଙ୍କ ଡର, ସେପଟେ ଥାଏ ପଇସା ନପାଇବାର ଡର । ସବୁଠୁ ନିରାଶ ହେବା ପରେ ଏକ ନୂତନ ଆଶା ସଂଚାର ହେଲା, ବ୍ୟାଙ୍କ ସାମ୍ନାରେ ଥିବା ଏକ mini bank(kiosik)ରେ ଥିବା ଷ୍ଟାଫଙ୍କୁ ମୋର ଅସୁବିଧା ସଂପର୍କରେ ଅବଗତ କଲି । ସେ ମୋର ଅସୁବିଧାକୁ ସହୃଦୟତାର ସହ ଗ୍ରହଣ କରି ସେ ବ୍ୟକ୍ତି ଜଣକର ମୋବାଇଲ୍ ନମ୍ବରରଟି ଦେଇଥିଲେ । ତାଙ୍କୁ ଧନ୍ୟବାଦ ଦେଇ ମୁଁ ସେଠାରୁ ଚାଲିଆସିଲି । ପଇସା ପଠାଇଥିବା ସ୍ଥାନଟି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ପଇସା ପାଇବି କି ନାହିଁ ଦ୍ୱନ୍ଦ୍ୱରେ ଥିଲି । ମନରେ ଭାବନା ଥିଲା ସେମାନେ ବୋଧହୁଏ ମୋବାଇଲ ବ୍ୟାଙ୍କିଙ୍ଗର ସୁବିଧା ପାଉନଥିବେ । ସେ ବୃଦ୍ଧ କି ବୃଦ୍ଧା ଯଦି ହୋଇଥିବେ ପାଇବାର ଆଶା କମ୍ । କିନ୍ତୁ ସେହି ନମ୍ବରରେ କଲ୍ କରିବା ପରେ ମୋର ସେ ଆଶଙ୍କା ଦୂରେଇ ଗଲା । ସେହି ବ୍ୟକ୍ତିଙ୍କୁ କଲ୍ କରିବାପରେ ଜାଣିପାରିଲି ସେ ଜଣେ ଯୁବକ । ଭୁଲରେ ତାଙ୍କ ପାଖକୁ ପଇସା ପଳେଇଯାଇଛି ବୋଲି କହିଲି । ସେ ମଧ୍ୟ ତାଙ୍କ ଆକାଉଣ୍ଟକୁ ପଇସା ଯାଇଥିବା କଥା ମଧ୍ୟ ସ୍ୱୀକାର କଲେ । କୌଣସି କାମରେ ବ୍ୟସ୍ତ ହେତୁ ୫ ମିନିଟ୍ ପରେ ପଇସା ପଠେଇଦେବାକୁ କହିଲେ । ୫ ମିନିଟ୍ ପରେ ପଇସା ପଠାଇବା ପରେ ସେ ମୋତେ ଫୋନ କଲେ ପଇସା ଆସିଛି କି ନାହିଁ ଜାଣିବାପାଇଁ । ପଇସା ପାଇଥିବା କଥା ଜଣାଇବା ସହ ଧନ୍ୟବାଦ ଦେଇଥିଲି ସେ ଭାଇଙ୍କୁ । ସ୍ୱଳ୍ପ ସମୟର କଥାବାର୍ତ୍ତା ମଧ୍ୟରେ ସେ କହିଥିଲେ ଜୀବନରେ ଟଙ୍କା ସବୁବେଳେ ଆତ୍ମତୃପ୍ତି ଦେଇପାରେନା । ଜୀବନରେ ଆପଣ କେତେଜଣଙ୍କୁ ସାହଯ୍ୟ କରିଛନ୍ତି, ଜୀବନର ପରିପକ୍ବ ସମୟରେ ଆପଣଙ୍କୁ ଏହା ଆତ୍ମତୃପ୍ତି ଦେବ । ଏଭଳି ପୁନର୍ବାର ଭୁଲ ନକରିବାକୁ ସଚେତନ କରାଇଥିଲେ । ଆଜି ବି ସେ ମୋ ସହ ଯୋଗାଯୋଗରେ ଅଛନ୍ତି।ଏତିକି ଶୁଣିବା ପରେ ମୋର ମନେ ପଡିଗଲା ବ୍ୟାଙ୍କ ମ୍ୟାନେଜର ଙ୍କ କଥା।
ପରିଶେଷରେ କହିବାକୁ ଗଲେ ଭଗବାନଙ୍କ ଆଶୀର୍ବାଦ, ନିଜର ପ୍ରଚେଷ୍ଟା ଏବଂ ସମସ୍ତଙ୍କ ସହଯୋଗ ବିନା ବୋଧହୁଏ ଏ ସଫଳତା ମିଳିନଥାନ୍ତା । କିନ୍ତୁ କହିବାକୁ ଗଲେ କେହି ତ ତୁମ ବାଟ ରୋକିବେ ଏଠି ତେଣୁ ସେମାନଙ୍କୁ ବେଖାତିର କରି ଆଗକୁ ବଢିବାକୁ ହେବ ।
