ଲାଷ୍ଟ ବସ୍
ଲାଷ୍ଟ ବସ୍
ଲାଷ୍ଟ୍ ବସ୍
********
ଖରା ଦିନ ଆସୁ ଆସୁ ଏଇ କାଳବୈଶାଖୀ ର ଆସିବା ଟା ତ ଥୟ.....।
କାଳ ବୈଶାଖୀ ଆସିବାର ନା ନିର୍ଦ୍ଦିଷ୍ଟ ସମୟ ଥାଏ ନା ଠିକଣା , କେବଳ ଥାଏ ସମ୍ଭାବନା ...।
କିନ୍ତୁ ତା ପ୍ରଭାବ ଟା ରାଜଧାନୀ ର ଛାତି ଉପରେ ଏମିତି ତାଣ୍ଡବ କରିବ ବୋଲି ବୋଧ ହୁଏ କାହାରି ଧାରଣା ନଥିଲା ....।
ପବନ ର ଆଘାତ ରେ ଗଛ ସବୁ ଅଣ୍ଟା ଭାଙ୍ଗି ନିଜର ଅସ୍ତିତ୍ବ ଅଧା ହଜେଇଲା ପରି ଛିଡ଼ା ହୋଇଥାଏ ...।
ସେଇ ଅବସ୍ଥା ରେ ସମସ୍ତଙ୍କ ମନ ମଧ୍ୟରେ ଭୟ, ଘରକୁ ଯିବେ କେମିତି ...?
Esplanade mall ର ଟିକିଏ ଆଗରେ ସେ ରାସ୍ତା କଡ଼ରେ ପାଣି ଜମା ହୋଇ ରହିଛି , କ୍ୟାବ୍ ବୁକ୍ କରିଲେ ବି ଗାଡ଼ି ଯାଇ ପଞ୍ଜାବ ନେସନାଲ୍ ବ୍ୟାଙ୍କ୍ ଆଗରେ ଛିଡା ହେଉଛି , ପୁଣି ତାର ଭୟ କି ଏତେ ପବନ ରେ ଗାଡ଼ି ଚଲେଇ ନେଇ ପାରିବ କି ନାହିଁ ...।
ବୁକିଂ କରିବା ଆଗରୁ ଏକ୍ସଟ୍ରା ୨୦/୩୦ ଟଙ୍କା ଦାବୀ କରୁଛନ୍ତି , ନହେଲେ ଗାଡ଼ି ଆଗକୁ ବଢ଼େଇବେ ନାହିଁ କହୁଛନ୍ତି....।
ବିନା କାରଣ ରୁ ରାଇଡ୍ କାନ୍ସଲ କରି ପାଖରୁ ଲୋକ ଙ୍କୁ ଚଢା ଦରରେ ନେଇ କରି ଯାଉଛନ୍ତି ....।
ଉପାୟ ବିହୀନ ହୋଇ ପୁଣି ୨୦/୩୦ ଟଙ୍କା ଅଧିକ ଦେବାକୁ ରାଜି ହେଲୁ ....।
ପବନ ହେବା ସମୟ ରେ ମଲ୍ ର food court ରେ ବସି ଆରାମ ରେ ଆମେ ଖାଉଥିଲୁ , ଏତେ ଯେ ଅଧିକ ହୋଇଥିବ ବୋଲି କାହାର ବା ଧାରଣା ନ ଥିଲା ....।
ଓଭର୍ ବ୍ରିଜ ଉପରେ ଗାଡ଼ି ର ଲମ୍ବା ଲାଇନ୍ , କିଏ କହୁଛି accident ହୋଇଛି ବୋଧେ , ଅନ୍ୟ କିଏ ଆଉ କିଛି ଅନୁମାନ ଲଗେଇ ଚାଲି ଗଲେ ....।
ଆମେ ବି ଗାଡ଼ି ରେ ବସି ଚାଲିଲୁ ...। ଏତେ ଭିଡ଼ ପାଇଁ ଆମେ ଟିକିଏ ରାସ୍ତା ବଦଳେଇ ଚାଲିଲୁ ...।
ରାସ୍ତା ସାରା ଗଛ ଗୁଡ଼ିକ ର ଅଧା ଖଣ୍ଡିଆ ରୂପ ଦେଖି ମନ ଟା ଦୁଃଖ ହେଉଥିଲା , ଖାଲି ଟାରେ ତ ଗଛ ର ଅଭାବ ତା ସହ ପୁଣି ଏଇ ଅବସ୍ଥା ....।
ହେଲେ କିଛି ଦୃଶ୍ୟ ଦେଖି ମନରେ ଅନ୍ୟ କିଛି ଭାବନା ବି ଆସୁଥାଏ ...।
ଜୀବ ଟିଏ ମରିଗଲେ ଯେମିତି ଶାଗୁଣା , ବିଲୁଆ ଲାଗି ଯାଆନ୍ତି ତା ପାଖରେ , ସେମିତି ଗଛ ଟି ନଇଁ ପଡ଼ିଛି କି ନାହିଁ , ଲୋକେ କଟୁରୀ ଧରି ତାର ଡାଳ କୁ ବୋହି ନେବାକୁ ପ୍ରସ୍ତୁତ ....।
ଏତେ ସବୁ ଭିତରେ ଘରକୁ ଫେରିବାର ଡାଇରେକ୍ଟ ଲାଷ୍ଟ୍ ବସ୍ ଟି ହାତ ଛଡା ହୋଇ ସାରିଥିଲା ....।
ପୁଣି ଭାବିଲୁ ରବିବାର ହିଁ ଫେରିବୁ , ରବିବାର ରେ 2/1 ବସ୍ ରେ ବସି ବାଲେଶ୍ଵର ଅଭିମୁଖେ ଚାଲିଲୁ , ମନରେ ପୁଣି ଭୟ ବାଲେଶ୍ଵର ରୁ ପୁଣି ଆମ ଘରକୁ ଲାଷ୍ଟ ବସ୍ ଟା ଚାଲି ନ ଯାଉ...।
ଭଦ୍ରକ ର ନିକଟ ହୋଇଛି କି ନାହିଁ , ପୁଣି ମାଡ଼ି ଆସିଲା ଅନ୍ଧାର , ପବନ , ଆଉ ବର୍ଷା ...।
ଓଃ , ସେ ଅବସ୍ଥା ରେ ବସ୍ ଚଲେଇବାକୁ ଡ଼୍ରାଇଭର ଭାଇ ବି ଡରିଗଲେ ...।
ଏତେ ଜୋର ପବନ ରେ ବସ୍ ଦୋହଲି ବାକୁ ଲାଗୁଥାଏ ...।
ଝିଅ କୁ ମୋର ଜ୍ଵର ...।
ସ୍ଲିପର ରେ ତାକୁ ଶୋଏଇ ଆମେ ବୁଢ଼ା ବୁଢ଼ୀ ସିଟ୍ କୁ ଡେରି ଦୁଃଖ ସୁଖ ହେଉଥାଉ ....।
ଯେମିତି ବି ହେଉ ୬.୫୦ ରେ ବସ୍ ଆସି ପହଁଚିଗଲା ବାଲେଶ୍ଵର ବସ୍ stop ରେ.....।
ସାମ୍ନା ରେ ଛିଡ଼ା ହୋଇଛି ଆମ ପାଇଁ ଭଗବାନ ଙ୍କ ଦୂତ ସାଜିଥିବା ଆମ ଲାଷ୍ଟ ବସ୍....।
ତୁହା କୁ ତୁହା ବର୍ଷା , ପବନ ମାଡ଼ ରେ ରାସ୍ତା ଧୂଳି ଆସି ମୁହଁ ରେ AK 47 ପରି ପିଟି ହେଉଥାଏ ....।
ଯିଏ ଯୁଆଡେ ଦୌଡ଼ି ବାକୁ ଲାଗି ଥାଆନ୍ତି ....।
ଅଣ୍ଟା ରେ ଲୁଗା ଖେଞ୍ଚି ସ୍ତ୍ରୀ ଲୋକ ଟି ଭାରି ପାଟି କରୁଥାଏ ...।
ଦେହ ତା ' ର ଅଧା ତିନ୍ତି ଥାଏ ...।
ମୁହଁ ଉପରେ କେଶ ର ଧାର ଗୁଡ଼ିକ ବିଛିଡ଼ି ହୋଇ ପଡ଼ିଥାଏ , ନାକ ରେ ଗୋଟିଏ ବଡ ନାକ ଫୁଲ ଟିଏ , ଯାହାକି ବିଜୁଳି ମାରିବା କ୍ଷଣି ଟିକିଏ ଚମକି ଯାଉଛି ତ ପୁଣି ଅନ୍ଧାର ରେ ହଜି ଯାଉଛି ....।
ଟିକିଏ ପରେ ଜାଣିଲି କି ସ୍ତ୍ରୀ ଲୋକ ଟି ଦେୟ ଯୁକ୍ତ ଶୌଚାଳୟ ର ମହିଳା ବିଭାଗ ଟି ସଫା କରେ , ଏଇ ଟିକିଏ ଆଗରୁ ସଫା କରି ଯାଇଥିଲା ଯେ , କିନ୍ତୁ କେହି ଜଣେ ଭଦ୍ର ମହିଳା ପୁଣି ଠିକ୍ ଭାବରେ କାମ ନ କରି ପରିଶ୍ରାଗାର ରେ ମଳତ୍ୟାଗ କରି ପୁଣି ଅପରିଷ୍କାର କରି ଦେଇଛନ୍ତି ....।
ସତେ କି ଲୋକେ ଏତେ ଅପରିଷ୍କାର ହୋଇଥାନ୍ତି ..?
ସ୍ତ୍ରୀ ଲୋକ ଟିର ରାଗ ଏକ ଦମ୍ ଠିକ୍ ଥିଲା ....।
ସେଇ ସମୟ ରେ ଆମ ବସ୍ ପାଖରେ ପ୍ରବଳ ଭିଡ଼ ....।
ମରୁଡି ପଡ଼ିଲେ ଖାଦ୍ୟ ଆଣିବାକୁ ଯେମିତି ଭିଡ଼ ଥାଏ , ଚିନି ମୁଠାଏ ପକେଇଲେ ପିମ୍ପୁଡ଼ି ର ଯେମିତି ଭିଡ଼ ଥାଏ ଠିକ୍ ସେମିତି ....।
କଣ କରିବି ..? ମୁଁ ବି ମୋ ପତି ଦେବ ଙ୍କ ସହ ସେଇ ଭିଡ଼ ରେ ଥିଲି ....।
ସେତେବେଳେ ମୋ ମା ମନଟି ଭାରି ସ୍ୱାର୍ଥପର ହୋଇ ଉଠିଥିଲା ...।
କିଏ ସିଟ୍ ପାଉ ନ ପାଉ ଆମକୁ ଟିକିଏ ମିଳିଯାଉ.....।
ଯାହା ହେଉ କଣ୍ଡକ୍ଟର ଟି ଦେଖି ଚିହ୍ନି ପାରିଲେ ଆଉ ତିନି ଜଣିଆ ସିଟ୍ ଟି ଦେଇଦେଲେ ....। ତାରି ଭିତରେ କଣ୍ଡକ୍ଟର ଭାଇନା ମୋତେ କହୁଥାନ୍ତି କି madan କାଲି ଏମିତି ଅନ୍ଧାର ସୁଗୋଗ ଦେଖି ୧୦୦ ଟଙ୍କିଆ ନୋଟ୍ ଦେଇ ୫୦୦ ଟଙ୍କା କହି ମୋ ଠୁ ପଇସା ନେଇ ଯାଇଛି ...। ସତରେ ଏମିତି ବି ଲୋକ ଥାଆନ୍ତି ....।
ଝିଅ ଟି ମୋର ଜାତୀୟ ସ୍ତର ରେ ତୃତୀୟ ନମ୍ୱର ରେ ବିଜେତା ର ଟ୍ରଫି ପାଇଁ ଯେତିକି ଖୁସି ଆମେ , ସେତିକି ତା ଦେହ ର ଜ୍ଵର ପାଇଁ ଚିନ୍ତିତ ଥିଲୁ ....।
ଭଗବାନ ଙ୍କ ଦୟାରୁ ଦେହ ର ତାତି ଟିକିଏ କମି ଆସିଥିଲା ....।
ସିଟ୍ ରେ ସିନା ବସି ଗଲି , ବସିଲା ପରେ ଲୋକ ଙ୍କୁ ଦେଖୁଥାଏ , ଗାଡ଼ି ରେ ଉଠିବା ପାଇଁ କି ମାଡ଼ ଗୋଳ....।
କାହିଁକି ନ କରିବେ ଯେ ..?
ଲାଷ୍ଟ ବସ୍ ପରା ...।
କାହା ହାତରେ ଆମ୍ବ , କିଏ ଧରିଛି ଲିଚୁ ...।
କିଏ ପକେଟ୍ ରେ ସନ ଗ୍ଲାସ କୁ ପୁରେଇ ଟ୍ରଲୀ ଧରି ଯେଉଁ ଷ୍ଟାଇଲ ରେ ଉଠିଥିଲା ବସ୍ କୁ ସେ ଷ୍ଟାଇଲ ବି ଆଉ ନାହିଁ ...।
କିଏ ମା ତା କୁନି ପିଲା କୁ କାଖେଇ ଛିଡ଼ା ହୋଇଥାଏ ...।
ମୁଁ ଜାଣିଥିଲି ମୋ ପତି ଦେବ ତାଙ୍କର ଜନ ସେବା ଗୁଣ ପାଇଁ କାହାକୁ ହେଲେ ତାଙ୍କ ସିଟ୍ ଟି ଦେଇଦେବେ , କିନ୍ତୁ ଝିଅ ମୋର ତା ପାପା ଙ୍କୁ ଆଉଜି ବସି ଥାଏ ...।
ଦୁନିଆ ପାଇଁ ଦୟା ଗୋଟେ ପଟରେ , ଆଉ ଝିଅ ପାଇଁ ବାପା ମନର ସ୍ନେହ ଆଉ ଗୋଟେ ପଟରେ ....।
ବାପ ଝିଅ କଥା ହେଉଥାନ୍ତି ....।
ବସ୍ ଆଗେଇ ଚାଲିଥାଏ ...।
ଛିଡ଼ା ହୋଇଥିବା ଲୋକ ଙ୍କ ଭିତରେ ଧସ୍ତା ଧସ୍ତି ଚାଲିଥାଏ ...। ତାରି ଭିତରେ କଣ୍ଡକ୍ଟର ଭିଡ଼ରେ ପଶି ସମସ୍ତଙ୍କ ଠୁ ପଇସା ନେଉଥାନ୍ତି ...।
ମୁଁ ଯେତେବେଳେ ବି ଛିଡ଼ା ହୋଇଥିବା ଲୋକ ଙ୍କୁ ଚାହୁଁ ଥାଏ , ମନେ ହେଉଥାଏ ସେମାନେ ମୋତେ ରାଗୁଛନ୍ତି....।
ପ୍ରକୃତ ରେ ଏଇଟା ମୋର ଭାବନା ....।
ଯେବେ ବି କୌଣସି କାରଣ ରୁ ମୁଁ ବସ୍ ରେ ସିଟ୍ ପାଇ ନ ଥାଏ ..., ସେତେବେଳେ ସିଟ୍ ରେ ବସିଥିବା ଲୋକ ଙ୍କ ଉପରେ ମୋତେ ଭାରି ରାଗ ଲାଗେ ....।
ଖାଲି ଭାବୁଥାଏ କିଏ ହେଲେ ଆଗ ଷ୍ଟପେଜ୍ ରେ ସିଟ୍ ଛାଡ଼ିଲେ ମୁଁ ବସି ଯିବି , କିନ୍ତୁ କେବେ ଆଗୁଆ ଦୌଡ଼ି ଯାଇ ବସି ପଡେ ନାହିଁ ....।
ସେମିତି ମୋ ପାଖ ସିଟ୍ ଲୋକ ଖାଲି ପଚାରି ହେଉଥାନ୍ତି କି ଆମେ କେଉଁଠି ଉଲ୍ହେଇବା ...।
ଆଉ ଯେତେବେଳେ ଜାଣିଥାନ୍ତି କି ଆମ ଷ୍ଟୋପେଜ ଟା ଶେଷ ର ନିକଟ , ପୁରା ଚୁପ୍ ହୋଇଯାଆନ୍ତି ....।
ବାପ ଝିଅ ମୋବାଇଲ ରେ ଲୁଡ଼ ଖେଳି ଖେଳି ଚାଲିଥାନ୍ତି ....।
ମୁଁ କିନ୍ତୁ ମୋବାଇଲ କୁ ବ୍ୟାଗ୍ ରେ ପୁରେଇ ଝରକା ପଟକୁ ମୁହଁ କରି ବସିଗଲି ....।
ଏଇ ଯେଉଁ ହାଲ୍କା ବର୍ଷା ଛିଟା ରେ ମୁହଁ ମୋର ତିନ୍ତୁ ଥାଏ , ଆଉ ଶୀତଳ ପବନ ଟା ପଶି ଆସୁଥାଏ , ତା ସହ ପବନ ର ମୃଦୁ ସ୍ୱର କାନ ରେ ବାଜୁ ଥାଏ , ତା ସହ ବାହାରେ ଅନ୍ଧାର ..., ଏଇ ଏମିତି ବାତାବରଣ କାହିଁକି କେଜାଣି ଭାରି ଭଲ ଲାଗେ ମୋତେ ....।
ସେତେବେଳେ ମୁଁ କାହା ସହ କଥା ହେବାକୁ ଆଦୌ ଭଲ ପାଏନି , କିମ୍ବା ମୋବାଇଲ୍ ସ୍କ୍ରିନ ଉପରକୁ ନଜର ନେବାକୁ ଆଦୌ ଚାହେଁ ନାହିଁ ....।
ଗୋଟିଏ କାନ ରେ ବାହାର ପବନ ର ସ୍ୱର , ଆଉ ଗୋଟିଏ କାନ ରେ ଲୋକ ଙ୍କ ପାଇଁ ଏଇ ଲାଷ୍ଟ ବସ୍ ଧରି ପରିବାର ଖୁସି ର ସ୍ୱର ଯେମିତି ମୋ ଦୁଇ କାନ ରେ ଦୁଇଟି ଭିନ୍ନ କାନ ଫୁଲ ଝୁଲେଇଲା ପରି ମନେ ହେଉଥାଏ ....।
ରାତି ୯.୩୦ ବାଜି ଗଲାଣି , ଜଣା ବି ପଡୁ ନଥାଏ , ୟା ଭିତରେ ଆମ ଘର ଆସିଗଲା ....।
ଲାଷ୍ଟ ବସ୍ ର ଲାଷ୍ଟ୍ ପାହାଚ ରୁ ପାଦ କୁ ଉଲ୍ହେଇ ଲାଷ୍ଟ ଷ୍ଟପେଜ୍ ରେ ପହଞ୍ଚି ମନ ଭିତରେ ଅନେକ ଅନୁଭୂତି କୁ ସାଉଣ୍ଟି , ଘର ର ପ୍ରଥମ ପାହାଚ ରେ ପାଦ ଦେଉ ଦେଉ ପୁଣି ଆଉ କର୍ମ ମୟ ଜୀବନ ଆସି ମୋତେ କୁଣ୍ଢେଇ ପକେଇଲା ...।
ଲାଷ୍ଟ ବସ୍ ଟି ପୁଣି ପିଇଁ ପିଇଁ କରି ତା ରହଣି ସ୍ଥାନ କୁ ଆଗେଇ ଗଲା ....।
©️®️
Priyadarsini Das
