ଖେପାଜାଲ
ଖେପାଜାଲ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟର ପରିସଂଖ୍ୟାନ ଅଧିକାରୀ ଅମୀୟ ରଞ୍ଜନ ଦାସ ଚାକିରୀ ଆରମ୍ଭରୁ କାଠଗଡା ସାହିରେ ଭଡାଘରେ ରହିଆସୁଥିଲେ। ଘରଭଡା ଏବଂ ବଜାରରେ ପାଇକାରୀ ମୂଲ୍ୟ ପ୍ରତିବର୍ଷ ଯେଉଁ ହାରରେ ବଢ଼ୁଥିଲା,ଦରମା ସେଇ ଅନୁପାତରେ ବଢ଼ୁନଥିଲା। ତା'ସହିତ, ପିଲାମାନଙ୍କର କଲେଜ ପଢ଼ା ସରିଲାପରେ ଏତେ ଘରଭଡା ଦେଇ ସହର ଭିତରେ ରହିବା ମଧ୍ୟ ସେତେ ଜରୁରୀ ନଥିଲା ବୋଲି ହୃଦବୋଧ ହେଲାରୁ ଗତବର୍ଷ ଜଗତପୁର ଛକରୁ ଦୁଇ କିଲୋମିଟର ଦୂର ଇମାମନଗର ବଜାର ପାଖରେ ଚାରିଗୁଣ୍ଠର ଜାଗାଖଣ୍ଡେ କିଣି ବ୍ୟାଙ୍କରୁ ଋଣ ନେଇ ଏକ ମହଲା ଘରଟିଏ କରି ରହୁଛନ୍ତି। ଠାକୁରଘର,ରୋଷେଇ ଘର,ଗାଧୁଆଘର,ବୈଠକ ଘର ସହିତ ଭୋଜନସ୍ଥାନ ମଧ୍ୟ ରହିଛି। ଚଳିବାପାଇଁ ଘରଟି ବେଶ ପ୍ରଶସ୍ତ । ତେବେ,ତାଙ୍କର ଭାରୀ ଇଚ୍ଛାଥିଲା ବଡ଼ ଜାଗାଖଣ୍ଡେ କିଣିଥାନ୍ତେ, ଘର ସାମ୍ନାରେ ଛୋଟିଆ ବଗିଚାଟିଏ କରିଥାନ୍ତେ ଏବଂ ପଛ ପଟରେ ପୋଖରୀଟିଏ ଖୋଳି ତହିଁରେ ଯାଆଁଳ ଛାଡ଼ିଥାନ୍ତେ। ପୋଖରୀ ହୁଡ଼ାରେ ନଡ଼ିଆ ଗଛ,ଗୁଆଗଛ,ଆମ୍ବଗଛ,ଡାଳିମ୍ବଗଛ ଓ ପିଜୁଳିଗଛ ସହିତ ସଜନା ଛୁଇଁ ଏବଂ ଓଉଗଛ ଗୋଟେ-ଯୋଡ଼େ ଲଗେଇଥାନ୍ତେ। ଛୋଟିଆ ପକ୍କାଘାଟରୁ ପୋଖରୀ ଭିତରକୁ ଓହ୍ଲେଇ ଯାଇଥାନ୍ତା ପାହାଚ କେଇଟା। ସେତକ କରି ନପାରିବାର ଦୁଃଖ ମନ ଭିତରେ କେଉଁଠି ନା କେଉଁଠି ଗୋଟେ ମୋଡିଯାକି ହେଇ ରହିଯାଇଛି ନିଶ୍ଚୟ।
ସୀମିତ ଆୟରେ କଟକ ଭଳି ସହରରେ ଆଠ'ପ୍ରାଣୀର କୁଟୁମ୍ବକୁ ଚଳାଇବା ଯେଉଁ କାଠିକର ପାଠ ତାରି ଭିତରେ ପୁଣି ଚାରି-ଚାରିଟା ପିଲାଙ୍କୁ ପାଠ ପଢେଇ ଉଚ୍ଚଶିକ୍ଷିତ କରିବା ତାଙ୍କପାଇଁ କୌଣସି ଯୁଦ୍ଧର ଆହ୍ୱାନ ଠାରୁ କିଛି କମ ନଥିଲା। ଚାକିରୀ କରିବା ପରେ ରୋଗାକ୍ରାନ୍ତ ବାପାଙ୍କର ଧରାବନ୍ଧା ଔଷଧ ବାବଦକୁ ଦରମାର ଚଉଥେ ପାଖାପାଖି ଚାଲିଯାଉଥିଲା। ତାଙ୍କର ଆୟ ଓ ବ୍ୟୟକୁ ଦେଖି ମାଆର ଦେହ'ପା କିଛି ହେଲେ ଦାନ୍ତ କାମୁଡି ସହିଯାଉଥିଲା ସିଏ । କହୁଥିଲା,ମାରି ପକେଇଲେ ବି ସେ ଏସବୁ ବଟିକା-କ୍ୟାପସୁଲ ଖାଇବନାହିଁ କି ଇଂଜେକସନ ନବନାହିଁ। ଅତି ଅସୁବିଧା ହେଲେ ଟଂକାଏ ଦୁଇଟଙ୍କାର ହୋମିଓପ୍ୟାଥିକ ଔଷଧ କିଣିଆଣିବା ପାଇଁ କହେ। ପାଞ୍ଚବର୍ଷ ତଳେ ଛ'ମାସ ପାଖାପାଖି ଶଯ୍ୟାଶାୟୀ ହେଇ ଶେଷରେ ବାପା ଦୁନିଆ ଛାଡିଲେ। ବାପା ଥିଲାବେଳେ ତାଙ୍କର ପ୍ରତିକଥାରେ ଚିଡି ଚବିଶି ଘଣ୍ଟା ଗଜର ଗଜର ହେଉଥିବା ମାଆ ତାଙ୍କ ଚାଲିଯିବା ପରେ ଏତେ ଏକୁଟିଆ ହେଇଗଲା ଯେ ମନେମନେ ତାଙ୍କୁ ଝୁରିଝୁରି ଚାରିମାସ ପରେ ସିଏ ବି ବାଟ କାଟିଲା।
ସେତେବେଳକୁ ବଡଝିଅ ଶ୍ରୀୟାକୁ ଅଠେଇଶି ପୁରି ଅଣତିରିଶି ଚାଲିଲାଣି।ଆଉ ଡେରିକଲେ ବିବାହ ବୟସ ଗଡ଼ିଯିବ। ବାପାଙ୍କ ଚିକିତ୍ସା ଓ ବାପା'ମା ଦୁହିଁଙ୍କର କ୍ରିୟାକର୍ମରେ ଭବିଷ୍ୟନିଧି ପାଣ୍ଠି ଶୁନ ହେଇଯାଇଥିବାରୁ ଗାଁ କିଶୋର ନଗରରେ ଥିବା କାହିଁ କେତେ ପୁରୁଷର ପୈତୃକ ଘରଡିହ ଖଣ୍ଡକ ବିକ୍ରି ନକରିବାର କୌଣସି ବିକଳ୍ପ ନଥିଲା। ଘରଡିହ ବିକିବା ବେଳେ ଯେତେକଷ୍ଟ ହେବାକଥା ତାଠାରୁ କାହିଁ କେତେ ଅଧିକ କଷ୍ଟ ହେଇଥିଲା ତାଙ୍କୁ ଘରପଛରେ ଥିବା ବାରି ପୋଖରୀ ମଧ୍ୟ ତା ସହିତ ବିକ୍ରି ହେଇଗଲା ବୋଲି। ସେଇ ପୋଖରୀରେ ପହଁରିବା, ଖରାବେଳେ ସାଙ୍ଗ ମାନଙ୍କ ସହ ବୁଡାବୁଡି ଖେଳିବା ଏବଂ ଖେପାଜାଲ ପକେଇ ମାଛ ଧରିବାର ସେଇ ସୁଖକର ଅନୁଭୂତି ମନେପଡି ଭୀଷଣ ମାନସିକ ପୀଡା ଦେଇଥିଲା ଅମୀୟବାବୁଙ୍କୁ। ବିଶେଷକରି, ସନ୍ଧ୍ୟା ସମୟରେ କୁଣ୍ଡା-ଗୋବରର ମଳା ଦେଇ କିଛି ସମୟ ପରେ ଖେପାଟେ ମାରିଦେଲେ ଅଧାଘଣ୍ଟାରୁ ଅଧିକ ସମୟ ଧରି ମାଈମାଛ ଓ ମିଠା କଣ୍ଟିଆ ଝାଡ଼ିଝାଡି ବାହାର କରିବାର ଆନନ୍ଦ ଟିକକ ଘରଡିହ ସାଥିରେ ପରହାତକୁ ଚାଲିଗଲା ସବୁଦିନ ପାଇଁ।
ଏବେ ଆଉ ସେ ସମୟ ଫେରିଆସିବନାହିଁ ସତ ମାତ୍ର , ଚାହିଁଲେ କିଛି ଅନୁଭବକୁ ଉଜ୍ଜୀବିତ କରିବା କିଞ୍ଚିତ ସମ୍ଭବ ହେଇପାରିଥାନ୍ତା ଯଦି ନୂଆଘର ପଛପଟେ ପୋଖରୀଟିଏ ଖୋଳେଇ ପାରିଥାନ୍ତେ। ଗାଁ ପୋଖରୀ ଠାରୁ ଟିକେ ଛୋଟ ହେଇଥିଲେ ବି ଚଳିଥାନ୍ତା। ହେଲେ,ସେତକ ବି କୋଉ ହେଇପାରିଲା !
ବଡ଼ପୁଅ ସନ୍ତୋଷ ତେରସ୍ତାବର୍ଷ ଇଂଜିନିୟରିଂରେ ସ୍ନାତକ କରିସାରି ନୋଇଡା ସ୍ଥିତ ଏକ ଘରୋଇ କାରଖାନାରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗଦେଇଛି। ତା'ତଳେ ଝିଅ ସ୍ତୁତି ଏବଂ ସାନପୁଅ ଦେବାଶିଷ। ସ୍ତୁତି ଯୁକ୍ତ ତିନି ପାସ କରିସାରି ବ୍ୟାଙ୍କ ଚାକିରିପାଇଁ ପ୍ରସ୍ତୁତି ଚଳେଇଛି ଆଉ ଦେବାଶିଷ ଯୁକ୍ତଦୁଇ ପରେ ବ୍ୟାଙ୍କରୁ ଷ୍ଟଡି ଲୋନ କରି ଚେନ୍ନାଇର ଏକ ନାମକରା ସରକାରୀ ବୈଷୟିକ ମହାବିଦ୍ୟାଳୟରେ ଏ.ଏମ.ଆଇ.ଇ. ପଢୁଛି।
ଆଜିକାଲି ସହରରେ ମୁଣ୍ଡ ଗୁଞ୍ଜିବା ପାଇଁ ଯାହାର ନିଜସ୍ଵ ଘରଖଣ୍ଡେ ନାହିଁ ତା'ର କିଛିନାହିଁ କହିଲେ ଚଳେ। ସହର ଭିତରେ ତ ଜାଗା ନାହିଁ, ଯଦି କିଣିବ ତେବେ ଦୁଇମହଲା ଘର କିଣିବ ନହେଲେ ବହୁତଳ ଆବାସସ୍ଥଳୀରେ ଖଞ୍ଜା କିଣିବ। ଘର କିମ୍ବା ଖଞ୍ଜା କିଣିବା ସମସ୍ତଙ୍କ ଭାଗ୍ୟରେ ନଥାଏ। ସହର ଠାରୁ ସାଇକେଲରେ ଘଣ୍ଟେ ଦେଢଘଣ୍ଟା ଦୂରରେ ଜାଗାଖଣ୍ଡେ କିଣିପାରିବାଟା ବି କିଛି କମ ଭାଗ୍ୟର କଥାନୁହେଁ। କଟକ-ଭୁବନେଶ୍ୱର ଭଳି ବଡ଼ ସହର ନହେଲେ ବି ଛୋଟକାଟିଆ ବଜାରକୁ ଲାଗିଥିବା ରାସ୍ତାପାଖିଆ ଜାଗାଖଣ୍ଡେ କିଣି ନିଜ ମନକୁ ବୁଝେଇଦେବା କଥା। ତାପରେ, ଆଜିକାଲି କେବଳ ସହରରେ କାହିଁକି, ସହର ପରିସର ବାହାରେ ଟିକିଏ ଦୂରରେ ହେଉପଛେ ରାସ୍ତାଘାଟ ଓ ଯୋଗାଯୋଗ ଥିବା ମଫସଲାରେ ମଧ୍ୟ ଜାଗାବାଡିର ଭାଉ ଯେଉଁହାରରେ ବଢୁଛି ଆଚ୍ଛାଆଚ୍ଛା ରୋଜଗାରିଆମାନେ ସୁଦ୍ଧା ସାହସ କରିପାରୁନାହାନ୍ତି ଜାଗା ଖଣ୍ଡେ କିଣିବାପାଇଁ। କଥାରେ ଅଛି, 'ଗୋରୁ,କନ୍ୟା,ଭୂମି ଭାଗ୍ୟ ପରାପତ'। ଭାଗ୍ୟରେ ଥିଲା ବୋଲି ସେତକ ଜାଗା ଜୁଟିଛି ତାଙ୍କ କପାଳରେ। ନହେଲେ, ଆଉ ମାସ ଦି'ଟା ପରେ ଅବସର ଉପରାନ୍ତ ବିଲେଇ ଭଳି ବାର ଓଳି ତେର ପିଣ୍ଡା ହେବାକୁ ପଡ଼ିଥାନ୍ତା। ଏଇକଥା ମନକୁ ଆସିଲେ ଅମୀୟବାବୁଙ୍କର ଦୁଇହାତ ଯୋଡ଼ିହେଇ ସ୍ୱତଃ କପାଳକୁ ଛୁଏଁ।
ଅମୀୟବାବୁ ନିଜଘରକୁ ଆସିବା ପରେ ସାଇକେଲରେ ଅଫିସକୁ ଯା'ଆସ କରୁଥିଲେ। ଏ ରାସ୍ତା ଉପରେ ଗାଡିଘୋଡା ସଂଖ୍ୟା ସାଙ୍ଗକୁ ଅଣସତର୍କ ବାଇକ ଚାଳକ ମାନଙ୍କ ସଂଖ୍ୟା ଦେଖି ଶଙ୍କିଗଲେ କି କଣ ସେବେଠାରୁ ଗଲାବେଳେ ଇପିକଲ ଛକ ପର୍ଯ୍ୟନ୍ତ ଚାଲିଚାଲି ଆସି ସେଇଠୁ ଟାଉନବସରେ ଉଠନ୍ତି। ଫେରିଲାବେଳେ ବର୍ଷା ହେଉନଥିଲେ ଜଗତପୁର ଛକରେ ଗାଡିରୁ ଓହ୍ଲେଇ ପଡି ଚାଲିଚାଲି ଆସନ୍ତି ଘର ପର୍ଯ୍ୟନ୍ତ। ଘରେ ପଚାରିଲେ କୁହନ୍ତି, 'ଚଲାବୁଲା କରିବାକୁ ତ ସମୟ ନାହିଁ। ଆଉ ,ଯମାରୁ ନଚାଲିଲେ ଆଣ୍ଠୁଗଣ୍ଠି ଜାମ ହେଇଯିବନି?'
ଜଗତପୁର ରୁ ପୀରବଜାର ଆଡ଼କୁ ମୁହଁକରି ଚାଲିକରି ଆସିଲା ବେଳେ ଇପିକଲ ଛକ ପରେପରେ ଖଇରା ପୋଲ ପାର ହେଉହେଉ ଡାହାଣ କଡ଼କୁ ଚାହିଁଲେ ଅମୀୟବାବୁ ଦେଖନ୍ତି କେନାଲ ବନ୍ଧ ଉପରେ ପାଖାପାଖି ଦୁଇଶ ଗଜ ଦୂରରେ ବରଷକ ଆଠକାଳୀ ବାରମାସୀ ଜଣେ ବ୍ୟକ୍ତି ଗୋଟିଏ ଚାକୁନ୍ଦା ଗଛଡାଳରୁ ଆଠ-ଦଶଟି ଖେପାଜାଲ ଓହଳେଇ ଦେଇ ସେଇ ଗଛ ଛାଇରେ ବସି ନୂଆଗୋଟେ ଜାଲ ବୁଣିବାରେ ବ୍ୟସ୍ତ ରହିଥାଏ। ତାଙ୍କର ଇଚ୍ଛାହୁଏ, ପାଖକୁ ଯାଇ ଜାଲ ସବୁକୁ ଭଲକରି ଦେଖନ୍ତେ, କେନାଲରେ ପକେଇ ଯେଉଁ ଜାଲ ଭଲ ଖୋଲୁଥିବ ମୁଲଚାଲ କରି ସେଇଟିକୁ କିଣନ୍ତେ । ନିଜ ପୋଖରୀ ନହେଲା ନାହିଁ କେବେକେବେ ଟିକେ ଦୂରକୁ ଯାଇ ମହାନଦୀରେ ମନଭରି ଜାଲ ପକାନ୍ତେ।
ତେଣିକି ମାଛ ପଡୁ କି ନପଡୁ,ମନବୋଧ ହେଇଯାଆନ୍ତା।
ଅନ୍ୟଦିନ ମାନଙ୍କ ପରି ଆଜି ଚାଲୁଚାଲୁ ଚାକୁନ୍ଦାଗଛରେ ଟଙ୍ଗା ହେଇଥିବା ଜାଲମାନଙ୍କ ଉପରେ ଦୃଷ୍ଟି ପହଁରାଇ ନେଇ ଆଗକୁ ପାଦ ବଢ଼େଇ ନେଇପାରିଲେନାହିଁ ଅମୀୟବାବୁ। ରାସ୍ତାର ଉଭୟ ପଟକୁ ଚାହିଁ ସତର୍କତାର ସହ ରାସ୍ତା ପାରିହେଇ ଚାକୁନ୍ଦାଗଛ ମୂଳରେ ପହଞ୍ଚି ଜାଲଗୁଡିକୁ ଭଲକରି ଦେଖିଲେ। ଏକ ନମ୍ବର ମସୃଣ ଫିସେରି ସୂତାରେ ବୁଣାଯାଇଛି,ତିନି ଇଞ୍ଚର ଘାଇ,ଘରା ଗୁଡିକ ବେଶୀ ବଡ଼ ନୁହେଁ କି ସାନ ନୁହେଁ, ପ୍ରତି ଜାଲରେ ହାରାହାରି ପାଞ୍ଚକିଲୋ ଓଜନର ଗୋଡି ଲାଗିଛି। ମାଳିଘର ଗୁଡିକର କ୍ରମ ଦେଖି ବୁଝିଗଲେ ଯେ ଜାଲଟି ସମ୍ପୂର୍ଣ୍ଣ ମେଲିବ। ଗୋଟେ ଜାଲକୁ ନିର୍ଦ୍ଧିଷ୍ଟ କରି ଆଙ୍ଗୁଠି ଠାରରେ ଜାଲ ବିକାଳୀକୁ ସେଇଟିକୁ କାଢ଼ିବାପାଇଁ କହିଲେ ଅମୀୟବାବୁ। ଦୋକାନୀ ସେଇଜାଲର ଘାଇ ଉପରକୁ ମୁଠୁଣେ ଛାଡି ଗୋଛାଇ ଧରି ଗୋଡ଼ପାଖ ଖୁଣ୍ଟିରେ ବନ୍ଧାଥିବା ଦାଉଣୀର ଫାସକୁ ଖୋଲିଦେଲା ଏବଂ ଜାଲଟିକୁ ଅମୀୟବାବୁଙ୍କ ହାତକୁ ବଢ଼େଇଦେଇ କହିଲା, ' ଗୋଟେ ଖେପା ବେକାର ଜିବନି ବାବୁ, ଛତା ମେଳିଲା ଭଳି ଖୋଲିବ,ଛଅକିଲୋ ସୀସା ଲାଗିଛି,ପାଣିରେ ପଡୁପଡୁ ତଳି ଧରିବ। ଘାଇ ଦେଖନ୍ତୁ,ପୁରା ଆଠ ଆଙ୍ଗୁଳି,ଯେଡ଼େ ମାଛ ହେଉ ଥରେ ଏ ଘାଇ ଭିତରେ ପଶିଲେ ବାହାରିବା ମୁସ୍କିଲ।'
ଦାଉଣି ଫାସରେ ହାତ ପୁରେଇ ଡାହାଣ ହାତରେ ଜାଲର ଚୁଳିଆଡୁ ଭାଙ୍ଗକରି ଧରି ତଳପଟୁ ବାଁ'ହାତକୁ ଜାଲ ଭିତରେ ପୁରେଇ ଉଭୟ ହାତମୁଠାରେ କୁଂଚକୁ ସମାନ କରି ଧରି ଥରେ ଦୁଇଥର ଆଗପଛ କରି ଦେଖିଲେ, ହାତ ମୁଠାରୁ ନ ଖୋଲୁଣୁ ପୁରା ମେଲିଯାଉଛି ଖେପା। ଜାଲକୁ ନେଇ ମନରୁ ସବୁ ଦ୍ଵନ୍ଦ ଦୂରହେଲାପରେ ପଚାରିଲେ,' କେତେ ପଡିବ ଭାଇ?'
'ମୁଲଚାଲ ନକରି ନେବେ କହିଲେ କାଟିକୁଟିକି ଫାଇନାଲ ରେଟ କହିବି ବାବୁ।',ଜାଲ ବିକାଳୀ କହିଲା।
'ହେଲା ଭାଇ , ଠିକ ରେଟ କହିଲେ ମୁଁ ଆଉ କଟାକଟି କରିବି କାହିଁକି। ସହରରେ ସିନା ରହୁଛି ହେଲେ ମୁଁ ବି ତମପରି ଖାଣ୍ଟି ଗାଁ'ଲୋକ। ଜାଲରେ ହାତମାରି କହିଦେବି କେତେ ସୂତା ଲାଗିଛି ,କେତେ ସୀସା ଲାଗିଛି। ଆଉ ରହିଲା ବୁଣା ମଜୁରୀ। ତାକୁ ହିସାବ କଲେ କିଏ ବା ତାର ମୂଲ ଦେଇପାରିବ ଯେ। ଭାବିଚିନ୍ତି ନବାଦବା ଦାମ୍ କୁହ।' ଅମୀୟବାବୁ କହିସାରି ଜାଲ ବିକାଳି ମୁହଁକୁ ଚାହିଁଲେ।
'ବାରଶ ଟଙ୍କାରେ ବିକୁଛି ଆଜ୍ଞା। ତେବେ,ଆପଣଙ୍କ ପାଇଁ ଏଗାରଶ ହେବ। ତା'ଠାରୁ ଆଉ ଟଙ୍କାଟିଏ କମେଇ ପାରିବିନାହିଁ ଆଜ୍ଞା। ', ଜାଲୁଆ କହିଲା।
ଅମୀୟବାବୁ ରାମବିଷ୍ଣୁ କିଛି ବି ନକହି ପକେଟରୁ ପର୍ସ କାଢି ତହିଁରୁ ଏଗାରଶ ଟଙ୍କା ବାହାରକରି ଭଲକରି ଗଣି ବଢ଼େଇଦେଲେ। ଜାଲବିକାଳି ଟଙ୍କା ତକ ଗଣି ଅଣ୍ଟାରେ ଗୁଞ୍ଜିସାରି ପ୍ରସନ୍ନତାର ସହ ଜାଲଟିକୁ ଭଲକରି ବାନ୍ଧି ଅମୀୟବାବୁଙ୍କ ବ୍ୟାଗ ଭିତରେ ଥୋଇଦେଲା। ବହୁ ପ୍ରତିକ୍ଷିତ ଅଭିଳାଷଟିଏ ପୂରଣ ହେଇଥିବାରୁ ଏକ ନିଆରା ଆନନ୍ଦ ଅନୁଭବ କରୁଥିବାରୁ ଘରକୁ ଫେରିବାବେଳେ ତାଙ୍କର ପାଦଦ୍ବୟ ବହୁତ ଚଞ୍ଚଳ ହେଇଉଠୁଥିଲା ସେଦିନ। ଘରେ ପହଞ୍ଚୁ ପହଞ୍ଚୁ ପତ୍ନୀ ଯଶୋଧାରାଙ୍କୁ ଡାକି ସବୁକଥା କହିସାରି ଜାଲ ଥିବା ବ୍ୟାଗଟିକୁ ଟଙ୍ଗେଇବା ପାଇଁ କାନ୍ଥରେ ପିଟିବାଲାଗି ସିଡିଘର ତଳେଥିବା ଟିଣବାକ୍ସରୁ ଛ'ଇଁଚିଆ ଛତି କଣ୍ଟାଟିଏ ଆଣିବାପାଇଁ କହି ଗୋଡ଼ହାତ ଧୋଇବାପାଇଁ ଗାଧୁଆଘର ଆଡକୁ ପାଦ ବଢ଼େଇଲେ। ସ୍ୱାମୀଙ୍କ ମନରେ ଏତେବର୍ଷ ପରେବି ଖେପାଜାଲ ପ୍ରତି ରହିଥିବା ଦୁର୍ବଳତା ଅପରିବର୍ତ୍ତିତ ଥିବାର ଦେଖି ଯଶୋଧାରା ଯେତିକି ଆଶ୍ଚର୍ଯ୍ୟ ହେଲେ ତାଙ୍କ ମନରେ ସେତିକି ଦୁଃଖ ମଧ୍ୟ ହେଲା। ତାଙ୍କର ମନେ ପଡ଼ିଗଲା,ବାହାଘର ପରେ କଟକ ଆସିବା ଆଗରୁ ଯେଉଁ ବର୍ଷେ ଦେଢ଼ବର୍ଷ ଗାଁରେ ଥିଲେ ସେତେବେଳେ ଶନିବାର ଦିନ ସନ୍ଧ୍ୟାରେ ଆସି ଘରେ ପାଦ ଦେଉଦେଉ ଅତର୍ଚ୍ଛା ଲୁଙ୍ଗିଖଣ୍ଡେ ପିନ୍ଧି ଅଣ୍ଟାରେ ଗାମୁଛା ବାନ୍ଧି ଖେପାଜାଲ ଖଣ୍ଡକ ଧରି ପତିଦେବ କେମିତି କ୍ଷେପି ଯାଆନ୍ତି ପୋଖରୀ ପାଖକୁ। ହେଲେ, ଏବେ ଏଇଠି ଜାଲ କଣ କରିବେ ସେ ! ଗାଁ ଭଳି ଏଠି ତ ଆଉ ନିଜର ପୋଖରୀଟିଏ ନାହିଁ !!!
ଧୁଆପୋଛା ସାରି ଗାଧୁଆଘରୁ ବାହାରିବା ବେଳକୁ ଯଶୋଧାରା ମେଜ ଉପରେ ଚାହାକପ ଥୋଇ ତା'ପାଖରେ ଛତିକଣ୍ଟା ଏବଂ ଚୁତା ରଖିସାରିଥିଲେ। ଚା ପିଇଲା ବେଳେ ରତ୍ନାକରବାବୁ କାନ୍ଥ ଉପରେ ଦୃଷ୍ଟି ଚାଳନା କରିଚାଲିଥିଲେ। ଦୀର୍ଘବର୍ଷ ଧରି ଭଡାଘରେ ରହିଆସିଥିବାରୁ କାନ୍ଥରେ କଣ୍ଟା ନପିଟିବାର ପ୍ରତିବନ୍ଧକୁ ନିଜର ନୀତି ମାନିନେଇଥିବା ରତ୍ନାକରବାବୁ ଜାଲ ଟାଙ୍ଗିବା ପାଇଁ କଣ୍ଟା ବାଡେଇବାର ଆବଶ୍ୟକତାକୁ ଅତ୍ୟାବଶ୍ୟକୀୟ ଶ୍ରେଣୀଭୁକ୍ତ କରି କିଛି ସମୟ ପାଇଁ ସେଇ ନୀତିର ବନ୍ଧନରୁ ନିଜକୁ ମୁକୁଳେଇନେଇ ସଠିକ ବିନ୍ଦୁଟିଏ ସ୍ଥିର କରିନେଲେ। ଶେଷ ଚୁମ୍ବନ ସହ ଚା'କପ ସହ ସମ୍ପର୍କ ବିଛିନ୍ନ କରି ଗୋଟିଏ ହାତରେ ଛତିକଣ୍ଟା ଓ ଆର ହାତରେ ଚୁତାଟିକୁ ଧରି ନିର୍ଦ୍ଧାରିତ ବିନ୍ଦୁରେ କଣ୍ଟାଟିକୁ ବେଶ ଯତ୍ନ ସହକାରେ ପିଟିଦେଲା ପରେ ଜାଲଟିକୁ ଥଳିଆରୁ ବାହାରକରି ସେଇ କଣ୍ଟାରେ ଓହଳେଇ ଦେଇ ଏକ ପରିତୃପ୍ତ ଦୀର୍ଘଶ୍ଵାସ ଛାଡିଲେ।
ଖେପାଜାଲ କିଣିବାପରେ ୟା'ଭିତରେ ଦୁଇମାସରୁ ଅଧିକ ସମୟ ଅତିକ୍ରାନ୍ତ ହେଇଗଲାଣି। ପଦାର୍ଥଟେ ନଥିବ ନାହିଁ ମାତ୍ର,ଘରେ ଥିବା ପଦାର୍ଥର ଉପଯୋଗ ନକରିପାରିବା ବାସ୍ତବରେ ଯନ୍ତ୍ରଣାଦାୟକ। ଜାଗ୍ରତ ଅବସ୍ଥାରେ ହେଉ ଅବା ଅବଚେତନ ଅବସ୍ଥାରେ, ମାନସିକ ଯନ୍ତ୍ରଣାର ଉପଶମ ନିମନ୍ତେ ନିରନ୍ତର ଉପାୟ ଅନ୍ୱେଷଣ କରିବା ମଣିଷ ମସ୍ତିଷ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ଵ। କାଲିଠାରୁ ଦୋଳପୂର୍ଣ୍ଣିମା ଓ ହୋଲି ଦୁଇଦିନ ଛୁଟି ସାଥିରେ ଯୋଖିହେଇ ମାସର ଅନ୍ତିମ ଶନିବାର ଏବଂ ରବିବାର। ଲଗାତାର ଚାରିଦିନ ଛୁଟି।
ଶୋଇବା ଆଗରୁ ଜାଲ ପକେଇବା ପାଇଁ ଏକ ଉପଯୁକ୍ତ ସ୍ଥାନ ବିଷୟରେ ଚିନ୍ତା କରୁଥିଲେ ଅମୀୟବାବୁ।
ଖପୁରିଆ ଶିଳ୍ପାଞ୍ଚଳ ନିକଟ ମହାନଦୀକୂଳରେ ଯେଉଁଠି ପଞ୍ଚମୁଖୀ ହନୁମାନ ମନ୍ଦିର ଅଛି ସେଇଠୁ ବାମପାର୍ଶ୍ୱକୁ କିଛିବାଟ ଚାଲିଗଲେ ନଦୀ ଟିକେ ଗଭୀର। ବର୍ଷସାରା ପ୍ରାୟ ପାଣି ରହେ ସେଠି। ସେ ଜାଗାକୁ ଆଗରୁ କେଇଥର ଯାଇଛନ୍ତି ଅମୀୟବାବୁ। ସେଠି ସହରର କୋଳାହଳ ନାହିଁ ,ଅଛି ଗାଁ ପରିବେଶର ଏକ ସୀମିତ ଅନୁଭବ। ସକାଳେ ପାଖପଡ଼ିଶାର କେହି ଉଠିବା ଆଗରୁ ବ୍ୟାଗରେ ଜାଲ ଖଣ୍ଡକ ଓ ଲୁଙ୍ଗି ଖଣ୍ଡେ ପୁରେଇ ସେଇଠିକୁ ଚାଲିଗଲେ ମନଭରି ଜାଲ ପକାଇହେବ। ଏତକ ଭାବି ସ୍ଥିର କରିଦେଲା ପରେ ନିଜର ସୂକ୍ଷ୍ମ ଭାବନାକୁ ବାହାବା ଜଣାଇ ବିଛଣା ଉପରେ ଶରୀରକୁ ଳମ୍ବେଇ ଦେଲେ ଅମୀୟବାବୁ।
ଗାଆଁରେ ଯାହାର ଘରଡିହ ନାହିଁ, ଯେଉଁଠିକୁ ଗଲେ ରାତିକ ପାଇଁ ମୁଣ୍ଡ ଗୁଞ୍ଜିବା ଲାଗି ନିଜସ୍ୱ ବାସଖଣ୍ଡେ ନାହିଁ ତା'ର ଗାଆଁକୁ ଯିବାର ଉନ୍ମନ୍ତ ଇଚ୍ଛା ସବୁ ଚଳତ୍ ଶକ୍ତି ହୀନ ଶିଳାପିଣ୍ଡ ସଦୃଶ। ଘରବାଡି ବିକ୍ରି ହେଇଯିବା ପରେ ଅନେକ ଥର ଇଚ୍ଛା ହେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଥରୁଟିଏ ଯାଇପାରିନାହାନ୍ତି ଗାଆଁକୁ। ତେବେ,ତାଙ୍କର ଘରଡିହ କିଣିଥିବା ପ୍ରଧାନ ମଉସା ଯେକୌଣସି କାମରେ କଟକ ଆସିଲେ ଅମୀୟବାବୁଙ୍କ ଘରକୁ ଆସି ବୁଲିଯିବାକୁ କଦାପି ଭୁଲନ୍ତିନାହିଁ। ବାରିପୋଖରୀର ମାଛ ପ୍ରତି ଅମୀୟବାବୁଙ୍କ ମନରେ ଥିବା ବିଶେଷ ଦୁର୍ବଳତା ବିଷୟରେ ଉତ୍ତମ ରୂପେ ଅବଗତ ହେଇଥିବାରୁ କଞ୍ଚା ହେଉ କି ଭାଜିକରି ହେଉ କିଲେ-ଦେଢସେର ସରିକି ମାଛ ନିଶ୍ଚୟ ଆଣିକରି ଆସିଥାନ୍ତି ପ୍ରଧାନ ମଉସା। ଖାସ ସେଇଥିପାଇଁ ବୋଧହୁଏ ଅଧିକାଂଶ ସମୟରେ ଆମିଷ ବାର ଦେଖି ଆସନ୍ତି। ଆସିବା ଆଗଦିନ ଛକରେ ଥିବା କୁନିଆ ଟେଲିଫୋନ ବୁଥରୁ ଫୋନ କରି ଜଣାଇଦିଅନ୍ତି।ଭାରି ଖୋଲାମନର ମଣିଷ ସିଏ,ସ୍ନେହୀ ମଧ୍ୟ। ଅମୀୟବାବୁ ମଧ୍ୟ ମଝିରେ ମଝିରେ କୁନିଆ ପାଖକୁ ଫୋନ କରି ମଉସାଙ୍କର ଭଲମନ୍ଦ ପଚାରିନିଅନ୍ତି। ଗଲା କିଛିଦିନ ହେବ ମଉସାଙ୍କର ଦେହ ଭଲ ରହୁନାହିଁ ବୋଲି ଅମୀୟବାବୁ ତା'ରି ପାଖରୁ ଶୁଣିଥିଲେ।
ଦୋଳପୂର୍ଣ୍ଣିମା ଦିନ ସକାଳ ଦଶଟା ପାଖାପାଖି ଅମୀୟବାବୁ ପିଣ୍ଡାଉପରେ ଚକାପାରି ଖବରକାଗଜ ପଢୁଥିଲେ। ଘର ସାମ୍ନାରେ ଅଟୋରିକ୍ସାଟିଏ ଆସି ଅଟକିଲା। ଅମୀୟବାବୁ ଖବରକାଗଜରୁ ଆଖି ଉଠେଇ ସିଆଡକୁ ଚାହିଁଲେ। ଭାବୁଥିଲେ, ' କିଏ ଆସିଲାକି?ଆଜିତ ସେମିତି କେହି ଆସିବାର ନଥିଲା !' ଜଣେ ଅଳ୍ପବୟସ୍କ ହୃଷ୍ଟପୁଷ୍ଟ ଯୁବକ ଓହ୍ଲେଇ ପଡି ଅଟୋର ବାଁ ପଟକୁ ଯାଇ ବାହାକୁ ଧରି ଜଣେ ବୁଢ଼ାଲୋକକୁ ତଳକୁ ଓହ୍ଲାଇ ଆଣିଲେ।
'ଆରେ,ଇଏ ତ ଆମ ପ୍ରଧାନ ମଉସା! ଯୁବକ ଜଣକ ତାଙ୍କର ପୁଅମାନଙ୍କ ଭିତରୁ ଜଣେ ହେଇଥିବ ନିଶ୍ଚୟ।',ମନେମନେ କହୁକହୁ ଖବରକାଗଜକୁ ଚଉତି ଥୋଇଦେଇ ଉଠିଆସିଲେ ଅମୀୟବାବୁ। ନମସ୍କାର ପକାଇ ପ୍ରଧାନ ମଉସାଙ୍କ ଡାହାଣ ହାତକୁ ଧରି କାନ୍ଧର ସାହାରା ଦେଇ ଘର ଭିତରକୁ ନେଇଆସିଲେ। ପଚାରି ଜାଣିଲେ ଯେ ମଉସାଙ୍କୁ ଦେଢ଼ମାସ ହେଲାଣି ଜ୍ୱର। ଯେତେ ଯାହା ଔଷଧପତ୍ର ଖାଇଲାପରେ ଭଲ ହେଉନାହିଁ। ପୁଅମାନେ ବିଦେଶରେ। ସମସ୍ତେ ନିଜ ନିଜର ଚାକିରିବୃତ୍ତି,ପିଲାପିଲି ଜଞ୍ଜାଳକୁ ନେଇ ବ୍ୟସ୍ତ। ଯେଉଁ ପୁଅ ପାଖକୁ ବେଉରା ଦେଲେ ସିଏ କିଛି ନା କିଛି ଅସୁବିଧା ଦର୍ଶାଇ ଆସିଲାନାହିଁ। ମାଉସୀଙ୍କର ଅବସ୍ଥା ଏମିତି ଯେ ବସିକି ଉଠିଲା ବେଳକୁ ଆଣ୍ଠୁ ସିଧାକରିବାକୁ ବଖତ ଲାଗୁଛି। ସେଇଥିରେ ପୁଣି ଦୁଇପ୍ରାଣୀଙ୍କ ପାଇଁ ଚାଉଳ ଦି'ମୁଠା ଫୁଟାଇବାକୁ ପଡୁଛି। ପିଲାମାନେ କେହି ଆସି ନପାରିବାରୁ ଶେଷରେ ପଡ଼ିଶାଘରର କଲେଜପଢୁଆ ପୁଅ ଶଙ୍କରର ସାହାରା ନେଇ ଆସିଛନ୍ତି ତାଙ୍କ ପାଖକୁ। କଟକ ସହରରେ ଡାକ୍ତର ଦେଖା ଏବଂ ଔଷଧପତ୍ର କିଣାକିଣି ପାଇଁ ଅଧିକ ଖର୍ଚ୍ଚ ହେବ ବୋଲି ମଉସାଙ୍କୁ ଜଣା। ସେଥିପାଇଁ ଆଗୁଆ ଆକଳନ କରି ଆବଶ୍ୟକୀୟ ଅର୍ଥ ସାଥିରେ ଧରି ଆସିଛନ୍ତି। ମଉସାଙ୍କର ପୂର୍ଣ୍ଣ ବିଶ୍ୱାସ, ବଡ଼ ଡ଼ାକ୍ତରଖାନାରେ ଟିକେ ଦେଖେଇଦେଲେ ଜମାରୁ ଛାଡୁନଥିବା ଏ ଜ୍ୱର ଦିନେ ଦି'ଦିନରେ କୁଆଡେ ଯିବ।
ଜ୍ୱର ଯୋଗୁଁ କିଛି ଟିକେ ପାଟିକୁ ନେଲେ ଉକାଳ ଆସୁଛି ବୋଲି ଜଳଖିଆ ପାଇଁ ମୂଳରୁ ମନାକରିଦେଇ ଖାଲି ଅଦା'ଚା ଟିକେ ପିଇଦେଇ ଅମୀୟବାବୁଙ୍କୁ କହିଲେ,' ଆରେ ବାବା ଅମୁ, କାଲି ସକାଳେ ମୋତେ ଟିକେ ତୋ ଜଣାଶୁଣା ଭଲ ଡାକ୍ତର ପାଖକୁ ନେଇଯିବୁ।'
ଅମୀୟବାବୁ ରୋଗବ୍ୟାଧି କ୍ଷେତ୍ରରେ ଟାଳଟୁଳ କରିବାକୁ ଭାରି ନାପସନ୍ଦ କରନ୍ତି। ରୋଗବାଗ କଥା,ଯାହା କରିବ ତୁରନ୍ତ କରିବ। ମଉସାଙ୍କ କଥା ସରୁସରୁ ସେ କହିଲେ,' ନାଇଁମ ମଉସା,କାଲିକି କାହିଁକି ପୁଣି ଅପେକ୍ଷା କରିବା, ଏବେ ବାହାରିଗଲେ ଭଲ ହେବ। ମୁଁ ପ୍ୟାଣ୍ଟ ସାର୍ଟ ପିନ୍ଧିନିଏ ବହାରିଯିବା।' ଏତକ ଶୁଣି ମଉସାଙ୍କ ଯନ୍ତ୍ରଣା କାତର ମୁହଁ ଉପରେ ପରିତୃପିର ରେଖାଟିଏ ଉଜ୍ଜ୍ୱଳ ହେଇଉଠିଲା ନିମିଷକ ପାଇଁ।
'ତୁ ନିଶ୍ଚେ କୋଉ ଜନ୍ମରେ ମୋର ପୁଅ ଥିଲୁ ବାବା। ଜନମ କଲା ପୁଅ ଆହାପଦ କହୁନାହାଁନ୍ତି ଅଥଚ ତୁ ବସିଲା ଥାନରୁ ଉଠିଆସୁଛୁ।',କହୁକହୁ ମଉସାଙ୍କ ଆଖିରୁ ଦୁଇଧାର ଲୁହ ନିଗିଡି ଆସିଲା ତଳକୁ ।
'ଇଏ କେମିତିକା କଥା କହୁଛ ମଉସା ,ମୁଁ କଣ ତମର ପୁଅଟିଏ ନୁହେଁକି? ତାପରେ,ଆଜିକାଲି ବିଦେଶରେ ପିଲାମାନଙ୍କର କେତେ ଜଞ୍ଜାଳ ସେକଥା ସେମାନଙ୍କ ଛଡା ଆଉକେହି ବୁଝିପାରିବନାହିଁ। ସେସବୁ ଭାବନା ବିଲକୁଲ ମନକୁ ଆଣନା। ',ଆଶ୍ୱାସନା ଦେବା ଭଙ୍ଗୀରେ ଅମୀୟବାବୁ କହିଲେ।
ପ୍ରସିଦ୍ଧ ମେଡ଼ିକାଲ ସ୍ପେଶାଲିସ୍ଟ ତଥା ରିଟାୟାର୍ଡ ପ୍ରଫେସର ଡ଼ଃ. ମନ୍ମଥ ମିଶ୍ରଙ୍କ କାଠଗୋଲା ସାହିସ୍ଥିତ କ୍ଲିନିକରେ ପହଂଚିଲା ବେଳକୁ ସେ ଶେଷରୋଗୀକୁ ଦେଖୁଥିଲେ। ଅମୀୟବାବୁଙ୍କ ସହ ଆଗରୁ ପରିଚିତ। ତାଙ୍କୁ ଦେଖି ଡାକ୍ତର ବାବୁ କହିଲେ,' ଆରେ ଅମୀୟବାବୁ,ବହୁତଦିନ ପରେ ଦେଖାଦେଲେ ! ସବୁ ଠିକଠାକ ଚାଲିଛି ତ?'
ଅମୀୟବାବୁ ତାଙ୍କର ସେଇ ଚିରାଚରିତ ନମ୍ରତାର ସହିତ କହିଲେ, 'ଆଜ୍ଞା ସାର୍, ଈଶ୍ୱରଙ୍କ କୃପାରୁ ଚାଲିଛି ସବୁକିଛି ଏକପ୍ରକାର। ସକାଳୁ ସକାଳୁ ଗାଆଁରୁ ଆସି ମଉସା ପହଁଚିଲେ। ପୁଅ ପରି ସ୍ନେହ ଆଦର କରନ୍ତି ମୋତେ। ପିଲାମାନେ ସବୁ ବିଦେଶରେ, ଦେଖାଶୁଣା କରିବାକୁ ପାଖରେ କେହି ନାହିଁ। ଦେଢ଼ମାସ ହେଲାଣି ଜ୍ୱର,ଜମା ଛାଡୁନାହିଁ। ବୁଢ଼ାଲୋକ ବହୁତ କଷ୍ଟ ପାଇଲେଣି। ତେଣୁ,ଡେରି ନକରି ନେଇଆସିଲି ଆପଣଙ୍କ ପାଖକୁ ଟିକେ ଭଲକରି ଦେଖିବେ ବୋଲି।'
ଶେଷ ରୋଗୀଟିକୁ ବିଦା କରିସାରି ଡାକ୍ତର ବାବୁ ମଉସାଙ୍କୁ ଭଲକରି ଦେଖିଲେ। ଜ୍ୱର ବାବଦରେ ଟିକିନିଖି ପଚାରି ବୁଝିବାପରେ ଚିଠାଟିଏ ଅମୀୟବାବୁଙ୍କ ହାତକୁ ବଢ଼େଇଦେଇ କହିଲେ, ' ଦି'ଦିନ ପାଇଁ ଔଷଧ ଲେଖିଦେଇଛି କିଣିନେବେ ଆଉ ରକ୍ତର କେଇଟା ପରୀକ୍ଷା ପାଇଁ ଲେଖିଛି,ସେସବୁ ଟେଷ୍ଟ ରିପୋର୍ଟ କାଲି ସଂଧ୍ୟାସୁଦ୍ଧା ଆଣି ଦେଖାଇଲେ ଯଦି ଆବଶ୍ୟକ ହୁଏ ତେବେ ଔଷଧ ପରିବର୍ତ୍ତନ କରିବି।' ଡାକ୍ତରଙ୍କୁ କୃତଜ୍ଞତା ପୂର୍ବକ ଧନ୍ୟବାଦ ଜଣାଇ,ନମସ୍କାର କରି ,ମଉସାଙ୍କୁ ଧରି ପଦାକୁ ବାହାରିଆସିଲେ ଅମୀୟବାବୁ। ଔଷଧ ପତ୍ର କିଣିସାରି ପାଥୋଲାବରେ ରକ୍ତ ନମୁନା ପଇଠ କରେଇ ମଉସାଙ୍କୁ ଧରି ଅଟୋରେ ବସିଲେ । ଘରପାଖରେ ପହଂଚି ଅଟୋରୁ ଓହ୍ଲେଇ ପାଉଣା ପରିଶୋଧ କରି ପରଦିନ ସକାଳ ଆଠଟା ସୁଦ୍ଧା ଆସି ପହଂଚିବା ପାଇଁ ଡ୍ରାଇଭରକୁ କହିଦେଲେ।
ତହିଁଆରଦିନ ସକାଳେ ମଉସାଙ୍କୁ ସାଥିରେ ଧରି ମଙ୍ଗଳାବାଗରେ ପହଞ୍ଚିବା ବେଳକୁ ପାଥୋଲାବ ଖୋଲିସାରିଥିଲା। ଟେଷ୍ଟ ରିପୋର୍ଟ ସଂଗ୍ରହ କରି ତୁରନ୍ତ ଦାସ କ୍ଲିନିକ ମୁହାଁ ହେଲେ। ଡେରି ହେଲେ ଭିଡ଼ ହେଇଯିବ,ଆଗୁଆ ପହଂଚିଯିବା ଭଲ। ସୌଭାଗ୍ୟବଶତଃ ସେଠି ପହଂଚିଲାବେଳକୁ ଆଉକେହି ବି ଆସିନଥିଲେ। ପାଞ୍ଚ-ସାତ ମିନିଟ ଅପେକ୍ଷା କରିବାପରେ ଡାକ୍ତର ବାବୁ ଆସିବାର ଦେଖି ମଉସା ଉଠୁଥିଲେ,ଡାକ୍ତରବାବୁ ତାଙ୍କୁ ସେଇଠି ବସିବାପାଇଁ କହି ତାଙ୍କ ପ୍ରକୋଷ୍ଠ ଭିତରକୁ ପଶୁପଶୁ ରିପୋର୍ଟ ନେଇ ଭିତରକୁ ଆସିବାପାଇଁ ଅମୀୟବାବୁଙ୍କୁ ଇସାରାଦେଲେ। ରିପୋର୍ଟ ଉପରୁ ଆଖି ବୁଲେଇ ଆଣି କେମିତି ଏକ ଉଦାସ ଆଖିରେ ଚାହିଁ ଦୀର୍ଘଶ୍ଵାସଟିଏ ନେଲେ।ଅମୀୟବାବୁ କିଛି କହିବା ଆଗରୁ ଡଃ.ମିଶ୍ର ତାଙ୍କ ନିଜ ଆଡୁ କହିଲେ,' ବୁଝିଲେ ଅମୀୟବାବୁ,ଆଜି କ୍ଲିନିକ ବନ୍ଦ। କେବଳ ଆପଣଙ୍କ ମଉସାଙ୍କ ପାଇଁ ଆସିଥିଲି। ଆପଣଙ୍କର ଦୁର୍ଭାଗ୍ୟ,କାଲି ରୋଗୀଙ୍କୁ ଦେଖିଲାବେଳେ ଯାହା ସନ୍ଦେହ କରୁଥିଲି ତାହା ଠିକ।'
ବହୁକଷ୍ଟରେ ସାହସ ଯୋଗାଡି ଏକପ୍ରକାର ଆତଙ୍କିତ ସ୍ୱରରେ ଅମୀୟବାବୁ ପଚାରିଲେ,' କଣ ହେଇଛି ଆଜ୍ଞା ମଉସାଙ୍କର?'
'ବ୍ଲଡ଼ କ୍ୟାନ୍ସର, ଲାଷ୍ଟ ଷ୍ଟେଜ।' ଏତିକି କହିସାରି କ୍ଷଣକ ପାଇଁ ନିରବ ରହି ଅମୀୟବାବୁଙ୍କ ଆଡକୁ ଚାହିଁଲେ ଡକ୍ଟର ମିଶ୍ର। ଅମୀୟବାବୁ କିଛି ପଚାରିବାକୁ ଚାହୁଁଥିଲେ ମାତ୍ର କିଛି ପଚାରି ପାରୁନଥିଲେ। ତାଙ୍କୁ ଲାଗୁଥିଲା ସତେ ଯେପରି ତାଙ୍କ ଉପର ଓଠଟି ଅଚାନକ ଅତ୍ୟଧିକ ଭାରିହେଇ ଲଦି ହେଇଯାଉଥିଲା ତଳ ଓଠ ଉପରେ। ତାଙ୍କ ମନର ବ୍ୟସ୍ତତାକୁ ବେଶ ଭଲକରି ପଢିପାରୁଥିଲେ ଅଭିଜ୍ଞ ଡକ୍ଟର ପ୍ରଫେସର ମନ୍ମଥ ମିଶ୍ର। ଅମୀୟବାବୁଙ୍କ ଥରଥର ହାତପାପୁଲି ଉପରେ ହାତରଖି ଏକ ନିଷ୍ଫଳ ଶାନ୍ତ୍ବନା ଦେବାର ପ୍ରୟାସ କରି ହାଲକା କଣ୍ଠରେ କହିଲେ, ' ଯେଉଁଥିରେ କିଛି କରିବାକୁ କିଛି ବାକି ନାହିଁ ସେଥିପାଇଁ ବହୁତ ବ୍ୟସ୍ତ ହେଇ କଣ ଲାଭ ମିଳିବ ଅମୀୟବାବୁ। ବରଂ, ତାଙ୍କ ହାତରେ ଥିବା ବାକି କିଛିଦିନ ତାଙ୍କ ଅଜାଣତରେ ସେମିତି ବଞ୍ଚିବାକୁ ଦେବା ଉଚିତ ହେବ।' ପାଦ ଦୁଇଟି ପଥର ହେଇ ଭୁଇଁ ଉପରେ ସ୍ଥିର ହେଇଯିବା ଆଗରୁ ଉଠି ଛିଡାହେଇଗଲେ ଅମୀୟବାବୁ। ପ୍ରକୋଷ୍ଠ ବାହାରକୁ ବାହାରି ଆସି ମଉସାଙ୍କ ହାତ ଧରି ଛିଡା କରେଇଦେଇ କହିଲେ,' ଚାଲନ୍ତୁ ମଉସା, ଘରକୁ ଯିବା।'
ଅଟୋରେ ବସିସାରିବା ପରେ ମଉସା ପଚାରିଲେ,' ଡାକ୍ତରବାବୁ କଣ କହିଲେ ପୁଅ,ରିପୋର୍ଟରେ ସବୁ ଠିକ ଅଛିତ?'
ମଉସାଙ୍କ ମୁହଁକୁ ଚାହିଁବାପାଇଁ ସାହସ ହେଉନଥିଲା ତାଙ୍କର। ବାହାରେ ଦୂର ଗାଁ ପାଖ ଆକାଶକୁ ଛୁଉଁଥିବା ତାଳବଣ ଆଡକୁ ଚାହିଁ ମଉସାଙ୍କ ହାତପାପୁଲିକୁ ଧରି ବହୁକଷ୍ଟରେ କହିଲେ,' ହଁ ମଉସା,ସବୁ ଠିକ ଅଛି। ସେଇ ଔଷଧ ଖାଇଲେ ଟିକିଏ ଡେରିରେ ହେଉପଛେ ଜ୍ୱର ଭଲ ହେଇଯିବ।' ସଂକ୍ଷିପ୍ତ ବାକ୍ୟଟି କହିସାରି ଆଖି ଚୋରାଇ ଦେଖିଲେ ମଉସାଙ୍କ ମୁହଁ ଉପରେ ଯନ୍ତ୍ରଣାର ଅଗାଧ ଜଳରାଶି ଉପରେ ଆଶାର ଏକ ଛୋଟ ଢେଉ ଉଠି ଓଠ ଆଡକୁ ମନ୍ଥର ଭାବେ ଗତିଶୀଳ ହେଉଥିଲା। ଅପରପକ୍ଷେ, ମୃତ୍ୟୁ ଆଡକୁ ଦ୍ରୁତ ଗତିଶୀଳ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ପ୍ରବୋଧନା ଦେବାର ଅସଦ ପ୍ରୟାସ କରି ଏତେବଡ଼ ମିଛକଥାଟିଏ କହିଥିବାରୁ ଅମୀୟବାବୁ ନିଜକୁ ଧିକ୍କାର କରିଚାଲିଥିଲେ।
ଅଟୋ ଇପିକଲ ଛକ ପାରେଇ କେନାଲ ମୁଣ୍ଡ ଧରିବାମାତ୍ରେ କେମିତି କେଜାଣି ମଉସାଙ୍କ ଦୃଷ୍ଟି ଲମ୍ବିଗଲା ଚାକୁନ୍ଦାଗଛରୁ ଓହଳିଥିବା ଖେପାଜାଲ ଗୁଡିକ ଆଡକୁ। ଏବେ ପର୍ଯ୍ୟନ୍ତ ନୀରବ ଥିବା ମଉସା କହିଲେ, 'ଆରେ, ଏ ବାପା ଅମୁ, ଟିକିଏ ଗାଡି ଅଟକାଇଲୁ ବାବା,ଜାଲଖଣ୍ଡେ ଦେଖିବା। ଘରେ ଥିବା ଜାଲ ଖଣ୍ଡକର ଘାଇ ସବୁ ଛିଣ୍ଡିଯାଇଛି ବୋଲି ଏଥର ଆଇଲାବେଳେ ଖେପାଟେ ପକାଇ ତୋ ପାଇଁ ମାଛ ଟିକେ ଆଣିପାରିଲି ନାହିଁ ବୋଲି ମନଟା ଜମାରୁ ସୁଖ ଲାଗୁ ନାହିଁ।'
ଅଚାନକ ଅମିତବାବୁଙ୍କ ଭାବନାର ଖିଅ ଛିଣ୍ଡିଗଲା,ସତେ ଯେମିତି ମଉସାଙ୍କ ଖେପାଜାଲର ଆଉଗୋଟେ ଘାଇ ଛିଣ୍ଡିଗଲା। ବହୁକଷ୍ଟରେ ନିଜକୁ ସମ୍ଭାଳି ନେବାକୁ ଉଦ୍ୟମ କରିବା ବେଳକୁ ତାଙ୍କ ମୁହଁରୁ ସ୍ୱତଃସ୍ଫୁର୍ତ୍ତ ଭାବେ ବାକ୍ୟଟିଏ ବାହାରି ଆସିଲା, ' ନାଇଁ ମଉସା, ମୁଁ ପରା ଖାସ ତମକୁ ଦବାପାଇଁ ପହରଦିନ ବାଛିବାଛି କରି ନୂଆ ଜାଲଖଣ୍ଡେ ଏଇଠୁ ନେଇ ରଖିଛି। ଘରେ ପହଁଚିଲେ ଦେଖିବ।' କହିସାରିବା ବେଳକୁ ତାଙ୍କ ଆଖି ଭିତରେ ପଥହରା ହେଇ ବୁଲୁଥିବା ଲୁହ ଦୁଇଧାର ହେଇ ଓହ୍ଲେଇ ଆସିଲା ତଳକୁ। ସେଇ ଲୁହକୁ ମଉସାଙ୍କ ଆଖିରେ ନପଡିବାକୁ ଦେବାପାଇଁ ସ୍ୱୟଂଚାଳିତ ଭାବେ ତାଙ୍କର ସ୍କନ୍ଧ ଆବୃତ୍ତ କରୁଥିବା ସାର୍ଟ ଏବଂ ଲୁହ ଅଜାଡୁଥିବା ଚକ୍ଷୁଦ୍ବୟ ଘନଘନ ପରସ୍ପରକୁ ଚୁମି ଚାଲିଥିଲେ। ଲାଗୁଥିଲା, ମଉସା ଯେମିତି ଏକ କାଳ୍ପନିକ ଆଶ୍ୱସ୍ତିର ଅନୁଭବକୁ ଆସ୍ଵାଦି କିଞ୍ଚିତ ଆନନ୍ଦ ଅନୁଭବ କରଚାଲିଥିଲେ।
ଘରେ ପହଞ୍ଚୁ ପହଞ୍ଚୁ ଯଶୋଧାରା ଏକସଙ୍ଗେ ଏକାଧିକ ପ୍ରଶ୍ନ ପଚାରିଗଲେ, ' ଡକ୍ଟର କଣ କହିଲେ? ମଉସା ଶୀଘ୍ର ଘଲ ହେଇଯିବେନା? ରିପୋର୍ଟ ସବୁ ଠିକ ଥିବ,ନୁହେଁ?' ପୋଷାକ ବଦଳେଇବା ଭିତରେ ପତ୍ନୀଙ୍କ ମୁହଁକୁ ନଚାହିଁ ଅମୀୟବାବୁ ସାମାନ୍ୟ ଦମ୍ଭିଲା ସ୍ୱରରେ କହିଲେ , ' ଆରେ ବାବା,ସବୁ ଠିକ ଅଛି। ଔଷଧ ଖାଇଲେ ଦି'ତିନିଦିନ ଭିତରେ ମଉସାଙ୍କ ଦେହ ସମ୍ପୂର୍ଣ୍ଣ ଭଲ ହେଇଯିବ। ପିଲାଟା ତରବର ହେଇ ପଳେଇଗଲା,ଥିଲେ ଆଜି ମଉସାଙ୍କୁ ନେଇ ଗାଁ'କୁ ଚାଲିଯାଇଥାନ୍ତା। କିଛି କଥାନାହିଁ,କାଲି ତ ମୋର ଛୁଟି ଅଛି,ମୁଁ ନିଜେ ନେଇ ଛାଡ଼ିଦେଇଆସିବି। '
ସନ୍ଧ୍ୟାବେଳେ ମଉସାଙ୍କୁ ଟିକେ ଭଲ ଲାଗିଲା କି କଣ କହିଲେ,' ବାପା ଅମୁ,ଜାଲ ଦେଖେଇବୁ ବୋଲି କହୁଥିଲୁ ପରା, ଆଣିଲୁ ବାବା ଦେଖିବା ଟିକିଏ। '
କ୍ଷଣ ବିଳମ୍ବ ନକରି ଅମୀୟବାବୁ ଚଉକିଟିଏ ଟାଣିନେଲେ କାନ୍ଥପାଖକୁ। ଜାଲଟିକୁ ବାହାର କରିଆଣି ଦଅଣ ଖୋଲିଦେଇ ମଉସାଙ୍କ ସାମ୍ନାରେ ଥୋଇଦେଇ ଜାଲର ଚୁଳି ପାଖରୁ ଟେକି ଧରିଲେ। ଜାଲର ଗଣ୍ଠି ଏବଂ ଘାଇବନ୍ଧାକୁ ହାତମାରି ଭଲକରି ଦେଖିଲାପରେ ମଉସାଙ୍କ ମୁହଁ ଉପରେ ଯେଉଁ ପ୍ରସନ୍ନତା ଫୁଟିଉଠିଲା ତାହାଦେଖି ଅମୀୟବାବୁ ଅନୁଭବ କଲେ ଯେ ତାଙ୍କର ସେଇ ଜାଲ ଖଣ୍ଡକ କିଣିବାର ନିଷ୍ପତ୍ତି କେତେ ସଠିକ ଥିଲା ସେଦିନ। ଖେପାଜାଲ ପକେଇ ବାଡ଼ି ପୋଖରୀରୁ ଆଗରୁ କାହିଁକେତେ ମାଛ ଧରି ଯେତେ ଖୁସି ହେଇନଥିଲେ ସେ ଆଜି ପୋଖରୀ ପାଖରୁ ଏତେ ଦୂରରେ ରହି,ପାଣିରେ ନପଶି ସେଇ ଜାଲରେ ତାଠାରୁ କାହିଁ କେତେଗୁଣା ଆନନ୍ଦ ଛାଣି ଆଣିପାରିଛନ୍ତି ସତରେ ! ସେ ଦେଖୁଥିଲେ, ହେଉପଛେ କେଇକ୍ଷଣ ପାଇଁ, ମଉସା ଆନନ୍ଦରେ ଗଦଗଦ ହେଇ ସମ୍ପୁର୍ଣ୍ଣ ବିସ୍ମରି ଯାଇଥିଲେ ତାଙ୍କ ଦେହକୁ ଗୋଟାପଣ ଆପଣାଇ ନେଇଥିବା ନଛୋଡବନ୍ଧା ଜ୍ବରକୁ। ଏଠିକୁ ଆସିବା ପରେ ପ୍ରଥମଥର ତାଙ୍କ ଶୀର୍ଣ୍ଣ ମୁଖମଣ୍ଡଳରେ କ୍ଷୀଣ ହସ ଟିକେ ଚହଟି ଉଠିଲା ଅସ୍ତଗାମୀ ସୂର୍ଯ୍ୟଙ୍କର ଅନ୍ତିମ କିରଣ ପରି। 'ଏମିତି ଖେପାଜାଲ ଖଣ୍ଡେ କେବେଠୁ ଖୋଜୁଥିଲି ବାବା,ହେଲେ କୋଉଠି ପାଉନଥିଲି। ଶେଷରେ ମୋର ସେ ଇଚ୍ଛାଟିକୁ ମଧ୍ୟ ପୂରଣ କରିଦେଲୁ ତୁ। ଏ ବାପା ଅମୁ, ଈଶ୍ୱର ମୋତେ ତୋ ପରି ଗୋଟିଏ ପୁଅ ଦେଇଥିଲେ ମୁଁ ଏ ଦୁନିଆର ସବୁଠାରୁ ସୁଖୀ ବାପ ହେଇଥାନ୍ତି । ପ୍ରଭୁଙ୍କୁ ପ୍ରାର୍ଥନା କରୁଛି ଆରଜନ୍ମରେ ତୋତେ ହିଁ ମୋର ଏକମାତ୍ର ପୁଅ କରି ଜନ୍ମ ଦିଅନ୍ତୁ।' ଏକାନିଶ୍ୱାସରେ କହିସାରି ଦି'ହାତ ପାପୁଲିରେ ଛଳଛଳ ଆଖିରୁ ଲୁହ ପୋଛିପକାଇଲେ ମଉସା। ଅମୀୟବାବୁ ନିଜକୁ ସମ୍ଭାଳି ପାରିବା ସ୍ଥିତିରେ ନଥିଲେ। ଦାଣ୍ଡ ଦୁଆର ଖୋଲିଦେଇ ଏକପ୍ରକାର ଦୌଡ଼ି ଦୌଡ଼ି ଗେଟ ବାହାରକୁ ଚାଲିଗଲେ ଅମୀୟବାବୁ। ବେଶ କିଛିଦୂର ଆସିବା ପରେ ରାସ୍ତା କଡରେ ବସିପଡି ଛୋଟପିଲାଟିଏ ପରି ଭୋଭୋ କରି କାନ୍ଦିବାକୁ ଲାଗିଲେ । ତାଙ୍କର ମନ କହୁଥିଲା ସକାଳେ ମଉସାଙ୍କୁ ନେଇ ଗାଁ'କୁ ଛାଡିବାକୁ ଯିବା ଆଗରୁ ନିଜ ଆଖିର ସବୁଯାକ ଲୁହକୁ ସେଇଠି ନିଗାଡ଼ିଦେବାପାଇଁ।
ଗାଁରେ ପହଂଚିବା ମାତ୍ରେ ଅମୁକୁ ଦେଖି ମାଉସୀ ବହୁତ ଖୁସି ହେଇଗଲେ। ପିଲାପିଲି ମାନଙ୍କ ଦେହପା, ଭଲମନ୍ଦ ପଚାରି ସାରି କହିଲେ ଏତେଦିନ ପରେ ଗାଁ'କୁ ଆସିଛୁ ପୁଣି ଛୁଟି ଅଛି ଯେତେବେଳେ ଅତିକମରେ ଦିନଟିଏ ରହିକରି ଯିବୁ ବାପା। ନହେଲେ ମଉସା ମନ ଖରାପ କରିବେ। ଜାଲ ଛିଣ୍ଡିଯାଇଥିଲା ବୋଲି ଗଲାବେଳେ ମାଛଟିକେ ନେଇ ଯାଇପାରିଲେ ନାହିଁ ବୋଲି କେତେ ମନସ୍ତାପ କରୁଥିଲେ। ଏମିତି ଅବସ୍ଥାରେ ମଉସା କୋଉଁ ପାରିବେ, ସକାଳେ ତୁ ନିଜେ ଜାଲ ପକେଇ ଭଲ ମାଛ ଦି'ଟା ଧରି ବୋହୁ ଆଉ ପିଲାମାନଙ୍କ ପାଇଁ ନେଇକରି ଯିବୁ।
ଅମୀୟବାବୁ ଚାହୁଁନଥିଲେ ମାଉସୀଙ୍କ ସହ ବଞ୍ଚିବା ପାଇଁ ମଉସାଙ୍କ ହାତରେ ଥିବା ଏତେ ସୀମିତ ସମୟରୁ ମୁହୂର୍ତ୍ତଟିଏ ତାଙ୍କ ନିଜପାଇଁ ବ୍ୟୟ କରିଦେବାପାଇଁ। ବେଶୀ କିଛି କହିବାପାଇଁ ତାଙ୍କ ଭିତରେ ଆବଶ୍ୟକୀୟ ବଳ ମଧ୍ୟ ନଥିଲା। ଦୁଇହାତରେ ମଉସା ଓ ମାଉସୀଙ୍କ ହାତଧରିପକେଇଲେ ସେ। ' ମୋ ଆସିବା ଯିବା ପାଇଁ ଅନେକ ସମୟ ଅଛି ମାଉସୀ, ସେପାଇଁ ଜମାରୁ ମନ ଉଣା କରନା। ଭଲକରି ଟିକେ ମଉସାଙ୍କର ଦେଖାଶୁଣା କର। ମୁଁ ଏବେ ଆସୁଛି ମଉସା।'; ଉଡ଼ନ୍ତା କାଶତଣ୍ଡି କେଶର ପରି ହାଲକା ସ୍ୱରରେ କେବଳ ଏତିକି କହି ଦୁଆର ବାହାରକୁ ପାଦ ବଢେଇଲେ ଅମୀୟବାବୁ। ବାଡି ପୋଖରୀରେ ଖେପାଜାଲ ପକାଇବାର ଇଚ୍ଛା ମୁଣ୍ଡରୁ ବୋହିଆସୁଥିବା ଝାଳରେ ଧୋଇ ଯାଉଥିଲା ଭାବନା ଭିତରୁ ସବୁଦିନ ପାଇଁ। ।
