KSHIRADRI SAHU

Drama Action

3  

KSHIRADRI SAHU

Drama Action

ଲୋକଲଜ୍ଜ୍ୟା

ଲୋକଲଜ୍ଜ୍ୟା

5 mins
151



ଦୁଇଦିନ ହେଲା ଅତସୀ ତା ରୁମ୍ ରେ ସେମିତି ପଡ଼ି ପଡ଼ି କାନ୍ଦୁଚି। ଖାଇବା ତ ଦୂର କଥା ପାଣି ଟୋପେ ବି ପିଇନି। ସେଦିନ ସଞ୍ଜ ବେଳ କଥା ମନେ ପଡ଼ିଗଲେ ବାନ୍ତି ମାଡି଼ ଆସୁଚି ତାକୁ।


ସେଦିନ ମୁହଁସଞ୍ଜ ବେଳରେ ଟ୍ୟୁସନ୍ ରୁ ଫେରୁଥିଲା ସେ। ତାକୁ ଲାଗିଲା ଯେମିତି ତା ସାଇକଲ୍ ର ପିଛା କରୁଛି କେହି । ବେଶ୍ ଜୋର୍ ରେ ପେଡାଲ୍ ମାରି ମାରି ସେ ସେଇ ଅନ୍ଧାର ଜାଗାଟା ଅତିକ୍ରମ କରିବାକୁ ଚେଷ୍ଟା କଲା। ଏଇ ଖଣ୍ଡକ ଜାଗା ଗଲାବେଳକୁ ତାକୁ ସବୁଦିନ ଡର ମାଡ଼େ। ଏ ସମୟରେ ଏ ଜାଗାଟା ପ୍ରାୟତଃ ନିଛାଟିଆ ଥାଏ। ଗାଁ ବାହାର ଜାଗାଟା। ଏତିକି ଡେଇଁ ଗଲେ ଗୋଟିକିଆ ହଉ ପଛେ ଗାଁ ର ଘର ମାନ ଆରମ୍ଭ ହେଇଯାଏ। ହେଲେ ଆଜି ଠିକ୍ ଏଇ ଜାଗାରେ ହିଁ ଏ ଦଶା ଭୋଗିବାକୁ ଥିଲା!


ଜୋର୍ ଜୋର୍ ରେ ପେଡାଲ୍ ମାରୁ ମାରୁ ଲାଗିଲା ଯେମିତି ଧକ୍କାଟାଏ ଦେଲା କିଏ ପଛଆଡ଼ୁ। ସାଇକେଲ ସହ ଖସି ପଡ଼ିଲା ସେ ତଳେ। ଆଉ ତା ଆଗରେ ଅଟକିଗଲା ଗୋଟେ ମଟର ସାଇକେଲ। ସେଥିରୁ ଓଲ୍ହେଇ ଆସିଲେ ତିନିଜଣ ଅଚିହ୍ନା ଯୁବକ। ସେଇ ପଡ଼ିଥିବା ଅବସ୍ଥାରେ ଟାଣିନେଲେ ତାକୁ ପାଖ ବୁଦା ମୂଳକୁ...


ଚେତା ଫେରିଲା ବେଳକୁ ନିଜକୁ ଆବିଷ୍କାର କଲା ସେ ନିଜ ଘରେ। ମା' ଛଳଛଳ ଆଖିରେ ହାତ ବୁଲୋଉଚି ତା ମୁଣ୍ଡରେ। ତା ଆଖି ଖୋଲିବା ମାତ୍ରେ ମା ଭେଁ କିନା କାନ୍ଦି କାନ୍ଦି ଉଠି ଦୌଡିଗଲା ଅଲଗା ରୁମ୍ କୁ। ଅତସୀ ଅନୁଭବ କରୁଥିଲା ଦେହରେ ଅସମ୍ଭବ ପୀଡ଼ା। ବୁଝିବାକୁ ବାକି ରହିଲାନି ତାର କଣ ଘଟି ଯାଇଥିଲା ତା ସହ ସେ ଅଶୁଭ ସଂଜରେ। କାନ୍ଦିବ କି କଣ କରିବ ବୁଝି ନ ପାରି ପଡ଼ି ରହିଲା ସେମିତି ମୃତବତ୍। ଏମିତିରେ ଦେହର ସମସ୍ତ ଗୋପନୀୟ ଅଙ୍ଗରେ ପୀଡ଼ା ଅସହ୍ଯ। ମେଡିକାଲ୍ ଯିବା ଜରୁରୀ ବୋଲି ବୁଝି ପାରୁଥିଲା ସେ। ହେଲେ ଗୁଡ଼ାଏ ସମୟ ସେମିତି ପଡ଼ି ରହିବା ପରେ ଯେତେବେଳେ ମା ପୁଣିଥରେ ଫେରିଲେ ତା ପାଖକୁ, ତା ଭଲ ମନ୍ଦ ପଚାରିବା ଜାଗାରେ ଓଲଟା କହି ବସିଲେ: ତୋ ଫେରିବା ଡେରି ହେଲାରୁ ବାପା ଖୋଜିବାକୁ ଯାଇ ଏମିତି ଅବସ୍ଥାରେ ନେଇ ଆସିଛନ୍ତି ତତେ। ବାହାର ଲୋକ କେହି ଏ ବିଷୟରେ ଜାଣି ନାହାଁନ୍ତି। ଏ କଥା ଆମ ଘର ଲୋକଙ୍କ ଛଡ଼ା ଆଉ ବାହାର ଲୋକ କେହି ଯେମିତି ନ ଜାଣନ୍ତି ଝିଅ। 


ଆକାଶରୁ ଖସି ପଡ଼ିଲା ଯେମିତି ଅତସୀ!

ତା ସହ ଏତେ ବଡ଼ କାଣ୍ଡ ଘଟିଗଲା। ଅଥଚ ମା ତାକୁ ହସ୍ପିଟାଲ୍ କି ପୋଲିସ ଷ୍ଟେସନ୍ କୁ ନ ନେଇ ଘରେ ଚୁପ୍ ଚାପ୍ ଲୁଚି ରହିବାକୁ କହୁଛନ୍ତି! କଣ ନା ଲୋକଲଜ୍ଜା ବେଶୀ କଷ୍ଟ ଦବ। ମୁହଁ ଟେକି ରାସ୍ତାରେ ଚାଲି ପାରିବନି ସେ। ତାକୁ ଆଉ କିଏ ବାହା ହବାକୁ ରାଜି ହେବେନି।


ହେଲେ ଅତସୀ ବୁଝି ପାରୁ ନଥିଲା ତାର ଅପରାଧ କଣ! ତାକୁ ଅନ୍ୟ କାହାର ଭୁଲ୍ ପାଇଁ ଦଣ୍ଡ ଦିଆଯିବ କାହିଁକି! ପାଖ ଗାଁ କୁ ଟ୍ୟୁସନ ପାଇଁ ଯିବା କଣ ତା ଅପରାଧ! ନା ଝିଅ ହବା ଅପରାଧ!

ଆଉ ରହିଲା କଥା ବାହା ହେବେନି କେହି ତାକୁ। ଆଜି କାଲି କୋଉ ପୁଅ କି ଝିଅ ବାହାଘର ଆଗରୁ ସମ୍ପର୍କ ରଖୁ ନାହାଁନ୍ତି!

କଲେଜ୍ ରେ ପାଦ ଦଉ ଦଉ ତା'ର ପ୍ରାୟ ସବୁ ସାଙ୍ଗଙ୍କ ବୟ ଫ୍ରେଣ୍ଡ୍ ଗାର୍ଲ ଫ୍ରେଣ୍ଡ୍ ଅଛନ୍ତି। ଭାଲେଣ୍ଟାଇନ୍ ଡେ ତ ଛାଡ଼ ବର୍ଷ ତମାମ୍ ପୁରୀ କି କୋଣାର୍କ ଯାଇ ଏକାଠି ରାତି ବିତେଇ ଆସନ୍ତି ଘର ଲୋକଙ୍କ ଅଜାଣତରେ। ଓୟୋ ରୁମ୍ ତ ଆହୁରି ସୁବିଧା କରି ଦେଇଚି ଏ ଅବିବାହିତ ମାନଙ୍କୁ ଏକାଠି କରିବାକୁ!

ଆଉ ଆଜି ତା ଇଚ୍ଛା ବିରୁଦ୍ଧରେ କିଏ ତା ସହ ପାଶବିକ ଅତ୍ଯାଚାର କଲା ତ ସେ ହେଇଗଲା ଅପବିତ୍ର!! ତାକୁ କିଏ ବାହା ହେବେନି!!


ଏମିତି କିଛି ମନେ ମନେ ଭାବି ପାଟି ଖୋଲିବାକୁ ଯାଉଥିଲା ଅତସୀ। ମା ତା ମୁହଁରେ ହାତ ଦେଇଦେଲେ। ତା ସହ ରାଣ ନିୟମ ଦେଇ ତା ପାଟି ଚୁପ୍ କରେଇ ନେଲେ। ଭିତରେ ଭିତରେ କୁହୁଳୁଥିଲା ସେ। କିନ୍ତୁ ମା ମୁହଁକୁ ଚାହିଁ ଚୁପ୍ ଚାପ୍ ରହିବାକୁ ବାଧ୍ୟ ହେଉଥାଏ। ଘରେ ପଡି଼ଥାଏ ସେମିତି।


ସେତିକିରେ ସରି ନଥିଲା ତା ଦୁର୍ଦ୍ଦଶା।


ପଡ଼ିଶା ଘରେ ରହୁଥିବା ତା ସାଙ୍ଗ ନତାଶା ତା ଘରକୁ ନ ଆସିବା ଦେଖି ଆଶ୍ଚର୍ଯ୍ୟ ହଉଥିଲା ସେ। ଏମିତିରେ ତ ଦିନରେ ଦୁଇ ଚାରିଥର ଆସେ ସେ। ହେଲେ ସେ ଅଭିଶପ୍ତ ଦିନ ପରଠୁ ହିଁ ନତାଶା ଆସିନି। ଫୋନ୍ ଲଗେଇଛି ସେ ଥରେ ଦୁଇଥର। ହେଲେ ମାଉସୀ ଫୋନ୍ ଉଠେଇ ଝିଅ ଦେହ ଭଲ ନାହିଁ କହି ହଠାତ୍ ରଖି ଦେଇଛନ୍ତି ଫୋନ୍ କୁ। ମାଉସୀ ବି ତ ଆସୁ ନାହାଁନ୍ତି କାହିଁ ସେଦିନୁ ତା ମା ସହ ଦୁଃଖସୁଖ ହବାକୁ !


ଅଡ଼ୁଆ ତଡ଼ୁଆ ହେଇ ଯାଉଚି ତା ମନ ଭିତରେ କିଛି। ମା କଥା ମାନି ସେଦିନୁ ସେ ଘରେ। କଲେଜ୍, ଟ୍ୟୁସନ ସବୁ ବନ୍ଦ। ହେଲେ ତାର କିଏ ଜଣେ ବି ସାଙ୍ଗ ତାକୁ ଫୋନ୍ ଟିକେ ସୁଦ୍ଧା କରୁ ନାହାଁନ୍ତି ଯେ! ନତାଶାକୁ ୱାଟ୍ସ ଆପ୍ କଲା ସେ। ବ୍ଲୁ ଟିକ୍ ପରେ ବି ନତାଶା ଠୁ କିଛି ଉତ୍ତର ଆସୁ ନଥାଏ। ସନ୍ଦେହ ବଢ଼ିଗଲା ତାର କାହିଁ କେତେ ଗୁଣ। କଣ ହେଇଚି ସମସ୍ତଙ୍କର! ଦୁନିଆଁଟା କାହିଁକି ଦୂରେଇ ଯାଉଛି ତା' ଠୁ?


ଏକା ଏକା ରୁମ୍ ରେ ଥିଲାବେଳେ ଅତସୀ ମିରର୍ ରେ ତା ମୁହଁ ଦେଖେ। ଆଦୌ ଦୋଷୀ ଭଳି ଲାଗୁନି ତ ତା ନୀରିହ, ସୁନ୍ଦର ମୁହଁଟା। ଖାଲି ଗାଲରେ କେତେଟା ରାମ୍ପୁଡ଼ା, କାମୁଡ଼ା ଦାଗ ଯୋଡ଼ି ହେଇ ଯାଇଚି ଯାହା । ହେଲେ ଅନ୍ୟ କୋଉ ଆକ୍ସିଡେଣ୍ଟ ହେଲେ ବି ତ ଦେହରେ ଦାଗ ହେଇଯାଏ। ଏଇ ଦାଗ ଏତେ ଗହୀର କିଆଁ! କାହିଁକି ଏଇ ଦାଗ ଲାଗି ତା ବାହାଘର ହେଇ ପାରିବନି ବୋଲି ମା ଡରୁଚି!


ଦେହର ଦାଗ ସବୁ ସିନା ଭରି ଆସୁଥାଏ। ମନ କିନ୍ତୁ ଜଳି ପୋଡ଼ି ଯାଉଥାଏ। କି ଦୋଷରୁ ତାକୁ ନିର୍ବାସିତାର ଜୀବନ ଜିଇଁବାକୁ ପଡୁଚି!


ତା ପରେ ବି ଥରେ ନତାଶାକୁ ଫୋନ୍ କରିଥିଲା ସେ। ମାଉସୀ ଏଥର ଫୋନ୍ ଉଠେଇ ତାକୁ ଆଉ କେବେ ବି ଫୋନ୍ ନ କରିବାକୁ ଖୁବ୍ ରୁକ୍ଷ ସ୍ଵରରେ କହି ଫୋନ୍ କାଟିଦେଲେ। ତାଙ୍କ ଏମିତି ବ୍ୟବହାରର କାରଣ ବୁଝି ପାରିଲାନି ଅତସୀ। ନିଜ ଅପରାଧ କଣ ବୋଲି ଭାବି ଚାଲିଥିଲା।


ଭାବନାର ବୁଢିଆଣୀ ଜାଲରେ ଏମିତି ଛନ୍ଦି ହେଇ ଚାଲି ଥିଲା ବେଳେ ହଠାତ୍ ଦିନେ ତା ଫୋନ୍ କୁ ଗୋଟେ ୱାଟ୍ସଆପ୍ ମେସେଜ୍ ଆସିଗଲା। ତା ଟ୍ୟୁସନ୍ ର ପୁଅଟେ ପଠେଇଥିଲା ତାକୁ। ଭିଡ଼ିଓ ଥିଲା ସେଇଟା। ପ୍ଲେ ହେଲାପରେ ଯାହା ଦେଖିଲା ଆକାଶଟା ତା ମୁଣ୍ଡ ଉପରେ ଛିଣ୍ଡି ପଡ଼ିଲା ଭଳି ଲାଗିଲା। ସେ ପାଷାଣ୍ଡ ମାନେ ତା ଅଚେତ୍ ଦେହକୁ ଗଣ ବଳାତ୍କାର କଲାବେଳେ ଭିଡ଼ିଓ ବି କରି ନେଇଥିଲେ। ଆଉ ସେ ଭିଡ଼ିଓ ଆଜି ତା ପାଖରେ!


ଏବେ ବୁଝି ପାରୁଥିଲା ସେ ସମସ୍ତେ କାହିଁକି ହଠାତ୍ ତା ଠୁ ଦୂରେଇ ଯାଇଛନ୍ତି। ସିଏ ସିନା ଲୋକ ଲଜ୍ଜା ଭୟରେ ଘର କଣରେ ଲୁଚିଛି। ସେପଟେ ତା ଇଜ୍ଜତ୍ ନିଲାମ୍ ହେଇ ଚାଲିଚି ବଜାରରେ କିଛି ଟଙ୍କା ବିନିମୟରେ। ମନକୁ ଦୃଢ଼ କଲା ସେ। ସ୍ଥିର କରିନେଲା କଣ କରିବ।


ଡ୍ରେସ୍ ବଦଳି ରୁମ୍ ଖୋଲି ସିଧା ବାହାରକୁ ପାଦ କାଢିଲା ଅତସୀ। ମା ପଛରୁ ଡାକିଲେ ବି କିଛି ଶୁଣିଲାନି ସେ। ଏଯାଏଁ ତା ରୁମ୍ କୁ ଆସୁ ନଥିବା ବାପା ସାର୍ଟ ଗଳେଇ ତା ପଛେ ପଛେ ଦୌଡ଼ିଲେ। ଦାଣ୍ଡ ଗେଟ୍ ବାହାରକୁ ବାହାରିଲା ବେଳକୁ ନତାଶା ଆଉ ତା ମା ତାଙ୍କ ଘର ଗେଟ୍ ଖୋଲି ଭିତରକୁ ପଶୁଥିଲେ। ଅତସୀକୁ ଦେଖି ଭୂତ ଦେଖିଲା ଭଳି ଚମକି ଉଠି ଝିଅ ହାତ ଧରି ଟାଣି ନେଇ ଧାଇଁବା ରକମ ପଶିଗଲେ ଘର ଭିତରକୁ।

ସେ ଆଡ଼େ ଭୃକ୍ଷେପ ନକରି ଅତସୀ ସିଧା ସିଧା ଚାଲିଲା ପୋଲିସ୍ ଷ୍ଟେସନ୍ କୁ। ମୋବାଇଲ୍ ରୁ ସେ ଭିଡିଓ ଦେଖେଇ ଏଫ୍ ଆଇ ଆର୍ ଦେଲା। ସବୁ ପ୍ରଶ୍ନର ଉତ୍ତର ସ୍ପଷ୍ଟ ଆଉ ନିର୍ଭୀକ ସ୍ୱରରେ ଦଉଥିଲା। ପଛରେ ମୁକ ପ୍ରାୟ ଠିଆ ହେଇଥିଲେ ବାପା। ପୋଲିସ୍ ଷ୍ଟେସନ୍ ସାରା ସ୍ତବ୍ଧ ଚକିତ ହେଇ ଦେଖୁଥିଲେ ତାକୁ ଆଉ ମନେ ମନେ ତାରିଫ୍ କରୁଥିଲେ ଗୋଟେ ଝିଅର ସାହସକୁ।


ପରଦିନ ଠାରୁ କଲେଜ୍, ଟ୍ୟୁସନ୍ ଯିବା ଆରମ୍ଭ କରି ଦେଇଥିଲା ସେ। ସମସ୍ତଙ୍କ ଆଖିରେ ଆଖି ମିଶେଇ କଥାବାର୍ତ୍ତା କରୁଥିଲା। ପ୍ରେସ୍ ଠୁ ଆରମ୍ଭ କରି ପୋଲିସ୍, ଲୋକଙ୍କ ଠୁ ଆରମ୍ଭ କରି ସାଙ୍ଗସାଥି, ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦଉଥିଲା ଦୃଢ଼ ଭାବରେ। କିଛିଦିନ ଯାଏଁ ତା ଠୁ କରଛଡ଼ା ଦଉଥିବା ସାଙ୍ଗମାନେ ବି ଧୀରେ ଧୀରେ ମିଶିବା ଆରମ୍ଭ କଲେ ତା ସହ କେବଳ ନତାଶାକୁ ଛାଡ଼ି।


କିଛିଦିନ ପରେ ସକାଳୁ ସକାଳୁ ଘର ସାମ୍ନାରୁ ନ୍ୟୁଜ୍ ପେପର୍ ଗୋଟୋଉ ଗୋଟୋଉ ତା ଆଖି ପଡ଼ିଲା ଦୁଇଟି ଖବର ଉପରେ। ପ୍ରଥମ: ତାକୁ ଗଣ ବଳାତ୍କାର କରିଥିବା ତିନିଜଣ ଅପରାଧିଙ୍କୁ ପୋଲିସ୍ ଗିରଫ କରିଛି।


ଦ୍ଵିତୀୟ: ସହରର ଗୋଟେ ଲଜ୍ ରେ ଅନୈତିକ କାର୍ଯ୍ୟ କଳାପରେ ଲିପ୍ତ ଥିବା ଦୁଇଜଣ ଯୁବକ ଯୁବତୀ ଧରା ପଡ଼ିଛନ୍ତି ପୋଲିସ୍ ହାତରେ। ଝିଅଟିର ମୁହଁ ବ୍ଲର୍ ହେଇଥିଲେ ବି ତା ହାତର ଟାଟୁ ଦେଖି ଚିହ୍ନି ପାରୁଥିଲା ଅତସୀ। ସେ ଝିଅ ଥିଲା ନତାଶା। ଅତସୀ ଭାବୁଥିଲା ନତାଶା ଘରକୁ ଯାଇ ତା ମା ଙ୍କୁ ଏ ଅବେଳରେ ଟିକେ ଆଶ୍ୱାସନା ଦେଇ ଆସିବ... 



      


Rate this content
Log in

Similar oriya story from Drama