ମାଆର ଅବୁଝା କାନ୍ଦ
ମାଆର ଅବୁଝା କାନ୍ଦ
ଦୁଇଟା ଝିଅର ମାଆ ଗୁରେଇ. ଅଭାଵୀ ଜୀଵନ. ବଡ଼ଝିଅଟାକୁ ଷୋହଳ ପଶୁ ନପଶୁ ଭଗିଆ ହାତରେ ଛନ୍ଦି ଦେଲା ବେଳେ ପ୍ରତିବାଦ କରିନଥିଲା ରମା କିନ୍ତୁ ମାଆ ଗୁରଇ ମନ ଛଟପଟ କରିଉଠିଲା ବେଳେ ପଦନା ବୁଝାଏ ଆଲୋ ଝିଅଟା ଏଠି ଦୁଇ ଓଳା ଦି ମୁଠା ଭଲକରି ଖାଇବାକୁ ଗଣ୍ଡେ ପାଉନଥିଲା. ସେଠି ଭଗିଆ ଭାରିଜା ମଲାପରେ ତାର ଆଉ କିଏ ଅଛି ଖାଇବାକୁ?ଆମ ରମା ରାଣୀ ହୋଇରହିବ.ତୁ ଏଣିକି ସାନଝିଅ କଥା ବୁଝୁ. ପୁଅ ଖଣ୍ଡେ ଭାଗବାନ ନଦେଲେ ନାଇଁ ପଛେ ବଡ଼ଝିଅ ରମାକୁ ତ କୂଳରେ ଲଗାଇ ଦେଲେ. ଏଣିକି ସାନଝିଅଟିକୁ ମଣିଷ କରି ରମା ପରି ହାତକୁ ଦି ହାତ କରିଦେଲେ ଆମ ଦୁଃଖ ଗଲା. ଟ୍ରଲି ନେଇ ପଦନା ଚାଲିଗଲା ପରେ ଗୁରେଇ କେତେ କଣ ଭାବି ବସେ. ରମାଟା ପାଠ ଦି ଅକ୍ଷର ପଢିବ ବୋଲି କେତେ ଆଶା କରିଥିଲା ଯେ ସେତକ ହେଲାନି. ତାରି ବୟସର ବାବୁଙ୍କ ଝିଅ କେତେ ଅଲିଅଳରେ ବଢୁଛି. ସ୍କୁଟି ଚଢୁଛି. ରଜ ପାଇଁ ବାଛି ବାଛି ଡ୍ରେସ କିଣୁଛି. ଗୁରେଇ ଭାବିଲା ଏସନ ବାବୁଆଣୀଙ୍କୁ କହିବି ଭଲ ଶାଢ଼ୀ ଖଣ୍ଡେ ଦେବେ ଯେ ସାବିତ୍ରୀ ପୂର୍ବରୁ ଯାଇ ରମାକୁ ଦେଇଆସିବ ସେ ନିଜେ.ବାଡ଼ିରେ ପ୍ରଥମ କରି ପଣସ ଫଳିଛି.ପଣସ ଗଛରେ ରାମ, ଲଷ୍ମଣ, ସୀତା ପରି ତିନିଟା ବଡ ବଡ଼ ପଣସ ହୋଇଛି ଗଛରେ. ତାକୁ ଜଗି ଜଗି ସାନ ଝିଅ ଦିନେ ସ୍କୁଲ ଗଲେ ଦୁଇଦିନ ବନ୍ଦ ରହୁଛି. ସ୍କୁଲରେ ଅଣ୍ଡା ମିଳିବା ପାଳି ଦିନ ସାନ ଝିଅ ଏକାଯିଦ କରି ସ୍କୁଲ ଗଲେ ଏଣେ ରୋଷେଇ, ତେଣେ ବବୁଘର ପାଇଟିକୁ ପଣସ ଜଗିରହିବା କି ମୁସ୍କିଲ କାମ,ଗୁରେଇ ଜାଣେ. ବାବୁଆଣୀ ଦେଇଥିବା ଶାଢ଼ୀ ଓ ପଣସ ନେଇ ରମା ଘରେ ପହଁଚିଲା ବେଳକୁ ରମା ଶୋଇଥିଲା. ବହେ ଆଉଁସି ପକେଇଲା ଝିଅଟାକୁ ଗୁରେଇ. କଣ ହୋଇଛି ମାଆ ତୋର?ଉଠ ଦେଖେ ବାଡ଼ି ପାଚିଲା ପଣସ ଆଉ ନୂଆ ଶାଢ଼ୀ ଆଣିଛି. ପୂଜା କରି ଶାଢ଼ୀ ପିନ୍ଧିବୁ ଆଉ ପଣସ ଚକଟି ଚୂଡ଼ା ଖାଇ ବ୍ରତ ରଖିବୁ. ରମା ଉଠୁନଥିଲା. କେତେ କଷ୍ଟରେ ଉଠିଲା ଯେ ଖାଲି ବାନ୍ତି କରୁଥିଲା. ଗୁରେଇ ଆଈ ହେବ. କଥାଟା ଜାଣି ଖୁସି ପରିବର୍ତ୍ତେ ଦୁଃଖରେ ଭାଙ୍ଗି ପଡୁଥିଲା ଗୁରେଇ. ଏଡ଼େ ବକଟେ ପିଲା. ଭରା ପେଟରେ ପିଲା ରଖି କି ସାବିତ୍ରୀ କରିବ!ତଥାପି ରମାର ଖୁସିରେ ଲୁଚେଇ କରି ଆଖିରୁ ଲୁହ ପୋଛି ନେଲା ଗୁରେଇ. ଫେରିଆସିବା ବେଳେ ରମା କହୁଥିଲା ବୋଉ ବାବୁଆଣୀଙ୍କୁ କହିବୁ ଚିରା ଲୁଗା ପଟା ଦିଟା ମୋ ପିଲା ପାଇଁ ଦେବେ. କାହିଁକି କେଜାଣି ଗୁରେଇ ପେଟ ଭିତର କିଏ ମନ୍ଥି ପକାଉଥିଲା ରମାର ସେଇ ଦୁଇପଦ କଥା.
ଟ୍ରଲି ନେଇ ପଦନା ଫେରିଲା ଖୁସି ଖୁସି. କୋତରା ବ୍ୟାଗ ଭିତରୁ କସ୍ତା ଶାଢ଼ୀଟିକୁ କାଢି କହିଲା ଆଲୋ ଚକମକିଆ ଲାଇଟ ଲାଗିଥିବା ଗହଳି ପୂର୍ଣ୍ଣ ଶାଢ଼ୀ ଦୋକାନରେ ସିନା ପଶିପାରିଲିନି ଅସିଆ ମଇଳା ଗଞ୍ଜିଟା ପିନ୍ଧି ହେଲେ ରାସ୍ତା କଡ଼ରୁ ପଞ୍ଜାଵୀ ଲୋକଟା କଲିକତି ଶାଢ଼ୀ ଗଦେଇ ବିକୁଥିଲା ତ ନେଇଆସିଛି ତୋ ପାଇଁ ସାବିତ୍ରୀକୁ. ରମାକୁ କଣ ଏ ଶାଢ଼ୀ ଦେଇହେବ ବରଂ ତୁ ପିନ୍ଧିବୁ ଓଷାରେ. ସାବିତ୍ରୀ ଜିଭ କାମୁଡି ପକେଇଲା କହିଲା ଦେଲ ଦେଲ ଶାଢ଼ୀଟା ରତନୀ କହୁଥିଲା ବେଙ୍ଗାଲୁରରୁ ତା ସ୍ୱାମୀର ପଇସା ଆସିଛି ଯେ କିଏ ଅଛି ଶାଢ଼ୀ କିଣି ଦେବ? ତାକୁ ବିକି ଦେଇ ଆସେ. ସେ ପଇସାରେ ସାନ ଝିଅ ଉମାର କମ୍ପାସ କିଣିବି ଆଉ ତୁମ ପାଇଁ ଗଞ୍ଜି ଓ ଗାମୁଛା. ଆହେ ଅଜା ହେବ ଏଥର. ନଥ କରି ବସିପଡ଼ିଲା ପଦନା. ସେ ଅଜା ହେବ.ତା ଝିଅ ରମା କାଲି ଯିଏ ରଜ ଆସିଲେ ଚପଲ ହଳେ ପାଇଁ ଅଳି କରୁଥିଲା ସେଇ ରମାକୁ ହଳେ ଚପଲ ଦେଇପାରୁନଥିବା ପଦନା କୋଳକୁ ରମା ଆଜି ଉପହାର ଦେବ!ଗୁରେଇ କହୁଥିଲା ବାବୁଘର ମାଆ ନୂଆ ପୁରୁଣା କରି ଶାଢ଼ୀ ଦେଇଛନ୍ତି. ନୂଆ ଶାଢ଼ୀ ରମାକୁ ଦେଇଆସିଛି. ଆଉ ପୁରୁଣାରେ ମୋର ଚଳିଯିବ. କଣ ଭାବୁଥିଲା କେଜାଣି ପଦନା ଗାମୁଛାରେ ଖୋସିଥିବା ରେଜା ପଇସା ଗଣି କହୁଥିଲା ପକେଇଦେ ଆକୁ ସରାଗାତରେ. ନାତି ହେଲେ ଦରକାରରେ ଆସିବ.
ଆରବର୍ଷ କଥା ଏବର୍ଷକୁ ନାହିଁ. ସାବିତ୍ରୀ ଆସିଛି. ରଜ ବି ଆସୁଛି. ଗୁରେଇ ସାନଝିଅ ମାଟ୍ରିକ ଟପ୍ପର ହୋଇଛି.ଉମାର ସଫଳତା ପଛରେ କିଏ ବୋଲି ପଚରା ଯାଇଛି ତ ଉମା କହିଛି ମୋ ବଡଭଉଣୀ ପାଠ ପଢିବାକୁ ମନ କରି ପଢି ପାରିନଥିଲା ବୋଲି ବୋଉ ଲୁଚେଇ ଲୁଚେଇ କାନ୍ଦେ, ସେଇଥିରୁ ମୋ ପ୍ରେରଣା. ମୋ ଅପା ରମା ବୟସର ଝିଅମାନେ ପାଠ ପଢୁଥିଲା ବେଳେ ସେ ଝିଅ ଜନ୍ମ ଦେଇ ହସେ, ସେଇଥିରୁ ମିଳେ ମତେ ପ୍ରେରଣା. ଆଉ ବାପା ନିଜର ଦୁଇଟି ଝିଅ ଥିଲେ ବୋଲି ନାତିଟିଏ ଆଶା କରି ମଧ୍ୟ ନାତୁଣୀ ଜନ୍ମଦିନରେ ସରାଗାତ ଭାଙ୍ଗି ରେଜା ପଇସା ସବୁକୁ ଠୁଳ କରୁଥିବା ଦେଖିଲେ ମତେ ମିଳେ ପ୍ରେରଣା. ଏଇ ଛୋଟିଆ ଘର ଭିତରେ ଥିବା ଅଭାବୀ ସଂସାର ଭିତରେ ଯୋଉ ଖୁସିର ପସରା ଧରି ମଣିଷମାନେ ଅଛନ୍ତି ତାଙ୍କ ଯୋଗୁଁ ମୋର ଏ ସଫଳତା. ତା ଛଡା ମୋ ବୋଉ ସାବିତ୍ରୀରେ ନୂଆ ଲୁଗା ବଦଳରେ ମୋ ପାଇଁ ପ୍ରତିବର୍ଷ ପାଠ୍ୟ ଉପଯୋଗୀ ବହି ବା ସାମଗ୍ରୀ କିଣି ମତେ ଯୋଗେଇଥାଏ ଅଫୁରନ୍ତ ଶକ୍ତି ଓ ପ୍ରେରଣା. ଉମା କଥା ଶୁଣି ଗୁରେଇ ଆଖିରେ ତଥାପି ଲୁହ କିନ୍ତୁ ବାପା ପଦନା ଓଠରେ ଖିଏ ହସ ଲାଗିରହିଥିଲା.।
