ଖୁସିର ଠିକଣା ମାଆର ଓଢଣା
ଖୁସିର ଠିକଣା ମାଆର ଓଢଣା
ଖୁସି ଆସେ ପୁଣି ଯାଏ l କେଡେ କେଡେ ଖୁସି ଆସିଛି ପୁଣି ଫେରିଯାଇଛି, ସମୁଦ୍ର ଢେଉ କୂଳରେ ମଥା ପିଟି ଫେରିଗଲା ଭଳି l ସୁଖ ଓ ଖୁସି କେବେ ଏକାପରି ଲାଗେ ତ କେବେ ଭିର୍ଣ୍ଣ l ଦୁଃଖ ଭିତରେ ସୁଖ ଯେମିତି ଲୁଚି ଥାଏ l ସୁଖ ସମୁଦ୍ରରେ ଖୁସିର ଶାମୁକା କେବେ ମୋତି ଭରା ତ କେବେ ଶୁନ୍ୟ l ଆଉ ଯେବେ ସେହି ଶୂନ୍ୟ ଶୂନ୍ୟ ଭିତରେ କିଛି ଖୁସିର ମୁହୂର୍ତ୍ତ ବା ଖୁସିର ଠିକଣା ମିଳିଯାଏ, ନିଶ୍ଚୟ ମନେ ରହିଯାଏ ସବୁଦିନ ପାଇଁ l
ସକାଳୁ ସକାଳୁ ଘର ଝଡ଼ା ଝଡ଼ିରେ ଲାଗିଥିଲେ ରୁଦ୍ରା l ଖାଲି ଝଡାଝଡି ନୁହେଁ ବରଂ ଜିନିଷ ଏପାଖ ସେପାଖ କରୁଥିଲେ l ସ୍ୱାମୀ ଚା ମାଗୁଥିଲେ ସେ ଶୁଣି ପାରୁନଥିଲେ, ତାଙ୍କ ଛାତି ଧଡ଼ପଡ଼ ହେଉଥିଲା l ଫୋନ ଆସିବାର ସଂକେତ ମିଳିଲେ, ଦୀର୍ଘାନିଃଶ୍ୱାସ ବାହାରି ଯିବା ପରି ଲାଗୁଥିଲା କିନ୍ତୁ ରୁଦ୍ରାଙ୍କ ଫୋନ ରିଙ୍ଗ ଟୋନ ପରି ଅନ୍ୟ କାହାର ବାଜୁଥିଲା ଅନ୍ୟଆଡ଼େ l ସେହି ଶବ୍ଦକୁ କାନରୁ କାଢି, ଭିଡା ଭିଡି ଚାଲୁ ରଖିଥିଲେ ଡ଼ାଇନିଂ ଟେବୁଲ ଓ ଆଲେଣା ତଥା ଡ୍ରେସିଂ ଟେବୁଲ ଆଦି l ଘୋଷାଡି ଚାଲିଥିଲେ ଥାକ, ସଜାଡି ଚାଲିଥିଲେ ଘର ଦ୍ୱାର l ଏ ହାତରେ ଏତେ ବଳ କୋଉଠୁ ଆସିଲା?
ଉତ୍ତର ଦେବାକୁ ଯାଇ ରୁଦ୍ରା ସିନା କହୁଥିଲେ, ଭୁଲିବାକୁ ଚେଷ୍ଟା କରୁଛି l ସହନଶୀଳତା ଏକଜୁଟ କରି ସାହସ ଜୁଟାଉଛି, କେଜାଣି କେତେବେଳେ ଫୋନ ଆସିବ l ହଉ ହଉ କହି ଫେରିପଡୁଥିବା ସ୍ୱାମୀଙ୍କୁ ରୁହ ରୁହ ଚା ଦଉଛି କହି ଥକ୍କା ମାରିବାକୁ ନିଜେ ବି ଚା ଟିକେ ପିଇଲେ ରୁଦ୍ରା l ଏଇତ ଆଉ ଅଳ୍ପ ସମୟ ପରେ ଫୋନ ବାଜିଉଠିବ, ସେପାଖୁ କିଛି ନୂଆ ଶୁଣିବାର ନାହିଁ ତଥାପି ଛାତି ଧଡ଼ପଡ଼ l
ରୁଦ୍ରା ଏଯାଏଁ ଗାଧେଇ ନାହାଁନ୍ତି l ଫୋନ ବାଜିବା ସମୟ ଆସିବା ଯାଏଁ ଘର ସଜଡା ସଜାଡ଼ିରେ ଲାଗିରହିଛନ୍ତି l ଗତକାଲି କିମ୍ସ ରେ ବୋଉକୁ ଦେଖି ଆସିଛନ୍ତି l ଆଖି ଖୋଲୁନି, କଥା କହୁନି, ହାତ ଗୋଡ଼ ଫୁଲିଛି l ସମସ୍ତେ ଅଶୀ ପ୍ରତିଶତ ଆଶା ଛାଡ଼ି ଦେଇଥିବା ବେଳେ, ରୁଦ୍ରା କୋଉଠି ନା କୋଉଠି ପଚାଶ ପ୍ରତିଶତ ଆଶା ରଖିଛନ୍ତି l ତଥାପି ଡର ଭୟ, ଦୁଃଖ ଭିତରେ କେତେ ସ୍ମୃତି !କିଏ ଆଉ ତାଙ୍କ ପିଲାଦିନ ଜାବୁଡି ଧରିବ, ଆସିବା ପଥ ଚାହିଁ ଘରକୁ ଦାଣ୍ଡକୁ ହେଉଥିବ!କାହା ଆଗେ ସବୁ ସୁଖ ଦୁଃଖ କହିହେବ, ଯାହାକୁ ଦେଖିଲେ ଖୁସି ଶିଖର ଛୁଏଁ, ସିଏ ଯଦି ଆଉ ନ ଉଠିବ l ହଠାତ ତାଙ୍କ ହାତ ମୁଠାକୁ ବୋଉର ଫୁଲି ଯାଇଥିବା ହାତ ମୁଠା ଜାବୁଡି ଧରୁଛି l କିଏ କହିଲା ବୋଉ ଆଉ ବେଶୀ ଦିନର ଅତିଥି ନୁହେଁ l ଲୁହ ଗୁଡା ଟପ ଟପ ବାହାରି ଆସିଲା l ଏସବୁର କିଛି ମାନେ ନାହିଁ ଆଉ ତଥାପି ବୁଲି ପଡିଲା ବେଳକୁ ବୋଉ ହାତ ମୁଠାରେ ରୁଦ୍ରାଙ୍କ ହାତ ମୁଠା ଭିଡି ଧରିଛି ତାଙ୍କୁ l
ସେଇ ଖୁସି ଆଧାରରେ ଅଖଣ୍ଡ ଦୀପ ଜଳୁଛି, ହଳଦିବସନ୍ତ ଉଡ଼ା ଦେଉଛି, କିନ୍ତୁ ଆସିବା ପରେ ଫୋନର ବିଷୟ ବସ୍ତୁ ବିଚଳିତ କରୁଛି, ଉଭୟ ମନ ଓ ହୃଦୟ l ଡାକ୍ତର ଆଉ ଅଠଚାଳିଶ ଘଣ୍ଟା ଦେଇଛନ୍ତି l ସବୁ ସରିଯିବ, ଦୀପ ଲିଭିଯିବ l ବୋଉ ଡାକ ଡାକିବା ଓ ଶୁଣିବା ରୁଦ୍ରା ପାଇଁ ବନ୍ଦ ହେଇଯିବ l ଏଇତ କିଏ ଫୋନ କଲାଣି ସ୍ୱାମୀଙ୍କ ପାଖକୁ l ରହିଗଲେ କାମରୁ ବିରତି ନେଇ ରୁଦ୍ରା, ଉହୁଁକି ଚାହିଁଲେ ଦୀପ ତଥାପି ଜଳୁଛି, ଦଉଡିଗଲେ ସ୍ୱାମୀଙ୍କ ଆସ୍ଥାନକୁ l ନା ଅନ୍ୟ ଫୋନ କହି ସେ ଲେଖିଚାଲୁଥିଲେ କାହିଁରୁ କେତେ କଣ l ରୁଦ୍ରା ଆଶ୍ୱସ୍ତ ହେଲେ, ଗାଧେଇ, ଦୀପରେ ତେଲ ଭରିଲେ l ସେଇ ଖୁସି ମୁହୂର୍ତ୍ତ କୁ ମନେ ପକାଇ ଦମ୍ଭ ଦେଲେ ନିଜକୁ,ସାନ୍ତ୍ୱନା ଲଭିଲେ ମନରେ,ସ୍ପର୍ଶ ବୋଉର, ତାଙ୍କ ହାତ ମୁଠା ତା ହାତ ମୁଠାରେ, କଣ ସବୁ ମିଛ? ବୋଉ ଆଉ ଉଠିବନି! ସ୍ୱାମୀ କହୁଥିଲେ ଅଠଚାଳିଶ ଘଣ୍ଟା ହୋଇନି, ରୁଦ୍ରା ଚାହିଁଲେ କରୁଣରେ, ସେଇ ଖୁସିର ସ୍ପର୍ଶ ଅନୁଭବରେ ବିଭୋର ହୋଇ ମଧ୍ୟ ଆଶଙ୍କିତ ହେଉଥିଲେ l
ଦିନର ଦ୍ଵିତୀୟାର୍ଦ୍ଧ ପାଞ୍ଚଟାରୁ ଛଅଟା, ଘଣ୍ଟାଏ l ଅଠଚାଳିଶ ଘଣ୍ଟା ପୁରିଗଲା l ଏପଟୁ ଫୋନ କଲେ ସ୍ୱାମୀ, ବୋଉଙ୍କ ଅବସ୍ଥା କଣ କେମିତି??ଟିକେ ଟିକେ ଅଳ୍ପ ସମ୍ବେଦନଶୀଳ ଆଡକୁ ଅଗ୍ରଗତି କରୁଛି ବୋଉ ବୋଲି ଡାକ୍ତର କହୁଛନ୍ତି ତ l ନାଚିଗଲେ ରୁଦ୍ରା l ସେ ଖୁସି ଶିଖର ଛୁଇଁ ଟପି ଚାଲିଥିଲା ଆଗକୁ ଆହୁରି ଆଗକୁ l କୋଇଲିଟା ଦାଣ୍ଡପଟ ବରଗଛରେ ବୋବୋଉ ଥିଲା କୁଉ କୁଉ ହେଲେ ରୁଦ୍ରାଙ୍କୁ ଶୁଭୁଥିଲା ବୋଉ ବୋଉ ବୋଲି, ଦିଶି ଯାଉଥିଲା ବୋଉର ଓଢଣା ତଳ ଗୋରା ତକ ତକ ସୁନ୍ଦର ମୁହଁ l
