STORYMIRROR

Binaya Bhusan Panigrahi

Others

4  

Binaya Bhusan Panigrahi

Others

ଅଳପେଇସା

ଅଳପେଇସା

19 mins
501

 "ହଇରେ ନଖିଛଡ଼ା-ଅଳପେଇସା, ରାତି ପାହିଲାକି ନାହିଁ ବାସି ବିଛଣାରେ ପଡି 'ଖାଇବି-ଖାଇବି' ହେଇ ହମ୍ବା ରଡି ଛାଡିଲୁ । "- ଘସି ପରା ଛାଡି, ଗୋବର ହାତ ପାପୁଲିକୁ ଘାସ ଉପରେ ଘଷି ଦେଇ ଗାଜୁରୁ ଗାଜୁରୁ ହେଇ ଦୁଆର ଭିତରକୁ ପଶିଆସିଲା ବୁଢ଼ୀ । 

ଘର ଭିତରକୁ ପଶିଆସି ବିଛଣାକୁ ଚାହିଁ ଦେଇ ସବୁଦିନ ଭଳି ଆଜି ମଧ୍ୟ ବୁଢ଼ୀ ଭୀଷଣ ଚିଡି ଉଠିଲା । ବିଛଣାରେ ବାଇଶି ବର୍ଷର ନାତି ଟୋକାଟା କଟାଗଛ ଭଳି ଲମ୍ବଖମ୍ବ ହେଇ ପଡିଛି । 

"ହଇରେ ଦଇବ! ତୁ ନିଲଠାକୁ ମୁଁ ବେହିଆ । ଦିନ ଆସିକି ରତରତ ହେଲାଣି ଏଯାଏଁ ଦରବୁଢ଼ା ଟୋକାର ପହଡ଼ ଭାଙ୍ଗୁନି । ୟା' ବଅସର ହେଲାବେଳକୁ ୟା ଜେଜ ମାରଣା ଷଣ୍ଢର ଶିଙ୍ଗ ଧରି ଆଣ୍ଠେଇ ଦେଉଥିଲା, ଆଉ ଇଏ ? ଛି-ଛି-ଛି, ଇଏ ତ ଏବେବି କ୍ଷୀରଖିଆ କଅଁଳା ଛୁଆ ହେଇକି ରହିଛି । " –କହିଲା ବେଳେ ବିଲକୁଲ ନିଃଶ୍ୱାସ ନେଉ ନଥିଲା ବୁଢ଼ୀମାଆଆ । 

"ଭୂଇଁରେ ପଡୁପଡୁ ମାଆକୁ ଖାଇଲା । ସେତକରେ ମନ ବୁଝିଲା ନାହିଁ ଯେ ଦିନ କେଇଟାରେ ବାପକୁ ବି ଖାଇଦେଇ ମୋଅରି ବେକରେ ନାଗଫାସ ହେଇକି ଝୁଲି ପଡିଲା । "- ବକର ବକର ହେଉହେଉ ବୁଢ଼ୀ ଶନିଆ ମୁହଁକୁ ଚାହିଁଦେଇ ନିଆଁରେ ପାଣି ଢାଳିଲା ପରି ଚୁପ ହେଇଗଲା । ଶନିଆ ଶୋଇଛି । ହଲଚଲ ନାହିଁ । ମଝିରେ ମଝିରେ ବିଳିବିଳଉଛି, "ଦେଲୋ ବୁଢ଼ୀମାଆ, ଖାଇବି । " ଦେହଟା ବରଡା ପତ୍ର ଭଳି ଥରୁଛି । 

"ଆଲୋ ମଆଲୋ, ମୋ ସଙ୍ଖାଳିର କଣ ହେଲା ଲୋ!"କହି ବୁଢ଼ୀ ଲୁଗାକାନିରେ ଗୋବର ହାତକୁ ପୋଛିଦେଇ ଶନିଆର ପାଆଠୁ ମୁଣ୍ଡ ଯାଏ ହାତ ବୁଲେଇ ଆଣିଲା । ଦେହରେ ତାତି ଫୁଟୁଛି ଯେ ଧାନ ପକେଇଲେ ଖଇ ଫୁଟିଯିବ । 

କନ୍ଥା ଖଣ୍ଡେ ଆଣି ଢାଙ୍କିଦେଇ, ଶନିଆ କପାଳ ଆଉଁସି ଦେଇ ବୁଢ଼ୀ କାନ୍ଦ କାନ୍ଦ ହେଇ କହିଲା, " ଛୁଆଟା ମୋ'ର ଜ୍ଜ୍ୱରରେ କମ୍ପୁଛି, ମୁଁ ଡାହାଣୀ କିଛି ନ ଜାଣି କେତେକଣ ସମ୍ପି ଚାଲିଛିରେ ଧନ । ମୋ ମୁଣ୍ଡରେ ବଜ୍ର ପଡୁନି! ଏତେ ଲୋକ ଯାଉଛନ୍ତି ହେଲେ ଦଇବ ମୋତେ କଣ ନଉଛି ? କଣ କରିବିରେ ବାପ, ଏ ପୋଡ଼ା ଜୀବନ ଧରି ବଞ୍ଚି ରହିଛି ଖାଲି ତୋଅରି ପାଇଁ ।"

ବୁଢ଼ୀ ଉଠିଯାଇ ଠଣା ଅଣ୍ଡାଳି ଯାହାକିଛି ପାଇଲା କାନିରେ ବାନ୍ଧି ଶନିଆ ମୁଣ୍ଡ ପାଖରେ ଆଣ୍ଠେଇ ପଡ଼ି କହିଲା, " ମୋ ଧନଟା ପରା, ଜମା ବ୍ୟସ୍ତ ହଅନା, ତୋ ବୁଢ଼ୀମାଆ ପରା ବଞ୍ଚିଛିରେ-କିଛି ହବନି ତୋ'ର । ଯାଉଛି ସଙ୍ଗେ ସଙ୍ଗେ ବଇଦଙ୍କୁ ଡାକି ଆଣିବି । "

ଆଉ ଉଛୁର ନ କରି, କବାଟ ଆଉଜେଇ ଆଣି ବୁଢ଼ୀ ଅଣନିଃଶ୍ୱାସୀ ହେଇ ସଦା ଗୋସେଇଁଙ୍କ ଘରମୁହାଁ ଧାଇଁଲା । 

   କଟକ ସହରଠୁ ସାଲେପୁର ଆଡକୁ ସାତ ଆଠ ମାଇଲ ଗଲାପରେ ଡାହାଣ ପାଖକୁ ଲମ୍ବିଯାଇଛି ସରୁ କଚ୍ଚା ରାସ୍ତାଟିଏ । ସେଇ ରାସ୍ତାରେ ପାଞ୍ଚ-ଛଅ କୋଶ ଯାଇ ନଈଟା ପାରି ହେଇଗଲେ ଗୋବିନ୍ଦପୁର ମୌଜା । ଗୋବିନ୍ଦପୁର ମୌଜାର ମାଝୀ ସାହିରେ ଶନିଆର ଘର । କଟକ ସମ୍ଭବତଃ ଓଡ଼ିଶାର ସର୍ବପୁରାତନ ନଗର । ମାତ୍ର, ମାଝୀ ସାହିର ଲୋକଙ୍କ ପାଇଁ ଯମପୁରୀ ପାଖ, କଟକ ଦୂର । ଲୋକେ କୁହନ୍ତି, "ଅଣ୍ଟିରେ ଧନ ଥିଲେ କଟକ ଯିବୁ, ସେଠି ଯମକୁ ଫେରେଇ ବଡ଼ ଡାକ୍ତରଖାନାର ଡାକ୍ତରମାନେ ଯମକୁ ମଧ୍ୟ ଫେରିବା ବାଟ ବତେଇଦିଅନ୍ତି । "ହେଲେ ଏଇ ଗାଆଁର ବଡ ଡାକ୍ତର କହିଲେ ସଦାନନ୍ଦ ଗୋସେଇଁ ନହେଲେ ମରୁତ ବାବା । ମୌଜା ଭିତରେ କେହିଜଣେ ଦେହ ବାଧିକିରେ ପଡିଲେ ଖୋଜା ପଡନ୍ତି ଗୋସେଇଁ । ଗୋସେଇଁଙ୍କର ରାତି ନାହିଁ କି ଦିନ ନାହିଁ । ଦେବତା ସମାନ ଲୋକ । ଡାକରା ଆସିଲା ମାତ୍ରେ ଖାଇବା ଛାଡି ଉଠିଯା'ନ୍ତି । ଚେରମୁଳି ଭରା ଝୁଲାଟିକୁ କାନ୍ଧରେ ଗଳେଇ ଦେଇ ଝପଟି ଯାଆନ୍ତି ଗୋସେଇଁ । ରୋଗୀକୁ ଚାହିଁଦେଇ ରୋଗ ଚିହ୍ନନ୍ତି । ଅଭୟ ଦିଅନ୍ତି । ଚେରମୁଳି ଗୁଣ୍ଡ ଦେଇ ସେବନ ବିଧି ବତେଇ ଦେଲା ପରେ ଯାହା ଯିଏ ଦେଲା ଗଣାଗଣି ନ କରି ଅଣ୍ଟାରେ ଗୁଞ୍ଜିଦେଇ ବାହାରି ପଡନ୍ତି ଗୋସେଇଁ । ସଦା ଗୋସେଇଁଙ୍କ ଚେରମୁଳି ମର୍ତ୍ତ୍ୟର ମୃତ୍ୟୁ ସଂଜୀବନୀ । ପଇସା-କଉଡ଼ି ଉପରେ ମୁହାଁଶ ନାହିଁ, ସଚ୍ଚା ମଣିଷ-ସାକ୍ଷାତ ଦେବଦୂତ ସିଏ । ଉଚ୍ଚ ଜାତିର ଲୋକ ହେଲେ କଣ ହେବ କାହାରିକି ପର ଭାବନ୍ତି ନାହିଁ କି ନାକ ଟେକନ୍ତି ନାହିଁ । ବୁଢା ହେଲେଣି, ଗର୍ବ-ଅହଂକାର ଏଯାବତ ତାଙ୍କ ପାଖ କତି ମାଡି ନାହିଁ । ଗୋସେଇଁଙ୍କ ହାତରେ କି କିମିଆ ଅଛି କେଜାଣି, ଉଷଦ ଦେଇ ଫେରି ତାଙ୍କ ସାଇରେ ପହଞ୍ଚିବା ଆଗରୁ ମଳୁ ଝାଡ଼ିଝୁଡ଼ି ହେଇ ବିଛଣାରୁ ଉଠିବସେ । 

    ପାଞ୍ଚ ବର୍ଷ ତଳେ ଦିନେ ସକାଳୁ ସକାଳୁ ସାହିମୁଣ୍ଡ ଦେବୀ ମଣ୍ଡପ ପାଖରେ ଜଣେ ସାର୍ଟ-ପ୍ୟାଣ୍ଟ ପିନ୍ଧା ଭେଣ୍ଡିଆ ତଳମୁହାଁ ହୋଇ ପଡିଥିବାର ଦେଖି ପିଲାମାନେ ସାହି ସାରା ଖବର ଖେଳାଇ ଦେଲେ । ମୁହଁ ସାରା ଦାଢ଼ି, ଦେହରେ ମଇଳା ପୋଷାକ, ହାତଗୋଡ଼ ସବୁ ବାରି ସଜନା ପରି ସରୁ ସରୁ ଓ ଶିରାଳ । ନିମିଷକ ଭିତରେ ଖବରଟା ସାହି ମୁଣ୍ଡିଆଳଙ୍କ କାନରେ ପଡିଲା । ସେଇ ସନ ମାଝୀସାହି ଓ ଆଖପାଖ ଗାଆଁରେ ବଳଦ ଚୋରି ପ୍ରବଳ ମାତ୍ରାରେ ହେଉଥାଏ । ମୁଣ୍ଡିଆଳ ଭାବିଲେ, " ଇଏ ସେଇ ବଳଦ ଚୋର ନୁହେଁତ ! " କାଳ ବିଳମ୍ବ ନକରି ସେ ହାଜର ହେଇଗଲେ ମଣ୍ଡପ ପାଖରେ । ଦେବୀ ମାଆଙ୍କୁ ମୁଣ୍ଡିଆଟେ ମାରି ସାରି ଲୋକଟା ଆଡକୁ ଚାହିଁଲେ । ଲୋକଟା ହାତରେ ଗଞ୍ଜେଇ ଟଣା ଚିଲମ ଯତ୍ନର ସହ ରହିଛି । ମୁଣ୍ଡରେ ଗେରୁଆ ସିନ୍ଦୂରର ଲମ୍ବା ଗାଆଁର ଓ ମୁଣ୍ଡ ପଛପଟରେ କେରାଏ ଲମ୍ବା ବାଳରେ ଶୁଖିଲା କନିଅର ଫୁଲଟିଏ ବନ୍ଧା ହେଇଛି । "ନାଇଁରେ, ବଳଦ ଚୋର ନୁହେଁରେ, ଇଏ ତ ଜଣେ ଅବତାରୀ ବାବା-ସିଦ୍ଧ ପୁରୁଷ ନିଶ୍ଚୟ । ଶୀଘ୍ର ସାଷ୍ଟାମ କରାଅ ୟାଙ୍କୁ । " କହିସାରି ମୁଣ୍ଡିଆଳ ସାହି ଭେଣ୍ଡିଆ ମାନଙ୍କୁ ଇଶାରାଦେଲେ । ତା'ପରେ ସମସ୍ତେ ଲାଗିପଡିଲେ ସେବାରେ । କିଏ ପାଦରେ ତେଲ ମାଲିସ କଲା ତ କିଏ ଉହ୍ମେଇରେ ଗାମୁଛା ଗରମ କରି ଶେକ ଦେଲା । ଘଡ଼ିଏ ଦି'ଘଡି ପରେ ଉଠିବସିଲେ ଯୁବକ ଜଣକ । କଣ ଭାବିଲେ କେଜାଣି, ସମସ୍ତଙ୍କ ଆଡକୁ ଥରେ ଚାହିଁଦେଇ ଅଲରା ଦାଢ଼ି ଉପରେ ହାତ ମାରିଆଣି ଆଖି ମୁଦି ଧ୍ୟାନ ମୁଦ୍ରାରେ ବସି ହନୁମାନ ଚାଳିଶା ପାଠ କରିବାକୁ ଲାଗିଲେ । ଉଚ୍ଚାରଣ ଏତେ ସ୍ପଷ୍ଟ ଆଉ ପ୍ରଭାବୀ ଥିଲା ଯେ ସାହି ଯାକର ଲୋକ ତଟସ୍ଥ ହେଇଗଲେ । ଚାଳିଶା ପାଠ ସମାପ୍ତି ପରେ ଅର୍ଦ୍ଧ ନୀମିଳିତ ଚକ୍ଷୁ ଖୋଲି ଯୁବକ ଜଣକ ଶାନ୍ତ ସ୍ୱରରେ କହିଲେ, " ବତ୍ସଗଣ, ମୁଁ ମହାବୀର ହନୁମାନଙ୍କର ଜଣେ ସାଧାରଣ ସାଧକ । ଲୋକମାନେ ମୋତେ ଶ୍ରଦ୍ଧାରେ ମରୁତ ବାବା ଡାକନ୍ତି । ଏ ଯାବତ୍ ମୁଁ କୋଉ ଜାଗାକୁ ଆପଣା ଇଚ୍ଛାରେ ଯାଇନାହିଁ । ସ୍ୱୟଂ ପବନପୁତ୍ର ମହାବୀର ହନୁମାନଙ୍କ ଆଜ୍ଞାରେ ଆତଯାତ ହୁଏ । ମୁଁ ତ ନିମିତ୍ତ ମାତ୍ର, ସବୁ ସେଇ ମହାବୀର ପ୍ରଭୁ ହନୁମାନଙ୍କର ଇଚ୍ଛା । ଯେଉଁ ସ୍ଥାନରେ ପ୍ରଭୁଙ୍କର ଭକ୍ତ ମାନେ ଅସହାୟ ହେଇଯାଆନ୍ତି ପ୍ରଭୁ ମୋତେ ସେଇଠିକୁ ପ୍ରେରଣ କରନ୍ତି । ମୁଁ ଆସି ତମମାନଙ୍କ ଗହଣରେ ଉପସ୍ଥିତ ହୋଇସାରିଛି, ଏଣିକି ତମେମାନେ ବିପଦମୁକ୍ତ । କୌଣସି ଦୁଷ୍ଟ ଶକ୍ତି ତମମାନଙ୍କର କିଛି ଅନିଷ୍ଟ କରି ପାରିବ ନାହିଁ । "ହାତ ଯୋଡି, ବେକରେ ଗାମୁଛା ପକେଇ, ଜୟ ମରୁତ ବାବାକି -ଜୟ କହି ମୁଣ୍ଡିଆଳ ମହାଶୟ ବାବାଙ୍କ ପାଦତଳେ ଲମ୍ବଖମ୍ବ ହେଇ ଲୋଟିଗଲେ । ତାଙ୍କ ଦେଖାଦେଖି ସାହି ଯାକର ପିଲାକବିଲା, ଭେଣ୍ଡିଆ- ତିରିଲା, ବୁଢା-ବୁଢ଼ୀ ସମସ୍ତଙ୍କ ମୁହଁରୁ ଶୁଣାଗଲା, "ଜୟ ମରୁତ ବାବାକି-ଜୟ, ଜୟ ବଜ୍ରଙ୍ଗବାଲି କି- ଜୟ । "


  ଦେଖୁଦେଖୁ ଦିନେ ଦୁଇଦିନ ଭିତରେ ମଣ୍ଡପ ବେଢ଼ାକୁ ଲାଗି ଠିଆ ହେଇଗଲା ବାବାଙ୍କ ମଠ । ବାବା ପାଲଟି ଗଲେ ମୌଜାର ସାକ୍ଷାତ ଦେବତା ପ୍ରଭୁ ହନୁମାନ । ହେଇପାରେ ସଂଯୋଗ, ବାବା ଗାଆଁରେ ପାଦ ଦେବା ଦିନଠୁଁ ଏଯାଏଁ ଗୋଟେ ବି ବଳଦ ଚୋରି ହେଇନାହିଁ ଗାଆଁର କାହାରି ଗୁହାଳରୁ । ଦୈବୀଶକ୍ତି ବିଶ୍ୱାସ କରିବାର ପ୍ରସଙ୍ଗ ଆସିଲେ ସରଳ-ସାଧାରଣ ଗାଆଁ ଭୂଇଁର ଲୋକେ ତର୍କବିତର୍କଠୁଁ ବହୁ ଦୂରରେ ରହିବାକୁ ଉଚିତ ବିବେଚନା କରନ୍ତି । ସେମାନେ କୁହନ୍ତି, "ବିଶ୍ୱାସେ ମିଳଇ ହରି ।" ଯାହା ହେଉନା କାହିଁକି, ମରୁତ ବାବା ସେଇ ଦିନଠୁଁ ମୌଜାଟା ଯାକର ଦୀନ ଦରିଦ୍ରଙ୍କ ପାଇଁ ପ୍ରଥମ ଓ ଶେଷ ଈଶ୍ୱର । ଦେହ ଦୁଃଖ ସଦାନନ୍ଦ ଗୋସେଇଁଙ୍କୁ ବଳିଗଲେ ବାବା ହିଁ ଶେଷ ଭରସା । ଯୋଗକୁ ସେଇ ବର୍ଷ ମାଘ ମାସ ଶେଷ ସରିକି ସଦା ଗୋସେଇଁଙ୍କ ଚୁରଣ-ମୋଦକ ଖାଇଖାଇ କୁଶୁନି ମାଝି ଉଧେଇବା ବଦଳରେ କତାରାଲଗା ହେଲା ପରେ ପୁଅ ବିଶୁଆ ଖଟିଆରେ ପକେଇ ବୁଢାକୁ ନେଇ ଆସିଥିଲା ବାବାଙ୍କ ଶରଣକୁ । ଗଞ୍ଜେଇ ଧୂଆଁ ପୁଳାଏ ନାକ କାନ ଦେଇ ବାହାର କରୁକରୁ ବାବା କହିଦେଲେ, "ଜୟ ବଜରଙ୍ଗ ବାଲି, ଓଁ ନମୋ ଶିବାୟଃ, କିଛି ହେବନି ତା'ର । ଶୁକ୍ଳପକ୍ଷ ହେଲେ ତା ପାପ ଫଳ ଭୋଗ ଶେଷ ହେଇଯିବ ଆଉ ସେ ପୁରାପୁରି ଠିକ ହେଇଯିବ ।" ସଂଯୋଗବଶତଃ ଦୁତିଆ ଜହ୍ନ ଉଇଁଲା ବେଳକୁ ବୁଢା ବିଛଣାରୁ ଉଠି ବସିଲା । ଲୋକମାନେ କୁହାକୁହି ହେଲେ, "ବାବା ନିଜେ ମହାବୀର ହନୁମାନ । ନହେଲେ, ଗୋସେଇଁଙ୍କ ଚେରମୁଳି କାମ ଦେଲା ନାହିଁ ବୋଲି ସିଏ ହାତ ଟେକିଦେଲେ । ବୁଢାଟା ବାରଣା ମୁର୍ଦ୍ଦାର ହେଇ ସାରିଥିଲା । ବାବା ତପ ବଳରେ ଯମ ସାଥିରେ ଲଢ଼ି ବୁଢ଼ାର ଜୀବ ଫେରେଇ ଆଣିଲେ । ଧନ୍ୟ ମରୁତ ବାବା, ଧନ୍ୟ ମହିମା ତାଙ୍କର । "

ବାବାଙ୍କ ଦରବାରକୁ ଶୁକୁଶୁକୁ ହେଉଥିବା ରୋଗୀ ଆସିଲେ ବାବା ଧ୍ୟାନମୁଦ୍ରାରୁ ଉଠି କିଛି ନ କହି ଉପରକୁ ହାତ ଟେକିଦେଲେ ବୁଝିବାକୁ ହୁଏ ଯେ ରୋଗୀ ଦେହରେ ସିନା ନିଃଶ୍ୱାସ ଚାଲିଛି ହେଲେ ତା'ର ଆତ୍ମାକୁ ବାବା ଶୂନ୍ୟଲୋକରେ ବିଚରଣ କରୁଥିବାର ଦେଖିସାରିଛନ୍ତି । ବାସ, ସେତିକିରେ କାନ୍ଦ ବୋବାଳି ପଡ଼ିଯାଏ । ଭେଣ୍ଡିଆଏ ଡକାହକା ହେଇ ବାଉଁଶ ଓ ରଶି ଯୋଗାଡ଼ କରିବାରେ ଲାଗି ପଡନ୍ତି କୋକେଇ ବାନ୍ଧିବା ପାଇଁ । 

  ଗୋସେଇଁଙ୍କ ଦୁଆର ଛୁଇଁଲା ବେଳକୁ ବୁଢ଼ୀ ପାଟି ଶୁଖି ଅଠାଅଠା ହେଇଗଲାଣି । ଅଣ୍ଟା ପିଠି ଭକଭକ ହେଉଛି, ଆଣ୍ଠୁ ଗଣ୍ଠି ଖିଲି ମାରି ଗଲାଣି । ଦୁଆର ପାଖ ଖୁଣ୍ଟଟାକୁ ଧରିନେଇ ଦୁଇଚାରିଟା ଲମ୍ବା ନିଃଶ୍ୱାସ ନେଇ ଟିକେ ସମ ଧରିଲା ଉତ୍ତାରୁ ବୁଢ଼ୀ ପାଟିରୁ ଶବ୍ଦ ବାହାରିଲା । 

"ଗୋସେଇଁ ଗୋ, ମୋ କୂଳର ଦୀପକୁ ସାହା ହୁଅ । ବିଚରା ମାଆ-ବାପ ଛେଉଣ୍ଡ ଛୁଆ ଶନିଆଟାକୁ ବଞ୍ଚେଇ ଦିଅ ଗୋସେଇଁ, ତମର କୋଟି ପରମାୟୁ ହେବ ।" କହିସାରି ବୁଢ଼ୀ କାନିରେ ଲୁହ ପୋଛୁପୋଛୁ ଦୁଆର ବନ୍ଧକୁ କାତର ଆଖିରେ ଚାହିଁ ରହିଲା । 

"ଜେଜେ ଘରେ ନାହାଁନ୍ତି ମାଉସୀ, କଟକ ଯାଇଛନ୍ତି । "- ଗୋସେଇଁଙ୍କ ନାତୁଣୀ ଦୁଆର ପାଖକୁ ଆସି କହିଲା । 

ଆତୁରିଆ ସ୍ୱରରେ ବୁଢ଼ୀ ପଚାରିଲା, " କାହିଁକିରେ ମାଆ ?କେତେବେଳେ ଫେରିବେ??"

"ତାଙ୍କ ଦେହ ଭଲ ନଥିଲା, ପ୍ରବଳ ଜ୍ୱର । ଚାରି-ପାଞ୍ଚ ଦିନ ପରେବି ଛାଡିବାର ନାଆଁ ନେଲା ନାହିଁ । ଖାଲି ବାଉଳି ଚାଉଳି ହେଲେ ବୋଲି କକେଇ ଆସି ଡାକ୍ତର ଦେଖେଇବା ପାଇଁ କାଲି ଠାରୁ କଟକ ନେଇ ଯାଇଛନ୍ତି । "-

କଥାଟାକୁ ବୁଢ଼ୀ ପରତେ ଯାଇପାରୁନଥିଲା, ଗୋସେଇଁଙ୍କୁ ପୁଣି ଜ୍ୱର ! ଯିଏ ଏତେ ଲୋକଙ୍କୁ କେଡ଼େକେଡ଼େ ରୋଗରୁ ଭଲ କରିଦେଇଛନ୍ତି, ଆଜି ତାଙ୍କୁ ଜ୍ୱର ଟିକେ କଣ ହେଲା ଯେ ନିଜକୁ ଭଲ କରି ପାରିଲେନି - କଟକ ଚାଲିଗଲେ ଡାକ୍ତର ଦେଖେଇବା ପାଇଁ !! 

   ବୁଢ଼ୀ ମୁଣ୍ଡରେ ବଜ୍ର ପଡିଗଲାକି ଆଉ ! ଚାରିଆଡେ ଚକଚକ କରୁଥିବା ସକାଳୁଆ ଖରା ରାତିର ମେଞ୍ଚାଳିଆ ଅନ୍ଧାର ହେଇ ଛାଇଗଲା ବୁଢ଼ୀର ଆଖି ସାମ୍ନାରେ । କପାଳରେ ହାତ ଦେଇ ଲଥ୍ କରି ଭୂଇଁ ଉପରେ ବସିପଡ଼ିଲା ବେଚାରି । 

"ମୁଁ ଏବେ କଣ କରିବି ଲୋ ମାଆ ! କଅଣ ହେବ ମୋ ଶନିଆର ?ହେ ପ୍ରଭୁ, ତମେ କିଛି ବାଟ ଦେଖାଅ, ତମେ ହିଁ ରକ୍ଷାକର ମୋ କୂଳ ସନ୍ତକକୁ"- କହୁକହୁ ଅଚାନକ ବୁଢ଼ୀ ମନ ଭିତରେ ଆଶାର ସରୁ ଖିଅଟିଏ ଲମ୍ବିଗଲା ଦେବୀ ମଣ୍ଡପ ପାଖ ମରୁତ ବାବାଙ୍କ କରୁଣା ବାରିଧି ଆଡେ । 

"ଅରକ୍ଷିତକୁ ଦଇବ ସାହା । ବାବାଙ୍କୁ ମୋ ଦୁଃଖ ଦିଶିଗଲାକି କଣ । ନୋହିଲେ, ଏ ଯାଏଁ କାହିଁକି ମୋ ମନକୁ ଆସୁନଥିଲେ ସିଏ !" – ଭାବିଦେଲା କ୍ଷଣି ବୁଢ଼ୀର ଆଣ୍ଠୁଗଣ୍ଠିରେ ବାବା ବଳ ଭରିଦେଲେ କି କଣ, ସବୁ ଥକ୍କା କୁଆଡେ ଉଭାନ ହେଇଗଲା । 

"ଜୟ ପ୍ରଭୁ ମରୁତ ବାବା, ତମେ ହିଁ ଏ ହୀନକପାଳିର ଶେଷ ସାହା ଭରସା" । "ମାଟି ଉପରେ ଭକ୍ତିରେ ଶକ୍ତ ମୁଣ୍ଡିଆଟେ ମାରି ଉଠି ଠିଆ ହେଲା ବୁଢ଼ୀ ଆଉ ଦେହଯାକର ବଳକୁ ଗୋଟାଇ ଏକା ମୁହାଁ ହେଲା ମଠ ଆଡକୁ । 

   ଶନିଆ ଯୋଉ ବର୍ଷ ଜନ୍ମ ହେଲା ସେ ବର୍ଷ ରାଇଜରେ ଅକାଳ ପଡିଥାଏ । ଚାରିଆଡେ ଗଜା ମରୁଡି । ନାଳ-ଜୋର ସବୁ ଶୁଖିଲା ଠକଠକ । ଚାଷ ତ ଦୂରର କଥା, ପିଇବା ପାଣିମୁନ୍ଦେ ପାଇଁ ଲୋକ ଡହଳ ବିକଳ ହେଉଥାନ୍ତି । କୂଅ ଭିତରେ ଗେଣ୍ଡା-ଶାମୁକା ହନ୍ତସନ୍ତ ହେଉଥାନ୍ତି । ଶନିଆର ବାପ ଭିକାରୀ, ଲାଗିପାତି ଚୁଆ ଗୋଟେ ଖୋଳି ଦେଇଥିଲା ବୋଲି ସେଇଥିରୁ ଯାହା ଟିକେ ପାଣି ଝରେ ତାକୁ ଭାଗବଣ୍ଟା କରି ତଣ୍ଟି ଓଦା କରୁଥାନ୍ତି ସାହିଟା ଯାକର ଲୋକେ । 

  ଭୋଅଟ ବେଳ କତି ହେଇ ଆସିଲେ ଶୀତ ଦିନରେ ବିଦେଶୀ ପକ୍ଷୀ ଉଡିକି ଆସିଲା ପରି ଧୋବ ଫରଫର ଲମ୍ବା ଖଡ଼ି ପିନ୍ଧା ସହରୀ ନେତାମାନେ ଗାଆଁକୁ ଆସନ୍ତି, ଲୋକଙ୍କ ଭଲମନ୍ଦ ପଚାରି ବୁଝନ୍ତି, ଆ-ଆହା, ଚୁ-ଚୁ କରି ଭରସା ଦେଇ କୁହନ୍ତି ନିର୍ବାଚନରେ ଜିତିଗଲେ ସବୁ ଅସୁବିଧା ଦୂର କରିଦେବେ । କୋଉ ଚିହ୍ନରେ କେମିତି ଭୋଅଟ ଦେବେ ସେକଥା ଆପଣାର ଦରଦୀ ବନ୍ଧୁ ପରି ବୁଝେଇ ଦିଅନ୍ତି । ଭୋଅଟ ହବାର ଦୁଇତିନି ଦିନ ଆଗରୁ ସାହିରେ ଭୋଜିଭାତର ଆୟୋଜନ କରନ୍ତି । ମାଝି ସାହିର ଲୋକ ଅଭାବୀ-ଅପାଠୁଆ ହେଲେ କଣ ହେଲା ମନରେ ପ୍ରପଞ୍ଚ ରଖନ୍ତି ନାହିଁ । ଭୋଜିଖାଇ ସାରିବା ପରେ ନିର୍ମାଲ୍ୟ ଛୁଇଁ ଭୋଅଟ ଦେବାକୁ କଥା ଦିଅନ୍ତି ଆଉ ଭୋଅଟ ଦିଅନ୍ତି ମଧ୍ୟ । ନିର୍ବାଚନ ସରନ୍ତେ ଗାଆଁରୁ ଡେରା ଉଠେଇଲା ବେଳେ ଗାଆଁକୁ ପକ୍କା ସଡକ, ଗାଆଁରେ ନଳକୂପ, ବିଦ୍ୟାଳୟ, ସରକାରୀ ଡାକ୍ତରଖାନା ଇତ୍ୟାଦି କେତେକଣ ସପନ ଗାଆଁ ଦାଣ୍ଡରେ ବୁଣି ଦେଇ ଯେଉଁଠୁ ଆସିଥାନ୍ତି ଉଡାଚଢ଼େଇ ଭଳି ସେଇଠିକୁ ପୁଣି ବାହୁଡ଼ି ଯାଆନ୍ତି ବାବୁମାନେ । କଥାରେ ଅଛି, ବାହାଘର ପରେ ବେଦୀ ମୁହଁ ପୋଡ଼ା । ଦିନ କେଇଟା ଭିତରେ ବାବୁ ବାବୁଙ୍କ ବାଟରେ, ସାହି ଲୋକ ଯୋଉ ତିମୀରେକୁ ସେଇ ତିମୀରେ । ସେଇଥିପାଇଁ ତ ଆଜିଯାକେ ଏ ଗାଆଁ ଲୋକଙ୍କ ପାଇଁ ଭରସା ବୋଇଲେ ନାଳପାଣି, ସଦା ଗୋସେଇଁ ଆଉ ମରୁତ ବାବା । ସାହିଦାଣ୍ଡରେ ଝୁଣ୍ଟିପଡିଲେ ବୁଢ଼ୀ କହେ, 'ଅଳପେଇସା ଗେଣ୍ଡାଳିଆ ମାନେ କହୁଥିଲେ କଣ ନା ଗାଆଁର ସବୁ ଉଖାରି ପକେଇବେ । ଚାହିଁଥାରେ ଜଳକା, ରଙ୍ଗ ବଦଳେଇକି ପୁଣି ଆସିବେ ପାଞ୍ଚ ବର୍ଷ ପରେ ।'

   ଶନିଆ ଯୋଉଦିନ ସକାଳୁ ଜନ୍ମ ହେଲା ସେଇଦିନ ଖରାବେଳକୁ ମଦନା ଭାର୍ଯ୍ୟାର ବି ପୁଅଟିଏ ହେଲା । ଭିକାରୀର ସଙ୍ଗାତ ମଦନା । ଶନିବାର ଦିନ ଜନମ ବୋଲି ସରଧାରେ ବୁଢ଼ୀ ଶନି ମହାପୃଙ୍କ ନାଁ ନେଇ ନାତିର ନାଁ ରଖିଲା ଶନିଆଁ ଆଉ ମଦନା ପୁଅର ନାଁ ରଖିଲା ମନୁଆ । ମନୁଆଟା ଜନମ ହବାର ଦୁଇପକ୍ଷ ଆଗରୁ ଦିନେ କୁଆଡୁ କିଛି ନାହିଁ ଅଚାନକ ଖରାବେଳଟାରେ ନାଳରେ ଗାଧୋଉ ଗାଧୋଉ ପାଣି ଭିତରେ ବୁଡା ତମ୍ପ କି ପଦୁଅଁ ନାଗଟାଏ ତା ବୁଢ଼ା ଆଙ୍ଗୁଠିକୁ ଦଂଶିଲା । ଦୁର୍ଯ୍ୟୋଗକୁ ସେଦିନ ସଦା ଗୋସେଇଁ ତାଙ୍କ ଝିଅ ସାଇକି ଯାଇଥା'ନ୍ତି । ସାହି ଭେଣ୍ଡିଆଏ ମିଶି ମଦନାକୁ ଟେକି ନେଇଗଲେ ବାବାଙ୍କ ଆଶ୍ରମକୁ । ମଦନା ମୁଣ୍ଡରେ ହାତ ବୁଲେଇ ଆଣି ବାବା ସମସ୍ତଙ୍କୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇ ବଡ଼ପାଟିରେ ଘଣ୍ଟେ ଦେଢଘଣ୍ଟା ମନ୍ତ୍ରତନ୍ତ୍ର କରିସାରି ବାହାରକୁ ଆସି ଦରଦୀ ସ୍ୱରରେ କହିଲେ, " ମଦନାଟା ଏ ଜନ୍ମରେ ଭଲ ଲୋକ ଥିଲା ହେଲେ ଗତ ଜନ୍ମର ପାପ ତା'ର ବଇରୀ ହେଲା । ସେ ଯେଉଁ ନାଗକୁ ମାରିଥିଲା ତା ନାଗୁଣୀର ଅଭିଶାପ ଯୋଗୁଁ ସର୍ପ ଦଂଶନରେ ତାର ଜୀଵ ଗଲା । ମୁଁ ମୋର ସମସ୍ତ ଶକ୍ତି ଲଗାଇ ପ୍ରଭୁ ହନୁମାନଙ୍କୁ ପ୍ରାର୍ଥନା କଲି ମଦନାର ପାପକୁ କ୍ଷମା କରିଦେବାପାଇଁ, ମାତ୍ର ପ୍ରଭୁ କହିଲେ ଏ ଜନ୍ମରେ କରିଥିବା ପାପକୁ କ୍ଷମା କରିହେବ, ପ୍ରାରବ୍ଧ ପାପକୁ ନୁହେଁ । ସବୁ ତାଙ୍କରି ଇଛା, ଆମେ ତ ନିମିତ୍ତ ମାତ୍ର । ମନଦୁଃଖ କଲେ, କାନ୍ଦିଲେ-ବୋବେଇଲେ ମଦନାର ଆତ୍ମା ସ୍ୱର୍ଗସୁଖ ପ୍ରାପ୍ତିରୁ ବଞ୍ଚିତ ହେବ । ତୁରନ୍ତ ଯଥାବିଧି ତା ଶବ ସତ୍କାରର ବନ୍ଦୋବସ୍ତ କର । " ବିଚରା ମନୁଆଟା ଜନମ ପୂର୍ବରୁ ବାପଛେଉଣ୍ଡ । 

  ଏଣେ ଶନିଆକୁ ଜନମ ଦେଇସାରି ତା ମୁହଁ ଦେଖିବା ଆଗରୁ ମାଆ ତା'ର ଆଖି ବୁଜିଦେଲା ସେଇ ଏନ୍ତୁଡ଼ିଶାଳରେ । ଜଣେ ମାଆଛେଉଣ୍ଡକୁ ଆଉ ଜଣେ ବାପଛେଉଣ୍ଡ । ମଦନାର ଭାର୍ଯ୍ୟା ଗୋଟେ କାଖରେ ମନୁଆକୁ ତ ଆର କାଖରେ ଶନିଆକୁ କୋଳେଇ-କାଖେଇ ବଢ଼େଇଛି । ଦୁହିଁଙ୍କ ଭିତରେ ପାତର ଅନ୍ତର ନ କରି ସମାନ ସମାନ ବାଣ୍ଟି ଦେଇଛି ଛାତିର ଅମୃତ । ସେଇଥିପାଇଁ ଶନିଆ ଆଉ ମନୁଆଙ୍କ ଭିତରେ କ୍ଷୀର ଆଉ ନୀରର ସମ୍ପର୍କ । 

  ମନୁଆ ତିନିବର୍ଷ ହେଲାଣି ଗୁଜୁରାଟର ସୁରତ ସହରରେ କୋଉ ଗୋଟେ ସୂତା ମିଲରେ କାମକରି ଭଲ ଦି'ପଇସା କମଉଛି । ମାସ ଶେଷରେ ମଇନା ପାଇଲାମାତ୍ରେ ନିଜ ମାସିକ ଗୁଜୁରାଣ ମାଫିକ ପଇସା ରଖି ବାକି ତକ ମାଆ ପାଖକୁ ଡାକରେ ପଠେଇ ଦିଏ । ସେଥିରୁ ମନୁଆ କହିବା ମୁତାବକ ତା' ମାଆ ବୁଢ଼ୀକୁ ବାଆଁରେଇ ଶନିଆକୁ ଖର୍ଚ୍ଚବାର୍ଚ୍ଚ ପାଇଁ ତା ହାତରେ କିଛି ଟଙ୍କା ଧରେଇ ଦିଏ । ଫି ବର୍ଷ ଦଶରା ବେଳକୁ ଦୁଇହପ୍ତା ଛୁଟି ନେଇ ଗାଆଁକୁ ଆସେ ମନୁଆ । ସେ ଆସି ଗାଆଁରେ ପହଞ୍ଚି ଗଲାପରେ ବୁଢ଼ୀ ସକାଳୁ ରାତି ଦି' ଘଡି ଯାକେ ଶନିଆର ଦର୍ଶନ ପାଏ ନାହିଁ । 

   ଆର ମାସକୁ ଦଶରା । ଆଠଦିନ ତଳେ ଶନିଆ ପାଖକୁ ମନୁଆର ଚିଠି ଆସିଥିଲା । ଲେଖିଥିଲା କଣ ଗତ କେତେ ଦିନ ହେଲା ତା'ର ଦେହ ଭଲ ନାହିଁ ବୋଲି ଏଥର ପୂଜାକୁ ଆସି ପାରିବ ନାହିଁ । ଚିଠି ଆସିଲା ପରଠୁ କୋଉ କଥାରେ ଶନିଆର ମନ ଲାଗୁନାହିଁ । ଦିହ'ପାକୁ ନଜର ନାହିଁ କି ଖାଇବା-ପିଇବାରେ ନିଘା ନାହିଁ । ପହରଦିନ କହୁଥିଲା, " ବୁଢ଼ୀମାଆ, ଗାଆଁରେ କାହିଁକି ଆଉ ମନ ଲଗୁନାହିଁ । ଏଥର ମନୁଆ ଆଇଲେ ମୁଁ ବି ତା' ସାଥିରେ ସୁରତ ପଳେଇବି । ସେଠି ଯାଇ ଚାକିରୀ କରି ମନୁଆ ପରି ମୁଁ ବି ମାସକୁ ମାସ ତୋ ପାଖକୁ ପଇସା ପଠେଇବି ।" କହିସାରିଲା ବେଳକୁ ଶନିଆ କାନ୍ଦ କାନ୍ଦ ହେଇଗଲା । 

"କଅଣ କହିଲୁରେ ଅଳପେଇସା? ଜୀଇଁ ଥାଉଥାଉ ତୁ ମୋ ମୁହଁରେ ନିଆଁ ଦେଇ ବାପ-ଗୋସାପଙ୍କ ଗାଆଁ-ଭୂଇଁ ଆଉ ଭିଟାମାଟିକୁ ପରକରି ବିଦେଶକୁ ଯିବୁ । "-ବୁଢ଼ୀ ମୁହଁ ଦେଢେଇ ଲୁହ ଲୁଚାଇବାକୁ ଚେଷ୍ଟା କରୁକରୁ ଏତିକି କହିଦେଇ ଖାଇବା ଛାଡି ଉଠିଯାଇ ସିଧା କୋଠରୀ ଭିତରେ ପଶି ଭିତରୁ କବାଟ ଦେଇ ଘଡ଼ିଏ କାନ୍ଦିଲା । 

ଶନିଆ ଆଖିରେ ସବୁ ଯାଏ ହେଲେ ବୁଢ଼ୀମାଆ ଆଖିର ଲୁହ ସହି ପାରେ ନାହିଁ ସିଏ । କବାଟ ପାଖକୁ ଯାଇ ଶନିଆ କହିଲା, "ବୁଢ଼ୀମାଆ'ଲୋ, କବାଟ ଖୋଲ । ତୁ ମୋ କଥାକୁ ସତ ମଣିଲୁ କି ? ମିଛରେ କହିଦେଲିନା । ରାଣ ଖାଉଛି ଲୋ, ତୋତେ ଛାଡ଼ି ମୁଁ କେବେ କୁଆଡେ ଯିବିନାହିଁ । "

  ରାଣ ଖାଇବା କଥା କାନରେ ପଡିବା ମାତ୍ରେ ବୁଢ଼ୀ ଚିହିଁକି ଉଠିଲା । ନିଜକୁ ସମ୍ଭାଳି ପାରିଲାନି ବୋଲି ଧଡ଼କି କବାଟ ଖୋଲି ଝପଟି ଆସି କବାଟ ସନ୍ଧିରୁ ଝାଡୁ ଆଣି ଶନିଆ ଦେହର ତାଳୁରୁ ତଳିପା ପର୍ଯ୍ୟନ୍ତ ବୁଲେଇ ଆଣିସାରି ଶନିଆକୁ କୁଣ୍ଢେଇ ଧରି କାନ୍ଦୁକାନ୍ଦୁ କହିଲା, "ହଇରେ ଅଳପେଇସା-ଅବୋଲକରା, କଅଣ କହିଲୁ? ରାଣ ଖାଇଦେଲୁ ! ତୋତେ ହଜାର ବାର କହିଛି, ମୁଁ ଜୀଇଁଥିବା ଯାକେ ସେ ଅଲକ୍ଷଣା ପଦ ତୁଣ୍ଡରେ ଧରିବୁନି ବୋଲି । "

ଶନିଆ ବୁଢ଼ୀମାଆ ଆଖିରୁ ଲୁହ ପୋଛିଦେଇ କହିଲା, "ହଉ-ହେଲା ହେଲା, ଆଉ କେବେ ରାଣ ଖାଇବିନାହିଁ, ଭୋକରେ ମୋ ପେଟ ଜଳିଲାଣି, ଖାଇବା ପାଇଁ କଣ ରଖିଛୁ ଦେଲୁ । "

ଆଉ ଦଣ୍ଡେ ଡେରି ନ କରି ହାଣ୍ଡିଶାଳ ଆଡକୁ ଗଲାବେଳେ ବୁଢ଼ୀ ମୁହଁରେ ଅଳ୍ପ ଟିକେ ହସ ଆଖି କୋଣରୁ ଗଡି ଆସିଥିବା ଲୁହ ଉପରେ ଛୋଟିଆ ଗୋଟେ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କଲା । 

  ମଠପିଣ୍ଡାରେ ବସି ବାବା ଆଖି ବନ୍ଦକରି ଗଂଜେଇ ମଳୁଥିଲେ । କେବଳ ଧନିଆ ମାଝୀର ଝିଅ ଘୁଙ୍ଗିକୁ ଛାଡି ବାକିସବୁ ଚେଲା ଚାମୁଣ୍ଡା ମାନେ ମଠର ସକଳ ସକାଳୁଆ କାମ ସାରିଦେଇ ଯିଏ ଯାହା କାମରେ ବହାରିଗଲେଣି । ଘୁଙ୍ଗି ବାକି ସବୁ ଦୃଷ୍ଟିରୁ ଭାରି ଭଲ ପିଲାଟିଏ । ଦେଖିବାକୁ ନାକରା ନୁହେଁ । ଦେଖେ, ଶୁଣେ, ସବୁକାମ କରେ । କେବଳ କଥା କହିପାରେନାହିଁ । ଘୁଙ୍ଗି ବୋଲି ତାକୁ ବାହା ହବାକୁ କେହି ମଙ୍ଗିଲେ ନାହିଁ । ଗାଆଁ ମଫସଲ କଥା । ଦି'କୋଡ଼ି-ପାଞ୍ଚ ବର୍ଷ ହେଲାଣି ମାନେ ବାହା ବୟସ ଚାଲିଯାଇଛି । ଧନିଆଟିର ଘରଡିହ ଟିକକୁ ବାଦ ଦେଇ ଜମିବାଡ଼ି ବୋଇଲେ ଶୂନ । ଭାର୍ଯ୍ୟାର ଆକାଶମାରି ବାତ ଯେ କେତେବେଳେ କୋଉଠି ପଡି ମରିବ ତା କହିବା ମୁସ୍କିଲ । ସେଇଥିପାଇଁ ଘଇତା-ମାଇପ ଦିହେଁ ଯାକ ଘୁଙ୍ଗିକୁ ଠାକୁରଙ୍କ ନାଆଁରେ ଟେକିଦେଇଛନ୍ତି । ମଠରେ ରହି ଠାକୁରଙ୍କ ସେବା କରିବା ସହିତ ବାବାଙ୍କ ପାଇଁ ରୋଷେଇ ବାସ କରେ । ବାବାଙ୍କର ସେବା ଶୁଶ୍ରୁଷା ମଧ୍ୟ ତାଆରି ଦାୟିତ୍ବ । ବୁଢ଼ୀ ସିଧାଯାଇ ବାବାଙ୍କ ଗୋଡ଼ତଳେ ଗଛ କାଟିଲା ଭଳିଆ ପଡିଯାଇ ବିକଳ ଆଖିରେ ମୁହଁକୁ ଅନେଇ ରହିଲା । ଆଷାଢ଼ ମାସିଆ ବରଷା ପରି ଆଖିରୁ ଅନବରତ ଲୁହ ବୋହିଯାଉଥିଲା । 

  ନିଃଶ୍ୱାସ ତେଜ ହେଇଯାଇଥିବାରୁ ତୁଣ୍ଡରୁ କଥା ବାହାରୁନଥାଏ । ବାବା ଆଖି ଖୋଲି ବୁଢ଼ୀ ମୁହଁକୁ ଚାହିଁ କହିଲେ, 'ମୁଁ ଜାଣିଥିଲି ତୁ ଆସୁଛୁ ବୋଲି । କାହିଁକି ଆସିଛୁ ତା' ମଧ୍ୟ ଜାଣେ । ତେବେ, ଆସି ସାରିଲୁଣି ଯେତେବେଳେ ତୁ ନିଜେ କହ ତୋର ମାଗୁଣି କଣ । 'ବୁଢ଼ୀ ପାଟି ଆଫାଆଫା ହେଇଯାଉଥିବାରୁ ତା ତୁଣ୍ଡରୁ କଥା ବଦଳରେ ଖାଲି ପବନ ବାହାରି ଯାଉଥିଲା । ଦୁଆରବନ୍ଧ ପାଖରେ ବସି ଫୁଲମାଳ ଗୁନ୍ଥୁଥିବା ଘୁଙ୍ଗି ଆଡକୁ ଚାହିଁ ବୁଢିପାଇଁ ପାଣି ଆଣିବାକୁ ଇସାରା ଦେଲେ ବାବା । ଘୁଙ୍ଗି ଲୋଟାଏ ପାଣି ଆଣି ଥୋଇଲାରୁ ବୁଢ଼ୀ ଢକଢକ କରି ଅଧାଢାଳ ପାଣି ପିଇସାରି ବଳକା ପାଣିକୁ ମୁଣ୍ଡ ଉପରେ ଢାଳି ପକେଇଲା । ଏଥର ତା' ତୁଣ୍ଡ ଲେଉଟିଲା ବୋଧହୁଏ । ଖନେଇ ଖନେଇ କହିଲା, 'ମହାପ୍ରୁ ହେ, ତେମେ ଆପଣ କୃପା ନକଲେ ମୋ ବଉଁଶ ଉଜୁଡିଯିବ । ଶନିଆ ଦିହରେ ହାଉହାଉ ହେଇକି ନିଆଁ ଜଳୁଛି । ତା କାନକୁ ବୋଲ ପଶୁନାହିଁ । ହଅଲ ନାହିଁ କି ଚଅଲ ନାହିଁ, ବାଉଳି ଚାଉଳି ହଉଛି ଖାଲି । ବାପା-ମାଆ ଛେଉଣ୍ଡ ପିଲାଟା ବିଚରା । ତାରି ମୁହଁକୁ ଅନେଇକି ଏ ପାଚଲା ପତରଟା ଏ ଯାଏଁ ଡାଳରେ ଲାଖିରହିଛି ବାବା । ତାକୁ ତେମେ ବଞ୍ଚେଇଦିଅ, କାଳକାଳକୁ ତମର ଯଶ ରହିଥିବ । 'ବୁଢ଼ୀର ଗୁହାରି ଶୁଣିବା ଭିତରେ ବାବା ମଳି ସାରିଥିବା ଚକିରେ ଚାକିଏ ଗଞ୍ଜେଇକୁ ଚୁଲମ ଭିତରେ ଭରି ସାରିଥିଲେ । ଚୁଲମରେ ନିଆଁ ଧରେଇ ପୁଳାଏ ଧୂଆଁ ପେଟ ଭିତରକୁ ନେଇ ଧାପେଧାପେ କରି ଛାଡୁଛାଡୁ ସେଇମିତି ଆଖିବୁଜି କହିଲେ, 'କିଛି ହବନି ତା'ର । ତିନିଦିନ ଭୋଗିବାର ଯୋଗ ଅଛି । ଚାରିଦିନ ବେଳକୁ ଝାଡ଼ିଝୁଡ଼ି ହେଇକି ଉଠିବ । ତାପରେ ଠାକୁରଙ୍କ ପାଇଁ ଖାଣ୍ଟି ଗୁଆଘିଅ ଅଧଶେରେ ଆଣି ଦେଇଯିବୁ । ' ବୁଢ଼ୀ ଆତୁର ହେଇ କହିଲା, ' ବାବା, ଏତେବେଳକେ ମୋ ଶରୀର ଭିତରେ ପରାଣ ପଶିଲା । ମୋ ନାତି ଭଲ ହେଇଗଲେ ଅଧଶେରେ କଣ ବରଷକ ସାରା ଯେତେ ଘିଅ ମାରିବି ସବୁ ଠାକୁରଙ୍କ ଲାଗି ଦେଇଦେବି । '-କହିସାରି ବୁଢ଼ୀ କିଛି ମାଗିଲା ଭଳି ଆଖିରେ ବାବାଙ୍କୁ ଚାହିଁଲା । 

  ବାବା ତ୍ରିକାଳଦର୍ଶୀ ଯେତେବେଳେ ବୁଢ଼ୀର ମନକଥା ନବୁଝନ୍ତେ ବା କିପରି ! ତାକୁ ସେଇଠି ବସିବାପାଇଁ କହି ଭିତରକୁ ଯାଇ ଗୋଟେ କାଗଜ ପୁଡ଼ିଆରେ ଟିକିଏ ବିଭୁତି ଏବଂ ସିନ୍ଦୂର ଲଗା ତ୍ରିଶାଖା ବେଲପତ୍ରଟିଏ ଆଣି ବୁଢ଼ୀର ଯୋଡ ହାତ ଭିତରକୁ ପକେଇଦେଇ କହିଲେ, 'ଯାଆ ମାଆ ଏଇ ଔଷଧ ନେଇକି ଏକାମୁହାଁ ହେଇ ଘରକୁ ଯିବୁ । ବାଟରେ କୋଉଠି ଅଟକିବୁନାହିଁ କି ପଛକୁ ଫେରି ଚାହିଁବୁନାହିଁ । ଘରେ ପହଞ୍ଚିବା ମାତ୍ରେ ମହାବୀରଙ୍କୁ ସୁମରଣା କରି ତା ମୁହଁରେ ବେଲପତ୍ର ଟିକେ ଦେଇ କପାଳରେ ପ୍ରଭୁଙ୍କ ଅଙ୍ଗଲଗା ସିନ୍ଦୂର ଲଗାଇଦେବୁ । ତାପରେ ବିଭୂତିକୁ ତା ମୁଣ୍ଡରେ ଛୁଆଁଇ ପାଦ ଯୋଡିକୁ ଛାଡି ସାରା ଦେହରେ ବୋଳିଦେବୁ । ତାପରେ ମଧ୍ୟ ସିଏ ବାଉଳି ଚାଉଳି ହେବ । ତୁ କିନ୍ତୁ ସିଆଡକୁ କାନ ଦେବୁ ନାହିଁ । ବେଳ ଥାଉଁ ପ୍ରଭୁଙ୍କ ଶରଣକୁ ଆଇଛୁ ଯେତେବେଳେ ପ୍ରଭୁ ତାକୁ ଉଦ୍ଧାରିବେ । ତେବେ, ଜାଣତରେ ହେଉ କି ଅଜାଣତରେ ହେଉ ଯାହାକିଛି ପାପ କରିଛି ଅଳପରେ ହେଉପଛେ ତାହର ଫଳ ଭୋଗିସାରିକି ଭଲହେବ । ' ବୁଢ଼ୀ କୃତ୍ୟକୃତ୍ୟ ହେଇ ବାବାଙ୍କ ଚରଣଧୂଳି ଟିକିଏ ମୁଣ୍ଡରେ ଲଗାଇ ଘରକୁ ବାହୁଡ଼ିଲା ବେଳେ ନିଜକୁ ନିଜେ କହୁଥିଲା, ' ବାଳୁତ ପିଲାଟା, ସିଏ କାହିଁକି କିଛି ପାପ କରିବ ଯେ ! ମୁଁ ବୋଧହୁଏ କିଛି ପାପ କରିଛି ଯା'ର ଫଳ ଭୋଗୁଛି ସେ ନିରୀହ ପିଲାଟା । ତାକୁ ଅଳପେଇସା କହି ସମ୍ପି ଦେଉଛି ବୋଲି ବୋଧହୁଏ ତାର ଆଜି ଏଇଦଶା । ପ୍ରଭୁହେ, କାନ ନାକ ଧରି ରାଣ ଖାଉଛି, ଆଉ କେବେ ଦିନେ ତା'ଲାଗି ତୁଣ୍ଡରେ ସେ ଅଲକ୍ଷଣା ଶବଦ ଧରିବିନାହିଁ । '

   ମନୁଆଁମାଆ ଭାବୁଥିଲା, ଯୋଉ ଡାହାମିଛୁଆ ଭଣ୍ଡ ବାବା ଯୋଗୁଁ ଗିରସ୍ତକୁ ହରେଇଛି ସିଏ ଜୁଆନ ବଅସରୁ ତାକୁଇ ଭରସା କରିବା କେତେଦୂର ଠିକ ହେବ ! ୟାଙ୍କ ପରେ ଏ ଗାଆଁର କେତେ ଲୋକଙ୍କୁ ନାଗ ଦଂଶିଛି, ସେମାନେ ତ ପୁଣି ଭଲ ହେଇଛନ୍ତି ! ସଦା ଗୋସେଇଁଙ୍କୁ ବଳିଗଲେ ରୋଗୀକୁ କଟକ ବଡ ଡାକ୍ତରଖାନାକୁ ପଠେଇଦିଅନ୍ତି ଗୋସେଇଁ । ସେଠିକି ଯାଇଥିବା ରୋଗୀମାନଙ୍କ ଭିତରୁ କାଁ ଭାଁ କାହାକୁ ଛାଡିଦେଲେ ବାକି ସମସ୍ତେ ଭଲ ହେଇ ଘରକୁ ଫେରିଛନ୍ତି । କାହିଁ, ଗୋସେଇଁ ତ କେବେ କାହାରିକି ବାବା ପାଖକୁ ଯିବା ଲାଗି କାହାରିକୁ ପରାମର୍ଶ ଦିଅନ୍ତି ନାହିଁ ! ଆଜି ତା'ରି କଥାକୁ ଭରସି ବାଇଶି ବର୍ଷର ପୁଅଟାକୁ ବି କଣ...!' ନିଜ କାନକୁ ନିଜେ ଟାଣି ଗାଲ ଚାପୁଡ଼ା ଖାଇଲା ମନୁଆମାଆ । ଜନମ ନଦେଲେ କଣ ହେବ ଏନ୍ତୁଡ଼ିଶାଳରୁ କୋଳକୁ ନେଇ ଶନିଆକୁ ଛାତିରେ ଧରିକି ବଢ଼େଇଛି ସିଏ । ଶନିଆ ତା ପୁଅ ନୁହେଁ ତ ଆଉ କାହା ପୁଅ ଯେ ! ମନୁଆ ମାଆ ବୁଢ଼ୀକୁ ଶାଶୁ ଜ୍ଞାନ କରେ । ସାମ୍ନାରେ ଛିଡା ହେଇ କଥା କହେ ନାହିଁ କି ବୁଢ଼ୀ ରାଗରେ ପାଞ୍ଚପଦ କହିଦେଲେ କଥା ଲେଉଟାଏ ନାହିଁ । ହେଲେ, ଆଜି ଆଉ ଚୁପ ରହିଲେ ହେବ ନାହିଁ ଭାବି ବୁଢ଼ୀ ସାମ୍ନାକୁ ଯାଇ ସାହସ ବାନ୍ଧି କହିଲା, 'ମାଆ, ମୁଁ ଆଉ ପିଲାଟାର ଅବସ୍ଥା ଦେଖିପାରୁନାହିଁ । ଥିର କରିଛି ଯୋଗାଡ଼ଯନ୍ତ୍ର କରି ତାକୁ ବଡ ଡାକ୍ତରଖାନାକୁ ନେଇଯିବି । ସେ ବାବା କଥାକୁ ଭରସା କଲେ ଜଳନ୍ତା ଦୀପ ଅବେଳରେ ଲିଭିଜିବ ମାଆ । ମୁଁ ଯାଉଛି ମୋର ଗହଣାପତ୍ର ଯେତେକି ଅଛି ସେସବୁକୁ ମଦନା ସାହୁକାର ପାଖରେ ବନ୍ଧକ ରଖି ଟଙ୍କା ନେଇଆସୁଛି । ' ମନୁଆମାଆ କଥାଶୁଣି ବୁଢ଼ୀ ଧର୍ମ ସଂକଟରେ ପଡ଼ିଗଲା । ସେମିତି କଲେ ଏପଟେ ଧର୍ମଦ୍ରୋହ ସାଙ୍ଗକୁ ବାବା ରୁଷ୍ଟ ହେବେ ଆଉ ଏପଟେ ବାବାଙ୍କୁ ଭରସି ଦିନ ଗଡେଇଦେଲେ ଡାକ୍ତର ହାତରୁ କଥା ବାହାରିଯିବ । ତାପରେ, ସିଏ ବି ତ ଶନିଆର ପର ନୁହେଁ । କ୍ଷୀର ଦେଇ ବଞ୍ଚେଇଛି ଯେତେବେଳେ ସିଏ ତାର ମାଆ । ମାଆ ଯଦି ତା ପିଲାର ମଙ୍ଗଳ ପାଇଁ କିଛି କରିବାକୁ ଚାହୁଁଛି ସେତେବେଳେ ମନା କରିବାକୁ ସେ କିଏ ! ମନରେ ସ୍ଥିର କଲା 'ହଁ' ନକହିବ ପଛେ 'ନା' କହିବନାହିଁ । ମନୁଆମାଆ ବୁଢ଼ୀର ଜବାବକୁ ଅପେକ୍ଷା ନକରି ବାହାରିଗଲା । 

   ଚାରିଦିନ ହେଲାଣି ଚଉଦିଗ ଅନ୍ଧାର କରି ଅନର୍ଗଳ ଢାଳୁଛି ଯେ ଢାଳୁଛି । ଛାଉଣିଆ ମହର୍ଗ ହେଲେ ବୋଲି ଘର ଖଣ୍ଡିକ ଛପର ହେଇ ପାରିନଥିଲା । ବାଧ୍ୟ ହେଇ ବୁଢ଼ୀ ପରମାକୁ ଡାକି ଖୁଲରେ ନଡା ଖୁଞ୍ଚ ମରେଇ ମଥାନ ମରା କରିଦେଇଥିଲା ବୋଲି ଏତେ ଦିନ ସମ୍ଭାଳି ଯାଇଥିଲା । ହେଲେ, ଇଏ ଯୋଉ ଅନବରତ ମୂଷଳ ଧାରାରେ ଢାଳୁଛି ତାକୁ ସେ ଚାଳ କେତେ ଆଉ ସହିବ ! ଛପରକୁ କଣା କରି ଘରସାରା ପାଣି ଗଳୁଛି । ହାଣ୍ଡି-ବାସନ, ପତଲା-ବେକା ଆଦି ଯାହା କିଛି ଘରେ ଥିଲା ସବୁ ବସେଇ ସାରିଲାଣି । ତଥାପି ଶନିଆ ପଡିଥିବା ଶେଜ ଅଧା ଓଦା । ଚାରି ଦିନ ହେଲା ଯେଉଁଠି ପଡିଥିଲା ସେଇଠି ସେଇମିତି ପଡିଛି । ବାବାଙ୍କ କହିବା ଅନୁସାରେ ଏତେବେଳକୁ ପିଲାଟା ଠିକ ହେଇଯିବାକଥା । ଠିକ ହବ କଣ, ଆଜି ତା ଅବସ୍ଥା ଆହୁରି ଖରାପ । ମଲା ମାଛ ପରିକା ବେକ ଭାଙ୍ଗିକି ପଡିଛି । ନାକ ପାଖକୁ ହାତ ଆଣିଲେ ଜଣାପଡୁଛି ନିଃଶ୍ୱାସ ଚାଲୁଛି ବୋଲି । ଗଳା ଦବିଗଲାଣି କି କଣ ବିଳିବିଳେଇବା ଶବ୍ଦ ମଧ୍ୟ ଶୁଭୁନାହିଁ । ବୁଢ଼ୀକୁ ବୁଦ୍ଧିବାଟ ଦିଶୁନାହିଁ, ଘରୁ ପାଣି କାଢ଼ିବ ନା ନାତି ଦେହ ଉପରେ ଟିକେ ହାତ ବୁଲେଇଆଣିବ ! ପାଣି ବୋହିବୋହି ବୁଢ଼ୀର ଆଣ୍ଠୁ-ଅଣ୍ଟାରେ କୀଳା ପଶିଗଲାଣି ଯେ ସେ ଆଉ ଅଣ୍ଟା ସଳଖି ପାରିବା ଅବସ୍ଥାରେ ନାହିଁ । ନା, ଆଉକିଛି କରିପାରିବନାହିଁ ସିଏ । ଦ୍ରୌପଦୀଙ୍କ ପରି ହାତ ଟେକିଦେବା ଛଡା ଆନ ଉପାୟ ନାହିଁ । ପାଣିକାଦୁଅ ସରସର ଚଟାଣ ଉପରେ ଘୁଷୁରି ଘୁଷୁରି ଶନିଆର ଶେଜ ପାଖକୁ ଆସିବାକୁ ପ୍ରାଣପଣେ ଚେଷ୍ଟା କଲା । ଏ କଣ, ସେ ଆଉ ଇଞ୍ଚଟିଏ ଆଗକୁ ଯାଇପାରୁନାହିଁ ଯେ ! ସେଇଠି ଥାଇ ହାତ ବଢ଼ାଇଲା ନାତିର ମୁଣ୍ଡ ଟିକିଏ ଆଉଁଶି ଆଣିବା ପାଇଁ । ନା, ହାତ ମଧ୍ୟ ଆଗକୁ ଯାଉନାହିଁ ! ଆଖି ଆଗରେ ଗାଢ଼ ଅନ୍ଧାର ଛାଇଗଲା । ଚୈତନ୍ୟ ହରାଇଲା ବୁଢ଼ୀ । 

  ପୁରାପୁରି ଦି'ଦିନ ପରେ ଆଖି ଖୋଲିଲା ବେଳକୁ ଚଉଦିଗରେ ଉଜ୍ଜ୍ୱଳ ଆଲୋକ ଦେଖି ଚିହିଁକି ଉଠିଲା ବୁଢ଼ୀ । ନିଜ ହାତରେ ନିଜ ଜଙ୍ଘକୁ ନଖେଇକି ଚିମୁଡ଼ିଦେଲା । କାଟୁଛି ତ । ତେବେ ସିଏ କଣ ତଥାପି ମରିନାହିଁ ! ନା, ବିଶ୍ୱାସ ହେଉନାହିଁ । ବହୁ ଚେଷ୍ଟାକରି ଭୂତ ପରି ଉଠି ବସିଲା ଖଟିଆ ଉପରେ । ଜୁଆଡକୁ ଚାହିଁଲା, କେହି ନା କେହି ପଡିଛି । ସବୁ ଖଟିଆ ଉପରେ ପାଣିବୋତଲ ଗୋଟିଏ ଗୋଟିଏ କରି ଝୁଲୁଛି । ସେଥିରୁ ନଳୀ ଲମ୍ବିଛି ତଳକୁ । କିସମ କିସମର ବେଦନାର୍ତ୍ତ ସ୍ୱର ଶବ୍ଦରେ ଗୁଞ୍ଜରଣ କାନରେ ବାଜିଯାଉଛି । ଧଳା ପୋଷାକ ପିନ୍ଧା ଲୋକମାନେ ଖଟିଆରୁ ଖଟିଆ ବୁଲି ଆଖି, ନାକ, ପାଟି ମେଲେଇ ଦେଖୁଛନ୍ତି । କାହାର ବାହାମୁଳରେ ତ ଆଉ କାହାର ପିଚାରେ ଛୁଞ୍ଚି ଫୋଡି ପକାଉଛନ୍ତି ଅତି ନିର୍ଦ୍ଦୟ ଭାବରେ । ବିରକାଳିଆ ଗନ୍ଧରେ ନାକ ଫାଟିପଡୁଛି । ନାକରେ ଲୁଗା ଦେଲା । 

 ଏଇଟା ନିଶ୍ଚେ ନର୍କପୁର ! ବାପମାଆ ଛେଉଣ୍ଡ ଶନିଆକୁ ଅଳପେଇସା ଗାଳି ଦେଇଦେଇ ତା ଆୟୁଷ କମେଇଛି । ମନୁଆଁମାଆର ମନ ଭାଙ୍ଗିବ ନାହିଁ ବୋଲି ତାକୁ ମନା ନକରି ବାବାଙ୍କ ସାଥିରେ ଦ୍ରୋହ କରିଛି । ବାବାଙ୍କ ସାଥିରେ ଛଳ ମାନେ ବଜରଙ୍ଗବାଲିଙ୍କର ଅପମାନ । ସେଇ ପାପ ଯୋଗୁଁ ଜୀବ ଗଲାପରେ ଯମଦୂତ ମାନେ ଧରି ଆଣିଛନ୍ତି ତାକୁ ଏଠିକୁ, ଏ ଜମାଳୟକୁ । ଭଲହେଇଛି, ଏତେବଡ଼ ପାପ କରିଛି ଯେତେବେଳେ ନରକ ଯାତନା ଭୋଗିବ ନାହିଁ ତ ଆଉ କଣ ବୈକୁଣ୍ଠ ପରାପତ ହେଇଥାନ୍ତା ! ଆଉଟିକେ ପରେ ଦୂତମାନେ ଆସିଯିବେ । ଘୋଷାଡି ଘୋଷାଡି ତାକୁ ନେଇଯିବେ ଯମରାଜ ଦରବାରକୁ । ତା ଗୁରୁଚଣ୍ଡାଳ ପାପର ବିଚାର କରି ଫୁଟନ୍ତା ତେଲ କଡେଇରେ ଗୋଟା ବୁଡ଼େଇବେ-ଉଠେଇବେ । ଠିକ ଠିକ, ଏଇ ଦଣ୍ଡ ତା'ପାଇଁ ପୁରାପୁରି ଠିକ । ସିଏ ଯେତେ ଯମଦଣ୍ଡ ଭୋଗିବ, ତା ନାତି ଶନିଆର ଆୟୁଷ ସେତିକି ବଢ଼ିବ । ବୁଢ଼ୀ ଦୁଇହାତ ଯୋଡି ଉଚ୍ଚା ସ୍ୱରରେ କହିଲା, 'ହେ ଯମ ଦେବତା, ଆଉ କାହିଁକି କାଳ ସାରୁଛ? ଜଲଦି ଜଲଦି ବିଚାର କରି ମୋତେ ଦଣ୍ଡ ଦିଅ । ମୋତେ ଦଣ୍ଡ ଦିଅ ପ୍ରଭୁ ।' 

   ମେଡିକାଲରେ ଆସି ପହଞ୍ଚିବା ପରଠୁଁ ଲଗାତାର ଦି'ଦିନ କାଳ ଅନିଦ୍ରା ହେଇ ରହିଥିଲା ମନୁଆମାଆ । ସେପାଖ କୋଠରୀରେ ଶନିଆ, ଏପଟେ ବୁଢ଼ୀ । ଅଖିଆ ଅପିଆ ସାଙ୍ଗକୁ ଏପଟ ସେପଟ ହେଇହେଇ ତାଳୁରୁ ତଳି'ପା ସରିକି ସର୍ବାଙ୍ଗ ହୁଳେଇ ପଡିଥିଲା ତା'ର । ସକାଳଠଉଁ ଶନିଆ ଦେହକୁ ଜ୍ୱର ଆଉ ଲେଉଟିନାହିଁ । ଡାକ୍ତରବାବୁ କହିଛନ୍ତି, ଆଉ ଭୟ କରିବାର କିଛି କାରଣ ନାହିଁ । ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ତାକୁ କ୍ଷୀରରେ ବୁଡ଼େଇ ପାଉଁରୁଟି ଦି'ପଟ ଖୁଆଇ ଦେଇ ତା ଦିହମୁଣ୍ଡ ଟିକେ ଆଉଁସି ଦେଲାରୁ ସେ ଶୋଇପଡିଲା । ତା'ଉପରେ ବିଛଣା ଚାଦର ଖଣ୍ଡକ ପକେଇଦେଇ ବୁଢ଼ୀ ପାଖକୁ ଆସି ବସୁବସୁ କେତେବେଳେ ଆଖି ଲାଖିଯାଇଥିଲା ଜାଣିପାରିନଥିଲା । ବୁଢ଼ୀର ପାଟିଶୁଣି ଧଡ଼କିନା ଉଠିପଡ଼ି ବୁଢ଼ୀକୁ ଧରିପକେଇ ଆଶ୍ଚର୍ଯ୍ୟ ହେଇ ପଚାରିଲା, 'କଣ ହେଲା ମାଆ ! ବେଶୀ କଷ୍ଟ ହଉଛିକି?ଜମାରୁ ବ୍ୟସ୍ତ ହୁଅନି, ମୁଁ ଡାକ୍ତରବାବୁଙ୍କୁ ଡାକିଆଣୁଛି ସାଙ୍ଗେ ସାଙ୍ଗେ । ' ବୁଢ଼ୀକୁ ଲାଗିଲା ସତେ ଯେମିତି ସିଏ ଆକାଶରୁ ଖସିପଡ଼ିଲା କି ଆଉ ! ମନୁଆମାଆର ହାତକୁ ଜାବୁଡ଼ି ଧରି ତା ମୁହଁକୁ ନିରେଖି ଦେଖିଲା । ନିଜ ଆଖିକୁ ଭରସି ପାରୁନଥିଲା ବୁଢ଼ୀ । ଥଙ୍ଗଥଙ୍ଗ ହେଇ ଉଚ୍ଚାରଣ କଲା, ' ମୋ ମାଆଲୋ, ତୁ ଏଠି, ମୁଁ ବି ଏଠି.....ଆଉ.... ଶନିଆ..!!' କହୁକହୁ ବୁଢ଼ୀ ଆଖି ଭିତରେ ଅବ୍ୟକ୍ତ ଅସ୍ଥିରତା ଓ ବ୍ୟସ୍ତତା ଜୁଆର ହେଇ କୁଳ ଲଙ୍ଘିବାର ପୂର୍ବ ମୁହୂର୍ତ୍ତରେ ମନୁଆମାଆ ବୁଢ଼ୀର ହାତକୁ ଧରି ଆଉଁଶିଦେଇ କହିଲା, 'ବ୍ୟସ୍ତ ହୁଅନି ମା, ଶନିଆର ଜର ଛାଡିଯାଇଛି । ସିଏ ଆରପଟ ଘରେ ଆରମରେ ଶୋଇଛି । ଠାକୁରଙ୍କ ଦୟାରୁ ତମ ଦେହ ବି ଭଲ ହେଇଗଲାଣି । ମୁଁ ଗୋଡ଼ହାତ ମାଡିଦେଉଛି ତମେ ଏବେ ନିଶ୍ଚନ୍ତରେ ଟିକିଏ ବିଶ୍ରାମ ନିଅ । ସକାଳ ହେଲେ ଶନିଆ ତମ ପାଖକୁ ଆସିବ ନୋହିଲେ ତମେ ଯିବ ତା'ପାଖକୁ । '

  ଭୁତ ସବାର ହେଲାଭଳି ଖଟିଆରୁ ଓହ୍ଲେଇ ତଳେ ଠିଆହେଇଗଲା ବୁଢ଼ୀ । ସତେ ଯେପରି ତା'ଦେହରେ କିଏ ହାତିଏ ବଳ ଭରିଦେଲାକି ଆଉ! ମନୁଆମାଆ ହାତକୁ ଧରି ଝିଙ୍କି ଆଣିଲା ତାକୁ ତା'ଛାତି ଉପରକୁ । ତା ମଥାକୁ ଆଉଁଶିଦେଇ କହିଲା, 'ଚାଲେ ଲୋ ମାଆଟା ପରା, ମୋତେ ଟିକିଏ ତା' ପାଖକୁ ନେଇଚାଲେ । ମୋ ରଙ୍କୁଣୀଧନଟାକୁ ଥରୁଟିଏ ଆଖି ପୁରେଇ ଦେଖିଦେଲେ ମୋ ଆତ୍ମା ଶାନ୍ତି ହବ । ' ବୁଢ଼ୀ ମନ ଭିତରର ଆବେଗକୁ ନିଜ ଭିତରେ ଅନୁଭବ କରିପାରୁଥିଲା ମନୁଆମାଆ । ଦୁଇଟି ଆତ୍ମା ପରସ୍ପର ସହ ମିଶିବାକୁ ଚାହୁଁଛନ୍ତି ଯେତେବେଳେ ସେଥିରେ ବାଧା ଦେବାଠୁଁ ବଳି ବଡ଼ ପାପ ଆଉକିଛି ନଥାଇପାରେ । ପିନ୍ଧାଶାଢ଼ୀର କାନିକୁ ଅଣ୍ଟାରେ ଗେଞ୍ଜିଦେଇ ବାହାମୁଳିରୁ ବୁଢ଼ୀର ହାତକୁ ଧରି ଶନିଆ ଥିବା କୋଠରୀ ଆଡକୁ ବାଟକଢେଇ ନେଲାବେଳେ ମନୁଆଁମାଆକୁ ଲାଗିଲା ସତେ ଯେପରି ବୁଢ଼ୀ ତାକୁ ଟାଣିଟାଣି ଆଗକୁ ନେଇଯାଉଛି !

   ଶନିଆ ନିଘୋଡ଼ ନିଦରେ ଶୋଇଛି । ତା ମୁହଁର ପ୍ରଶାନ୍ତି ସୂଚକ ରେଖାମାନେ ସତେ ଯେମିତି କହୁଛନ୍ତି, 'ମାଆ ହାତର ପରଶ ପାଇଲେ ଦୁନିଆ ଯାକର କଷ୍ଟ କ୍ଷଣକେ ଦୁରେଇଯାଏ ।' ବୁଢ଼ୀର ଦି'ଆଖି ଭିତରେ ଶନିଆର ସନ୍ତୁଷ୍ଟ ମୁହଁଟିର ଅସଂଖ୍ୟ ପ୍ରତିବିମ୍ବ ଫୁଟି ଉଠିଲା । ବାତ୍ସଲ୍ୟ ସହିତ ଆଶୀର୍ବାଦ ମିଶି ଏକାକାର ହେଲା । ତା'ର କୋଟରଗତ ଚକ୍ଷୁଦ୍ବୟରେ ଜମାଟ ବାନ୍ଧିଥିବା ସବୁଯାକ ଲୁହ ଅକସ୍ମାତ ତରଳ ହେଇ ଶ୍ରାବଣର ବାରିଧାରା ସମ ପ୍ରବାହିତ ହେବାକୁ ଲାଗିଲା । ଅନ୍ୟଦିନମାନଙ୍କ ପରି ଆଜି କିନ୍ତୁ ସେ ଲୁହକୁ ପୋଛି ଦବାପାଇଁ ଲୁଗାକାନିକୁ ବାଁ' ହାତରେ ଟାଣି ଆଣିଲାନାହିଁ ମୁହଁ ପାଖକୁ । ତା' ଆଖିରୁ ବୋହି ଚାଲିଥିବା ଲୁହରୁ ଟୋପାଏ ଖସିପଡ଼ିଲା ଶନିଆର କପାଳ ଉପରେ । ବହୁ ପରିଚିତ ସେ ଲୁହର ମହକକୁ ବାରିଦେବାକ୍ଷଣି ଶନିଆର ରାତିକ ଯାକର ନିଦ ମେଣ୍ଟିଗଲା ତତକ୍ଷଣାତ ସେଇ ମୁହୂର୍ତ୍ତରେ । ଆଖି ମେଲି ବୁଢ଼ୀମାଆ ମୁହଁକୁ ଚାହିଁବା ଆଗରୁ କହିଲା, 'ବୁଢ଼ୀମାଆଲୋ, ଭୋକରେ ପେଟ ଜଳିଲାଣି । ଦେ କଣ ଖାଇବି । '

'ହେଇ ଦେଖ ସେ ଅଳପେ..'-ଶବ୍ଦ ପୁରା ହବାକୁ ନଦେଇ ଅଧାରୁ ଜିଭ କାମୁଡି ପକେଇଲା ବୁଢ଼ୀ । ମନୁଆଁମାଆ ବାଁ'ହାତ ପାପୁଲିକୁ ମୁହଁ ଉପରେ ଦେଇ ବୁଢ଼ୀ ଆଖିରୁ ହସ ଲୁଚାଇବାର ପ୍ରୟାସ କରୁଥିଲାବେଳେ ବୁଢ଼ୀ ମୁରୁକି ହସ ହସି କହିଲା, 'ମାଆଲୋ, ମୁଁ ଆଉ ସମ୍ଭାଳି ପାରିବିନାହିଁ ଏ ଛେଉଣ୍ଡ ଟୋକାଟାକୁ, ଆଜିଠାରୁ ତୋ ପିଲା ତୋତେ ଲାଗିଲା । 'ମନୁଆଁମାଆ ନଇଁ ପଡ଼ି ଶନିଆର କପାଳ ଉପରେ ବୋକଟିଏ ଦେଇ ବାତ୍ସଲ୍ୟ ଭରା ସ୍ୱରରେ କହିଲା,' କାହିଁକି ମ ମାଆ? ତା'ମାଆ ଥାଉଥାଉ ପିଲାଟାକୁ ମୋର ଛେଉଣ୍ଡ କିଏ କାହିଁକି କହିବ ଯେ !'

ଶନିଆ ବୁଢ଼ୀମାଆ ମୁହଁକୁ ଚାହିଁ ଚିଡ଼େଇବା ଉଦ୍ଦେଶ୍ୟରେ କହିଲା, 'ଆଉ ଥରେ ଛେଉଣ୍ଡ କହିବୁ ଯଦି ସିଧା ମନୁଆ ପାଖକୁ ପଳେଇଯିବି । ତୁ ଯେତେ ବୋବେଇଲେ ସୁଦ୍ଧା ଜମାରୁ ଶୁଣିବିନାହିଁ ।' ବୁଢ଼ୀ ମୁଚୁକୁନ୍ଦିଆ ହସ ହସି କହିଲା, 'ହଇରେ ଅକର୍ମା ଭେଣ୍ଡିଆ, ଯାଉନୁ ଯୁଆଡେ ଯିବୁ । ମୁଁ କାହିଁକି ବୋବେଇବି ଯେ ! ହେଇଟି, କହିଦଉଛି ଶୁଣ, ଏବେଠଉଁ ତୁ କଣ କରିବୁ ନ-କରିବୁ ସେକଥା କହିକି ମୋତେ ଧମକାଣି ଦବୁନିରେ ପୁଅ । ଯାହା କହିବା କଥା ତୋ ମାଆ ଆଉ ତୋ'ଭାଇ ମନୁଆକୁ କହିବୁ, ହଁ ।' ତିନି ଜଣ ଯାକ ଏକା ସାଙ୍ଗରେ ହସିଉଠିଲେ । 

ଘରେ ଆସି ପାଦ ଦେଇଛନ୍ତି କି ନାହିଁ ବୁଢ଼ୀ ମନୁଆଁ'ମା ହାତରେ ଶନିଆକୁ ସଁଅପି ଦେଇ କହିଲା, 'ଆଜିଠଉଁ ତୋ ପିଲା ତୋତେ ଲାଗିଲା ମାଆ । ତା' କଥା ବୁଝିବାକୁ ମୋ ଦେହରେ ଆଉ ବଳ ନାହିଁ । ଜନମ ଦେଲା ମାଆ ଏନ୍ତୁଡ଼ିରୁ ପର କରିଦେଲା ହେଲେ ତୁ ଥିଲୁ ବୋଲି ପିଲାଟା ମାଆର ଅଭାବ କଣ ଜାଣିପାରିଲାନାହିଁ । ଆଉ ବାକି ରହିଲା ସେ ଅଳପେଇସା ବାବା କଥା । ତାଆରି ଯୋଗୁଁ ପିଲାଟା ମୋର କେତେ କଷ୍ଟ ନ ପାଇଲା ଆହା ! ତମେ ମାଆ ପୁଅ ଦିହେଁଯାକ ଏଇଠି ଥାଅ, ମୁଁ ଯାଏ ଆଗେ ତା'କଥା ଟିକେ ଭଲକି ବୁଝିକି ଆସେ' । । 

(ସମାପ୍ତ)



Rate this content
Log in